Unknown

 

 

 

 

 

 

 

 

 

 

ଅନ୍ଧ ଯୁଗର କାହାଣୀ

 

ସଂପାଦନା

ହୃଷୀକେଶ ମଲ୍ଲିକ ଓ ଶତ୍ରୁଘ୍ନ ପାଣ୍ଡବ

 

ମୁଖବନ୍ଧ

 

‘‘ଅନ୍ଧଯୁଗର କାହାଣୀ’’ ଷୋଳଟି ଗଳ୍ପର ସମାବେଶ । ସଙ୍କଳନର ପ୍ରତ୍ୟେକ ଲେଖକ ଓଡ଼ିଆ ସାହିତ୍ୟରେ ଅଳ୍ପଅଧିକ ନାଆଁ କରିଥିବା ଲୋକ ଗଳ୍ପ ଲେଖକ ହିସାବରେ । ଏତଦ୍‌ ଭିନ୍ନ ଏଥିରେ ଲେଖିଛନ୍ତି ସର୍ବଶ୍ରୀ ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ଶାନ୍ତନୁ ଆଚାର୍ଯ୍ୟ ଓ ଚୌଧୁରୀ ହେମକାନ୍ତ ପ୍ରଭୃତି ଯେଉଁମାନେ କୌଣସି ନା କୌଣସି ସ୍ଥାନରେ ଓଡ଼ିଆ ସାହିତ୍ୟର ମୋଡ଼ ବଦଳେଇପାରିଛନ୍ତି ।

 

ଏହି ସଙ୍କଳନଟିକୁ ଅନ୍ୟ ଯେ କୌଣସି ଏକ କ୍ଷୁଦ୍ରଗଳ୍ପ ସଂକଳନ ପରି ବିଚାର କରିବା ଭୁଲ୍‌ ହବ । ବହୁ ସମୟରେ କ୍ଷୁଦ୍ର ଗଳ୍ପ ରଚନା କରାଯାଇଥାଏ ଏକ ଆବେଗରୁ, ଯାହା କୌଣସି ଘଟଣା ବା ଚରିତ୍ର ବା ସ୍ମୃତିକୁ ଆଶ୍ରୟ କରି ଗଢ଼ିଉଠିଥାଏ ।

 

କିନ୍ତୁ ଏ ସଂକଳନର ସମସ୍ତ ଗଳ୍ପ ଯନ୍ତ୍ରଣା–ପ୍ରସୂତ । କୁହାଯାଇଛି ଯେ ଏକ ଆର୍ଟର ମାଧ୍ୟମ ହିସାବରେ କ୍ଷୁଦ୍ରଗଳ୍ପ ଯନ୍ତ୍ରଣାର ଫସଲ ଓ ଏହି ସଂଜ୍ଞା ଅନୁଯାୟୀ ଏ ସଂକଳନର ସମସ୍ତ କ୍ଷୁଦ୍ରଗଳ୍ପକୁ ସଫଳ ଓ ସାର୍ଥକ ବୋଲି କୁହାଯିବା ଉଚିତ ।

 

ଆର୍ଟର ଏକ ଉଦ୍ଦେଶ୍ୟ ରହିବା ଉଚିତ ଏବଂ ଆଟିର୍ଷ୍ଟ୍‍ର ତା’ର ସାମାଜିକ ଜୀବନ ପ୍ରତି ଏକ କର୍ତ୍ତବ୍ୟ ରହିବା ଉଚିତ–ଏ ଧରଣର ମନ୍ତବ୍ୟ ଆମେମାନେ ବହୁ ସାହିତ୍ୟ ସଭାରମଞ୍ଚରୁ ଉଦ୍‌ଘୋଷିତ ହେବାର ବହୁବାର ଶୁଣିଥିବୁ । କିନ୍ତୁ ଯେତେବେଳେ ଭାରତବର୍ଷ ଏକ ଚରମ ସଂକଟ ଭିତରେ ଗତି କରୁଥିଲା, ଯେତେବେଳେ ଗଣତନ୍ତ୍ର ବିପନ୍ନ, ଦେଶର ଲକ୍ଷ ଲକ୍ଷ ନିରପରାଧ ବ୍ୟକ୍ତି କାରାରୁଦ୍ଧ ଓ ଦେଶର ସର୍ବୋଚ୍ଚ ନ୍ୟାୟାଳୟମାନେ ଅନ୍ଧ କ୍ଷମତାର ତୋଷାମଦକାରୀ ଭୂମିକାରେ ଅବତୀର୍ଣ୍ଣ, ସେତେବେଳେ ଯେ ଏହି ବହୁ-ଉଚ୍ଚାରିତ ଆସ୍ଫାଳନ ସମ୍ପୂର୍ଣ୍ଣ ନୀରବ ହୋଇଯାଇଥିଲା, ଏହା ଏକ ନିଶ୍ଚିତ ଆଶାର ସଞ୍ଚାର କରେ ।

 

ସମସ୍ତ ଗଳ୍ପ ଉଦ୍ଦେଶ୍ୟମୂଳକ ଭାବରେ ଲେଖାଯାଇଥିଲେ ମଧ୍ୟ ସେଗୁଡ଼ିକର କଳାତ୍ମକ ଗୁଣ ଯେ ହ୍ରାସ ପାଇନାହିଁ ଏହା ଅତି ଆନନ୍ଦ କଥା । ଯେଉଁ ଗଳ୍ପଗୁଡ଼ିକ ଅତ୍ୟନ୍ତ ପ୍ରତ୍ୟକ୍ଷ ହୋଇଯାଇଛି ସେଗୁଡ଼ିକର କଳାତ୍ମକ ଗୁଣ ସାମାନ୍ୟ ପ୍ରତିହତ ହେବା ସ୍ୱାଭାବିକ । ତେଣୁ କ୍ଷୁଦ୍ରଗଳ୍ପଗୁଡ଼ିକୁ ମୁଁ ସେ ଦିଗରୁ ବିଚାରକୁ ଆଣୁ ନାହିଁ । ମୁଁ କେବଳ ବିଚାରକୁ ନେଇଛି ଗୋଟିଏ କଥା ଯେ ଦେଶରେ ଗଣତନ୍ତ୍ର ବିପନ୍ନ ହୋଇପଡ଼ିଥିଲାବେଳେ ଶିଳ୍ପୀ–ପ୍ରାଣ ଯେ ଚିରଦିନ ସ୍ୱାଧୀନତାର ମାଙ୍ଗଳିକ ଗାନ କରିଆସିଛି, ତା’ର କଲମ ନିଜକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଦେଶବାସୀଙ୍କୁ ଉଦ୍‌ବୁଦ୍ଧ କରିବାର ପ୍ରୟାସରୁ ନିବୃତ୍ତ ହୋଇନଥିଲା ।

 

ଏଇ ଲେଖକମାନଙ୍କୁ ନେଇ ଆମ୍ଭମାନଙ୍କର ଗର୍ବ କରିବାର ପ୍ରଚୁର କାରଣ ରହିଛି ।

Image

 

ସୂଚୀପତ୍ର

 

ଧର୍ମଶାଳା

ଡକ୍ଟର ହରେକୃଷ୍ଣ ମହତାବ

ବଘେଇ

ଗୋପୀନାଥ ମହାନ୍ତି

କୁଳାଙ୍ଗାରଙ୍କ କାରାଗାର

ରାଜକିଶୋର ରାୟ

ପ୍ରତିଧ୍ୱନି

ସୁରେନ୍ଦ୍ର ମହାନ୍ତି

କଣ୍ଢେଇ ରାଜ୍ୟ

ଅଚ୍ୟୁତାନନ୍ଦ ପତି

ବନ୍ଦୀର ଆତ୍ମକଥା

ଦଶରଥ ସାମଲ

ବଂଶୀ ବାଦକ

ଡକ୍ଟର କୃଷ୍ଣପ୍ରସାଦ ମିଶ୍ର

ଉଗ୍ରସେନ

ଶାନ୍ତନୁ କୁମାର ଆଚାର୍ଯ୍ୟ

ସିଂହ ଓ ଠେକୁଆ କଥାର ଆଧୁନିକ ସଂସ୍କରଣ

ଚୌଧୁରୀ ହେମକାନ୍ତ ମିଶ୍ର

ବାଘୁଣୀ ହତ୍ୟାକାଣ୍ଡ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

ବାଘ ମାତିଛି

ଗୁରୁ ମହାନ୍ତି

ସର୍କସ ଚାଲିଛି

ପଦ୍ମଜ ପାଳ

ନିଖୋଜ ଆସାମୀ

ରାଧା ବିନୋଦ ନାୟକ

ସାପୁଆ କେଳା

ନାରାୟଣ ଚୌଧୁରୀ

କ୍ରୋଧୀ ରାଜା ଓ ଧୂର୍ତ୍ତ ନାପିତ ଉପାଖ୍ୟାନ

ରତ୍ନାକର ଚଇନି

ପାଗଳ ହାତୀର ମୁତ୍ୟୁ

ନନ୍ଦ କିଶୋର ମିଶ୍ର

Image

 

ଧର୍ମଶାଳା

ଡକ୍ଟର ହରେକୃଷ୍ଣ ମହତାବ

 

ସାମନାରେ ଛୋଟ ଟେବୁଲ୍‌ ଟିଏ । ଟେବୁଲ୍‌ ଉପରେ ପୁରୁଣା ଖବରକାଗଜ ଖଣ୍ଡେ ଟେବୁଲ୍‌ କ୍ଳଥ କାମ ଦେଉଛି । ହାତ ନଥିବା କାଠ ଚୌକିଟିରେ ବସି ଟେବୁଲ ଉପରେ ରଖାହୋଇଥିବା କେତେଖଣ୍ଡ ବହି ଏପାଖସେପାଖ କରି ଦେଖୁଛନ୍ତି ରାଧାମୋହନ । ବହି କେତେଖଣ୍ଡ ଭିତରୁ ଗୋଟିଏ ହେଉଛି ଗୀତା, ଆଉ ଗୋଟିଏ ଇଂରାଜୀରେ ଅନୁବାଦିତ କୋରାନ, ଆଉ ଏକ ସଂକ୍ଷିପ୍ତ ବାଇବେଲ୍‌ । ୟା’ ଛଡ଼ା ଆଉ ମଧ୍ୟ ଛୋଟ ବଡ଼ ବହି କେତେଖଣ୍ଡ ଅଛି । କୌଣସି ଏକ ନିର୍ଦ୍ଦିଷ୍ଟ ବହି ଅଧ୍ୟୟନ କଲାଭଳି ରାଧାମୋହନ ଜଣାଯାଉ ନଥାନ୍ତି । କିଛି ସମୟ ଗୀତାର କେତେ ପୃଷ୍ଠା ପଢ଼ି ପୁଣି କୋରାନ୍‌ ଆଡ଼କୁ ହାତ ବଢ଼ାନ୍ତି । ପୁଣି କଅଣ ଭାବି ତାକୁ ଛାଡ଼ି ବାଇବେଲ୍‌କୁ ଖୋଲନ୍ତି । ସେଥିରୁ କିଛି ପଢ଼ି ଉପରକୁ ଚାହିଁ ଗମ୍ଭୀର ଭାବରେ କିଛିକ୍ଷଣ ଭାବନ୍ତି । ଏହିପରି ଅବସ୍ଥାରେ ସେ ନିଜ କୋଠରୀରେ ଥିବା ସମୟରେ ଚିନ୍ତାମଣି ହଠାତ୍‌ କୁଆଡ଼ୁ ଆସି ‘‘ନମସ୍କାର ରାଧାମୋହନ’’ କହି କହି ସାମନାରେ ଆସି ଠିଆ ହୋଇଗଲେ । ହଠାତ୍‌ ନିଦ ଭାଙ୍ଗିଗଲା ପରି ହୋଇ ରାଧାମୋହନ ଆଗକୁ ଚାହିଁ ଅନ୍ୟମନସ୍କ ଭାବରେ କହିଲେ, ‘‘କି ଚିନ୍ତାମଣି, କେବେ ଆସିଲ, ବସ ବସ’’ । ତା’ପରେ ନିଜେ ଉଠିଯାଇ ଟିକିଏ ଦୂରରେ ଥିବା ଷ୍ଟୁଲ୍‌ ଗୋଟିଏ ଆଣି ‘ବସ’ ବୋଲି କହିଲେ । ରାଧାମୋହନ ବର୍ତ୍ତମାନ ତାଙ୍କର ଗଭୀର ଚିନ୍ତାରୁ ମୁକ୍ତ । ‘ବହୁଦିନ ପରେ ଦେଖା, କୁଆଡ଼େ ଥିଲ, କଅଣ କରୁଛ, ସ୍ୱାସ୍ଥ୍ୟ କିପରି ଅଛି’ ଇତ୍ୟାଦି ସମ୍ୱାଦ ଜିଜ୍ଞାସା କଲେ । ଏସବୁ କଥାର ଉତ୍ତର ନଦେଇ ଚିନ୍ତାମଣି ଅଧା ପରିହାସ ଅଧା ଗାମ୍ଭୀର୍ଯ୍ୟବ୍ୟଞ୍ଜନ ସ୍ୱରରେ ପଚାରିଲେ, ‘‘ତୁ ଆଗେ କହ ତ ତୁ ଏପରି ଦୀନ ଅବସ୍ଥାରେ ବସିଛୁ କାହିଁକି ? ତୋର ସେ ବଡ଼ ଟେବୁଲ କାହିଁ, ସେ ସୁନ୍ଦର ପ୍ଳାଷ୍ଟିକ୍‌ ଟେବୁଲ କ୍ଳଥ କାହିଁ, ସେ ସ୍ପ୍ରିଙ୍ଗ୍‍ଦିଆ ଚେୟାର କାହିଁ, ଘରେ ଖଣ୍ଡେ ଚେୟାର ତା’ର ପୁଣି ହାତ ନାହିଁ । ଆଉ ସବୁ ଆସବାବ ଗଲା କୁଆଡ଼େ । ପୁଣି ସାମନାରେ ପଡ଼ିଛି ଗୀତା । କଅଣ ତୁ ସନ୍ନ୍ୟାସୀ ହୋଇଗଲୁଣି କି ?’’ ଅଳ୍ପ ହସି ଦେଇ ରାଧାମୋହନ କହିଲେ ‘‘ତୁ ଜାଣି ନାହୁଁ ୟା ଭିତରେ ବର୍ଷେ ଜେଲ୍‌ ଭୋଗି ସାରିଲିଣି । ତୁ ବା ଜାଣିବୁ କିପରି କାହାରି ଚିରପ୍ତାର ବା ଜେଲ୍‌ ଯିବା ଖବର ତ ପ୍ରକାଶିତ ହେବନାହିଁ ବୋଲି ଆଦେଶ । ଜେଲ୍‌ ଭିତରେ ମୋତେ ଯେତିକି ଆସବାଦ ଦିଆଯାଇଥିଲା ସେଥିରେ ବର୍ଷକ ଭିତରେ ମୁଁ ଏପରି ଅଭ୍ୟସ୍ତ ହୋଇଯାଇଛି ଯେ ଆଉ ଆଡ଼ମ୍ୱର ଟେବୁଲ୍‌ ଚୌକି ଆସବାବ ମୋତେ ସୁଖ ଲାଗୁନାହିଁ । ସେସବୁ ଆଡ଼ମ୍ୱର ଭିତରେ ରହି ପୁଣି ସେଥିରୁ କେବେ ବଞ୍ଚିତ ହେଲେ ମନଟା ଖରାପ ହେବ, ଏଣୁ ଠିକ୍‌ ସେହିପରି ଅବସ୍ଥାରେ ରହିଲେ ଜେଲ ଗଲେ ଅନ୍ତତଃ ଏ କାରଣରୁ ଚିତ୍ତ ବିକ୍ଷେପ ଘଟିବ ନାହିଁ । ମୁଁ ଧରିନେଇଛି ଯେ ମୁଁ ଜେଲ୍‌ରେହିଁ ଅଛି ।’’ ଅଧୀର ଓ ଗମ୍ଭୀର ହୋଇଯାଇ ଚିନ୍ତାମଣି କହିଲେ, ‘‘କେଉଁଥିରେ ତୋତେ ଜେଲ୍‌ ହେଲା ? ତୁ ତ....’’ ଆଉ କିଛି କହିବାକୁ ନ ଦେଇ ରାଧାମୋହନ ଉଚ୍ଚ ସ୍ୱରରେ କହି ହସିଲେ, ‘‘କେଉଁଥିରେ କାହିଁକି ମୋତେ ଜେଲ୍‌କୁ ନିଆଯାଇଥିଲା ମୁଁ ଜାଣେ ନାହିଁ । ଜେଲ୍‌କୁ ନିଆହେବା ଲୋକଙ୍କୁ ସେସବୁ ଜଣାଇଦିଆ ହେବନାହିଁ ବୋଲି ନୂଆ ଆଇନ୍‌ ହୋଇଛି । ତୁ ଏ ଦେଶରେ ଥିଲୁ ନାଁ ଆଉ କେଉଁଠି ଥିଲୁ ? ତୁ କଅଣ କିଛି ଖବର ରଖି ନାହୁଁ କି-?’’ ଚିନ୍ତାମଣି ମୁଣ୍ଡ କୁଣ୍ଡାଇ କୁଣ୍ଡାଇ କହିଲେ, ‘‘ଖବର ରଖେ ଯେତିକି ଖବରକାଗଜରେ ବାହାରେ-। ଆଉ ତ ବହୁତ କଥା ଶୁଣାଯାଏ । ସେଥିରୁ କେତେ ଯେ ସତ କେତେ ମିଛ ଜାଣିବା ଅସମ୍ଭବ । ମିଛ ତ ବହୁତ ଏଣୁ କୌଣସି ଶୁଣା କଥାକୁ ବିଶ୍ୱାସ କରେ ନାହିଁ । ଅନେକ ଜେଲ୍‌ ଯାଇଛନ୍ତି ମୁଁ ଜାଣେ, କିନ୍ତୁ ତୁ ଜେଲ୍‌ ଯିବୁ ଏହା ମୁଁ ଆଶା କରିନଥିଲି ।’’ ରାଧାମୋହନ କହିଲେ,‘‘ ଛାଡ଼ ସେ କଥା । ବର୍ତ୍ତମାନ ଅବସ୍ଥାରେ ସେସବୁ ଦେଶଦ୍ରୋହ ବେଆଇନ୍‌ ।’’

 

ଚିନ୍ତାମଣି ‘‘ଦେଶଦ୍ରୋହ ବା ବେଆଇନ୍‌ ଏସବୁ ମୁଁ ବୁଝେ ନାହିଁ । ମୁଁ ଚଳନ୍ତି ରାଜନୀତିରେ ଆଗ୍ରହୀ ନୁହେଁ । ମୁଁ ମୋ ନିଜ କାମରେ ଥାଏ ।’’

 

ରାଧାମୋହନ କଅଣ ତୋର ନିର୍ଦ୍ଦିଷ୍ଟ କାମ, କେଉଁଠି ଥିଲୁ, କେବେ ଆସିଲୁ–

 

ଚିନ୍ତାମଣି–ମୁଁ ଦିନକେତେ ବମ୍ୱେରେ ଥିଲି । ସେଠି କିଛିଦିନ ରହିଲାପରେ ଦିଲ୍ଲୀ ଗଲି, ସେଠୁ କେନେଡ଼ା ଗଲି । କେନେଡ଼ାରୁ ଫେରି କୋରାପୁଟ ଯାଇଥିଲି । କୋରାପୁଟରୁ ଏହି ବାଟେ ପୁଣି ବମ୍ୱେ ଯାଉଛି । ସେଠୁ ପୁଣି କେନେଡ଼ା ।

 

ରାଧାମୋହନ–ତୋ ରହିବା ଯିବା ତ ଏତେ ଖାପ୍‌ଛଡ଼ା ଜଣାଯାଉଛି । ତୋର ନିର୍ଦ୍ଦିଷ୍ଟ କାର୍ଯ୍ୟ କଅଣ କିଛି ତ ମୁଁ ବୁଝିପାରୁ ନାହିଁ ।

 

ଚିନ୍ତାମଣି–ତୁ ଜାଣୁ କଲେଜରେ ପଢ଼ିବା ଦିନରୁ ମୁଁ ମନସ୍ତତ୍ତ୍ୱ ଗବେଷଣାରେ ଆଗ୍ରହୀ । ତୁ ତ ଇତିହାସବାଲା । ମୁଁ କିନ୍ତୁ ଫିଲସଫିବାଲା । ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କ ଚେତନା ବିକାଶ ଅନୁଧ୍ୟାନ କରିବା ମୋର କାମ । ବମ୍ୱେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏ ବିଷୟରେ ଗବେଷଣା ଚାଲିଛି । କେନେଡ଼ାରେ ଏ ଦିଗରେ ଗବେଷଣା ବହୁଦୂର ଅଗ୍ରସର ହେଲାଣି । କେନେଡ଼ା ସରକାରଙ୍କ ଏକ ସ୍କଲାରସିପ୍‌ ପାଇଁ ମୁଁ ଚାଲିଗଲି । ଏଠାର ଅନୁନ୍ନତ ଆଦିବାସୀଙ୍କ ଚେତନା ବିକାଶ ଅନୁଧ୍ୟାନ ପାଇଁ ମୁଁ କୋରାପୁଟ ଯାଇଥିଲି ।

 

ରାଧାମୋହନ ଆଦିବାସୀଙ୍କ ଚେତନା ବିକାଶ ତ ଦୂରର କଥା । ଆମ ଶ୍ରେଣୀ, ତୋରି ଶ୍ରେଣୀଲୋକଙ୍କ ଚେତନା ବିକାଶ କଥା କେବେ ଅନୁଧ୍ୟାନ କରିଛୁ ? ସେହି ବିଷୟହିଁ ମୁଁ ଇତିହାସ ଛାତ୍ର ହୋଇ ସୁଦ୍ଧା ବର୍ତ୍ତମାନ ଗବେଷଣା କରୁଛି । ସେଥିପାଇଁ ଏ ଧର୍ମପୁସ୍ତକ ସବୁକୁ ଓଲଟାଇ ଦେଖୁଛି ।

 

ଏ କଥାକୁ ହେୟଜ୍ଞାନ କଲାପରି ହୋଇ ଚିନ୍ତାମଣି କହିଲେ, ‘‘କଅଣ ତୋ ଗବେଷଣା ସଂକ୍ଷେପରେ କହ ତ ?’’

 

ରାଧାମୋହନ–ମୋର ଗବେଷଣା କହେ, ତୋ, ଆମ ଶ୍ରେଣୀର ଲୋକ ଆଖିରେ ଦେଖିବା, କାନରେ ଶୁଣିବା, ସର୍ବାଙ୍ଗରେ ନିଭେଇବା ଏ ସଂସାରଟାକୁ ସମ୍ପୂର୍ଣ୍ଣ ମାୟାଜାଲ ମିଛ ମନେକରି । ଆମେ ବାସ କରୁ ଏପରି ଏକ ରାଜ୍ୟରେ ଯାହାର ଦୈନନ୍ଦିନ ଜୀବନ ସହିତ କିଛି ସମ୍ପର୍କ ନାହିଁ । ଏହି ଦେଖ, ଗୀତା, କୋରାନ୍‌, ବାଇବେଲ, ସବୁ ବୁଝାଇବାରେ ଲାଗିଛନ୍ତି ମୃତ୍ୟୁ ପରେ ସୁଖଶାନ୍ତି କିପରି ମିଳିବ । ମୃତ୍ୟୁ ପରେ ଯାହା ହବ ହବ, ଏ ବର୍ଷ ଆର ବର୍ଷ ତା’ ପର ବର୍ଷ କଅଣ ହେବ ? ଗୀତା ତ ବୁଝାଉଛି କଅଣ କଲେ ମୃତ୍ୟୁ ପରେ ଆଉ ଜନ୍ମିବାକୁ ପଡ଼ିବ ନାହିଁ । ଏ ଜୀବନର ସୃଷ୍ଟି ଯେ ସୃଷ୍ଟିକର୍ତ୍ତାଙ୍କ ଏକ ପ୍ରକାଣ୍ଡ ଭୁଲ ଏହାହିଁ ଆମର ଚେତନା । ତେଣୁ ଦେଶସାରା ଖାଇବାକୁ ନପାଇ ପିନ୍ଧିବାକୁ ନପାଇ ପାଠପଢ଼ିବାକୁ ନପାଇ କିଛି ନପାଇ ହା ହତାଶ ହେଉଥିଲେ ମଧ୍ୟ ତୁ, ମୁଁ ମଧ୍ୟ ସେହି ହତାଶାର ଶିକାର ହୋଇଥିଲେ ମଧ୍ୟ ଆମେ ତାକୁ ସେପରି ଗୁରୁତ୍ୱ ଦେଉନାହୁଁ । କୌଣସିପ୍ରକାରେ ନିଜେ ଚଳିଯାଇ ଏ ଜୀବନଟା ଶେଷ କରିଦେଲେ କାମ ସରେ, ଏହି ହେଉଛି ଆମର ଚେତନା ।

 

ଚିନ୍ତାମଣି ତୁ ଯେଉଁ ସମାଜର ଅବସ୍ଥା କଥା କହୁଛୁ ସେସବୁ ତ ରାଜନୈତିକ ଲୋକଙ୍କ ଭାବିବାର ବା ସେ ଦିଗରେ କାର୍ଯ୍ୟକାରକ ହେବାର କଥା । ତୁ ରାଜନୀତିରେ ଅଛୁ ବୋଲି ସେସବୁ ପ୍ରତି ତୋର ମନ ଯାଉଛି । କିନ୍ତୁ କୋରାପୁଟ ଜଙ୍ଗଲର ଆଦିବାସୀ ଲୁଗା ପିନ୍ଧେ ନାହିଁ, ଏକ ଦୁଇ ଗଣି ପାରେ ନାହିଁ, ବର୍ଷା ଖରାରୁ ରକ୍ଷା ପାଇବା ପାଇଁ ଘରଟିଏ ଦରକାର ବୋଲି ସେ ଜାଣେ ନାହିଁ-। ଦେଶ ସମାଜ ତ ଦୂରର କଥା, ତା’ ନିଜ କଥା ମଧ୍ୟ ଚିନ୍ତା କରିବା ପାଇଁ ତା’ର ମସ୍ତିଷ୍କ ବିକଶିତ ହୋଇନାହିଁ, ଏଥିପ୍ରତି ତୁମ ରାଜନୈତିକ ଲୋକଙ୍କ ଦୃଷ୍ଟି ପଡ଼ୁଚି କି ?

 

ରାଧାମୋହନ ତାହେଲେ ତ ସେମାନେ ଶାନ୍ତିରେ ଅଛନ୍ତି । ଆମେ ତ ଭଲ ଖାଇବା ପାଇଁ, ଭଲ ପୋଷାକ ପାଇଁ, ଭଲ ଘରଟିଏ କରିବା ପାଇଁ ସନ୍ତାନ ସନ୍ତତି ସୁଖରେ ରହିବା ପାଇଁ, ନିଜେ ମଧ୍ୟ ଜୀବନଟାକୁ ଉପଭୋଗ କରିବା ପାଇଁ ଯେପରି ବ୍ୟସ୍ତ, ଚିନ୍ତିତ ଓ ଉଦ୍‌ବିଘ୍ନ, ପୁଣି ସେସବୁ ଚିନ୍ତା ଉଦ୍‌ବେଗ ଓ କାର୍ଯ୍ୟ ଫଳ ମୃତ୍ୟୁ ପରେ ଭୋଗିବାକୁ ହେବ ବୋଲି ମନରେ ଯେ ଭୟ, ଏଥିରୁତ କୋରାପୁଟ ଆଦିବାସୀମାନେ ମୁକ୍ତ । ଥାନ୍ତୁ ସେମାନେ ନିଶ୍ଚିନ୍ତରେ । ତାଙ୍କୁ ଟାଣି ଆଣି ଶାସ୍ତ୍ରବର୍ଣ୍ଣିତ ମାୟାଜାଲରେ ପକାଇ ଆମପରି ଘଣ୍ଟାଚକଟା କରିବା ଦରକାର ନାହିଁ ।

 

ଚିନ୍ତାମଣି–ମୁଁ ଦେଖୁଛି ଏହି ବର୍ଷକ ଭିତରେ ତୁ ସମ୍ପୂର୍ଣ୍ଣ ନିରାଶାବାଦୀ ହୋଇଗଲୁଣି । ତୋର ମନସ୍ତତ୍ତ୍ୱ ଗବେଷଣା ଆବଶ୍ୟକ କରୁଛି । ଜେଲରେ ବୋଧହୁଏ ତୋର ନିରାଶା ଜନ୍ମିଲା । ତୁ ତ ପୂର୍ବେ ଏପରି ନଥିଲୁ । ଆଚ୍ଛା ସେ କଥା ପରେ ହେବା । ଆଉ ରାଜନୀତିର ଖବର କଅଣ ? ତୁମେ ନେତାମାନେ ଖେଳରେ ଯେପରି ଦୁଇପକ୍ଷ ଦଉଡ଼ିକୁ ଟାଣି ନିଜ ପକ୍ଷକୁ ନେବା ପାଇଁ ଗୋଇଠି ମାଡ଼ି ଦାନ୍ତକାମୁଡ଼ି ସମସ୍ତ ବଳ ପ୍ରୟୋଗ କରନ୍ତି, ସେହିପରି ଗଣତନ୍ତ୍ର ଓ ସମାଜବାଦକୁ ଏପରି ଟଣାଓଟରା କଲଣି ଶେଷରେ ସେ ଦୁଇ ବସ୍ତ୍ର ଯେ କଅଣ ଲୋକେ ଜାଣିବେ ନାହିଁ । କେବଳ ଦେଖିବେ କେଉଁ ପକ୍ଷ ଜିତିଲା । ଦୁଇ ପକ୍ଷରେ ତାଳିମାରିବା ପାଇଁ ଲୋକେ ଅଛନ୍ତି । ବର୍ତ୍ତମାନ ତୋ ପକ୍ଷ ହାରିଯାଇଛନ୍ତି ବୋଲି ତୁ ନିରାଶ, କହିଦେଇ ଚିନ୍ତାମଣି ଜୋରରେ ହସିଲେ ।

 

ରାଧାମୋହନ ଗମ୍ଭୀର ହୋଇଯାଇ କହିଲେ, ‘‘ଦେଖ୍‌ ଚିନ୍ତାମଣି, ତୁ ତ ଏଠି ପ୍ରାୟ ଦୁଇବର୍ଷ ହେଲା ନଥିଲୁ, ତୋ ସାଙ୍ଗରେ ମୋର ଦେଖା ପ୍ରାୟ ବର୍ଷକ ପରେ । ଏଣୁ ତୁ ଜାଣିନାହୁଁ ମୋଠି ସେ ପରିବର୍ତ୍ତନ ଘଟିଛି । ବର୍ତ୍ତମାନ ମୁଁ ରାଜନୀତିରେ ନାହିଁ ବୋଲି କହିବାଟା ଠିକ୍‌ ହେବନାହିଁ । ବର୍ତ୍ତମାନ ରାଜନୀତି ମୋତେ ଫୋପାଡ଼ି ଦେଇଛି । କେବଳ ମୋତେ ନୁହେଁ, ମୋ ପରି ଅନେକଙ୍କୁ ଫୋପାଡ଼ି ଦେଇ ରାଜନୀତି ଚାଲିଛି ଯେପରି ମିଲ୍‌ରେ ଚୋକଡ଼କୁ ଫୋପାଡ଼ି ଦେଇ ଗହମ ଅଟା ହୁଏ । ପୁରୁଣାକୁ ଫୋପାଡ଼ି ନଦେଲେ ନୂଆ ଉଠିପାରିବେ ନାହିଁ, ଏ ମଧ୍ୟ ଏକ ଦର୍ଶନ । ଆମକୁ ଯେଉଁମାନେ ଫୋପାଡ଼ି ଦେଇଛନ୍ତି ସେମାନଙ୍କୁ ଅନ୍ୟମାନେ ଫୋପାଡ଼ି ଦେବାକୁ ବସିଛନ୍ତି, ଏହି ହେଉଛି ରାଜନୀତିର ଅବସ୍ଥା ।’’

 

ଚିନ୍ତାମଣି ତୁ ଏକଥା କହିଲେ ମୁଁ ବିଶ୍ୱାସ କରିବି ? ରାଜନୀତିକୁ ତୁ ଛାଡ଼ିପାରିବୁ ନାହିଁ କି ରାଜନୀତି ତୋତେ ମଧ୍ୟ ଛାଡ଼ିପାରିବ ନାହିଁ । ରାଜନୀତିରେ ତ ତୁ ନାହୁଁ, ତୋତେ ଜେଲ ନେଲେ କାହିଁକି ?

 

ରାଧାମୋହନ ହସି ହସି କହିଲେ ‘‘ସେ ତ ମନସ୍ତତ୍ତ୍ୱବିଷୟକ ଗବେଷଣା ଆବଶ୍ୟକ କରେ । ତୁ ଜାଣୁ ଆଜିକାଲି ଚୋରି ଡକାୟତି ଏତେ ବେଶି ହେଉଛି, ପୋଲିସ ସବୁଗୁଡ଼ାକର ତଦନ୍ତ ରୀତିମତ କରିପାରୁନାହାନ୍ତି । କିନ୍ତୁ ତଦନ୍ତ କରି କିଛି ରିପୋର୍ଟ ନଦେଲେ ଚାକିରୀରେ ବାଧା ଆସିବ, ଖବରକାଗଜରେ ସମାଲୋଚନା ବାହାରିବ, ତେଣୁ ପୋଲିସ ଏକ ଦାଗୀ ତାଲିକା ରଖିଥାନ୍ତି । ଥରେ ଯେ ଅପରାଧରେ ଜେଲ୍‌ ଗଲା ତା’ର ନାମ ଚଢ଼ିଲା ସେ ଦାଗୀ ତାଲିକାରେ । ପରେ କେଉଁଠି ଚୋରିଡ଼କାୟତି ହେଲେ ପୋଲିସ ଦାଗୀ ତାଲିକାରୁ କେତେକଙ୍କୁ ଧରି ପ୍ରମାଣ ସଜେଇ କଚେରୀରେ ହାଜର କରାନ୍ତି । ସିନ୍ଧିକାଠି ତାଲା ଭାଙ୍ଗିବା ଯନ୍ତ୍ର ଇତ୍ୟାଦି ଥାନାରେ ରହିଛି । ସେସବୁ ପ୍ରମାଣ ସ୍ୱରୂପ ସବୁ ମୋକଦ୍ଦମାରେ ଦାଖଲ ହୁଏ । ସେହି ପ୍ରମାଣ ବଳରେ ଧରି ଆଣିଥିବା ଦାଗୀକୁ ଜେଲ ହୁଏ । ପ୍ରଥମ ଅପରାଧ ପରେ ସାଧୁ ଜୀବନଯାପନ କରି ନିର୍ଦ୍ଦୋଷ ଜୀବକା ଅର୍ଜନ କରୁଥିଲେ ମଧ୍ୟ ଯେ ଦାଗୀ ସେ ଚିରକାଳ ଦାଗୀ । ମୁଁ ସେହିପରି ଏକ ରାଜନୈତିକ ଦାଗୀ କେଉଁଠି କିଛି ଆନ୍ଦୋଳନ ହେଲେ ମୁଁ ସେ ସମ୍ୱନ୍ଧରେ କିଛି ନଜାଣିଥାଏ ପଛକେ ମୋତେ ଧରି ନେବାର କାରଣ ହେଉଛି ମୁଁ ଦାଗୀ ତାଲିକାଭୁକ୍ତ ।

 

ଚିନ୍ତାମଣି–ତୁ ରାଜନୀତି ପ୍ରତି ଏତେ ବୀତସ୍ପୃହ ହେଲୁ କେବେଠୁ ? ବର୍ତ୍ତମାନ ତ ରାଜନୀତିରେ ତୋର ମାତିଯିବା କଥା ।

 

ରାଧାମୋହନ–ରାଜନୀତିରେ ମୁଁ ବୀତସ୍ପୃହ ନୁହେଁ, ରାଜନୀତି ମୋ ପ୍ରତି ବୀତସ୍ପୃହ–

 

ଚିନ୍ତାମଣି–କଅଣ ଏକ ନୂଆ ଥିଓରି ତୁ ବାହାର କରିଛୁ, ଶୁଣିବା ସେ ଥିଓରି ।

 

ରାଧାମୋହନ–ମୋର ଥିଓରି ଏହି ବିପ୍ଳବ କହିଲେ ଯାହା ବୁଝାଏ ତାହା ସର୍ବତ୍ର ହୋଇଛି ଶସସ୍ତ ବାହିନୀଙ୍କ ସାହାଯ୍ୟରେ ଓ ଯୁଦ୍ଧଜନିତ ଅବସ୍ଥାରେ । ଫ୍ରାନ୍‌ସର ସୈନ୍ୟବାହିନୀ ସାହାଯ୍ୟ କରିନଥିଲେ ଆମେରିକାର ବିପ୍ଳବ ସଫଳ ହୋଇନଥାନ୍ତା । ଫ୍ରାନ୍‌ସରେ ସୈନ୍ୟବାହିନୀ ଅସନ୍ତୁଷ୍ଟ ନହୋଇଥିଲେ ଫରାସୀ ବିପ୍ଳବ ସଫଳକାମ ହୋଇପାରି ନଥାନ୍ତା । ପ୍ରଥମ ବିଶ୍ୱଯୁଦ୍ଧଜନିତ ଅବସ୍ଥାରେ ରୁଷିଆର କମ୍ୟୁନିଷ୍ଟ ବିପ୍ଳବ, ପୁଣି ଦ୍ୱିତୀୟ ବିଶ୍ୱଯୁଦ୍ଧଜନିତ ଅବସ୍ଥାରେ ଚୀନର କମ୍ୟୁନିଷ୍ଟ ବିପ୍ଳବ । ବିନା ବିପ୍ଳବରେ ଭାରତ ସ୍ୱାଧୀନ ହୋଇଛି, ସେହିପରି ଅନେକ ଦେଶ ହୋଇଛନ୍ତି । ଭାରତରେ କିନ୍ତୁ ଗାନ୍ଧିଜୀ ରାଜନୀତି ପରିଚାଳନା କରିବାପାଇଁ ଗୋଟିଏ ଶୃଙ୍ଖଳାବଦ୍ଧ ପୁରୁଷ ବା ଜେନେରେସନ୍‌ ସୃଷ୍ଟି କରିଗଲେ । ସେ ପୁରୁଷ ଗଲା । ଗାନ୍ଧିଜୀଙ୍କ ନୀତିବି ଗଲା, ଗାନ୍ଧୀ ବର୍ତ୍ତମାନ ଜେଲରେ–ତୁ ଶୁଣିଲେ ହସିବୁ, ଜେଲରେ ପ୍ରତିଦିନ ସକାଳେ ଗାନ୍ଧିଜୀଙ୍କ ପ୍ରାର୍ଥନା ‘‘ରଘୁପତି ରାଘବ ରାଜାରାମ’’ କୟେଦିମାନେ ସମବେତ ହୋଇ ବୋଲନ୍ତି । ପୁଣି ଜେଲରେ କୟେଦିମାନେ ଭୋଟ ଦେଇ ସେମାନଙ୍କର ଏକ ପଞ୍ଚାୟତନିର୍ବାଚନ କରନ୍ତି । ସେହି ପଞ୍ଚାୟତର ମତ ନେଇ ବା ତାକୁ ଖୁସ୍‌ ରଖି ଜେଲ କର୍ତ୍ତୃପକ୍ଷ ଚଳନ୍ତି । ଗାନ୍ଧିଜୀଙ୍କ ପ୍ରାର୍ଥନା ଓ ନୀତି ବାହାରେ ପରିତ୍ୟକ୍ତ, କିନ୍ତୁ ଜେଲରେ ଜୀବିତ ଅଛି । ବର୍ତ୍ତମାନ ଲୋକ ଭେଳେଇ ଓ ଘେରାଉ କରି କର୍ତ୍ତୃପକ୍ଷଙ୍କଠାରୁ କାମ ହାସଲ କରିବାକୁ ଅହିଂସା ବୋଲି କୁହାଯାଉଛି । ଜଣକୁ ଶହେଜଣ ସମ୍ପୂର୍ଣ୍ଣ ନିରସ୍ତ୍ର ଲୋକ ଘେରିଯାଇ ଜୋର ଜବରଦସ୍ତ କଲେ ସେ ନିଶ୍ଚୟ ଆତ୍ମରକ୍ଷା ପାଇଁ ଅସ୍ତ୍ର ବ୍ୟବହାର କରିବ । ଏ ସାଧାରଣ କଥାଟାକୁ ଅହିଂସାତ୍ମକ ଜନତା ଉପରେ ଗୁଳି ବର୍ଷଣ ବୋଲି ଗାନ୍ଧିଜୀଙ୍କ ନାମରେ ଚିତ୍କାର କରାହେଉଛି, ଅହିଂସାର ଆବରଣରେ ଗତି କରୁଥିବା ହିଂସା ସମ୍ମୁଖୀନ ହେଉଛି ଅନ୍ୟ ପକ୍ଷର ସ୍ୱାଭାବିକ୍‌ ହିଂସାର । ଏଥିରେ ମେଷ ପରିଚ୍ଛଦଧାରୀ ଦୁର୍ବଳ ବାଘ ହୃଷ୍ଟପୁଷ୍ଟ ବଳଶାଳୀ ବାଘଦ୍ୱାରା ଧ୍ୱସ୍ତ ହୋଇଯାଉଛି । ଅହିଂସାତ୍ମକ ରାଜନୀତି କହିଲେ ରାଜନୀତି–ସେ ତ ପରିତ୍ୟକ୍ତ । ଯେ କୌଣସି ଆବରଣରେ ହିଂସାଚରଣ ତ ଏ ନିରସ୍ତ୍ର ଦେଶରେ କେବେହେଲେ କାର୍ଯ୍ୟକାରୀ ହେବନାହିଁ । ଶୁଦ୍ଧ ଅହିଂସାତ୍ମକ ଆନ୍ଦୋଳନ ପାଇଁ ଯେଉଁ ନୈତିକତା ଆବଶ୍ୟକ ତାହା ମୋର ନାହିଁ ବା ଦେଶରେ ବର୍ତ୍ତମାନ କାହାରି ନାହିଁ । ହିଂସା ତ ଚଳିବ ନାହିଁ । ଏଣୁ ପ୍ରଚଳିତ ବ୍ୟବସ୍ଥାକୁ ମାନିନେଇ ଚଳିବା ଭିନ୍ନ ଅନ୍ୟ ଉପାୟ ନାହିଁ । ଇତିମଧ୍ୟରେ ନିଜର ଓ ଜନତାର ନୈତିକ ଚେତନା ଜାଗ୍ରତ କରିବା ପାଇଁ ଯାହା କିଛି କରିବାକୁ ହେବ–ଏହି ହେଲା ମୋର ଥିଓରି । ଛାଡ଼ ସେସବୁ କଥା–ଯେଉଁଠାରୁ ମୋ ମନକୁ ହଟାଇବା ପାଇଁ ଗୀତା, କୋରାନ୍‌ ବାଇବେଲ୍‌ ପଢ଼ୁଛି ତୁ ସେଇଠିକି ମୋ ମନକୁ ପୁଣି ଟାଣି ନେଉଛୁ । ଛାଡ଼ ଅନ୍ୟ କଥା ପକା । ଘରେ ତୋର ସମସ୍ତେ ଭଲ ? ତୋର କେନେଡ଼ା ଜୀବନ କିପରି ?

 

ଚିନ୍ତାମଣି ରହ ତୁ ଯିବୁ କୁଆଡ଼େ । ତୁ ଏକ ପ୍ରତିକ୍ରିୟାର କେନ୍ଦ୍ର ହୋଇଛୁ ଶୁଣି ତ ମୁଁ ତୋ ସହିତ କଥା ହେବାକୁ ଆସିଲି । ମନେ ଅଛି କଲେଜ ଛାଡ଼ିବା ବେଳକୁ ଆମର ପ୍ରତିଜ୍ଞା ? କୁଆଡ଼େ ଗଲା ସେ ଜୀବନ । ମୋର, ଅନ୍ୟମାନଙ୍କର ତ ଯାଇଛି କେଉଁଦିନୁ, ବାକି ଥିଲୁ ତୁ, ତୁ ବି ଗଲୁ । ଆମ ପୁରୁଷଟା ଏପରି ନିରର୍ଥକ ହୋଇଯିବ ?

 

ରାଧାମୋହନ–ତୁ ଏକ ଅସମୟରେ ଆସିଲୁ । ଏଠି କିଛିଦିନ ରହ । ଧୀରେ ସୁସ୍ଥେ କଥା ହେବା, ମୋ ମନ ବର୍ତ୍ତମାନ କଡ଼ାରେ ବଡ଼ା ଭଜା ହେବାପରି ଅବସାଦରେ ଭଜା ହେଉଛି । ତୁ ଆସିବୁ ଅନ୍ୟ ସମୟରେ । ଏଠି ରହୁଛୁ କେଉଁଠି ?

 

ଚିନ୍ତାମଣି ଆଚ୍ଛା, ମୁଁ ସନ୍ଧ୍ୟାବେଳକୁ ହେଉ ବା କାଲି ବଡ଼ି ସକାଳୁ ହେଉ ଆସିବି । ମୋତେ କିନ୍ତୁ ସ୍ପଷ୍ଟ ସବୁ କହିବାକୁ ହେବ । କାରଣ ମୁଁ ମନସ୍ତତ୍ତ୍ୱବିଦ୍‌ ହସି ହସି ଏହା କହି ଚିନ୍ତାମଣି ଉଠି ଚାଲିଗଲେ ।

 

ଚିନ୍ତାମଣି ରାଧାମୋହନ ସମବୟସ୍କ ଏକ ସାଙ୍ଗରେ କଲେଜରେ ପଢୁଥିଲେ । ଏକ ସମୟରେ ଏମ.ଏ. ପାସ୍ କଲେ । ଶରତ ଓ ଜଗଦୀଶ ମଧ୍ୟ ଏହି ସମୟରେ ଏମ. ଏ. ପାସ୍ କଲେ-। ଚାରିଜଣ ଏକାଠି ହଷ୍ଟେଲରେ ଥିଲେ । ଏମାନେ ଏକ ବିପ୍ଳବର ଶପଥ ନେଇଥିଲେ, ବିଂଶ ଶତାବ୍ଦୀରେ ସମସ୍ତ ବିପ୍ଳବୀଙ୍କର ନାମରେ । ଲେନିନ୍‌, ଗାନ୍ଧି, ମାଓସେ ତୁଂ, ଓ ହୋଚିମିନ୍‌ ପ୍ରଭୃତି ସେତେ ପ୍ରଚଳିତ ବ୍ୟବସ୍ଥାକୁ ଭାଙ୍ଗି ନୂଆ କରି ସମାଜଗଠନ କରିବା ପାଇଁ ବିପ୍ଳବ କରିଥିଲେ; ଏ ସମସ୍ତେ ଥିଲେ ଉକ୍ତ ଚାରିଜଣଙ୍କର ଉପାସ୍ୟ । ଏମାନଙ୍କ ଦଳର ନାମ କିଛି ନଥିଲା । କେବଳ ସାଙ୍ଗସାଥି ହିସାବରେ ଜୀବନକୁ ଏକ ବିପ୍ଳବ ମାର୍ଗରେ ନେବେ ବୋଲି ଜୀବନର ପ୍ରଥମ ତରଙ୍ଗରେ ଉତ୍ସାହିତ ହୋଇଥିଲେ । ଏମାନେ ମଧ୍ୟ ଛାତ୍ରନେତା ବା ଯୁବନେତା ବୋଲି ପରିଚିତ ଥିଲେ । ଅଧ୍ୟାପକମାନେ ମଧ୍ୟ ଏମାନଙ୍କୁ ଭୟ କରୁଥିଲେ କାଳେ ଏମାନେ କିଛି ଗଣ୍ଡଗୋଳ ସୃଷ୍ଟି କରିବେ । ଥରେ ଏମାନଙ୍କୁ ଲକ୍ଷ୍ୟ କରି ରାଜନୀତି ବିଜ୍ଞାନର ଜଣେ ଅଧ୍ୟାପକ କହିଥିଲେ–‘‘ଅବିବାହିତ ଅବସ୍ଥାରେ ବିପ୍ଳବର କଳ୍ପନା ଯେଉଁମାନେ କରନ୍ତି ସେମାନେ ଗାନ୍ଧିଙ୍କୁ ଏକ ଚରମପନ୍ଥୀ ବିପ୍ଳବୀ ଓ ଲେନିନ୍‌ ମାଓଙ୍କୁ ଚରମପନ୍ଥୀ ବୋଲି ମାନନ୍ତି । ସେମାନେ ନିଜକୁ ମାର୍କସପନ୍ଥୀ କମ୍ୟୁନିଷ୍ଟ ବୋଲନ୍ତି । ପୁଣି ବିବାହିତ ହେଲେ ସେମାନେ କମ୍ୟୁନିଷ୍ଟ ପଦରୁ ହଟି ଆସି ଭାଷଣ–ସର୍ବସ୍ୱ ସୋସାଲିଷ୍ଟ ହୁଅନ୍ତି । ପୁଣି ଏଥିରୁ ଟିକିଏ ହଟି ନିଷ୍କ୍ରୀୟ ସର୍ବୋଦୟବାଦୀ ହୁଅନ୍ତି । ପିଲାଛୁଆ ହୋଇଗଲେ ସବୁଥିରୁ ହଟି ଏମାନେ ଆମେ ପ୍ରୟାସୀ କଂଗ୍ରେସ ଲୋକ ହୋଇଯାନ୍ତି–ତା’ପରେ ଆରାମର ସହିତ ସମାଜର ପରିବର୍ତ୍ତନ କରିବା ପାଇଁ ଆଗେ ନିଜକୁ ଆରାମରେ ରଖିବା ପାଇଁ ଯତ୍ନବାନ ହୁଅନ୍ତି ।’’ ଏ ପରିହାସର ଉତ୍ତର ଦେଇ ଉକ୍ତ ଚାରିଜଣଙ୍କ ମଧ୍ୟରୁ ରାଧାମୋହନ ଦୃଢ଼ଭାବରେ କହିଥିଲେ ବିପ୍ଳବ ପାଇଁ ଆମେ ଜୀବନ ଉତ୍ସର୍ଗ କରିଛୁ, ଆଉ ସେଥିରୁ ହଟିବୁ ନାହିଁ ।’’ ପ୍ରକୃତରେ ଏମାନେ ବିପ୍ଳବର କଳ୍ପନାକୁ ସମ୍ପୂର୍ଣ୍ଣ ନିଜର କରିନେଇଥିଲେ । ଆବେଗ ବାଷ୍ପ ପରି ନିୟନ୍ତ୍ରିତ ନହେଲେ ଉଡ଼ି ଉଡ଼ି ଯେ କେତେ ଉପରକୁ ଯାଏ ତାହା ଆବେଗଗ୍ରସ୍ତ ଲୋକ ପ୍ରଥମ ଅବସ୍ଥାରେ ଜାଣିପାରେ ନାହିଁ । ରାଧାମୋହନ ଓ ତାଙ୍କ ସାଙ୍ଗମାନେ ଥରେ ପୁରୀକୁ ରଥଯାତ୍ରା ଦେଖିବା ପାଇଁ ଯାଇଥିଲେ । ସେଠିକାର ସମସ୍ତ ଦୃଶ୍ୟ ଦେଖି ସମୁଦ୍ର କୂଳରେ ଚାରିଜଣ କହିଦେଲେ–‘‘ଏ ଜଗନ୍ନାଥ ମନ୍ଦିରକୁ ଡିନାମାଇଟ ଦେଇ ଭାଙ୍ଗି ନଦେଲେ ଓଡ଼ିଆ ଜାତିର ଉନ୍ନତ ହେବ ନାହିଁ । ମହାପ୍ରସାଦ ଚାଖି ଚାଖି ଯେଉଁ ଜାତି ଜଗନ୍ନାଥ ସବୁ କରିଦେବେ ବୋଲି ବିଶ୍ୱାସ କରେ, ସେ ଜାତି ଦରିଦ୍ର, ଭୀରୁ, କାପୁରୁଷ ହେବହିଁ ହେବ । ଏ ବିରାଟ ଐତିହ୍ୟ ନୁହେଁ ଯେ ଏ ହେଉଛି ପ୍ରଗତିପଥରେ ଏକ ବିରାଟ ମେରୁ ପର୍ବତ । ମନ୍ଦିରକୁ ଭାଙ୍ଗି ଜଗନ୍ନାଥଙ୍କୁ ବଡ଼ଦାଣ୍ଡରେ ଗଡ଼ାଇ ନଦେଲେ ଓଡ଼ିଆ କେବେ ସାହସୀ, ବୀର ମେଧାବୀ ହୋଇ ପୃଥିବୀ ବକ୍ଷରେ ମଥା ଟେକି ପାରିବେନାହିଁ ଇତ୍ୟାଦି ଇତ୍ୟାଦି ।’’ ଏସବୁ ଯେ କେବଳ ନିଜ ନିଜ ମଧ୍ୟରେ କଥା, ହେଲେ ତାହା ନୁହେଁ । ସିଂହଦ୍ୱାରରେ ସଭା କରି ମାଇକରେ ଉଚ୍ଚସ୍ୱରରେ ମଧ୍ୟ ଏହା ଘୋଷଣା କଲେ । କେହି କହିଲେ ଏମାନେ ପାଗଳ, ଆଉ କେହି କେହି ଯୁବକ ଏମାନଙ୍କ କଥାରେ ଉନ୍ମଦନା ଅନୁଭବ କଲେ । ଯାହାହେଉ ଏସବୁ ଛାତ୍ର ଜୀବନର ଆବେଗ । ଯେଉଁ ଜୀବନରେ ଜୀବିତା ବା ସଂସାରର ଚିନ୍ତା ନଥାଏ, ମଣହେବା ପୂର୍ବରୁ ଦାମୁଡ଼ିଆର ଜୀବନ ଯେପରି । ସେହି ଯୁବସୁଲଭ ଆବେଗର ଏକ ପ୍ରଧାନ ଅଂଶ ହେଉଛି ପ୍ରେମ ନଷ୍ଟଚରିତ୍ର ଯୁବକଙ୍କ କଥା ଛାଡ଼ି ଦେଲେ ଯେଉଁମାନେ ଉଚ୍ଚାଭିଳାଷୀ, ଜୀବନରେ କୃତିତ୍ୱ ଅର୍ଜନ କରିବା ପାଇଁ ଆଗ୍ରହୀ ସେମାନେ ଖୋଜିବୁଲନ୍ତି ଏପରି ସହଧର୍ମିଣୀ, ଯେ ତାକୁ ସାଧାରଣ ଜୀବନରେ ସାହାଯ୍ୟ କରିବ । ସହଶିକ୍ଷା ପ୍ରବର୍ତ୍ତନ ଫଳରେ ଏପରି ପ୍ରଣୟିନୀ ମିଳିବାରେ କିଛି ଅସୁବିଧା ନାହିଁ । ସହଧର୍ମିଣୀ ସହକର୍ମିଣୀ ପାଇବା ମଧ୍ୟ ଉଚ୍ଚାଭିଳାଷର ଏକ ଅଙ୍ଗ । ଚିନ୍ତାମଣିଙ୍କ ଉଚ୍ଚାଭିଳାଷ ପ୍ରଥମେ ଏ ଦିଗରେ ପୂରଣ ହେଲା । ସେ ବିବାହ କଲେ ତାଙ୍କରି ସାଙ୍ଗରେ ପଢ଼ୁଥିବା ଫିଲସଫିରେ ଏମ.ଏ. ସୃଶୀଳାକୁ । ଚିନ୍ତାମଣି ନିଜେ ଫିଲସଫିରେ ଏମ.ଏ. । ତେଣୁ ସେ ବନ୍ଧୁମାନଙ୍କ ଭିତରେ କହିହେଲେ ସମାନଧର୍ମିଣୀକୁ ପାଇ ସେ ଜୀବନରେ ବହୁତ କିଛି କରିପାରିବେ । ରାଧାମୋହନଙ୍କୁ ଛାଡ଼ି ଅନ୍ୟ ଦୁଇଜଣ ସାଙ୍ଗ ଶରତ ଓ ଜଗଦୀଶ ମଧ୍ୟ ବିବାହ କଲେ । ଏକା ରହିଗଲେ ରାଧାମୋହନ । ସେ ବରାବର ଯୁକ୍ତି କରନ୍ତି ବିବାହ ଜୀବନର ସହାୟକ ନୁହେଁ, ଏହା ଏକ ବନ୍ଧନ, ବିବାହ ପରେ ବିବାହିତ ବ୍ୟକ୍ତିକୁ ତିନିଗୋଡ଼ିଆ ଦଉଡ଼ କରିବାକୁ ହେବ । ଏହାର ଅନ୍ୟପକ୍ଷ ଯୁକ୍ତି ସବୁ ମଧ୍ୟ ତାଙ୍କର ବନ୍ଧୁମାନେ ବାଢ଼ନ୍ତି । ଯାହାହେଉ ଚାରିଜଣ ସାଙ୍ଗଙ୍କ ଭିତରୁ ତିନିଜଣ ହୋଇଗଲେ ବିବାହିତ ଓ ଜଣେ ରହିଗଲେ ଅବିବାହିତ । ଚାରିଜଣଯାକ ଭଲ ମେଧାବୀଛାତ୍ର । ମେଧାପ୍ରଦର୍ଶନ କରିବା ପାଇଁ ସମସ୍ତେ ଆଗ୍ରହୀ । କିନ୍ତୁ କ୍ଷେତ୍ର କାହିଁ ? ଶିଳ୍ପବିକାଶ ସେପରି ହୋଇନାହିଁ ଯେ ସେ କ୍ଷେତ୍ରରେ ଜଣେ ସହଜରେ କୃତିତ୍ୱ ଅର୍ଜନ କରିପାରିବ । ରାଜନୀତି କ୍ଷେତ୍ର ଏକ ସମୟରେ ପ୍ରଶସ୍ତ ଥିଲା । ସେ ପଡ଼ିଆରେ ଖେଳିବା ପାଇଁ ବହୁ ଉଚ୍ଚାଭିଳାଷୀ ଯୁବକ ବାହାରୁଥିଲେ, ଖେଳ ଦେଖାଇ ନିଜେ ସନ୍ତୋଷଲାଭ କରୁଥିଲେ ଏବଂ ଦର୍ଶକମଣ୍ଡଳୀର ଉଚ୍ଛ୍ୱସିତ ପ୍ରଶଂସା ଅର୍ଜନ କରୁଥିଲେ । କିନ୍ତୁ ସେ କ୍ଷେତ୍ର କ୍ରମେ ଏପରି ସଂକୀର୍ଣ୍ଣ ହେଲାଣି, ପଡ଼ିଆ ଚାରିପାଖଯାକ ଜବରଦଖଲ କରି ଏତେ ଲୋକ କୋଠାବାଡ଼ି କରିଗଲେଣି ଯେ ସେଠି ବହୁ ଖେଳାଳୀଙ୍କ ପାଇଁ ସ୍ଥାନ ନାହିଁ । କୌଣସି ଖେଳର କେବଳ ଗୋଟିଏ ଟିମ୍‌ ଛଡ଼ା ଅନ୍ୟ ଟିମ୍‌ ପାଇଁ ମଧ୍ୟ ସ୍ଥାନ ନାହିଁ । ସେହି ଗୋଟିଏ ଟିମ୍‌ ଅପ୍ରତିଦ୍ୱନ୍ଦ୍ୱୀ ପ୍ରାୟ ହୋଇ ସବୁଥର ଜିତି ସିଲ୍‌ଡ଼ ପାଉଛି ବୋଲି ମଧ୍ୟ ସମ୍ୱାଦପତ୍ର ଓ ରେଡ଼ିଓ ପ୍ରଚାର କରୁଛନ୍ତି । ଅନ୍ୟ ଟିମ୍‌ ଯେ କେହିନାହାନ୍ତି ଓ ଖେଳପଡ଼ିଆ ଯେ ସଂକୀର୍ଣ୍ଣ ହୋଇଗଲାଣି ଏ କଥାଟି ପ୍ରଚାରରେ ଏପରି ଉହ୍ୟ ଥାଏ ଯେ ବାହାରର ଲୋକେ ସମସ୍ତେ ମନେକରନ୍ତି ଯେଉଁ ଗୋଟିକ ଟିମ୍‌ ଖେଳୁଛି ସେହି ହେଉଛି ସର୍ବୋତ୍ତମ । ରାଧାମୋହନ ଓ ତାଙ୍କ ସାଙ୍ଗମାନେ ଛାତ୍ରାବସ୍ଥାରେ ରାଜନୀତି କ୍ଷେତ୍ରରେ ଅବତୀର୍ଣ୍ଣ ହେବେ ବୋଲି ଅଭିଳାଷ ପୋଷଣ କରିଥିଲେ । କିନ୍ତୁ ଛାତ୍ର ଜୀବନ ଶେଷ ହେବା ବେଳକୁ ସେ କ୍ଷେତ୍ରର ଦଶା ପୂର୍ବବର୍ଣ୍ଣିତ ଅବସ୍ଥାରେ ପହଞ୍ଚିଲାଣି । କିନ୍ତୁ ଅଭିଳାଷ ତ ଠେଲିହୋଇ ପ୍ରକାଶ ପାଇବାରେ ବ୍ୟସ୍ତ । ଶରତ ଓ ଜଗଦୀଶ ଆଇ.ଏ.ଏସ୍‌. ପ୍ରତିଦ୍ୱନ୍ଦ୍ୱୀତାରେ ଯୋଗଦେଲେ । ସେଥିରେ ସେମାନେ ଜୟୀ ହେଲେ । ଶରତ ହୋଇଗଲେ ଆଇ.ଏ.ଏସ. ଓ ଜଗଦୀଶ ହୋଇଗଲେ ଆଇ.ପି.ଏସ୍‌. । ଜଣେ ଜିଲ୍ଲା ମାଜିଷ୍ଟ୍ରେଟ ଓ ଆଉ ଜଣେ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ । ଚିନ୍ତାମଣି ସେଥିରେ ଅକୃତକାର୍ଯ୍ୟ ହୋଇ ଶିକ୍ଷା ବିଭାଗରେ ଅଧ୍ୟାପକ ହେଲେ ଓ ଅଧ୍ୟାପକ ହିସାବରେ ନାମ ମଧ୍ୟ କଲେ । ଫରେନ୍‌ ସ୍କଲାରସିପ୍‌ ପାଇ ବର୍ତ୍ତମାନ କେନେଡ଼ାରେ ମନସ୍ତତ୍ତ୍ୱ ଗବେଷଣା କାର୍ଯ୍ୟରେ କିଛିକାଳ ପାଇଁ ଅଛନ୍ତି । ଏକା ରହିଯାଇଛନ୍ତି ରାଧାମୋହନ ରାଜନୀତିରେ । ଅନ୍ୟମାନେ ବିଭିନ୍ନ ଦିଗକୁ ଚାଲିଗଲେ ମଧ୍ୟ ଏକ ସମୟରେ ଯେ ସେମାନେ ରାଜନୈତିକ ଅଭିଳାଷ ପୋଷଣ କରୁଥିଲେ ଏବଂ ତାକୁ ଘୋଷଣା କରି ଛାତ୍ରବନ୍ଧୁଙ୍କ ଠାରୁ ବାହାବା ପାଉଥିଲେ, ସେଥିରୁ ସେମାନେ ଅପସରି ଯାଇଛନ୍ତି, ଏ ଭାବନାକୁ ସେମାନେ ଏକ ମାନସିକ ଗ୍ଳାନି ବୋଲି ମନେକରି ନିଜ ମନକୁ ନିଜେ, ବୋଧ ଦିଅନ୍ତି । ପୂର୍ବତମ ଛାତ୍ରବନ୍ଧୁଙ୍କ ସାଙ୍ଗରେ ଦେଖାହେଲେ ସେମାନେ କିପରି ରାଜନୀତି କ୍ଷେତ୍ରରେ ସାହାଯ୍ୟ ପହଞ୍ଚାଉଛନ୍ତି, ସେସବୁ କହି ଆତ୍ମସନ୍ତୋଷ ଲାଭ କରନ୍ତି । ପୋଲିସ ସହିତ ଏକମତ ନହୋଇ କିପରି ସେ ଅନେକଙ୍କୁ ମିସା ଆଇନ କବଳରୁ ରକ୍ଷା କରିଛନ୍ତି, ପୋଲିସ୍‌କୁ ନିୟନ୍ତ୍ରଣ କରି କିପରି ରାଜନୈତିକ କାର୍ଯ୍ୟରେ ଅନେକଙ୍କୁ ପରୋକ୍ଷରେ ସାହାଯ୍ୟ କରୁଛନ୍ତି, ଏହା ହେଲା ଶରତଙ୍କର ନିଜର ମାନସିକ ଦ୍ୱନ୍ଦ୍ୱର ବିବରଣୀ । ସେହିପରି ଜଗଦୀଶ କେତେକ ଡ଼ି.ଆଇ.ଆର୍‌.ରେ ଧରା ହୋଇଥିବା ବନ୍ଦୀମାନଙ୍କୁ କେବଳ ଏକ ମାମୁଲି ଏଗ୍ରିମେଣ୍ଟ ଲେଖାଇ ମୁକ୍ତ କରାଇଛନ୍ତି, କିଛି କାରଣ ଥିଲେ ମଧ୍ୟ କିପରି ସେ ଅନେକଙ୍କୁ ମିସା ଆଇନରେ ପକାଉନାହାନ୍ତି ଏସବୁ କହନ୍ତି । ଚିନ୍ତାମଣିଙ୍କର ତ ଏପରି କୈଫିୟତ ନିଜକୁ ନିଜେ ଦେବାର ଅବକାଶ ନାହିଁ । ତଥାପି ସେ ଟାଣିଓଟାରି କୈଫିୟତ ଯେ ଆବିଷ୍କାର ନକରିଛନ୍ତି ତାହା ନୁହେଁ । ସେ କୈଫିୟତ ସେ ରାଧାମୋହନଙ୍କୁ ଦେଲେ ତାଙ୍କ ସହିତ ଦ୍ୱିତୀୟ ସାକ୍ଷାତ ସମୟରେ ।

 

ବଡ଼ିସକାଳୁ ରାଧାମୋହନ ମୁହଁ ନଧୋଇ ଦାନ୍ତ ସୁଦ୍ଧା ନଘଷି ବାରନ୍ଦାରେ ଏକ ଚୌକିରେ ବସିଛନ୍ତି, ଚିନ୍ତାମଣି ଆସି ପହଞ୍ଚିଗଲେ । ପାଖରେ ପଡ଼ିଥିବା ଆଉ ଏକ ଚୌକିରେ ବସିପଡ଼ି ସେ ଆରମ୍ଭ କଲେ, ରାଧାମୋହନ, ମୁଁ ଖୁବ୍‌ ସକାଳୁ ଚାଲିଆସିଲି, କାରଣ ସି.ଆଇ.ଡି. ମାନେ ତୋ ଘର ଚାରିପଟେ ତୋତେ ଜଗିଛନ୍ତି, କିଏ ଆସିଲା, କିଏ ଗଲା, କି କଥାହେଲା ସବୁ ଖବର ରଖୁଛନ୍ତି । ସି.ଆଇ.ଡି. କି ଖବର ରଖିବେ, ୟା,ଙ୍କର ବୁଦ୍ଧି କେତେ, ଏ ତ ରାତି ପାହାନ୍ତିଆ ନିଦରେ ଶୋଇପଡ଼ିବେ, ଉଠିବେ ସାତଟା ଆଠଟା ବେଳକୁ । ଯାହାହେଉ ମୁଁ ଏତିକି କହିବା ପାଇଁ ଆସିଛି । ଆମ ଭିତରେ ତୁ ଏକା ରାଜନୀତିରେ ଅଛୁ, କେବେ ରାଜନୀତି ଛାଡ଼ ନାହିଁ । ସବୁଦିନ କଅଣ ସମାନ ଯିବ, ରାଜନୀତି ପୁଣି ଓଲଟିବ । ରାଜନୀତି କ୍ଷେତ୍ରରେ ତୁ ଆମ ଗ୍ରୁପ୍‌ର ପ୍ରତିନିଧି । ନିରାଶ ହୁଅନାହିଁ, ସେଦିନ ତୋ କଥା ଶୁଣି ମନଟା ମୋର ଭାରି ଖରାପ ହୋଇଗଲା । ତୁ ଭାବ ନାହିଁ ଯେ ମୁଁ ରାଜନୀତିରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ତୁ ତ ଜାଣୁ ସୁଶୀଳାର ସ୍ୱଭାବ, ମୁଁ ଆଶା କରିଥିଲି ସେ ମୋତେ ସାହାଯ୍ୟ କରିବ ବୋଲି, କିନ୍ତୁ ସେ ବର୍ତ୍ତମାନ ମୋର ଗଳଗ୍ରହ ହୋଇଛି । ତା’ର ଦାବୀପୂରଣ କରିବାରେ ମୋର ଦିନ ଯାଉଛି । ତଥାପି ମୁଁ ମୋ କାମ ଭିତରେ ବରାବର ରାଜନୈତିକ ଦୃଷ୍ଟିକୋଣକୁ ବଜାୟ ରଖିଛି । ଏଇ ଯାଇଥିଲି କୋରାପୁଟକୁ । ସେଠି ନକ୍‌ସଲାଇଟ ଖୋଜିବା କାର୍ଯ୍ୟକ୍ରମରେ ନିରୀହ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ଦେଖିଲି, କଥାବାର୍ତ୍ତା ପ୍ରସଙ୍ଗରେ ଆଦିବାସୀ ନେତାମାନଙ୍କୁ ଉତ୍ସାହ ଦେଲି । ଜଣେ ଦି’ଜଣ ନକ୍‌ସଲାଇଟ୍‌ ନେତାଙ୍କ ସାଙ୍ଗରେ ଗୋପନରେ ଦେଖା ହୋଇଥିଲା, ତାଙ୍କୁ ମଧ୍ୟ ଉତ୍ସାହ ଦେଲି । ସେଠାରେ ଜଗଦୀଶ ଏସ.ପି. ଅଛି, ତାଙ୍କୁ ମଧ୍ୟ କହିଲି ସାହାଯ୍ୟ କରିବାକୁ, ସେମାନେ ତାଙ୍କ ପନ୍ଥାରେ ଥାଆନ୍ତୁ-। ତୁ ତୋ ପନ୍ଥାରେ ରହି ସେମାନଙ୍କୁ ସାହାଯ୍ୟ ପହୁଞ୍ଚା । ତୁ ନିରାଶ ହେଲେ ତ କଥା ସରିଗଲା,’’ ବକ୍ତୃତା ଦେଲାପରି ଏକ ନିଶ୍ୱାସରେ ଚିନ୍ତାମଣି ଏତେଗୁଡ଼ାଏ କଥା କହିଗଲେ, କାରଣ ସେ ତର ତର ହେଉଛନ୍ତି ସି.ଆଇ.ଡ଼ି. ଫାଟକ ପାଖକୁ ଆସିବା ପୂର୍ବରୁ ଚାଲିଯିବା ପାଇଁ । ରାଧାମୋହନ ଏ ବକ୍ତୃତା ଶୁଣି ମନେ ମନେ ଯେ ବିରକ୍ତ ହେଉଥା’ନ୍ତି ଏହା ତାଙ୍କ ଲାଲ ପଡ଼ି ଆସୁଥିବା ମୁହଁରୁ ଜଣାପଡ଼ୁଥାଏ । ଚିନ୍ତାମଣିଙ୍କ କଥା ସରିବା ପରେ ସେ ଗଲା ସଫା କରି ଚୌକି ଉପରେ ଟିକିଏ ଆଗକୁ ଝୁଙ୍କି ପଡ଼ି ବସି ଦୃଢ଼ଭାବରେ କହିଲେ, ‘‘ବୁଝିଲ ଚିନ୍ତାମଣି, କଲେଜ ଏକ ଧର୍ମଶାଳା, ସେଠି ଯେତେଦିନ ରହିଲେ ଏକାସଙ୍ଗରେ ବହୁତ କଥା ଭାବିଲେ, ଭବିଷ୍ୟତ ଚିନ୍ତାକଲେ, କିନ୍ତୁ ପରେ ଯେ କୁଆଡ଼େ ଚାଲିଗଲେ ତାଙ୍କ କାମରେ । ଆଉ ସେ ଧର୍ମଶାଳା କଥା ଭାବି ଲାଭ କଅଣ ? ତୁ ତୋ ଜୀବନକୁ ସୁଖୀ କର, ସେହିପରି ଶରତ ଓ ଜଗଦୀଶ, ମୋତେ ଛାଡ଼ିଦେ, ମୁଁ ମୋ ବାଟ ଖୋଜିଯାଏ । ତୁ ଆଉ ଲୁଚି ଲୁଚି ଆସି ବକ୍ତୃତା ଶୁଣାନା, ତୁ ଟଙ୍କା ରୋଜଗାର କରିବୁ, ଭାରିଜାର ଦାବୀପୂରଣ କରିବୁ, ଆଉ ନକ୍‌ସଲାଇଟ୍‌ମାନେ ଗୁଳିରେ ମରିବେ, ମୁଁ ଜେଲ ଯିବି, ପୁଣି ତୋ ଠାରୁ ବକ୍ତୃତା ଶୁଣିବି ଏ ବଡ଼ ବିରକ୍ତିଜନକ ଭୂମିକା,’’ ଏତିକି ଶୁଣି ‘‘ତୋ ମନ ବର୍ତ୍ତମାନ ଭଲ ନାହିଁ, ମୁଁ ଯାଉଛି, ପରେ ଆସିବି’’ କହି ଚିନ୍ତାମଣି ତର ତର ହୋଇଉଠିଲେ ।

 

ଚିନ୍ତାମଣି ରହୁଥାନ୍ତି ରାଜମହଲ ହୋଟେଲରେ, ତାଙ୍କ ସ୍ତ୍ରୀ ସୁଶାଳା ମଧ୍ୟ ସେଇଠି ଥାଆନ୍ତି । ଚିନ୍ତାମଣି ରାଧାମୋହନଙ୍କ ପାଖରୁ ଫେରିଯାଇ ହୋଟେଲରେ ପହଞ୍ଚି ଦେଖନ୍ତି ଯେ ପ୍ରାୟ ପଚାଶ ଜଣ ସଶସ୍ତ୍ର ପୋଲିସ ହୋଟେଲକୁ ଘେରି ରହିଛନ୍ତି । ଚିନ୍ତାମଣି ଭାବିଲେ ଯେ କାହାରିକୁ ହୋଟେଲରେ ମିଶା ବା ଡି. ଆଇ. ଆର୍‌ ରେ ଗିରପ୍ତାର କରିବା ପାଇଁ ପୋଲିସ ଆସିଛନ୍ତି । ପୋଲିସ କାହାରିକୁ ଭିତରକୁ ଛାଡ଼ୁନାହାନ୍ତି । ଚିନ୍ତାମଣି ନିଜ ନାମ ଓ ସେ ଏକ ଅଧ୍ୟାପକ ବୋଲି କହିବାମାତ୍ରେ ତାଙ୍କୁ ଭିତରକୁ ଆଗ୍ରହସହକାରେ ଛାଡ଼ିଦିଆଗଲା । ସେ ଭିତରକୁ ଯାଇ ଦେଖନ୍ତି ତାଙ୍କରି ରୁମ୍‌ରେ ପୋଲିସ ଅଫିସର ଦୁଇଜଣ ବସି ସୁଶୀଳାଙ୍କୁ ପଚରାପଚରି କରୁଥାନ୍ତି । ଚିନ୍ତାମଣିଙ୍କୁ ଦେଖି ପୋଲିସ ଅଫିସରମାନେ ଚୌକିରୁ ଉଠିପଡ଼ି ନମସ୍କାର କଲେ । ବିନୟସହକାରେ କହିଲେ ‘ଚାଲନ୍ତୁ’ ଚିନ୍ତାମଣି ବିସ୍ମିତ ହୋଇ ପ୍ରଥମେ କିଛି ବୁଝିପାରିଲେ ନାହିଁ । ତା’ପରେ ଯେତେବେଳେ ଜାଣିଲେ ପୋଲିସ ତାଙ୍କୁ ଗିରପ୍ତାର କରିବା ପାଇଁ ଆସିଛି, ସେ ଅପ୍ରତିଭ ହୋଇ ଖଟ ଉପରେ ବସିଗଲେ । ସୁଶୀଳା ମଧ୍ୟ କାନ୍ଦିପକାଇଲେ । ନିଜକୁ ନିଜେ ସମ୍ଭାଳି ନେଇ ଚିନ୍ତାମଣି ପଚାରିଲେ, ମୋ ବିରୁଦ୍ଧରେ ଅଭିଯୋଗ କଅଣ ? ସିନିଅର୍‌ ପୋଲିସ ଅଫିସର ନମ୍ରଭାବରେ କହିଲେ, ‘‘ଆଇନ୍‌ ଅନୁସାରେ ତାହା କାହାରିକୁ କୁହାଯିବ ନାହିଁ ।’’ ଟିକିଏ ତେଜ ପ୍ରକାଶ କରି ଚିନ୍ତାମଣି କହିଲେ, ‘‘ଏ ଦେଶରେ ଆଇନର ଶାସନ ଅଛି ନାଁ ନାହିଁ ? ପୋଲିସ ଅଫିସର ହସି ହସି କହିଲେ, ‘ଆଇନର ଶାସନ ଅଛି ବୋଲି ତ ଆଇନ ଅନୁସାରେ ଆପଣଙ୍କୁ ଗିରପ୍ତାର କରାଯାଉଛି ।’ ମୁଣ୍ଡ ତଳକୁ କରି ଚିନ୍ତାମଣି କିଛି ଭାବିପାରିଲେ ନାହିଁ । ସୁଶୀଳା ମଧ୍ୟ ଅବାକ୍‌ ହୋଇ ଏକ କୋଣରେ ଛିଡ଼ା ହୋଇଛନ୍ତି । କିଛିକ୍ଷଣ ସମ୍ପୂର୍ଣ୍ଣ ନୀରବତା ପରେ ପୋଲିସ ଅଫିସରମାନେ କହିଲେ, ଆମେ ବାହାରେ ଅପେକ୍ଷା କରିଛୁ । ଆମ ସାଙ୍ଗରେ ଯିବାପାଇଁ ଆପଣ ଶୀଘ୍ର ପ୍ରସ୍ତୁତ ହୁଅନ୍ତୁ’ । ଏହା କହି ସେମାନେ ବାହାରକୁ ଚାଲିଗଲେ ।

 

ସୁଶୀଳା କାନ୍ଦି କାନ୍ଦି ଚିନ୍ତାମଣିଙ୍କୁ କୁଣ୍ଢାଇ ପକାଇ ଅସ୍ପଷ୍ଟ ସ୍ୱରରେ କହିବାରେ ଲାଗିଲେ, ’ତୁମକୁ ମନା କରୁଥିଲି, ତୁମେ ସେ ନକ୍‌ସଲାଇଟ୍‌ଙ୍କ ଆଡ୍‌ଡ଼ାକୁ ଗଲ କାହିଁକି, ପୁଣି ରାଧାମୋହନଙ୍କ ଘରକୁ ବାରମ୍ୱାର ଗଲ କାହିଁକି ?’’ ଚିନ୍ତାମଣି ଚୁପ୍‌ ଚୁପ୍‌ ହୋଇ କହିଲେ, ଏହି କଅଣ ମୋ ବିରୁଦ୍ଧରେ ଅଭିଯୋଗ ? ସୁଶୀଳା ହଁ, ସେହି ଅଭିଯୋଗ । କାରଣ ମୋତେ ପୋଲିସ ପଚାରିଲେ, ତୁମେ କୋରାପୁଟର ନକ୍‌ସଲାଇଟ୍‌ ଅଞ୍ଚଳ ଗୁଣୁପୁର ଯାଇଥିଲ କି ନାହିଁ, ପୁଣି ରାଧାମୋହନଙ୍କ ସାଙ୍ଗରେ ତୁମର ସମ୍ପର୍କ ଅଛି କି ନାହିଁ ।’ ଚିନ୍ତାମଣି ସୁଶୀଳାଙ୍କ ଆଡ଼କୁ ନିଠେଇ ଚାହିଁ କହିଲେ, ‘‘ତୁମେ କଅଣ କହିଲ’’ । ମୁଁ କହିଲି ତୁମେ ଗୁଣୁପୁର ଯାଇଥିଲ ଆଦିବାସୀଙ୍କ ମନସ୍ତତ୍ତ୍ୱ ଗବେଷଣା କରିବା ପାଇଁ, ଆଉ ରାଧାମୋହନ ତୁମର, ଆମର କଲେଜ ସାଙ୍ଗ–ସେହିଆ ସମ୍ପର୍କ । ଚିନ୍ତାମଣି ଗୁମ୍‌ମାରି କିଛି ସମୟ ବସି ରହିଲେ, ସୁଶୀଳା ମଧ୍ୟ ତାଙ୍କ ଆଡ଼କୁ ଅନାଇ ନୀରବରେ ଛିଡ଼ା ହୋଇରହିଥାନ୍ତି । ତା’ପରେ ଚିନ୍ତାମଣି ଉଠିପଡ଼ି କହିଲେ, ହଉ ବିଛଣାପତ୍ର ଲୁଗାପଟା ବାନ୍ଧିନିଏ । ତମେ ଦିନକେତେ ଏଠିରହି, କଅଣ ହେଉଛି, କେଉଁଠିକୁ ନେଉଛନ୍ତି ବୁଝିବ । ତା’ପରେ ଯଦି ଜେଲ ହୋଇଯାଏ.....ଆ କଅଣ କରିବ, ଭାବିନିଅ ।’’ ସୁଶୀଳା କାନ୍ଦି ପକାଇଲେ । ‘ଆଚ୍ଛା ପରେ ସେ କଥା ଭାବି ସ୍ଥିର କରାହେବ । ଲୁଗାପଟା ମୁଁ ସଜାଡ଼ି ନିଏ ।

 

ଚିନ୍ତାମଣି ପ୍ରସ୍ତୁତ ହୋଇ ବାହାରକୁ ଆସିବା ପୂର୍ବରୁ ସୁଶୀଳାଙ୍କୁ କହିଲେ, ‘‘ ଏକ ଅଦ୍‌ଭୁତ ଅପ୍ରତ୍ୟାଶିତ ପରିସ୍ଥିତିରେ ପଡ଼ିଗଲି । ହଉ ଦେଖାଯିବ ।’’ ହଠାତ୍‌ ଆଘାତ ପାଇଯାଇ ମନ ପ୍ରଥମେ ଦବିଯାଏ ପୁଣି ତା’ର ସ୍ଥିତିସ୍ଥାପକତ୍ୱ ହେତୁରୁ ପୂର୍ବାବସ୍ଥାକୁ ଫେରିଆସେ, ପୂରା ନଆସିପାରିଲେ ମଧ୍ୟ କିଛି ପରିମାଣରେ ଆସିଯାଏ । ଚିନ୍ତାମଣି ଆଉ ସେପରି ବିବ୍ରତ ନୁହଁନ୍ତି ସେ ବାହାରକୁ ଆସି ପୋଲିସ୍‌ ଅଫିସରମାନଙ୍କୁ କହିଲେ ‘‘ନିଅ କେଉଁଠିକି ନେବ ।’’ ଅଫିସର ନମ୍ରତା ସହକାରେ କହିଲେ, ‘‘ଆମେ ସର୍ଭିସ କରିଛୁ, ଆଦେଶାନୁସାରେ କାମ କରୁଛୁଁ’’ ଇତ୍ୟାଦି କହି ତଳେ ଅପେକ୍ଷା କରିଥିବା ଏକ ଟେକ୍‌ସି ପାଖକୁ ନେଇଗଲେ । ଚିନ୍ତାମଣି ବସିଲେ ପଛ ସିଟ୍‌ରେ । ଦୁଇ ପାଖରେ ଦୁଇ ଜଣ ପୋଲିସ, ଅଫିସର । ଆଗ ସିଟ୍‌ରେ ଡ୍ରାଇଭର ପାଖରେ ଦୁଇ ଜଣ ପୋଲିସ୍‌ କନଷ୍ଟେବଳ ସୁଶୀଳାଙ୍କୁ ସେ ଟ୍ୟାକ୍‌ସି ପାଖକୁ ଛାଡ଼ିଦିଆଗଲା ନାହିଁ, ଟ୍ୟାକ୍‌ସିରେ ସମସ୍ତେ ବସିଗଲା ପରେ ପୋଲିସ୍‌ ଅଫିସର ଡ୍ରାଇଭରକୁ କହିଲେ, ‘‘ଚାଲ ସମ୍ୱଲପୁର’’ । ଚିନ୍ତାମଣି ବିସ୍ମିତ ହେଲେ, ‘‘ସେହି ଜେଲରେ ରହିବା ପାଇଁ ଆଦେଶ ହୋଇଛି’’ ଏହା କହି ତାଙ୍କ ଉପରେ ଜାରି ହୋଇଥିବା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଆଦେଶଟି ତାଙ୍କ ହାତକୁ ପୋଲିସ୍‌ ଅଫିସର ବଢ଼ାଇଦେଲେ । ଆଦେଶରେ ଲେଖାଅଛି ‘‘ଆଭ୍ୟନ୍ତରୀଣ ଶାନ୍ତିଶୃଙ୍ଖଳା ରକ୍ଷା ବିଚାରରେ ତୁମକୁ ମିସା ଆଇନ ଅନୁସାରେ ସମ୍ୱଲପୁର ଜେଲ୍‌ରେ ବନ୍ଦୀ ଭାବରେ ରଖାଯିବ ।’’ ତଳେ ଦସ୍ତଖତ କରିଛନ୍ତି ଡିଷ୍ଟ୍ରିକଟ ମାଜିଷ୍ଟ୍ରେଟ ଶରତ । ଦସ୍ତଖତ ଦେଖି ଚିନ୍ତାମଣି ପଚାରିଲେ, ‘‘ଶରତ ବର୍ତ୍ତମାନ ପୁରୀରେ ଜିଲ୍ଲା ମାଜିଷ୍ଟ୍ରେଟ ଅଛି କି ? ‘‘ପୋଲିସ ଅଫିସର କହିଲେ, ‘‘ହଁ, ସେ ମୟୂରଭଞ୍ଜରେ ଥିଲେ, ମାସେ ହେଲା ପୁରୀକୁ ଆସିଛନ୍ତି’’ । ଚିନ୍ତାମଣି ନିଜ ମନକୁ କହିହେଲେ ‘ଶରତ ମୋର କ୍ଳାସ୍‌ମେଟ୍‌ ଆମେ ଖୁବ୍‌ ସାଙ୍ଗ’’ । ନିର୍ଦ୍ଦୟ ପରିହାସ କରି ପୋଲିସ ଅଫିସର କହିଲେ, ‘‘ସାଙ୍ଗ ବୋଲି ତ ସେ ଆପଣଙ୍କୁ ଭଲ ଭାବରେ ଜାଣନ୍ତି, ତେଣୁ ସେ ଏ ଆଦେଶ ଜାରି କରିଛନ୍ତି ।’’ ଚିନ୍ତାମଣି ମୁଣ୍ଡ ତଳକୁ କରିଦେଲେ ।

 

ଏଣେ ତ ଦଳେ ପୋଲିସ ଚିନ୍ତାମଣିଙ୍କୁ ସମ୍ୱଲପୁର ନେଇଗଲେ, ଆଉ ଦଳେ ପୋଲିସ୍‌ ରାଧାମୋହନଙ୍କୁ ଘେରାଉ କଲେ, ସେତେବେଳକୁ ରାଧାମୋହନ ଦାନ୍ତଘଷି ସାରି କ୍ଷୌରହୋଇ ପଢ଼ାପଢ଼ି କରିବା ପାଇଁ ପ୍ରସ୍ତୁତ ହେଉଥା’ନ୍ତି । ପୋଲିସ ଅଫିସର ଜଣେ ଘର ଭିତରକୁ ଯାଇ ତାଙ୍କୁ ଥାନାକୁ ଯିବା ପାଇଁ କହିଲେ । ଅନ୍ୟମନସ୍କ ଭାବରେ ରାଧାମୋହନ ପଚାରିଲେ, କାରଣ ?’’ ପୋଲିସ ଅଫିସର–‘‘ସେଠି ଆପଣଙ୍କୁ କେତେ ବିଷୟରେ ଇଣ୍ଟରୋଗେସନ୍‌ ହେବ ।’’ ‘‘ହୁଁ’’ କହିଦେଇ ରାଧାମୋହନ ବାହାରିଲେ, ଥାନାରେ ଦୁଇ ପାଖରେ ଦୁଇ ଦୁଇ ଜଣ ଅଭିଜ୍ଞ କ୍ରାଇମ୍‌ବ୍ରାଞ୍ଚର ଅଫିସର । ମଝିରେ ବସିଲେ ରାଧାମୋହନ । ଦୀର୍ଘ ଦୁଇଘଣ୍ଟା କାଳ ଇଣ୍ଟରୋଗେସନ୍‌ ଚାଲିଲା । ସବୁ ପ୍ରଶ୍ନୋତ୍ତର ଟେପରେକର୍ଡ଼ ହେଉଥାଏ । ଏ ଟେପରେକର୍ଡ଼ ଯିବ କେନ୍ଦ୍ରଅଫିସକୁ, ସେଠି କମ୍ପ୍ୟୁଟର ସାହାଯ୍ୟରେ ଯାଞ୍ଚ କରାଯିବ, ତା’ପରେ ଯାହାହେବ । ଇଣ୍ଟରୋଗେସନ୍‌ର ସାରମର୍ମ ହେଉଛି ଚିନ୍ତାମଣି ରାଧାମୋହନଙ୍କ ସହିତ ଘନିଷ୍ଠ ଭାବରେ ସଂପୃକ୍ତ-। ଚିନ୍ତାମଣିଙ୍କ ନକସଲାଇଟ୍‌ଙ୍କ ପ୍ରତି ସକ୍ରିୟ ସହାନୁଭୂତି ଅଛି । ଏଣୁ ରାଧାମୋହନଙ୍କର ମଧ୍ୟ ନକସଲାଇଟ୍‍ମାନଙ୍କ ସହିତ ସମ୍ପର୍କ ନାହିଁ ବୋଲି ରାଧାମୋହନ କହିବାରୁ ଜଣେ ପୋଲିସ ଅଫିସର କହିଲେ, କୋରାପୁଟ ଏସ୍‌. ପି. (ଜଗଦୀଶ) ଚିନ୍ତାମଣିଙ୍କର କୋରାପୁଟ ଗସ୍ତର ପୂରାବିବରଣୀ ଦେଇ ଦେଖିଛନ୍ତି, କେଉଁଠି ନକ୍‌ସଲାଇଟ୍‌ ନେତାମାନଙ୍କ ସହିତ ଦେଖା, କେଉଁ ଆଦିବାସୀମାନଙ୍କୁ ଉତ୍ସହ ପ୍ରଦାନ ଇତ୍ୟାଦି କେତେକ ଆଦିବାସୀମାନେ ଏକଥା ସ୍ୱୀକାର କରିଛନ୍ତି । ଏସବୁ ତଥ୍ୟ ଶୁଣି ରାଧାମୋହନ ସ୍ପଷ୍ଟଭାବରେ କହିଲେ, ସେ ରାଜନୀତିରେ ଆଉ ନାହାନ୍ତି । ସେ ଏକ ନିରାଶ ବ୍ୟକ୍ତି ବୋଲି ତାଙ୍କୁ ବନ୍ଧୁମାନେ କହନ୍ତି, ସେ ପ୍ରତିକ୍ରିୟାଶୀଳ ହୋଇଗଲେଣି ବୋଲି ବନ୍ଧୁମାନେ କହନ୍ତି, କାରଣ ସେ ଭାବିଚିନ୍ତି ସ୍ଥିର କରିଛନ୍ତି ପ୍ରଚଳିତ ବ୍ୟବସ୍ଥାକୁ ମାନିନେଇ ଚଳିବାକୁ ହେବ । ଜଣେ ଚତୁର ପୋଲିସ୍‌ ଅଫିସର ପଚାରିଲେ, ‘‘ଆପଣ ତା’ହେଲେ ମାର୍କଟାଇମ କରୁଛନ୍ତି ସୁବିଧାସୁଯୋଗ ହେଲେ ପୁଣି ଆନ୍ଦୋଳନ ଚଳାଇବେ ।’’ ରାଧାମୋହନ ଟିକିଏ ଚୁପ୍‌ ରହିଯାଇ କହିଲେ, ‘‘ଭବିଷ୍ୟତରେ ମୁଁ କଅଣ କରିବି ଆଜି କହିପାରିବି ନାହିଁ । କିନ୍ତୁ ମୁଁ ହିଂସାତ୍ମକ ଆନ୍ଦୋଳନ ବିରୋଧୀ । ଏପରିକି ଘେରାଉ, ଧାରଣା ଇତ୍ୟାଦି ପରୋକ୍ଷ ହିଂସା ବୋଲି ଏସବୁକୁ ମୁଁ ନିନ୍ଦା କରେ-।’’ ପୋଲିସ ଅଫିସର–‘‘ତେବେ ଚିନ୍ତାମଣିଙ୍କ ସହିତ ଆପଣଙ୍କର ଏତେ ଘନିଷ୍ଠତା କାହିଁକି-?’’

 

ରାଧାମୋହନ ‘‘କଲେଜରେ ଆମେ ସାଙ୍ଗ ଥିଲୁ । ସେ ଦେଖାକରିବାକୁ ଆସିଥିଲା । ମୁଁ କଅଣ ମନା କରିଥା’ନ୍ତି, ମୁଁ ଯେ ମନୁଷ୍ୟ.....ସାଧାରଣ ଭଦ୍ରତା ବନ୍ଧୁତା ଇତ୍ୟାଦି ମନୁଷ୍ୟର କର୍ତ୍ତବ୍ୟ-।’’ ପୋଲିସ୍‌ ଅଫିସର ‘‘ସେହିପରି କଲେଜ ସାଙ୍ଗ କୋରାପୁଟ ଏସ.ପି. । ତାଙ୍କ ସହିତ ଦେଖାକରିବା ପାଇଁ ଚିନ୍ତାମଣି ଚାହିଁଥିଲେ, କିନ୍ତୁ ସେ ମନା କରିଦେଲେ । ସେହିପରି ସାଙ୍ଗ ପୁରୀର ଜିଲ୍ଲା ମାଜିଷ୍ଟ୍ରେଟ, ସେ ତ କେବେ ଆପଣଙ୍କୁ ଦେଖାକରିବାକୁ ଆସୁନାହାନ୍ତି ବା ଆପଣ ତାଙ୍କ ପାଖକୁ ଯାଉନାହାନ୍ତି ।’’ ରାଧାମୋହନ ଗମ୍ଭୀର ଭାବରେ କହିଲେ.....‘‘ମୁଁ ମନୁଷ୍ୟ ହୋଇଅଛି । ସେମାନେ ଆଉ ସେ ପଦବାଚ୍ୟ ନାହାନ୍ତି ।’’

 

ଇଣ୍ଟରୋଗେସନ୍‌ ସରିଗଲା, ରାଧାମୋହନ ଘରକୁ ଫେରିଲେ, ଶୁଣିପାରିଲେ ଚିନ୍ତାମଣିଙ୍କୁ ଗିରପ୍ତାର କରି କୁଆଡ଼କୁ ନେଇଗଲେଣି । ସେ ବ୍ୟସ୍ତ ହୋଇଗଲେ ସେ ହୋଟେଲକୁ ସୁଶୀଳାଙ୍କୁ ସାନ୍ତ୍ୱନା ଦେବାପାଇଁ । ରାଧାମୋହନଙ୍କୁ ଦେଖି ରାଗରେ ଥରି ଥରି କହିଲେ, ‘‘ତୁମେ ତାଙ୍କ ମୁଣ୍ଡ ଖରାପ କଲ । ତୁମର ତ ଲାଙ୍ଗୁଡ଼ କଟା ହୋଇଛି, ତାଙ୍କ ଲାଙ୍ଗୁଡ଼କୁ ତୁମେ କାଟିଲ । ତୁମେ ଯାଅ ଏଠୁ ମୁଁ କିଛି କଥାବାର୍ତ୍ତା ହେବାକୁ ଚାହେଁ ନାହିଁ । ସେଠାରୁ ଫେରିଆସି ରାଧାମୋହନ ଭାବିଲେ ପୁରୀ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଶରତଙ୍କୁ ଦେଖାକରି କହିବେ ଅକାରଣରେ କାହିଁକି ଚିନ୍ତାମଣିଙ୍କୁ ଗିରପ୍ତାର କରାହେଲା । ଟେଲିଫୋନ୍‌ ଉଠାଇ ପୁରୀ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଏକ ଲାଇଟିନିଙ୍ଗ୍‌ କଲ୍‌ କଲେ । ସେଠି ଜିଲ୍ଲା ମାଜିଷ୍ଟ୍ରେଟ୍‌ ଧରିଲେ, ମାତ୍ର ରାଧାମୋହନଙ୍କ ନାମ ଶୁଣି ହଠାତ୍‌ ଛାଡ଼ିଦେଲେ-। ରାଧାମୋହନ ଜାଣିଲେ ଯେ ଶରତ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନାହିଁ । ‘‘ମନୁଷ୍ୟତ୍ୱ କଅଣ ଏ ଦେଶରୁ ଚାଲିଗଲା’’ ଦୀର୍ଘନିଶ୍ୱାସ ପକାଇ ମନକୁ ମନ ଏକଥା କହି ରାଧାମୋହନ ଗୀତା ଖୋଲି ପଢ଼ିବା ଆରମ୍ଭ କଲେ ।

 

ସେହିଦିନ ସୁଶୀଳା ପୁରୀ ଯାଇ ଶରତଙ୍କ ସହିତ ଦେଖାକରିବା ପାଇଁ ଚେଷ୍ଟା କରିଥିଲା-। କିନ୍ତୁ ତାଙ୍କୁ ବା ତାଙ୍କ ସ୍ୱାମୀ ରାଧାମୋହନଙ୍କୁ ସେ ଆଦୌ ଚିହ୍ନି ନଥିଲା ପରି ଶରତ ସୁଶୀଳାଙ୍କୁ କହିଲେ । କିଛିଦିନ ପରେ ରାଧାମୋହନଙ୍କୁ ଯେଉଁ ଇଣ୍ଟରୋଗେସନ୍‌ ହୋଇଥିଲା ତା’ର ଟେପ୍‌ରେକର୍ଡ଼କୁ ପର୍ଯ୍ୟାଲୋଚନା କରି କେନ୍ଦ୍ରଅଫିସ ସ୍ଥିର କଲେ ରାଧାମୋହନଙ୍କ ନୈରାଶ୍ୟ କ୍ଷଣସ୍ଥାୟୀ, ତାଙ୍କଠାରୁ ପୁନର୍ବାର କୌଣସି ନା କୌଣସି ଆନ୍ଦୋଳନ ଆଶଙ୍କା କରାଯାଇପାରେ, ଏଣୁ ତାଙ୍କୁ ବାହାରେ ଛାଡ଼ିଦେବା ଠିକ୍‌ ହେବନାହିଁ । ସେ ଗିରପ୍ତାର ହେଲାବେଳେ ଗୀତା, କୋରାନ୍‌ ଓ ବାଇବେଲ୍‌ ସବୁ ବାନ୍ଧି ସାଙ୍ଗରେ ନେଇଗଲେ ।

 

କିଛିଦିନ ପରେ ସୁଶୀଳାଙ୍କ ଗ୍ୟାରେଣ୍ଟିରେ ଚିନ୍ତାମଣିଙ୍କୁ ମୁକ୍ତି ଦିଆହୋଇଛି । ସେ ଭାରତକୁ ବର୍ଷକ ଭିତରେ ଆସିବେ ନାହିଁ ବୋଲି ଲେଖିଦେଇ କେନେଡ଼ା ଚାଲିଯାଇଛନ୍ତି ।

 

‘ଝଂକାର’’ ଜୁନ୍‌, ୧୯୭୭

Image

 

ବଘେଇ

ଗୋପୀନାଥ ମହାନ୍ତି

 

ଆଦ୍ୟ ଆଷଢ଼ରେ ଆକାଶ ଗୋଟାକଯାକ ଯେତେବେଳେ ସତେଅବା କଳା ମେଘର ଓଜନରେ ତଳକୁ ଓହଳି ପଡ଼ିଥାଏ, ଚାରିଆଡ଼ କଳା ଘୁମର, ଦିନ ଚାରିଟାବେଳେବି ସୁନେଲି କିରଣ ତ କାହିଁ ସାତସପନ, ମିଞ୍ଜି ମିଞ୍ଜି ଆଲୁଅ, ଯହିଁରୁ ବାରି ହୁଅନ୍ତା ଏ ସଞ୍ଜ ନୁହେଁ, ଦିନ, ସେ ସୁକୁ ସୁକୁ ମର ମର । କୁଟ୍ରା ବୋବେଇଲା ଭାବିଲା ବୋଧହୁଏ ସଞ୍ଜ ବୁଡ଼ିଲା । ଚଢ଼େଇବି ବଣା ହେଲେ, ପକ୍ଷୀଯାକି ପତ୍ର ଗହଳିରେ ବସିପଡ଼ିଲେ ଓ ଆଗତୁରା ଗାଇଦେଲେ ସେଦିନଟିର ମୃତ୍ୟୁ ଲାଗି ବିଳାପ ଗୀତ । ଯୁଆଡ଼େ ଚାହିଁଲେ କରୁଣ, ଉଦାସ, ଶୂନ୍ୟତା ଯେମିତି ଦୂରର ଦୂରର କାନ୍ଦୁରା ହଜିଲା ସ୍ମୃତି କେଉଁ ଅନ୍ୟ ଜନ୍ମର, ଅନ୍ୟ ଦେଶର, ଝକ୍‌ କରି ଉଠୁଛି କଳା ବିସ୍ମୃତିର ଗଣ୍ଡ ଭିତରେ ବୁଡ଼ିଯାଉଛି ହଜିଯାଉଛି । ଯେମିତି ସେସବୁ ଥିଲା ସୁଆଦିଆ ମନଭୁଲା ଆଶା, ସ୍ୱପ୍ନ, ପ୍ରବଣତା, ଖାଲି ତା’ର ସ୍ମରଣରୁବି ଆଲୁଅ ଛିରିକି ପଡ଼ୁଥିଲା, ଆନନ୍ଦର ବାଟ ଦିଶୁଥିଲା–ଆଉ ଏବେ ସେହି ସ୍ମୃତିର ସ୍ୱପ୍ନର ଆବେଶବି ମନକୁ କାଟୁଛି–ସବୁ ଫମ୍ପା, ଚାରିଆଡ଼ ଶୂନଶାନ, ଥମ୍ୱିଲା ପବନରେ କଅଣ ପ୍ରତୀକ୍ଷା ଥିଲା ପରି ଲାଗୁଛି । କିନ୍ତୁ ସେ ଆଶା ନୁହେଁ, ଆଶଙ୍କାର ।

 

ବଣପାହାଡ଼ ଭିତରେ ସ୍ଥାନେ ସ୍ଥାନେ ଯେପରି ଗାଁ । ଖୋଲ ଥାଏ, ସେଠିବି ସେପରି–ଚାରିପାଖେ ପାହାଡ଼ ଘେରେଇ ହୋଇ ଉପତ୍ୟକା, ସେଠି ଏଠି ସେଠି ଚାଷ ଜମି ଠାଏ ଠାଏ ବା ‘ଗୁଡ଼ା’ ସମୁଦାୟ ମିଶି ‘ଲେଡ଼େଂ’ ଗାଁ । ମଝି ବସ୍ତିଟି ତା’ର ବଡ଼ଗାଁ । ଦୁଇଧାଡ଼ି ହୋଇ ତା’ ଘରଗୁଡ଼ିକ । ଏକା ବଡ଼ ଗାଁରେ ସେମିତି ତିରିଶ ଘର ।

 

ଅନ୍ଧାର ପଡ଼ୁଥିବା ଦେଖି ବଣପର୍ବତରେ ଥିବା ଲୋକେ ଘରକୁ ଫେରୁଥିଲେ କିଏ ପାହାଡ଼ଢାଲୁରେ ଚାଷ କରିବ ବୋଲି ତଡ଼ାତଡ଼ି ସଫାସଫି କରିବାକୁ ଯାଇଥିଲା, କିଏ ବୋଝେଇ ହୋଇଆସୁଥିଲେ, ପତ୍ର, କାଠ, ଖାଇବା ପାଇଁ ବଣର କେଉଁ କନ୍ଦା (ଖମ୍ୱ-ଆଳୁ)

 

ଭାରି ପୁରୁଣା ଗାଁଟିଏ ଲେଡ଼େଂ । ଶାନ୍ତିପ୍ରିୟ ମଣିଷଗୁଡ଼ିଏ ଖଟିଖିଆ ‘ଲେଡ଼େଂ’ ଅର୍ଥ ‘ଜିଆ’ । ସତେଅବା ଏ ମଣିଷଙ୍କୁ ଠିକ୍‌ ଖାପିଯାଏ ସେ ନାଁଟି ।

 

ଆର୍ଯ୍ୟ ଅନାର୍ଯ୍ୟ, ଆଦିବାସୀ ଅଣଆଦିବାସୀ, ଓଡ଼ିଆଭାଷୀ କନ୍ଧଭାଷୀ ଶବରଭାଷୀ ମଝିରେ କେତେବେଳେ ପଶ୍ଚିମା ପଠାଣ’ ନୂଆ ନୂଆ ଇଂରେଜ ଅମଳରେ କେତେବେଳେ ଇଂରେଜ ଲେଡ଼େଂ ଗାଁର ‘ଡଂକୁଣୀମାଳି’ ବୋଲି ଚଟାପାହାଡ଼ ଉପରେ ଗୋରା ପଲଟଣଗୁଡ଼ାଏ ମାସ ମାସ ଛାଉଣୀ କରିଥିଲେ, ଦେଶୀ ରାଜା ଦେଶୀ ଲୋକଙ୍କ ସଙ୍ଗେ ଯୁଝୁଥିଲେ–ଏମିତି କେତେ ପ୍ରକାର ସେଠି ମିଶିଯାଇଛନ୍ତି । ରକ୍ତରେ ରକ୍ତ ମିଶିଛି, ନିଶ୍ୱାସରେ ନିଶ୍ୱାସ ରୀତିନୀତିରେ ରୀତିନୀତି, ସତେ ଯେମିତି ଯେ ମାଟି ଡାକିଆଣିଛି ନାନା ପ୍ରାନ୍ତରୁ ନାନା ସଂସ୍କୃତିକୁ ସେଠି ପାଣିମଡ଼େଇ ତାକୁ ପବିତ୍ର କରିବାକୁ, ଯେପରିକି ‘‘ଗଙ୍ଗେ ଚ ଯମୁନେ ଚୈବ ଜଳେଽସ୍ମିନ ସନ୍ନିଧିଂ କୁରୁ ।’’ ସବୁ ଏକାକାର ହୋଇ ଭାଷା ସେଠି ରହିଛି ଓଡ଼ିଆ, ଧର୍ମ ରହିଛି ‘ହିନ୍ଦୁ ଧର୍ମ’ ଯାହାକୁ ପଚାରିଲେ ସୁଦ୍ଧା କେହି କହିବ ନାହିଁ ‘‘ଆମ ଘର ଲଙ୍କା’’ ‘‘ଆମ ଘର କାନ୍ୟକୁବ୍‌ଜ,’ ସେଭିଳି ତାଙ୍କ କଳ୍ପନାରେବି ନାହିଁ । କହିବ ‘ମୁଁ ଲେଡ଼େଙ୍ଗିଆ’’–‘‘ମୁଁ ଲେଡ଼େଂର ଲୋକ ।’’

 

‘ଏଇ ମାଟି–ଏଇ ଦେଶ’ ବୋଲି ତାଙ୍କଠିଁ ଗର୍ବ କେହି କେବେ ଦେଖି ନାହିଁ, ଗର୍ବ କହିଲେ ବୁଝାଏ ମଣିଷଟି ଅନ୍ୟମାନଙ୍କ ଅପେକ୍ଷା ନିଜକୁ ବଡ଼ ବୋଲିଭାବେ ତାଙ୍କର ସେପରି ନାହିଁ-। ଥରେ ଜଣେ ପାଠପଢ଼ା ବାବୁ ଆସିଥିଲେ, ଖୁବ୍‌ ଶସ୍ତାରେ ବା ମାଗଣାରେ ଏଠୁ ଦି’ଭାର ମକା ନେବାକୁ ଚେଷ୍ଟା କରିଥିଲେ । ଗାଁ ମଣ୍ଡିଆଳ ଧୁର୍ବ ସିଂ ଗାଁର ଆଉ କେତେ ବଡ଼ ବଡ଼ ଲୋକ ଥାଇ ସେମାନଙ୍କୁ ପାକଳାପାକଳି କରିବା ଉଦ୍ଦେଶ୍ୟରେ ସେ କହିଥିଲେ, ‘ଧଉଳି ଶିଳାଲିପିରେ ମହାରାଜା ଅଶୋକ ଯେଉଁ ବନବାସୀ ଅବିଜିତ ଲୋକଙ୍କ କଥା ଲେଖେଇ ଗଲେ ତାଙ୍କ ଭିତରେ ତୁମ ପୂର୍ବପୁରୁଷ ନିଶ୍ଚୟ ଥିଲେ, ମହାବୀର ଯୋଦ୍ଧା ଥିଲେ ଅଶୋକ କଳିଙ୍ଗ ଦେଶକୁ ଯୁଦ୍ଧରେ ଜିଣି ମାଡ଼ିବସିଲେ ସିନା, ବଣରେ ରହୁଥିବା ସେ ବୀରମାନଙ୍କୁ ଜିଣିପାରିଲେ ନାହିଁ, ହଟି ଲେଉଟି ଗଲେ, ସେଥିପାଇଁ ତାଙ୍କ କଥା ଲେଖାଇଲାବେଳେ ପଥର ଉପରେ ଖୋଳେଇ ଲେଖେଇ ଗଲେ–ଅବିଜିତା ନାମ ।’’

 

ଧୁର୍ବ ସିଂ ମୁଣ୍ଡ ଟୁଙ୍ଗାରି କହିଲେ ‘‘ନାମ କରିବାଟା ସବୁଠୁ ଭଲ ।’’

ପାଠୁଆ ଜଣକ ଆହୁରି ବୁଝେଇଲେ, ଗାଁ ଲୋକ ମୁଣ୍ଡ ଟୁଙ୍ଗାରିଲେ,

 

ଆଦୌ ଉତ୍ସାହିତ ହେଲେନାହିଁ, ଧୁର୍ବ ସିଂ କହିଲେ ‘‘ସେକଥା ଥାଉ କିନା, ଆମର ଏ ଉତୁରୁଡ଼ି ନଈରେ ବନ୍ଧବାନ୍ଧିଲେ ବହୁତ ଜମିରେ ପାଣି ମାଡ଼ନ୍ତା, ଆମେ ଯେତେ ବାନ୍ଧୁଚୁ ସବୁ ଭସେଇ ନଉଚି, ଆମଦ୍ୱାରା ହେବନାହିଁ, ସେଇଟା କିଏ କରିଦେବ କେବେ କରିଦେବ ଆଗ ସେକଥା କହ । ବଡ଼ ବଡ଼ ବନ୍ଧ ପୋଖରୀ କେତେଟା ଖୋଳେଇ ଦେଲେ ପାଣି ରହନ୍ତା, ଖରାଦିନେ ପିଇବାକୁବି ପାଣି ମିଳେ ନାହିଁ । ଧାନ ଚାଉଳ ଟଙ୍କା ତିନୋଟି ଦିନକୁ କରଜ ମିଳିଲେ କେଡ଼େ ଉପକାର ହୁଅନ୍ତା । କଅଣ କଲେ ଆଉ ଦି’ଟା ବେଶି ପାଚିବ, ଆଉ ଗଣ୍ଡିଏ ଅଧିକ ଖାଇବାକୁ ମିଳିବ ସେକଥା କିଏ ବୁଝୁଛି କହ । ଆଉ ଆମର କୋଉ ଗୋସେଇଁ ବାପର ଗୋସେଇଁ ବାପ କେମିତି ବଢ଼ିଆ ଲଢ଼ୁଆ ଥିଲା ଆମେ ଜାଣି କୋଉ ପେଟ ପୂରିବ ? ଆମ ଦୁଃଖବେଳେ ଆମ ପିଠିରେ ପଡ଼ୁଛନ୍ତି ଆମ ଗୋସେଇଁ ବାପମାନେ ?’’

 

ବୁଢ଼ା ଧନୁ ପଣ୍ଡିତ୍‌ କହିଲେ ‘‘ସତ ସତ । ଆମେ କିଏ ଲଢ଼େଇ କିଏ ? ଆମେ ଲେଡ଼େଂ’ ଲୋକ । କନ୍ଧ କହିବେ ଲେଡ଼େଂ, ଆମେ କହିବୁ ଜିଆ । ଜିଆ ମାଟି ସାଙ୍ଗରେ ଥାଏ, ମାଟି ତିଆରି କରେ, ମାଟି ଖାଏ, ମାଟି ଖୋଳେ, ମଲେ ମାଟିର ବଳ ବଢ଼ାଏ, ଆମେ ସେଇଆ । ରକ୍ତ ଶୀତଳ, ମନ ବି ଶୀତଳ, ଶୀତଳବି ଖାଉଁ, ପଖାଳ ପିଆଜ, ଶୀତଳ ଲୋଡ଼ୁ, ସେଥିପାଇଁ ଦେହ ଖୋଲାଥାଏ । ସେ କୋଉ ରାଜା କଥା କି ଯୁଝ କଥା ଆମ କଥା ନୁହେଁ ।’’

 

ଧନୁ ‘ପଣ୍ଡିତ୍‌’ ପ୍ରସିଦ୍ଧ ଠାକୁରାଣୀ ‘ବ୍ରାହ୍ମଣୀ ଦେଈ’ଙ୍କ ପୂଜକ । ‘ପଣ୍ଡିତ’ ବ୍ରାହ୍ମଣ ନୁହେଁ ଆଦିବାସୀଟିଏ, ‘ବ୍ରାହ୍ମୁଣୀ ଦେଈ’ ଗୋଟିଏ ପୁରୁଣା ଶାଳଗଛ ମୂଳେ ସିନ୍ଦୂର ବୋଳା ହୋଇ ଯୋଡ଼ିଏ ଉପରେ ତୃତୀୟଟି ହୋଇ କଳା ପଥର ତିନିଖଣ୍ଡି, କଳା କନା ଖଣ୍ଡିଏ ଘୋଡ଼ା ହୋଇଛି, ସାମ୍ନାରେ ସିଧା ସିଧା ହୋଇ ଶାଳକାଠ ତିନିଖଣ୍ଡି ପୋତା ହୋଇଛି । କେଉଁ କାଳରୁ କନ୍ଧମାନଙ୍କ ‘ଧରଣୀ ଦେବତା’ ହୋଇଥିବେ ସେ, ତା’ପରେ କେଉଁ କାଳରୁ ବ୍ରାହ୍ମୁଣୀ ଦେଈ’ କିନ୍ତୁ ପରମବୈଷ୍ଣବୀ ଦୁର୍ଗା ବିଗ୍ରହ ଭଳି ସାତ୍ତ୍ୱିକ ଉପଚାରରେ ସେଠି ପୂଜା ହୁଏ ନାହିଁ କୁକୁଡ଼ା, ଘୁଷୁରୀ, ଛେଳି ବଳି ପଡ଼ନ୍ତି ମଦବି ପୂଜା ଭୋଗ ହୁଏ । ସେଠି ନାନା ଯାତ୍ରା ନାନା ଉତ୍ସବ ଭିତରେ ଦଶହରା ଦୁର୍ଗା ପୂଜାବି ହୁଏ, ମହାନବମୀ ସକାଳେ ମଇଁଷୀ ବଳି ବଡ଼େ, ବହୁତଆଡ଼ୁ ଲୋକ ଆସନ୍ତି ।

 

ଆଷାଢ଼ର ସେଦିନ ଛାଇ ଲେଉଟାବେଳେ ଅନ୍ଧାରରେ ଲେଡ଼େଂ ଗାଁ, ତା’ର ମାଟି ଆକାଶ ପାହାଡ଼ ସବୁ ଯେତେବେଳେ ନିଭି ନିଭି ଆସୁଥାଏ, ଅଟକି ରହିଥାଏ କଅଣ ଗୋଟିଏ ପ୍ରତୀକ୍ଷାରେ, ସେତେବେଳେ ପର୍ବତ ଉପରୁ ଶୁଭିଲା ପ୍ରଚଣ୍ଡ ରଡ଼ିଟାଏ, ତା’ପରେ ତୁହାଇ ତୁହାଇ । ସେ ଭୟଙ୍କର ରଡ଼ିରେ ଚାରିଆଡ଼ ଥରିଉଠିଲା ।

 

ଉପତ୍ୟକାରେ ସମସ୍ତେ ସେ ବୋବାଳି ଶୁଣିଥିବେ । ଚାରିଆଡ଼ ନିସ୍ତବ୍‌ଧ ପଡ଼ିଗଲା କେଉଁଠି ଟିକିଏ ଖୁଡ଼୍‌ ଶବ୍ଦବି ନାହିଁ, ସତେଅବା ବେଙ୍ଗ ବେଙ୍ଗୁଲିବି ଖସ ଖସ ନକରି ଖେପା ମାରିଲେ ।

 

ଧୁର୍ବ ସିଂ ପିଣ୍ଡା ଉପରେ ବସି ତା’ ଥନ୍ତଲାପେଟ ଉପରେ ବର୍ଷିକିଆ ନାତିଟିକୁ ଶୁଆଇ ନଚୋଉଥାଏ, ଥାପୁଡ଼ୋଉଥାଏ, ଧଇଁସଇଁ ହୋଇ ଧାଇଁ ଆସିଲା ଧନୁ ପଣ୍ଡିତ୍‌ । ଦିହେଁ ସମାନ ବୟସି, ଷାଠିଏ ଉପରେ ଆହୁରି ପାଞ୍ଚ । ଧୁର୍ବ ଗୋରା ଲୋକ, ଜାତିରେ ଗଣ୍ଡ, ମୁଣ୍ଡବାଳ ବଡ଼ ଟୋପି ପରି ଅରାଏ ଫରଚା ହୋଇ ଚନ୍ଦା, ତା’ ଚାରିକରେ ଗହଳି ହୋଇ କଳା–ଧଳା ବାଳ । ଧନୁର ବାଳ ଝୋଟ, କିନ୍ତୁ ଏବେ ସୁଦ୍ଧା ବହଳ ଜାତିରେ ସେ ଥାନାପତି ହାଡ଼ୁଆ କଳା ଲୋକ, ଲମ୍ୱ ମୁଣ୍ଡବାଳକୁ ମୁଣ୍ଡ ମଝିରେ ଫିରେଇ କାଟି ଦି’ଭାଗ କରିଛି, ସେ ବେକ ତଳକୁ ଲୋଟୁଛି, ନିଶଦାଢ଼ୀ ବହଳ ହୋଇ ଝୁଲିଛି ।

 

ଡରି ଡରି ଥରି ଥରି ତୁନି ତୁନି କରି ଧନୁ କହିଲା ‘ଶୁଣିଲୁ ?’

 

ସେତେବେଳକୁ ରଡ଼ି ଶବ୍ଦ ଦୂରେଇ ଦୂରେଇ ଯାଇ ବନ୍ଦ ହେଲାଣି ।

 

ଧୁର୍ବ ସିଂ କହିଲା ‘କଅଣ’ ?

 

ଧନୁ କହିଲା ‘ବାଘ’

 

ଧୁର୍ବ ଗମ୍ଭୀର ହୋଇ କହିଲା–‘ପର୍ବତ ଉପରେ’

 

ଧନୁ କହିଲା–‘ଗର୍ଜନ କଲା ।’

 

ଦିହେଁ ଗୁମ୍‌ ହୋଇରହିଗଲେ । ବାଘକୁ ସମ୍ମାନ ଦେବାକୁ ମନକରି ସେମାନେ ଟିକିଏ ସଂସ୍କୃତିଆ ସାଧୁଭାଷା ଚେଷ୍ଟା କରିଥିଲେ, ସେତିକି ।

 

ବଣରେ ବାଘ ରଡ଼ିବା କିଛି ନୂଆ କଥା ନୁହେଁ ସୂର୍ଯ୍ୟ ପୂର୍ବଦିଗରେ ଉଦୟ ହେବାପରି ନିତ୍ୟନୈମିତ୍ତିକ । ସେ ବଣ ଦେଶରେ କେଉଁ ଗାଁରେ, କେଉଁ ଉପତ୍ୟକାରେ, କେଉଁ ପର୍ବତରେ ବାଘ ଗୋରୁ ଖାଇବା କି କେତେବେଳେ ମଣିଷ ଖାଇବାବି ଅତି ଜଣାଶୁଣା ଘଟଣା, ପୃଥିବୀର ସୃଷ୍ଟି ଦିନୁଁ ଯେପରି ପୃଥିବୀ ଇତିହାସରେ ବାରମ୍ୱାର ରହିଆସିଛି, ହତ୍ୟା, ବିଭୀଷିକା, ଲୁଣ୍ଠନ, ଅତ୍ୟାଚାର, ହିଂସା, ପର ଉପରେ ଅଧିପତ୍ୟ ଓ ଶୋଷଣ–ତା’ ବିରୁଦ୍ଧରେ କହିବାକୁ କେତେ ଧର୍ମ କେତେ ଧର୍ମପ୍ରଚାରକ ଆସିଛନ୍ତି ପୁଣି ଶୂନ୍ୟରେ ମିଶିଛନ୍ତି, କେତେଥର ଉଇଁଲା ପରି ଦିଶିଛି ସତ୍ୟଯୁଗର ଉଷା, ଆକାଶରେ ରକ୍ତରଛିଟା ଦିଶିଛି ସିନ୍ଦୂର ଫାଟିଲା ପରି, ତଥାପି ବାରମ୍ୱାର ଜନ୍ମ ହୋଇଛନ୍ତି ସାପ, ବାଘ, ନାନା ହିଂସ୍ରକ ଜନ୍ତୁ ଆଉ ରାକ୍ଷସ ଆଉ ମଣିଷ ପହିଜ କାଢ଼ିଛନ୍ତି ବୀରଭୋଗ୍ୟା ବସୁନ୍ଧରା ବୋଲି କହି । ସେହିପରି–ଏ ବଣ ଦେଶର ଇତିହାସରେ ବାରମ୍ୱାର ବଘେଇ ଘଟିଛି, ଛାଡ଼ିଯାଇଛି ପୁଣି ଘଟିଛି, ଠାଏ ବନ୍ଦ ଠାଏ ନୂଆ ହୋଇ ଆରମ୍ଭ ।

 

କିନ୍ତୁ କେଜାଣି କେମିତି ହୋଇଥିଲା ଯେ–ଲେଡ଼େଂ ଉପତ୍ୟକା ଭିତରେ ରହିଥିବା ଜୀଅନ୍ତା ମଣିଷଙ୍କ ସ୍ମୃତି ଭିତରେ ସେଠି ବାଘ ଉପଦ୍ରବ ନଥିଲା, ଯଦି ଚ ଲେଡ଼େଂ ଡେଇଁଲେ ବଣ ଭିତରେ, ଅନ୍ୟ ଗାଁରେ ଥିଲା । କେମିତି ବର୍ତ୍ତି ଥିଲା ଲେଡ଼େଂ ? ଏତେ ରାଜ୍ୟରେ ଅଶାନ୍ତି, ଆତଙ୍କ ବିଭୀଷିକା, ଲେଡ଼େଂ ଛାଡ଼ ପାଇଥିଲା କେମିତି? ଧନୁ ପଣ୍ଡିତକୁ ପଚାରିଲେ ସେ ବିସ୍ମୟରେ ଅଧା ହସଟିଏ ଦେଖାଇଦେଇ, କହେ ‘‘ଲେଡ଼େଂ ପୁଣ୍ୟଭୂମି, ଲେଡ଼େଂ ମାଟି ପବିତ୍ର ।’’

 

ପୁଣ୍ୟଭୂମି–କାରଣ ବା ମାଟିରେ ଭେଦିଛି ଅସୁମାରି ବଳିପଡ଼ିଥିବା ପଶୁପକ୍ଷୀଙ୍କ ରକ୍ତ । ବ୍ରାହ୍ମଣୀଦେଈ ଠାକୁରାଣୀ ଓ ତାଙ୍କ ତଳର ଠାକୁରଠାକୁରାଣୀଙ୍କ ପାଖେ ବର୍ଷଯାକ ବଳି ପଡ଼ୁଥାନ୍ତି ଘୁଷୁରୀ, ଛେଳି, କୁକୁଡ଼ା, ପାରା । ଏ ପୁଣ୍ୟଭୂମିରେ ଲୋକେ ଯେଡ଼େ ‘କାଷ୍ଠାନିଷ୍ଠାରେ’ ଧର୍ମ କରନ୍ତି ଅନ୍ୟଠିଁ ସେଡ଼େ ଉଗ୍ରଭାବେ ତା’ ଦିଶେ ନାହିଁ । ଲମ୍ୱା ବାଳ ବଢ଼ାନ୍ତି, ଉପାସ କରନ୍ତି, କେତେ ଲୋକ ଜଟା ବାନ୍ଧନ୍ତି, ଜଟାରେ ବର ଖିର ମାଲିସ କରନ୍ତି, ବର୍ଷଯାକ କେତେ ଯାତ୍ରା ଅଛି, ପେଟେଇ ପେଟେଇ ଘୁଷୁରିବା ଯାତ୍ରା, ଗୁରୁଣ୍ଡି ଗୁରୁଣ୍ଡି ଯିବା ଯାତ୍ରା, ଜିଭକୁ ପିଠିକୁ ଡାମ୍ଫଣରେ ଫୋଡ଼ିବା ଯାତ୍ରା, ଆପଣା ଦେହରେ ବିଛୁଆତୀ ଲଗାଇହେବା ଯାତ୍ରା, ନିଆଁ ଉପରେ ଚାଲିବା ଯାତ୍ରା, ଗୀତବାଜାର ତ ଧୂମ ଉଡ଼େ, ଲୋକେ ଏତେ ଧର୍ମ କରନ୍ତି ବୋଲି ଠାକୁରାଣୀମାନେ ଖୁସିଥାନ୍ତି । ତାଙ୍କ ଡରରେ ବାଘ ପଶେ ନାହିଁ । ଲେଡ଼େଂର ଲୋକ ସେଥିପାଇଁ ଗର୍ବ ଅନୁଭବ କରନ୍ତି, ତାଙ୍କ ଧାରଣା ବିଧାତା ତାଙ୍କୁ ଏ ସଂସାରରେ ସବୁଠୁ ଶ୍ରେଷ୍ଠ ମଣିଷ କରି ଜନ୍ମ ଦେଇଛି, ନହେଲେ ଏଭଳି ଆଉ କେଉଁଠି ଅଛି ?

 

ଧର୍ମଗତ କାରଣ ଛଡ଼ା ଆଉ ଗୋଟାଏ କାରଣ କଥାବି କେହି କେହି ତୁନି ତୁନି କହନ୍ତି । ଇଂରେଜ ଅମଳରେ ପାହାଡ଼ ଉପରେ ବରଗଛ ତଳେ ଯେତେବେଳେ ପଲଟଣ ଛାଉଣୀ ପକାଉଥିଲେ ସେତେବେଳଠୁ ଯେ ବହୁତବର୍ଷ ଯାକେ ଏ ଅଞ୍ଚଳରେ ବଣରେ ବାଘ ମାରିବା ପାଇଁ ସାହେବମାନେ ଲେଡ଼େଂରେ ବସାବାନ୍ଧୁଥିଲେ, ବୁଲି ବୁଲି ବନ୍ଧୁକରେ ବାଘ ଶୀକାର କରୁଥିଲେ । ବାଘ ମାରିବାକୁ ତାଙ୍କର ଭାରି ସଉକ । ତାଙ୍କ ସଙ୍ଗରେ ଯିବ ବୋଲି ଲେଡ଼େଂର ତିନିଚାରି ଜଣ ଲୋକଙ୍କୁ ସେମାନେ ମାଗଣାରେ ଗୋଟିଏଲେଖା ବନ୍ଧୁକ ଦେଇଥିଲେ, ତାଲିମ୍‌ କରିଥିଲେ । ସାହେବ ନଥିଲାବେଳେ ସେମାନେବି ବୁଲି ବୁଲି ବାଘ ମାରୁଥିଲେ । ବାଘ ମାରିଲେ ସେ ବଣରେ ନିଧଡ଼କରେ ବୁଲି ହେବ, ଜଙ୍ଗଲ କର୍ମଚାରୀ ଅବକାରୀ କର୍ମଚାରୀ ପୋଲିସ୍‌ କର୍ମଚାରୀ ସବୁ ବୁଲା କର୍ମଚାରୀଙ୍କର ସୁବିଧା, ବେପାରିଙ୍କର ତ ସହଜେ କବାଟ ଖୋଲା । ପୁଣ୍ୟଭୂମି ଲେଡ଼େଂରେ ବହୁକାଳ ଏମିତି ଚାଲିଥିଲା । ବଘେଇ ନଥିଲା । ବୁଲନ୍ତୁ, ଯେ ଯେଉଁଠିକି ଇଚ୍ଛା, ବଣର ଲୋକେ ପାହାଡ଼ଢାଲୁରେ ଅନ୍ୟଠିଁ ବଣ ହାଣି ଜାଗା ସଫା କରି ଯେଉଁ ହଳଦୀ ଫସଲ ଉପୁଜାନ୍ତି, ଯେଉଁ ବଡ଼ କାନ୍ଦୁଲ ଫସଲ, ଆଉ ଲଙ୍କା, ଜୋଣା, ମକା, ଜଡ଼ା,ସୋରିଷ, ଅଳସି କେତେ ପଣସ, ସପୁରୀ, କଦଳୀ, କମଳା–ଯେତେ ତେନ୍ତୁଳୀ, ଅଦା, ପାଳୁଅ ମହୁଲ, ଝୁଣା, ହରିଡ଼ା–ଅତି ଶସ୍ତାରେ ଖାଲି ନାଁକୁ ମାତ୍ର ଦାମ୍‌ ଦେଇ ନେଇଯାଉନ୍ତୁ ଯେଉଁ ବେପାରି ଯେତେ ପାରୁଛନ୍ତି ପଦାକୁ ବିକିବେ । ଭଲ ଦାମ୍‌ ପାଇବେ । ବାଘ ନଥିଲା କି ଆକଟ ନଥିଲା ।

 

ତା’ପରେ ହଠାତ୍‌ ବାଘ ରଡ଼ି ।

 

ତହିଁ ପରଦିନ ପୁଣି ସଞ୍ଜ ବୁଡ଼ୁ ବୁଡ଼ୁ ବାଘ ରଡ଼ି ଶୁଭିଲା । ସେ ଉଚ୍ଛନ୍ନ ହୋଇ ରଡ଼ି ରଡ଼ି ବୁଲୁଛି । ସତେ ଯେପରି ଘଡ଼ିଘଡ଼ି ସ୍ୱରରେ ସେ ପ୍ରଚାର କରୁଛି–ଏଠି ମୋର ପିତୃପୁରୁଷ ଅମଳର ବାଘୁଆ ସିଂହାସନ, ବଣର ରାଜା ବାଘ, ବାଘ ନଥିଲେ ବାଘୁଣୀ, ବାଘ ବଂଶର ଯେ ଥାଉ ଏକାକଥା, ମଝିରେ କେମିତି ଫାଙ୍କା, ପଡ଼ିଥିଲା ସିନା, ପୁଣି ମୁଁ ଆସିଛି, ଏ ବଂଶର ଅଛିଣ୍ଡାଧାର ପୁଣି ଲାଗିଗଲା ।’’ ତା’ପରେ ରାତିଯାକ ଯେତେ ବିଲୁଆ ପହରିକିଆ ବୋବେଇଲେ ସେମାନେ ସତେକି ସେ ବାଘ–ଯୁବରାଜ କି ବାଘ–ଯୁବରାଣୀଙ୍କ ପାଳିଆ, କେହି କେହି ଲେଡ଼େଂ ଲୋକେ ସେପରିବି ଭାବୁଥାନ୍ତି, ଯେମିତି ନିଜେ ଧୁର୍ବ ସିଂ । ଆଗ ନିଶା ରାତିରେ ବାଘ ବୋବେଇ ବୋବେଇ ଦୂରକୁ ଗଲା, କେତେବେଳେ ପରେ ଏକାଠି ଅତର୍ଚ୍ଛା ହୋଇ ବୋବେଇ ଉଠିଲେ ବିଲୁଆଗୁଡ଼ାଏ, ଯେପରି ପ୍ରାଣବିକଳରେ ବୋବୋଉଛନ୍ତି, ଜୀବନମରଣ ସମସ୍ୟା, ନବୋବେଇଲେ ଏ ଜୀବ ଯିବ-। ଧୁର୍ବ ସିଂ ତା’ର ଭାରୀଜାକୁ କହିଲା–

 

‘‘ଶୁଣିଲୁ–ଏଟା ଜୟନାଦ’’

 

‘‘ମତେ ଭାରି ଡରମାଡ଼ୁଛି ଗୋ’’

 

‘‘କିଛି ଡର ନାଇଁ, ଆମର ପୁଣ୍ୟମାଟି, ଏଠି ବାଘର ବପୁ ଖଟିବ ନାଇଁ ସେ ପଳେଇବ । ଏ ଯେ କୋହ୍ଲିଆମାନେ–ଯେ କୌଣସି ଅଚିହ୍ନା ଜନ୍ତୁ ଯଦି ପଦାରୁ ଆସିବ, ଚେହେରାରେ କି ପାଟିରେ କି ଧମକ ଚମକଦ୍ୱାରା ଡରେଇ ପାରିବ ଏମାନେ ତାକୁ ଜୟଧ୍ୱନି ଦେବେ । କୁକୁଡ଼ା କଲିଜାଠୁଁ କୋହ୍ଲିଆଙ୍କ କଲିକା ଆହୁରି ସାନ । ଅସଲ ଡରୁଆ, ସବୁଦିନେ ।’’ ବିଲୁଆପଲ ଖୁବ୍‌ ବୋବେଇଲେ, ବଣଯାକ । ସତେଅବା ପରସ୍ପର ସଙ୍ଗେ ପ୍ରତିଯୋଗିତା କରୁଥାନ୍ତି । ସେଇଠୁ ତୁନି ହେଲେ । ରାତି ସରିଲା । କ୍ରମେ ବାଘ ବିଷୟରେ ବଳକା ଖବର ଆସିଲା । ଓଦା ମାଟିରେ ତା’ ପାହୁଲ ପଡ଼ିଥିବା ଦେଖାଗଲା, ମାପ କରାଗଲା, ସେ ପାଦ ଚିହ୍ନରୁ ଜଣାଗଲା ସେ ମସ୍ତବଡ଼ ବାଘ । ତା’ ସଙ୍ଗେ ସଙ୍ଗେ ଯୋଡ଼ାଏ ସାନ ସାନ ବାଘର ପାଦଚିହ୍ନବି ବାରିହେଲା । ଅନୁମାନ ହେଲା–ମସ୍ତବଡ଼ ବାଘୁଣୀଟାଏ, ତା’ ସଙ୍ଗରେ ଦିଟାଛୁଆ । କାଳକ୍ରମେ ବଣରେ କେତେ କେତେବେଳେ କେହି କେହି ସେମାନଙ୍କୁ ଦୂରରୁ ଦେଖି ପଳାଉଥାନ୍ତି, ଗାଁରେ ପଶୁଥାନ୍ତି ।

 

ଲୋକେ ବଣରେ ନବୁଲିଲେ ବଣରେ କାମ ନକଲେ ଚଳି ପାରନ୍ତେ ନାହିଁ । ବଣହିଁ ତାଙ୍କ ଘର, କିନ୍ତୁ ସେମାନେ ଡରିଯାଇ ସତର୍କ ହେଲେ ଗୋଟି ଗୋଟିକିଆ ହୋଇ ବୁଲନ୍ତି ନାହିଁ । ପଞ୍ଝା ପଞ୍ଝା ହୋଇ ଯା ଆସ ହୁଅନ୍ତି, କାମ କରନ୍ତି ।

 

ଆଗ ଆଗ ବାଘ ଗର୍ଜନ ଶୁଣିବା ଛଡ଼ା ଆଉ କିଛି ଅନିଷ୍ଟ ହେଲାନାହିଁ । ତା’ପରେ ଦେଖାଗଲା, ଗୋରୁ ଗାଈ ଚରିବାକୁ ଯାଇ ହଜିଲେ ଆଉ ମିଳୁନାହାନ୍ତି । ତା’ପରେ ପ୍ରତି ତିନିଦିନେ ଚାରିଦିନେ ଆଖପାଖରେ କେଉଁଠି ହେଲେ ବଣରେ ରାଶି (ଅର୍ଥାତ୍‌ ଗୋଠ) ଭିତରକୁ ପଶିଆସି ବାଘୁଣୀ ଗୋଟାଏ ମଇଁଷୀ କି ଗାଈ କି ବଳଦ ଘୋଷାରି ନେଇଗଲା ବୋଲି ଖବର ଖେଳୁଥାଏ–ଲେଡ଼େଂ ଉପତ୍ୟକାରେ ଓ ଆଖପାଖରେ ବଘେଇ, ଲାଗିଗଲା, ଅର୍ଥାତ୍‌ ବାଘମାତିଛି’ ଖାଉଛି ବୋଲି ଭୟ ଘଟିଗଲା । ଲୋକେ ଗୋଠମାନଙ୍କୁ କଟକଣା କରି ପଘାଏ ବାନ୍ଧି ଗାଁରେହିଁ ରଖିଲେ । ଭୋକରେ ତାଙ୍କ ପେଟରେ ଧଡ଼ ପଡ଼ୁ ପଛେ, ତାକୁ ଖୋଲିଲେ ନାହିଁ । ଘାସପତ୍ର କାଟି ଆଣି ଖୁଆଇଲେ, ନିଜେବି ଗାଁ ଛାଡ଼ି ଦୂରକୁ ଯାଆନ୍ତି ଅଳ୍ପ–ବାଘ ମଣିଷ ଖାଇଲା ।

 

‘ବାଘ ଶାଗଖାଏ ନାହିଁ, ବାଘ ମଣିଷ ଖାଏ ।’ ଲୋକଙ୍କ ତୁଣ୍ଡରେ ସବୁକାଳେ ଏ ଅପବାଦ । ଏକଥା ଜଣେଇ ଜଣା, ଯେମିତି–ବିଷାକ୍ତ ସାପ ଦଂଶେ, ଅରଣା ମଇଁଷୀ ଭୁଷେ । ସ୍ୱଭାବର ମୁହଁ କେହି ଚୁଣ୍ଟି ନପାରିଲେ ସ୍ୱଭାବ ବାହାରେ । ତା’ର ବଳକା ଦୋଷ ନଥିଲା । ମଣିଷ ଯେମିତି ସ୍ୱାଧୀନଭାବେ ଭାବନ୍ତି, ‘ସଂସାରରେ ଜନ୍ମ ହୋଇଛୁଁ, ସଂସାରରେ ଥିବାଯାକେ ଆମକୁ ଗଣ୍ଡିଏ ଖାଇବାକୁ ମିଳିବା ଆମର ଜନ୍ମଗତ ଅଧିକାର । ବଞ୍ଚି ରହିବା ପାଇଁ ନିମ୍ନତମ ଉପାଦାନ ଯାହା, ତା’ ଆମୁକୁ ମିଳିବା ଆମର ଜନ୍ମଗତ ଅଧିକାର’’–ହୁଏତ ସେ ବାଘବି ସେମିତି କିଛି ଭାବିଥିଲା–‘‘ମୋର ପ୍ରତିଦିନର ଖୋରାକି ମତେ ମିଳିବା ମୋର ଜନ୍ମଗତ ଅଧିକାର ।’’

 

ଲେଡ଼େଂ ପାଖର ୮।୧୦ ଖଣ୍ଡ ଗାଁରୁ ଲୋକ ବାଘ ମୁହଁରେ ଗଲେ, ଲେଡ଼େଂ ଗାଁରେ ସେ ସମସ୍ତିଙ୍କର ବନ୍ଧୁବାନ୍ଧବ ଅଛନ୍ତି–ତା’ପରେ ଅଶିଣ ମାସରେ....ମେଘର ବଳ ହଟିଥାଏ । କେତେବେଳେ କାଁ ଭାଁ ହାଲୁକା ହୋଇ ଅସରାଏ ମଣିଷ ଲୁଚିଯିବ, ବଣରେ ହାତୀଆ ଘାସ, ସେ ନୂଆ ନୂଆ ଫୁଲ ଉଡ଼ାଉଥିାଏ–ସେତିକିବେଳେବି ଦି’ଦିନ ଛଡ଼ାରେ ଲେଡ଼େଂ ମୌଜାର ବିଭିନ୍ନ ବସ୍ତିରୁ ଜଣ ଜଣକୁ ବାଘ ଖାଇଲା । ଦିନ ଗଣୁ ଗଣୁ ଛଅଜଣ ଗଲେ । ଗୋଟିଏ ଆଠ ବର୍ଷର ଝିଅ, ସ୍ତ୍ରୀଲୋକ ଯୋଡ଼ିଏ, ବୁଢ଼ାଟିଏ, ଦି’ଜଣ ଯୁବକ । କିଏ ଗାଁ ତଳ ଝରଣାକୁ ଯାଇଛି ଝରଣା କୂଳରୁ ତାକୁ ଉଠେଇ ନେଲାଣି, କିଏ ଦଳରେ ଥାଇ ବାଟରେ ଚାଲୁଥିଲା, ଗୋଟାଏ କରରୁ ବାଘ ଝପଟି ଆସି ମଣିଷ ଧରି ଧାଇଁ ପଳାଇଲା, କିଏ ମଞ୍ଚାରେ ବସି ଚାଷ କ୍ଷେତରେ ଫସଲ ଜଗିଥିଲା, ଦେଢ଼ ପୁରୁଷ ଉଚ୍ଚରେ ମଞ୍ଚା, ବାଘ ମଞ୍ଚା କୁଡ଼ିଆ ଆଡକୁ ଡେଇଁ ପଛଆଡ଼ୁ ହାବୁକା ମାରିଲା, ଲୋକଟା ତଳେ ପଡ଼ିଗଲା, ତା’ପରେ ଶୀକାର ।

 

ବାଘ ମଣିଷ ଖାଏ, ତା’ପରେ ୟେ ପୁଣି ବାଘୁଣୀ ଓ ୟାର ଆହୁରି ବଳକା ପ୍ରୟୋଜନ–ଦି’ ପିଲାଙ୍କୁ ଶୀକାର ବିଦ୍ୟା ଶିଖେଇବ, ନିଜ ପେଟ ପୋଷିବା ଛଡ଼ା ଦି’ ପିଲାଙ୍କ ପେଟବି ପୋଷିବ-। ଏଥିରେ ସନ୍ଦେହ ନାହିଁ ଯେ ବଘୁଣୀର ବାଘୁଆ ବିବେକ ବୋଲି ଯଦି କିଛି ଥିବ ତେବେ ଲେଡ଼େଂ ଗାଁର ମଣିଷଙ୍କୁ ଧରି ଧରି ଖାଇବା ତା’ର ସମ୍ପୂର୍ଣ୍ଣ ବିବେକାନୁମୋଦିତ । ସେ ତା’ ବାପା ଅଜାଙ୍କ ଧନହିଁ ରକ୍ଷା କରୁଥିଲା । ଲେଡ଼େଂ ଲୋକେ ଯେତେ ତାକୁ ଶୋଧନ୍ତୁ କଟା ସମ୍ପା କରନ୍ତୁ, ତାକୁ ଡରନ୍ତି ଭକ୍ତି କରନ୍ତି ସମସ୍ତେ । କିନ୍ତୁ ସହନ୍ତେ ବା କେତେ ? ଗୁରେଇ ତୁରେଇ ପୁଣି ଲାଗିଗଲା ଲେଡ଼େଂ ଉପତ୍ୟକାରେ ମଣିଷଖିଆ । ଶୋକ, କ୍ରୋଧ ଓ ନୈରାଶ୍ୟ ଲେଡ଼େଂ ଅଧିବାସୀଙ୍କ ମନରେ ଏକାଠି ମିଶି କ୍ରମେ ତାଙ୍କୁ ଉତ୍ୟକ୍ତ କଲା । ଲୋକେ କୁହାକୋହି ହେଲେ ।

 

ଆଉ ଲେଡ଼େଂରେ ବନ୍ଧୁକ ନଥିଲା କି ବନ୍ଧୁକୀ ନଥିଲେ । ଲେଡ଼େଂ ଲୋକେ ହୁଏତ ପଦାକୁ ଯାଇ ସେଭଳି କିଛି ଉପାୟ ପାଇଁ ଆୟୋଜନ କରିଥାନ୍ତେ । କିନ୍ତୁ ଏତିକିବେଳେ ହଠାତ୍‌ ଦିନେ ଧନୁ ପଣ୍ଡିତକୁ ବ୍ରାହ୍ମଣୀ ଦେଈ ଠାକୁରାଣୀ ଲାଗିଲେ, ବାଜା, ବାଜିଲା, ଧୂପ ଧୂଆଁ ଚହଟିଲା, ବଳି ପଡ଼ିଲା, ଲେଡ଼େଂ ଉପତ୍ୟକାର ଲୋକଙ୍କ ଆଗରେ ଧନୁ ପଣ୍ଡିତ ବ୍ରାହ୍ମଣୀ ଦେଈଙ୍କ ଆଦେଶ ରଡ଼ି ହେଲା–

 

‘‘ଧନୁଶର ବାଟୁଳିଖଡ଼ା ବର୍ଚ୍ଛା ଖଣ୍ଡା ଠେଙ୍ଗା ଯାହା ଅଛି ଧର ! ଚଇତ୍ର ମାସରେ ବଣରେ ଶୀକାର କଲାପରି ଏକାଠି ବାହାରିପଡ଼, ବାଘୁଣୀକୁ ସବଂଶେ ନିପାତ କର, ସେଇଟା ଦେବତା ନୁହେଁ’ ସେ ଦୁଷ୍ଟ ଭୂତ, ମୋର ହୁକୁମ ହେଲା, ସେ ମରିବ ।’’

 

ଡର ଡର ଥର ଥର ଲେଡ଼େଂ ଉପତ୍ୟକାର ବଡ଼ ଗାଁରେ ସାନ ସାନ ଗୁଡ଼ାକର ହଠାତ୍‌ ଦେଖାଗଲା ନୂଆ ଆଶା, ନୂଆ ତେଜ, ସ୍ଥାନେ ସ୍ଥାନେ ଗାଁର ପୁରୁଷ ସ୍ତ୍ରୀ, ପିଲା ଏକାଠି ରୁଣ୍ଡନ୍ତି, ଠାକୁରାଣୀଙ୍କ ହୁକୁମ ଆଉ ଥରେ ଶୁଣେଇ ଦିଆହୁଏ, ତା’ ସଙ୍ଗେ ସଙ୍ଗେ ବାଘୁଣୀଟର ସବୁ ଅପକୀର୍ତ୍ତି । ସତକୁ ସତ ବାଘ ବୋବାଳିବି ଆଉ ଶୁଭିଲା ନାହିଁ, ଲେଡ଼େଂ ଉପତ୍ୟକାରେ ଓ ଆଖପାଖ ଜଙ୍ଗଲରେ ମଝିରେ ମଝିରେ ଖାଲି ଶୁଭୁଥାଏ ବାଜା ଶବ୍ଦ ଓ ଏକାଠି ହୋଇ ମଣିଷଙ୍କ ଉତ୍ତେଜିତ କୋଳାହଳ’ ବେଳେବେଳେ ସେ ଗହଳି ହାଉଜାଉରୁ ଶବ୍ଦ ବାରିହୁଏ–

 

‘‘ଆରେ-ରେ–ମଣିଷଖିଆ ବାଘୁଣୀ–ବାଘୁଣୀ ଧ୍ୱଂସ ହେବ ।’’

 

ବାଘ ତୁନି ପଡ଼ିଥାଏ, ସତେଅବା ସେ ବୁଝିପାରିଥାଏ ଯେ ତା’ ଦିନକାଳ ଶେଷ । ସତେଅବା ଜନ୍ତୁ ହେଲେବି ସେ ବୁଝୁଥାଏ, ଯେ ଖଣ୍ଡାଠୁ ଯେମିତି କଲମର ବଳ ବେଶି, ସଂସାରରେ ସବୁଠୁ ବେଶି ବଳ ବୋବି ଅର୍ଥାତ୍‌ ମୁଖରବ ଧ୍ୱନିର । ଲେଡ଼େଙ୍ଗିଆଙ୍କ ସାହସ ବଢ଼ିଲା, ସେମାନେ ହସ ହସି କୁହାକୋହି ହେଲେ ‘‘ ଆଉ ବାଘ ଗୋରୁବି ଖାଉ ନାହିଁ ମଣିଷ, ତ ମଣିଷ ତ ମଣିଷ, ଡରିଲାଣି ବୁଝିଲାଣି ମରଣ ନିକଟ ।’’

 

ବ୍ରାହ୍ମଣୀଦେଈ ଠାକୁରାଣୀଙ୍କ ପାଖେ ବାଘ ମାରି ପୂଜା କରାହେଲା । ପଣ୍ଡିତ୍‌ ଦିନଯାକ ଉପାସ କରିଥାଏ ତା’ ସଙ୍ଗେ ଗାଁ ମୁଣ୍ଡିଆଳ ଧୁର୍ବ ସିଂ । ଘୁଷୁରି, ଛେଳି ପାରା, କୁକୁଡ଼ା ବଳିପଡ଼ିଲେ, ମଦ ଢଳା ହେଲା, ବାଜା ବାଜିଲା, ବାଜା ଶବ୍ଦ ଉହାଡ଼ରେ ପଣ୍ଡିତ୍‌ ଭୁଟୁରୁ ଭୁଟୁରୁ ହେଉଥାଏ, ତା’ ଆଖି ଦିଟା ଚଢ଼ା ଚଢ଼ା ଦିଶୁଥାଏ । ଲୋକେ ଗୋଡ଼ତଳେ ପଡ଼ିଲେ । ତା’ପରେ ଚ୍ଛାଇ ଢଳିଥାଏ–ଧୁର୍ବ ସିଂ ଓ ଧନୁ ପଣ୍ଡିତ୍‌ ବଡ଼ପାଟିରେ ଜନତାଙ୍କୁ ବୁଝାଇଲେ ବାଘମରା ଆୟୋଜନର ସବୁ ନିର୍ଘଣ୍ଟ-। ଆସନ୍ତାକାଲି ସକାଳୁ ସକାଳୁ ଲେଡ଼େଂବାସୀ ସମସ୍ତେ ବ୍ରାହ୍ମଣୀ ଦେଈ ଠାକୁରାଣୀଙ୍କ ପାଖେ ରୁଣ୍ଡିବେ ସକାଳୁ ସକାଳୁ ଗାଧୋଇଖାଇ ବାହାରି ଆସିବେ, ସଙ୍ଗରେ ଆଣିଥିବେ ବାଜା, ଅସ୍ତ୍ରଶସ୍ତ୍ର, ଯାହାଠିଁ ଯାହାଥିବ, ସେମାନେ ଠାକୁରାଣୀଙ୍କ ସିନ୍ଦୁର ମୁଣ୍ଡରେ ମାରିବେ, ଠାକୁରାଣୀଙ୍କ ଆଶୀର୍ବାଦ ସେ, ତା’ପରେ ଶୀକାରକୁ ବାହାରି ପଡ଼ିବେ । ଶୀକାରର ବାଗ ହେବ ସହଜ ଯେମିତି ଚିରାଚରିତ ଉପାୟରେ ଚୈତ୍ର ମାସରେ ହରିଣ ସମ୍ୱର ମରାଯାଏ–ଲୋକେ ଖେଳେଇ ହୋଇପଡ଼ିବେ, ବଣକୁ ଘେରାଉ କରିବେ, ବାଜା ବଜେଇ ବଜେଇ ବଣବୁଦାରେ ବାଡ଼ିରେ ପିଟି ପିଟି ଚାରିଅଡ଼ୁ ଚାପି ଆଣିବେ, ଠାକୁ ଠା କେତେ ଜଣ ଶିକାରୀ ଘାଟି ଜାଗାଦେଖି ଧନୁ ଧରି ଛକିଥିବେ, କିଏ ତଳେ କିଏ ଗଛ ଉପରେ–ବାଘକୁ ଦେଖିଲେବି କେତେ ଲୋକ ଧାଇଁ ଯାଇ ଜାଗା ଉଣ୍ଡି ଧନୁ ଟାଣିବେ । ବାଘ ହଠାତ୍‌ ବାହାରିଲେ ତାକୁ ଛେକିବାକୁ କେତେ ଲୋକଙ୍କ ହାତରେ ଲମ୍ୱା ବର୍ଚ୍ଛା ଥିବ ପାଖକୁ ଯାଇବି କେହି କେହି ଖଣ୍ଡାରେ ତାକୁ ହାଣି ପକାଇବେ ।

 

ଏହି ବାଗରେ ଇତିହାସରେ ଅନ୍ତତଃ ଲେଡ଼େଂ ଇଲାକାର ବଣର ଇତିହାସରେ–କେବେ କେହି ଗାଁବାଲା ବାଘ ମାରିଥିଲେ ବୋଲି ଶୁଣା ନଥିଲା ସତ–ଗାଁବାଲାବି ଭାବି ନଥିଲେ ଯେ ବଣ ଘେରାଉ କରି ହରିଣ ଠେକୁଆ ଦେଖିବା ଓ ମାରିବା ଯେପରି ବାଘକୁ ମାରିବାବି ସେପରି । ଅଥବା ଚଇତି–ଶୀକାରବେଳେ ବଣ ଯେମିତି ପାତଳ ଦିଶେ । ଗଛରେ ପତ୍ର ଅଳ୍ପ ଡାଳ ସବୁ ଅଧା ଅଧା ଲଣ୍ଡା–ଅଶିଣର ଭରା ବଣ ଦିଶିବ ସେହିପରି । ପ୍ରକୃତ କଥା, ସେମାନେ ଏସବୁ ବିଷୟରେ ଆଦୌ ଭାବି ନଥିଲେ, ରାଗିଥିଲେ, ତାତିଥିଲେ, ମାତିଥିଲେ, ଧନୁ ପଣ୍ଡିତ୍‌ ତୁଣ୍ଡରେ ତାଙ୍କ ଠାକୁରାଣୀଙ୍କ ଆଦେଶ ସତେଅବା ସେମାନଙ୍କ ନିଜ ଅନ୍ତରର କାମନା । ଥରେ ସେ ଦେବୀଙ୍କ କାଳିସୀ ତୁଣ୍ଡରୁ ବାହାରିଲା ପରେ, ଶହ ଶହ ଲୋକଙ୍କ ତୁଣ୍ଡରେ ଭାଷା ହୋଇ ଜନ୍ମ ହେଲାପରେ ସେ ନିଜେ ହୋଇଥାଏ ଗୋଟାଏ ଆଶ୍ଚର୍ଯ୍ୟ, ସ୍ୱାଧୀନ, ସ୍ୱତନ୍ତ୍ର ସୃଷ୍ଟି, ବଳୁଆ, ନିଡ଼ରୁଆ, ଅନ୍ୟମାନଙ୍କ ଆତ୍ମବିଶ୍ୱାସ ବଢ଼ାଉଥାଏ ।

 

‘‘ମାର । ମାର ! ମାର ! ମାର !–ଥାଏ ଥାଏ ହଠାତ୍ କେଉଁଠି ଗୁଡ଼ାଏ ଲୋକ ଏକାଠି ହାଉଳି ହୋଇ ରଡ଼ି ଛାଡ଼ନ୍ତି ।

 

ସେମାନେ ଧରିନେଇଥିଲେ, ସକାଳ ପାହିବ, ଦିନ ଚହଟିବ, ବାଘୁଣୀ ମରିବ । ବାଘ ବଂଶ ଲୋପ ହେବ । ପୁଣି ଆଗପରି ନିବାଘିଆ ନିରାପଦ ବଣ ଯେଣେ ଇଚ୍ଛା ତେଣେ ବୁଲିବାକୁ ମଣିଷ ନିଧଡ଼କ ହେବେ । ସଞ୍ଜଟି ଖୁବ୍‌ ଉତ୍ସାହରେ ଆନନ୍ଦରେ କଟିଲା, ଭୟ ଛାଡ଼ି ପଳାଇଲା, ସତେ ଯେପରି ବାଘ ମରିସାରିଛି, ତା’ର ଚେର ଉପୁଡ଼ିଛି ।

 

ଏତେ ମଣିଷ ତାଙ୍କ ବିପକ୍ଷରେ ମୋଟେ ଗୋଟାଏ ବାଘୁଣୀ ଆଉ ତା’ର ବା’ପ ଛେଉଣ୍ଡ ଛୁଆ ଦି’ଟା । ବାଘୁଣୀଟାର ନଖ ଅଛି, ଦାନ୍ତ ଅଛି ସତ କିନ୍ତୁ ଦେହେ ଦେହେ ଜନ୍ମରୁ ତାଁଠି ଯେତିକି, ଏବେବି ସେତିକି ଶସ୍ତ୍ର ସେ ଦେହରେ, ବଦଳାଇପାରିବ ନାହିଁ, ବଢ଼ାଇପାରିବ ନାହିଁ । ତା’ର ନରମ ଦେହ, ତଳିପେଟ କଅଁଳ, ପେଟରେ କେଞ୍ଚାଏ ମାରିଲେ ଖଣ୍ଡିଆ ହେବ । ତାଠୁଁ ମୃତ୍ୟୁ ନଭେଦିଲା ଭଳି ତା’ ଦେହ ମନ୍ତୁରା ହୋଇନାହିଁ, କିଳା ହୋଇନାହିଁ, ଛାଉଣି ହୋଇନାହିଁ, ସାଧାରଣ ଜନ୍ତୁ ଦେହଟାଏ କେହି ନମାରିଲେବି ନିଜେ ମରନ୍ତା । ଯେମିତି ତା’ ଆଗରୁ ମରିଛନ୍ତି, ଆହୁରି କେତେ ବାଘ ଆଉ ହାତୀ । କିନ୍ତୁ ଏତେ ଲୋକଙ୍କ କାମନାର ଏକତ୍ୱରୁ ଆତ୍ମବିଶ୍ୱାସ ଆସିଲାପରେ କଳ୍ପନା ଯେତେବେଳେ ସେମାନଙ୍କୁ ସତ ପରି ଲାଗୁଥାଏ’’ ଲାଗୁଥାଏ ଯେ ବାଘୁଣିଟା ମଲାଣି, ପଟୁଆର କରି ତା’ ମୁର୍ଦ୍ଦାରକୁ ଚାରିଆଡ଼େ ଦେଖାଇ ବୁଲାହେଉଛି, ଲେଡ଼େଂ ଲୋକେ ସେ ରାତିରେ ସ୍ୱପ୍ନ ଦେଖୁଥାନ୍ତି ବାଘ କେମିତି ମରୁଛି, ଗର୍ବ ଅନୁଭବ କରୁଥାନ୍ତି ଯେ ସେମାନେହିଁ ମାରିଛନ୍ତି ।

 

ରାତି ପାହିଲା ଆରମ୍ଭ ହେଲା ସେଦିନର କାର୍ଯ୍ୟକ୍ରମ । ସେମାନେ କଅଣ ଘାଟିଜାଗା ବାଛି ଜଗିବାକୁ ତୁନିତାନି ଆଗତୁରା କେହି ଚାଲିଗଲେ ? ଆଦୌ ନୁହେଁ । ସେମାନେ କଅଣ ଖବର ଉଣ୍ଡିଲେ, ଯେ କେଉଁଠି ବାଘୁଣି ଲୁଚିଛି, ସେ କଅଣ କରୁଛି ? ତାବି ନୁହେଁ । ଧର, ଯଦି ବାଘୁଣିବି ତାଙ୍କରି ପରି ମାତି ଉଠିବ, ଅନ୍ଧରାଗ କି ପ୍ରତିହିଂସା କି ଆତଙ୍କରେ ପାଗଳ ହୋଇ ନିଜ ନିରାପତ୍ତା ନିଜ ଜୀବନକୁ ଛି’ କରିଦେଇ ପରିଣାମ ନଭାବି କାହା କାହା ଉପରେ ଆକ୍ରମଣ କରିବ–ତେବେ କି ଉପାୟ କରାଯିବ, ପଳାଇବା ଉଚିତ ମଣିଲେ, ଅଥବା ବୀରତ୍ୱ ସହକାରେ ପଛଘୁଞ୍ଚା ଦେବା’ ପ୍ରୟୋଜନ ହେଲେ ସେଥିପାଇଁ ବାଟ ରଖାଯିବ–ଭାବିଥିଲେ ସେମାନେ ? ଆଦୌ ନୁହେଁ । ସେମାନେ ସତେ କି ନଈବଢ଼ି କି, ତୋଫାନ, ଆପଣା ମତ୍ତତାହିଁ ତାଙ୍କ କାର୍ଯ୍ୟର ଦିଗବାଗ ଠିକଣା କରିବ ଆଉ କିଛି ନୁହେଁ । ସେମାନଙ୍କର ଅନ୍ୟ ବିଶେଷତ୍ୱ ଥିଲା ଯେ ସବୁ ଲେଡ଼େଂବାସୀ ବ୍ୟକ୍ତିଗତଭାବେ ଓ ପୁଣି ସାମୁହିକଭାବେ ବିଶ୍ୱାସ କରୁଥିଲେ ଯେ ସେମାନେ ଯାହା କରିବାକୁ ଯାଉଛନ୍ତି ତାହା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଐତିହାସିକ କର୍ତ୍ତବ୍ୟ ସେ କାର୍ଯ୍ୟ ଅତି ଠିକ୍‌, ଅତି ଉଚିତ, ଯାହାକୁ କୁହାଯାଏ ପବିତ୍ର କାର୍ଯ୍ୟ, ଧର୍ମକାର୍ଯ୍ୟ । ସେ ଜାତିର ଆଦିବାସୀ ସହଜେ ବାଘ ମାରିବାକୁ ରାଜି ହୁଏନାହିଁ କାରଣ ସେଭାବେ ବାଘ ଗୋଟିଏ ଦେବତା, ବାଘ ଦେବତାର ପୂଜାବି ଅଛି । ସାହେବଙ୍କଠୁଁ ବନ୍ଧୁକ ପାଇ ଯେଉଁ କେତେଜଣ ପୂର୍ବେ ବାଘ ମାରିଥିଲେ ସେମାନେ ପୂରା ଆଦିବାସୀ ନଥିଲେ, ତଥାପି ସେମାନେ ଆଦିବାସୀ ସଂସ୍କାରକୁ ବିଶ୍ୱାସ କରୁଥିଲେ କିନ୍ତୁ ଆପଣା ମତ ସହିତ ସାଲିସ୍‌ କରିଥିଲେ ଏଇଆ ଭାବି ଯେ ଦୋଷ ହେଲେ ସାହେବଙ୍କର ହେବ, ବନ୍ଧୁକ ସେ ଦେଲେ ବୁଦ୍ଧି ସେ ଶିଖାଇଲେ । କିନ୍ତୁ ସେଦିନ ସକାଳେ ଲେଡ଼େଂ ଲୋକଙ୍କ ମନରେ ସେଭଳି ସଂସ୍କାରର ‘କିମ୍ୱା’ ‘କିନ୍ତୁ’ ବି ନଥିଲା, ନିଜେ ଠାକୁରାଣୀ କହିଛନ୍ତି, ଆଉ ଦୋଷ ନାହିଁ କି ପାପ ନାହିଁ, ଠାକୁରାଣୀ କହିଛନ୍ତି, ତେଣୁ ବାଘ ନମଲେବି ସତେଅବା ମରି ସାରିଲାଣି–ସେମାନେ ହେବେ ଖାଲି ନିମିତ୍ତ ମାତ୍ର, ତେଣୁ ସବୁ ଧୀରେ ସୁସ୍ଥେ,ସେମାନେ ଏ ଘଟଣାର ଯଥାର୍ଥ୍ୟ ବିଷୟରେ କୁହାକୁହି ହେବେ ତା’ପରେ ଯିବେ ।

 

ଠାକୁରାଣୀ ଆଗରେ ଲୋକେ ରୁଣ୍ଡିଲେ । ସଂକ୍ଷେପରେ ଠାକୁରାଣୀ ପୂଜା ହେଲା । ପଣ୍ଡିତ ସିନ୍ଦୁର ବାଣ୍ଟିଲା, ସେମାନେ ଲଗାଇହେଲେ । ଲେଡ଼େଂ ଗାଁର ମୁଣ୍ଡିଆଳ ଗୋଟିଏ ଓଜସ୍ୱିନୀ ବକ୍ତୃତା ଦେଲା । ଲେଡ଼େଂ ଉପତ୍ୟକା କେଡ଼େ ଶାନ୍ତ, ନିରାପଦ ଥିଲା, ତା’ପରେ ବାଘ କେତେ ଉପଦ୍ରବ କଲାଣି, ବାଘ କେଡ଼େ ‘ଅମଣିଷ’ ନୃଶଂସ, ପାପୀ କେତେ ଅନୀତି କଲାଣି, ଏପରି ତା’ ବିରୁଦ୍ଧରେ ନାନା ‘ଅଭିଯୋଗ’ ଆଗତ କଲା, ତୁଣ୍ଡେ ତୁଣ୍ଡେ ତାକୁ ପ୍ରମାଣ କଲା, ବାଘକୁ ଦୋଷୀ କଲା, ତା’ର ମୃତ୍ୟୁଦଣ୍ଡ ଘୋଷଣା କଲା, ସମ୍ୱାଦର ବିକୃତିବି ଘୋଷଣା କଲା । ତା’ ପଛେ ପଛେ ସେହି କଥା କହିଲା ଧନୁ ପଣ୍ଡିତ୍ । ଆଉ କେତେ ଲୋକବି ବକ୍ତୃତା ଦେବାକୁ କବ କବ ହେଲେ, ହାତୀ ଉଚ୍ଚ ଯେଉଁ ପଥର ଉପରେ ଠିଆ ହୋଇ ବକ୍ତୃତା ଦିଆହେଲା ସେତିକି ଚଢ଼ିବାକୁ କେତେ ଜଣ ଠେଲାପେଲା ହେଲେ । ଉପରୁ ଚାହିଁଲେ ଦିଶିବ, ଏତେ ମଣିଷ ଠୁଳ ହୋଇଛନ୍ତି ଯୋ ମୁଣ୍ଡ–ପଟାଳି ଉପରେ ଥାଳି ମାରିଦେଲେ ଥାଳି ଚାଲିଯିବ । ଧୁର୍ବ ସିଂ ସେହି ଆଡ଼କୁ ଅନାଇ ଉପରୁ ରଡ଼ିଲା ।

 

‘‘ଆଉ କଥା କହି ଅଳସେଇ ହେବାକୁ ବେଳ ନାହିଁ । ଖରା ମାଡ଼ି ଆସିଲା, ଏଥର ଅସଲ କାମ, ସମସ୍ତେ ଏକାଠି ହୋଇ ବଣକୁ ଘେରାଉ କରି ଚାପି ବାଘକୁ ଖୋଜି ମାରିପକାଇବା-। ବାଘର ମଢ଼ ଆଣିଲେ ସଞ୍ଜକୁ ପୁଣି ଏଇ ପଥର ପାଖରେ ଜମାହେବା । ନହେଲେ ବାଘକୁ ନଚେଇବା ନାହିଁ, ବଣରେହିଁ ରହିଯିବା । ଯେତେବେଳେ ଆମଠି ବୀର ରକ୍ତ ଅଛି’ ଆମେ ଡରୁଆ ନୋହୁଁ ।’’

 

ହୋ ହୋ ଗର୍ଜନ ଶୁଭିଲା, ତା’ ସହିତ ବାଜା ଶବ୍ଦ ମିଶିଲା, ଲୋକେ ବଣକୁ ଚାଲିଲେ ।

 

ବର୍ଷାରେ ବଣ ଉଲୁସି ଥାଏ, ବଡ଼ ବଡ଼ ଗଛ ଆଢ଼ଲଟା ମିଶି ମେଞ୍ଚା–ମେଞ୍ଚି ଜାଲ ଛନ୍ଦା ହେଲାପରି ତଳର ଗୁଳ୍‌ମବି ଘଞ୍ଚ ହୋଇ ବଢ଼ିଛି । କେଉଁଠି ଛାତିଏ ଉଚ୍ଚ କେଉଁଠି ପୁରୁଷ, ଘାସବି ସେହିପରି । ଢାଲୁଏ ଢାଲୁଏ ବଣ ବଢ଼ିଛି ପାହାଡ଼ ଉପରକୁ । ବଣ ବୋଝେଇ ପାହାଡ଼ରେ ପୁଣି ନାନା ଖୋଲ, କନ୍ଦି, ଝୋଲ, କେଉଁଠି ଅନ୍ଧାରେ ଅନ୍ଧାରେ ଝରଣା ଚାଲିଛି । ଘଞ୍ଚବଣରେ ସ୍ଥାନେ ସ୍ଥାନେ ଆଗର ଲୋକକୁ ପଛ ଲୋକ ଦେଖିପାରେ ନାହିଁ । କେତେବେଳେ ପଛ ଲୋକକୁ ଆଗ ଲୋକ । ଶାଗୁଆ ଘୋଡ଼ଣି ତଳେ କଅଣ ଅଛି, ସାପ କି ବାଘ ଦେଖିବା ଅସମ୍ଭବ । ସ୍ଥାନେ ସ୍ଥାନେ ଅତି ସଂକୀର୍ଣ୍ଣ ବାଟ, ବର୍ଷାଦିନେ ଯେଉଁ ସରୁ ପାଣିଧାର ନିଗିଡ଼ି ଆସିଥିଲା, ତାହାର ଗତିପଥ । ସ୍ଥାନେ ସ୍ଥାନେ ତାବି ନାହିଁ । ବାଟ ନାହିଁ ବାଡ଼ି ଗେଞ୍ଜି ଗେଞ୍ଜି ଠାସୁକୁ ମାରି ଜଣେ ଆଗେ ଆଗେ ଅମଡ଼ାମାଡ଼େ, ଅନ୍ୟମାନେ ତା’ ପିଛା ନିଅନ୍ତି । ସବୁ ଶବ୍ଦ ବଣର ଗହଳିରେ ସତେଅବା ଘୋଡ଼େଇ ହୋଇପଡ଼େ । ମାଦଲା ହୋଇ ଫମ୍ପା ହୋଇ ହଜିଯାଏ । ଯେତେ ମଣିଷ ଆସିଲେ ସୁଦ୍ଧା ବଣରେ ଛପି ଯାଆନ୍ତି । ନିଜ ନିଜ ସତ୍ତା ରଖିବାହିଁ ବଡ଼ କଥା, ଆଉ କିଛି ବଳ ଖଟେ ନାହିଁ ।

 

ଉତ୍ସାହ ମାନ୍ଦା ପଡ଼ି ଆସୁଥାଏ, ତଥାପି ସେମାନେ ତାକୁ ତେଜି ରଖିଥାନ୍ତି ବାଜା ବଜାଇ, କୁହାଟ ଛାଡ଼ି, ପାଟି କରି କରି, କାହା କାହା ସଙ୍ଗରେ ରନ୍ଧା ମଦବି ଥାଏ । ଟୋପିଏ ପିଇଦେଲେ ପୁଣି ଫୂର୍ତ୍ତି ଚହଟି ଯାଏ । କିନ୍ତୁ ବେଳ ଯହୁଁ ଗଲା, ବଣ ଯହୁଁ ଆହୁରି ଘଞ୍ଚ ଓ ଅନ୍ଧାରୁଆ ହେଲା । ମଣିଷ ସତେଅବା ସେତିକି ଆସିବାର ମୂଳ ଉଦ୍ଦେଶ୍ୟ ପାଶୋରିବାକୁ ଲାଗିଲେ, କି ଆଉ ସ୍ମରଣବି କଲେ ନାହିଁ । ଚାଲିଛନ୍ତି ନା ଚାଲିଛନ୍ତି । ବଣ ଭିତରକୁ ଭିତରକୁ । ଖାଲି ସେତିକି ।

 

ଢୋଲ ଶବ୍ଦ କେଉଁଠି ଦୂରରେ ଶୁଭୁଛି । ଆଗରେ କିଛି ଲୋକ ଗଲେଣି, ପଛରେ ଆହୁରି ଆସୁଛନ୍ତି–ଧୁର୍ବ ସିଂ ଚାଲିଥାଏ । ଟାଣକରି କୌପୁନୀ ସେ ଭିଡ଼ିଛି, ତା’ ଉପରେ ପିନ୍ଧିଛି ସାନ ଗାମୁଛା ଖଣ୍ଡେ, ତା’ ମୁଣ୍ଡରେ ନାଲି ପଗଡ଼ିଟିଏ–ତା’ର ଗାଁ ମୁଣ୍ଡିଆଳ ପଣର ସନ୍ତକ ସେଇଟି-। ବୟସ ହେଲାଣି, ଚର୍ବି ଲେସି ହୋଇ ତା’ର ଥନ୍ତଲା ପେଟଟି ଚାଲିଲାବେଳେ ନାଚୁଛି ସତ, ଓଜନ ଦେହ, ଜଙ୍ଘରେ ଜଙ୍ଘ ରଗଡ଼ି ହୋଇ ଛାଲ ଛାଡ଼ିବା ଉପରେ, କିନ୍ତୁ ଚର୍ବି ପୁଟତଳେ ବହୁକାଳର ପରଖା ହୋଇଥିବା କରଡ଼ା ଓ ଦମ୍ଭିଲା ମାଉଁସ ପିଣ୍ଡୁଳାମାନ ତା’ ଦେହଯାକ । ଅତୀତରେ କେଡ଼େ ପାଚିଲାପଣର ସ୍ମାରକ ସେ । ତା’ ଓସାର କାନ୍ଧର ଟାଙ୍ଗିଆ ଝୁଲୁଛି, ଧନୁ ଝୁଲୁଛି, ତା’ ଅଣ୍ଟାରେ ଦଉଡ଼ିରେ ବନ୍ଧା ହୋଇ ଝୁଲୁଛି ହାତେ ଲମ୍ୱର କାତୀ ତା’ ହାତରେ ଗୋଟାଏ ବର୍ଚ୍ଛା । ତା’ ପାଖେ ପାଖେ ଚାଲିଛି ତା’ ବନ୍ଧୁ ଧନୁ ପଣ୍ଡିତ୍ ତାଠିଁ ଧନୁ, ଖଣ୍ଡା, କାନ୍ଧରେ ଟାଙ୍ଗିଆ । ଧୁର୍ବ ସିଂ ଧନୁ ପଣ୍ଡିତ୍‍ର ମୁହଁକୁ ଅନାଇଲା । ସେ କଅଣ ଭାବିଲା ପରି ଅନ୍ୟମନସ୍କ ହୋଇଚାଲିଛି । କିଛି କହୁନାହିଁ । ଧୁର୍ବ ସିଂ ବି କିଛି କହିଲା ନାହିଁ । କିନ୍ତୁ ଚାରିଆଡ଼କୁ ଆଖିପକାଇ ତାକୁ ଆବାକାବା ଲାଗିଲା, ‘‘ସତେ–କୁଆଡ଼େ ସେ ଚାଲିଛି ?’’

 

ଧୁର୍ବ ସିଂ ଭାବୁଥାଏ–‘‘ଥଳ ଆଉ ବେଳ–ଏ ଦିଟା ଅସରନ୍ତି ପରା ! ମାଟିବି ଥଳ, ଆକାଶବି ଥଳ, ପାଣିବି କାହିଁ କୋଉଁଠି ସରୁଛି ? ଯେତେ ବାଟ ଯାଅ–ଆହୁରି ଅଛି । ବେଳବି ସେଇଆ । ଏତେଦିନ ଏତେରାତି ଯାଇ ଆହୁରି ଅଛି । କିଏ କେତେବେଳେ ଆସୁଛି କି ଯାଉଛି, କଅଣ କେତେବେଳେ ବାଜୁଛି, ସେତିକି ନୁହେଁ । ସେତିକିରେ ସରିବ ନାହିଁ । କି ସେକଥାକୁ କେହି ମନେରଖିବେ ନାହିଁ । ଏଇ ବାଟେ ବାଟେ କେତେବେଳେ କେଉଁ ଜନ୍ତୁ ଚାଲିଯାଇଥିଲା କି କେଉଁ ଲଟାଫୁଲ ଫୁଟିଥିଲା, ମରିଥିଲା, କିଏ ଆଜି ତା’ କହିବ । ଯେତେ ଆଶା କରି ଯେତେ ତରତର ହୋଇ ପାଣି ଧାରଟାଏ ଧାଇଁଯାଉ, ଶେଷରେ ତା’ ପତ୍ତାବି ରଖିବ ନାହିଁ । କୁଆଡ଼େ ସେ ହଜିଯିବ ସେମିତି ସବୁ । କେମିତି ଏ ମଣିଷ ଜୀବନ ।’’

 

ଧୁର୍ବସିଂକୁ କ୍ଳାନ୍ତ ଲାଗୁଥାଏ । ମନହେଉଥାଏ, ବସିପଡ଼ନ୍ତି ଠାଏ । ବନ ଅରଣ୍ୟର ଗହଳି ଯୋଗୁଁ ଖରା ଜଣାପଡ଼ୁ ନଥାଏ । ଧନୁ ପଣ୍ଡିତ୍‌ ସେମିତି ତୁନିତାନି ଚାଲିଛ । ଧୁର୍ବ ସିଂ ତା’ ମୁହଁକୁ କଟମଟ କରି ଚାହିଁଲା, ଆଉ ଭାବିଲା, ‘‘ଏପରି କଅଣ ସମ୍ଭବ ନୁହେଁ ଯେ ହଠାତ୍‌ ଏଠି ଠାକୁରାଣୀ ୟା ଉପରେ ଉଭା ହେବେ ଆଉ ୟା ତୁଣ୍ଡରେ ପୁଣି କଅଣ ନୂଆ ଆଦେଶ କି ସମ୍ୱାଦ ଶୁଣାଇ ଦେବେ ?’’

 

ଠାକୁରାଣୀ କଥା ମନେ ପଡ଼ୁ ପଡ଼ୁ ଧୁର୍ବ ସିଂ ମନେପକାଇଲା ବାଘଖିଆ କଥା । ଠାକୁରାଣୀ ଧନୁ ପଣ୍ଡିତ୍ ଉପରେ ଅବତରି ଅଭୟବାଣୀ ଶୁଣାଇ ଦେଇସାରିଚନ୍ତି ସେ ନିଜେ ଶୁଣିଛି, ସେତେବେଳେକୁ ଆଉ ତା’ର ଭୟ ନାହିଁ । ସେ ଧରିନେଇଛି, ଏଥର ବାଘ ମରିବହିଁ । ଯେଉଁ ହତଭାଗା ହତଭାଗିନୀମାନେ ବାଘ ମୁହଁରେ ଯାଇସାରିଛନ୍ତି ସେ ତାଙ୍କର କଥା ଭାବୁଥାଏ । ‘‘ସେମାନେ ମରିବା ଆଗରୁ ହେଲେ ଠାକୁରାଣୀ ଦୟା କରିଥାନ୍ତେ ।’’ ସେ ଭାବିଲା ଓ ଦୀର୍ଘଶ୍ୱାସ ପକାଇଲା । ତାକୁ ଲାଗୁଥାଏ ସେମାନେ ସତେକି ଗୋଟି ଗୋଟି ହୋଇ ତା’ ଆଗରେ ଆସି ସିଧା ହୋଇ ଗୁହାରି କରୁଛନ୍ତି–‘‘ମୁଁ ଆଦୌ ମରିବାକୁ ଚାହିଁ ନଥିଲି ମୁଣ୍ଡିଆଳେ, ଓହୋ ! ଆହୁରି କେତେବର୍ଷ ବଞ୍ଚିଥାନ୍ତି । କି ଅନ୍ୟାୟ । କି ଅତ୍ୟାଚାର । କିପାପ ! ବିନା ଦୋଷରେବି । କେବେ କିଛି ଦୋଷ କଲି ବୋଲି କେହିହେଲେ ମତେ ଜଣାଇଥାନ୍ତା । ବିଚାରଣା କରାଇଥାନ୍ତା । କିଛି ନାହିଁ-। ହଠାତ୍‌ ଶୂନ୍ୟେ ଶୂନ୍ୟେ ତଣ୍ଟିରୁ ଧରି... । ଆମ ପିଠିରେ ପଡ଼ିଲା କିଏ ? ଠାକୁରଠାକୁରାଣୀ ତ ବୁଝିଲେ ନାହିଁ, କେବେ ପୂଜାଭୋଗ ଊଣା କଲୁଁ କି ? ଗାଁର ତୁ ମୁଣ୍ଡିଆଳ, ତୋ ଉପରେ ଆମର କେତେ ନିର୍ଭର, ତୁ ବା କଅଣ କଲୁ ।

 

କିଏ କୁଆଡ଼େ ଗଲେ ? ଧୁର୍ବକୁ ଲାଗିଲା ଏକା ଅଛନ୍ତି ସେ ଧନୁ ପଣ୍ଡିତ୍ । ଧନୁବି ଚାଲିଛି ନା ଚାଲିଛି ତୁଣ୍ଡରେ ପଦେକଥା ନାହିଁ । ଅଗନାଗ୍ନି ବନସ୍ତ ଭିତରେ ଅମଡ଼ା ମାଡ଼ି ଚାଲିଛନ୍ତି ମଣିଷ ଯୋଡ଼ିଏ । ଆଉ କାହା ସୋର ଶବ୍ଦବି ନାହିଁ । ତା’ର ମନହେଉଥାଏ ସେ ଆଉ ଚାଲନ୍ତା ନାହିଁ ଅଟକି ରହନ୍ତା । ନହେଲେ ଫେରିଯାଆନ୍ତା–ଯଦିଚ ଫେରିବାବି ହଠାତ୍‌ ସମ୍ଭବ ହେବନାହିଁ । ବହୁତ ଆଡ଼ ଖୋଜିବାକୁ ପଡ଼ିବ ବାଟ ପାଇବାକୁ । କିନ୍ତୁ ନିଶାରେ ମାତି ଚାଲିଲା ପରି ଧପାଲିଛି ଧନୁ ପଣ୍ଡିତ୍ । ବେଳେବେଳେ ଲାଗୁଛି । ସେ ଠାକୁରାଣୀଙ୍କ ପ୍ରତିକ । ଛାତି ଚାଉଁ କରୁଛି । ଲାଗୁଛି–ତା’ ପଛେ ପଛେ ଯିବାକୁ ସେ ବାଧ୍ୟ । ପଡ଼ିଲା ଆହୁରି ଘଞ୍ଚ ଅରମା, ଶାଳଗଛମାନଙ୍କ ଉପରେ କଅଣ ଲଟାଗୁଡ଼ାଏ ଲଦା ହୋଇଛି । ସାନ ସାନ ହୋଇ ଧଳା–ମାଟିଆ ବର୍ଣ୍ଣର ଫୁଲ ଫୁଟିଛି । ପେନ୍ଥା ପେନ୍ଥା ବାଘ ଦେହର ଗନ୍ଧ ପରି ଫୁର୍କୁଟିଆ ତା’ ଗନ୍ଧ । ହଠାତ୍‌ ତା’ ଭିତରୁ ଝକି୍‌ କରି କଅଣ ଗୋଟାଏ ହଳଦିଆ ଆଲୁଅ ଡେଇଁଲା ପରି ଧନୁ ପଣ୍ଡିତ୍‌ ଦେଖିଲା । ବୁଲିପଡ଼ି ପଛକୁ ଚାହିଁଲା ଧୁର୍ବ ସିଂ ସେଠି ନାହିଁ । ଆରପାଖ ଲଟା ଅରମା ଭାରି ଜୋର୍‌ରେ ହସି ଉଠିଲା । ତା’ ଭିତରୁ ଗୋଟିଏ ବିକୃତ ଶବ୍ଦ ଶୁଭିଲା । ତା’ପରେ ସବୁ ବନ୍ଦ ହେଲା । ଧନୁ ପଣ୍ଡିତ୍‌ ଗଛ ଉପରେ ଛଢ଼ି ପାଟି କଲା ‘‘ଧାଇଁପଡ଼ ଧାଇଁପଡ଼ ’ ଧୁର୍ବମୁଣ୍ଡିଆଳକୁ ବାଘ ନେଇଗଲା ।’’

 

ବାରମ୍ୱାର ଡାକହାକ ପରେ ବାଜା ଶୁଭିଲା । ପାଟି ଶୁଭିଲା । ଲୋକେ ଧାଇଁ ଆସିବା ଜଣାପଡ଼ିଲା । ଧନୁ ପଣ୍ଡିତ୍ ଚାରିଆଡ଼ ସତର୍କ ହୋଇ ଚାହିଁଲା । ତା’ପରେ ଓହ୍ଲାଇ ପଡ଼ିଲା । ସେ ମନେ ମନେ ଯୁକ୍ତି କରିନେଲା ବାଘ ଆଉ ଯେଉଁଠି ଥାଉ ଅନ୍ତତଃ ଏଠି ନଥିବ । ଧୁର୍ବମୁଣ୍ଡିଆଳକୁ ଘୋସାରି ଟେକି ବଣ ଭିତରେ କୁଆଡ଼େ ଚାଲିଗଲାଣି ।

 

ଧନୁ ପଣ୍ଡିତ୍‍କୁ ଦେଖିଆସିବା ଲୋକେ କାଠ ପରି ଠିଆ ହେଲେ । ଆଉ ଯେ ଯେଉଁଠି ଥାନ୍ତୁ, ସେମାନେ ପ୍ରାୟ କୋଡ଼ିଏ ପଚିଶ ଜଣ ଲୋକ ସଙ୍ଗରେ ବାଇଦ ଅଛି, ଧନୁଶର, ଖଣ୍ଡା, ବର୍ଚ୍ଛା, ଟାଙ୍ଗିଆ ସମସ୍ତଙ୍କ ପାଖେ ଅଛି । ହଠାତ୍‌ କିଏ ନିଘାକଲା ଲଟା ଗୁରମ ଉପରେ ରକ୍ତ ପଡ଼ିଛି-। ଟୋପା ଟୋପା ନୁହେଁ, ବଡ଼ ଅରାଏଲେଖାଁ, ପୁଣି ଧାର ପଡ଼ିଲା ପରି । ଗୋଟିଏ ବୁଦା ଉପରେ ଧୁର୍ବସିଂ ମୁଣ୍ଡିଆଳଙ୍କର ନାଲି ପଗଡ଼ିଟି ଥୁଆ ହୋଇଛି ।

 

ଧୁର୍ବସିଂ ଏ ସଂସାର ଛାଡ଼ି ଚାଲିଯିବାର ଚାକ୍ଷୁଷ ପ୍ରମାଣ ଦେଖିଲାମାତ୍ରେ ସେମାନଙ୍କ ଛାତିରେ ଛାନିଆଁ ପଶିଗଲା, କୋକୁଆ ଭୟ ବ୍ୟାପିଲା ସେମାନେ ଧୁର୍ବସିଂର ମଢ଼ ଖୋଜି ଯା’ନ୍ତେ କଅଣ, ମାଘ ମାରନ୍ତେ କଅଣ, ଓଲଟି ନିଜ ନିଜ ମୁହଁରୁ କଳାପାଣି ବୋହି ପଡ଼ିଲା ।

 

ଭୟ । ଅତି ଆଦିମ ଅତି ସୁଲଭ ସହଜ ସ୍ୱାଭାବିକ ବାସ୍ତବତା । କାହାଠିଁ ସେ ଅବତରିଲେ ନିଜେ ସେ ହୁଏ ସଷ୍ଟା, କେତେ ସ୍ୱପ୍ନ କେତେ କଳ୍ପନା କେତେ ବିଚାର ପୁଣି କେତେ ଆଚାର ସୃଷ୍ଟି କରି ପଳାଏ । ଏକାଠି ଏତେ ଲୋକ–ଜଣକ ଆଗରେ ପିଠିରେ ଦି’ କରରେ ଆଉ ଜଣେ ହେଲେ ଠିଆ । କିନ୍ତୁ ଭୟର କିମିଆଁ ନଦି, ପ୍ରତ୍ୟେକେ ସତେଅବା ଅଲଗା ଅଲଗା । ନିଜଠୁଁ ଭୟର ଡୋରିକୁ ଅନୁଭବ କଲା ପରେ ଆଉ କୌଣସି ବସ୍ତୁକୁ, ପ୍ରାଣୀକୁ, ଭାବକୁ, ଅନୁଭବ କରିବାକୁ ଦାୟିତ୍ୱବି ନାହିଁ । ଝୁଲୁଥାଉ ଧନୁ, ଟାଙ୍ଗିଆ, କାତୀ, ବୁହା ହୋଇଥାଉ ଖଣ୍ଡା, ବର୍ଚ୍ଛା, ଠେଙ୍ଗା, ଏଣିକି ସେଗୁଡ଼ାକ ନିରର୍ଥକ ଅଦରକାରୀ ବୋଝ ଖାଲି ଏତିକି ଯେ ବୋହିବାକୁ ପଡ଼ିବ ଭାଗ୍ୟ ।

 

ଧୁର୍ବ ମୁଣ୍ଡିଆଳ ପାଇଁ ସେମାନେ ଶୋକ କରିବାକୁବି ଭୁଲିଯାଇଥିଲେ ।

 

ବଣରୁ ପଦାଙ୍କ ବାହାରି ଯିବାକୁ ଲୋଡ଼ୁଛନ୍ତି । କିନ୍ତୁ ଆସିଲାବେଳେ ସେକଥା ବିଚାରି ନଥିଲେ । ସବୁଠି ଗଛ, ଯାହା ବା ପୂର୍ବେ ଯେଉଁଠି ଚିହ୍ନା ଚିହ୍ନା ଥିଲା ବରଷା ଚତୁର୍ମାସ୍ୟା ବିତିଗଲା ପରେ ଶଙ୍କୁ ନିଶ୍ଚିହ୍ନ ହୋଇଛି, ଅରମା ମାଡ଼ିଛି । ସେମାନେ ଅନ୍ଧ ପରି ମାଡ଼ି ଯାଉ ଯାଉ ହଠାତ୍‌ ଠାଏ ଉଲଟ ଫୁର୍କୁଟିଆ ବାଘ ଗନ୍ଧ ହେଲା, ତା’ପରେ ବଣ ଉହାଡ଼ରୁ ବାଘ ରଡ଼ି ଶୁଭିଲା, ତୁହାଇ ତୁହାଇ– ଦୂରେଇ ନୁହେଁ, ପାଖରେ କେଉଁଠି, ଆଉ ଏକ ହୋଇଥିବ । ଦଳଟି ଛିନିଛତର ହୋଇ ପ୍ରାଣ ବିକଳରେ କିଏ କୁଆଡ଼େ ପଳାଇଲେ ।

 

ସେଦିନର ଦୁର୍ଭାଗ୍ୟ ସେତିକିରେ କଟିଗଲା ନାହିଁ । ଧନୁ ପଣ୍ଡିତ୍ ଧାଉଁ ଧାଉଁ ଝୁଣ୍ଟି ଖଣ୍ଡିଆ ହେଲା, ଏକୁଟିଆ ଧୀରେ ଧୀରେ ଛୋଟେଇ ଛୋଟେଇ ଚାଲିଥାଏ, ଏତିକିବେଳେ କୁଆଡ଼ୁ ତୀର ବେଗରେ ଧାଇଁ ଆସିଲା ଅଣ୍ଡୀରା ବାରହାଟା, ହବୋଡ଼ିଗଲା, ଧନୁ ପଣ୍ଡିତର ଡାହାଣ ଜଙ୍ଘ ଚିରି ହୋଇଗଲା, ହାଡ଼ ଭାଙ୍ଗିଗଲା, ସେ ଓଲଟିପଡ଼ି ଛଟପଟ ହୋଇ ଚିତ୍କାର କଲା ତଥାପି ତା’ର କପାଳ ଥିଲା, ବାର୍‍ହା ତାକୁ କାମୁଡ଼ିଲା ନାହିଁ, ଆଉ ଭୁଷିଲା ନାହିଁ, ଦଳିଲା ନାହିଁ ତା’ ବାଟରେ ସେ ଚାଲିଗଲା, କୁଆଡ଼େ ଲୁଚିଗଲା ।

 

ବାହ୍ମୁଣୀଦେଈ ଠାକୁରାଣୀଙ୍କ ଆସ୍ଥାନ ପାଖକୁ ଲୋକେ ଧନୁ ପଣ୍ଡିତ୍‍କୁ ବୋହି ଆଣିଲେ, ଲହୁଲୁହାଣ ଦେହ ଅବଶ ହୋଇ ବେକ ଭାଙ୍ଗିପଡ଼ିଥାଏ । ‘‘ମା’’ ତୋର ଇଚ୍ଛା । ‘ମା ତୋର ଦୟା ।’’ ସେମାନେ କହିଲେ, ଖଟିଆରେ ପକାଇ ତାକୁ ଉଠାଇ ଘେନି ଗାଁକୁ ଚାଲିଲେ’ ଚେର ମୂଳିକା ଦେଇ ଆଦିବାସୀଙ୍କ ଚାଁ ବଇଦ ଲାଗିବେ, ତେଣିକି ତା’ ଭାଗ୍ୟ ।

 

‘କିଏ ଜାଣିପାରିବ ଠାକୁର ଦେବତାଙ୍କ ମନ, ଠାକୁର ଦେବତାଙ୍କ କୋପର କାରଣ ? ଗାଁ ଲୋକେ କୁହାକୋହି ହଉଥାନ୍ତି, ‘‘ନିଶ୍ଚୟ ଗାଁ ମୁଣ୍ଡିଆଳ ଓ ଧନୁ ପଣ୍ଡିତ୍ କିଛି ଅନ୍ୟାୟ କଲେ ।’’

 

ଏତେ ଲୋକ,–ଲେଡ଼େଂ ଉପତ୍ୟକାର ସବୁ ଲୋକ–ତୋଫାନ ଉଠିଲା ପରି ମାତି ଉଠିଲେ ବାଘ ମାରିବେ, ଦେଶକୁ, ବସ୍ତିକୁ, ବଣକୁ ନିଶଙ୍କ କରିବେ ବୋଲି’ ଏତେ ଟାଣ କରି କଥା କହିଥିଲେ, ସବୁ ପଲ୍ଲୀରେ ପୁଣି ବଡ଼ ଗାଁରେ ତୁହାଇ ତୁହାଇ ସଭା କରିଥିଲେ,–ସେକଥା ଆଉ ସେମାନେ ମନେପକାଇବାକୁ ସୁଦ୍ଧା ଲୋଡ଼ୁନାହାଁନ୍ତି ତାଙ୍କୁ ଯେ ମତେଇ ଥିଲେ ସାହାସ, ଅଭୟ ଦେଇଥିଲେ ଧନୁ ପଣ୍ଡିତ ଧୁର୍ବ ମୁଣ୍ଡିଆଳ’–ଜଣେ ମୃତ, ଜଣେ ସୁକୁ ସୁକୁ ତଥାପି ଲେଡ଼େଂ ଗାଁର ଲୋକଙ୍କ ବିଚାରରେ ସେମାନେ ଦୋଷୀ, ନିଶ୍ଚୟ ସେମାନେ ଅନୀତି କରିଥିଲେ, ନହେଲେ କଅଣ ଦେବତା କୋପ କରିଥାନ୍ତା ?

 

‘‘ସେମାନେ କେଡ଼େ ପାଗଳ, ହୁଣ୍ଡା ଦେଖ ଗାଁଯାକ ଲୋକଙ୍କୁ ମତାଇ ମଣିଷଖିଆ ବାଘ ମୁହଁକୁ ଅଗନାଗ୍ନି ବନସ୍ତ ଭିତରକୁ ନେଇଗଲେ ବାଘ ଶିକାର କଅଣ ସେମିତି ହୁଏ ? ବନ୍ଧୁକ ଥିଲା ତାଙ୍କ ହାତରେ ? ଦାନ୍ତ ନଖ ସିନା ବାଘଠି ଆପେ ଆପେ, ବପୁ ଆଉ କୌଶଳ, ଆମଠୁ କଅଣ ? ବାଘ ଗୋଡ଼େଇ ଆସିଲେ ପଳାଇବାକୁ ସେମାନେ ଉଭୟ ପାଞ୍ଚିଥିଲେ ? ଆମ କପାଳ ଜୋର୍‌ରେ ଆମେ ସିନା ବର୍ତ୍ତଲୁଁ, ବାଘ ମୁହଁରେ ପଡ଼ିଥିଲେ ସେ ରକ୍ଷା କରିଥାନ୍ତେ ?’’

 

ଜଣେ ନୁହେଁ, ଶହେ ଜଣ ହଜାରେ ଜଣ ସମସ୍ତେ–ଏକାଠି ହେଲେ ତୁନି ତୁନି ହୋଇ ସେହି ଆଲୋଚନା,–ସେମାନେ ବଞ୍ଚିଛନ୍ତି–ଏତିକି ସତେ ଯେପରି କି ତାଙ୍କ କୃତିତ୍ୱ ଓ ଗୌରବ । ଧେଡ଼ ପଡ଼ୁ ଗୋରୁ ଗାଈଙ୍କର ହାଡ଼, ଗଣି ହେଉ’ ସେମାନେ ଢଲିଲେ ନାହିଁ । ନିଜେ ରହନ୍ତୁ ପଛେ ଉପାସ’ଯେଡ଼େ ଅସୁବିଧା ହେଉ, ଗାଁ ଛାଡ଼ି ସେମାନେ ଆଉ କୁଆଡ଼େ ଗଲେ ନାହିଁ । ବାଘୁଣୀ ଉଲ୍ଲାସରେ ତୁହାଇ ତୁହାଇ ରଡ଼ିଲା, ସେ ଯାହାଆଗେ ବଣ ଭିତରେ ରହିଥିଲା । ଏଣିକି ଗାଁମାନଙ୍କ ପାଳି ପାଳି ବୁଲିଲା । ଯେତେବେଳେ ପିଣ୍ଡାରେ ଥାଇ ଦିନବେଳେ ଲୋକେ ଦେଖନ୍ତି, ଗାଁ ବସ୍ତି ସେକରେ ଖୋଲା କ୍ଷେତ୍ର ଉପରେ ବାଘୁଣୀ ତା’ ପୁଅ ଦୁହିଁଙ୍କୁ ଘେନି ବୁଲୁଛି । ବାଘୁଣୀର ରଡ଼ିରେ ଗଛରୁ ଉଇ ଝରିପଡ଼େ ଶୁଖିଲାପତ୍ର ଝରିପଡ଼େ । ପ୍ରକୃତରେ ବାଘୁଣୀ ରଡ଼ି ଛାଡ଼ୁଥାଏ ଖାଦ୍ୟ ମିଳୁ ନାହିଁ ବୋଲି’–ଗୋରୁଗାଈ ଗୁହାଳରେ ବନ୍ଧା ହେଲେ, ମଣିଷ ରହିଲେ ଗାଁ ଭିତରେ ବଣର ଜନ୍ତୁ କିଏ କେଉଁଠି ଲୁଚିଲେ’ ସେମାନେବି ଧାଇଁ ପଳାଇବା ଜନ୍ତୁ’ କେହି ମଧ୍ୟ ଗୋଜା ଗୋଜା ସିଂଘ ଥିବା ଜନ୍ତୁ ବାଗରେ ଧରିବାକୁ ପଡ଼େ’ ମନ ଇଚ୍ଛା ନୁହେଁ–ବାଘୁଣୀର ବୋଧହୁଏ ଅଭିଯୋଗ’–‘‘ସାନ ସାନ ପିଲା ଦି’ଟାକୁ ଘେନି କୁଆଡ଼େ ମୁଁ ଖାଦ୍ୟ ପାଇଁ ଧାଇଁଥିବି ? ତା’ରବି ଦୃଢ଼ ଦାବୀ–ମୁଁ ବାଘ ମତେ ଖାଦ୍ୟ ମିଳୁ ।’’

 

ଲେଡ଼େଂ ଲୋକଙ୍କ ଶାନ୍ତ ସୁବୋଧ କୁହାର ବୋଲର କବାଟକିଳା ନିରାପତ୍ତାକୁ ଦୋହଲାଇ ହଠାତ୍‌ ଖବର ଆସିଲା, ରାତିରେ ଶୋଇଥିଲାବେଳେ ଘର ଭିତରୁ ବାଘ ଆସି ମଣିଷ ଧରିନେଇ ଚାଲିଯାଉଛି । ସେମାନଙ୍କର ଇଟାକାନ୍ଥ ନୁହେଁ, କି ପଥର କାନ୍ଥ ନୁହେଁ ଝାଟିମାଟି କାନ୍ଥ ବାଘ ଆସେ କାମୁଡ଼ି କାମୁଡ଼ି ଆମ୍ପୁଡ଼ି ଆମ୍ପୁଡ଼ି ସିନ୍ଧି କାଟେ, ବଡ଼ କଣା କରେ, ଭିତରେ ପଶି କାମୁଡ଼ି ନେଇ ପଳାଏ । ଆଶ୍ଚର୍ଯ୍ୟ ବା ସାହାସ କି ଦୁଃସାହସ, ତା’ କୁଟବୁଦ୍ଧି । ଗୁହାଳ ଭାଙ୍ଗିବାକୁ ସେ ମନକରେ ନାହିଁ, ତା’ କାରଣ ବୋଧହୁଏ ଏତିକି ଯେ ଗୁହାଳ କାନ୍ଥରେ ମୋଟ ମୋଟ ଶାଳଖୁଣ୍ଟ ପୋତା ହୋଇଥାଏ,–ଅଥବା ମଣିଷ ମାଂସଇଁ ତା’ର ପସନ୍ଦ ।

 

ଆପଣା ଘରବି ନିରାପଦ ନୁହେଁ । ତେବେ ଉପାୟ ?

 

ଲେଡ଼େଂର ଲୋକେ ରାଗିଲେ, ଅଭିମାନ, କଲେ ଶୋକ କଲେ ନିରାଶ ହେଲେ, କିନ୍ତୁ ସହିବା ଛଡ଼ା ଅନ୍ୟ କିଛି ଉପାୟ ତାଙ୍କୁ ଦିଶୁଥାଏ । ଅଥଃ–ସାଧାରଣ ଅଣଆଦିବାସୀକୁ ସେ ଅବସ୍ଥା ଯେତିକି ବାଧିଥାନ୍ତା ସେମାନଙ୍କୁ ତାଠୁଁ ବେଶୀ ବାଧୁଥାଏ,–ସାଧାରଣ ଅଣଆଦିବାସୀ ଏ ଘଟଣାରୁ ଦେଖିଥାନ୍ତା ଆପଣା ନିରାପତ୍ତା ପ୍ରତି ବିପଦକୁ । ଲେଡ଼େଂର ଆଦିମ ଅଣଆଦିବାସୀ ଲୋକ ତା’ ତ ଅନୁଭବ କଲେ, ପୁଣି ଅନୁଭବ କଲେ ଅପମାନ । ବାଘ ହେଉ କି କୁକୁର ହେଉ, ଜନ୍ତୁଟିଏ ସେମାନଙ୍କ ଆଖିରେ ଖାଲି ଜନ୍ତୁ ନୁହେଁ, ସେମାନେ ତାକୁ ମଣିଷପରି ଭାବନ୍ତି, ତା’ କାମକୁ ନ୍ୟାୟ ଅନ୍ୟାୟ କଣ୍ଠରେ ତଉଲନ୍ତି । ତେଣୁ ୟେ ଯାହା ହେଲା,–ତାଙ୍କ ଆଖିରେ ୟେ ବୁଦ୍ଧିହୀନ ବିବେକ ଚେତନାହୀନ ଜନ୍ତୁର ପାଶବିକତା ନୁହେଁ ୟେ କୁଚକ୍ରୀ ନୃଶଂସ ଦୁଷ୍ଟ ପାପୀ, କରୁଥିବା ଅତ୍ୟାଚାର ତାଠିଁ ନଖ ଅଛି ଦାନ୍ତ ଅଛି ବଳ ଅଛି ଶକ୍ତି ଅଛି ବଳର ତେଜରେ ସଜାଇ ହୋଇ ସେ ଠିଆ ହୋଇଛି, ଦେଖିପକାଇଲେ ମଣିଷ ଛାନିଆଁ, ତା’ ଗର୍ଜନ ଶୁଣିଲେ କେହି କେହି ବେହୋସ, ତେଣୁ ତା’ ଅନ୍ୟାୟ ଅଦୋଉତି ସହିବାକୁ ହେଉଛି, ହେଉଥିବ ।

 

ମେଳି ହୋଇ ପଦାକୁ ବାହାରିବାକୁବି ତାଙ୍କର ସାହସ ହେଉ ନଥିଲା; ତା’ ବିଷୟରେ ବଡପାଟିରେ କିଛି କହିବାକୁବି ଡ଼ର ମାଡ଼ୁଥାଏ, କାଳେ ସେ ଶୁଣିପକାଇବ । ବାଘଟା ପଶୁଟାଏ,–ସେଇଟା କଅଣ ମଣିଷଙ୍କୁ ବୋଲି ବୁଝିପାରିବ ? କିନ୍ତୁ ସେମାନେ ସେପରି ଭାବୁନଥିଲେ ସେ ତାକୁ ଭାବୁଥିଲେ ଗୋଟାଏ ମଣିଷ ପିଶାଚ ଭଳି, କି ମଣିଷଠୁଁ ଆହୁରି ସିଆଣିଆ । ତାଙ୍କର ତ ବିଶ୍ୱାସ ତାଠିଁ ଦେବତାପଣବି ଅଛି,–ଦେବତାର ଦୟାକରିବା ଗୁଣ ନୁହେଁ, ଅସାଧ୍ୟ ସାଧନ କରିବା ଗୁଣ, ତେଣୁ କାହାକୁ ଦେବତା ପର୍ଯ୍ୟାୟରେବି ରଖାହୁଏ, ମଝିରେ ତା’ ମୂର୍ତ୍ତିଗଢ଼ି ସେଠି ‘ପୂଜା’ ଦିଆଯାଏ-

 

କିନ୍ତୁ କାନକୁ କାନ ଫୁସ୍‌ ଫୁସ୍‌ ହୋଇପଡ଼ିଥିଲା ତା’ ପୈଶାଚିକ ଅନ୍ୟାୟ ଅପକୀର୍ତ୍ତିର ନିନ୍ଦା ଆଲୋଚନା । ଏଁ । ହତ୍ୟା ତ’ ହତ୍ୟା ପର ଘରେ ଅନ୍ୟାୟ–ପ୍ରବେଶ, ବଳାତ୍କାର ପ୍ରବେଶ, ସେଠୁ ନିର୍ଦ୍ଦୋଷ ମଣିଷକୁ ହଠାତ୍‌ ଉଠେଇନେଇ ଛୁ । ଛି ଛି ଛି ଛି । ବାଘ୍‌ ଦେବତା । କି ଅନ୍ୟାୟ । ‘‘ତୁମେ ଆମେ ଭାଇ ଭାଇ’’ ସେମାନେ ଯୁକ୍ତି କରୁଥିଲେ, ‘‘ଚେହେରା ସିନା ଭିନେ,–କିନ୍ତୁ ତୁମେ ବଡ଼, ତୁମଠିଁ କେତେ ବପୁ, କେତେ ଗୁଣ, ସେଥିପାଇଁ ଆମେ ତୁମକୁ ପୂଜା କରୁଁ । ତୁମେ ସିନା ବଣ ଜଗିବ, ଆମ ଶତ୍ରୁଙ୍କୁ ପୂରେଇ ଦେବନାହିଁ, ଆମକୁ ପାଳିବ, ତୁମ ଖାଦ୍ୟ ପାଇଁ ବଣଯାକର କେତେ ଜନ୍ତା । ଓଲଟି ତୁମେ ଏଡ଼େ ଦୁର୍ନିଆ ହେଲ ।

 

ମଣିଷ ଯେଡ଼େ କାକୁର୍ତ୍ତି (ଗରିବ) ହେଉ, ବାଟ ଚାଲିବାକୁ, କାମ କରିବାକୁ;–ସମସ୍ତିଙ୍କର ସବୁକାଳେ ଅଧିକାର, ପଦାରେ କାମ ନକଲେ ପେଟକୁ ଖାଦ୍ୟ ନଆସେ । ତୁମେ ଆମଠୁ ସେ ଅଧିକାର କାଢ଼ିନେଲ, ତୁମ ଡରରେ ବାଟ ପଡ଼ିଗଲା ।

 

ଆମେ କଥା କହିବାକୁ ଡରଲାଗୁଛି, ତୁମେ ଧାଇଁଆସି ଶଂଖି (ତଣ୍ଟି)ରୁ ଧରିଦେବ ପରା-। ଦାଣ୍ଡକୁ ବାହାରିଲେବି ତୁମ ହାବୁଡ଼େପଡ଼ିବା ଡର, ତୁମ ଦାଉରେ ସେଠିବି ରକ୍ଷା ନାହିଁ । ଆଉ ଗୋଟିଏ ଜାଗା ଥିଲା,–ଘର କଅଣ ।

 

ଏ ସଂସାରରେ ଯେତେ ପ୍ରାଣୀ, ସମସ୍ତେ ଆପଣାର ବୋଲି କେଉଁଠି ବାସ ଖଣ୍ଡେ ବାନ୍ଧନ୍ତି, କିଏ ଭୂଇଁରେ ଗାତଟିଏ କରେ, କିଏ ଗଛଡାଳରେ ବସାଟିଏ ବାନ୍ଧେ, କିଏ କୁଡ଼ିଆ ଖଣ୍ଡିଏ ତୋଳେ । ଘରର ବାଟ ଚୁଣ୍ଟିଲେ ଯେଝା ଘରେ ଯେ, ପଦାଲୋକ ଆଖି ପକାଇବାକୁବି କେହି ନାହିଁ-। ନିଜ ଘର ଭିତରେ ମଣିଷ ନିଜେ ରଜା, ସେଠି ସେ ତା’ ଭାରିଜା, ତା’ ପିଲା, ତା’ କୁଟୁମ୍ୱ, ମନ ଇଚ୍ଛା ଯାହାକରୁ, କେହି ଡରାଇବାକୁ ନାହିଁ । ତା’ ଘରେ, ତା’ ଘରଦେବତା ଜଗିଥିବ, ତା’ ପିତୃପୁରୁଷ ଜଗିଥିବେ, ସେ ଶାନ୍ତିରେ ଶୋଇବ ! ତୁମେ କୁଆଡ଼ୁ ନାଇଁ କୁଆଡ଼ୁ ଦୁନିଆଁ (ଅନୀତିପରାୟଣ) ଦାତର୍‌ (କପଟୀ, ଠକ) ପଟ୍‌କର୍‌ (ଅସତ୍‌) ବାଘ ଦେବତା ଆଇଲ ଯେ ଆପଣା ଘରେ ନିଡ଼ରୁଆ ହୋଇ ଶାନ୍ତିରେ ଶୋଇବା ଅଧିକାରବି ତୁମେ ଆମର ଛଡ଼େଇନେଲ । ଘରର ଆଉ ଗୁମର୍‌ ନାହିଁ, ଅଭୟ ନାହିଁ, ବିଶ୍ୱାସ ନାହିଁ, ଆଶ୍ରା ନାହିଁ । ରାତି ରାତି କାହା ଘରଭିତରୁ କେତେବେଳେ କାହାକୁ ଓଟାରିନେବ ଯେ ଆଗରୁ ଜାଣିବି ହେବନାହିଁ । ଛି ଛି ଛି କି ଅଧର୍ମ’’ ।

 

ନିଜ ଭିତରେ ବାଘକୁ ଯେତେ ଗାଳିଦିଅନ୍ତୁ, ଛାନିଆଁ ତୁଟେ ନାହିଁ । ଲୋକେ ରାତି ରାତି ଘର ଭିତରେ କାଠ ଜାଳି ନିଆଁ ପୁଉଁଥାନ୍ତି, ଉଜାଗର ହୋଇ ବସିଥାନ୍ତି, ଝାଡ଼ା ପରିସ୍ରା ମାଡ଼ିଲେବି ପଦାକୁ ବାହାରନ୍ତି ନାହିଁ, ସବୁସେଇ ଘର ଭିତରେ, ପଛେ ଦିନ ହେଲେ ସଫାସଫି ହେଉଥାଉ । ଟିକିଏ କେଉଁଠି ଖୁଡ଼୍‍କିନା ଶବ୍ଦ ହେଲେ ଘର ଭିତରୁ ଗୋଠକଯାକ ମଣିଷ ବଡ଼ପାଟିରେ ହାଉଳି ଛାଡ଼ନ୍ତି, ଆଶା ସେ ଶବ୍ଦ ଶୁଣି ବାଘ ପଳାଇବ,–ତାଙ୍କ ଆର୍ତ୍ତଚିତ୍କାର ଶୁଣି ପଡ଼ିଶାଘର ଲୋକେବି ସୋରଶବ୍ଦ କରନ୍ତି ନାହିଁ ।

 

ଏତେ ସତର୍କତା କରି ସୁଦ୍ଧା ଘଟଣା ଅଟକେ ନାହିଁ କେତେବେଳେ ଲେଡ଼େଂ ଗାଁର କେଉଁ ପଲ୍ଲୀ ‘ଗୁଡ଼ା’ରେ ରାତିରେ ପୁଣି କାହାଘରୁ ବାଘୁଣୀ ମଣିଷ ନେଇଯାଏ । ସ୍ଥାନେ ସ୍ଥାନେ ଦିନବେଳେ ଦିଶେ, ଗାଁ ଦାଣ୍ଡରେ ତା’ ପାହୁଲ ପଡ଼ିଛି ।

 

ଶୀତ ଆହୁରି ବଢ଼ିଲା, ତା’ ସଙ୍ଗେ ସଙ୍ଗେ ବାଘ ଉପଦ୍ରବବି । କ୍ରମେ ଏପରି ହେଲା ଯେ ରାତି ହୋଇଥାଉ କି ଦିନ ହୋଇଥାଉ, ମଣିଷ ଘରେ ଶୋଇଥାନ୍ତୁ କି ଦିନଓଳିଏ ଗାଁ ତଳ ଝରଣାରୁ ପିଇବାପାଣି ବୋହି ଘରକୁ ଫେରୁଥାନ୍ତୁ, ମଣିଷ ଜଣେ ଥାଉ କି ଦଳେ ଥାଆନ୍ତୁ, ହଠାତ୍‌ କୁଆଡ଼ୁ ବାଘୁଣୀଟା ବାହାରି ପଡ଼ି ଝାମ୍ପ ମାରି ଗୋଟାକୁ ଉଠାଇନେଇ ଚାଲିଯିବ, ‘‘ନେଲା ! ନେଲା !’’ ରଡ଼ିରେ ଗଗନ ଫାଟୁଥାଉ, ହାରି ଗୁହାରି ନାହିଁ । ମୃତ୍ୟୁ ଏପରି ସେ ବାଘବି, ଯାହାକୁ ମନକଲା ତାକୁ ନେବ ତା’ ଆଗରେ ନିଜର ଇଚ୍ଛା ଉପରେ, ମତ ଉପରେ, ଜୀବନ ଉପରେ ଅଧିକାର କାହାରି ବୋଲି ନାହିଁ । କ୍ରମେ ଲେଡ଼େଂ ଯାକ ଘରେ ଘରେ ସମସ୍ତିଙ୍କଠୁଁ ଏହି ଧାରଣା ସତେ ଯେପରିକି ଆଚାରରେ ଲୁଣ ଚରିଲା ଭଳି ଭେଦିଗଲା । ସେମାନେ ଭାଗ୍ୟକୁ ମୁଣ୍ଡ ନୂଆଇଁ ଦେଇ ପଦାକୁ ବାହାରିଲେ, ଧୀରେ ଧୀରେ ବୁଲ୍‌ ଚାଲ୍‌ ହେଲେ, କନ୍ଦା ଖୋଳି ବଣକୁବି ଗଲେ, ଫସଲ ଦେଖିବାକୁ ଜଗିବାକୁ କ୍ଷେତକୁ ଚାଲିଲେ । ସେମାନେ ଜାଣନ୍ତି, ହଠାତ୍‌ କେତେବେଳେ କେଉଁ ବୁଦା ଉହାଡ଼ରୁ ବାଘୁଣୀ କୁଦାମାରିବ କହି ହେବନାହିଁ, ଆସିଲାବେଳେ ଯାହା ସଙ୍ଗେ ଦେଖା ନହୋଇପାରେ, କିନ୍ତୁ ତଥାପି ଅନ୍ୟ ଉପାୟବି ନାହିଁ ।

 

ଧୁର୍ବସିଂକୁ ବାଘ ଖାଇଲାପରେ ଲେଡ଼େଂର ମୁଣ୍ଡିଆଳ ହୋଇଥାଏ ଯୁବକ ଯୋଗୀ ସିଂ, ଧନୁ ପଣ୍ଡିତ୍, ବାରହିଆ ଆକ୍ରମଣରେ ଅକାମୀ ହୋଇ ଘରେ ପଡ଼ିରହିଥାଏ, ତେଣୁ ଠାକୁରାଣୀ ପୂଜକ ହୋଇଥାଏ ଯୁବକ ସୁନୁ ପଣ୍ଡିତ । ନୂଆଗାଁ ମୁଣ୍ଡିଆଳ ଓ ନୂଆ ପୂଜକ ପୁରୁଣା ବିଧିମାନି ଗାଁର ପୂଜାଉଝା କରାଇଲେ ସମାଜ ଚଳାଉଥାନ୍ତି, ଯୁବକ ହେଲେ ସୁଦ୍ଧା ବିଚାରରେ ସେମାନେ ସେହି ପୁରୁଣା ଓ ବୁଢ଼ା, ଲୋକଙ୍କୁ ଚଳାଇବାକୁ ତାଙ୍କ ଆଖିଆଗରେ ସେହି ପୁରୁଣା ବିଶ୍ୱାସର ବାଟ ଯେପରି ଯୁଗେ ଯୁଗେ ତାଙ୍କ ପୂର୍ବପୁରୁଷମାନେ ଦେଖିଥିଲେ ।

 

ବାଘ ଖିଆ ବିଷୟରେ ସେମାନେ ଲୋକଙ୍କୁ ବୁଝେଇଲେ, ‘‘ସବୁତ ମହାପୁରୁ କରିବା କଥା ତା’ର ମନ, ମଣିଷର କଅଣ ଚାରା ଅଛି ? ମାହାପୁରୁ କରେ ‘ଯୋଗ’ । ‘ଯୋଗ’ ଆସିଲେ ମଣିଷ ମରେ, ଘରେ ଥିଲେବି ମରେ, ବଣରେ ଥିଲେବି ମରେ, କେହି ରକ୍ଷା କରିପାରିବେ ନାହିଁ । ଆଉ ମରିବାଟା ବା କଅଣ କଥା ? ପୁରୁଣା ଦେହଟା ଯିବ, ନୂଆ ଦେହ ଧରି ଜନ୍ମ ହେବ, କେହି କଅଣ ପ୍ରକୃତରେ ମରେ ? ନା ! ବାଘର ଯୋଗ ଥିଲେ ଆମର ଏ ଦେହଟାକୁ ଖାଇଦେବ, ସେଇଠୁ ଆମର ଯୋଗ ପଡ଼ିବ ସେ ଆଉ ଗୋଟିଏ ନୂଆ ଦେହ ଧରି ଜନ୍ମ ହେବ ।’’

ଖାଲି ଆଖିବୁଜି ସହିଯିବାକୁହିଁ ଉପଦେଶ,–ଆସୁ ଯେତେ ବିଧା ଗୋଇଠା, ନିନ୍ଦା ଅପମାନ ଅତ୍ୟାଚାର, ଲୁଣ୍ଠନ, ଶେଷରେ ମୃତ୍ୟୁ, ଯୁଗ ଯୁଗଯାକେ ହାରି ହାରି କଷ୍ଟ ଭୋଗି ଭୋଗି ବଣକୁ ପଳାଇଆସି ସେଠିବି ବାର ଅବସ୍ଥା ଭୋଗି ଏମିତି ହୋଇଯାଇଥାଏ ଲେଡ଼େଂ ଲୋକଙ୍କ ମନ, ସତେ ଯେପରି ମୁଠାଏ ଖାଇ କୌଣସି ମତେ ଜୀବନ ବଞ୍ଚି ପାରିବାହିଁ ତାଙ୍କ ପକ୍ଷରେ ଖୁବ୍‌ ବଡ଼ କୃତିତ୍ୱ । ସାହେବ ଆସିଥିଲେ, ଆଗ ଆଗ ତଡ଼ିବାକୁ ସେମାନେବି ଲଢ଼ିଥିଲେ, ମରିଥିଲେ, ହାରିଥିଲେ, ଆଦରିଥିଲେ, । ପଛେ ପୁଣି କିଏ କେତେବେଳେ ତାଙ୍କୁ ମତେଇଥିଲେ, ସେମାନେ ମାତିଥିଲେ, ଆହୁରି ଲୋକକ୍ଷୟ ସହିଥିଲେ ଆହୁରି ନିର୍ଯ୍ୟାତନା । ଅତୀତର ସେ ରୋମଟାଂକୁରୀ କାହାଣୀ ଭବିଷ୍ୟତକୁ ରହିଯାଇଛି ଡରେଇବାକୁ ସେମାନେ ଲାଜ କରନ୍ତି ନାହିଁ, କହନ୍ତି ‘‘ଆମେ ଡରୁଆ ଲୋକ, କାହାତୁଲେ ବାଦ କରୁନାହିଁ, ଖଟି ଖାଇଲେ ଆମେ ଖୁସି, ଆମକୁ ଯେ ହରବର କରୁଛି ମହାପୁରୁ ତା’ କଥା ବୁଝିବେ ।’’

ପଦାରେ କେତେ ଲୋକ ସେମାନଙ୍କୁ ପ୍ରଶଂସା କରନ୍ତି, ‘‘ସେମାନେ ସରଳ, ନିଷ୍ପାପ, ସତ୍ୟ ଯୁଗର ଲୋକ’’ ଇତ୍ୟାଦି । ଆଉ କିଏ କହନ୍ତି ‘‘ସେମାନେ ମଣିଷ ହୋଇନାହାନ୍ତି । ବହୁତ ତଳେ ଅଛନ୍ତି, ଉଚିତ ଅନୁଚିତ, ଅଧିକାର, ସତ୍‌ସାହସ–ଏସବୁ ବିଷୟରେ ସେମାନଙ୍କ ଧାରଣା, ଆସୁ ଆସୁ, ସେ ଧାରଣା ଅନୁସାରେ ସେମାନେ କାମ କରୁ କରୁ,–ଆହୁରି ବହୁତ ଡେରିହେବ, ଆଗ ମଣିଷ ହୁଅନ୍ତୁ ।’’

କାହା ନିନ୍ଦା ସ୍ତୁତି ଶୁଣି ଛଳ କରିବା ଲୋକ ଅନ୍ତତଃ ଲେଡ଼େଂର ଲୋକ ନୁହଁନ୍ତି। ଲୋକେ ନିଜ ଧନ୍ଦା ଛାଡ଼ି ପର ଧନ୍ଦା କଥା ଆଦୌ କାହିଁକି ମୁଣ୍ଡରେ ପୂରାଇବେ, ଯେ ପର କାମକୁ ନିନ୍ଦା କରିବ ବା ପ୍ରଶଂସା କରିବ ସାଧାରଣ ଲୋଡ଼େଂବାସୀ ତା’ ବୁଝିବି ପାରନ୍ତା ନାହିଁ କହିଲେ, ତା’ ଦୁନିଆଁଟି ଏ ଲେଡ଼େଂ ଉପତ୍ୟକା, ତା’ ପାଖ ବଣପାହାଡ଼ ସେହି ଯେଉଁଠି ସେ ବୁହେ, ବଢ଼େ ବଞ୍ଚେ ଆଖି ବୁଜେ । ଆଉ କେଉଁଠିକା ଲୋକେ ଗାଡ଼ିରେ ଚନ୍ଦ୍ରକୁ ଗଲେଆଇଲେ, ଘରେବସି ଶୂନ୍ୟେ ଶୂନ୍ୟେ ଶୂନ୍‌–ଶାନ୍‌ ହୁକୁମ୍‌ ଗଢ଼ିଦେଇ ମଙ୍ଗଳ ଗ୍ରହକୁ ଗାଡ଼ି ପଠେଇଲେ, ସେଠୁ ହୁକୁମ ବଳରେ କଳ–ହାତ ମାଟି ଖୋଳି ଆଣିଲା, କେମିତି କେଉଁଠି ଲୋକେ ଏଡ଼େ ପାରିବାର ମାରକ ବାଣ ଗଢ଼ି ରଖିଛନ୍ତି ଯେ ଯେଉଁ ରାଇଜକୁ ଧ୍ୱଂସ କରିବାକୁ ମନହେବ ତାକୁ ନିମିଷକେ ଧ୍ୱଂସ କରିବେ, ଏମିତି କେତେକଥା ଲେଡ଼େଂ ଉପତ୍ୟକାକୁ କେତେବେଳେ କୁଆଡ଼ୁ ଉଡ଼ି ଉଡ଼ି ଆସିଥିଲା ଯେମିତି ଧୂଳିଉଡ଼େ ବଣର ପତ୍ରରେ ଲାଖେ ପୁଣି କୁଆଡ଼େ ଉଭେଇଯାଏ, ସେମିତି ସେସବୁ କଥାବି ସେମାନଙ୍କ ବାହାରେ ବାହାରେ ଯାଇଥିଲା, ଭିତରକୁ ଭେଦି ପାରିନଥିଲା । ଲେଡ଼େଂବାସୀ କେବେ ସେସବୁ କଥା ପକାଇଲେ କହନ୍ତି ‘‘ଆଉ ଯେଉଁ ବଣରେ ହାତୀମାନଙ୍କରବି ପଖି ଅଛି, ସେମାନେ ଉଡ଼ନ୍ତି ଏମିତି କିଏ କହିଲେ ଆମେ କଅଣ ବିଶ୍ୱାସ କରିବା ? ନିଶ୍ଚୟ ସେ ଦେଶରେ ଆଉ କିଛି ଚେରମୂଳ ମିଳେ, ମଦରେ ପକାଇଲେ ସେ ମଦ ବେଶୀ ଟାଣ ହୁଏ ।’’

ବିଜ୍ଞାନର କୁହୁକ କାହାଣୀ ଶୁଣି ତାଙ୍କର କିଛି ଉପକାର ହେଉନଥିଲା, ମଣିଷ ସେଠି ବାଘର ଖାଦ୍ୟ ହୁଏ, ମଣିଷ ଜନ୍ମ ପାଇ ଆପଣା ଘରେ ଆପଣା ଗାଁରେ ନିଶବ୍ଦ ନିରୁଦ୍‌ବେଗ ହୋଇ ବୁଲିବାକୁ ତା’ର ଅଧିକାର ନାହିଁ, ସବୁବେଳେ ଭୟ, ଅଣ୍ଟା ସଳଖେଇ ପାରେ ନାହିଁ, ସିଧା କାହା ମୁହଁକୁ ଅନାଇଁ ପାରେ ନାହିଁ ।

 

ତଥାପି ଲେଡ଼େଂ ଖାଲର ସେହି ଡରରେ କଞ୍ଚାପାଣି ଛାତି ଧଡ଼ପଡ଼ ଡରୁଆ ମଣିଷ ତାଙ୍କ ଐତିହ୍ୟ ଯୋଗୁଁ ଗର୍ବ କରିଥାନ୍ତି । ଗର୍ବର କାରଣ ବୋଲି ବାରମ୍ୱାର ଉପଲକ୍ଷ ଦିଅନ୍ତି ଗୋଟିଏ କଥାକୁ ।

 

‘‘ଦେଖ, କେତେ କେତେ ଗାଁର କେତେ କେତେ ଲୋକଙ୍କର ଚେରବି ବୁଡ଼ିଗଲାଣି, ଶୁଣିଛୁଁ, ସେଠି ଗାଁ ଥିଲା, ମଣିଷ ଥିଲେ, କେଉଁଠି ରଜା ଥିଲେ, ପୁରୁଷ ପୁରୁଷ ଯୁଗଯୁଗ ଥିଲେ । ଏବେ ଶାଳବଣ, ବେତବଣ ଘାସ, କେଉଁଠି ଇଟା କୁଢ଼, କେଉଁଠି ଖପରା ।

 

କିନ୍ତୁ ଆମେ ଲେଡ଼େଂଙ୍ଗିଆ । ଆମେ ତ ଅଛୁ ଏଗାଁରେ ସବୁଦିନେ ଏଇ ଖାଲ ଖୋଲ ଗାଁଗୁଡ଼ା ବାୟସ୍ୱା–ସବୁ ମିଶି ଏ ଆମ ଲେଡ଼େଂ ଏ ସଂସାରରେ ଆମ ଲେଡ଼େଂ ପରି ରାଜ୍ୟ ସ୍ଥାନ ନାହିଁ, ଆମ ଲେଡ଼େଂ ଲୋକଙ୍କ ପରି ଲୋକ ନାହାନ୍ତି । ଆମ ରକ୍ତ ପୁରୁଣା ଆମ ରକ୍ତ ପବିତ୍ର, ଆମ ସମାଜ ସବୁଠୁ ଭଲ ଆମ ଧର୍ମ ସବୁଠୁ ବଢ଼ିଆ’ ସେଥିପାଇଁ ତ, ଅନ୍ୟାନ୍ୟ ପୁରୁଣା ଗାଁପରି ଆମ ଗାଁ ନିଶ୍ଚିହ୍ନ ହୋଇନାହିଁ ।

 

କାନ୍ଦବୋବାଳି ଶୁଭେ ଆଜି ୟାଘରୁ ଦି’ଦିନ ଗଲେ ଆଉ କାହା ଘରୁ’ ମଝିରେ ମଝିରେ ମହାବଳ ରଡ଼ିରେ ଗାଁ କମ୍ପେ ବାଘଖିଆ ଆଉ ବନ୍ଦ ହୁଏ ନାହିଁ ।

 

ତା’ପରେ ମାଘ ମାସ ଉଆଁସ ରାତିରେ ହଠାତ୍‌ ଲେଡ଼େଂ ପାଖ ବଣ ଭିତରେ କଅଣ ହୁଲୁସ୍ତୁଲ ପଡ଼ିଗଲା ରାତି ଅଧରେ କେତେବେଳେ ଯାଏ ତୁହାଇ ତୁହାଇ ବାଘର ବିରାଟ ବୋବାଳି ଶୁଭିଲା । ସେ ବୋବାଳିରେ କଅଣ ବିଶେଷତ୍ୱ ଥିଲା, କେମିତି ଗୁମ୍ଫା ଭିତରୁ ଘଡ଼ିଘଡ଼ି ଶବ୍ଦ ବାହାରିଲା ପରି ଆଗଆଗ ଶୁଭୁଥାଏ ଶୁଭୁଥାଏ ପ୍ରଚଣ୍ଡରାଗରେ ଗରଗର, କିନ୍ତୁ ପୁଣି କଅଣ ହେଲା-? ବାଘ ବୋବାଳିର ସ୍ୱର ବଦଳି ଗଲା କ୍ଳାନ୍ତି ଓ କାତର ହୋଇଆସିଲା । ରହି ରହିକା ଶୁଭେ, ଦୁର୍ବଳ, କାତର ।

 

‘‘ଆଜି ବାଘୁଣୀ କାନ୍ଦୁଚି ’’–ଧନୁ ପଣ୍ଡିତ୍ ତା’ ପୁଅ ସୁନୁକୁ ଡାକମାରି କହୁଥାଏ, ଘା ଭଲ ହେଲାଣି, କିନ୍ତୁ ଦୁର୍ବଳତା କଟି ନାହିଁ, ଦରଜ ଛାଡ଼ି ନାହିଁ, ସେ ବୁଲାଚଲା କରିପାରି ନାହିଁ, ଶୁଣୁଚୁରେ ପୁଅ ମୁଣ୍ଡିଆଳକୁ ଯେ ଖାଇଲା, ଏତେ ଲୋକଙ୍କୁ ଧରି ଧରି ଖାଇଲା ସମସ୍ତଙ୍କ ଛେଳି କରିରଖିଥିଲା, ପୁଣି ତା’ରବି କଅଣ ଦୁଃଖ ପଡ଼ିଲାଣି ପରା, ନଇଲେ ବାଘ ତୁଣ୍ଡରୁ ଏମିତି ସ୍ୱର ବାହାରରେ ନାଇଁ ।

 

‘‘ବାଘୁଣୀ ମଲେ ତୁଇ କଁଦ୍‌ତୁସ (କାନ୍ଦନ୍ତୁ) ବାପା ନୁହେଁ ।’’

 

‘‘ସତେ ତ । ତା’ର କି ଦୋଷ ? ସେ ଯାହା; କରୁଛି ଠାକୁରାଣୀ ତାକୁ ବରଗିବାରୁ ସିନା କରୁଛି, ନହିଲେ କରନ୍ତା ?’’

 

ଆଉ ଏବେ ଯେ ?’’

 

‘‘ଠାକୁରାଣୀ ତାକୁ କନ୍ଦୋଉଛି ।’’

 

ବଣ ତୁନି ପଡ଼ିଲା । ଆଉ ବାଘ ରଡ଼ି ଶୁଭିଲା ନାହିଁ । ସକାଳ ପାହିଲା, ରାତି କଥା ଲୋକେ କୁହାକୋହି ହେଲେ, କିନ୍ତୁ କେହି ସେ ବିଷୟରେ ଆଉ କିଛି କଲେ ନାହିଁ । ସେମିତି ଡରି ଡରି ତାଙ୍କ ଜୀବନ ବିତୁଥାଏ । ଆକାଶରେ ଠାଏ ବଣଉପରେ ଶାଗୁଣାଗୁଡ଼ାଏ ଚକ୍ରୀ ମାରୁଥାନ୍ତି ଆରଦିନ ଆହୁରି ଶାଗୁଣା ଉଡ଼ିଲେ । ବହଳ ହୋଇ ଉଡ଼ୁଥାନ୍ତି, ତଳ ଆଡ଼କୁ ମୋହୁଁଥାନ୍ତି, ପୁଣି ଉଡ଼ୁଥାନ୍ତି । ବଣ ଆଡ଼ୁ କଅଣ ସଢ଼ା ଦୁର୍ଗନ୍ଧ ପବନରେ ଆସୁଥାଏ । ଅନୁମାନ କରିବାକୁ ଲୋକଙ୍କୁ ଡେରି ଲାଗିଲା ନାହିଁ; ପାହାଡ଼ ତଳେ ବଡ ଅଜଗର ମରିଥିବ; ବାଘ କେଉଁଠି କେଉଁ ଜନ୍ତୁକୁ ଅଧାଖିଆ କରି ଫୋପାଡ଼ିଥିବ,–ସମ୍ଭାବନା ବହୁତ ।

 

ଶାଗୁଣାବି ଆଉ ଉଡ଼ିଲେ ନାହିଁ ଦୁର୍ଗନ୍ଧବି ଆଉ ଆସିଲା ନାହିଁ, ବାଘ ରଡ଼ି ଆଉ ଶୁଭିଲା ନାହିଁ କି ବାଘ ଆଉ କାହାକୁ ଖାଇବାର କି କେଉଁଠି ଦେଖାପଡ଼ିବାର ଜଣାଗଲା ନାହିଁ । ମାଘ ଗଲା; ଫଗୁଣବି ଗଲା, ତଥାପି ବାଘର ଦେଖା ନାହିଁ, କିନ୍ତୁ ଲୋକଙ୍କ ଡର ଆଗପରି ରହିଥାଏ, ସେମାନେ କୁହାକୋହି ହୁଅନ୍ତି ‘‘ଆଜି ନହେଲେ କାଲି । ବାଘର ତ ରାଜ୍ୟ । କିଏ ମନାକରିବ ତାକୁ-?’’ ଚଇତରେ ବଣ ଆପେ ପାତଳ ହେଲା । ବିଧି ପ୍ରକାରେ ଲେଡ଼େଂର ଲୋକେବି ବାଜାବଜାଇ ଏକାଠି ହୋଇ ବଣରେ ଶୀକାର କରିବାକୁ ଗଲେ, ଯଦିଚ ନିଜ ପ୍ରାଣକୁ ଡର, କାଳେ ବାଘ ଖାଇବ-। କିନ୍ତୁ ବାଘ ଆସିଲା ନାହିଁ, ତା’ର ମାଡରେ କେଉଁଠି କୁଟ୍ରାଟିଏ କେଉଁଠି ହରିଣଟିଏ ମଲେ, ମହାଉତ୍ସାହରେ ନାଚି ନାଚି ଲୋକେ ଗାଁକୁ ଫେରିଲେ । ଅଳ୍ପ ସାହସ ଓ ଆଶା ବଢ଼ିଲା, ବଣରେ ନୂଆ ଜାଗାରେ ଚାଷ ଆରମ୍ଭ କରିବା ଉଦ୍ଦେଶ୍ୟରେ ଠାଏ ଠାଏ ବଣ ହାଣି ଲୋକେ ନିଆଁ ଲଗାଇଦେଲେ । ତଥାପି ବାଘର ଦେଖା ନାହିଁ । ଖରାଦିନ ଆସିଲା, ବଣ ଖାଲି ଫାଙ୍କା ଥୁଣ୍ଟା, ଘାସବି ଶୁଖିଥାଏ, ଅନାଇଁ ଦେଲେ ବଣ ଭିତରେ ଗଛ ଗଣ୍ଡି ସନ୍ଧିଏ ସନ୍ଧିଏ କେତେ ଦୂରକୁ ଦୃଷ୍ଟି ଚାଲିଯାଏ । ଲୋକେ ବଣରେ ବୁଲିଲେ, ନାନା ପଦାର୍ଥ ଗୋଟେଇଲେ, ବଣ ଭିତରେ ନୂଆଁ ପଦ୍ଧତିରେ କାମ କଲେ । ବର୍ଷାଦିନ ଆସିଲା, କେଉଁ ଦିନୁ କାହାକୁ ବାଘ ଖାଇନାହିଁ, ବାଘ ବୋବାଳି ଶୁଭି ନାହିଁ କି ବାଘ ଦେଖି ନାହିଁ, ତେଣୁ ଲୋକେ ଗତବର୍ଷ ଭଳି ଛାନିଆଁ ହେଲେ ନାହିଁ, ଚାଷ କାମ କଲେ ।

 

ତଥାପି ମନଭିତରେ ଟିକିଏ ଉଦ୍‌ବେଗ ଥାଏ,–ଯେ ଯେମିତି ଅନହୁତି କାହାର ମରଣ ଆସି ପହଞ୍ଚିଯାଏ ସେମିତି କେତେବେଳେ କାଳେ ହଠାତ୍‌ ଆସି ପହଞ୍ଚିଯିବ ସହାବଳ, ତାକୁ ନାହିଁ କରିହେବ ନାହିଁ ।

 

‘‘ଯୁଗେ ଯୁଗେ ସ୍ଥାନେ ସ୍ଥାନେ ବାଘ ବାହାରିଛି, ଧରିଛି, ସଂସାରରେ ଯେତେଦିନ ଯାଏ ମଣିଷ ବୋଲି ପ୍ରାଣୀଟିଏ ବଞ୍ଚିଛି, ବାଘ ବୋଲି ପଶୁ ଟିଏ ବଞ୍ଚିଛି, ଯେଉଁଠି ହେଉ ମଣିଷକୁ ବାଘ ଖାଉଥିବ, ’’ ଆଷାଢ଼ ମାସରେ ଠାକୁରାଣୀ ପୂଜାବେଳେ ଗାଁ ମୁଣ୍ଡିଆଳ ଯୁବକ ଯୋଗୀ ସିଂ ଲେଡ଼େଂ ଗାଁର ଲୋକଙ୍କୁ ବୁଝାଉଥାଏ, ସେମାନେ ତା’ ବୁଦ୍ଧିକୁ ପ୍ରଶଂସା କରୁଥାନ୍ତି । କହୁଥାଏ, ‘‘ତେବେ, ଆମେ ଯଦି ଠାକୁରାଣୀକି ତା’ ମନଲାଗି ପୂଜା ବଳୀ ଦେଉଥିବା, ଆମ ଗାଁର କାହାକୁ ବାଘ ଖାଇବ ନାହିଁ, ଆଉ ଯାହାକୁ ଖାଉ ।’’

 

ସେମାନେ ଜାଣିପାରିଲେ ନାହିଁ କେହି ଜାଣିପାରିଲେ ନାହିଁ ବଣ ଭିତରେ କେଉଁ ଐତିହାସିକ ଯୁଗର କେଉଁ ଭଙ୍ଗା ରଜାନଅରରେ ଅଧାପୋତା ଗହୀର କୂଅଟିଏ ଥିଲା, ତା’ ମୁହଁରେ ଲଟାର ଜାଲ, ବାଘୁଣୀର ମୁଣ୍ଡ ଓ ହାଡ଼ ତାରି ଭିତରେ ପଡ଼ିଥିଲା, ଛାଲବି ସଢ଼ି ଯାଇଥିଲା । ଘଟଣାଟା ଅତି ଆକସ୍ମିକ। ବାଘୁଣୀ ଓ ତା’ ଛୁଆ ଦୁହେଁଥିଲେ କୂଅପାଖେ । ବାଘୁଣୀ ଗୋଟିଏ ଗୋଟିକିଆ ମୋଟା ସୋଟା ଅଣ୍ଡିରା ବାର୍‌ହାକୁ ଦେଖି ଲୋଭେଇଲା, ଆଗ ରଡ଼ିଟାଏ ଛାଡ଼ିଲା । ଆର ପଟୁତୀର ମାରିଲା ପରି ଦଉଡ଼ି ଆସିଲା ବାର୍‌ହାଟି, ବାଘୁଣୀର ପେଟରେ ଭୂଷିଲା । କୂଅରେ ବାଘୁଣୀ ପଡ଼ିଲା, ବାର୍‌ହାବି । ବାଘୁଣୀର ପେଟଚିରି ହୋଇ ଅନ୍ତବୁଜୁଳା ବାହାରିଥିଲା । ବାର୍‌ହାର ଗଲା ମୁଣ୍ଡ, ପୁଳା ପୁଳା ହୋଇ ନଖରେ ଦାନ୍ତରେ ଓଲରା ହେଲା ।

 

ଛୁଆ ଦି’ଟା ଲୁଚି ଲୁଚି ଅନ୍ୟ ବଣକୁ ପଳାଇଲେ, ଗୋଟିଏ ବଞ୍ଚିଥିଲା କିନ୍ତୁ ସେ ଆଉ ଲେଡ଼େଂ ବଣକୁ କେବେ ଆସି ନାହିଁ । ଏଡ଼େ ଭୟଙ୍କର ଦୂର୍ଦ୍ଦାନ୍ତ ମଣିଷଖିଆ ବାଘର ତିରୋଧାନ ପଦାରେ କିଛି ଚହଳବି ପକାଇଲା ନାହିଁ । ମଲା ପୂର୍ବରୁ ବଣବାର୍‌ହିଆ ମୁଣ୍ଡ ଉପରେ ଦେହ ଉପରେ ସେ ତା’ ଶେଷ ଧ୍ୱଂସକାରୀ ଶକ୍ତିର କଅଣ ପରାକାଷ୍ଠା ଦେଖାଇଲା ଲୋକେ ତା’ବି ଜାଣିଲେ ନାହିଁ ।

 

ଯେମିତି କେଉଁ ସାଆଁତିଆ ଅମଳରେ କେଉଁ ନଅର ଭିତରର କେଉଁ ଗୋପନ ହତ୍ୟା କାହାଣୀ ଉଦ୍ଭଟ କଳ୍ପନାଭଳି କେଉଁ ରାଜା ନଅରରେ କି ମୋଗଲ ରଙ୍ଗମହଲରେ–ଅନ୍ଧାରୀ ପାତାଳି ଅଖୁରି, ବିଷ, ଛୁରୀ, ଆଉ ବାହାରେ ନାନା ରଙ୍ଗର ଖେଳ, ହସ ସଂଭ୍ରମ, ମହମହ ସୁବାସ, ଅତିବେଶି ହେଲେ ଗୋଟିଏ ଶସ୍ତା କୈଫିୟତ ଲୋକଙ୍କ ମନକୁ ବୁଝାଇବାକୁ ।

 

ମଣିଷଙ୍କ ଇତିହାସରେ ବାଘୁଣୀ ବିଷୟରେ କେଉଁଠି ପଦେ ରହିଲା ନାହିଁ । ଦଳୁଆ ପୋଖରୀରେ ରାତିରେ କେତେବେଳେ ଧଣ୍ଡଟିଏ କବ କବ ହୋଇଥିଲା, ମାଛ ଧରୁଥିଲା ସେମିତି ।

 

‘‘ନବରବି’’ ପୂଜା ସଂଖ୍ୟା ୧୯୭୬

Image

 

Unknown

କୁଳାଙ୍ଗାରଙ୍କ କାରାଗାର

ରାଜକିଶୋର ରାୟ

 

ହାଃ......ହାଃ.......ହାଃ

 

ବର୍ଷେ ତ ପୂରିଗଲା । ଏ ସମୟତକ କଅଣ ଭାବୁଥିଲେ ? କଅଣ କାର୍ଯ୍ୟ କରୁଥିଲେ ? କଅଣ ପରିକଳ୍ପନା କରୁଥିଲେ ? ସ୍ଥିର ଥିଲେ ନା ଅସ୍ଥିରଥିଲେ ? ଆକାଶକୁ କେତେଥର ଚାହିଁଛନ୍ତି, ମାଟିରେ କେତେଥର ନଖରେ ଶିରା ପକାଇଛନ୍ତି ? ଭୃ କେତେଥର କୁଞ୍ଚିତ ହୋଇଛି । ପଶୁରାଜ ସିଂହକୁ ଏ ନିର୍ମମ ପିଞ୍ଜରା ବଡ଼ ଅକାଳରେ ପକାଇଚି ନା ? ହାତଗୋଡ଼ ତ ବାଜି ଯାଉଥିବ ଲୁହା ଫଳକରେ ? ଉପରେ ଲୁହାଛାତରେ ତ ମଥା ପିଟି ହୋଇଯାଉଥିବ ? ସ୍ୱାଧୀନତା ନାହିଁ ନା ? ମୁକ୍ତି ନାହିଁ ନା ? ମୁଁ କିନ୍ତୁ ଠିକ୍‌ କହି ରଖିଛି, ଆପଣ ଏଠାକୁ ଆସିଲା ପରେବି ଯଥାରୀତି ସକାଳ ହେଉଛି ପୃଥିବୀରେ । ସୂର୍ଯ୍ୟ ଖୁବ୍‌ ତୋର ହୋଇ ଫାଟିପଡ଼ୁଛନ୍ତି ଦିଗ୍‌ବଳୟରେ । ଚଢ଼େଇଗୁଡ଼ାକ କିଚିରି ମିଚିରି ହେଉଛନ୍ତି । କିଛି ବଦଳି ନି, ତେବେହିଁ ଗୋଟାଏ କଥା ବଦଳି ଯାଇଛି । ଜାଣନ୍ତି ସେକଥା କଅଣ ? କେହି ସ୍ୱାଧୀନ ନୁହଁନ୍ତି, ଡେଣା–କଟା ପକ୍ଷୀ ଅବଶ୍ୟ ରାବୁଛି ହେଲେ ତାହା ବିଳାପର ଧ୍ୱନି, ମୁକ୍ତି ନାହିଁ ବୋଲି ଛିଣ୍ଡାଡ଼େଣା ଉପରେ ରାଗିଯାଇ ଚଞ୍ଚୁ ବସାଇ ପୁଣି ସେ ତାକୁ ରକ୍ତାକ୍ତ କରୁଛି.....ହାଃ......ହାଃ.....ହାଃ......

 

–ତମେ କିଏ ? କିଏ ତମେ ?

 

ମୁଁ ରାଜଧାନୀର ପ୍ରେତ....ଅଶରୀରୀ । ଶରୀର ଥିଲେ କଅଣ ମୁଁ ଏଠକି ଆସିପାରନ୍ତି ? ମୁଁ ନିର୍ବିଶେଷ, ମୁଁ ଆତ୍ମାମାତ୍ର, ପ୍ରେତାତ୍ମା ।

 

ଓଃ.....ଓଃ.....ଓଃ......ଓଃ.....

 

ଗୋଟିଏ ସ୍ୱଳ୍ପ ପରିମିତ ସ୍ଥାନ ଥିବା କକ୍ଷ । ଗୋଟିଏ ଖଟ; ଗୋଟିଏ ଚୌକି, ଗୋଟିଏ ଛୋଟ ଟେବୁଲ ଗୋଟିଏ ପାଣିପାତ୍ର । ସବୁ ଗୋଟିଏ ଗୋଟିଏ ମଣିଷର ବ୍ୟବହାର୍ଯ୍ୟ ପଦାର୍ଥ, ଜୀବନର ସଙ୍କୁଚିତ ସାମଗ୍ରୀ ଏହାକୁ ନେଇ କେହି ଭୋଗ ଉପଭୋଗ କରିପାରେନା ।

 

ଦଶ ପାହୁଣ୍ଡ ଗଲେ କାନ୍ଥ । ପଛକୁ ଦଶ ପାହୁଣ୍ଡ ଗଲେ କାନ୍ଥ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣରେ ଦଶ ଦଶ ପାହୁଣ୍ଡ ଯାଏ ଚଳନ୍ତି ବାଟ–ତା’ପରେ ନିବୁଜ କାନ୍ଥ । ଉପରେ କାନ୍ଥ କଣକୁ ମେଲା ଜାଗାରେ ଓଡ଼ିଶାର ଆକାଶ ଦେଖାଯାଉଛି । ପୃଥିବୀର ଆକାଶ ସେଇଆଡ଼େ ଲମ୍ୱି ଆସିଲେବି ଏ ରୁଦ୍ଧ କକ୍ଷରୁ କଳନା କରିହେଉ ନାହିଁ ସେ କେତେ ବଡ଼ ବ୍ୟାପକ ହୋଇଥିବ । କେତେ ବଡ଼ ତା’ର ନୀଳିମ ପ୍ରସାର ।

 

ସବୁ କଳ୍ପନାର ସମାଧି ଘଟିଛି । ପ୍ରଣୟର ସମାଧି ଯିମିତି ତାଜମହଲ, ସ୍ମୃତିକୁ ଶତ୍‌ଗୁଣ ବଢ଼ାଇଦିଏ ଏ ସମିତି ନୁହେଁ । ଏଠି କଳ୍ପନାର ଶେଷ ହୋଇଯାଇଛି । କେବଳ ବଞ୍ଚି ରହିବା, ଦଶପାହୁଣ୍ଡ ଜାଗାରେ ବିଶ୍ୱକୁ ପରିମାପ କରିବା । ତା’ବି ସମ୍ଭବ ହେଉନାହିଁ । ବର୍ଷେ ବିତିଗଲା ଚାହୁଁ ଚାହୁଁ ବର୍ଷେ ବିତିଗଲା ।

 

ହାଃ......ହାଃ......ହାଃ......

 

ପୁଣି ଫେରିଆସିଲି । କଅଣ ଆତ୍ମଜୀବନୀ ଲେଖୁଛନ୍ତି ? ଅବଶ୍ୟ ଲେଖିବାକୁ ମନା ନାହିଁ । କଲମ କାଗଜ ଥୁଆହୋଇଛି । ସୁନାପାତିଆ ଛାଉଣି ଏ କଲମ ନୁହେଁ ଯାହା ଆପଣ ଉପାୟନ ପାଇଥିଲେ ରାଷ୍ଟ୍ରଦୂତ ଥିବାବେଳେ ଅନ୍ୟ ରାଷ୍ଟ୍ରର ସଚୀବଙ୍କଠାରୁ । ଆପଣ ଯଦି ଆପଣଙ୍କର ଉପାୟନର ପ୍ରଦର୍ଶନୀ ଖୋଲନ୍ତେ ନା, ତେବେ ବେଶେ ଗୋଟାଏ ଏକ୍‌ସପୋ ସୃଷ୍ଟି ହୋଇଯାଆନ୍ତା; କିନ୍ତୁ ଆଉ ବେଳ ନାହିଁ । ହଁ ଶୁଣନ୍ତୁ, ମୋର ଗୋଟାଏ ପରାମର୍ଶ ଗ୍ରହଣ କରିବେ-?

 

କଅଣ ?

 

ଛାୟାମୂର୍ତ୍ତିକୁ ଅନେକ ରହିଲେ ବାସୁଦେବ । ଉଜ୍ଜ୍ୱଳକାନ୍ତିର ଏ ପ୍ରେତ ପୁରୁଷ । ସାଥୀହୀନ କାରାକକ୍ଷରେ ଏ ମୂର୍ତ୍ତି ଆସିଛି ସାଥିତ୍ୱ ପ୍ରଦାନ କରିବା ପାଇଁ । ଚଳନଶୀଳ ପୃଥିବୀଭରା ମଣିଷ ଯେଉଁଠି ଚିତ୍‌କାର କରୁଛ, ସେ ବିଶ୍ୱ ଏ ବିଶ୍ୱ ନୁହେଁ । ଏ ରାଜଧାନୀର କାରାଗାର । ଏହାର କାରବାର ରାଜକୀୟ । ଏଠି ବାରମାସରେ ପନିପରିବା ଫଳେ, ଦୁଗ୍‍ଧବତୀ ଗୋଧନ ଦୁଗ୍‌ଧ ଦାନ କରନ୍ତି । ମଣିଷ ଠେଲାରେ ତୈଳ ସୃଷ୍ଟି ହୁଏ । କଚଟି ଘଷିଲେ ଗହମ ବୀଜ ଅଟା ପ୍ରସବ କରେ । ରାତ୍ରିରେ ହରିନାମ ଶୁଭେ । କଏଦୀଙ୍କ କଣ୍ଠରେ ଜୀବନବ୍ୟାପୀ ଦଣ୍ଡିତ ଲୋକର ଅର୍ଦ୍ଧରାତ୍ରିରେ କାନ୍ଦଣାବି ଶୁଣାଯାଏ ।

 

ବାସୁଦେବଙ୍କୁ ଶ୍ରୀଅରବିନ୍ଦ ଦର୍ଶନ କରିଥିଲେ ଅଲିପୁର ଜେଲ ଭିତରେ । ସେତେବେଳେ ବାସୁଦେବଙ୍କ କଣ୍ଠରେ ଝୁଲୁଥିଲା ବନମାଳୀ ହାତରେ ଥିଲା ମୁରଲୀ । ଛାତିରେ ଲମ୍ୱି ଆସିଥିଲା କୌସ୍ତୁଭ, ବିବେକାନନ୍ଦବି ଆସିଥିଲେ, କହିଗଲେ–ମୋର ଅପୂର୍ଣ୍ଣ କାର୍ଯ୍ୟକୁ ପୂର୍ଣ୍ଣକର ଅରବିନ୍ଦ ଘୋଷ । ଯେଉଁ ପନ୍ଥାର ଆଶ୍ରୟ ନେଇଛ ଏ ଯାଏ ତାହା ଜାତିପ୍ରାଣତାର ପରିଚୟ ଦେଲେବି ଭଗବାନ ଅନ୍ତର୍ଯ୍ୟାମୀ ଇଚ୍ଛା କରନ୍ତି ତୁମେ ହେବ ମହାଯୋଗୀ, ବିଶ୍ୱ ଜନତାକୁ ସମର୍ପିତ ଦିବ୍ୟଜୀବନର ଶୋଭା । ସେଇଆଡ଼େ ନିଜକୁ ପରିଚାଳିତ କର । ପ୍ରସ୍ତୁତ କର ।

ଆଜି ଏ ବାସୁଦେବ ସ୍ଥିର ନିଷ୍ପନ୍ଦ । ଚାହିଁ ରହିଥିଲେ ସେହି ଜ୍ୟୋତିର୍ମୟ ପିଣ୍ଡକୁ ଏ କଅଣ ତେବେ ଭବିଷ୍ୟତର ଭବିତବ୍ୟତା, ଦେହ ଧରି ଆସିଛି ମତେ କହିଯିବ କେଉଁ ସରଣୀ ଅବଶିଷ୍ଟ ରହିଲା ଯାହା ଉପରେ ଚାଲିଯାଇ ମୁଁ ଉପସ୍ଥିତ ହେବି ସେହି ଶେଷ ପାନ୍ଥଶାଳାରେ ?

ଛାୟାମୂର୍ତ୍ତି ହସିଉଠିଲା–

ହାଃ.......ହାଃ–ମୋ ଉପସ୍ଥିତିର ଗୋଟାଏ କୁହୁକ ଅଛି ବାସୁଦେବ । ଆପଣ କଳ୍ପନା କରିବାକୁ ଆରମ୍ଭ କଲେଣି, ସଙ୍ଗେ ସଙ୍ଗେ ପରିକଳ୍ପନାବି । ନା ବନ୍ଧୁ, ଆଉ ସୁଯୋଗ ମିଳିବ ନାହିଁ । ଦିନେ ଭାବୁଥିଲେ ନା ଆପଣ ରାଜଧାନୀ ତିଆରି କରିଛନ୍ତି ? ମହାନଦୀ ବନ୍ଧ ଉପରେ ବନ୍ଧ ବାନ୍ଧିଛନ୍ତି, ରାସ୍ତାଘାଟ କରିଛନ୍ତି ପଥ ଦେଖାଇଛନ୍ତି ?

ଖାରବେଳ, ପ୍ରତାପରୁଦ୍ର ଯଯାତିଙ୍କର ସମଗୋତ୍ରି ହୋଇଯାଇଛନ୍ତି । ଆପଣଙ୍କ ନାଁରେ କେତେ ଭିତ୍ତି ପ୍ରସ୍ତର, କେତେ ଶଙ୍କୁ, କେତେ ସିମେଣ୍ଟ ବୋଳା ଲୁହାର କରଣା ଏବେ ଆଉ ରାଜ୍ୟସାରା କେଉଁଠି ଦେଖିବାକୁ ମିଳୁ ନାହିଁ । ଶବଗୁଡ଼ାକୁ ମହାମାରୀବେଳେ ଯେମିତି ନଈକୂଳରେ ଫୋପାଡ଼ି ଦିଆଯାଏ, ମଣିଷର ଏ କୃତିତ୍ୱକୁବି ଯୁଗପୁରୁଷ ଫୋପାଡ଼ି ଦିଏ । ସେଇଆ ହୋଇଛି ହାଃ....ହାଃ....ମହାକାଳର ପୋଷା ପବନ ହୋଇ କେହି ରହି ନାହିଁ ଯେ ସବୁବେଳେ ସୁ....ସୁ....କରୁଥିବ ।

ବାସୁଦେବ ତଳକୁ ଚାହିଁଥିଲେ ଯେଉଁଠି ଦୈନିକ ଖବରକାଗଜ ଖବର ଛପାଇ ଥୋଇଛି ତାଙ୍କ ଆଖି ତଳେ....ଯାନ୍ତ୍ରୀକ ହାତ ମାଟି ଖୋଳୁଛି ଜୀବସତ୍ତା ଆବିଷ୍କାର ପାଇଁ ପରେ ପରେ ଚାଇନାରେ ଦଶ ଲକ୍ଷ ନରନାରୀ ସହର କ୍ଷଣକରେ ଦୋହଲିଯାଇ ମରିଗଲେ ତେବେ ତେବେ ଏକଆଡ଼େ ପ୍ରାଣୀମତ୍ତର ଆବିଷ୍କାର, ଅନ୍ୟଆଡ଼େ ବିପୁଳ ସଂଖ୍ୟାରେ ପ୍ରାଣୀ ସଂହାର ଯୁଗ ପାଲଟୁଛି । କାନ୍ଥରୁ ଖୋଳପା ଛାଡ଼ୁଛି ଜୀର୍ଣ୍ଣ ସାପକାତି ତଳେ ନଅଚିକ୍‌ଣ ତୋଫା ମଖମଲିଆ କାତି ତିଆରି ହୋଇଛି ।

ବାସୁଦେବ ସ୍ୱଚକ୍ଷୁ ଉଠାଇ ଦୃଷ୍ଟି ବିନିମୟ କଲେ ।

–‘‘ଶୁଣ, ପ୍ରେତାତ୍ମା, କାହାର କଣ୍ଠଧ୍ୱନି ଶୁଣିବା ମୋ ପକ୍ଷରେ ସମ୍ଭବ ନୁହେଁ । ତୁମରି କଥା ମୁଁ ଶୁଣିପାରୁଛି । ତୁମ ବାଣୀରେ ଦର୍ଶନ ଅଛି । ମୁଁ ବୁଝୁଛି, କିନ୍ତୁ ମତେ ଗୋଟିଏ ବିଷୟରେ ନିଶ୍ଚିନ୍ତ କରିପାରିବ ହଁ ମୋର ଅଭିମାନ ଅଛି ଯେ ରାଜଧାନୀ ମୁଁ ଗଢ଼ିଛି, ମାତ୍ର....’’ ବାସୁଦେବ ହଠାତ୍‌ ଥମିଗଲେ, ପ୍ରେତାତ୍ମାର ହାସ୍ୟଲହରୀ ବଜସମ ଫାଟିପଡ଼ିଲା ।

ସେ କହିଲା–ରାଜଧାନୀ ତ ଗଢ଼ିଲେ, ରାଜା ହେଲେ କାହିଁକି ? ରାଜନୀତି କଲେ କାହିଁକି ? ଛାଡ଼ି ଦେଲେନି ?

–ସେ ତ ମୋ ରକ୍ତରେ ରହିଛି । ଉତ୍ତର ଦେଲେ ବାସୁଦେବ ।

–ସିମିତି ଅନ୍ୟର ରକ୍ତରେ ରହିଛି ଏ ରାଜପଣକୁ ଭାଙ୍ଗି ଉଡ଼ାଇ ଦେଇ ସବୁ ସମତୁଲ କରିଦେବା ପାଇଁ ଆପଣଙ୍କ ନାଁର ରୂପର ପୋଷ୍ଟର ଉପରେ ବହୁ ବର୍ଣ୍ଣରଙ୍ଗ ଚିତ୍ରିତ ପୋଷ୍ଟର ମରା ହେଲାଣି । ଆପଣଙ୍କ ତୈଳଚିତ୍ର ଚୋରି ହୋଇଗଲାଣି ସାହିତ୍ୟ ସଦନରୁ, ଆପଣଙ୍କ ମିଳନୀ ସଂସଦରୁ ଏକଦା ଅତିପ୍ରିୟ ବନ୍ଧୁଗଣ ଆଜି ଅବାନ୍ଧବ ସାଜିଲେଣି । କେଉଁଟା ସତ୍ୟ ଆପଣ ନା ଆପଣଙ୍କର ପରାଜୟ ? ଗୋଟାଏ ପରାମର୍ଶ ଦେଉଛି ।

 

–କଅଣ ? ଦୀର୍ଘଶ୍ୱାସ ପକାଇ ବାସୁଦେବ ଗମ୍ଭୀର ହେଲେ,

 

....ଆପଣ ହାତକାଟି ଲେଖିଦେବେ ଆପଣ ଶାନ୍ତ ହୋଇଛନ୍ତି ?

 

ହରିନାମ କେବଳ ଘୋଷୁଛନ୍ତି ? ଆଉ ରାଜପଣ ପରିବର୍ତ୍ତେ ପ୍ରଜାପଣ ଆରମ୍ଭ କରିଛନ୍ତି ? ଛାୟାମୂର୍ତ୍ତି ହସିଲା, ଦିଗ୍‌ବିଜୟ ହସ ।

 

ବାସୁଦେବ କିଛିକ୍ଷଣ ନୀରବ ହେଲେ । ପରେ ମୁହଁ ଟେକିଲାମାତ୍ରେ ସେ ବିସ୍ଫାରିତ ନେତ୍ରରେ ବିସ୍ମୟାଭିଭୁତ ହୋଇ ଦେଖିଲେ ପୂର୍ବର ପ୍ରେତାତ୍ମା ପାଖରେ ଗୋଟିଏ ଯୁବତୀର ଛାୟାମୂର୍ତ୍ତି । ସେ ବିଗ୍ରହ ଉଜ୍ଜ୍ୱଳ ଜ୍ୟୋତି କିରଣରେ ଝଲସି ଯାଉଛି । ବାସୁଦେବ ଚିତ୍‌ତ୍କାର କଲେ...

 

‘...ତୁମେ, ତୁମେ କେବେ ମରିଗଲ ।’

 

‘ହିଃ.....ହିଃ....ହିଃ, ମରିନାହିଁ ସାର୍‌; ମନେଅଛି ତ ଶାସନଗାଦୀ ଉପରେ ଚଢ଼ିବାବେଳେ ମୁଁ ଆପଣଙ୍କ ପାଦରେଣୁ ନେଇଥିଲି ? ସେ ରେଣୁକୁ ଏବେବି ମଥାରେ ଧରିଛି । ମୁଁ ଯେ ଅମର। ପୁଣି ଆପଣଙ୍କ ଆଶୀର୍ବାଦ, ମରିପାରେ କି ?

 

‘ଓ ହୋ, ହଁ...ହଁ, ସେଇଆ କହ ତୁମେ ମରିନ, ହେଲେ ମୁଁ ଏକ୍ଷଣି ତୁମ ମଥା ଆଉଁସି ଆଉଥରେ ଆଶୀର୍ବାଦ କରିପାରିବ କି ? ବାସୁଦେବ ସ୍ୱୀକୃତି ଆଶା ନରଖି ଉଠିପଡ଼ିଲେ ଯିମିତି ଅଭ୍ୟାସ ବଳରୁ ସମସ୍ତଙ୍କୁ ଆଶୀର୍ବାଦ କରିଆସିଛନ୍ତି ଜୀବନଯାକ–

 

ମାତ୍ର ପ୍ରେତାତ୍ମା ବାଧା ଦେଲା–

 

‘ନା’ ବାସୁଦେବ ନବମାଳିକା ମରିନାହାଁନ୍ତି ସତ, ତେବେ ସେ ଯେଉଁ ରୂପ ଧରି ଆସିଛନ୍ତି, ସେଥିରେ ଆପଣ ତାଙ୍କୁ ସ୍ପର୍ଶ କରିପାରିବେ ନାହିଁ । ବେଶୀ ସମୟ ସେ ଏଠାରେ ରହିପାରିବେ ନାହିଁ । ଗୋଟାଏ ଆନ୍ତଃରାଷ୍ଟ୍ର ଜଳବିବାଦର ସନ୍ତୋଷଜନକ ସମାଧାନ କରି ସେକ୍ରେଟେରିଏଟରୁ ଆସି କେବଳ ଭଗବାନଙ୍କର ପ୍ରସାଦ ସାମାନ୍ୟ ସେବନ କରି ସେ ଶୋଇପଡ଼ିଛନ୍ତି ଶାନ୍ତ ବିସ୍ମୃତିରେ । ମୁଁ ଏଇ ସୁଯୋଗ ଦେଖି ତାଙ୍କ କାରଣ ଶରୀରକୁ ନେଇଆସିଛି ଏଠାକୁ । ସେ ନିଜେ, ଦେଖିନ୍ତୁ ଆପଣ, କେମିତି ଶାନ୍ତ ହୋଇଛନ୍ତି, ରାଜପଣ ଛାଡ଼ି–ପ୍ରଜାପଣ କରିବାକୁ ସ୍ୱାକ୍ଷର ଦେବାକୁ ବସିଛନ୍ତି ଆଉ ହୁଏତ ନବମାଳିକା ଯଦି କହନ୍ତି ଆପଣ ସନ୍ନ୍ୟାସୀ ହୋଇ ବାନପ୍ରସ୍ଥ ଅବଲମ୍ୱନ କରିବାକୁ ପ୍ରସ୍ତୁତ ଅଛନ୍ତି ତ ?

 

ବୃଦ୍ଧ ବାସୁଦେବ ଉତ୍‌କ୍ଷିପ୍ତ ହୋଇ ଚିତ୍କାର କଲେ–ନା, ନା, ନା ତୁମେ ଚାଲିଯାଅ ଉଭୟେ ଚାଲିଯାଅ । ପ୍ରବୀଣ ବୁଦ୍ଧିଜୀବୀ ରାଜନୀତିଜ୍ଞ ବାସୁଦେବ ପାଖରେ ଏ ଅର୍ବାଚୀନ ରାଜନୀତିର ଅର୍ଥ କିଛି ନାହିଁ । ମାନୁଛି, ଯୁଗର ଗୋଟାଏ ନିର୍ଦ୍ଦିଷ୍ଟ ସନ୍ଧିକ୍ଷଣରେ ଐତିହାସିକ ଅନୁଶାସନରେ ମୁଁ ଆଜି ବନ୍ଦୀ; ମୋର ଏହି ପରିଣତ ବୟସରେ । ପୃଥିବୀରେ ଏହା କିଛି ନୂଆ କଥା ନୁହେଁ । ତାହାର ପୃଷ୍ଠା ଖୋଲି, ଦେଖ ମୋଭଳି ଅତୀତରେ ବହୁ ଦେଶପ୍ରେମୀ ନାଗରିକ ସ୍ୱାଧିନତାକୁ ଜଳାଞ୍ଜଳି ଦେଇ ବନ୍ଦୀ ଜୀବନଯାପନ କରିଛନ୍ତି, ଏପରି କି ସେ ଦୁର୍ଭୋଗ୍ୟରେ ସେମାନେ ଦିନେ ଆତ୍ମହୁତି ଦେଇ ପରପାରିକୁ ଚାଲିଛନ୍ତି ।

 

ସେଭଳି ପୁଷ୍ପମାଳାରେ ମୁଁ ଆଉ ଗୋଟିଏ ରଞ୍ଜିତ କୁସୁମ । ମୋର ତାହାହିଁ ସୌଭାଗ୍ୟ ଏବଂ ଜୀବନାଦର୍ଶ । ମୁଁ କଅଣ ଶାନ୍ତ ନଥିଲି ? କହିଲ, ମୋର କି ରାଜପଣ ନଥିଲା ? ମୁଁ ସାହିତ୍ୟ ସଂସ୍କୃତି ସାଧନରେ ମନ ଦେଇଥିଲି । ଚାହିଁଥିଲେ ମୁଁ ଟେବୁଲଟାକୁ ଓଲଟେଇ ଦେଇଥାନ୍ତି, କିନ୍ତୁ ନା......ଯେତେବେଳେ ଯେଉଁ କଥା.....ମୋ ପାଖରେ ଅଗଣିତ ସ୍ତାବକ ଥିଲେ ମୁଁ ମଝିରେ ମଝିରେ ତାଙ୍କରି ସ୍ତୁତିରେ ହଜିଯାଉଥିଲି । ଏବେବି ନବମାଳିକା ପାଖରେ ବହୁ ସ୍ତୁତିସ୍ତାବକତା ଚାଲିଛି । ସେ ଏ କଥା ମନା କରିପାରିବ ? ରାଜନୀତିରେ ଥିଲେ ଏମିତି ଭାବଗଡ଼ାକ ମାଛିପଲ ଭଳି ଭଣ ଭଣ କରନ୍ତି, ଆଉ ସିଂହାସନ ଉପରକୁ ଉଡ଼ିଆସନ୍ତି । ଏ ଲୀଳା ଖେଳା ଚାଲିଥିବ, ଯେ ପର୍ଯ୍ୟନ୍ତ ଦଳ ଥିବ, ଆଉ ଦଳର ଡାହୁକ ଡାକୁଆ ଥିବେ ।

 

ନବମାଳିକାଙ୍କର ନୟନରେ ରୋଷ ଦେଖାଦେଇଛି । ଶାଢ଼ୀଟାକୁ କଟୀ ଉପରେ ଗୁଡ଼ାଇ ଆଣି କହିଲେ । ‘କାହିଁକି ପ୍ରେତାତ୍ମା ତମେ ମତେ ଏଠାକୁ ଆଣିଲ ? ମୁଁ କଅଣ ଜାଣିନାହିଁ ଯେ ଏଯାଏ ଏମାନଙ୍କର ରକ୍ଷଣଶୀଳ ରାଜନୀତିର ଅବସାନ ଘଟିନାହିଁ ? ସମୟ ସୁଅରେ ଏମାନେ ଭାସି ଯାଇପାରୁନାହାନ୍ତି ? ଅବଶ୍ୟ ମୁଁ ଚାହେଁ ନାହିଁ ମୋର ଜନକୋପମ ଏହି ଶକ୍ତିଶାଳୀ ପୁରୁଷ, କହିଲା ମାତ୍ରେ, ସ୍ୱାକ୍ଷର କରିଦିଅନ୍ତୁ ଓ ମୁକ୍ତି ଚାହାନ୍ତୁ ତାଙ୍କ ବନ୍ଦୀ ଜୀବନରୁ–। ତୁମେ କାହିଁକି ଏପରି ପ୍ରସ୍ତାବ ଦେଲ ? ଭାବିଛ ବାସୁଦେବ ବାବୁ କସ୍ମିନକାଳେ ଏପରି ସର୍ତ୍ତରେ ରାଜି ହୋଇ ମୁକ୍ତିର ସ୍ୱପ୍ନ ଦେଖିବେ ? ଭୁଲ........ଭୁଲ ।

 

ହାଃ...ହାଃ ଏଥର ମୁଁ ଟିକିଏ ହାଃ...ହାଃ...ହସେ, ତୁମେତ ବହୁବାର ହସୁଛ ତୁଚ୍ଛ ତାଚ୍ଛଲ୍ୟ କରି ପ୍ରେତାତ୍ମା ! ନବମାଳିକା ଏ ରାଜ୍ୟର କନ୍ୟା, ମୁଁବି ଏ ରାଜ୍ୟର ମଣିଷ । ଆମକୁ ଆମର ଚିରଶତ୍ରୁ କହିବ ନାହିଁ ଯେ ଜାତିର ସନ୍ତାନ ଭାବରେ ଆମେ ଅମଣିଷ, ଜାତିପ୍ରେମ ଆମ ହୃଦୟରେ ନାହିଁ । କିନ୍ତୁ ଦେହ ଥିଲେ ସ୍ୱାର୍ଥ ଅଛି । କାହାର କିଛି ଉପକାର କରିବା ଆଗରୁ ନିଜର କରଣୀୟ କଅଣ ମଣିଷ ଆଗ ବିଚାର କରିଥାଏ । ସେହି ଦୃଷ୍ଟିରେ ମୁଁ ହୁଏତ ପାପୀ, ସେ ହୁଏତ କିଞ୍ଚିତ ପଥଭ୍ରଷ୍ଟା.......ହେଲେ ଆମ ଭିତରେ ବୈରୀଭାବ ନାହିଁ । ମୁଁ କିଛିଦିନ ଶାସନ କରୁଥିଲି, ସେ କରୁଛନ୍ତି । ସେ କିଛିଦିନ କରିବେ, ଆଉ କିଏ ଆସବ । ଚକ୍ର ଗଡ଼ିଯିବା ପାଇଁ ଭୂମି ରହିଛି । ଅବଶ୍ୟ ଭୂମି ସରିଗଲେ ଚକ୍ର ଆଉ କେଉଁଆଡ଼େ ଗଡ଼ିବ ସେ ବିଚାର ଭିନ୍ନ । ମାତ୍ର ଗୋଟାଏ କଥା, ଆୟୁଷ୍ମତୀ ନବମାଳିକା, ରକ୍ଷଣଶୀଳ ରାଜନୀତି କଅଣ, ମୁଁ ବୁଝିପାରିଲି ନାହିଁ । ତୁମର ବହୁ ବକୃତାରେ ମୁଁ ଶୁଣିଛି ତୁମେ କହୁଛ ବର୍ତ୍ତମାନର ରାଜନୀତି ଉନ୍ନୟନର ରାଜନୀତି । ତୁମକୁ ବତାଇ ଦେଉଛି, କନ୍ୟା, ଯେ ତୁମେ ଯଥାର୍ଯରେ ରାଜନୀତିର ସଂଜ୍ଞା ନିରୂପଣ କରିପାରିଛ । କିନ୍ତୁ ହଠାତ୍‌ କଅଣ ତୁମରି ରାଜତ୍ୱରେ କେବଳ ରାଜନୀତି ଉନ୍ନୟନ ସ୍ତରକୁ ଆସିଗଲା ନା ଆଗରୁ ଆସିଥିଲା ? ଦେଶ ସ୍ୱାଧୀନ ହେବା ତ ଉନ୍ନୟନ, ରାଜା ମହାରାଜା ଉଚ୍ଛେଦ ତ ଉନ୍ନୟନ ପ୍ରଜାମାନଙ୍କ ପାଖକୁ ଶକ୍ତି ଆସିବା ତ ଉନ୍ନୟନ ଗରିବ ଦୁଃସ୍ଥ ଲୋକଙ୍କ କଲ୍ୟାଣ ପାଇଁ ଯୋଜନାବଦ୍ଧ ଅର୍ଥନୀତିର ବିକାଶ ତ ଉନ୍ନୟନ । ଏତିକି ତଫାତ୍‌ ଯେ ଯେଉଁ ଲୋକ କାମ କରୁଛି, ତା’ର ପିଠିରେ କୋରଡ଼ା ମାଡ଼ ଦେଲେ, ସେ ନିଶ୍ଚୟ ଯନ୍ତ୍ରଣାରେ କାତର ହୋଇ ଚେଇଁ ଉଠିବ, ଯେଉଁଠି ଭୟ ପ୍ରଦର୍ଶନର ବ୍ୟବସ୍ଥା ନାହିଁ ସେଠି ପ୍ରଗତିର ଶୀଥିଳତା ସ୍ୱାଭାବିକ, ତେଣୁ ତୁମ ଓ ମୋ ଭିତରେ ଦର୍ଶନର ଏଇମାତ୍ର ପାର୍ଥକ୍ୟ । ନହେଲେ ଆମ ଦୁଇ ହୃଦୟରେ ରହିଛି ସମପରିମାଣରେ ଏ ଦେଶକୁ ଗଢ଼ିବାରେ ପରମ ଉଲ୍ଲାସ ଓ ଅକୁଣ୍ଠ ତ୍ୟାଗ ।

 

ଆପଣଙ୍କ ଏ ବନ୍ଦୀ ଜୀବନରେ କିଛି ଅସ୍ୱାଚ୍ଛନ୍ଦ୍ୟ ଘଟୁଛି କି ? ନବମୀ ଲିଳା ଅନ୍ତର୍ହିତା ହେବା ପୂର୍ବରୁ ଏ ପ୍ରଶ୍ନ ପଚାରିଥିଲେ । କାରାକକ୍ଷ କ୍ରମେ ସ୍ତମ୍ଭିତ ହୋଇଆସୁଛି । ଦୁଇଟି ମୂର୍ତ୍ତି ଲିଭିଯିବା ଉପରେ ... ଉତ୍ତର ମିଳିଲା–ବନ୍ଦୀ ଜୀବନର ପରିବେଶ ମୁଁ ଯେତେ ସଂଖ୍ୟାରେ ଭୋଗିଛି ତୁମେ ତା’ର ସୀମା ସ୍ପର୍ଶ କରିନଥିବ । ବନ୍ଦୀତ୍ୱ ଅର୍ଥ ବନ୍ଧନ କେବଳ ଶାରିରୀକ । ତେବେ ପ୍ରଚୁର ବହି ଓ ପତ୍ରିକା ପଢ଼ିବାକୁ ପାଉଛି । ଅନ୍ୟାନ୍ୟ ଟିକିଏ ଟିକିଏ ସ୍ୱାଚ୍ଛନ୍ଦ୍ୟ ଯେ ମୁଁ ପାଇନାହିଁ, ତାହା ଅସ୍ୱୀକାର କରିବି ନାହିଁ । ତେବେ ମତେ ହସ ଲାଗୁଛି ତୁମେ ଅନ୍ୟ କାରାବାସୀଙ୍କ ସହିତ ମୋର ମିଳାମିଶା ଆଉ କଥାବର୍ତ୍ତାକୁ ନିଷିଦ୍ଧ କରିଦେଇଛି । ଭାବିଛ ମୁଁ ଏବେବି ଜ୍ୱଳନ୍ତ ଦଗ୍‍ଧ ଅରଣ୍ୟ ଶିଖା ? ନା; ଝିଅ, ନା–କାଳ ଘେନି ଋତୁଆସେ । ସବୁଋତୁରେ ମଳୟ ବହେନାହିଁ । ଏଇ ଦେଖ, ମୋ ଚାରିପଟେ ଗୀତା, ରାମାୟଣ, ପୁରାଣ–ମନ ମୋର ବହୁ ଊର୍ଦ୍ଧ୍ୱରେ..ଯିବାବେଳ ଆସିଗଲା । ବିଶ୍ୱାସ କରୁନ ମୁଁ ଜାଣେ । ରାଜନୀତିର ସୁରାଭରା ଗ୍ଳାସରେ ଏ ବିଶ୍ୱାସ ପ୍ରତିବିମ୍ୱିତ ହୁଏନି ଏବି ସତ କଥା । ତୁମର ଭ୍ରାନ୍ତି ନାହିଁ ।

 

ଏ ପ୍ରବଚନ ଶୁଣିବା ପାଇଁ ନବମାଳିକାର ସୂକ୍ଷ୍ମଶରୀର ନଥିଲା କାରାଗାର କକ୍ଷ ପ୍ରାଚୀର ଉଦ୍‌ଭାସିତ ହୋଇ ମିଳାଇଯିବା ଉପରେ ସେ ରୂପଶ୍ରୀ ଏତିକିବେଳେ ଗୋଟାଏ ମର୍ମାନ୍ତିକ ଦୃଶ୍ୟ ଘଟିଗଲା ।

 

ପ୍ରେତାତ୍ମା ନବମାଳିକାର ସୂକ୍ଷ୍ମଶରୀରକୁ ନେଇଆସି ବାସୁଦେବ ନବମାଳିକା ସାକ୍ଷାତ୍‌କାର ସୃଷ୍ଟି କରିଛି ବୋଲି ଆତ୍ମସନ୍ତୋଷ ଲାଭ କରୁଥିଲା । ତାହାରି ଉଦ୍ଦାମତାରେ ସେ ଅବଲୁପ୍ତ ହୋଇଯିବା ପୂର୍ବରୁ କହିଉଠିଲା ।

 

ଚାଲ; ରାଜଲକ୍ଷ୍ମୀ, ଏଗୁଡ଼ାକ ଜାତିର କୁଳାଙ୍ଗାର, କାରାଗାରହିଁ ଏମାନଙ୍କର ଯୋଗ୍ୟସ୍ଥାନ ଚାଲ... ।

 

ନବମାଳିକାର ଅସ୍ପଷ୍ଟ ଶରୀର ପୁଣି ଜଳିଉଠିଲା । ଆଖି ଉତ୍ତପ୍ତ । ବଦନମଣ୍ଡଳରେ ସଂସାରଯାକର ଘୃଣା ଓ କ୍ରୋଧ । ସେ ମୁଖଗହ୍ୱରରୁ ବଜ୍ର ଫାଟିଆସିଲା ।

 

‘ସ୍ତବ୍‌ଧ ହୁଅ ପ୍ରେତ ପୁରୁଷ । ପ୍ରେତ ହୋଇବି ଖୁସାମତି କରିବାର ଲୋଭ ସମ୍ଭାଳିପାରିନ ? ରାଜ୍ୟଲକ୍ଷ୍ମୀ ? ହୁଁ .. ଶରୀର ନାହିଁ, କାମନା ନାହିଁ । ଭବିଷ୍ୟତକୁ ଆକାର ପାଇବ କି ନାହିଁ ଜଣାନାହିଁ, ଅଥଚ କହିଦେଉଛ ମୁଁ ରାଜ୍ୟଲକ୍ଷ୍ମୀ ଆଉ ନମସ୍ୟ ବାସୁଦେବ ଏ ଜାତିର କୁଳାଙ୍ଗାର ? ଯାହା ସେ କହିଲେ ଐତିହାସିକ ଅନୁଶାସନରେ ଆଜି ସେ କାରାରୁଦ୍ଧ ଜାଣ ? ଇତିହାସ ଗୋଟିଏ ଘଟରେ ବସି ନୌକା ମେଲାଏ ନାହିଁ ଅନନ୍ତକାଳର ବାରିପ୍ରବାହ ଉପରେ...ଆଜି ଏ ଘାଟରେ ତ ଶହେବର୍ଷ ପରେ ଅନ୍ୟ ଘାଟରେ ସେ ପୋତ ଖେଳାଏ ପାଲ ବାନ୍ଧେ କି କାତ ସଜାଡ଼େ । ଏତେ ସାହସ ଯେ କହିଦେଲ କୁଳାଙ୍ଗାର ?

 

ତାଙ୍କର ସାହିତ୍ୟସୃଷ୍ଟି ପରୀକ୍ଷା କରିଛ ? ବଚନ ପ୍ରବଚନ ପରୀକ୍ଷା କରିଛ, ସଂସ୍କୃତିକୁ ତାଙ୍କର ଦାନ କଳନା କରିଛ ? ଏତିକି ତାଙ୍କର ଭୁଲ୍‌ ଯେ ସେ ଗୋଟାଏ ସ୍ଥାନରେ ଅଟକିଗଲେ ନାହିଁ । ଚାଲିଲେ ତେଣୁ ମହାକାଳ ତାଙ୍କୁ ସୁସ୍ଥିର କରିବା ପାଇଁ ସାମୟିକ ବିଶ୍ରାମ ଖଞ୍ଜି ଦେଇଛି । କିଏ ଜାଣେ ଏଇ ବିଶ୍ରାମରୁ ସେ ପାଇବେ ଅଦ୍‌ଭୁତ ଜାଗୃତି, ଅଦ୍‌ଭୁତ ଶକ୍ତି ଯାହାର ବିନିମୟରେ ତାଙ୍କର ପରାମର୍ଶରେ ଏ ରାଜ୍ୟ ଆହୁରି ସମୃଦ୍ଧ ହେବ ?

 

ଛାୟାମୂର୍ତ୍ତି ଅପସରି ଗଲା । ଅତ୍ୟଧିକ ଗ୍ଲାନିଭାବରୁ ବୋଧହୁଏ ସେ ନଇଁପଡ଼ିଲା । ତାହାହିଁ ଥିଲା ବାସୁଦେବଙ୍କ ପ୍ରତି ତା’ର ପ୍ରଣାମ ।

 

ନବମାଳିକାର ସ୍ଥୂଳ ଶରୀର କ୍ରମେ ଚେତନା–ଚଞ୍ଚଳ ହେଲା । ମୁଦି ରହିଥିବା ଆଖିଦୁଇଟି ଫିଟି ଆସିଲା । ସାଧା ଖଟଖଣ୍ଡେ ତା’ ଉପରେ ଏକ ପରସ୍ତିଆ ଚାଦର ଖଣ୍ଡେ । ମଥାତଳେ ପାତଳ ତକିଆ ଶ୍ରୀହୀନ ଶଯ୍ୟା ତପସ୍ୱିନୀର କଠୋର ସାଧନା ।

 

ନବମାଳିକା ଆଲୁଲାୟିତ କେଶର ବିପର୍ଯ୍ୟସ୍ତ ଲହରୀକୁ ହାତରେ ଠେଲିଦେଇ ଦଉଡ଼ିଗଲେ ଚିରଶାନ୍ତିର ଆବାସ ଠାକୁରଙ୍କ ଘର ଭିତରକୁ...ମାଆ ଆଉ ଯୋଗୀ....

 

ପ୍ରାର୍ଥନାରତ ତାଙ୍କ ଉତ୍ସାରିତ ହେଲା–‘ଆଃ...ବହୁ ସମସ୍ୟା, ବହୁ ନିଷ୍ପତ୍ତି, ବହୁ ବିଚାର, ବହୁ ଯନ୍ତ୍ରଣା, ସମତା ସାମଞ୍ଜସ୍ୟହୀନ ରାଜନୀତି, କାହାକୁ ରୋଷ, ସର୍ବପଥ ଦେଇ ଗୋଟାଏ ନାରୀ, ଶାସନର ଶୀର୍ଷରେ, କେତେ ବା ସଂଗ୍ରାମ କରିବ ? ପ୍ରଭୁ ସମ୍ଭାଳି ନିଅ । କେତେ ଜ୍ଞାନୀ ବିଜ୍ଞାନୀ, କେତେ ଦୁସ୍ଥ ଦରିଦ୍ର କେତେ ଲୋଭୀ ତସ୍କର ଟାଉଟରଙ୍କ ଗହଣରେ ଯିବାକୁ ପଡ଼ୁଛି, ଶାନ୍ତିଦିଅ ଶକ୍ତିଦିଅ ମା

 

ନା, ନା କୁଳାଙ୍ଗାର ବୋଲି ଏ ମହତ ଜନମାନେ କାରାବାସୀ ନୁହନ୍ତି । ସେମାନେ ସ୍ୱର୍ଣ୍ଣପିଣ୍ଡ । ଏତିକି ମୁଁ ଆଶା କରୁଥିବି, ମତେ କନ୍ୟାରୂପେ ଗ୍ରହଣକରି ଏମାନଙ୍କ ହାତ ମୋ ହାତକୁ ପ୍ରସାରିତ ହୋଇଆସୁ । ଏକ ବଦ୍ଧାଞ୍ଜଳି ଭିତରେ ଜାତିର କାର୍ଯ୍ୟକ୍ରମ ରୂପାୟିତ ହେଉ ଶତ ପୁଷ୍ପ ଶୋଭନରେ...ଏତିକି ପ୍ରାର୍ଥନା ପ୍ରଭୁ ।

 

କବାଟରେ ଠକ୍‌ ଠକ୍‌ ଶବ୍ଦ । ବୋଧହୁଏ ଜରୁରୀ, ଶାସନ କାର୍ଯ୍ୟରେ କୌଣସି ଅତି ଅସ୍ୱାଭାବିକ ପରିସ୍ଥିତି ।

 

ଧ୍ୟାନ ଶେଷ ହୋଇଯାଇଥିଲା । ନବମାଳିକା ମୃଗଚର୍ମ ଉପରୁ ଉଠିଆସି କବାଟ ଖୋଲିଦେଲେ–

 

ଆଗରେ ସେକ୍ରେଟେରୀ

 

–କଅଣ କିଛି ଜରୁରୀ ? ନେତ୍ରୀଙ୍କର ପ୍ରଶ୍ନ । ସେକ୍ରେଟେରୀ ଇଙ୍ଗିତରେ ବୈଠକଖାନାକୁ ଡାକିଲେ–

 

‘‘ପଲିଶି ମ୍ୟାଟର । ...ଉପରୁ ନିର୍ଦ୍ଦେଶ ଆସିଛି ଆପଣଙ୍କର ବିବେଚନାରେ ଯଦି କାହାର କାରାମୁକ୍ତିରେ କିଛି ଅନିଷ୍ଟ ନଘଟେ, ତେବେ ସେ କ୍ଷେତ୍ରରେ ଆପଣଙ୍କର ଜଜମେଣ୍ଟ ପୂର୍ଣ୍ଣମାତ୍ରାରେ ସମର୍ଥନ ପାଇବ’’ ସେକ୍ରେଟେରୀ ଏତିକି କହି ନୀରବ ହେଲେ–ଅପେକ୍ଷା କଲେ ପ୍ରତିକ୍ରିୟାକୁ ।

 

ଉଚ୍ଛ୍ୱସିତ ଆନନ୍ଦାଶ୍ରୁ ଗଡ଼ିଆସିଲା ନେତ୍ରୀଙ୍କର ଦୁଇ ନେତ୍ରରୁ ଆଶ୍ଚର୍ଯ୍ୟ ।

 

ବାସୁଦେବ ଆସି ଛିଡ଼ାହେଲେ ମୁକ୍ତପ୍ରାଙ୍ଗଣ ଉପରେ...ଉଡ଼ନ୍ତା ଘର ବ୍ୟାକୁଳ ପକ୍ଷୀ ଉଡ଼ିଯାଇଥିଲା ମହାକାଶ ବକ୍ଷରୁ ପକ୍ଷୀ ପିଟି...ନିଜ ନୀଡ଼ର ସୁଗନ୍ଧିବାରି .. ଆଗକୁ ଯୋଜନ ଯୋଜନ ଯାଏ ନୀଳଗଗନର ପଥ ।

 

ବାସୁଦେବ ହସିଦେଲେ, କହିଲେ ସାଥିମାନଙ୍କୁ–ଯେଉଁମାନେ ଆସିଥିଲେ ସଂଖୋଳି ନେବାକୁ–’ହଉ ଚାଲ ।’’

 

‘ଝଙ୍କାର, ଅକ୍‌ଟୋବର, ୧୯୭୬

Image

 

ପ୍ରତିଧ୍ୱନି

ସୁରେନ୍ଦ୍ର ମହାନ୍ତି

 

କଲିଙ୍ଗ ବେଲର କ୍ରିଙ୍ଗ୍ କ୍ରିଙ୍ଗ୍ ଚିତ୍କାର......ତା’ପରେ ବାଟନ୍‌ରେ ଠକ୍‌ ଠକ୍‌ ଆଓ୍ୱାଜ ବନ୍ଦଦରଜା ଉପରେ, ଝିଟିପିଟି ଟିକ୍‌ ଟିକ୍‌ କରିବା ପରି.....ଏ ଝିଟିପିଟି କିନ୍ତୁ ସେଇ ଆଦିମ ଡିନୋସାରମାନଙ୍କ ପରି...ଏଇ ଶବ୍ଦଟାକୁ ମୁଁ ଯେପରି ଏତେଦିନ ଅପେକ୍ଷା କରିରହିଥିଲି ବିମୁଢ଼ ଅଥର୍ବତା ମଧ୍ୟରେ । ତା’ପରେ କବାଟ ଉପରେ ବୁଟ୍‌ ଜୋତାମିଶା ପାଦରେ ଗୋଇଠା ପରେ ଗୋଇଠା । ବିଚାରା କବାଟଟା ସମ୍ଭାଳି ପାରିବତ ଏତେଗୁଡ଼ାଏ ବୁଟ୍‌ ଜୋତାର ମିଳିତ ଆକ୍ରମଣ ? କବାଟ ଭାଙ୍ଗିପଡ଼ିଲା । ତା’ପରେ ବୁଟ୍‌ ଜୋତାର ମଚ୍‌ ମଚ୍‌ ଆଓ୍ୱାଜ।

 

ଚିତ୍କାରକରି ବିଛଣା ଉପରେ ଉଠିବସିଲି । ଗୋଟିଏ ଲୁହା, ଷଣ୍ଡୁଆସୀ ମୋର ତୋଟିକୁ ଯେପରି ଏତେକ୍ଷଣ ଚିପି ଧରିଥିଲା । ମୋର ନିଃଶ୍ୱାସ ଛନ୍ଦି ହୋଇଆସିଥିଲା । ଖୋଲା ଝରକାବାଟେ ମୌସୁମି ଭିଜା ରାତିର ଥଣ୍ଡା ହାଓ୍ୱାସତ୍ତ୍ୱେ ମୋର କପାଳରେ ବିନ୍ଦୁ ବିନ୍ଦୁ ଝାଳ । ନିଃଶ୍ୱାସ ତଥାପି ରୁନ୍ଧି ଦେବାଭଳି ଲାଗୁଥିଲା । ନାଃ.....ମୁଁ ଗୋଟିଏ ଦୁଃସ୍ୱପ୍ନ ଦେଖୁଥିଲି କେବଳ । ଏହା ସତ୍ୟ ନୁହେଁ’ ହୋଇନପାରେ ।

 

ସ୍ୱସ୍ତିର ଗୋଟାଏ ଦୀର୍ଘଶ୍ୱାସ ପକାଇ, ବ୍ୟଗ୍ର ବ୍ୟାକୁଳ ହାତରେ ଝରକା ପର୍ଦ୍ଦା ଘୁଞ୍ଚାଇଦେଲି । ମେଘଧୂସର ଆକାଶରେ ଗୋଟାଏ ଉଜ୍ଜ୍ୱଳ ନକ୍ଷତ୍ର ଦପ୍‌ ଦପ୍‌ କରୁଥିଲା, ସାମ୍ନା ଫ୍ଲାଟଗୁଡ଼ାକର ଊର୍ଦ୍ଧ୍ୱରେ । ସେଇ ନକ୍ଷତ୍ର ଲୋକରୁ କିଏ ଯେପରି ସାଙ୍କେତିକବାର୍ତ୍ତା ପଠାଉଥିଲା, ଭୟ ନାହିଁ ।

 

ଭୟ ନାହିଁ.... ତୁମେ ତଥାପି ନିରାପଦ । ମୋର ପ୍ରୟୋଜନ ଥିଲା ସେତେବେଳେ, ଦମକାଏ ଶିଶିରଭିଜା ରାତିର ହାଓ୍ୱା । ଆଉ ମୁକ୍ତିର ଏଇପରି ଗୋଟାଏ ଉଦାତ୍ତ ପ୍ରତିଶ୍ରୁତି । ଆକଣ୍ଠ ପାନ କରିଗଲି ଶେଷ ରାତିର ପବନ ଝର ଝର ଶୀତଳ ପବନ ମୋର ଉତପ୍ତ କପାଳ ଆଉ ଦେହ ଉପରେ ଖେଳିଗଲା ସ୍ନେହସ୍ପର୍ଶ ପରି ।

 

ଦୁଇ ଓଠ ମଝିରେ ଖଣ୍ଡେ ସିଗାରେଟ ଚାପି ଧରିଲି ଜଳାଇବା ପାଇଁ । ହାତ ପାପୁଲି ଠୋଲା କରି ଦିଆସିଲି କାଠି ଜଳାଇବା ମାତ୍ରେ କ୍ଷୀଣ ଅଗ୍ନିଶିଖା ପବନରେ ଥରି ଥରି ଲିଭିଗଲା । ମୋର ମନେପଡ଼ିଗଲା ସେମାନେ ଯଦି ଲକ୍ଷ୍ୟ କରିଥାନ୍ତି, ଏଇ ଅଧରାତିରେ ଖୋଲା ଝରକା ପାଖରେ ଠିଆ ହୋଇ ମୁଁ ଦିଆସିଲି ଜଳାଉଛି ସିଗାରେଟ ଟାଣୁଛି ।

 

ବାହାରେ ରାସ୍ତା ଉପରେ ଓଭରକୋଟ ପିନ୍ଧା ଦୁଇଜଣ କନେଷ୍ଟବଲ ବିଟ ଦେଉଛନ୍ତି କୌଣସି ଗୋୟେନ୍ଦା ଉପନ୍ୟାସ ପୃଷ୍ଠାର ଦୁଇଟା ରହସ୍ୟମୟ ଛାୟାମୂର୍ତ୍ତିପରି । ରାତିର ନିର୍ଜନତା, ନୀରବତା ଭିତରେ ସେଇମାନଙ୍କର ବୁଟ ଜୋତାର ମଚ ମାଚ ଆଓ୍ୱାଜ ମୁଁ ବୋଧହୁଏ ଶୁଣିଥିଲି ସ୍ୱପ୍ନ ଆଉ ଜାଗରଣର ସନ୍ଧିକ୍ଷଣରେ । କିନ୍ତୁ ସେମାନେ ଯଦି ମୋତେ ଏବେ ଥାନାକୁ ଧରିନେଇ ହାଜତରେ ପୂରାଇ, ସେଠାରେ ପ୍ରଶ୍ନ କରନ୍ତି–ରାତିଅଧରେ ମୁଁ କାହିଁକି ଠିଆ ହୋଇଥିଲି ଖୋଲାଝରକା ପାଖରେ ଗ୍ରୀଲବାଡ଼ ଧରି ? ମୁଁ କାହିଁକି ଦିଆସିଲି କାଠି ଜଳାଉଥିଲି ? କାହା ଅପେକ୍ଷାରେ ମୁଁ ଠିଆ ହୋଇଥିଲି ଖୋଲାଝରକା ପାଖରେ ? କି ଇସାରା ମୁଁ ଦେଉଥିଲି କାହାକୁ ? କୌଣସି ଅନୁଶାସନବଦ୍ଧ ମଣିଷ ରାତିଅଧରେ ବିଛଣାରେ ସୁଖ ନିଦ୍ରାରେ ନଶୋଇ ଖୋଲାଝରକା ପାଖରେ ଠିଆ ହୋଇ ଦିଆସିଲି କାଠି ଜଳାଏ ନାଁ କଅଣ ?

 

ଆମ ପଡ଼ାରେ ପ୍ରତି ରାତିରେ ଏବେ ପୋଲିସର କଡ଼ାପହରା ଗୋୟିନ୍ଦା, ସାଦାପୋଷାକବାଲାମାନଙ୍କର ସତର୍କ ପଇନ୍ତରା । ତାରି ଭିତରେ ସେମାନେ ତଥାପି ଆଲକାତାରାରେ କିପରି ଲେଖିଯାଉଛନ୍ତି କେଜାଣି ଦିନର ଆଲୋକରେ ସେଇ ସ୍ଲୋଗାନ ସବୁ ଚିତ୍କାର କରିଉଠୁଛି ଯେପରି ଲକ୍ଷ କଣ୍ଠରେ ‘‘...ତାନାସାହୀ ହୁସିଆର । ଏକଛତ୍ରବାଦ ସାବଧାନ ! ଫାସିଷ୍ଟବାଦ ମୁର୍ଦ୍ଦାବାଦ ।’’ ଏଗୁଡ଼ାକ ଅତି ମାମୁଲି ଶବ୍ଦ ଯେକୌଣସି ରାଜନୈତିକ ଅଭିଧାନରେ ଖୋଜିଲେ ମିଳିବ । ଏଇ ମାମୁଲି ଶବ୍ଦଗୁଡ଼ାକୁ, ସେମାନେ ରାତିର ଦସ୍ୟୁ ପରି ପୋଲିସ ଠାରୁ ଆତ୍ମରକ୍ଷା କରି କାନ୍ଥରେ ବାଡ଼ରେ ଲେଖିବୁଲୁଛନ୍ତି କାହିଁକି ? ଆଉ ପୋଲିସବାଲା ସକାଳୁ ପୁଣି ଖୋଜି ଖୋଜି ସେସବୁ ଆଞ୍ଚୁଡ଼ି ନିଭାଉଛି ବା କାହିଁକି ? ସେମାନେ ନିଶ୍ଚୟ ଭୟ କରୁନାହାଁନ୍ତି ‘‘ତାନାସାହୀ’’ ଆଉ ‘‘ହୁସିଆର’’ ପରି ଦୁଇଟା ମାମୁଲି ମୁହଁ ଘଷରା ଶବ୍ଦକୁ ଅଚଳ ସୁକୀ ପରି ଯାର କୌଣସି ଦାମ୍‌ ନାହିଁ ଆଜି । ସେମାନେ ମଧ୍ୟ ପରବାୟ କରୁନଥିବେ, ଯେଉଁମାନେ ରାତିରେ ଛପି ଛପି କାନ୍ଥରେ ବାଡ଼ରେ ଆଲକାତାରାରେ ଲେଖିବୁଲୁଛନ୍ତି ଏସବୁ ସ୍ଲୋଗାନ । ମୁଁ ଜାଣେ ସେମାନଙ୍କୁ ରାଜେଶ ଆନନ୍ଦ ନରେଶ...ହାଡ଼ୁଆ ବିବର୍ଣ୍ଣ ମୁହଁ ଓଠ ତଳେ ନୂଆ ଗଜୁରିଥିବା ଦାଢ଼ୀ ଗାଲମୁଛା କଲି ବେଶ ଲମ୍ୱା । ବୁଟମିଶା ଗୋଟାଏ ଗୋଟାଏ ଥୋଇଲେ ସେମାନେ ମିଶିଯିବେ ମାଟିରେ । ସେମାନଙ୍କ ପାଇଁ ନଷ୍ଟ କରିବାକୁ ପଡ଼ିବନାହିଁ ବୁଲେଟ ଗୁଳୀ । ସେମାନେ କିନ୍ତୁ ଭୟକରନ୍ତି, ସେଇ ଦୁର୍ବଳ, ଅସ୍ଥି କଙ୍କାଳ ତଳେ ପ୍ରଚ୍ଛନ୍ନ ଥିବା ସେମାନଙ୍କ ଦୁର୍ବୀନୀତ ପୌରୁଷକୁ ସେଇ ଚିରବିଦ୍ରୋହୀ ଆତ୍ମାକୁ । ତାନାସାହୀ ଭୟ କରେ ନାହିଁ ମଣିଷକୁ ମଣିଷ ପାଇଁ ଗୋଟାଏ ବୁଲେଟ ତ ଯଥେଷ୍ଟ । କିନ୍ତୁ ସେ ଭୟ କରେ ତା’ର ଅବିନାଶୀ ଆତ୍ମାକୁ ତା’ର ମୁକ୍ତିପ୍ରୟାସୀ ସତ୍ତାକୁ-

 

ସ୍ନାୟବିକ ଉତ୍ତେଜନା ଶାନ୍ତ କରିବା ପାଇଁ ଅବିନାଶୀ ଆତ୍ମାର ଉପଲବ୍‌ଧ ପରିବର୍ତ୍ତେ ମୋର ସେତେବେଳେ ପ୍ରଯୋଜନ ଥିଲା କିନ୍ତୁ ଖଣ୍ଡେ ସିଗାରେଟ୍‌ ! ଆରାମରେ, ନିରୁଦବିଗ୍ନ ନୈଶ୍ଚିନ୍ତ୍ୟରେ ସିଗାରେଟ ଟାଣିବା ପାଇଁ ମୁଁ ଝରକା ପାଖରୁ ବାଥ୍‌ରୁମ୍‌ ଭିତରକୁ ଚାଲିଆସିଲି ।

 

କିନ୍ତୁ ବାଥ୍‌ରୁମରେ ସୁଇଚ ଜଳିବା ମାତ୍ରେ ଖଣ୍ଡେ ଅଖା ଭିତରୁ ଢାଙ୍କି ହୋଇପଡ଼ିଥିବା ରାଜେଶର ସେଇ ଭଙ୍ଗା ସାଇକ୍ଲୋଷ୍ଟାଇଲ ମେସିନଟା ଗୋଟାଏ ଭୁତ ପରି, ଉପରକୁ ଲମ୍ଫ ଦେଇଉଠିଲା ।

 

ଗୋଟାଏ କୁଲୀ ବସ୍ତୀର ଝୋପଡ଼ୀରୁ ରାଜେଶ ପ୍ରତିଦିନ ବାହାରକରୁଥିଲା ‘‘ଅଣ୍ଡରଗ୍ରାଉଣ୍ଡ ବୁଲେଟିନ’’ । ରାତିରେ ଗୋପନରେ ରହସ୍ୟଜନକ ଭାବରେ ସେସବୁ ବଣ୍ଟା ହେଉଥିଲା ଇଉନିଭରସିଟୀ କ୍ୟାଂପସ କଫିହାଉସ, ସରକାରୀ ଦପ୍ତର ଆଉ ପାର୍କମାନଙ୍କରେ । ବିଚାରୀ ଗୃହସ୍ଥମାନେ ସକାଳେ ନିଦ ମଳ ମଳ ଆଖିରେ ଉଠି ଲେଟରବକସ୍‌ରୁ ଖବରକାଗଜ ସଂଗ୍ରହ କଲାବେଳେ ପାଉଥିଲେ ସେଇସବୁ ବୁଲେଟିନ । ସେଗୁଡ଼ାକ ଦେଖିବା ମାତ୍ରେ କାହାର କାହାର ଗାତ୍ରକମ୍ପ ହେଉଥିଲା । ଟିକି ଟିକି ଚିରି ଓ୍ୱେଷ୍ଟ ପେପର–ବାସ୍କେଟ ଭିତରକୁ, ସେମାନେ ତାକୁ ଫିଙ୍ଗି ଦେଉଥିଲେ କିମ୍ୱା ଜାଳି ଦେଉଥିଲେ । ଚିରାଟୁକୁରା ସବୁ ରାସ୍ତାରେ ଡଷ୍ଟବିନ ପର୍ଯ୍ୟନ୍ତ ନେବା ପାଇଁ ସୁଦ୍ଧା ସେମାନଙ୍କ ସାହସ କୁଳଉ ନଥିଲା । କେହି କେହି ସେସବୁ ପଢ଼ୁଥିଲେ କୌତୁହଳରେ ତା’ପରେ ଦିଆସିଲି ଲଗାଇ ପୋଡ଼ି ଦେଉଥିଲେ ରୋଷେଇଶାଳ ଚୁଲୀରେ ।

 

ସେଇ ବୁଲେଟିନ ଥିଲା ରାଜେଶର ଏକକ–ସଂଗ୍ରାମ ଆଉ ସାଇକ୍ଲୋଷ୍ଟାଇଲ ମେସିନଟା ଅସ୍ତ୍ର ।

 

କିନ୍ତୁ ସାଇକ୍ଲୋଷ୍ଟାଇଲ ମେସିନଟା ଦିନେ ଅଚଳ ହୋଇଗଲା । ତା’ପରେ ପୁଣି ଝୋଗୀଝୁପୁଡ଼ିର ଗୋଟାଏ ବେକାର ମାତାଲ ସାଦା ପୋଷାକବାଲାଙ୍କ ଠାରୁ ଲାଞ୍ଚ ଖାଇ, ସେମାନଙ୍କୁ ସନ୍ଧାନ ଦେଲା ରାଜେଶର ପତ୍ତା ! ହାୟ ଦୁର୍ଭାଗ୍ୟ ରାଜେଶ ଲଢ଼ୁଥିଲା, ସେଇମାନଙ୍କର ସଂଗ୍ରାମ । କିନ୍ତୁ ସେଇ ବେକାର ମାତାଲଟାର ସେ ଚେତନା ନଥିଲା ।

 

ଭାଗ୍ୟକୁ ରାଜେଶ ସେତେବେଳେ ଝୁପୁଡ଼ୀରେ ନଥିଲା । ଥିଲେ ତ, ସେମାନେ ବୁଲା କୁକୁର ପରି ତାକୁ ଧରି ଭର୍ତ୍ତି କରିଥାନ୍ତେ ପୋଲିସ ଭ୍ୟାନରେ । ତା’ପରେ ଜୁଲୁମବାଜୀର ଅନ୍ଧକୂପ-। ସେଇ ବିଶ୍ୱାସଘାତକ ମାତାଲ ବେକାରଟାକୁ ଖୁନ୍‌ କରିବା ପାଇଁ ରାଜେଶ କେତେଥର ଦଳ ଗଢ଼ିଥିଲା । ବସ୍ତୀ ମୁଣ୍ଡରେ ଦେଶୀ ମଦଭାଟିରୁ ମଦ ପିଇ ମାତାଲ ଅବସ୍ଥାରେ ଢଳି ଢଳି ଫେରିଯାଏ ଗୋଟାଏ ନିର୍ଦ୍ଦିଷ୍ଟ ସମୟରେ । ଲୋକଟା କିନ୍ତୁ ଏପରି ନଥିଲା । ଗୋଟିଏ ଛୋଟିଆ କାରଖାନାରେ ସେ ଥିଲା, ମେସିନମାନର ହେଲପର । ଶ୍ରମିକ ୟୁନିଅନର ଚାନ୍ଦା ମଧ୍ୟ ଦେଉଥିଲା ନିୟମିତ ଭାବରେ । କିନ୍ତୁ କରାଖାନାଟା ଦିନେ ହଠାତ୍‌ ବନ୍ଦ ହୋଇଗଲା । ସେଦିନୁ ସେ ବେକାର ତା’ର ବେକାରୀର ଏକ ଦୁର୍ବୋଧ୍ୟ କୈଫିୟତ–ଡିପ୍ରେସନ । ଏଣିକି ଚୋରମଦ ଚାଲାଣ ହେଲା ମାତାଲାମି ଗୁଣ୍ଡାମୀ ହୋଇଗଲା ତା’ର ଏକମାତ୍ର ବୃତ୍ତି ଆଉ ଜୀବିକା । ଚୋରାମଦ କାରବାର ଉପରେ ପୋଲିସର ଆଖିପଡ଼ିବା ଦିନୁ ସେ ବ୍ୟବସାୟଟା ମଧ୍ୟ ଧିମେଇ ଯାଇଥିଲା । କିନ୍ତୁ ଭାଗବଖରାର ବନ୍ଦୋବସ୍ତ ପରଠାରୁ ସେଥିରେ ଆଉ ଅସୁବିଧା ରହିଲା ନାହିଁ ସତ, କିନ୍ତୁ ବ୍ୟବସାୟଟା ପୂର୍ବପରି ଆଉ ତେଜୀରେ ଚାଲୁନଥିଲା । ଅଗତ୍ୟା ମାତଲାମୀର ମାସୁଲ ଯୋଗାଡ଼ କରିବା ପାଇଁ ସାଦାପୋଷାକବାଲାଙ୍କ ଠାରୁ ଲାଞ୍ଚଖାଇ ସେମାନଙ୍କୁ ସେ ଦେଇଥିଲା ରାଜେଶର ପତ୍ତା । ଛୁରୀ ଭୂଷି ତାକୁ ଖୁନ୍‌ କରିବା ପାଇଁ ରାଜେଶ ପ୍ୟାଣ୍ଟ ପକେଟରେ ଗୋଟିଏ ଛୁରୀ ଆଉ ସାଇକେଲଚେନ ଧରି ବୁଲୁଥିଲା କେତେ ଦିନ । ଥରେ ମଧ୍ୟ ସେଇ ମାତାଲଟା ଢଳି ଢଳି ବସ୍ତୀ ରାସ୍ତାରେ ଫେରୁଥିବାବେଳେ ରାଜେଶ ସାମନାରେ ପଡ଼ିଯାଇଥିଲା । ରାଜେଶ ଦାନ୍ତରେ ଦାନ୍ତ ଚିପି ମନେ ମନେ ବିସ୍ଫୋରଣ କରିଉଠିଥିଲା....ଏଥର କୋଉ ସାଦାପୋଷାକବାଲା ବୋପା ତୋ ପିଠିରେ ପଡ଼ିବ ଦେଖିବି । କିନ୍ତୁ ବତୀଖୁଣ୍ଟର ମଳିଚ ଆଲୁଅରେ ମାତାଲଟାର ଚେହେରା ଦେଖି ତା’ ମନରେ ଦୟାହେଲା । ଆଃ ଏ ବିଚାରାମାନଙ୍କୁ ସେମାନେ ଲାଞ୍ଚ ଅଫିମ ଦେଇ ପଙ୍ଗୁ ଜଡ଼ କରିଦେଇଛନ୍ତି । ଏ ମାତାଲକୁ ଖୁନ୍‌ କରି ଲାଭ କଅଣ ?

 

ମାତାଲଟାର ଚେତା ଥିଲା ଠିକ୍‌ । ସେ ନିର୍ଭୟରେ ରାଜେଶକୁ କୁଣ୍ଢାଇ ମାତାଲ କଣ୍ଠରେ କହିଥିଲା–‘‘ଭାଇଟା ପରା, ମାଫ୍‌ କର ମୋତେ । ମାଫ୍‌ ଦେବୁ ନାଇଁ ? ଦେବୁ କି ନାହିଁ କ । ହଁ–କ-।’’

 

ମାତାଲମାନଙ୍କ ମୁହଁ ପୁଣି ଦେଖାଯାଏ ଏପରି ନିରୀହ ନିଷ୍ପାପ । ରାଜେଶ ସେଦିନ ତାକୁ ଛାଡ଼ିଦେଇଥିଲା । କିନ୍ତୁ ମନେ ମନେ କହିଥିଲା....‘‘ଆଚ୍ଛା ଆଉ ଦିନେ ।’’

 

ଭଙ୍ଗା ସାଇକ୍ଲୋଷ୍ଟାଇଲ ମେସିନଟାକୁ କେଉଁ ଦୋକାନକୁ ନେଇ ମରାମତି କରିବାର ମଧ୍ୟ ଉପାୟ ନଥିଲା । ସବୁ ଛାପାଖାନା ଆଉ ସାଇକ୍ଲୋଷ୍ଟାଇଲ ମେସିନ୍‌ ଦୋକାନ ଉପରେ ଏବେ ସାଦାପୋଷାକବାଲାଙ୍କର କଡ଼ାପହରା । ଅବଶେଷରେ ଦିନେ ରାତିରେ, ଅଖା ଭିତରେ ସେଇ ମେସିନ୍‌ଟାକୁ ପୂରାଇ ଗୋଟିଏ ଟ୍ୟାକ୍‌ସୀରେ ଲଦି ଅତର୍କିତ ଭାବରେ ରାଜେଶ ଆସି ପହଞ୍ଚିଥିଲା ମୋ ଫ୍ଲାଟରେ । ଅଖାବସ୍ତାଟାକୁ ଦେଖି ମୁଁ ପ୍ରଥମେ ଅନୁମାନ କରୁଥିଲି, ସେଥିରେ ଅଛି ବୋଧହୁଏ ତା’ର ଅଣ୍ଡର ଗ୍ରାଉଣ୍ଡ ପୋଷ୍ଟର ପାମ୍ପଲେଟ ବା ସେହିପରି କିଛି ।

 

ମୁଁ ଭୀରୁ କଣ୍ଠରେ କହିଲି.....‘‘ଏସବୁ ମାଲ ପାଇଁ ଏ ଫ୍ଲାଟ ନିରାପଦ ନୁହେଁ ଭାଇ ।’

 

ମଧ୍ୟବିତ୍ତସୁଲଭ ନିରାପତ୍ତାବୋଧ ମୋତେ ଇତିହାସର ଆହ୍ୱାନ ଗର୍ଭିତ ମୁହୂର୍ତ୍ତରେ ପଙ୍ଗୁ କରିଦେଇଥିଲା । ଆଃ...ମୁଁ ଯେପରି ଏକ ବୃଦ୍ଧ । ପେନସନପ୍ରାପ୍ତ ପାର୍କବେଞ୍ଚରେ ଓ୍ୱାକିଙ୍ଗଷ୍ଟିକ୍‌ ବେଣ୍ଟ ଉପରେ ଥୋମଣି ଲଦି ଏକୁଟିଆ ଏଣିକି ତେଣିକି ଚାହିଁ ବସିବାଛଡ଼ା; ଏଣିକି ମୋର ଆଉ ଅନ୍ୟ କୌଣସି କର୍ମ ନାହିଁ ।

 

ରାଜେଶ କପାଳ ଉପରୁ କେରାଏ ବାଳ ଉପରକୁ ବାଁ ହାତରେ ଛାଟିଦେଇ କହିଲା ‘‘ଭୟ କର ନାହିଁ । ଆ’ ଭିତରେ ଅଛି କେବଳ ଗୋଟାଏ ଭଙ୍ଗା ସାଇକ୍ଲୋଷ୍ଟାଇଲ ମେସିନ । ପାରିବତ ଏଇଟାକୁ ଶୀଘ୍ର ମରାମତି କରାଇନେବ । ନୋହିଲେ ବୁଲେଟିନ ବନ୍ଦ ।

 

ମୁଁ ସ୍ୱସ୍ତିର ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ କହିଲି ‘‘ତାହେଲେ ବାଥ୍‌ରୁମ ଭିତରେ ଗୋଟିଏ କୋଣରେ ପକାଇଦେ ଅଖାଟାକୁ । ବାଥ୍‌ରୁମଟାଇ ତ ଏବେ ନିରାପଦ ।’’

 

ବାଥରୁମ ଭିତରେ ଅଖାବସ୍ତାଟା ଧରାଧରି କରି ରଖିବାପରେ ରାଜେଶ ଚାଲିଯାଉଥିଲା, ମୁଁ କହିଲି ‘‘ଦଣ୍ଡେ ବସିଯାନା ରାଜେଶ । ଆଉ ବାହାରର ଖବର କଅଣ ?

 

ବସିବା ପାଇଁ ରାଜେଶର ଆପତ୍ତି ନଥିଲା । ରାଜେଶ ସୋଫା ଉପରେ ବସିପଡ଼ି ଧୂଳିଆ ଚପଲପିନ୍ଧା ପାଦ ଦୁଇଟାକୁ ଟି’ପୟ ଉପରେ ଆରାମରେ ଲମ୍ୱାଇ ଖଣ୍ଡେ ସିଗାରେଟରେ ନିଆଁ ଲଗାଇଲା । ସେତିକିବେଳେ ତା’ ପ୍ୟାଣ୍ଟ ପକେଟରୁ ତଳେ ଖସିପଡ଼ିଥିଲା ଗୋଟିଏ ଛୁରା । ଛୁରାଟାର ରକ୍ତମୁଖା ଚେହେରା ଦେଖି ମୁଁ ପ୍ରକୃତରେ ଭୟଭୀତ ହୋଇପଡ଼ିଥିଲି ।

 

–‘‘ତମେ ମତେ ପ୍ରତିଶ୍ରୁତି ଦେଇଥିଲ ନା ରାଜେଶ ଏଇ ଛୁରା ପାଇପଗନ ଏସବୁ ଏଣିକି ଛାଡ଼ିବ ବୋଲି । ଛୁରା ପାଇପଗନରେ ତୁମେ କଅଣ ମୁକାବିଲା କରିପାରିବ, ବ୍ରେନଗନ ମେସିନଗନ ସହିତ ?’’

 

ରାଜେଶ ଛୁରାଟାକୁ ହାତରେ ଅଳସ ଭାବରେ ଉଠାଇଧରି, କଳେ ସିଗ୍ରେଟ ଧୂଆଁର କୁଣ୍ଡଳୀ ଭିତରେ କହିଲା ‘‘ମୁଁ ଚାହେଁ ସେଇ ମାତାଲଟାକୁ ଖୁନୁ କରିବା ପାଇଁ । ଥରେ ତାକୁ ହାତରେ ପାଇ ଛାଡ଼ିଦେଇଥିଲି । ସେଇଥିପାଇଁ ତଥାପି ମୋର ଅବଶୋଷ ଯାଇନାହିଁ ।’’

 

‘‘କୋଉ ମାତାଲ’’ ମୁଁ ପଚାରିଲି ବିସ୍ମିତ କଣ୍ଠରେ ।

 

‘ସାଦାପୋଷାକବାଲାଙ୍କ ଠାରୁ ଲାଞ୍ଚଖାଇ ସେ ମୋର ପତ୍ତା ଦେଇଥିଲା ସେମାନଙ୍କୁ...ଝୋଗୀଝୁପୁଡ଼ୀର ଗୋଟାଏ ବେକାର ମେକାନିକ...’’ରାଜେଶ କଣ୍ଠରେ କ୍ରୁଦ୍ଧ ବିସ୍ଫୋରଣ । ଘୃଣା ଆଉ ଜିଜ୍ଞାସାରେ ମୁହଁ ବିକୃତ କରି ରାଜେଶ କହିଲା ‘‘ସେ ଗୋଟାଏ ଶ୍ରେଣୀ ଶତ୍ରୁ ବିଶ୍ୱାସଘାତକ, ସ୍ପାଇ, ଟ୍ରେଟର’’ । ଅଭିଧାନର ସବୁ ଶବ୍ଦ ସେ ଯେପରି ଶେଷ କରିଦେବାକୁ ଚାହୁଁଥିଲା ଏକା ନିଶ୍ୱାସରେ ।

 

ମୁଁ କହିଲି ‘‘ସେ ବିଚାରାକୁ ଭୁଲ ବୁଝ ନାହିଁ କିମ୍ୱା ଖୁନ୍‌ କରନାହିଁ । ତୁମର ସଂଗ୍ରାମ ଶ୍ରେଣୀ ବିରୁଦ୍ଧରେ କିନ୍ତୁ ସେ ବିଚାରାର ଲଢ଼ାଇ କ୍ଷୁଧା ସହିତ । ଶ୍ରେଣୀ–ପୋଷଣ ଅପେକ୍ଷା କ୍ଷୁଧାର ଦଂଶନ ଉତ୍କଟତର । ଶ୍ରେଣୀ–ସଂଗ୍ରାମରେ ସନ୍ଧି ଥାଇପାରେ, କିନ୍ତୁ କ୍ଷୁଧା ସହିତ ଲଢ଼ାଇରେ କୌଣସି ସାଲିସ ନାହିଁ । ତୁମେ ଛୁରାରେ ଖୁନ୍‌ କରିପାର ତାକୁ, କିନ୍ତୁ ତା’ର ବା ତା’ ପରି ଅନ୍ୟମାନଙ୍କର ବିଚାରଧାରାକୁ ନୁହେଁ ।’’

 

ସିଗ୍ରେଟ ଧୂଆଁର କୁଣ୍ଡଳୀ ଭିତରେ, ରାଜେଶ କେତେକ୍ଷଣ ଚିନ୍ତିତ ଭାବରେ ଉପରୁ ଛାତକୁ ଚାହିଁଲା । ପଙ୍ଖାଟା ଛଟପଟ ହେଉଥିଲା ଗୋଟାଏ ଅନ୍ଧ ବାଦୁଡ଼ି ପରି । ରାଜେଶ ଛୁରୀଟା ହଠାତ୍‌ ତଳେ ଫିଙ୍ଗି ଦେଇ, ଆସ୍‌ଟ୍ରେରେ ସିଗାରେଟର ଦଗ୍‌ଧାଂଶକୁ ନିଭାଇ, ନୀରବରେ ଚାଲିଗଲା । ଗଲାବେଳେ, ବିଳିବିଳେଇବା ପରି କହିଗଲା ‘‘ଠିକ୍‌ କହିଛ ଭାଇ । ଏଇ ଛୁରାରେ ମୁଁ ଭୂଷି ଦେଇପାରେ ତା’ର ହୃତପିଣ୍ଡ, କିନ୍ତୁ ତା’ର ହୃଦୟକୁ ନୁହେଁ ।’’

 

ସେଇ ଦିନୁ ରାଜେଶର ଆଉ ଦେଖା ନାହିଁ । ଅଖା ଭିତରେ ସେଇ ଭଙ୍ଗା ସାଇକ୍ଳୋଷ୍ଟାଇଲ ମେସିନ୍‌ ସହିତ ଛୁରାଟା ମଧ୍ୟ ପଡ଼ିଛି କେଉଁ ଭବିଷ୍ୟତର ସମ୍ଭାବନାରେ କେଜାଣି-? ମୋ ଦେହ କିନ୍ତୁ’ ସେଇ ଅଖାଟାକୁ ଦେଖିବା ମାତ୍ରେ ଶୀତେଇ ଉଠୁଥିଲା, ଯେପରି ସଦ୍ୟଖୁନ୍‌ କରିଥିବା ଗୋଟିଏ ଲାସ୍‌କୁ ମୁଁ ଲୁଚାଇରଖିଛି ସେଇ ଅଖା ଭିତରେ ବାଥ୍‌ରୁମ କୋଣରେ-

 

ସେମାନେ ଯଦି ଅକସ୍ମାତ ମୋ ଫ୍ଲାଟ ଚଢ଼ାଉ କରି, ସିଜ କରନ୍ତି ଭଙ୍ଗା ସାଇକ୍ଲୋଷ୍ଟାଇଲ ମେସିନ୍‌ ଆଉ ଛୁରା ? ମୁଁ କିପରି ବା ବୁଝାଇପାରିବି ସେମାନଙ୍କୁ, ଏଇ ଭଙ୍ଗା ସାଇକ୍ଲୋଷ୍ଟାଇଲ ମେସିନ ଆଉ ଛୁରା–ଗୋଟିଏ ବିଦ୍ରୋହୀ ବଜ୍ରକଠୋର ଆତ୍ମା ଆଉ ନବନୀତ କୋମଳ ହୃଦୟର ସ୍ୱାକ୍ଷର । ସେମାନେ ବୁଝିପାରିବେ ନାହିଁ, ବୁଝିବା ପାଇଁ ଚେଷ୍ଟା ସୁଦ୍ଧା କରିବେ ନାହିଁ....ସେମାନଙ୍କ ଦୃଷ୍ଟିରେ ଏସବୁ ରାଷ୍ଟ୍ରଦ୍ରୋହୀ ଷଡ଼ଯନ୍ତ୍ରର ମାରାତ୍ମକ ନିଶାଣ ।

 

ନିର୍ଲିପ୍ତ, ସ୍ୱଚ୍ଛନ୍ଦ ଭାବରେ ମୁଁ ସିଗାରେଟ ଟାଣି ପାରୁ ନଥିଲି । ପ୍ରତି ମୁହୂର୍ତ୍ତରେ ମୋର ଉତ୍ତପ୍ତ ମସ୍ତିଷ୍କ ଭିତରେ ବାଜିଉଠୁଥିଲା, କଲିଙ୍ଗି ବେଲର କ୍ରୀଙ୍ଗ କ୍ରୀଙ୍ଗ ଶବ୍ଦ ଆଉ କବାଟର ଠକ୍‌ ଠକ୍‌ ଆଓ୍ୱାଜ, ବାଥରୁମର ଆଲୁଅ ସୁଇଜ ବନ୍ଦ କରି, ମୁଁ ପୁଣି ସେଇ ଝରକା ପାଖକୁ ଫେରିଆସିଲି-। ମୋର ପାଦ ଦୁଇଟା, ତଥାପି, କମ୍ପୁ ଥିଲା ଅକାରଣ ଆତଙ୍କ ଆଉ ଉତ୍ତେଜନାରେ-। ବିଛଣାକୁ ଫେରିଯିବା ପାଇଁ ମଧ୍ୟ ମୁଁ ମାନସିକ ସାହସ କିମ୍ୱା ଅସ୍ୱସ୍ତି ଖୋଜି ପାଉ ନଥିଲି । ମେଘ ଢଙ୍କା ଆକାଶରେ ସେଇ ଉଜ୍ଜ୍ୱଳ ନକ୍ଷତ୍ରଟା ତଥାପି ଦପ୍‌ ଦପ୍‌ ହେଉଥିଲା ଏକ ଚକ୍ଷୁ କ୍ରୁଦ୍ଧ କାପାଳିକ ପରି । ତା’ର ସ୍ପନ୍ଦନରେ ପ୍ରଚ୍ଛନ୍ନ ଥିଲା ମୋ ପ୍ରତି ଶତ ଆକ୍ଷେପ......କାପୁରୁଷ । କାପୁରୁଷ ।

 

ପୂର୍ବ ଆକାଶରେ କ୍ରମେ ଫୁଟିଉଠିଲା ରାତିଶେଷର ପାଂଶୁଳ ଆଲୋକ ।

 

ରାସ୍ତା ସେପଟର ଯେଉଁ ଫ୍ଲାଟ ସବୁ ଇଲେକଟ୍ରିକ ଆଲୋକରେ ଦେଖାଯାଉଥିଲା ଷ୍ଟୀଲ ଲାଇଫ ଚିତ୍ର ପରି ଏବେ ପାହାନ୍ତି ଆଲୁଅ ଆଉ କୁହୁଡ଼ି ମଧ୍ୟରେ ସେସବୁ ଦିଶୁଥିଲା ସିଲଟ ପରି । ଅତ୍ୟାଚାରିତ ରାତିର ମୌନ ସ୍ତବଧତା ଭାଙ୍ଗି କେତୋଟା ପକ୍ଷୀ କାକଳୀ ଆରମ୍ଭ କରି ଦେଇଥିଲେ....ଆଲୋକର ଜୟଗାନ । ବୀଟ୍‌ କନେଷ୍ଟବଳମାନଙ୍କର ବୁଟଯୋତାର ଆଓ୍ୱାଜ ଆଉ ଶୁଣାଯାଉନଥିଲା । ରାସ୍ତାରେ ଗୋଟିଏ ପୋଲିସ ଜିପ ପଛରେ ଦୁଇଟି ଜେଲ ଭ୍ୟାନ ଭିଡ଼ିମୋଡ଼ି ନିଦ ଭାଙ୍ଗି ଉଠୁଥିବା ରାସ୍ତାଟାକୁ ଥରାଇ କନ୍ଦାଇ ଚାଲିଗଲା । ଜେଲ ଭ୍ୟାନରେ ଅଖାବସ୍ତା ପରି ଲଦା ହୋଇଥିବେ ବୋଧହୁଏ ସ୍ଲୋଗାନ ଲେଖାଳୀ ବୁଲେଟିନ ବଣ୍ଟାଳୀଙ୍କ ଦଳ । ରାଜେଶ ଆନନ୍ଦ ସେମାନଙ୍କ ଭିତରେ ନାହାନ୍ତି ତ ?

 

ମୁଁ ବିଛଣାକୁ ଫେରିଆସିଲି–କାପୁରୁଷର ନିଶ୍ଚିନ୍ତ ପୃଥିବୀ । କେତେ ସମୟ ଧରି ଦୁଃସ୍ୱପ୍ନହୀନ ନିଦ୍ରାରେ ଶୋଇଥାନ୍ତି ଜାଣେନା–ଏବେ ରାତି ଅପେକ୍ଷା ଦିନରେ ମୁଁ ଶୋଇପାରେ ନିଶ୍ଚିନ୍ତରେ । ନିଦ ଭାଙ୍ଗିଗଲା ଚା’ ଆଉ ଖବରକାଗଜ ଧାରି ଭୃତ୍ୟର ଡାକରେ । ଖୋଲା ଝରକାବାଟେ ଯେଉଁ ଚେନାଏ ଖରା ଚଟାଣ ଉପରେ ବିଛେଇ ପଡ଼ିଥିଲା, ସେଥିରେ ଆଉ କୋମଳତା ନଥିଲା, ଥିଲା ବରଂ ମୁକାବିଲା କରିବାର କଠୋର ଆହ୍ୱାନ । ମୁଁ ସେ ଆଡ଼ୁ ଆଖି ଫେରାଇ, ଆରାମରେ ଚା’ କପରେ ଗୋଟିଏ ଚୁମୁକ ଦେଲି । ଦିନର ଆଲୋକରେ ସେମାନେ ଆଉ ଆସିବେ ନାହିଁ । ସେମାନଙ୍କ ଆକ୍ରମଣ ନିଶୁତି ରାତିରେ ।–କବାଟରେ ଠକ ଠକ ଆଓ୍ୱାଜ । ଆଦେଶ ଅତି ସଂକ୍ଷିପ୍ତ । ସେଥିରେ ବିସ୍ତରଣା ନାହିଁ । ‘‘ତୁମେ ଗିରଫ, । ପରଓ୍ୱାନା ଦେଖିବାର କିମ୍ୱା ଦେଖାଇବାର ପ୍ରୟୋଜନ ନାହିଁ । ‘ଅଭିଯୋଗ, ? ଅପରାଧ ? ସେମାନେ ଜାଣନ୍ତି ନାହିଁ । ସେମାନେ ଜାଣନ୍ତି କେବଳ, ନିରାପତ୍ତା–ରକ୍ଷା ଆଇନର ଗୋଟିଏ ଦଫା ନମ୍ୱର । ତୁମେ ଗିରଫ ।

 

ତା’ପରେ ଗୋଟିଏ ଅତଳ ହ୍ରଦରେ ତୁମେ ନିଃଶବ୍ଦରେ ମିଳାଇ ଗଲ ଗୋଟାଏ ବୁଦବୁଦ ପରି । ତୁମର ପ୍ରତିବେଶୀ ଜାଣିଲେ ନାହିଁ–ସଂଧ୍ୟ୍ୟାରେ ସେମାନଙ୍କ ସହିତ ଆଳାପ ହୋଇଥିଲା ତମର....ରାତିରେ ହଠାତ୍‌ ଉଭାଇ ଗଲ କୁଆଡ଼େ ? ତୁମର ଆତ୍ମୀୟ ସ୍ୱଜନ ଜାଣିପାରିବେ ନାହିଁ, କେଉଁ ଜେଲରୁ କେଉଁ ଜେଲ’ ପୋଲିସ ଭ୍ୟାନରେ ପଶି ତୁମେ ଘୁରିବୁଲୁଛ ଗୋଟିଏ ନଷ୍ଟ ଉପଗ୍ରହ ପରି । ‘‘ତୁମେ ଗିରଫ’’–ତୁମ ପାଇଁ ଦିନର ଆଲୋକ ଲିଭିଗଲା ଏଣିକି–ଏହାପରେ କେବଳ ରାତ୍ରି ଆଉ ଅନ୍ଧକାର । ସେ ଅନ୍ଧକାର ମଧ୍ୟରେ କିନ୍ତୁ ସକାଳ ପାଇଁ ପ୍ରତୀକ୍ଷା ନାହିଁ; ସେ ଅନ୍ଧକାରର ପ୍ରଭାତୀ ନାହିଁ । ତୁମର ସୃଷ୍ଟିଧର୍ମୀ ଜୀବନରେ ସେ ଗୋଟିଏ ଆକସ୍ମିକ୍‌ ପୂର୍ଣଚ୍ଛେଦ ତା’ପରେ ମୁକ୍ତିହୀନ ଗୋଟାଏ ନିର୍ବେଦ ଅତ୍ୟାଚାରିତ ସ୍ଥିତି ।

 

ଚା’ କପ୍‌ଟା ଶୀଘ୍ର ଶେଷ ହୋଇଗଲା ପରା । ଖବରକାଗଜଟା ଶେଷ କରିବା ପାଇଁ ଆଉ କେତେ ମିନିଟ ବା ଲାଗିବ ? ପ୍ରତିସ୍ତମ୍ଭରେ କେବଳ X X କର୍ତ୍ତାଙ୍କ ବାର୍ତ୍ତା–ଅର୍ଥନୈତିକ, ସାମାଜିକ ନୈତିକ ଏପରିକି ସାଂସ୍କୃତିକ ପ୍ରଗତି ପାଇଁ ସୁପ୍ରଚୁର ଆୟୋଜନର ବିପୁଳ ଉଦ୍‌ଘୋଷଣ-। କର୍ତ୍ତା, ଏକ ଏନ୍‌ସାଇକ୍ଲୋପେଡ଼ିଆ ନିଶ୍ଚୟ । ଚାଉଳ, ଗହମ, ତେଲର ବଜାରଦର ଠାରୁ ଇସ୍ପାତର ନୂତନ ଉତ୍ପାଦନ ପ୍ରଣାଳୀ ସଙ୍ଗୀତକଳା, ଚିତ୍ରକଳାରେ ଆଧୁନିକତାର ଆଭିମୁଖ୍ୟ, ଏପରିକି ଯୌନତତ୍ତ୍ୱ–ସବୁ ତଥ୍ୟ ଓ ସମସ୍ୟା ସଂପର୍କରେ ସୁଚିନ୍ତିତ ନିର୍ଦ୍ଦେଶ । ସେଇ ନିର୍ଦ୍ଦେଶ ସବୁ ନିର୍ବିଚାରରେ ପାଳନ କରିଯିବାହିଁ ପ୍ରକୃତ ଦେଶଭକ୍ତି; ସୁସ୍ଥ ନାଗରିକତା । –ସେସବୁ ଉଦ୍‌ଘୋଷଣା ଭାଷଣ ସହିତ ମୁଁ ପରିଚିତ । ମୁଁ କିନ୍ତୁ ଖବରକାଗଜରେ ଖୋଜୁଥିଲି, ସେମାନଙ୍କ ଗିରଫଦାରୀର ସମ୍ୱାଦ–କେଉଁ ଅଭିଯୋଗରେ କେଉଁମାନେ କେତେବେଳେ ଗିରଫ ହେଲେ କେଉଁଠି । ସାମ୍ୱାଦିକର ସ୍ୱାଭାବିକକୌତୁହଳ । ମାତ୍ର ସେପରି ସମ୍ୱାଦର ସତ୍ତା ସୁଦ୍ଧା କେଉଁଠାରେ ନଥିଲା । ପ୍ରଥମେ ପ୍ରଥମେ ଏପରି ସମ୍ୱାଦ, ଯଦି ଆକସ୍ମାତ ପ୍ରକାଶ ପାଉଥିଲା ତାହା ଲୁଚି ରହୁଥିଲା ସେନସରର ଚଉଡ଼ା କଳା ପଟିତଳେ । ଏବେ କିନ୍ତୁ ସେଇ ଚଉଡା କଳାପଟି ସୁଦ୍ଧା ସେନସରଡ଼ । (ବସ୍ତୁତଃ ଆମ ଦୈନିକ ଖବରକାଗଜର ଅଫିସ ସିଲଡ଼ ହୋଇଗଲା, ଏଇ ଅପରାଧରେ । ଆମର ସଂପାଦକୀୟ ସେଦିନ ଥିଲା, କଳାପଟିଘେର ଗୋଟିଏ ଶୂନ୍ୟ ସ୍ତମ୍ଭ ) ।

 

‘‘ସଂପାଦକୀୟ ସ୍ତମ୍ଭ ଶୂନ୍ୟ କାହିଁକି ? ଚାରିପଟେ ପୁଣି ଚଉଡ଼ା କଳାପଟି । ଶୋକସମ୍ୱାଦ ଛାପିବା ପାଇଁ ଯେଉଁପରି କଳାପଟି ବ୍ୟବହାର କରାଯାଏ ?’’–ପୋଲିସ ଅଫିସରଙ୍କ କଣ୍ଠରେ କଠୋର ପ୍ରଶ୍ନ । ସଙ୍ଗରେ ତାଙ୍କର ଦଳେ ପିସ୍ତଲଧାରୀ ପୋଲିସ ।

 

ପ୍ରୌଢ଼ ସମ୍ପାଦକ ନୀରବ । ସିଏ କିପରି ବା ଉତ୍ତର ଦିଅନ୍ତେ ଏଇ ସ୍ୱାଧୀନତାର ମୃତ୍ୟୁ ସମ୍ୱାଦ । ସେ ଅସହାୟ ଭାବରେ କପାଳ ଆଉ କେଶ ବିରଳ ମୁଣ୍ଡ ଉପରେ ହାତ ବୁଲାଉଥିଲେ କେବଳ ।

 

ତା’ ପରଠାରୁ ଆମ ଖବରକାଗଜ ପ୍ରେସ ଆଉ ଅଫିସରେ ତାଲା କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ଲକ୍–ଆଉଟ । ବିଧିରକ୍ଷା ପାଇଁ ପ୍ରତିଦିନ ଆମକୁ ହାଜରା ଖାତାରେ ଗୋଟାଏ ଦସ୍ତଖତ ଦେଇ ଆସିବା ପାଇଁ ପଡ଼େ କେବଳ । ତାହେଲେ ଅଧାଚେତନ ଅନ୍ତତଃ ମିଳିପାରିବ ଲକ୍‌–ଆଉଟ ଥିବା ପର୍ଯ୍ୟନ୍ତ ।

 

ଖବରକାଗଜରେ ଅନ୍ୟ ସମ୍ବାଦ ନଥିଲା, ଅନ୍ୟ ବକ୍ତବ୍ୟ ନଥିଲା । ସିନେମା ଥିଏଟର ଆଉ କାବାରେ ବିଜ୍ଞାପନମାନ ତନ୍ନ ତନ୍ନ ପଢ଼ିବା ପାଇଁ ଲାଗିଲି । ମାତ୍ର ସେସବୁ ଦଶ ମିନିଟି ମଧ୍ୟରେ ଶେଷ ହୋଇଗଲା । ତା’ପରେ ଖବରକାଗଜଟା ତଳେ ଫିଙ୍ଗି ଦେଇ ମୁଁ ବିଛଣା ଛାଡ଼ି ଉଠିଲି ପ୍ରେସ ଆଡ଼େ ଯିବାପାଇଁ । ସେଠାରେ ଦୈନିକ ଉପସ୍ଥାନର ସ୍ୱାକ୍ଷରଟା ତ ଅନ୍ତତଃ ଦେବାପାଇଁ ପଡ଼ିବ, ମାସିକ ଅର୍ଦ୍ଧେକ ବେତନ ପାଇଁ ।

 

ବସ–ଷ୍ଟପରେ ଲୋଚାକୋଚା ପ୍ୟାଣ୍ଟକୋଟ ପିନ୍ଧା ସେଇ ବୃଦ୍ଧ ଭଦ୍ରଲୋକଙ୍କ ସହିତ ଆଜି ମଧ୍ୟ ସାକ୍ଷାତ ହେଲା । ଭଦ୍ରଲୋକ ମୋରିପରି ଏଇ ନ୬୧ମ୍ୱର ବସ୍‌ରେ ଡେଲୀ ପାସେଞ୍ଜର-। ଆମ ପ୍ରେସ ପାଖରେ ଗୋଟାଏ ସୌଦାଗରୀ ଫାର୍ମରେ ଆକାଉଣ୍ଟାଣ୍ଟ ।

 

‘‘ନମସ୍କାର, ଭଲ ଅଛନ୍ତିତ ? ଯାହା ଦିନକାଳ ପଡ଼ିଛି ।’’ ମୁଁ ଚାହୁଁଥିଲି ନୀରବତା ମୌନତା ସ୍ତବ୍‌ଧତାର ଅତ୍ୟାଚାରରୁ ମୁକ୍ତି ପାଇଁ କାହା ସହିତ ଆଳାପ ହେଉନାଁ ପଛେ ଯେତେ ଅବାନ୍ତର । ମାତ୍ର ଭଦ୍ରଲୋକ ମୁହଁ ବୁଲାଇ ନେଲେ ଯେପରି ସେ ମୋତେ ଆଦୌ ଚିହ୍ନନ୍ତି ନାହିଁ । ମୁଁ ଆଉଥରେ ଗଳା ଝାଡ଼ି କହିଲି–‘‘ନମସ୍କାର’’

 

ଭଦ୍ରଲୋକ ମୋଠାରୁ ଦୂରେଇ ଚାଲିଗଲେ ନିରାପଦ ଦୂରତ୍ୱକୁ । କି ଆଶ୍ଚର୍ଯ୍ୟ । ଏଇପରି ସୌଜନ୍ୟ ବିନିମୟ ଆମ ଭିତରେ ତ ଥିଲା ଏକ ପ୍ରାତ୍ୟହିକ ବ୍ୟାପାର । ଗୁଡ଼୍‍ମର୍ଣ୍ଣିଙ୍ଗ ଆଉ ଜଣେ ଅର୍ଦ୍ଧପରିଚିତ ମଧ୍ୟବୟସୀ ଭଦ୍ରଲୋକଙ୍କୁ ମୁଁ ଜଣାଉଥିଲି ଅଯାଚିତ ସମ୍ଭାଷଣ । ଚଷମା ଲେନ୍‌ସ ତଳୁ ତାଙ୍କର ଆଖି ଦୁଇଟା କିନ୍ତୁ ମୋ ଆଡ଼େ ଚାହିଁ ଦପ, ଦପ, ହୋଇଉଠିଲା । ସେଇ ତୀକ୍ଷଣ ଦୃଷ୍ଟିରେ ସେ ଯେପରି ମୋର ଗଭୀରତମ ଅନ୍ତଃସ୍ଥଳ ଆବିଷ୍କାର କରିବା ପାଇଁ ଚେଷ୍ଟା କରୁଥିଲେ । ତାଙ୍କ ଦୁଇ ଆଖିରେ ପ୍ରଚ୍ଛନ୍ନ ଜିଜ୍ଞାସା–ମୁଁ ପ୍ଲେନକ୍ଲୋଥସବାଲା ନୁହେଁ ତ ? ମୁଁ ଚେଷ୍ଟା କରୁନାହିଁ ତ ତାଙ୍କ ଠାରୁ କିଛି କଥା କାଢ଼ିବା ପାଇଁ ?

 

ନିଜର ଛାଇ ପ୍ରତି ସୁଦ୍ଧା ଆଜି ପ୍ରତ୍ୟେକର ଅବିଶ୍ୱାସ । ମୁଁ ଜାଣେ ମୁଁ ବୁଝିପାରୁଛି ତୁମ୍ଭମାନଙ୍କର କାପୁରୁଷତା ସେଥିପାଇଁ କ୍ଷମା କରୁଛି ତୁମମାନଙ୍କର ଏଇ ଅସୌଜନ୍ୟପୂର୍ଣ୍ଣ ଉଦାସୀନତା ।

 

ଅଗତ୍ୟା ମୁଁ ନିଜକୁ ନିଜେ ସ୍ୱଗତୋକ୍ତି କରିବାପରି କହିଲି...କାଲି ରାତିରେ ମେଘ କଟି ଯାଇଛି । ଆକାଶଟା କି ସ୍ୱଚ୍ଛ । କି ସୁନୀଳ । ଗୋଟାଏ ପାହାଡ଼ୀ ହ୍ରଦର ଛାତି ପରି ।

 

ଏହି ନିରୀହ ପାଗବାର୍ତ୍ତା ପ୍ରତି ସୁଦ୍ଧା କେହି କର୍ଣ୍ଣପାତ କଲେ ନାହିଁ । ମୁଁ ଗୋଟିଏ ପାଗଳ । ପ୍ରଳାପ କରୁଛି ଅବାନ୍ତର ଭାବରେ । ସେମାନେ ସମସ୍ତେ ଯେପରି କୌଣସି ଏକ ଶୋକସଭାରେ ମୂକ ମୌନ ସଭାଷଦ ।

 

୬୧ନମ୍ୱର ବସ୍‌ ଆସିଥିଲା ପୋଡ଼ା ଡିଜେଲ୍‌ ଧୂଆଁ ଉଡ଼ାଇ । ତା’ ସହିତ ମିଶିଗଲା ସ୍ୱସ୍ତିରଗୁଡ଼ାଏ ମିଳିତ ଦୀର୍ଘଶ୍ୱାସର କୋରସ୍‌ । ବସ୍‌ ଭିତରକୁ ଲମ୍ଫ ଦେବା ପାଇଁ ସମସ୍ତେ ଚଞ୍ଚଳ ହୋଇଉଠିଲେ’ ଯେପରି ମୋ ହାବୁଡ଼ରୁ ରକ୍ଷାପାଇବା ପାଇଁ । ମୁଁ କେଜାଣି ଗୋଟାଏ ସ୍ପାଇ ହୋଇପାରେ ପ୍ଲେନ୍‌କ୍ଲୋଦସବାଲା । ମୋର ସାନ୍ନିଧ୍ୟ ବିପଜ୍ଜନକ । ଭୟଭୀତ, ଆତଂକିତ ଆଶଂକିତ ସେମାନେ । ସେମାନଙ୍କୁ ଘେରି ରଖିଛି ଆତଙ୍କ ଆଉ ଉଦ୍‌ବେଗର ଦୁଇଟା ଲୋମଶ ବାହୁ ।

 

ବସ୍‌ ଭିତରେ ଗୋଟିଏ ସିଟରେ ମୋର ମନେପଡ଼ିଗଲା ଶୈଶବର ସ୍ମୃତି ଏଇ ଭୟ (ବର୍ଗୀଭୂତ ନୋହିଲେ କାକୁଆ) ଭିତରେ ଜାକିଜୁକି ହୋଇ ଶୋଇପଡ଼ୁଥିଲି ମୁଁ ଅନ୍ୟଶିଶୁମାନଙ୍କ ପରି । ସେଇପରି ଭୟ ମଧ୍ୟରେ ଆଜି ମଧ୍ୟ ସଙ୍କୁଚିତ ହୋଇ ଶୋଇପଡ଼ିଛନ୍ତି ସମସ୍ତେ ସମସ୍ତେ ଆଜି ନିଦ୍ରିତ । ସେମାନଙ୍କ ସୁପ୍ତଚେତନା ଉପରେ ପ୍ରତିଷ୍ଠିତ ତାନାସାହୀର ଉଦ୍ଧତ ସିଂହାସନ ।

 

ମୋ ପାଖକୁ ଲାଗି, ସହଯାତ୍ରୀ ଭଦ୍ରଲୋକ, ବସ୍‌ର ଝରକାବାଟେ ଚାହିଁ ଦେଖୁଥିଲେ, ରାସ୍ତା କଡ଼ରେ, ବୁଲ୍‌ ଡୋଜର୍‌ ଲଗାଇ ଭଙ୍ଗାଯାଇଥିବା ଘରଗୁଡ଼ାକର ଭଗ୍ନସ୍ତୂପ । କୁଢ଼ କୁଢ଼ ଇଟା ଆଉ ଗୋଡ଼ି । ସହରକୁ ସୁନ୍ଦର, ସୁରୁଚି ସମ୍ପନ୍ନ କରିବା ପାଇଁ, ସେ ଘରଗୁଡ଼ାକୁ ଭଙ୍ଗାଯାଇଛି କର୍ତ୍ତାମାନଙ୍କ ହୁକୁମ୍‌ରେ । ଏଇ ଭଗ୍ନସ୍ତୂପ ଉପରେ ଗଢ଼ିଉଠିବ, ଧାଡ଼ି ଧାଡ଼ି ଆଧୁନିକ ଶୈଳୀର ଫ୍ଲାଟ–

 

–ଆଉ ସ୍କାଇସ୍କ୍ରେପର୍‌ । ଆଉ ଯେଉଁମାନେ ଥିଲେ ଏହାର ଏକଦା ଅଧିବାସୀ, ସେମାନେ ଆଶ୍ରୟ ଖୋଜିବେ କୌଣସି ଝୋଗୀ ଝୁପ୍‌ଡ଼ୀରେ ।

 

ମୁଁ କହିଲି...‘‘ଏଇ ଭଙ୍ଗା ଘରଗୁଡ଼ାକୁ ଦେଖିଲେ ମନେହେଉଛି’ ଆମ ସହର ଉପରେ ହୋଇଯାଇଛି ଯେପରି ଜାପାନୀ ବୋମାର ଆକ୍ରମଣ ।’’

 

ସହଯାତ୍ରୀ ଚାପାକଣ୍ଠରେ ଖିଙ୍କାରି ଉଠିଲେ–‘‘ସଟଅପ୍‌ । ଚୁପ ହୋଇ ବସିପାରୁନାହାନ୍ତି ଆପଣ ? ନିଜେ ପଡ଼ିବେ, ଆମକୁବି ନେଇ ପକାଇବେ ଚକ୍‌କର୍‌ରେ । ଏଇ ସେ ସିଟ୍‌ରେ ଦୁଇଟା ପ୍ଲେନ୍‌ କ୍ଲୋଦସ୍‌ ବାଲା ।

 

ବାସ୍ତବିକ, ବସ ଭିତରେ ଯାତ୍ରୀମାନେ ନୀରବରେ ବସିଛନ୍ତି, କେହି ଖବରକାଗଜ ଉପରେ ମୁହଁମାଡ଼ି ଆଉ କେହି ଶୂନ୍ୟ ଦୃଷ୍ଟିରେ ବାହାରକୁ ଚାହିଁ କୌଣସି ଶୋକସଭାରେ ବସିବା ପରି । ମୁଁ ମଧ୍ୟ ସେମାନଙ୍କ ପରି ମୁହ୍ୟମାନ ହୋଇ ବସିବା ପାଇଁ ଚେଷ୍ଟା କରୁଥିଲି । କିନ୍ତୁ ମୋତେ ଅଣନିଶ୍ୱାସୀ ଲାଗୁଥିଲା କିଏ ଯେପରି ମୋର ତଣ୍ଟି ଚିପି ଧରୁଥିଲା ।

 

ଅବଶେଷରେ ଆମ ଖବରକାଗଜ ଅଫିସ ପାଖରେ, ବସରୁ ଓହ୍ଲାଇ ପଡ଼ିଲା ପରେ, ପଞ୍ଜୁରୀ ଭିତରୁ ବାହାରି, ମୁଁ ଯେପରି ମୁକ୍ତିର ନିଶ୍ୱାସ ମାରିଲି ।

 

ଖବରକାଗଜ ଅଫିସ ଗେଟରେ, ଆଟେଣ୍ଡାନସ ରେଜିଷ୍ଟରରେ ଉପସ୍ଥାନ ଚିହ୍ନିତ କରି ମୁଁ ପଳାଇଆସିଲି କଫି ହାଉସକୁ । ମୂର୍ଚ୍ଛିତ, ପକ୍ଷଘାତଗ୍ରସ୍ତ, ଏଇ ମହାନଗରୀରେ, କଫି ହାଉସଟା କେବଳ, ଯେପରି ଜୀବନ ଚଞ୍ଚଳତାର ଏକମାତ୍ର ଓଏସିସ୍‌ । କଫି ଆଉ ସିଗାରେଟ ଧୂଆଁର ହାଲୁକା ମେଘ, କଫି–ହାଉସ ଚିରଦିନ ମୋ ଦୃଷ୍ଟିରେ ସୃଷ୍ଟି କରିଥାଏ; ଏକ ରହସ୍ୟମୟ ସ୍ୱପ୍ନାଲୋକ । ଅନ୍ୟ ଦିନମାନଙ୍କରେ, ଏଇ ସମୟଟିରେ ତିଳଧାରଣ ପାଇଁ ସୁଦ୍ଧା କଫି ହାଉସରେ ସ୍ଥାନ ନଥାଏ । ରାଜନୀତି, ସାହିତ୍ୟ ସିନେମା, କ୍ରିକେଟ, X X ହୋମୋ ସେକସୁଆଲିଟୀ ପ୍ରତ୍ୟେକ ବିଷୟରେ ପ୍ରମତ୍ତ ବିତର୍କର ପ୍ରଗଲ୍‍ଭତା ମଧ୍ୟରେ କଫି–ହାଉସ ଚିରଦିନ କୋଳାହଳ ମୁଖର ।... ରିଭିଜନିଜିମ ରାଇଟ–ରିଆକସନ ଲେଫଟ ଆଡ଼ଭେଞ୍ଚରିଜିମ ଚୀ–ଗୁଭେର, ମାଓ ସେ ତୁଙ୍ଗ, ନର୍ଦନଟନାୟସାର କ୍ରିକେଟ୍‌ ମ୍ୟାଚରେ ଅଷ୍ଟ୍ରେଲିଆନ ବାଟସମାନଙ୍କର ବିପୁଳ କୃତିତ୍ୱ; ମହମଡ଼ାନ ରବିନ ଠାରୁ ହରମାନ ହେସ; ପାରସ୍ୟର ଉପନ୍ୟାସ ଠାରୁ ଉପନିଷଦ କଫି ହାଉସ ଚର୍ଚ୍ଚାରୁ କୌଣସି ତତ୍ୱ ତଥ୍ୟ ବର୍ଜିତ ନୁହେଁ ।

 

ଆଜି କିନ୍ତୁ ସବୁ ନୀରବ । ଅଧିକାଂଶ ଟେବୁଲ ଖାଲି । ସେଇ କୋଣଟାରେ ସବୁଦିନ ଜମିଥାଏ, ଲମ୍ୱାବାଳ ଆଉ ଚଉଡ଼ା କଲିବାଲାମାନଙ୍କର ମେଳା, ବେଲବଟମ ନୋହିଲେ ଜିନ ପରିହିତା କେତେଜଣ ତରୁଣୀଙ୍କୁ କେନ୍ଦ୍ର କରି, ହୋଇପାରନ୍ତି, ବିଭିନ୍ନ କଲେଜର ଛାତ୍ରଛାତ୍ରୀ । ମାତ୍ର ଆଜି ସେମାନେ କେହି ସେଠାରେ ନଥିଲେ । ଲମ୍ୱାବାଳ ଆଉ ଦାଢ଼ୀବାଲା ଜଣେ ଯୁବକ ସେହି କୋଣରେ ଖଣ୍ଡେ ଖବରକାଗଜ ଉପରେ ମୁଣ୍ଡନୁଆଇଁ ବସିଥିଲା ତା’ ସାମନାରେ ତା’ର ବନ୍ଧୁ ଉପର ଛାତକୁ ଚାହିଁ ନୀରବରେ ସିଗ୍ରେଟ ଟାଣୁଥିଲା । ସେମାନେ ମଧ୍ୟ ଅସ୍ୱାଭାବିକ ଭାବରେ ନିସ୍ତବ୍‍ଧ । ସେଇ ଯେଉଁ ପ୍ରଗଲ୍‍ଭ ଅଧ୍ୟାପକ, ହୋ ଚୀ ମୀନ ଦାଢ଼ୀ ଲମ୍ୱାଇ ପାରିଷଦ ବେଷ୍ଟିତ ହୋଇ ଅନ୍ୟ କୋଣଟିରେ ପ୍ରତିଦିନ ଏଇ ସମୟରେ ଜମାଇଥାନ୍ତି ତାଙ୍କ ଦରବାର–ସେ ମଧ୍ୟ ଆଜି ସେଠାରେ ନଥିଲେ ।

 

‘‘ପ୍ରଫେସର ମାଲହୋତ୍ରା ଗଲେ କୁଆଡ଼େ ?’’–ସିଏ ଆସିଥିଲେ ତାଙ୍କ ସହିତ ବିତର୍କ ଆଳାପ, ଆଲୋଚନାରେ କିଛି ସମୟ କଟିଯାଇଥାନ୍ତା । ମୁଁ ନିଜକୁ ପଚାରୁଥିଲି କାହାରି ଠାରୁ କୌଣସି ଉତ୍ତରର ପ୍ରତୀକ୍ଷା ନରଖି ।

 

ଓ୍ୱେଟର ଆଂଥୋନୀ ଫିସଫିସ ଗଳାରେ ମୋ କାନ ପାଖରେ କହିଲା ପ୍ରଫେସର ସାହେବ ଗିରଫ ହୋଇଗଲେଣି।

 

କିନ୍ତୁ କେଉଁ ଅପରାଧରେ ?’’ ପଚାରିଲା ବେଳକୁ ଆଂଥୋନୀ ସେଠାରେ ଆଉ ନଥିଲା-। ଏଠାରେ ମଧ୍ୟ ପ୍ଲେନ କ୍ଲୋଦସବାଲାଙ୍କ କୋକୁଆ ।

 

ଚାରିଆଡ଼ର ମୂର୍ଚ୍ଛିତ ନିର୍ଜନତା, ନିସ୍ତବ୍‍ଧତା ଆଡ଼େ ଚାହିଁ ମୁଁ କଫି କପ୍‌ରେ ଗୋଟାଏ ଚୁମୁକ ଦେଲି । ମାତ୍ର କଫିରେ ସ୍ୱାଦ ନଥିଲା । କୋଳାହଳ ବିନା କଫିର ସ୍ୱାଦ କାହିଁ ? ଶୂନ୍ୟଗର୍ଭ ଆଟାଚୀଟା କାଖତଳେ ଚାପି ମୁଁ ପୁଣି ରାସ୍ତାକୁ ବାହାରିଆସିଲି ।

 

କଫି–ହାଉସ ସାମନାରେ ଠିଆ ହୋଇଥିଲା ୪୩ ନମ୍ୱର ବସ । ଏ ବସ ଯିବ କମଳାନଗର ଡେଇଁ ସହର ତଳୀର ଶେଷ ସୀମାନ୍ତ ପର୍ଯ୍ୟନ୍ତ ଦୁଇଘଣ୍ଟାର ରାସ୍ତା । ମହାନଗରୀର ଛାତ ଉପରେ ମାଡ଼ିବସିଥିବା ମୌନ, ମୁକ ସମୟର ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ମୁଁ ବସ ଭିତରକୁ ଲମ୍ଫଦେଇ ଉଠିଲି । ବସ ସେଇ ମାତ୍ର ଗଡ଼ିବା ପାଇଁ ଆରମ୍ଭ କରିଥିଲା ଡିଜେଲ ଧୂଆଁର ଘୂର୍ଣ୍ଣୀ ଭିତରେ । ଭିତରେ ଯାତ୍ରୀଭିଡ଼ ନଥିଲା । କେତେଟା ସିଟ୍‌ ଖାଲି । ଗୋଟିଏ ଫାଙ୍କା ସିଟ୍ ବାଛି ମୁଁ ବସିପଡ଼ିଲି । କମଳାନଗର ଝୀଲ ଏଇ ସହରର ଗୋଟାଏ ଟୁରିଷ୍ଟ ଆକର୍ଷଣ, ପକ୍ଷୀପ୍ରେମୀ ଛୁଟକୁଟରିଆ ନିମ୍ନ ମଧ୍ୟବିତ୍ତମାନଙ୍କ ପାଇଁ ରବିବାରିଆ ପିକନିକର ଆଡ଼୍‍ଡ଼ା । ଶୀତଦିନେ ବିଦେଶୀ ଟୁରିଷ୍ଟମାନେ ଭିଡ଼ ବାନ୍ଧିଥାନ୍ତି ସେଠି ବାଇନୋକୁଲର ଧରି । ଚଢ଼େଇ ଶୀକାର ସେଠାରେ ନିଷିଦ୍ଧ ଥିଲେ ସୁଦ୍ଧା ଅନ୍ୟ ଦିନମାନଙ୍କରେ ଲୁଚାଚୋରା ଶିକାରୀମାନଙ୍କର ଭିଡ଼ । ବେଣା ଆଉ କାଶତଣ୍ଡୀ ବୁଦାମାନଙ୍କ ଉହାଡ଼ରେ ବନ୍ଧୁକ ଧରି ଲୁଚିବସିଥାନ୍ତି ସେମାନେ ଶୀକାର ଅପେକ୍ଷାରେ । ଆମ ଖବରକାଗଜରେ ଅନେକଥର ଲେଖାଯାଇଛି ସମ୍ପାଦକୀୟ ଆଲୋଚନା–କମଳାନଗର ଝୀଲରେ ଲୁଚାଚୋରା ଚଢ଼େଇ ଶିକାରୀମାନଙ୍କୁ ଜବତ କରି ଏହାକୁ ଏକ ସାଂକଚୁଆରିରେ ପରିଣତ କରିବା ପାଇଁ ଯେଉଁଠି ରହିବ ପକ୍ଷୀମାନଙ୍କର ସନ୍ତରଣ ପାଇଁ ଅବାଧ ସ୍ୱାଧୀନତା କିନ୍ତୁ ମହାନଗରୀର ଶିକାରୀମାନଙ୍କ ରକ୍ତ ତୃଷ୍ଣା ନିବାରଣ ପାଇଁ ଗୋଟିଏ କ୍ଷେତ୍ରଗୁଡ଼ାଏ ଶୀକାର ତ ଆବଶ୍ୟକ । ସେଥିପାଇଁ କମଳାନଗରର ଝୀଲରେ ଚଢ଼େଇ ଶୀକାର ଏବେସୁଦ୍ଧା ନିଷିଦ୍ଧ ହୋଇନାହିଁ । ଅନେକଥର ଭାବିଛି, ଥରେ ‘ଯାଇ ସ୍ୱଚକ୍ଷୁରେ ଦେଖିଆସିବା ପାଇଁ । ମାତ୍ର ସେଥିପାଇଁ କେବେ ସୁଯୋଗ ପାଇନଥିଲି । ଆଜି କିନ୍ତୁ ଏଇ କର୍ମହୀନ, ପକ୍ଷାଘାତଗ୍ରସ୍ତ ଦିନମାନଙ୍କରେ ସେଥିପାଇଁ ମିଳିଥିଲା ପ୍ରଶସ୍ତ ଅବସର ।

 

କମଳାନଗର ବସଷ୍ଟପ ଠାରୁ ବାଁହାତି ଲମ୍ୱିଯାଇଛି ଗୋଟିଏ ଧୂଳିଆ ରାସ୍ତା, ବାବଲାଗଛ ଆଉ ମକାକ୍ଷେତ ଭିତରେ, ଝୀଲ ପର୍ଯ୍ୟନ୍ତ । ସେଇ ଧୂଳିଆ ରାସ୍ତାରେ, ବେପରୁଆ ଭାବରେ ଧୂଳି ଉଡ଼ାଇ, ଗଣ୍ଡିଏ ବହଳର ଧୂଳି ଭିତରେ ଚାଲିବାବେଳେ; ମୋର ମନେହେଉଥିଲା, ମୁଁ ଯେପରି ମୁକ୍ତ, ସ୍ୱାଧୀନ, ଭୟ ଆଶଙ୍କାହୀନ, ମୋର ପାଦରୁ ବେଢ଼ୀ, ହାତରୁ ଶୃଙ୍ଖଳ ମୁହଁରୁ ତୁଣ୍ଡୀ ଖସିପଡ଼ିଛି । ବେସୁରା କଣ୍ଠରେ ଗୋଟିଏ ହିନ୍ଦୀ ସିନେମା ଗୀତ, ମୁଁ କିପରି ଯେ ପାଗଳ ପରି ଗାଇପାରିଲି କେଜାଣି ?

 

ସୌଭାଗ୍ୟକୁ ରାସ୍ତାଟା ଥିଲା ନିର୍ଜନ । ନୋହିଲେ ମୋର ବଙ୍କାତେଢ଼ା ବେପରୁଆ ଚାଲି, ବେସୁରା ହିନ୍ଦୀ ଗୀତ ଶୁଣି ସେମାନେ ମୋତେ ଭାବିଥାନ୍ତେ ଏକ ନିର୍ଘାତ ପାଗଳ । କିନ୍ତୁ ପିଞ୍ଜୁରୀ ଭିତରୁ ଗୋଟାଏ କଙ୍କ ପକ୍ଷୀ ହଠାତ୍‌ ମୁକ୍ତି ପାଇଲେ, ତା’ର ଡେଣାରେ ଲାଗିଥାଏ ଉଡ଼ିବାର ଯେଉଁ ନିଶା ସେଇ ନିଶା ମଧ୍ୟ ଲାଗିଥିଲା ମୋର ଚେତନାରେ । ମୁକ୍ତିର ସେଇ ଅନାପେକ୍ଷିକ ମୁହୂର୍ତ୍ତରେ କିଏ କଅଣ ଭାବି, ସେଥିପାଇଁ ମୋର ପରବାୟ ନଥିଲା । ଯେଉଁ ଅନାହତ ମୁକ୍ତି ମଧ୍ୟରୁ ଜାଗିଥିଲା, ସୃଷ୍ଟିର ପ୍ରଥମ ପ୍ରଭାତ–ମୁଁ ସେତେବେଳେ ଥିଲି ଯେପରି ତାରି ପ୍ରତୀକ । ନିଶୁତି ରାତିରେ କବାଟରେ ଠକ୍‌ ଠକ୍‌ ଆଓ୍ୱାଜର ଆତଙ୍କ ମୋତେ ଆଉ ଭୁତପରି ଗ୍ରାସ କରୁନଥିଲା । ହିନ୍ଦୀ ସିନେମା ଗୀତ ଛାଡ଼ି ମୁଁ ଧରିଲି ଗୋଟାଏ ଶାସ୍ତ୍ରୀୟ ସଙ୍ଗୀତ–ଚୁଡ଼ିୟା ବାର ବାର କରକାଇ । ଭାବସଂମ୍ପୃକ୍ତିରେ ଚିଡ଼ିଆ ବୋଧହୁଏ ମନେପକାଇ ଦେଇଥିଲା ‘ଚୁଡ଼ିୟା’।

 

କିନ୍ତୁ କମଳାଝୀଲରେ ସେଇ ପକ୍ଷୀକୁଳ କାହାନ୍ତି ? ନିର୍ମେଶ, ନୀଳ ଆକାଶରେ ଚୀଲର ଚକ୍‌କର ସୁଦ୍ଧା ନଥିଲା । ସେମାନେବି କଅଣ ଭୟଭୀତ ? ସାମନାରେ କେବଳ ଦଳ ଆଉ ଶିଉଳୀଭରା ଅଗଭୀର ଜଳରାଶିର ବିସ୍ତାର । ମଝିରେ ମଝିରେ ବେଣା କିମ୍ୱା କାଶତଣ୍ଡୀ ବୁଦା ଗୋଟିଏ ବଗ ସୁଦ୍ଧା କେଉଁଠି ସେଇ ବେଣା କିମ୍ବା କାଶତଣ୍ଡୀ ବୁଦା ଉପରେ ଡେଣାଝାଡ଼ି ଭଙ୍ଗ କରୁନଥିଲା, ଝୀଲର ଏକଟଣା ବିରକ୍ତି କମଳାନଗର ଝୀଲର ଚିତ୍ର କିନ୍ତୁ ମୁଁ ଦେଖିଛି ଟୁରିଷ୍ଟ–ପାମ୍ପଲେଟ୍‌, ଫୋଲ୍ଡ଼ରମାନଙ୍କରେ ଦଳ ଦଳ ରଙ୍ଗୀନ ପକ୍ଷୀ ପାଣି ଉପରେ ଓହ୍ଲାନ୍ତି, ସନ୍ତରଣ କରନ୍ତି, ପୁଣି ଉଡ଼ିଯାନ୍ତି ନୀଳ ଆକାଶରେ...କଣ୍ଠରେ ସେମାନଙ୍କର ମୁକ୍ତିର କାକଳୀ । ଆଜି କିନ୍ତୁ ସେଇ ପକ୍ଷୀମାନେ ଆତ୍ମଗୋପନ କରିଛନ୍ତି କେଉଁଠି ? କାହିଁକି ? ଏଠାରେ ମଧ୍ୟ କଅଣ ସେଇ ଆତଙ୍କ ? ସେଇ କୋକୁଆ ? ଫ୍ଲାଟରେ, କଫି ହାଉସରେ ବସ ଭିତରେ ନୀରବତା ମୁଁ ବରଦାସ୍ତ କରିପାରୁଥିଲି–କିନ୍ତୁ କାକଳୀ ମୁଖରିତ ଏଇ କମଳାଝୀଲ୍‌ରେ ନୁହେଁ । ମୋର ସହ୍ୟଶକ୍ତି ସମ୍ଭବତଃ ଚରମ ସୀମାରେ । ପହଞ୍ଚିଥିଲା କଫିନ୍‌ର ଢାଙ୍କୁଣୀ ପରି ଘନୀଭୂତ ନୀରବତାକୁ ଭଙ୍ଗ କରିବା ପାଇଁ, ଗୋଟାଏ ବାଲିକୁଦା ଉପରକୁ ଉଠିଯାଇ ମୁଁ ପାଗଳ ପରି ଚିକ୍ତାର କରିବାକୁ ଲାଗିଲି...ହୋ...ହୋ,...ହେ...

 

ମୋର ଆହ୍ୱାନ, ସେଇ ନୀରବତା ମଧ୍ୟରେ ପ୍ରତିଧ୍ୱନିତ ହୋଇ ଚାରିଆଡ଼େ ଖେଳାଇଦେଲା ପ୍ରତିଧ୍ୱନିର ଗୋଟାଏ ଫେନୋଛଳ ତରଙ୍ଗ । ମୋର କଣ୍ଠରେ ଏତେ ଶକ୍ତି ଯେ ପ୍ରଚ୍ଛନ୍ନ ରହିଥିଲା, ସେ ପର୍ଯ୍ୟନ୍ତ ମୁଁ ତାହା ଜାଣିନଥିଲି । ମୋର କଣ୍ଠଫଟୀ ଚିକ୍ତାର ମଧ୍ୟରେ ଥିଲା ଯେପରି ଐନ୍ଦ୍ରଜାଲିକ ଶକ୍ତି ଆଃ । ଏ ପକ୍ଷୀମାନେ ଏତେକ୍ଷଣ ଆତ୍ମଗୋପନ କରିଥିଲେ କେଉଁଠି ? ଚାହୁଁ ଚାହୁଁ ଝୀଲର ଜଳରାଶି ହଂସରାଳୀ, ପାଣିକୁଆ; ଚିଲ ଆଉ ଡକ୍‌ ପ୍ରଭୃତି ପକ୍ଷୀମାନଙ୍କରେ ପୂର୍ଣ୍ଣ ହୋଇଗଲା । ସେମାନେ ଯେପରି ସେଇ ସ୍ତବ୍‌ଧ ମୂର୍ଚ୍ଛିତ ନୀରବତା ମଧ୍ୟରେ ଏତେକ୍ଷଣ ଅପେକ୍ଷା କରୁଥିଲେ’ ଏଇପରି ଉଦାତ୍ତ ଆହ୍ୱାନ । ଆଉରି ଉତ୍ସାହିତ ହୋଇ ମୁଁ ପାଗଳ ପରି ଚିତ୍କାର କରି ଚାଲିଥିଲି ହୋ ! ହୋ ! ହୋ.....

 

ପକ୍ଷୀ ଶିକାରୀମାନେ ମଧ୍ୟ ବନ୍ଧୁକ ଧରି କେଉଁଠି ଛପି ରହିଥିଲେ ।

 

ପକ୍ଷୀମାନେ ଡେଣାଝାଡ଼ି ଝାଙ୍କ ଝାଙ୍କ ହୋଇ ଉପରକୁ ଉଡ଼ିବା

 

ବେଳେ ସେମାନଙ୍କ ବନ୍ଧୁକ ସବୁ ଗୁଡ଼ୁମ ଗୁଡ଼ୁମ ଆଓ୍ୱାଜ କରି ଫୁଟିଉଠିଲା ପାଣି ଭିତରେ କେତେଟା ମୃତାହତ ପକ୍ଷୀ ଖସିପଡ଼ିଲେ । ମାତ୍ର ସେଥିପ୍ରତି ପକ୍ଷୀମାନଙ୍କର ଭୃକ୍ଷେପ ନଥିଲା । ମୁଁ ଯେତିକି ଚିତ୍କାର କରୁଥିଲି–

 

ହୋ ! ହା ! ହେ–ସେତିକି ସେମାନେ ଝାଙ୍କ ଝାଙ୍କ ହୋଇ ଝୀଲ୍‌ ଭିତରକୁ ଓହ୍ଲାଇ ଆସୁଥିଲେ ବନ୍ଧୁକ ଗୁଳିକୁ ଭୃକ୍ଷେପ ନକରି । ଝୀଲ୍‍ରେ ସନ୍ତରଣ କରୁଥିଲେ; ପୁଣି ଉଡ଼ିଯାଉଥିଲେ ଉପରକୁ ।

 

ଶିକାରୀମାନଙ୍କର ବନ୍ଧୁକର ଗୁଳୀ ସବୁ ସମ୍ଭବତଃ ଶେଷ ହୋଇଥିଲା । ଏଇ ରକ୍ତବୀର୍ଯ୍ୟମାନଙ୍କ ପାଖରେ ହାର୍‌ମାନି ସେମାନଙ୍କର ବନ୍ଧୁକ ସବୁ ନୀରବ ହୋଇଆସିଥିଲା । କିନ୍ତୁ ପକ୍ଷୀମାନଙ୍କର କଣ୍ଠରେ କାକଳୀ ହୋଇଥିଲା, ଅଶାନ୍ତରୁ ଆଶାନ୍ତତର । ମୃତ୍ୟୁପ୍ରତି, ସେମାନଙ୍କର ଆଉ ଭୟ ନଥିଲା । ଭୟ କେବଳ ବନ୍ଧନ ଆଉ ନୀରବତା ପ୍ରତି । ସେଇ ବନ୍ଧନ ଭୟକୁ ପକ୍ଷୀମାନେ ଉପେକ୍ଷା କରି ଝାଙ୍କ ଝାଙ୍କ ହୋଇଉଠୁଥିଲେ ଆକାଶରେ । ସେମାନଙ୍କ କାକଳୀରେ ସେଇ ନିର୍ଜନ ଭୂମି ମୁଖରିତ ହୋଇଉଠିଥିଲା ।

 

ଡେଣାରେ ଡେଣାରେ ସେମାନଙ୍କର ଅସ୍ତସୂର୍ଯ୍ୟର ଆଲୋକ ବୋଲିଦେଇ ଯାଇଥିଲା ଯେପରି ତାଜା ଖୁନର ରଙ୍ଗ ।

 

୧୯୭୯ ଜାନୁୟାରୀ, ଆସନ୍ତାକାଲି, ୧ମ ସଂଖ୍ୟା

Image

 

କଣ୍ଢେଇ ରାଜ୍ୟ

ଅଚ୍ୟୁତା ନନ୍ଦ ପତି

 

ରାଜା ଥିଲେ ।

 

ରାଜାଙ୍କର ମହାମାନ୍ୟ ମହାମନ୍ତ୍ରୀ ଥିଲେ ।

 

ମହାମନ୍ତ୍ରୀଙ୍କ ପୁଅ ଯୁବମନ୍ତ୍ରୀ ଥିଲେ ।

 

ଯୁବମନ୍ତ୍ରୀଙ୍କର ଚାଣୁର ମୁଷ୍ଟିକ ଚାମଚଗୋଷ୍ଠୀ ଥିଲେ ।

 

ଚାମଚଗୋଷ୍ଠୀଙ୍କର ଚାରିଖୁଣ ମାଫ୍‌ ପଲ ପଲ ପଲଟନ ଥିଲେ ।

 

ତେଣୁ ମହାମାନ୍ୟ ମହାମନ୍ତ୍ରୀ ପ୍ରାଜ୍ଞା; ପ୍ରଜାପ୍ରିୟ, ପରୋପକାରୀ’ ପର୍ଯ୍ୟାପ୍ତଯଶା, ପୟତପ୍ରାଣ, ପରମକାରୁଣିକ ଇତ୍ୟାଦି ଇତ୍ୟାଦି ସବୁ ସେ ଅଲବତ୍‌ ଥିଲେ ।

 

ହଁ, ରାଜା ଥିଲେ । ରାଜାଙ୍କର ମହାମାନ୍ୟ ମହାମନ୍ତ୍ରୀ ଥିଲେ ।

 

ରାଜା ମହାମନ୍ତ୍ରୀଙ୍କର ହରେକ ହୁକୁମରେ ଗୋଟାଏ ମୁଣ୍ଡହଲା କଣ୍ଢେଇ ହୋଇ ଖାଲି ‘ହଁ’ ବୋଲି ମୁଣ୍ଡ ଟୁଙ୍ଗାରୁଥିଲେ । ରାଜାଙ୍କର ଏମିତିକା ସର୍ବ, ହଁ’ ଅଭ୍ୟାସକୁ ଅବ୍ୟାହତ ରଖିବାକୁ ମହାଧୂର୍ତ୍ତ ମହାମନ୍ତ୍ରୀ ସଦା ସତର୍କ ଥିଲେ ମନ୍ତ୍ରୀଙ୍କ ମର୍ଜି ଅନୁଯାୟୀ କଣ୍ଢେଇ ସଂପ୍ରଦାୟର ରାଜାମାନେ ମୁଣ୍ଡରେ ରାଜକୀୟ ଜମ୍ୱୁର ଖଂଜି ସମ୍ମାନର ସତରଂଜି ଉପରେ ପହଣ୍ଡିବିଜେ କରି ସିଂହାସନକୁ ଆସୁଥିଲେ ଅଥବା ବିଧା ଖାଇ ପୋଷାକ ଖସାଇ ଖରାବେଳର ଗାଈଆଳ ଟୋକାଭଳି ଧଅଁ ସଅଁ ହୋଇ ସିଧାସିଧା ଖସୁଥିଲେ । ପ୍ରକାଶ ଥାଉ କି ଆସିଲା, ବସିଲା ଖସିଲା ଅର୍ଥାତ୍‌ ସବୁବେଳେ ସବୁ ଅବସ୍ଥାରେ ରାଜାଙ୍କ ତୁଣ୍ଡରେ ତଣ୍ଡିରେ ବନ୍ଧା ହୋଇଥିଲା ।

 

ଥରେ ଏମିତି ହେଲା । ମହାମନ୍ତ୍ରୀଙ୍କର ଏକ ଜଘନ୍ୟ ଯୋଜନା ଉପରେ କଣ୍ଢେଇ ରାଜାଙ୍କର ମୁଣ୍ଡ ହଲିଲା ନାହିଁ । ମହାପ୍ରତାପୀ ମହାମନ୍ତ୍ରୀ ନଗନ୍ୟ ରାଜାର ଏତଦୃଶ ଧୃଷ୍ଟତା ଦେଖି ବିହିତ ବ୍ୟବସ୍ଥା ପାଇଁ ବିବେଚିତ କରିବା ହେଲେ । ଅଧମ କଣ୍ଢେଇଟାର ଅବାଧ୍ୟ ମୁଣ୍ଡଟାକୁ ଛିଣ୍ଡାଇ ଦେଇ ଆଉଗୋଟେ ବୋଲମନା ନୂଆଁ କଣ୍ଡେଇକୁ ଗାଦିନସିନ କରିବାକୁ ଯୋଜନାର ପାହାଚ ସବୁ ଥାକ ଥାକ କରି ସଜାଡ଼ି ନେଲେ ।

 

ଏ ଚିନ୍ତାର ତତ୍‌କାଳୀନ କାର୍ଯ୍ୟାନୁଷ୍ଠାନ ପାଇଁ ମହାମାନ୍ୟ ମହାମନ୍ତ୍ରୀ ତାଙ୍କ ଶାସନତନ୍ତ୍ରର ଶ୍ରେଷ୍ଠଯନ୍ତ୍ରୀ ତାଙ୍କର କରିତ୍‌କର୍ମା କୁମରମଣିଙ୍କ ପାଖକୁ ଦୂତ ବରଗିଲେ । (ଭାବିମନ୍ତ୍ରୀଙ୍କ ପଦମର୍ଯ୍ୟାଦା ତଥା ପ୍ରତାପ ଦୃଷ୍ଟିରୁ ସମସ୍ତେ କାକୁସ୍ଥ ହୋଇ ମନ୍ତ୍ରୀଙ୍କର ବ୍ୟଭିଚାରୀ ପୁତ୍ରକୁ ଯୁବରାଜ ବୋଲି ଡାକିବାକୁ ବାଧ୍ୟ ହୋଇଥିଲେ । ଏବଂବିଧ ଅବଶ୍ୟ ସମ୍ୱୋଧନ ପାଇଁ ଓ ସର୍ବତ୍ର ସମୁଚ୍ଚ ସମ୍ମାନ ଜ୍ଞାପନ ନିମିତ୍ତ ମହାମନ୍ତ୍ରୀ ମଧ୍ୟ ନିଜର ଦପ୍ତର ମାଧ୍ୟମରେ ସମଗ୍ର ରାଜ୍ୟର ଥାଟରାଜାମାନଙ୍କ ପାଖକୁ ପରୋକ୍ଷ ଓ ପ୍ରକାରନ୍ତ ନିର୍ଦ୍ଦେଶ ପଠାଇଥିଲେ । ଯୁବରାଜ ଉତ୍ତରାଧିକାରୀ ସୂତ୍ରରେ ଶିକ୍ଷାନବିସ ଭାବରେ ମନ୍ତ୍ରୀତ୍ୱ ଶିକ୍ଷା କରୁଥିଲେ । କଣ୍ଢେଇରାଜା କୁମର ମଣିଙ୍କ ଅସାଧାରଣ ସେବା ଶାଳୀନତା ପାଇଁ ତାଙ୍କୁ ‘ରାଜ୍ୟପ୍ରାଣ’ ଉପାଧିରେ ମଣ୍ଡିତ କରି ନିଜକୁ ଧନ୍ୟମଣିଥିଲେ ।)

 

ସେତେବେଳେ ରାଜ୍ୟପ୍ରାଣ କୁମରମଣି ଓରଫ ଯୁବରାଜ ହଜୁର ନିଜର ହାତବାର୍ଶି ହୟଗ୍ରୀବ ଦଳକୁ ଧରି ନଗର ସଜ୍ଜା ଯୋଜନାକୁ କାର୍ଯ୍ୟକାରୀ କରୁଥିଲେ ରାଜରାସ୍ତାର କଡ଼ରେ କେଉଁ ଆଈମା ଅମଳରୁ ଏକ ଅସୁସ୍ଥ ଶ୍ରମିକବସ୍ତି ଥିଲା । ବସ୍ତିର ବିବର୍ଣ୍ଣ ଦୃଶ୍ୟ ରାଜନଗରୀର ସମ୍ମାନ ଓ ସୌଷ୍ଠବକୁ କଳଙ୍କିତ କରୁଥିଲା । ତେଣୁ ବସ୍ତିର ଦଦରା, ଦରମଲା ଝାଟିମାଟିର ପଲାଗୁଡ଼ିକ ଉପରେ ବୁଲା କୁକୁରକୁ ପିଟିଲାପରି ରାଜ୍ୟପ୍ରାଣ କୁମରମଣିଙ୍କ କରିତକର୍ମା କର୍ମୀ-ପୁଙ୍ଗବମାନେ ଶାବଳମାଡ଼ଦେଇ ଆହ୍ଲାଦର ସ୍ୱାଦୁ ଚାଖୁଥିଲେ । ଦେହରେ ବୟସ ମାଂସଥିବା ଅଲିଅଳ ହରଣୀପଲ ପରି ବସ୍ତିର ବିଚାରା ନିରୀହ ଝିଅବୋହୂମାନଙ୍କ କାକୁତିମିନତି ଆତୁର ଚିତ୍‌କାରକୁ ଫାଙ୍କି ଦେଇ ସେମାନଙ୍କର କୋମଳ ମାଂସସ୍ଥଳମାନଙ୍କୁ ଶିକାରୀ ବାଘ ପରି ନଖଦାନ୍ତରେ ଚିରି ଚିରି ରାଜ୍ୟପ୍ରାଣ କୁମରମଣି ପ୍ରାଣର ସୋଦରମାନଙ୍କ ସହ ରକ୍ତମାଂସର ମଉଛୁବ କରୁଥିଲେ ।

 

ହଁ, ଯୁବମନ୍ତ୍ରୀ ଯୁବରାଜ ଚିଟାଉ ପାଇଁ ମହାମନ୍ତ୍ରୀଙ୍କୁ ତତ୍‌କ୍ଷଣାତ ସାକ୍ଷାତ କଲେ ଓ ଆବଶ୍ୟକୀୟ ନିର୍ଦ୍ଦେଶ ଧରି ବୀରଦର୍ପରେ ପ୍ରସ୍ଥାନ କଲେ ।

 

ମହାମାନ୍ୟ ମହାମନ୍ତ୍ରୀ ଅଳ୍ପ କିଛି ଭାବିଲେ ଓ ସାମାନ୍ୟ ଟିକିଏ ହସିଲେ ।

 

ହଠାତ୍‌ ରାଜା ତାଙ୍କର ମାର୍ଜନାଘରେ ପଡ଼ିଯାଇ ସଜ୍ଞାହୀନ ହେଲେ ବୋଲି ଚାରିଆଡ଼େ ହୁରି ପଡ଼ିଗଲା । ବ୍ୟଥା ଓ ବେଦନାରେ ମହାମନ୍ତ୍ରୀ ରୁଦ୍ଧଶ୍ୱାସ ହୋଇପଡ଼ିଲେ । ରାଜ୍ୟସାରା ରାଜଭକ୍ତ ପ୍ରଜାଏ ରାଜଙ୍କର ବିପତ୍ତିରେ ହାୟ ହାୟ କଲେ । ମହାମନ୍ତ୍ରୀ ରାଜାଙ୍କ ଆଶୁଚିକିତ୍ସା ପାଇଁ ରାଜଧାନୀରେ ରାଜ କବିରାଜଙ୍କୁ ଆପଣେ ଯାଇ ହକାରି ଆଣିଲେ । କବିରାଜଙ୍କ ପରାମର୍ଶ କ୍ରମେ ସେହି ସ୍ନାନଗୃହରେ ରାଜାଙ୍କ ଚିକିତ୍ସା ଆରମ୍ଭ ହେଲା । ଶ୍ରୀଛାମୁଙ୍କ ଶ୍ରୀଅଙ୍ଗର ପୀଡ଼ା ଅତି ସାଂଘାତିକ । ସାମାନ୍ୟ ହଇଚଇ, ଗଣ୍ଡଗୋଳରେ ଶ୍ରୀ ହଜୁରଙ୍କ ପ୍ରାଣହାନି ଘଟିବାର ବହୁ ସମ୍ଭାବନା-। ରାଜପ୍ରାସାଦକୁ ଏକ ନିଷିଦ୍ଧ ଅଞ୍ଚଳରୂପେ ଘୋଷଣା କରାଗଲା ।

 

ରାଜା ମଲେ । ମହାମନ୍ତ୍ରୀ କାନ୍ଦିଲେ । ମନ୍ତ୍ରୀଙ୍କ ଯୁବରାଜ ମୁଣ୍ଡ ବାଡ଼େଇଲେ । ରାଜ୍ୟସାରା ସମସ୍ତେ ଲୁହ ଗଡ଼ାଇଲେ ।

 

ଠିକ୍‌ ଆଠଦିନ ପରେ ରାଜ କବିରାଜ ଏକ ଦୁର୍ଘଟଣାରେ ପଡ଼ି ପ୍ରାଣ ହରାଇଲେ । ତାଙ୍କର ଅସାବଧାନତା ଯୋଗୁଁ ତାଙ୍କ ଉପରେ ଏକ ଘୋଡ଼ାଗାଡ଼ି ଚଢ଼ିଯାଇଥିଲା ।

 

ତା’ ଆର ସପ୍ତାହରେ ସେ ଘୋଡ଼ାଗାଡ଼ି ବାଲା ଜ୍ଞାନଦେଈ ମାଲୁଣୀର ବାରି ପଛପଟ ହିଞ୍ଜଳଗଛ ଡାହିରେ ରସିଦେଇ ଆତ୍ମହତ୍ୟା କରିଛି ବୋଲି ନଗର କଟୂଆଳ ଆସି ଦରବାରରେ ସାଫ୍‌ ସାଫ୍‌ ସାକ୍ଷ୍ୟ ଦେଲା ।

 

ତା’ ଅଳ୍ପଦିନ ବାଦ ଦରବାରର ଏକ ସ୍ୱତନ୍ତ୍ର ଅଧିବେଶନରେ ଜ୍ଞାନଦେଈ ମାଲୁଣୀଙ୍କୁ ତାଙ୍କର ଅସାମାନ୍ୟ ପୁଷ୍ପସଜ୍ଜା ଓ ଅନବଦ୍ୟ କଳାକୃତି ପାଇଁ ନଗର–ରମ୍ୟାଉପାଧିରେ ଭୂଷିତ କରାଗଲା ଏବଂ ରାଜକୋଷରୁ ଏକ ମୁକ୍ତାହାର ପ୍ରତ୍ୟୁପହାରରୂପେ ଅର୍ପିତ ହେଲା ।

 

ପ୍ରାୟ ତା’ର ପାଞ୍ଚଦିନ ପରେ ନଗରରମ୍ୟା ଜ୍ଞାନଦେବୀଙ୍କ ମସ୍ତିଷ୍କ ବିକୃତ ଘଟିଛି ବୋଲି ଦୁଃଖ ପ୍ରକାଶ କରି ମହାମାନ୍ୟ ମହାମନ୍ତ୍ରୀ ଏକ ଶ୍ୱେତପ ପ୍ରକାଶ କଲେ ଯେ ରାଜ୍ୟର ଏକ ମହନୀୟା ନାରୀଙ୍କର ମହାର୍ହଜୀବନରେ ନିମିତ୍ତ ରାଜ୍ୟତରଫରୁ ନଗରୀର ପାଗଳା ଚିକିତ୍ସାଳୟରେ ନଗରୀମାନଙ୍କୁ ବ୍ୟବସ୍ଥିତ କରାଗଲା । କିନ୍ତୁ ପରିତାପର ବିଷୟ, ଜ୍ଞାନ ଦେବୀଙ୍କ ଉତ୍କଟ ମାନସିକ ବ୍ୟାଧିର ଉପଶମ ଆସିଲା ନାହିଁ । ଏକ ମାସପରେ ନଗରରମ୍ୟାଙ୍କ ଆତ୍ମୀୟମାନେ ତାଙ୍କର ନିଜର ବାସଭବନକୁ ଫେରାଇଆଣିଲେ । ତାପରଠୁ ଜ୍ଞାନଦେବୀ କେବେ ଆଉ କଥା କହିନାହାନ୍ତି । ସେ ତାଙ୍କର କଥା କହିବାର ଶକ୍ତି ସମ୍ପୂର୍ଣ୍ଣରୂପେ ସବୁଦିନ ପାଇଁ ହରାଇ ବସିଥିଲେ ।

 

ଜ୍ଞାନଦେବୀଙ୍କ ପାଗଳା ଚିକିତ୍ସାଳୟ ଛାଡ଼ିବା ଛଅଦିନପରେ ଏ ରାଜ୍ୟର ପାଗଳା ଚିକିତ୍ସାଳୟର ମୁଖ୍ୟ ଚିକିତ୍ସକଙ୍କୁ ସେ ରାଜ୍ୟର ରାଜାଙ୍କ ଅଭିଷେକ ଉତ୍ସବରେ ବିଶିଷ୍ଟ ଅତିଥିରୂପେ ଯୋଗଦେବାକୁ ପଡ଼ୋଶୀରାଜ୍ୟର ରାଜା ରାଜସନ୍ଦେଶ ପଠାଇଲେ । ଏହା ଏକ ଦୁଃଖର ସମ୍ୱାଦ ଯେ ଅଭିଷେକ ଉତ୍ସବରେ ସଭାମଞ୍ଚ ହଠାତ୍‌ ଭୁଷୁଡ଼ି ପଡ଼ିବାରୁ ମୁଖ୍ୟ ଚିକିତ୍ସକ ତଥା ମାନନୀୟ ଅତିଥି ଚିକିତ୍ସା ପାଇଁ ସୁବିଧା ନପାଇ ହଠାତ୍‌ ସେଇଠି ଟଳିପଡ଼ିଲେ ।

 

ଏ ରାଜ୍ୟ ଓ ସେ ରାଜ୍ୟ, ଦୁଇ ପଡ଼ୋଶୀ ରାଜ୍ୟ ସବୁଦିନ ପାଇଁ ବନ୍ଧୁତାସୂତ୍ରରେ ବାନ୍ଧି ହୋଇରହିବା ପାଇଁ ଉଭୟରାଜ୍ୟ ଏକ ରାଜିନାମା ସ୍ୱାକ୍ଷର କଲେ । ଏ ରାଜ୍ୟର ମହାମନ୍ତ୍ରୀ ପ୍ରୀତିର ସ୍ମାରକୀରୂପେ ସେ ରାଜ୍ୟର ରାଜାଙ୍କ ପାଖକୁ ‘ରାଜକୁମାରୀ’ ପଦବୀପ୍ରାପ୍ତା ରାଜ୍ୟର ଶ୍ରେଷ୍ଠ ସୁନ୍ଦରୀଙ୍କୁ ନାନାଦି ମହାର୍ହ ଆଭରଣରେ ମଣ୍ଡିତା କରି ଏକ ବହୁମୂଲ୍ୟ ପାନପାତ୍ରସହ ସେ ରାଜ୍ୟକୁ ପ୍ରେରଣ କଲେ । ନାରୀ ଓ ପାନପାତ୍ର ପ୍ରୀତି ଓ ପ୍ରତୀତିରରୂପେ ପ୍ରେରିତ ହୋଇଥିଲା ।

 

ଏଣିକି ଯୁବରାଜ ପ୍ରାୟ ପ୍ରତିଦିନ ମହାମନ୍ତ୍ରୀଙ୍କୁ ଭେଟୁଥିଲେ ଓ ଯଥାଯଥ ନିର୍ଦ୍ଦେଶ ଦେଉଥିଲେ । ମହାମନ୍ତ୍ରୀ ଆଙ୍ଗୁଳି ଦେଖାଇଲେ ଯୁବରାଜ ବାହାଗିଳି ଦେଇ ମୁଣ୍ଡଗିଳିବାକୁ ଆଁ କରୁଥିଲେ ।

 

ରାଜ୍ୟର ପ୍ରତି ଛକରେ ମହାମନ୍ତ୍ରୀଙ୍କର ବିଶାଳ ତୈଳଚିତ୍ରମାନ ଓହଳାଇ ଦିଆଗଲା । ରାଜ୍ୟର ଚିତ୍ରଶିଳ୍ପୀମାନଙ୍କ ଦିନରାତି ବସି ମହାମନ୍ତ୍ରୀଙ୍କର ପ୍ରତିକୃତି ଆଙ୍କିବାକୁ ବାଧ୍ୟ କରାଗଲା ଏବଂ ଅବାଧ୍ୟ ଶିଳ୍ପୀଙ୍କୁ ବହୁବିଧଅଙ୍କୁଶ ମାଡ଼ଦେଇ ସାଧ୍ୟ କରାଗଲା । ରାଜ୍ୟର କବିମାନେ ନିରୂପାୟ ହୋଇ କାବ୍ୟକବିତା ଛନ୍ଦରେ ମହାମନ୍ତ୍ରୀଙ୍କ ସ୍ତବଗାନ କଲେ । ନଚେତ ରାଜଦ୍ରୋହ ଅପରାଧରେ ସେମାନଙ୍କ ସମ୍ପତ୍ତିବାଜ୍ୟାପ୍ତ କରାଗଲା । ପୁରୋହିତ ଶ୍ରେଣୀ ପ୍ରତ୍ୟହ ମନ୍ଦିରରେ ତାଙ୍କର ଯଜମାନଙ୍କୁ ଧରି ମହାମନ୍ତ୍ରୀଙ୍କ ଦୀର୍ଘଜୀବନ କାମନାକରି ସମବେତ ପ୍ରାର୍ଥନା କଲେ । (ପ୍ରାର୍ଥନା ପରେ ମନ୍ଦିର ତରଫରୁ ପ୍ରସାଦ ବଣ୍ଟନର ବ୍ୟବସ୍ଥା ଯୁବରାଜଙ୍କ ତରଫରୁ ଗୋପନୀୟ ଭାବରେ କରାଯାଇଥିଲା) ଚାରଣଦଳ ବୁଲିବୁଲି ମହାମନ୍ତ୍ରୀଙ୍କ ଗୁଣଗାନ କରିବାକୁ ଲାଗିଲେ । ରାଜଦୂତମାନେ ଅନ୍ୟ ରାଜ୍ୟମାନଙ୍କୁ ଯାଇ ମହାମନ୍ତ୍ରୀଙ୍କ କାର୍ଯ୍ୟାବଳୀର ଉଚ୍ଛ୍ୱସିତ ପ୍ରଶଂସା କଲେ । ଥାଟରାଜାମାନେ ମହାମନ୍ତ୍ରୀଙ୍କ କର୍ମପନ୍ଥାର ସ୍ତବଗାନ କରି ସେମାନଙ୍କର ଆନୁଗତ୍ୟ ପ୍ରକାଶ କଲେ-। ରାଜକର୍ମଚାରୀମାନେ ଯୁବରାଜଙ୍କ ହୁକୁମକୁ ମୁହଁବନ୍ଦକରି ତାମିଲ କରିବାକୁ ଲାଗିଲେ । ରାଜ୍ୟର ବିଦ୍ୱାନ୍‌ମାନେ ‘ରାଜ୍ୟହିଁ ମହାମନ୍ତ୍ରୀ’’ ବୋଲି ତାତ୍ପର୍ଯ୍ୟପୂର୍ଣ୍ଣ ତଥ୍ୟମାନ ଗାଇ ବୁଲିଲେ । ପଣ୍ଡିତମଣ୍ଡଳୀ ମହାମନ୍ତ୍ରୀଙ୍କୁ ସ୍ୱୟଂ ଜଗନ୍ନାଥଙ୍କର ଅବତାର ବୋଲି ସ୍ତୁତିଗାନ କଲେ ।

 

ଅବଶ୍ୟ ବହୁ ଖ୍ୟାତିସଂପନ୍ନ ଜ୍ଞାନୀ, ମାନୀ, ମନସ୍ୱୀ, ଦେଶସେବୀ ପଣ୍ଡିତ, ପ୍ରତିଷ୍ଠିତ ଓ କବି କଳାକାର ନାରୀଧର୍ଷଣ, ଦେଶଦ୍ରୋହ, ଚୌର୍ଯ୍ୟବୃତ୍ତି ଦୁର୍ନୀତି ଦୁଷ୍ପ୍ରବୃତ୍ତି ପ୍ରଭୃତି ଗୁରୁତର ଅଭିଯୋଗରେ ଅଭିଯୁକ୍ତ ହୋଇ ବନ୍ଦୀଗୃହର ଅନ୍ଧକାର ଗର୍ଭରେ ନିକ୍ଷିପ୍ତ ହେଲେ । କେତେକ ରାଜକର୍ମଚାରୀ ମଧ୍ୟ ସେମାନଙ୍କ ଆଚରଣ ବିଧି ଖିଲାପ କରି ଚାକିରୀରୁ ନିଷ୍କାସିତ ହେଲେ ଅଥବା ବନ୍ଦୀଶାଳାର ଅନ୍ତେବାସୀ ହୋଇ ପଡ଼ିରହିଲେ । ଅନେକ ପ୍ରତିଭାବାନ ଯୁବକ ସେମାନଙ୍କର ଅତିରିକ୍ତ ଉଚ୍ଛୃଙ୍ଖଳତା ଓ ଅନ୍ତର୍ଘାତୀ କାର୍ଯ୍ୟକଳାପ ପାଇଁ ଦଣ୍ଡଗୃହରେ ଦଣ୍ଡିତ ହୋଇ ଜୀବନ ଦେଲେ ବୋଲି ଘରେ କବାଟକିଳି କେହି ଫୁସୁରୁ ଫାସର ହେଲେ । (ରାଜଦପ୍ତର ଏ ପ୍ରକାର ଗୁଜବକୁ ଅସ୍ୱୀକାର କରି ସେମାନଙ୍କ ମୃତ୍ୟୁକୁ ସ୍ୱାଭାବିକ ମୃତ୍ୟୁ ବୋଲି ଘୋଷଣା କରିଥିଲା ଏବଂ ଗୁଜବ୍‌ ରଟନାକାରୀଙ୍କୁ ବିହିତ ଶାସ୍ତି ଦିଆହୋଇଥିଲା ।)

 

‘‘ମେଣ୍ଢାଛୁଆ ପାଣି ଗୋଳାଇବା ’’ ଆଳରେ ସବୁ ଭିନ୍ନମତବାଦୀମାନଙ୍କୁ ମନ୍ତ୍ରୀମହାବଳ ଚାକୁଳାଇ ଦେଇ ସ୍ୱସ୍ତିର ହାକୁଟି ମାଇଲେ । ରାଜ୍ୟର ସମସ୍ତଙ୍କୁ ନିଶ୍ଚେତନ ଶୁଙ୍ଘାଇ ମହାମନ୍ତ୍ରୀ ସେମାନଙ୍କର ଚେତନାକୁ ହରଣ କରିଥିଲେ । ସମସ୍ତଙ୍କ ସ୍ୱକୀୟ ମୁଣ୍ଡକୁ ଛିଣ୍ଡାଇ ଦେଇ ସେଠି କଣ୍ଢେଇର ମୁଣ୍ଡହଲା ମୁଣ୍ଡ ଖଞ୍ଜି ଦେଇ ମହାମନ୍ତ୍ରୀ ନିଜକୁ ଉଶ୍ୱାସ କରିନେଇଥିଲେ ।

 

କଣ୍ଢେଇ ରାଜା । କଣ୍ଢେଇ ପ୍ରଜା । କଣ୍ଢେଇର ବିରାଟ ବାରୁଆଳୀକୁ ହାତରେ ଡୋର ହଲାଇ ନଚାଉ ନଚାଉ ମହାମନ୍ତ୍ରୀ ଅଚାନକ କାହିଁକି ଛାଏଁ ଛାଏଁ ଚମକି ଉଠିଲେ । ମନ୍ତୁରା ଧୂଳିଛାଟି ସେ ମଣିଷଗୁଡ଼ାଙ୍କୁ କଣ୍ଢେଇ କରିଛନ୍ତି । ଏ ମଣିଷ କଣ୍ଢେଇର ଅଭିନୟ କରୁନାହାନ୍ତି ତ ? ତାଙ୍କର ଗାରୁଡ଼ିପଦ ଦିଗ ନହୁଡ଼ି ଠିକ୍‌ ଠିକ୍‌ କାଟୁ କରୁଛି ତ ? ସେଦିନ ମହାମନ୍ତ୍ରୀ ବେଶୀ ସମୟ ପର୍ଯ୍ୟନ୍ତ ବହୁତ କିଛି ଭାବୁଥିଲେ । (ଅଳ୍ପ ଟିକିଏ ଡରିଯାଇଥିଲେ ବୋଧହୁଏ ।) କିନ୍ତୁ ଖୁବ୍‌ ବେଶୀ ହସିଥିଲେ । ତା’ପରେ କିଛି ମୂଲ୍ୟବାନ୍‌ ପାନୀୟ ପିଇ ଶୋଇପଡ଼ିଥିଲେ । ଶୋଇବା ତାଙ୍କର ଦରକାର ବୋଲି ସେ ଅନୁଭବ କରୁଥିଲେ ।

 

ରାତିର ଶେଷ ପହରରେ ସେ ସ୍ୱପ୍ନ ଦେଖୁଥିଲେ । ତାଙ୍କ ଅସୁର ଗୁମ୍ପାରେ ସେ ସମସ୍ତଙ୍କୁ କଳାଫୁଲ ଶୁଙ୍ଘାଇ ପଥର କରିଦେଇଛନ୍ତି । କେଉଁ ରାଜାପୁଅ ଆସି ବାରହାତ ଖଣ୍ଡାରେ ତାଙ୍କ ବେକକୁ ଚୋଟେ ପକେଇଲା । ତାଙ୍କ ରକ୍ତଛିଟିକା ପଡ଼ି ପଥରଗୁଡ଼ାକ ମଣିଷ ହୋଇଗଲେ ।

 

ମହାମନ୍ତ୍ରୀ ଚମକିପଡ଼ି ଉଠିବସିଲେ । ପ୍ରାସାଦର ସିଂହଦ୍ୱାରରେ ବହୁ ଉତ୍ତେଜନା, ଅନେକ ଉତ୍ତାପ, ଅଜସ୍ର ଉତ୍‌ପାତ ଚାଲିଛି । ଉପର ମହଲ ଅଳିନ୍ଦରୁ ମହାମନ୍ତ୍ରୀ ଦେଖିଲେ ରାଜ୍ୟସାରା ସମସ୍ତେ କଣ୍ଢେଇ ମୁଣ୍ଡକୁ ଉତାରିଦେଇ ମଣିଷ ହୋଇଠିଆ ହୋଇଛନ୍ତି ।

 

ଆଉ ତାଙ୍କର ପଶୁ ଗଣ୍ଡିରୁ ମଣିଷର ନକଲି ମୁଣ୍ଡକୁ ଛିଣ୍ଡାଇ ଦେବାଲାଗି ଖଣ୍ଡା ହଲାଉଛନ୍ତି ।

 

(ଗଳ୍ପଝିର ଶାରଦୀୟ ବିଶେଷାଙ୍କ, ୧୯୭୭)

Image

 

ବନ୍ଦୀର ଆତ୍ମକଥା

ଦଶରଥ ସାମଲ

 

ଗତ ଚଉଦମାସ ଧରି ଜେଲ୍‌ର ଅମୁହାଁ ଦେଉଳ ଭିତରେ ରହି ଶୁଭକାନ୍ତ ଯେପରି ଅଣନିଶ୍ୱାସୀ ହୋଇଉଠିଥିଲେ । ସେ ଭାବୁଥିଲେ ଆଉ କେତେକାଳ ରହିବେ ଏଇମିତି ବନ୍ଦୀହୋଇ-। ଭାରତର ହାଜର ହଜାର ରାଜନୈତିକ ବନ୍ଦୀ ତାଙ୍କ ଭଳି ଜେଲର ଏକ ଅପନ୍ତର ଅନ୍ଧାର ଗୁହା ତଳେ, ଦୀର୍ଘନିଶ୍ୱାସ ଛାଡ଼ୁଥିବେ । ସେମାନଙ୍କର ସଂଖ୍ୟା ହଜାରେ କି ଲକ୍ଷେ, ତା’ ଭଳି ଏକ ରାଜନୈତିକ ବନ୍ଦୀ ପକ୍ଷରେ ଜାଣିବା କଷ୍ଟକର ।

 

ଶୁଭକାନ୍ତ ସକାଳୁ ଉଠିଲାବେଳକୁ ଦେଖିଲେ, ସେ ଯେଉଁ ସେଲ୍‌ରେ ବନ୍ଦୀ ଅଛନ୍ତି ତାହାର ବାହାରପଟ କବାଟରେ ଏବେମଧ୍ୟ ତାଲାଟିଏ ଝୁଲୁଛି । ରାତି ପାହି ସକାଳ ହେଲେ ମଧ୍ୟ ଓ୍ୱାର୍ଡ଼ର ଏବେସୁଦ୍ଧା ସେଲ୍‍ର ତାଲା ଖୋଲି ନାହିଁ । ଖୋଲିବାକୁ ହୁଏତ ତା’ର ମନେ ନାହିଁ ।

 

ଶୁଭକାନ୍ତ ବିରକ୍ତ ହେଲେ ଓ ଭାବିଲେ ଜେଲର କର୍ତ୍ତୃପକ୍ଷ ଭାବନ୍ତି ଯେଉଁମାନେ ବନ୍ଦୀ ହୋଇ ଜେଲକୁ ଆସନ୍ତି, ସେମାନେ ଜାତି ଦ୍ରୋହୀ, ରାଷ୍ଟ୍ରଦ୍ରୋହୀ ଓ ନିତାନ୍ତ ଅଦରକାରୀ । ଜେଲ୍‌ରେ ବନ୍ଦୀ ହୋଇ ରହିବା କିମ୍ୱା ଘଟଣାଚକ୍ରରେ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ଯେପରି ସେମାନଙ୍କର ସହଜାତ ଧର୍ମ ।

 

ଶୁଭକାନ୍ତ ନିଜ ସେଲ୍‌ର ରୁଦ୍ଧ ଦର୍ଜା ପାଖକୁଆସି ଅନାଇଲେ ଜେଲ୍‌ର ଅଗଣାକୁ । ରାତି ପାହି ବେଶ୍ ସକାଳ ହୋଇଗଲାଣି । ଅପରାଧୀ କଏଦୀମାନେ ଜେଲର ଅଗଣାରେ ଯେଉଁଠାରେ କୋବି, ଆଳୁ, ମୂଳା, ଲଙ୍କାମରିଚ ଓ ଶାଗ ଲଗାଯାଇଛି, ସେସବୁ କିଆରୀରେ ଘାସକୁଟା ବାଛୁଛନ୍ତି-। କେହି କେହି କୋଡ଼ି କୋଦାଳ ଧରି କୋବି ଓ ଲଙ୍କା ଗଛମାନଙ୍କ ପାଖରେ ମାଟି ଖୁସାଉଛନ୍ତି କେହି କେହି ଗହୀରିଆ କୂଅରୁ ପାଣି ବାହାରକରି, ଗଛମାନଙ୍କରେ ପାଣି ଢାଳୁଛନ୍ତି ।

 

ଶୁଭକାନ୍ତ ଆଶ୍ଚର୍ଯ୍ୟ ହେଲେ । କଏଦୀମାନଙ୍କୁ ସକାଳ କାର୍ଯ୍ୟରେ ବ୍ୟସ୍ତ ରଖିବାଲାଗି ଜେଲ କର୍ତ୍ତୃପକ୍ଷ ଖୁବ୍‌ ଭୋରୁ ମୁକ୍ତ କରିଦେଇଥିବାବେଳେ, ରାଜନୈତିକ ବନ୍ଦୀମାନଙ୍କୁ ଏବେସୁଦ୍ଧା ମୁକ୍ତ କରିନାହାନ୍ତି । ଏହାର କାରଣ ଶୁଭକାନ୍ତଙ୍କ ପକ୍ଷରେ ସ୍ପଷ୍ଟ ହୋଇଗଲା । ଜେଲ୍‌ କର୍ତ୍ତୃପକ୍ଷ ବିଚାର କରନ୍ତି କଏଦୀମାନେ ହେଉଛନ୍ତି ଉତ୍ପାଦନକ୍ଷମ ଶ୍ରମିକ । ସେମାନେ ଅପରାଧ କରିଛନ୍ତି । ଚୋରୀ ଡକାୟତି ହତ୍ୟା ଓ ଲୁଟତରାଜ କରି ଯେହେତୁ ଜେଲ୍‌ଦଣ୍ଡ ଭୋଗୁଛନ୍ତି, ସେମାନଙ୍କଠାରୁ କାମ ଆଦାୟ କରିବା ଯେପରି ଏକ ରାଷ୍ଟ୍ରୀୟ କର୍ତ୍ତବ୍ୟ । ସେଥିପାଇଁ ସେମାନଙ୍କୁ ସଂଧ୍ୟା ଛଅଟାବେଳେ ଗୋଠ ଭିତରେ ଭର୍ତ୍ତିକରି ଚାବି ଦିଆଯାଏ । ଏବଂ ସକାଳ ଛଅଟା ପୂର୍ବରୁ ଗୋଠ ଭିତରୁ ମୁକ୍ତ କରିଦିଆଯାଏ ।

 

ଆଉ ସେମାନଙ୍କ କଥା–ସେମାନେ ତ ରାଜନୈତିକ ବନ୍ଦୀ । ପ୍ରଚଳିତ ଶାସନକୁ ହଟାଇବାଲାଗି ସେମାନେ ଉଦ୍ୟମ କରିଛନ୍ତି । ସେମାନେ ଏକଛତ୍ରବାଦ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି । ଗଣତନ୍ତ୍ରର ପୁନଃପ୍ରତିଷ୍ଠା ପାଇଁ, ସମ୍ୱାଦପତ୍ରର ସ୍ୱାଧୀନତା ରକ୍ଷାଲାଗି ଓ ବିଚାର ବିଭାଗର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ସେମାନେ କୃଚ୍ଛ୍ର ସଂଗ୍ରାମ ଚଳାଇଛନ୍ତି । ତେଣୁ ସେମାନେ ଅଦରକାରୀ । ସକାଳ ଆଠଟାବେଳେ ଜେଲ୍‌ର ଚାବି ଖୋଲିଲେ ମଧ୍ୟ ଅସୁବିଧା ନାହିଁ । କାରଣ ରାଜନୈତିକ ବନ୍ଦୀମାନେ କେବଳ ନିଷ୍କର୍ମା । ସେମାନେ ସକାଳ ହେଲେ ଖବରକାଗଜ ଲୋଡ଼ିବେ । ରେଡ଼ିଓ ଶୁଣିବେ । ଚା’ ଜଳଖିଆ ଖାଇବେ । ବଡ଼ ବଡ଼ ବହିପଢ଼ିବେ ।

 

ଶୁଭକାନ୍ତ ବଡ଼ ଅଶ୍ୱସ୍ତି ବୋଧକଲେ । କେଉଁଦିନ ଏ ଦେଶରୁ କଳା ଶାସନର ଅବସାନ ହେବ ? ଆପଦକାଳୀନ ଅବସ୍ଥା କେଉଁଦିନ ଭାରତରୁ ଉଠିଯିବ ? କେଉଁଦିନ ବ୍ୟକ୍ତିତନ୍ତ୍ର ଶାସନର ଅବସାନ ଘଟିବ ? ସମ୍ୱାଦପତ୍ର, ରେଡ଼ିଓ ଓ ଟେଲିଭିଜନରେ କେବଳ ଦେଖାଯାଉଛି ଗୋଟିଏ ଏକଛତ୍ରବାଦୀ ଶାସକର ରୂପ । ଶୁଣାଯାଉଛି ଏକ ବ୍ୟକ୍ତିତନ୍ତ୍ରବାଦୀ ଶାସକର ରୂଢ଼ସ୍ୱର, ତା’ର ବକ୍ତୃତା ଓ ବିବୃତିରେ ଦେଶକୁ ନୂଆଭାବେ ଏକଛତ୍ର ଦିଗରେ ଶାସନ କରିବା ପାଇଁ ତା’ର କୋଡ଼ିଏ ଗୋଟି ସନନ୍ଦ ବାରମ୍ୱାର ଆକାଶ ପବନରେ ପ୍ରତିଧ୍ୱନିତ ହେଉଛି । ସେ ସନନ୍ଦ ଭାରତର ପୁରପଲ୍ଲୀର କାନ୍ଥବାଡ଼ରେ ଘରଅଗଣାରେ ଝୁଲିଯାଇଛି ।

 

ଶୁଭକାନ୍ତଙ୍କର ମନେପଡ଼ଛି ଯେଉଁଦିନ ହଠାତ୍ ଆପଦକାଳୀନ ପରିସ୍ଥିତି ‘ଜାରୀହେଲା; ତା’ ପରଦିନ ସକାଳେ ସାରାସହରଟା ଯେପରି ଏକ ଗୁମ୍‌ସୁମ୍ ନିସ୍ତବ୍‍ଧତାରେ ଆଚ୍ଛନ୍ନ ହୋଇଗଲା-। ଏ ସମ୍ୱାଦ ରେଡ଼ିଓରେ ଘୋଷିତ ହେଲାପରେ ସାରାସହରର ଜନତା ମୁହଁରେ ଆଶଙ୍କାର ଏକ କଳାମେଘ ଯେପରି ଛାଇଗଲା । ବସ ଷ୍ଟାଣ୍ଡରେ, ରେଲଓ୍ୱେ ଷ୍ଟେସନରେ ଦୋକାନ ବଜାରରେ ସେହି ଗୋଟିଏ କଥା ଆଲୋଚନା, ଦେଶ କୁଆଡ଼କୁ ଯାଉଛି ।

 

ଶୁଭକାନ୍ତ ସେଦିନ ଆହୁରି ମ୍ରିୟମାଣ ହୋଇଗଲେ ସେ ଯେତେବେଳେ ଜାଣିଲେ ଯେ ଭାରତର ସମସ୍ତ ବିରୋଧୀଦଳର ନେତା ଗତକାଲି ରାତିରେ ଗିରଫ ହୋଇଯାଇଛନ୍ତି । ସହରର ଗଳିକନ୍ଦିରେ ବର୍ତ୍ତମାନ ଘୁରିବୁଲୁଛନ୍ତି ପୋଲିସବାହିନୀ, ବିରୋଧୀପକ୍ଷର ସମସ୍ତ ସକ୍ରିୟ ଲୋକଙ୍କ ଗିରଫ କରିବା ପାଇଁ । ସମ୍ୱାଦପତ୍ର ଉପରେ ଯାଞ୍ଚ ବ୍ୟବସ୍ଥା ଜାରୀ ହୋଇଛି ସେମାନଙ୍କର ସ୍ୱାଧୀନତାକୁ ଅପହରଣ କରାଯାଇଛି ।

 

ଶୁଭକାନ୍ତଙ୍କର ମନେପଡ଼ୁଛି ଜୁନ ୨୭ ତାରିଖ ରାତିରେ ସେ ନିଜ ବାସଭବନ ଛାଡ଼ି ସହରତଳି ଅଞ୍ଚଳର ଏକ ଶ୍ରମିକ ବସ୍ତିକୁ ଆତ୍ମଗୋପନ କରିବା ପାଇଁ ଚାଲିଯାଇଥିଲେ । ସେତେବେଳକୁ ପୋଲିସର ସତୃଷ୍ଣ ଆଖି ତାଙ୍କ ଉପରେ ବେଶ୍ ଘୁରିବୁଲିଥିଲା ସହରତଳି ଅଞ୍ଚଳର ସେହି ଶ୍ରମିକ ବସ୍ତିରେ ଶୁଭକାନ୍ତଳର ଏକ ଛୋଟ ସାଙ୍ଗଠନିକ ଅଫିସ ରହିଥିଲା । ସେ ସେଇଠି ଆତ୍ମଗୋପନ କରି ଇମାରଜେନସି ବିରୁଦ୍ଧରେ କାର୍ଯ୍ୟ କରିବାଲାଗି ଓ ଜନସାଧାରଣଙ୍କୁ ସଂଗଠିତ କରିବା ପାଇଁ ଆଶ୍ରୟ ନେଇଥିଲେ ।

 

ସେଠି ମାତ୍ର ସପ୍ତାହଟିଏ ସେ ରହିଥିଲେ । ସହରର କୋଳାହଳ ଶାନ୍ତ ପଡ଼ିଗଲେ, ରାତିର ନିଝୁମ ପହର ସହରରେ କ୍ରମେ ନଇଁଆସିଲେ, ସେ ଓ ତାଙ୍କରି ତିନିଜଣ ସହକର୍ମୀ ତିନୋଟି ସାଇକେଲ ଧରି ସହର ପରିକ୍ରମା କରୁଥିଲେ । ସେମାନେ ସେତେବେଳେ ଆପଣାର ସ୍ୱାଭାବିକ ବେଶପୋଷାକରେ ନବାହାରି କୃତ୍ରିମ ବେଶର କଳାରଙ୍ଗର ପୋଷାକ ପିନ୍ଧି ସହରର ଏ ପ୍ରାନ୍ତରୁ ସେ ପ୍ରାନ୍ତ ପ୍ରାୟ ବାରମାଇଲ ବାଟ ଘୁରିବୁଲୁଥିଲେ । କେଉଁ ପ୍ରଶସ୍ଥ କାନ୍ଥରେ; କେଉଁ କଲେଜର ମେନ ଗେଟରେ କେଉଁ ସୁପ୍ତସିଦ୍ଧ ହୋଟେଲର ଦ୍ୱାର ସାମନାରେ ଓ ସର୍ବୋପରି କଲେକ୍‌ଟରିଏଟ୍‌ର ସୁଉଚ୍ଚ କାନ୍ଥରେ ଏକଛତ୍ରବାଦୀ ଶାସନ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଜନସାଧାରଣ ନିର୍ଭିକ ହେବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରତିଦିନ ନୂଆ ନୂଆ ଭାବରେ, ପ୍ରାଚୀରପତ୍ର ପ୍ରସ୍ତୁତ ହେଉଥିଲା । ସହରତଳିର କେଉଁ ଏକ ଅଜ୍ଞାତ ପ୍ରେସରେ ରାତିର ନିଃଶବ୍ଦ ପ୍ରହରରେ ଛାପା ସରିଲା ପରେ ସେସବୁ ପ୍ରତିଦିନ କାନ୍ଥବାଡ଼ରେ ଶୋଭା ପାଉଥିଲା ।

 

ଲାଗ ଲାଗ ସାତଦିନ ଏପରି କଲାପରେ, ଏକଛତ୍ରବାଦୀ ଶାସନର ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ସରକାରୀ କର୍ତ୍ତୃପକ୍ଷ ଏକ ଅରଣ୍ୟ ହିଂସ୍ରତାରେ ଗର୍ଜିଉଠିଲେ । ସହରର କୋଣଅନୁକୋଣରେ ସେମାନେ ଘେରିଗଲେ ଏବଂ ପ୍ରତିଘର ତଲାସ କରିବାରେ ଲାଗିଗଲେ । ଏ ସମସ୍ତ ବ୍ୟାପାରରେ ବାମପନ୍ଥୀ ବିପ୍ଳବୀନେତା ଶୁଭକାନ୍ତଙ୍କର ପ୍ରତ୍ୟକ୍ଷ ହାତ ଅଛି ବୋଲି ସରକାରୀ ଦପ୍ତରରେ ଲେଖା ହୋଇରହିଗଲା ।

 

ଶୁଭକାନ୍ତ ଏ ସମସ୍ତ ଘଟଣା ଜାଣିଲାପରେ ଦିନେ ଅକସ୍ମାତ ସେଇ ସହରତଳି ଅଞ୍ଚଳ ଛାଡ଼ି ଚାଲିଗଲେ ଜିଲ୍ଲାର ଆଉ ଏକ ଛୋଟ ସବ୍‌ଡ଼ିଭିଜନର ସଦରମହକୁମା ଅଞ୍ଚଳକୁ । ସାରାରାତି ଚାଲି ଚାଲି, ପ୍ରାୟ ୪୦ ମାଇଲ ଦୂରରେ ଅବସ୍ଥିତ ସେଇ ଛୋଟ ସବଡ଼ିଭିଜନରେ ପହଞ୍ଚି ଜଣେ ବନ୍ଧୁଙ୍କ ଘରେ ଆଶ୍ରୟ ନେଇଥିଲେ । ଏବଂ ପୁଣି ସେଇଠାରେ ସେ ଆରମ୍ଭ କରିଦେଲେ ଇମାରଜେନସି ବିରୁଦ୍ଧରେ ଜନମତ ଜାଗ୍ରତ କରିବା ପାଇଁ ହ୍ୟାଣ୍ଡବିଲ ଲେଖା । ଛୋଟ ସହରର ସାନ ସାନ ପିଲାଙ୍କୁ ହାତ କରି ସାରାରାତି ଅନିଦ୍ରା ରହି କାନ୍ଥ ବାଡ଼ରେ ମାରିଚାଲିଲେ ସେଇସବୁ କାର୍ବୁନ୍‌ ଉତ୍ତରା ହ୍ୟାଣ୍ଡବିଲ୍‌ । ଏକଛତ୍ରଶାସନର ବିରୋଧ କରି । ଗଣତନ୍ତ୍ରର ହତ୍ୟାକାରୀମାନଙ୍କୁ ଚିହ୍ନିରଖ । ନାଗରିକ ସ୍ୱାଧୀନତା ନଫେରିବା ପର୍ଯ୍ୟନ୍ତ ଆମ ସଂଗ୍ରାମର ଶେଷ ନାହିଁ ।

 

ସବ୍‌ଡ଼ିଭିଜନର ହେଡ଼କ୍ୱାଟରରେ ପ୍ରତିଦିନ ନୂଆ ନୂଆ ହ୍ୟାଣ୍ଡବିଲ କାନ୍ଥ ବାଡ଼ରେ ମରାଯାଇ ଏକ ନୂଆ ପ୍ରକାର ସ୍ନାୟବିକ ଉତ୍ତେଜନା ସୃଷ୍ଟି କଲେ ଶୁଭକାନ୍ତ । ଯେଉଁ ଛୋଟ ସହରଟିରେ ପ୍ରଶାସନିକ ଓ ପୋଲିସ କର୍ତ୍ତୃପକ୍ଷ ଖୁବ୍ ନିଶ୍ଚିନ୍ତରେ ସମୟ କାଟୁଥିଲେ, ସେମାନଙ୍କ ମଧ୍ୟରେ ଖେଳିଗଲା ଆତଙ୍କର ଏକ କୋକୁଆ ଭୟ । କିଏ ସବୁ ଏମିତି କାଣ୍ଡ କରୁଛି ? ଶାନ୍ତ ନିରୁପଦ୍ରବ ସହରରେ କିଏ ଆସି ସୃଷ୍ଟି କରୁଛି ଶାସନ ବିରୋଧରେ ପ୍ରଚଣ୍ଡ ଆକ୍ରମଣ ? ଛୋଟ ସବ୍‌ଡ଼ିଭିଜନଟି ବିପଦମୁକ୍ତ ଓ ବିରୋଧି ରାଜନୈତିକ ନେତାମାନଙ୍କର ଉପଦ୍ରବରୁ ମୁକ୍ତ ରହିଥିଲାବେଳେ ପ୍ରତିଦିନ ହ୍ୟାଣ୍ଡବିଲ ବଣ୍ଟାଯାଇ ଜନସାଧାରଣଙ୍କୁ ବିଦ୍ରୋହୀ ହେବା ପାଇଁ କିଏ ଯୋଗାଇ ଦେଉଛି ପ୍ରଚୁର ଅନୁପ୍ରେରଣା ଓ ଉତ୍ତେଜନା ?

 

ପ୍ରଶାସନିକ ଓ ପୋଲିସ କର୍ତ୍ତୃପକ୍ଷ ହଠାତ୍‌ ସଜାଗ ହୋଇଉଠିଲେ ସେମାନଙ୍କୁ ଏ ଦିଗରେ ସାହାଯ୍ୟ କରିବାଲାଗି ଜିଲ୍ଲା ହେଡ଼୍‍କ୍ୱାଟରରୁ ଚାଲିଆସିଲେ ଗୁଇନ୍ଦାଦଳ ଷଡ଼ଯନ୍ତ୍ରକାରୀଙ୍କୁ ଠାବ କରିବା ପାଇଁ । ବେଶ୍‌ ଛୋଟ ସହରଟିର ବାତାବରଣ ହୋଇଉଠିଲା ସରଗରମ । ଖୋଜା ଚାଲିଲା ଶୁଭକାନ୍ତକୁ ସହରର ସବୁଆଡ଼େ । ଶୁଭକାନ୍ତ ଦିନେ ଢୁ ଢୁ ଶ୍ରାବଣ ରାତିରେ ସେଠା ଛାଡ଼ି ଅନ୍ୟତ୍ର ଚାଲିଗଲେ । ସହରର ଉପକଣ୍ଠରେ ଯେଉଁଠାରେ ମ୍ୟୁନିସିପାଲିଟିର ସରହଦ୍‌ ଶେଷ ହୋଇଛି, ସେଇଠି ଜଗିରହିଥିଲେ ଅନେକ ସଶସ୍ତ୍ର ପୋଲିସ୍‌ ବାହିନୀ । ମାତ୍ର ଶୁଭକାନ୍ତ ଛଦ୍ମବେଶରେ ଲୁଙ୍ଗି ମାରି, ଦାଢ଼ୀରଖି ଦେହରେ ପଞ୍ଜାବୀଟିଏ ଦେଇ ଏବଂ ମୁଣ୍ଡରେ ପଗଡ଼ିଟିଏ ବାନ୍ଧି, ବର୍ଷଣ କ୍ଳାନ୍ତ ରାତିରେ ଛତାଟିଏ ଖୋଲି ଚାଲିଗଲେ ସେମାନଙ୍କ ସାମ୍ନାରେ ନିକଟସ୍ଥ କେଉଁ ଅନ୍ଧାରିଆ ଗାଁକୁ । କେହି ତାଙ୍କ ଚିହ୍ନି ପାରିଲେ ନାହିଁ, କେହି ତାଙ୍କୁ ଧରିପାରିଲେ ନାହିଁ । ଅଥଚ ତାଙ୍କ ନାଁରେ ପରଓ୍ୱାନା ଝୁଲୁଛି ଗତ ଏକମାସ ହେଲା ।

 

ଶୁଭକାନ୍ତଙ୍କର ମନେପଡ଼ୁଛି–ଇମାରଜେନ୍‌ସି ଭିତରେ ଜେଲ ବାହାରେରହି ସେ ଯେଉଁ ବିଦ୍ରୋହୀ ଭୂମିକା ନେଇଥିଲେ, ସେଇ ସମସ୍ତ ରୋମାଞ୍ଚକର କାହାଣୀର ଇତିବୃତ୍ତି । ସେଲ୍‌ର ଫାଟକ ଏ ପର୍ଯ୍ୟନ୍ତ ଖୋଲା ଯାଇନାହିଁ । ଖୋଲାଯିବାର କୌଣସି ପ୍ରୟୋଜନୀୟତା ଅଛି ବୋଲି କେହି ବୋଧହୁଏ ଅନୁଭବ କରୁନାହାନ୍ତି । ପୌଷ ସକାଳର ଝିଲିମିଲି ଖରା ଜେଲ୍‌ ଅଗଣାରେ; କୋବି କିଆରୀରେ, ଲଙ୍କା ପଟାଳୀରେ ବୁଣି ହୋଇଯାଇଛି ଚିକ୍‌ ଚିକ୍‌ ହୋଇ । ଅଥଚ ସେ ରହିଛନ୍ତି ତଥାପି ବନ୍ଦୀ ହୋଇ ଗୋଟିଏ ସଂକୀର୍ଣ୍ଣ, ନାତିଦୀର୍ଘ କୋଠରୀରେ ।

 

ଶୁଭକାନ୍ତଙ୍କର ମନେପଡ଼ୁଛି ତାଙ୍କର ସେଇ ଦୁଃସାହସିକ ଅଭିଯାନର ଟୁକୁରା କାହାଣୀରୁ କିଛି ।

 

ସେଦିନ ରାତିରେ ଛୋଟ ସହରରୁ ପୋଲିସ୍‌ ଆଖିରେ ଧୂଳିଦେଇ ଖସିଗଲାପରେ ତାଙ୍କର ଆପାତତଃ ହେଡ଼୍‍କ୍ୱାଟର ହେଲା ଇଚ୍ଛାମତୀପୁର ଗାଁ । ଏଇ ଗାଁ ଥିଲା କୃଷକ ଆନ୍ଦୋଳନ ପାଇଁ ସାରାଓଡ଼ିଶାରେ ଖ୍ୟାତ । ତାଙ୍କ ପାର୍ଟିର ବହୁ ସମର୍ଥକ ଓ ଶୁଭାକାଂକ୍ଷୀ ଏଇ ଗାଁରେ ରହିଛନ୍ତି-। ତେଣୁ ସେଇଠାରେ ତାଙ୍କର ଅସ୍ଥାୟୀରହଣୀ ଆରମ୍ଭ ହୋଇଗଲା ।

 

ପ୍ରତିଦିନ ରାତିରେ ସେ କୃଷକମାନଙ୍କୁ ଦେଶର ଅବସ୍ଥା ବୁଝାଉଥିଲେ । ଏକଛତ୍ରଶାସନ ବିରୁଦ୍ଧରେ ସେମାନଙ୍କୁ ସଂଗ୍ରାମ ଓ ସତର୍କ ହେବାଲାଗି ପ୍ରବର୍ତ୍ତାଉଥିଲେ । କେବଳ ଇଚ୍ଛାମତୀପୁର ନୁହେଁ, ସେଇ ଗାଁର ଆଖପାଖ ଲୋକେ ଯେଉଁମାନେ ଆପଦକାଳୀନ ପରିସ୍ଥିତିରେ ଅଣନିଃଶ୍ୱାସୀ ହେଉଥିଲେ ଏବଂ ଖବରକାଗଜରେ ଦେଶର ଏକଛତ୍ରଶାସନର କର୍ତ୍ତାଙ୍କ ବାଣୀ ଓ ବତ୍କୃତା ବ୍ୟତୀତ ଆଉ କୌଣସି ସମ୍ୱାଦ ପାଉନଥିଲେ ସେମାନେ ମଧ୍ୟ ଆସି ତାଙ୍କ ପାଖରେ ପହଞ୍ଚିଥିଲେ । ଅର୍ଥାତ୍‌ ଆଠମାଇଲ ପରିମିତ ଗ୍ରାମମାନଙ୍କରେ ଧୀରେ ଧୀରେ ଶାସନ ବିରୋଧୀ ଏକ ଆବହାଓ୍ୱା ସୃଷ୍ଟି ହେବାକୁ ଲାଗିଲା । ଏକଛତ୍ରଶାସକ ଓ ତାଙ୍କର ସୁବେଦାରମାନଙ୍କ ବିରୁଦ୍ଧରେ ଗ୍ରାମାଞ୍ଚଳର ହାଟ ବଜାରରେ, ଚା’ ଦୋକାନର ଖଟିମାନଙ୍କରେ ପ୍ରତିବାଦର କ୍ରମ ଗୁଞ୍ଜରଣ ଆରମ୍ଭ ହୋଇଗଲା ।

 

ଏକଛତ୍ରଶାସନର ଏଜେଣ୍ଟମାନଙ୍କ କାନରେ ଏ ସମ୍ୱାଦ ନପହଞ୍ଚିବ ବା କିପରି ? ବିରୋଧୀଦଳର ବହୁ ନେତା ଓ କର୍ମୀ ତଥାପି ଗିରଫ ହୋଇନାହାନ୍ତି । ସେମାନେ କେଉଁଠାରେ ଆତ୍ମଗୋପନ କରି ଜନସାଧାରଣଙ୍କୁ ଉତ୍ତେଜିତ ଓ ଉତ୍ସାହିତ କରୁଛନ୍ତି । ନୂଆ ଶାସନର ମୂଳଦୂଆ ହୁଗୁଳା କରିଦେବା ପାଇଁ ଏକଛତ୍ରଶାସକଙ୍କର ଜନପ୍ରିୟତାକୁ ମଳିନ କରିଦେବାଲାଗି ଏବେମଧ୍ୟ ବିରୋଧୀନେତା ଓ କର୍ମୀ ଅଣ୍ଡରଗ୍ରାଉଣ୍ଡରେ ରହି କାର୍ଯ୍ୟ କରୁଛନ୍ତି ତେଣୁ ସରକାରୀ ଗୁଇନ୍ଦାଦଳ ଅତ୍ୟନ୍ତ ସତର୍କତା ସହିତ ଘୁରିବୁଲୁଛନ୍ତି ସହରରୁ ମଫସଲ ପର୍ଯ୍ୟନ୍ତ ।

 

ଦିନେ ରାତିରେ ସମୟ ସମ୍ଭବତଃ ଦୁଇଟା ହେବ । ଶୁଭକାନ୍ତ ଶୋଇଛନ୍ତି ଇଚ୍ଛାମତୀପୁର ଗାଁର ଯୁବକସଂଘ ଅଫିସରେ । ଅବଶ୍ୟ ଆଖିରେ ତାଙ୍କର ନିଦ୍ରା ନଥିଲା । ହଠାତ୍‌ ସେ ଶୁଣିପାରିଲେ କେତୋଟି ଜିପ୍‌ର ମିଳିତ ଘର୍ଘର ଧ୍ୱନି । ରାତ୍ରିର ନିସ୍ତବ୍‌ଧତାକୁ ତିଳ ତିଳ ହତ୍ୟାକରି ଏକ ଆସୁରିକ ଶବ୍ଦରେ କାନଅତଡ଼ା ପଡ଼ିଯାଉଛି । ଏ ଶବ୍ଦର ଉଦ୍ଦେଶ୍ୟ ଅବଶ୍ୟ ତାଙ୍କ ପାଖରେ ଅବୁଝା ରହିଲା ନାହିଁ । ସେ ତତ୍‌କ୍ଷଣାତ୍‌ ଉଠିପଡ଼ିଲେ ଏବଂ ଯୁବକସଂଘ ପଛପଟ ଦେଇ ରାତିରେ ନିବୁଜ ଅନ୍ଧାରରେ ପାଣିକାଦୁଅ ଓ ମାଇଲ ମାଇଲ ବ୍ୟାପୀ ଧାନ ଗୋହିରୀ ମଧ୍ୟରେ କାଳପୁରୁଷ ପରି ଅଣନିଃଶ୍ୱାସୀ ହୋଇ ଚାଲିବାକୁ ଆରମ୍ଭ କଲେ ।

 

ଧାନ ଗୋହିରୀର ଅନେକ ବାଟ ଚାଲି ଆସିବାପରେ ଏବଂ ଦିଗ ନିର୍ଣ୍ଣୟ କରିବା ପାଇଁ କୌଣସି କୂଳକିନାରା ପାଉନଥିବାବେଳେ ହଠାତ୍‌ ଗୋଟିଏ ଟର୍ଚ୍ଚ ଲାଇଟିର ଆଲୁଅ ସଂଚାରିତ ହୋଇଗଲା । ପୋଲିସ ବାହିନୀ ତଥାପି ମଧ୍ୟ ତାଙ୍କୁ ଅନୁଧାବନ କରୁଛନ୍ତି । ମାଇଲ ମାଇଲ ବ୍ୟାପୀ ଧାନଗୋହିରୀ ମଧ୍ୟରେ ଯେଉଁ ସୀମାହୀନ ଅନ୍ଧକାର ରାଜତ୍ୱ କରି ବସିଛି, ସେଠାରେ ପୋଲିସ ବାହିନୀ ପରାଜିତ ହେବେ ସିନା, ସଫଳ ହେବେ ନାହିଁ । ପୋଲିସ ଦୃଷ୍ଟିରୁ ଖସିଯିବାଲାଗି ପ୍ରାଣାନ୍ତକ ଉଦ୍ୟମ କରୁଥିବାବେଳେ ରାତିର ସେଇଅନ୍ଧକାର ମଧ୍ୟରେ ତାଙ୍କୁ ଖୁବ୍‌ ହସ ମଧ୍ୟ ଲାଗୁଥିଲା ।

 

ସେଇ ଅନ୍ଧକାରରେ ଉଦ୍ଦେଶ୍ୟହୀନ ଭାବରେ ସେ ଚାଲୁଥିଲେ । ଅନେକ ସମୟ ପୂର୍ବରୁ ଗୁଡ଼ାଏ ଶକ୍ତିଶାଳୀ ଟର୍ଚ୍ଚଲାଇଟର ସମ୍ମିଳିତ ଆଲୋକ ଇଚ୍ଛାମତୀପୁରକୁ ଲାଗି ଧାନକିଆରିରେ ଜଳିଉଠୁଥିଲା । ଏବେ ସେ ଆଲୋକ ଆଉ ପରିଦୃଶ୍ୟ ହେଉନାହିଁ । ସମ୍ଭବତଃ ପୋଲିସ ବାହିନୀ ନିରାଶ ହୋଇ ଫେରିଲେ ।

 

ସେଦିନ ଚାଲି ଚାଲି ରାତି ପାହିଲାବେଳକୁ ସେ ପହଞ୍ଚି ଯାଇଥିଲେ ଆଉ ଗୋଟିଏ ପାହାଡ଼ତଳି ଆଦିବାସୀ ଗାଁରେ । ଏଇ ଗାଁରେ ନକ୍‌ସଲବାଦୀ ବୋଲି ମିଥ୍ୟାରେ ଅଭିଯୋଗ କରି ପାଞ୍ଚଜଣ ସରଳନିରୀହ ଆଦିବାସୀମାନଙ୍କୁ ପୋଲିସ ଗୁଳିକରି ହତ୍ୟା କରିଥିଲେ । ସେ ସେଇଠାରେ ତାଙ୍କର ଡେରା ପକାଇଲେ ।

 

ଶୁଭକାନ୍ତଙ୍କର ମନେପଡ଼ୁଛି । ସେଇ ଗାଁରେ ଗୋଟିଏ ଟୁଙ୍ଗୀରେ ରହିଥିଲାବେଳେ, ଆଦିବାସୀ ଲୋକମାନଙ୍କର ସ୍ନେହ ଓ ଶ୍ରଦ୍ଧା ଆଃ...ଭୁଲିବାର ନୁହେଁ । ବୁଢ଼ା, ଟୋକା ସବୁ ଆସୁଥିଲେ ତାଙ୍କ ପାଖକୁ । ସେମାନଙ୍କ ପୁଅ ଓ ପୁତୁରାଙ୍କୁ ପୋଲିସ ଗୁଳିକରି ମାରିଦେଇଥିବାରୁ ସେମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ତଥାପି ଲାଗିରହିଥିଲା । ପୋଲିସ ଦେଖିଲେ ଘର ଛାଡ଼ି ସେମାନେ ପାହାଡ଼ କିମ୍ୱା ଜଙ୍ଗଲ ଭିତରକୁ ଚାଲିଯାଉଥିଲେ । ପୋଲିସ ଆସି ସେମାନଙ୍କ ପିଲା ସ୍ତ୍ରୀମାନଙ୍କୁ ନାଲିଆଖି ଦେଖାଇ ସବୁ ଜଙ୍ଗଲଜାତ ଦ୍ରବ୍ୟ ନେଇ ଚାଲିଯାଉଥିଲେ । ସେମାନେ ଭୟରେ ସୋରିଷ, ଅଦା, ଲଙ୍କା, ଶାଳପତ୍ର, ଶାଳମଂଜି ଓ ତେନ୍ତୁଳି ସେମାନଙ୍କୁ ଦେଉଥିଲେ ଏବଂ ନିଜେ ଘୋର ଅଭାବ ଓ ଦାରିଦ୍ର୍ୟ ମଧ୍ୟରେ କାଳ କାଟୁଥିଲେ ।

 

ଶୁଭକାନ୍ତ ସେଠାରେ ଗୋଟିଏ ଦିନ ରହିଲାପରେ ସେମାନଙ୍କୁ ନିର୍ଭିକ ହେବାକୁ ପ୍ରବର୍ତ୍ତାଇଲେ । ପୋଲିସ ଆସିଲେ ଏସବୁ ଦିଅ ନାହିଁ ଏବଂ ଏଗୁଡ଼ିକ ନେଇଗଲେ ସେମାନେ ଚଳିବେ କିପରି ବୋଲି ପୋଲିସକୁ ପ୍ରଶ୍ନ କରିବାକୁ ହିମତ୍‌ ଦେଲେ ।

 

କେଇଟା ଦିନ ଭିତରେ ଆଦିବାସୀ ଗାଁରେ ସେ ବେଶ୍‌ ଆସ୍ଥାନ ଜମାଇଦେଲେ । ଶାସନ ବିରୁଦ୍ଧରେ ସେମାନଙ୍କୁ ଭଲଭାବରେ ସଂଗଠିତ କରିଦେଲେ । ଯେଉଁ ପୋଲିସମାନେ ଜିପ୍‌ରେ ଭର୍ତ୍ତି କରି ବସ୍ତା ବସ୍ତା କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ନେଇଯାଉଥିଲେ, ସେମାନେ ଏବେ ଫେରୁଛନ୍ତି ନିରାଶ ମନରେ ଓ ରିକ୍ତ ହାତରେ ।

 

ନିରୋଳା ସମୟରେ ସେମାନଙ୍କୁ ସେ ବୁଝାଉଥିଲେ–ପୋଲିସମାନେହିଁ ଏକଛତ୍ରଶାସନର ଏଜେଣ୍ଟ । ଶାସନ ଏମାନଙ୍କୁ ଅତ୍ୟାଚାର କରିବାକୁ କହୁଛି । ତମମାନଙ୍କ ପରି ଗରୀବ ସାଧାରଣଙ୍କୁ ଭୟଭୀତ କରାଇ ଏମାନେ ଧନରତ୍ନ ଲୁଟିନେବାକୁ ଶିଖିଛନ୍ତି । ଏମାନଙ୍କୁ ସଂଗଠିତ ଭାବରେ ବିରୋଧ କର ।

 

ଉପର ମହଲରେ ଏ ବିଷୟରେ ସମ୍ଭବତଃ ଆଲୋଚନା ହେଉଥିଲା ପ୍ରତିଦିନ ସେଇ ଆଦିବାସୀ ଗାଁକୁ ପୋଲିସ ଆସୁଥିଲେ ଏବଂ ତାଙ୍କୁ ସର୍ବୋଦୟ କର୍ମୀ ଭାବରେ ସନ୍ଦେହ ଚକ୍ଷୁରେ ଦେଖୁଥିଲେ । ଦିନେ ଖରାବେଳେ ଶହ ଶହ ପୋଲିସ ଆସି ସେଇ ଛୋଟ ଗାଁଟିକୁ ଘେରାଉ କରିଲେ ଚାହିଁଥିଲେ ସେ ଖସି ପଳାଇଯାଇଥାନ୍ତେ । ମାତ୍ର କେତେକାଳ ସେ ଆଉ ପୋଲିସ ଆଖିରେ ଅନ୍ଧପୁଟୁଳି ବାନ୍ଧିବେ ।

 

ସେଇଠାରୁ ସେ ଧରାହୋଇ ଜିଲ୍ଲା ହେଡ଼୍‍କ୍ୱାଟରକୁ ଆସିଲେ । ପ୍ରଥମେ ସର୍ବୋଦୟ କର୍ମୀ ଭାବରେ ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ କିନ୍ତୁ ହଠାତ୍‌ ସଂଧ୍ୟାବେଳେ ସେ ଯେ ଜଣେ ନକ୍‌ସଲବାଦୀନେତା, ତାହାହିଁ ବଦ୍ଧମୂଳ ଧାରଣା ହୋଇଗଲା । ମାତ୍ର ଯେତେବେଳେ ତାଙ୍କୁ ଥାନା ହାଜତ୍‌ରେ ରଖାଗଲା ଏବଂ ଅତ୍ୟାଚାରୀ ପୋଲିସ ଏସ୍‌ ପି ଶ୍ରୀ ମହାପାତ୍ର ଥାନାରେ ଆସିପହଞ୍ଚିଲେ ସେତେବେଳେ ତାଙ୍କୁ ଚିହ୍ନି ପାରିଥିଲେ । ଖରାବେଳଠାରୁ ରାତି ଆଠଟା ପର୍ଯ୍ୟନ୍ତ ଏବଂ ଛୋଟ ପୋଲିସ ଅଫିସରମାନଙ୍କ ମଧ୍ୟରେ ସର୍ବୋଦୟ କର୍ମୀ ଏବଂ ପରେ ନକ୍‌ସଲବାଦୀ ନେତା ଭାବରେ ଯେଉଁ ସନ୍ଦେହ ରହିଥିଲା, ତାହା ଦୂବୀଭୂତ ହୋଇ ସେ ଯେ ଜଣେ ସମାଜବାଦୀ ବାମପନ୍ଥୀ ନେତା, ତାହାହିଁ ପ୍ରତିଷ୍ଠିତ ହୋଇଗଲା ।

 

ତାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋର୍ଡ଼ର ଛଅଗୋଟି ଧାରା ଅନୁଯାୟୀ ଅଭିଯୋଗ ଆଗତ କରାଗଲା । ପ୍ରତିଷ୍ଠିତ ସରକାରକୁ ଗାଦିଚ୍ୟୁତ କରାଇବା ପାଇଁ ଷଡ଼ଯନ୍ତ୍ର, ଜନସାଧାରଣଙ୍କୁ ବେଆଇନ ଭାବରେ ସଂଗଠିତ ଓ ଉତ୍ତେଜିତ କରି ଜାତିର ସମ୍ପତ୍ତି ନଷ୍ଟ କରିଦେବାର ଉଦ୍ୟମ, ଏବଂ ଆହୁରି ୪ଗୋଟି ଧର୍ତ୍ତବ୍ୟ ଅପରାଧ ଯାହା ଆଉ ତାଙ୍କର ମନେପଡ଼ୁନାହିଁ ।

 

ତାଙ୍କଠାରୁ କଥା ଆଦାୟ କରିବାଲାଗି ରାତି ଶାଢ଼େ ଦଶଟାବେଳେ ଚାରିଜଣ ପୋଲିସ ଅଫିସରମାନଙ୍କର ସେଇ ଯେଉଁ ଧାରାବାହିକ ପ୍ରଶ୍ନାବଳୀ ଆଜି ତାଙ୍କର ସ୍ପଷ୍ଟ ଭାବରେ ମନେପଡ଼ୁଛି-। ଆପଣ ଜିଲ୍ଲା ସବଡ଼ିଭିଜନ ଓ ଇଚ୍ଛାମତୀପୁର ଗାଁରେ ରହି ସରକାରଙ୍କ ବିରୁଦ୍ଧରେ ପ୍ରତିଦିନ ପ୍ରାଚୀରପତ୍ର ହ୍ୟାଣ୍ଡବିଲ୍‌ ବାଣ୍ଟୁ ନଥିଲେ କି ? ଇଚ୍ଛାମତୀପୁର ଗାଁର ଜନସାଧାରଣଙ୍କୁ ସରକାରଙ୍କ ବିରୁଦ୍ଧରେ ମତାଉ ନଥିଲେ କି ? ସୁରଳପୁର ଆଦିବାସୀ ଗାଁରେ ରହି ସେମାନଙ୍କୁ ସରକାରଙ୍କ ବିରୁଦ୍ଧରେ କାର୍ଯ୍ୟ କରିବାଲାଗି କହୁ ନଥିଲେ କି ?

 

ଶୁଭକାନ୍ତ ନିର୍ଭିକ ଭାବରେ ଉତ୍ତର ଦେଇଥିଲେ–ଦେଶରୁ ଏକଛତ୍ରବାଦ ଲୋପ ନହେଲା ପର୍ଯ୍ୟନ୍ତ ଏ କାର୍ଯ୍ୟ ଚାଲିଥିବ ଓ ଚାଲୁ ରହିବ ।

 

ତା’ପରେ ସେ ଏଇ କେନ୍ଦ୍ର ଜେଲକୁ ପ୍ରେରିତ ହୋଇଛନ୍ତି । ଶୁଭକାନ୍ତଙ୍କର ଭାବନା ଫେରିଆସିଲା ।

 

ଶୁଭକାନ୍ତ ଓ୍ୱାଡ଼ରକୁ କହିଲେ–ଆଜି ଗୁହାଳ ଖୋଲିବାରେ ଅନେକ ବିଳମ୍ୱ କରିଦେଲ ଓ୍ୱାଡ଼ର । କାରଣ କଅଣ ?

 

ଓ୍ୱାଡ଼ର ବିଚରା ବଡ଼ ସନ୍ଦିଗ୍‌ଧ ଚିତ୍ତରେ ଉତ୍ତର ଦେଲା–ଏସ୍‌ ପି ଓ କଲେକ୍‌ଟର ସାହେବ ଆସିଥିଲେ ଖୁବ୍‌ ସକାଳୁ । ଜେଲ ସୁପରିନ୍‌ଟେଣ୍ଡେଣ୍ଟଙ୍କ ସହିତ ତାଙ୍କର କଅଣ ଆଲୋଚନା ହେଲା ଆପଣଙ୍କୁ ବୋଧହୁଏ ଏ ଜଲରୁ ଅନ୍ୟ କେଉଁ ଜେଲକୁ ସ୍ଥାନାନ୍ତର କରାଯିବ ।

 

ଶୁଭକାନ୍ତ ବିସ୍ମୟବିମୂଢ଼ ହୋଇଗଲେ । କଥା କଅଣ ? କଅଣ ହେଲା ତାଙ୍କର ଅପରାଧ ? କଏଦୀମାନଙ୍କୁ ସେଦିନ ଯେଭଳି ଭାବରେ ସାମାନ୍ୟ ଏକ ଘଟଣାରୁ ମାଡ଼ ଦିଆଗଲା, ସେ ତାହାର ପ୍ରତିବାଦ କରିଥିଲେ । ଜେଲ କର୍ତ୍ତୃପକ୍ଷ ସେମାନଙ୍କର ଭୁଲ ସ୍ୱୀକାର ନକଲା ପର୍ଯ୍ୟନ୍ତ, ସେମାନେ ଅନଶନ କରିବେ ବୋଲି ଘୋଷଣା କରିଥିଲେ । ଅବଶ୍ୟ କଏଦୀମାନଙ୍କୁ ସେ ଶକ୍ତି ଓ ସାମର୍ଥ୍ୟ ଦେଇଥିଲେ । ଅପରାଧୀମାନେ ଚୋରୀ ଡକାୟତି କଲେ ବୋଲି ସେମାନଙ୍କର କଅଣ ମାନବିକତା ନାହିଁ ? ବର୍ଷ ବର୍ଷ ଧରି ସେମାନଙ୍କୁ ବନ୍ଦୀ ରଖି, ସେମାନଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅଭିଯୋଗର ଫଏସଲା ନକରି, ପଶୁ ଭଳି ସେମାନଙ୍କୁ ରଖାଯାଉଛି । ଜେଲରେ ଖାଇବାକୁ ଦିଆଯାଉଛି ବଗଡ଼ା ଚାଉଳ, ଟିକିଏ ଡାଲି ପାଣି ଏବଂ ବିରାଡ଼ି ଘୁଅ ପରି ସାମାନ୍ୟ ବୋଇତି କଖାରୁ ତରକାରୀ । ବାସ ।

 

ଏଇ ହେଲା ସେମାନଙ୍କର ବଞ୍ଚିବାର ଖାଦ୍ୟ । ସେଦିନ ସେମାନେ କୋବି କିଆରିରେ ପାଣି ମଡ଼ାଇବାଲାଗି ଅନିଚ୍ଛା ପ୍ରକାଶ କରିବାରୁ ସେମାନଙ୍କ ଉପରେ ହେଲା କୁଚ୍ଛତ୍ର ଆକ୍ରମଣ । ଫଳରେ ସେମାନେ ଅନଶନ କଲେ ଏବଂ ଗୋଟିଏ ଦିନ ଗୋଟିଏ ରାତି ଅତିବାହିତ ହେଲା ଉତ୍ତାରୁ, ଜେଲ କର୍ତ୍ତୃପକ୍ଷ ବାଧ୍ୟ ହୋଇ ସେମାନଙ୍କ ଭୁଲ ସ୍ୱୀକାର କରିଥିଲେ ।

 

ଏ ଘଟଣା ପାଇଁ ସେ ଦାୟୀ ହେଲେ କିପରି ?

 

ଶୁଭକାନ୍ତ ସକାଳର ଖବରକାଗଜଟାକୁ ଲେଉଟାଇବାକୁ ଆରମ୍ଭ କଲେ । ଓ୍ୱାଡ଼ରଟି ଚାଲିଗଲା ଅନ୍ୟତ୍ର । ଶୁଭକାନ୍ତ ରେଡ଼ିଓଟି ଖୋଲି ଦେଲେ । ସର୍ବଭାରତୀୟ ସମ୍ୱାଦରେ ଘୋଷଣା-। ବିଖ୍ୟାତ ସର୍ବୋଦୟ ନେତା ଘୋର ଅସୁସ୍ଥ । ତାଙ୍କର ମୂତ୍ରାଶୟର ଚିକିତ୍ସା ପାଇଁ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି ଏବଂ ସରକାରୀ ଖର୍ଚ୍ଚରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି ।

 

ଶୁଭକାନ୍ତ ବିବ୍ରତ ହେଲେ । ବିଖ୍ୟାତ ସର୍ବୋଦୟ ନେତା ଓ ଗାନ୍ଧୀବାଦୀ ପ୍ରାଣକୃଷ୍ଣଙ୍କର ମୂତ୍ରାଶୟ ରୋଗ ନଥିଲା । ମାତ୍ର ହଠାତ୍‌ ଏ ବ୍ୟାଧିର ଉପକ୍ରମ କିପରି ?

 

ଶୁଭକାନ୍ତ ବ୍ୟଥିତ ହେଲେ । କେତେ ନେତା ଜେଲରେ ଅଛନ୍ତି । ସେମାନେ କିପରି ରହୁଥିବେ କେଜାଣି ? ଜେଲ ଭିତରେ ସେମାନଙ୍କୁ ହୁଏତ ଏଇଭଳି ମାରିଦିଆଯାଇ ପାରେ । ଭାରତରେ ଗଣତନ୍ତ୍ରର କେବେ ଆଉ ପୁନଃପ୍ରତିଷ୍ଠା ହେବ ? ଜନ ଅସନ୍ତୋଷକୁ କେତେକାଳ ଧରି କ୍ଷମତା ଲୋଭୀ ଏକଛତ୍ରଶାସନ ବନ୍ଧୁକ ମୁନରେ ଦବାଇ ରଖିବେ ? ନାଗରିକ ସ୍ୱାଧୀନତା ଯେଉଁଠାରେ ବିପନ୍ନ, ସେ ଦେଶରେ ଗଣତନ୍ତ୍ର ଅଛି ବୋଲି ଚିତ୍କାର କରିବା ଏକ ମସ୍ତବଡ଼ ଧପ୍‌ପାବାଜୀ । ଇମାରଜେନସି ଭିତରେ ଭୟ ଓ ଆତଙ୍କ ପ୍ରଦର୍ଶନ କରି ଯେଉଁ ଶାସକଗୋଷ୍ଠୀ ଦେଶରେ ଶାନ୍ତିଶୃଙ୍ଖଳା ଫେରିଆସିଛି ବୋଲି ଦାବୀକରି ବସନ୍ତି, ସେମାନେ ଗଣତନ୍ତ୍ରର ପୂଜାରୀ ନୁହନ୍ତି, ସେମାନେ ହେଉଛନ୍ତି ବ୍ୟକ୍ତିତନ୍ତ୍ର ଶାସନର ନିଷ୍ଠାପର ସ୍ତାବକ ।

 

ଶୁଭକାନ୍ତ ସକାଳର ଜଳଖିଆ ଶେଷ କରି ଚା’ ପିଉଥିଲେ । ହଠାତ୍‌ ଓ୍ୱାଡ଼ର ଆସି ଜଣାଇଲା–ଆପଣଙ୍କ ଜିନିଷପତ୍ର ଯାହା ଅଛି ବନ୍ଧାବନ୍ଧି କରିଦିଅନ୍ତୁ, ଗାଡ଼ି ଆସି ଜେଲ ସାମନାରେ-। ସୁପରିନ୍‌ଟେଣ୍ଡେଣ୍ଟ ଅଫିସରେ ଅଛନ୍ତି ଆପଣଙ୍କୁ ଅନ୍ୟ କେଉଁ ଜଲକୁ ପଠାଯିବ । ଏସ.ପି. ଓ କଲେକ୍‌ଟରଙ୍କ ଆଦେଶ ଆଜ୍ଞା ।

 

ଶୁଭକାନ୍ତ ଆଉ ବିଳମ୍ୱ କଲେ ନାହିଁ । ଅନ୍ଧାରୀ ଶାସନ ସମୟରେ ନୀରବ ପ୍ରତିବାଦ କରିବା ବ୍ୟତୀତ ଅନ୍ୟ ଉପାୟ ଆଉ କିଛି ନାହିଁ । ଯେଉଁଦିନ ଏ କଳା ରାତିର ଅବସାନ ହେବ, ସେଦିନ ଏକଛତ୍ରଶାସକ ଓ ତାହାର ଏଜେଣ୍ଟମାନଙ୍କର ସମସ୍ତ ଅତ୍ୟାଚାର ଓ ବ୍ୟଭିଚାରର କାହାଣୀ ଖୋଲି ଦିଆଯିବ ।

 

ଶୁଭକାନ୍ତ ଜିନିଷପତ୍ର ବନ୍ଧାବନ୍ଧି କରିଦେଲେ । ଓ୍ୱାଡ଼ର, ଜଣେ କଏଦୀଙ୍କୁ ଡକାଇ ସେହି ଜିନିଷପତ୍ର ତା’ ହାତରେ ଦେଲେ । ଶୁଭକାନ୍ତ ଚାଲିଲେ ଜେଲ ଅଫିସକୁ ।

 

ଏଣେ କଏଦୀମାନଙ୍କ ପାଖରେ ଶୁଭକାନ୍ତ ଏ ଜେଲରୁ ଅନ୍ୟ ଜେଲକୁ ବଦଳି ହେଉଥିବାର ସମ୍ୱାଦ ପ୍ରଚାରିତ ହୋଇଗଲା । ସେମାନେ ଧାଡ଼ିବାନ୍ଧି ଶୁଭକାନ୍ତଙ୍କ ବିଦାୟ ଦେବାଲାଗି ଜେଲ ହତା ଭିତରେ ଅଶ୍ରୁ ପୂର୍ଣ୍ଣ ନୟନରେ ଠିଆ ହୋଇଥିଲେ । ସତେ ଯେପରି ସେମାନଙ୍କର ଜଣେ ଦରଦୀ, ଶୁଭାକାଂକ୍ଷୀ ଓ ଅନ୍ତରଙ୍ଗ ଆତ୍ମୀୟ ବିଦାୟ ନେଇ ଚାଲିଯାଉଛନ୍ତି ।

ଶୁଭକାନ୍ତ ସେମାନଙ୍କ ପାଖରେ ଅଟକି ଯାଇ କହିଲେ–ଯେଉଁଦିନ ଅନ୍ଧାରୀ ଶାସନର କଳାରାତି ପାହିବ, ସେଦିନ ଜେଲର ସଂସ୍କାର ହେବ ଭାଇମାନେ । ତମେମାନେ ସେ ପର୍ଯ୍ୟନ୍ତ ଦୁଃଖ କଷ୍ଟରେ ପଡ଼ିଥାଅ ଏଇଠି । ସେଇ ସୁଦିନ ଫେରିଆସିବା ପାଇଁ ତମେମାନେ ଭଗବାନଙ୍କୁ ପ୍ରତିଦିନ ପ୍ରାର୍ଥନା କର । ଜେଲ୍‌ରୁ ମୁକ୍ତି ପାଇଲା ପରେ ଚୋରୀ ଡକାୟତି ବଦଳରେ ତମେ ସାଧାରଣମଣିଷ ପରି ଚଳିବାକୁ ଚେଷ୍ଟା କରିବ । ଯାଉଛି, ପୁଣି କେବେ ଦେଖାହେବ । ଶୁଭକାନ୍ତ ଷାଠିଏ ଜଣ କଏଦୀଙ୍କ ସହିତ ଜଣ ଜଣ କରି କରମର୍ଦ୍ଦନ କରି ସେମାନଙ୍କଠାରୁ ବିଦାୟ ନେଲେ ।

ଜେଲ ଗେଟ ପାଖରେ ଅନେକ ସଶସ୍ତ୍ର ପୋଲିସ ଠିଆ ହୋଇଛନ୍ତି । ସମ୍ଭବତଃ ଏମାନେ ତାଙ୍କୁ ଏସକଟ କରି ଅନ୍ୟ ଜେଲକୁ ନେଇଯିବେ ।

ଆଗରେ ଜେଲ ଭ୍ୟାନ୍‌ । ସୁପରିନ୍‌ଟେଣ୍ଡେଣ୍ଟ ଜେଲ ଅଫିସ ଭିତରୁ ବାହାରି ଶୁଭକାନ୍ତକୁ ପାଛୋଟି ନେଇଗଲେ ଏବଂ ଗୋଟିଏ ଚେୟାରରେ ବସିବା ପାଇଁ କହିଲେ । ତା’ପରେ ସେ କହିଲେ–ଆପଣଙ୍କୁ ବ୍ରହ୍ମପୁର ଜେଲକୁ ପଠାଯାଉଛି । ସରକାରୀ ହୁକୁମ । ଆମର କିଛି ଦୋଷ ନାହିଁ ଶୁଭକାନ୍ତ ବାବୁ ।

ଆବଶ୍ୟକୀୟ ବିବରଣୀ ଜେଲ ମାନୁଏଲ ଅନୁସାରେ ରେକର୍ଡ଼ ହେଲାପରେ ଶୁଭକାନ୍ତ ଜେଲ ଭ୍ୟାନ୍‌ରେ ବସିଲେ ।

(ପୂଜାସଂଖ୍ୟା, ୧୯୭୭ ସମାବେଶ)

 

ବଂଶୀବାଦକ

ଡକ୍ଟର କୃଷ୍ଣପ୍ରସାଦ ମିଶ୍ର

 

ମୁହଁ ଅନ୍ଧାର ଥିବ, ଘରୁ କେହି ଉଠିନାହାନ୍ତି, ଫାଟକ ପାଖରେ ପୋଲିସ ଜିପ୍‌ ପହଞ୍ଚିଗଲା । ଗାଡ଼ି ପହଞ୍ଚିବାମାନେ ବନ୍ଧୁବାନ୍ଧବ କେହି ଆସିଗଲେ ସେହିମାନେଇ ଗାଡ଼ିରେ ଆସନ୍ତି, ସ୍କୁଟରରେ ଆସନ୍ତି, ରିକ୍‌ସାରେ ଆସନ୍ତି,–କିଛି ସମୟ ପାଇଁ, କେହି କେହି କେତେଦିନ ପାଇଁ ଘର ଗହଳି କରି ପାଟିତୁଣ୍ଡ କରି, ପୁଣି ଗାଡ଼ିମାନ ନେଇ ଯେଝା ଜାଗାକୁ ଚାଲିଯାଆନ୍ତି । କେଉଁ ସହରରେ ସେମାନଙ୍କର ବନ୍ଧୁବାନ୍ଧବମାନେ ନାହାନ୍ତି ଯେ; ଆଉ ଦିନର କେଉଁ ବେଳାରେ ସେମାନେ ଆସନ୍ତିନି ଯେ, ସେହି ଅତିଥିପରାୟଣା ବନ୍ଧୁବତ୍ସଳା ଲକ୍ଷ୍ମୀଟି ବଡ଼ି ଭୋରୁ ଗାଡ଼ି ଶବ୍ଦ ଶୁଣି ବିସ୍ମିତ ହୋଇଯିବ । ବିସ୍ମିତ ହେବା; ହାରମାନିବା ସ୍ତ୍ରୀଲୋକ ସେ ନୁହଁ–ତିନି ତିନିଟା ବୋହୂଥିବା ସତ୍ତ୍ୱେ ସକାଳୁ ଉଠି ସେ ନଟୁପରି ଘୁରିବୁଲୁଥାଏ ରାତି ବାରଟା ଯାଏଁ–ଅତିଥିମାନଙ୍କର, ଅଭ୍ୟାଗତମାନଙ୍କର, ନିଜର ପୁଅଝିଅ ନାତିନାତୁଣୀମାନଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ଦେଖିବା ପାଇଁ ଯତ୍ନ ନେବା ପାଇଁ । ଘରର ସେହି ଲକ୍ଷ୍ମଟି ପ୍ରଥମେ ଜିପ୍‌ର ରହିବା ଶବ୍ଦ ଦୁଆରେ କରାଘାତ ଶବ୍ଦ ଶୁଣିଲା ଓ ଶବ୍ଦ ଶୁଣିବା ମାତ୍ରେ ଧଡ଼ପଡ଼ ହୋଇ ପଟିରୁ ଉଠିପଡ଼ି, ମୁହଁ ଧୋଇ ଦେଇ, ନୂଆ ସମ୍ୱନ୍ଧୀ ଘର ଆସିଗଲେ ବୋଲି ଯାଇ ଫାଟକ ଫିଟାଇ ଦେଲା ।

 

କିନ୍ତୁ ନୂଆ ସମ୍ୱନ୍ଧୀ ଘର ନୁହେଁ, ଫାଟକ ଖୋଲିବା ମାତ୍ରେ ପୁଲିସବାଲା ପହଞ୍ଚିଗଲେ । ମୁଣ୍ଡରେ ଓଢ଼ଣା ଟାଣି ଦେଇଥିବା ସେହି ପୌଢ଼ା ସ୍ତ୍ରୀ ଲୋକଟିକୁ ନୂଆ ବିଭା ହୋଇଥିବା ପୁଅ କଥା ସେମାନେ ପଚାରୁଥିଲେ । କିନ୍ତୁ ଅଚିହ୍ନା ଅଜଣା, ଅଶୁଣା ପୁଲିସବାଲାଙ୍କ ସହ କିଏ କଥା ହୁଏ ? ସେମାନଙ୍କୁ ଠାରରେ ପିଣ୍ଡା ଉପରକୁ ଡାକି ନେଇ, ଚେୟାର୍‌ରେ ବସିବାକୁ ସଙ୍କେତ କରି’ ଗୃହଲକ୍ଷ୍ମୀଟି ଯାଇ ପୁଅ ଶୋଇବା ଘର ଦୂଆର ପାଖରେ ଅତି ସନ୍ତର୍ପଣରେ ଡାକିଲା । ଖରାପ ଲାଗୁଥାଏ, ଏଡ଼େ ସକାଳୁପୁଅକୁ ଡାକିବାକୁ’ ଧଡ଼୍‌ପଡ଼୍‌ ହୋଇ ଯଦି ପୁଅ ଉଠିଯାଏ ତା’ ହେଲେ ଖରାପ କଥା । ଏବେ ତ ବିଭାଘର ସରିଛି । ପୁଅ ବୋହୂ ଶୋଇଛନ୍ତି । କିନ୍ତୁ କଅଣ କରାଯାଏ, ଡାକିବାକୁ ତ ହେବ । ପୁଲିସ ବାବୁମାନେ ଯେତେବେଳେ ଆସିଛନ୍ତି । କିଛି ସମୟ ଡାକିବା ପରେ ଭିତରୁ କେହି ଉଠିବା ଶବ୍ଦ ହେଲା । ରାମରେ ଉଠ୍ ଉଠ୍; ତୋର କେହି ସାଙ୍ଗ ଆସିଲେଣି । ଉଠ୍‌ମ ପୁଅ; ଜଲଦି ଉଠୁ ।

 

ଉଠିବାର ପୂରା ସଙ୍କେତ ପାଇଯିବା ପରେ ଚା’ ବସାଇ ଦେବାପାଇଁ ଲକ୍ଷ୍ମୀଟି ଗ୍ୟାସ ଚୁଲୀପାଖକୁ ଦଉଡ଼ିଗଲା ଓ କେଟ୍‌ଲୀରେ ପାଣି ନେଇ ବସାଇ ଦେଲା । ଏ ଘରୁ କେହି କିଛି ନଖାଇ ନପିଇ, ଫେରନ୍ତି ନି ସେମାନେ ତ ପୁଣି ନିଶ୍ଚୟ ରାମର ସାଙ୍ଗ ହୋଇଥିବେ’ ସେଥିପାଇଁ ତ ଫାଟକ ଡେଉଁ ଡେଉଁ ସେମାନେ ରାମ କଥା ପଚାରୁଛନ୍ତି । ବଡ଼ ଅଦ୍ଭୁତ ସାଙ୍ଗମାନେ ତା’ର ଏହି ପୁଅଟିର। ମିଛ ପୁଲିସବି ନୁହେଁ । ପୂରା ସତ ପୁଲିସ, ନିଶ, ଟୋପୀ, ବାଡ଼ି ଜିପ୍‌, ଡ୍ରେସ–ସବୁ ସେମାନଙ୍କର ଅଛି । ବୋଧେ ପୁଲିସ ଲୋକ କଅଣ ସଭା କରୁଥିବେ, ଯେଉଁଠାକୁ ବଂଶୀ ଫୁଙ୍କିବାକୁ ଡାକ ଆସିଥିବ ରାମକୃଷ୍ଣକୁ–ନହେଲେ ଫୁଟ୍‌ବଲ୍‌ ଟିମରେ ଖେଳିବାକୁ ନିମନ୍ତ୍ରଣ ଆସିଥିବ, ନହେଲେ ଚେସ୍‌ ଖେଳିବାକୁ । ରାମକୃଷ୍ଣର ପାନ ଦୋକାନଠୁ ଆରମ୍ଭ କରି ଧୋବା, ଭଣ୍ଡାରୀ, ପୁଲିସ ପର୍ଯ୍ୟନ୍ତ କିଏ ସାଙ୍ଗ ନୁହଁନ୍ତି ? ପାଗଳା ପୁଅଟା–ସେଇଥିପାଇଁ ତ ଅନ୍ୟ ଭାଇମାନେ କି ବାପା ତା’ ଶିରୀ ବନ୍ଧୁପ୍ରିୟତା ଦେଖିପାରନ୍ତିନି, ତାକୁ ସେମାନଙ୍କ ଶଗଡ଼ ଗୁଳାରେ ପକାଇବାକୁ ଚେଷ୍ଟା କରନ୍ତି, ଚାକିରୀରେ ମନ ଦେବାକୁ ତାକୁ କୁହନ୍ତି, ପାନ କମ୍‌ ଖାଇବାକୁ କୁହନ୍ତି, ଚେସ୍‌ ଖେଳିବାକୁ ମନା କରନ୍ତି ,ଫୁଟବଲ୍‌ ଭଦ୍ରଲୋକ ଖେଳନ୍ତିନି ଗୁଣ୍ଡା ଖେଳନ୍ତି ବୋଲି କହି ତାକୁ ନିରୁତ୍ସାହିତ କରନ୍ତି’ କିନ୍ତୁ କାହାରି କଥା ନଶୁଣି ସେ ଚେସ୍‌ ଖେଳେ ସେଥିରେ ଷ୍ଟେଟ୍‌ ଚାମ୍ପିୟାନ୍‌ ହୁଏ, ଫୁଟବଲ ଖେଳେ ତା’ ଟିମ ଜିତେ, ସେ କ୍ୟାପଟେନ ହୁଏ, ବଂଶୀ ବଜାଏ ତା’ ବଂଶୀ ଶୁଣି ମର୍ତ୍ତ୍ୟକୁ ବୃନ୍ଦାବନ ଚାଲିଆସେ । ତଥାପି ତା’ ଉପରେ ଘରର ସମସ୍ତଙ୍କର ରାଗ । ତାରି ସଉକତକ ଛଡ଼ାଇ ତାକୁ ସଂସାରୀ ଲୋକଟିଏ କରିଦେବାକୁ ସମସ୍ତଙ୍କର ଜିଦ୍‌ । ତାରି ସାଙ୍ଗ ଆସିଛନ୍ତି, ସେମାନଙ୍କୁ ଚା’ କପେ ଲେଖା ନଦେଇ ସେ ରହିପାରିବେ । ଚା’ ପାଣି ଗରମ ହେଉଥିବାବେଳେ ସେ ଦାନ୍ତଟା ଘଷି ପକାଇଲା ।

 

କିନ୍ତୁ ସେମାନେ କେହି ଚା’ ପିଇନଥିଲେ । ରାମ ପ୍ୟାଣ୍ଟଟିଏ ସାର୍ଟଟିଏ ପିନ୍ଧି ସେମାନଙ୍କ ସହ ଥାନାକୁ ଚାଲିଗଲା କଅଣ ଜରୁରୀ କାମରେ । କେଉଁ ପରିଚିତ ଲୋକର ଠିକଣା ତାଠୁ ସେମାନେ ଚାହୁଁଥିଲେ । ଲକ୍ଷ୍ମୀ ଯାଇ ଗ୍ୟାସ୍‌ ଚୁଲୀ ବନ୍ଦକରି ଘର ଓଳାଇବାକୁ ଲାଗିଲା । କିନ୍ତୁ ତାକୁ କିଛି ଭଲ ଲାଗୁନଥାଏ । ଚା’ କପ୍‌ ନପିଇ ସେମାନେ ଯାହା ଚାଲିଗଲେ । ରାମକୃଷ୍ଣକୁ ଘର ଭିତରକୁ ଆସି ତା’ ଚା’ ତକ ପିଇଦେବାକୁ କହିଥିଲା ସେ କିନ୍ତୁ ସେ ପିଇଲାନି । ଦେଶର ବିପଜ୍ଜନକ ପରିସ୍ଥିତିବେଳେ ସମସ୍ତେ ପୋଲିସ ଲୋକଙ୍କୁ ସାହାଯ୍ୟ କରିବା ଉଚିତ କହି ସେ ସେମାନଙ୍କ ସହ ଚାଲିଗଲା । ଏଡେ ତର୍‌ ତର୍‌ କେଉଁ କଥାକୁ । ସେତିକିବେଳୁ ତା’ର ଡାହାଣ ଆଖି ଡେଇବାକୁ ଲାଗିଛି ।

 

ଆଖି ଡେଇଁବା ସହ କୌଣସି ଘଟଣାର କଅଣ ସମ୍ପର୍କ ରହିପାରେ ତା’ ଘରର କେହି ବୁଝନ୍ତିନି କି ସେହି କଥାକୁ ମାନନ୍ତିନି । ବୋଉକୁ ଥଟ୍ଟା କରନ୍ତି । ବେଶିଗୁଡ଼େ ପୁରାଣ ଫୁରାଣ ପଢ଼ିବାର ଫଳ ବୋଲି ତାକୁ କୁହନ୍ତି ଓ ତା’ କଥାକୁ ହସରେ ଉଡ଼ାଇ ଦିଅନ୍ତି । କିନ୍ତୁ ସେହି ବଂଶୀ ଫୁଙ୍କାଳିର ଫୁଟବଲ୍‌ ଖେଳାଳୀର, ମତ ଥିଲା, କୁଆଡ଼େ ସେସବୁ କଥା ସହ ଜୀବନର ହାରଜିତ୍‌ର ଅନେକ ସମ୍ପର୍କ ରହିଛି । ତା’ ଡାହାଣ ଗୋଡ଼ କି ହାତ କି ଆଖି ଡେଇଁବା ଦିନ ସେ ଫୁଟବଲ ଖେଳରେ ଟିମକୁ ଜିତାଇଛି, ସେ ଖେଳରେ ଭଲ ଖେଳିଛି, ନହେଲେ ବଂଶୀରେ ଭଲ ସୁର୍‌ ଦେଇପାରିଛି । ବାମ ଅଙ୍ଗ ଡେଇଁବା ଦିନ ତା’ର ଖରାପ ହୋଇଛି, ତା’ ଆଣ୍ଠୁ ଡିସ୍କ ଖସିଥିଲା ସେହିପରି ଗୋଟିଏ ଦିନରେ । ସେଥିପାଇଁ ତ ପୁଅଟାକୁ ଲକ୍ଷ୍ମୀ ବେଶୀ ଭଲପାଏ । ଅନ୍ୟାନ୍ୟମାନଙ୍କ ପରି କଲେଜରେ ପଢ଼ି ମଧ୍ୟ ସେ ତା’ ପରିଭାବେ, ତା’ ପରି କାର୍ଯ୍ୟ କରେ ’ ସାଧୁସନ୍ଥଙ୍କୁ ଭକ୍ତି ଦେଖାଏ ପୂଜାପାଠ କରେ । କିନ୍ତୁ ମା’ର ଡାହାଣ ବାହୁ ଡେଇଁବାରେ ଆଉ କଅଣ ଅଛି, ସେ ତ ପୁଅର ମା ପୁଅର ସ୍ତ୍ରୀ ଆସିଲାଣି–ପୁଣି ସବୁରି ଉପରେ ତ ଭଗବାନ ଅଛନ୍ତି । ଲକ୍ଷ୍ମୀ ଦିଅଁଙ୍କ ଉଦ୍ଦେଶ୍ୟରେ ନମସ୍କାର କଲା, ଗୁରୁଙ୍କ ଫଟୋକୁ ନମସ୍କାର କଲା । ବୋହୂକୁ ଉଠାଇ ତା’ର ଡାହାଣ ଅଙ୍ଗ ଡେଇଁଛି କି ନାହିଁ ତାହା ପଚାରିବାକୁ ତା’ର ଭାରୀ ଇଚ୍ଛା ହେଲା କିନ୍ତୁ ସେ ନିଜକୁ ସଂଯତ କରିନେଲା ।

 

କାନ୍ଥରେ ଗାନ୍ଧୀଙ୍କର ଫଟୋ ମରାହୋଇଥିଲା । ପୁଲିସବାଲାମାନେ ତାକୁ ଚେୟାରରେ ବସାଇ ପ୍ରଶ୍ନ ପଚାରିବାକୁ ଆରମ୍ଭ କରିଦେବା ପୂର୍ବରୁ ସେ ସେହି ଫଟୋକୁ ଚାହିଁଦେଲା ଓ ମନଯୋଗ ଦେଇ ପୋଲିସ ପ୍ରଶ୍ନଟିକୁ ଶୁଣିବାକୁ ଚେଷ୍ଟା କଲା । ମନର କିଛି ଅଂଶ କିନ୍ତୁ ଘରେ ଶୋଇଥିବା ସ୍ତ୍ରୀ ପାଖକୁ ବାରମ୍ୱାର ଚାଲିଯାଉଥାଏ ଯେ ସେ ଶେଯରୁ ଉଠିବାବେଳକୁ ନିଦରେ ଶୋଇଥିଲା । ଆଉ କିଛି ଅଂଶ ବୋଉ କରିଥିବା ଚା’ କପ୍‌ ପାଖକୁ ଚାଲିଯାଉଥାଏ ଯାହାକୁ ସେ ନପିଇ ଚାଲିଆସିଥିଲା । ତା’ ଜୀବନରେ ବୋଧେ ପ୍ରଥମ କରି ଚା’ ନପିଇ ଘରୁ ବାହାରିବା ଘଟଣା ଘଟିଥିଲା । ମ୍ୟାଟିନି ସୋ ପାଇଁ ତାକୁ ଦୁଇଟା ଟିକେଟ କରିବା ପାଇଁ ଜଲ୍‌ଦି ଘରକୁ ଫେରିବା କଥା-
 

କିନ୍ତୁ ପୋଲିସ ପ୍ରଶ୍ନରେ ସେ ଚା’, ସ୍ତ୍ରୀ ଓ ସିନେମା କଥା ସମ୍ପୂର୍ଣ୍ଣରୂପେ ଭୁଲିଗଲା କାରଣ ସେମାନେ ତାକୁ ବଡ଼ ଅଦ୍ଭୁତ ପ୍ରଶ୍ନ ପରାରୁଥିଲେ–ଆପଣ ବିଦ୍ରୋହୀ ‘ମାର୍କସ୍‌’ ଲେନିନ ମାଓ’ ଦଳର ସଭ୍ୟ ? ଦକ୍ଷିଣ ଅଞ୍ଚଳକୁ ଯାଇ ଆପଣ ଲୋକଙ୍କୁ ସରକାରଙ୍କ ବିରୁଦ୍ଧରେ ଅସ୍ତ୍ରଧାରଣ କରିବାକୁ ପ୍ରରୋଚନା ଦେଉଥିଲେ ? ପ୍ରଶ୍ନଟି ବଂଶୀ, ଚେସ୍‌ କି ଫୁଟବଲ ବିଷୟରେ ହୋଇନଥିବାରୁ ସେ ଥା ଥା ମା ମା ହୋଇଗଲା ଯେପରି ସେ ଆଇ.ଏ.ଏସ ଭାଇଭାରେ ଦିଲ୍ଲୀର ଧୋଲପୁର ହାଉସରେ ହୋଇଥିଲା । ସେମାନେ ସେଦିନ ମଧ୍ୟ ‘ମାର୍କସ ଲେନିନ ମାଓ ’ ଦଳ କଥା ଦକ୍ଷିଣ ଅଞ୍ଚଳରେ ସେମାନଙ୍କ କାର୍ଯ୍ୟକଳାପ କଥା ନେଇ ତାକୁ ନାନା ପ୍ରଶ୍ନ ପଚାରିଥିଲେ । ଯେ କୌଣସି ଗୋଟିକର ଉତ୍ତର ଦେଇପାରିଥିଲେ ବୋଧେ ଚଳିଯାଇଥାଆନ୍ତା । କିନ୍ତୁ ସେ ବୋକାଙ୍କ ପରି ସେମାନଙ୍କ ଆଡ଼କୁ ଚାହିଁରହିଥାଏ । କିନ୍ତୁ ପୁଲିସ ଥାନାରେ ତ ସେପରି ଇଣ୍ଟରଭ୍ୟୁ ହୁଏନି । ସେ ଥାନାରେ ଚାକିରୀ କିଛି ଖୋଜୁନି । ଛୋଟିଆ ମୋଟିଆ ହୋଇ ତା’ର ଚାକିରୀଟିଏ ତ ଅଛି । ସେ ଛେପ ଢୋକି କମ୍ୟୁନିଜମ ମାର୍କିସଜିମ କଅଣ ତାହା ଜାଣେନି ବୋଲି ପୋଲିସ ଅଫିସରଙ୍କୁ କହିଥିଲା । ପୁଲିସ ଲୋକ ତା’ ଉତ୍ତର ଶୁଣି ହସି ହସି ଗଡ଼ିଗଲେ । ସେମାନେ ପରସ୍ପରର ମୁହଁକୁ ଚାହିଁଲେ ଯେଉଁଥିରେ ‘ବାବୁ ବଡ଼ ଚାଲଖ’ର ମନ୍ତବ୍ୟ ପରିସ୍ଫୁଟ ଥିଲା । ପୁଲିସ ପୁନର୍ବାର ପଚାରିଥିଲା–ଆପଣ ଲୋକଙ୍କୁ ସରକାରଙ୍କ ବିରୁଦ୍ଧରେ ଲଢ଼େଇ କରିବାକୁ, ଧ୍ୱଂସାତ୍ମକ କାମରେ ଲିପ୍ତ ରହିବାକୁ, ପ୍ରରୋଚନା ଦେଉଥିଲେ, ଗୁପ୍ତରେ ଗଣତାନ୍ତ୍ରିକ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ?

 

ରାମକୃଷ୍ଣ ସେମାନଙ୍କ ମୁହଁକୁ ଚାହିଁ ଉତ୍ତର ନଦେଇ କିଛି ସମୟ ପାଇଁ ଗାନ୍ଧୀଙ୍କ ଫଟୋ ଆଡ଼କୁ ଚାହିଁଲା ଓ କହିଲା ଆପଣମାନେ କେଉଁଠି ଭୁଲକରୁଛନ୍ତି । ମୁଁ ରାମକୃଷ୍ଣ । ମୋତେ ଆପଣ ମଇଦାନରେ ଅନେକଥର ଦେଖିଥିବେ । ମୁଁ ସେଣ୍ଟର ଫରଓ୍ୱାର୍ଡ଼ରେ ଖେଳେ । ମୁଁ ବଂଶୀ ବଜାଏ । ବହୁ କନସର୍ଟରେ ଆପଣ ମୋ ବଂଶୀ ବଜାଇବା ଶୁଣିଥିବେ । ଭଗବାନ ମୋତେ କିଛି ଶକ୍ତି ଦେଇଛନ୍ତି । ପଶୁପକ୍ଷୀଙ୍କୁ ମଧ୍ୟ ମୁଁ ବଂଶୀ ବଜାଇ ମନ୍ତ୍ର ମୁଗ୍‌ଧ କରିଦେଇପାରେ । ଆକାଶରେ ଉଡ଼ି ଯାଉଥିବା ପକ୍ଷୀ ମୋ ବଂଶୀ ନାଦରେ ସ୍ଥିର ହୋଇ ରହିଯିବେ । ମୁଁ ଚେସ୍‌ ଖେଳେ ମଧ୍ୟ । ମୋ ପ୍ରଦେଶର ଚମ୍ପିୟାନଭାବେ ମୁଁ ଗତବର୍ଷ କେନ୍ଦ୍ର ଖେଳରେ ଯୋଗଦେଇଥିଲି । କିଛି ଫୁଟବଲ ମୁଁ ଜାଣେ । ଆଉ କିଛି ମୁଁ ଜାଣିନି । ଏଥର ମୁଁ ଘରକୁ ଯାଇପାରେ ? ଘରେ ମୋର ବହୁତ କାମ । ମୋତେ ମ୍ୟାଟିନୀ ସୋ ପାଇଁ ଟିକେଟ କରିବାକୁ ହେବ । ରାମକୃଷ୍ଣ ଠିଆ ହୋଇପଡ଼ିଲା । ପୁଲିସବାଲାମାନେ ଏଥରକ ଗମ୍ଭୀର ହୋଇ ପାଖରେ ଥିବା ଲଜ୍‌ ଅପ୍‌ ରୁମ ଭିତରକୁ ତାକୁ ଠେଲି ଠେଲି ନେଇଗଲେ ଓ ଦୂଆରେ ତାଲାଟିଏ ଠୁଙ୍କି ଦେଲେ ।–କିଛି ସମୟ ପାଇଁ ଆପଣଙ୍କ ଘର ଏଇଟା ବୋଲି ଧରିନିଅନ୍ତୁ । ଆପଣଙ୍କୁ ଆମେ ଦେଶ ବିରୁଦ୍ଧରେ କାର୍ଯ୍ୟ କରୁଥିବା ହେତୁ ଜେଲ୍‌କୁ ପଠାଉଛୁ । ଚା’ ଏଇଠି ମିଳିଯିବ । କିଛି ବ୍ୟସ୍ତ ହେବେନି ।

ରାମକୃଷ୍ଣ ଲକ୍‌ ଅପ୍‌ ରୁମ୍‌ର ଅନ୍ଧକାରରେ ପ୍ରଥମେ କିଛି ଦେଖିପାରିଲାନି । ରାଗରେ ତା’ର ଦେହ ଥରୁଥାଏ ରୁମଭିତରେ କାନ୍ଥ କଡ଼ରୁ ଗୁଡ଼ାଏ ଛାଇ ଉଠିପଡ଼ି ତାକୁ ଟାଣି ଟାଣି ସେମାନଙ୍କ ମଧ୍ୟକୁ ନେଇଗଲେ । ସେତେବେଳେ ଥାନାହତା ଭିତରେ ସେମାନଙ୍କୁ ନେବାପାଇଁ ଜେଲ୍‌ ଭ୍ୟାନଟି ପଶିଲା ।

ଦୁଇ ତିନିଘଣ୍ଟା ପରେ ସମ୍ୱାଦଟି ଘରେ ପହଞ୍ଚିଲା–ଥାନାରୁ ପୁଅ ନଫେରିବା ଦେଖି ଲକ୍ଷ୍ମୀ ସମସ୍ତଙ୍କୁ ସତର୍କ କରି ଥାନାକୁ ଫୋନ୍‌ କରିବାରୁ ସବୁକଥା ଜଣାପଡ଼ିଲା । ‘ବିପ୍ଳବୀ ମାର୍କସ୍‌ ଲେନିନ୍‌ ମାଓ, ପାର୍ଟି ଅନେକ ସାମ୍ପ୍ରଦାୟିକ ଦଳ ସହ ଅନେକ ‘ବାମମାର୍ଗୀ ଦଳ’କୁ ମଧ୍ୟ ସରକାର ବ୍ୟାନଡ଼୍‌ ପାର୍ଟି ବୋଲି ଘୋଷଣା କରିଛନ୍ତି । ରାମକୃଷ୍ଣ ‘ବିପ୍ଳବୀ ମାର୍କସ ଲେନିନ୍‌ ମାଓ, ଦଳର ଜଣେ ସକ୍ରିୟ ସଭ୍ୟ, ତେଣୁ ସେ ହାଜତରେ ଘଟଣାଟି ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରଥମେ ହସିଲେ ଅନେକ, କିନ୍ତୁ ହସଟି ମୁହୂର୍ତ୍ତକ ପାଇଁ ଥିଲା । ଭୀମକାୟ, ନିର୍ଦ୍ଦୟ, ଅମାନବା, ସରକାରୀ ମେସିନ୍‌, ଚାଲିବା ଆରମ୍ଭ ହୋଇଯାଇଛି, ଯାହାର ପଞ୍ଝା ଭିତରେ ରାମକୃଷ୍ଣ ପଡ଼ିଯାଇଛି, ପଞ୍ଝାରେ ପଡ଼ିବା ପରେ ପେଟକୁ ଯାଇ ଧ୍ୱଂସ ପାଇଯିବାକୁ କେତେ ସମୟ ମାତ୍ର ସେକଥା ଅନୁମାନକରି ସମସ୍ତେ ହାହାକାର କରି ଉଠିଲେ । ଘଟଣା ପଛରେ ଆଉ କଅଣ ରହସ୍ୟ ଥାଇପାରେ ତାହା ସମସ୍ତେ ଚିନ୍ତା କରିବାକୁ ଲାଗିଲେ । ବଂଶୀ ବାଜିଲେ ଭଲଲାଗେ ଶୁଣିବାକୁ, ତାକୁ ଶୁଣୁ ଶୁଣୁ ମନ ଭିତରଟା ହୃଦୟ ଭିତରଟା ମନ୍ଥି ହୋଇଯାଏ, କିଏ ଯେପରି ଛାତି ଭିତରେ କୋହ ଉଠାଇ ସାରାବିଶ୍ୱଟାକୁ ପ୍ରେମ କରିବାକୁ ବାଧ୍ୟକରେ । ନହେଲେ ଆଖିରୁ ଲୁହ ଝରାଏ, ବେଳେବେଳେ ମୁଖରେ ହସ ଫୁଟାଏ–କିନ୍ତୁ ବଂଶୀ ସ୍ୱରରେ ଦେଶଦ୍ରୋହ କାହିଁ ? ମାର୍କସ୍‌ ଲେନିନ ମାଓ କାହାନ୍ତି ? ଚେସ୍‌ ଖେଳରେ ଶତ୍ରୁର ଗତିବିଧିକୁ ପରାଭୂତ କରିବା ପାଇଁ ଘୋଡ଼ାହାତୀ, ରାଜାରାଣୀ ପଦାତିକ ଚଲାଯାଏ, କିନ୍ତୁ ସବୁ ଚଲା ବୋର୍ଡ଼ ଉପରେ, ସତରେ ନୁହଁ ତ ତେଣୁ ସେଠିବା ଦେଶଦ୍ରୋହ କାହିଁ ?

କିନ୍ତୁ ରାସ୍ତାରେ ଘାଟରେ ଲୋକ କଥା ହେଉଥିଲେ–ଆରେ ଜାଣିନ । ଡଷ୍ଟୋଏଭସ୍କିଙ୍କ ଉପନ୍ୟାସ ତମେ ସବୁ ପଢ଼ିନ ବୋଲି ଏପରି କହୁଛ । ବଡ଼ ବଡ଼ ବିପ୍ଳବୀ ଏହିପରି ଦେଖିବାକୁ, ରାମକୃଷ୍ଣ ପରି । ବାହାରକୁ ନିରୀହ, ଭଦ୍ର ସରଳ କଅଣ ନାଁ ବଂଶୀ ଛଡ଼ା ସେ ଆଉ କିଛି ଜାଣନ୍ତିନି-। କିନ୍ତୁ ଭିତରେ ଭୟଙ୍କର ବିପ୍ଳବୀ, ହଜାରେ ଲୋକଙ୍କୁ ମାରିଦେବେ, ଆଖିରେ ପଲକ ପଡ଼ିବନି ।

ତେଣୁ ସରକାରଙ୍କ ସି.ଆଇ.ଡ଼ି ବିଭାଗକୁ ଧନ୍ୟ କହିବ । କେହି ତା’ ନଜରରୁ ଖସିନପାରେ । ଆଉ ଯେଡ଼େ ବଡ଼ ହେଉପଛେ ତାକୁ ଦଣ୍ଡ ଦେବାକୁ ସରକାରଙ୍କୁ କ୍ଷଣଟିଏ ଲାଗେନି । ଧନ୍ୟ କହିବ ସରକାରକୁ ।

ବଡ଼ ଭାଇ ଥାନାକୁ ଯାଇ ସବୁକଥା ବୁଝି ଘରେ ଏକଥା କହିଦେବା ମାତ୍ରେ ରାମକୃଷ୍ଣର ରୁମ୍‌ରୁ ପ୍ରଥମେ ସରୁ କାନ୍ଦଣାଟିଏ ଶୁଭିଲା, ବର୍ଷା ଦିନେ ଗିରି ଶିଖରୁ ଛୋଟିଆ ହୋଇ ଝରଣାଟିଏ ଯେପରି ବହିବାକୁ ଲାଗେ । କିନ୍ତୁ କ୍ରମେ ତାହା ବିରାଟାକାର ହୋଇ ଭୟଙ୍କର ମୂର୍ତ୍ତି ନେବାକୁ ଲାଗିଲା । ଯେତେବେଳେ ତାହା ଘରର ତିରିଶି ଜଣ ସରିକି ସଭ୍ୟ–ଛୋଟ ବଡ଼ ଝିଅ ପୁଅ–ସମସ୍ତଙ୍କୁ ନିଜ ସୁଅ ଭିତରକୁ ଟାଣିନେଲା–ଏପରିକି ସୁଅ ତୋଡ଼ରେ ଆଲସେସିୟାନ; କୁକୁରଟା ଶୋକାତୁର ହୋଇ ଭୋ ଭୋ ହୋଇ ଲମ୍ୱାଇ ଲମ୍ୱାଇ ଭୁକିବାକୁ ଲାଗିଲା, ଗାଈଗୁଡ଼ାକଙ୍କ ଆଖିରୁ ଝର ଝର ହୋଇ ପାଣି ବୋହିବାକୁ ଲାଗିଲା । ଚାକରବାକରଙ୍କ ଆଖିରେ ମଧ୍ୟ ପାଣି ଜକେଇ ଆସିଲା । ଗୃହକର୍ତ୍ତାଙ୍କ ପୂଜା ଏସବୁ ସମ୍ୱାଦ ଦିଆ ନିଆ ଗଣ୍ଡଗୋଳରେ ବନ୍ଦ ହୋଇଗଲା ଯେତେବେଳେ ଖବରଟା ପୂଜା କରୁ କରୁ ତାଙ୍କ କାନରେ ପଡ଼ିଗଲା । ଥାନାରୁ ପୁଅ ଜେଲକୁ ଗଲାଣି ସେ ‘ବିଦ୍ରୋହୀ ମାର୍କସ୍‌ ଲେନିନ୍‌ ମାଓ’ଙ୍କ ଦଳର ସଭ୍ୟ । ମୁଣ୍ଡଟାକୁ ଦିଅଁଙ୍କ ପାଦତଳେ ‘ଢୋ’କିନା ଦି’ଥର ପିଟିଦେଇ ସେ ସେଇଠି ପୂଜା ଶେଷ କରିଥିଲେ ! ପାଟ ପିନ୍ଧିଥାନ୍ତି ସେହିପରି, ରୁଦ୍ରାକ୍ଷମାଳାଟି ପଡ଼ିଥାଏ ସେହିପରି, ଫୁଲିଲା ଫୁଲିଲା ଆଖିରେ ସେ ପଚାରିଲେ–ରାମକୃଷ୍ଣକୁ ସେମାନେ ଜେଲ୍‌ ପଠାଇଛନ୍ତି ? ସେ ଦେଶ ବିରୁଦ୍ଧରେ କାମ କରୁଥିଲା ? ଠିକ୍‌ ଅଛି ମୁଁ ଯାଉଛି ଥାନାବାବୁ, ଜେଲର ବାବୁଙ୍କ ସହ କଥା ହୋଇଆସେ । କିପରି ସେମାନେ ମୋ ପୁଅ ବିରୁଦ୍ଧରେ ଏସବୁ କଥା ବିଶ୍ୱାସ କରିଗଲେ ।

 

ପଛରୁ ତାଙ୍କର ଅନ୍ୟ ପିଲାମାନେ ଯିବା ପାଇଁ ବାରଣ କରୁଥାଆନ୍ତି ...ନନା ଯାଅନି, ପୋଲିସମାନେ ତୁମକୁ ଅପମାନ ଦେବେ । ବନ୍ଦୀ ଲୋକକୁ ଏପରି ମୁକୁଳା ଯାଏନି, ଦେଶଦ୍ରୋହ ଅପରାଧରେ ରାମକୃଷ୍ଣ ଜେଲ୍‌ ଯାଇଛି । ତା’ ପାଇଁ କେସ୍‌ ଲଢ଼ିହେବ କି ନାହିଁ, ସେ କଥା ଓକିଲକୁ ପଚାରିବାକୁ ହେବ । ପୋଲିସବାଲା କିଛି କାରଣ ତୁମକୁ ନଦେଇବି ପାରନ୍ତି । କାରଣ ଦେବାକୁ ସେମାନେ ବାଧ୍ୟନୁହନ୍ତି ।

 

–ଆରେ ତୁମେ ସବୁ ବୁଝିନ । କେଉଁଠି କିଛି ଭୁଲ ରହିଯାଇଛି । ମୁଁ ଗଲେ ସବୁ ସେମାନଙ୍କୁ ବୁଝାଇଦେବି । ଆମ ଚଉଦପୁରୁଷରେ ଆମେ କେବେ ଦେଶଦ୍ରୋହୀ ହୋଇନାହୁଁ । ଆଜି କିପରି ହଠାତ୍‌ ଦେଶଦ୍ରୋହୀ ହୋଇଯିବୁ । ଆମେ ମନ୍ଦିର କରୁଛୁ, ବିଦ୍ୟାଳୟ ବସାଉଛୁ ଶାସ୍ତ୍ର ଲେଖିଛୁ, ଯଜ୍ଞ କରିଛୁ, ବହି ବିକିଛୁ, ଲୋକଙ୍କୁ ଭାଷା ଦେଇଛୁ, ଯେଉଁ ଭାଷା ଯୋଗୁଁ ଦେଶ ତା’ର ସ୍ୱତନ୍ତ୍ର ସତ୍ତା ରଖିପାରିଛି, ଦେଶ ଥିବା ହେତୁ ପୁଲିସ ଅଛନ୍ତି, ଅଫିସରମାନେ ଅଛନ୍ତି, ମନ୍ତ୍ରୀ ଗଭର୍ଣ୍ଣରମାନେ ଅଛନ୍ତି । ଆମ ଅସ୍ଥି ମଜ୍ଜାରେ ଦେଶଦ୍ରୋହ ନାହିଁରେ, ଦେଶଦ୍ରୋହ ନାହିଁ ।

 

ପୁଲିସ ଅଫିସରଙ୍କ ଆଗରେ ଏସବୁ କଥା ଯାଇ ପ୍ରାଞ୍ଜଳଭାବେ ବୁଝାଇଲାରୁ ସେମାନେ ହସିଲେ ଓ ବିନୀତଭାବେ କହିଲେ ରାମକୃଷ୍ଣ ବାବୁ ବଂଶୀ ବଜାନ୍ତି ନା ନାହିଁ ? ଚେସ୍‌ ଖେଳନ୍ତି ନା ନାହିଁ ?

 

–ତା’ତ ଆପଣମାନେ ଜାଣନ୍ତି । ଏ ସହରରେ ରାମକୃଷ୍ଣର ଏହିସବୁ ଗୁଣ କଥା କିଏ ଜାଣି ନାହିଁ ?

 

–ଏ ସମୟରେ ଦେଶର ଏ ପରିସ୍ଥିତିରେ କଅଣ ବଂଶୀ ବଜାଇବା କଥା ଚେସ୍‌ ଖେଳଖେଳିବା କଥା । ଯେଉଁ ସମୟରେ ଦେଶ ଭିତରେ ‘ଶତ୍ରୁ’ ବାହାରେ ‘ଶତ୍ରୁ ଲୋକେ ଖାଇବାକୁ ପାଉନାହାନ୍ତି; ପିନ୍ଧିବାକୁ ପାଉନାହାନ୍ତି ସେ ସମୟରେ ଜଣେ ଲୋକ ବିଳାସବ୍ୟସନରେ ରହିବା ତା’ର ଦେଶଦ୍ରୋହୀତା ସୂଚାଉ ନାହିଁ ? ସେହି ଭାବରେ ଆପଣଙ୍କ ପୁଅ ଦେଶଦ୍ରୋହୀ । କିଛିଦିନ ଜେଲରେ ରହିଗଲେ ତା’ର ଚରିତ୍ର ସଂଶୋଧିତ ହୋଇଯିବ ଅନ୍ୟମାନେ ମଧ୍ୟ ଭଲଶିକ୍ଷା ପାଇବେ-

 

–କିନ୍ତୁ ଆପଣମାନଙ୍କ ଭିତରୁ ଆଉ କଅଣ ସବୁ ମୋର ବଡ଼ପୁଅକୁ କହିଥିଲେ, କୁଆଡ଼େ ରାମକୃଷ୍ଣ ‘ବିପ୍ଳବୀ ମାର୍କସ ଲେନିନ ମାଓ ଦଳର ସଭ୍ୟ ବୋଲି ତାକୁ ଜେଲକୁ ପଠାଯାଇଛି ।

 

–ଆମେ କିଛି କହିନାହୁଁ । ଏ ପରିସ୍ଥିତିରେ କିଛି କୁହାଯାଇପାରିବ ନାହିଁ । ଯେତିକି ବୁଝିଲେ ସେତିକିରେ ସନ୍ତୁଷ୍ଟ ହୋଇଯାଆନ୍ତୁ ।

 

ଘରେ ଆସି ଏ କଥା କହିଦେବା ମାତ୍ରେ ସମସ୍ତଙ୍କ କାନ୍ଦବାହୁନା ଅଭିସମ୍ପାଦ ଦେବା ବନ୍ଦ ହୋଇଗଲା । ସମସ୍ତେ ତ ସବୁବେଳେ ସେହି ବଂଶୀଫୁଙ୍କା ଓ ଖେଳନିଶା ପାଇଁ ରାମକୃଷ୍ଣ ଉପରେ ଚିଡ଼ୁଥିଲେ, ଶେଷରେ ସରକାର ତ ସେୟା କହିଲେ । ଦାଣ୍ଡ ବାରଣ୍ଡାଟାରେ ସୋଫାସେଟ୍‌ ପଡ଼ିଥିଲେ ମଧ୍ୟ ଥାନାରେ ନିଜର ଅସଫଳତା କଥା ବଡ଼ ପାଟିରେ ସମସ୍ତଙ୍କୁ ଜଣାଇଦେଇ ପାହାଚଟା ଉପରେ ରାମକୃଷ୍ଣଙ୍କ ନନା ବସିଗଲେ । ଦିଅଁଙ୍କ ଘରୁ ଆସିବାଠୁ କପାଳଟା ତାଙ୍କର ଆବୁପରି ଫୁଲି ଯାଇଥାଏ ।

 

–ଶେଷରେ ନିରୀହ ପିଲାଟା ମୋର ଦଣ୍ଡ ପାଇଲା । ନୂଆ ବିଭା ହୋଇଆସିଥିବା ପିଲାଟା ଦଣ୍ଡ ପାଇଲା । କାହାକୁ ଏବେ କହିବି; କଅଣ କରିବି । ଏତିକି କହି ସେ ପାହାଚଟା ଉପରେ ବସି ରହିଗଲେ । ଲୁହାଫାଟକ ପଡ଼ିଶା ଅଡ଼ିଶା ଲୋକ ତାଙ୍କ ଆଡ଼କୁ ଚାହିଁଦେଇ ଯେ ଯାହା ବାଟରେ ଚାଲିଯାଉଥାଆନ୍ତି କେହି ସାହସ କରି ଫାଟକ ଖୋଲି ଘର ଭିତରକୁ ପଶୁ ନଥାନ୍ତି-! ସେଇଠି ଠିଆ ହୋଇ ସାହିର ପିଲା ସକାଳ ପୋଲିସ ଜିପର ଚିହ୍ନକୁ ଲକ୍ଷ୍ମଣ ଗାରପରି ପରସ୍ପରକୁ ଦେଖାଇ ଭୀତତ୍ରସ୍ତ ହୋଇ ଦେଖୁଥାଆନ୍ତି ।

 

ଏହି ସମୟରେ ରାମକୃଷ୍ଣର ଶୋଇବା ଘରୁ ରାମକୃଷ୍ଣର ସ୍ତ୍ରୀ ଗୋଛାଏ ବଂଶୀ ଧରି ଛାତ ଉପରକୁ ଚାଲିଗଲା ଯେଉଁଠି ବସିଲେ ଦୂରର ମସ୍‌ଜିଦ ଦିଶେ, ମନ୍ଦିର ଶିଖରବି, ଗୀର୍ଜା ଚୂଡ଼ାବି । ସେଇଠି ବସି ବସି ମନ୍ଦିର ମସଜିଦ୍‌ ଓ ଗୀର୍ଜାକୁ ଚାହିଁ, ଧୀରେ ଧୀରେ ଗୋଟିକ ପରେ ଗୋଟିଏ ବଂଶୀ ସେ ବଜାଇବାକୁ ଲାଗିଲା । ଅନ୍ୟ ଭାଇମାନଙ୍କ ସ୍ତ୍ରୀମାନ, ଲକ୍ଷ୍ମୀପରି ଶାଶୁଟି ମାସେ ହେବ ଘରକୁ ଆସିଥିବା ବୋହୂଟିର କାର୍ଯ୍ୟକଳାପ କିଛି ବୁଝିପାରୁ ନଥାନ୍ତି । ଜଣେ କିଏ ଯାଇ ରାମକୃଷ୍ଣ ନନାଙ୍କୁ ଏ କଥା କହିଦେଲା । ତାଙ୍କ କାନରେ ସେତେବେଳେ ବଂଶୀ ସ୍ୱର ପହଞ୍ଚିବାକୁ ଆରମ୍ଭ କରିଥାଏ । ବୋହୂକୁ ପୁଅ ମାସେ ଭିତରେ ଭଲ ବଂଶୀ ବଜା ଶିଖାଇ ଦେଇପାରିଛି ବୋଲି ସେ ସେତେବେଳେ ଭାବୁଥିଲେ ।

 

କିଛି ସମୟ ପରେ ଗମ୍ଭୀର ହୋଇଯାଇ ସେ ତାଙ୍କ ଲକ୍ଷ୍ମୀପରି ସ୍ତ୍ରୀଙ୍କୁ ଡାକି କହିଲେ–ହଇ ମ,ଶୁଣୁଛ । ସେ ଚେସ୍‌ ବୋର୍ଡ଼ଟା ଧରିକି ପିଣ୍ଡାକୁ ଆସିଲ । ଅନେକଦିନ ହେଲା ଆମେ ଦୁହେଁ ସାଙ୍ଗହୋଇ କିଛି ଖେଳିନେ । ଏ ବାରଣ୍ଡାରେ ଦି’ ବାଜି ଚେସ୍‌ ଖେଳିବା । ଭାରୀ ଇଚ୍ଛା ହେଉଛି ।

 

ସମାବେଶ, ପୂଜାସଂଖ୍ୟା, ୧୯୭୭

Image

 

Unknown

ଉଗ୍ରସେନ

ଶାନ୍ତନୁ କୁମାର ଆଚାର୍ଯ୍ୟ

 

‘‘ହେ ଶୁଣିଲଣି ?’’

 

ଆତଂକିତ ନାରୀ କଣ୍ଠଟି ତା’ ଘରଣୀ ସେଇ ଗେଡ଼ି ମୋଟି ମାଇପିଟିର କିମ୍ୱା ସ୍ୱପ୍ନରେ ବାରମ୍ୱାର ଦେଖାଦେଉଥିବା ଜଣେ ଦେବୀପ୍ରତିମା ନାରୀ ମୂର୍ତ୍ତିର । ଠିକ୍‌ ଧରି ନପାରିଲେ ସୁଦ୍ଧା ସୁସୁପ୍ତ ପୁରୁଷଟି ଭୋର ସମୟର ସେଇ ଘରୋଇ ଥଣ୍ଡା ପରିବେଶ ଭିତରେ ଘର୍ ଘର୍‌ ହୋଇ ଘୁରୁଥିବା ଫ୍ୟାନ୍‌ ପବନକୁ ଆଉ ଟିକିଏ ତା’ ଝାଳୁଆ ଫୁଙ୍ଗୁଳା ଛାତିକୁ ପାତିଦେଇ ଶୁଣିଲା । ‘‘ଆମ ଘରର ଦାଣ୍ଡପଟୁ କିଏ କବାଟ ବନ୍ଦ କରିଦେଇଚି । ଉଠି ଦେଖିବଟି !’’ ‘‘ବାଡ଼ି କବାଟ ଖୋଲା ଅଛି ନା ନାଇଁ ?’’ ସୁଶୁପ୍ତ ପୁରୁଷଟି ନିଦ୍ରିତ ଅବସ୍ଥାରେ ଶୋଇ ପ୍ରଶ୍ନଟି ପଚାରି ସାରି ଚୁପ୍‌ ହୋଇପଡ଼ିରହିଲା । କିନ୍ତୁ ସେକେଣ୍ଡକ ପରେ, ଭାଗବତରେ ମୁଚୁକୁନ୍ଦ ନାମକ ଜଣେ ସୁଦୀର୍ଘ ନିଦ୍ରାପ୍ରପୀଡ଼ିତ ପୁଣ୍ୟବାନ ଲୋକ ଗିରିଗହନରେ ଯୁଗ ଯୁଗ ଧରି ଶୋଇରହିଥିବା ଅବସ୍ଥାରେ ହଠାତ୍‌ ତା’ ଛାତିରେ କାହାର ଗୋଇଠାମାଡ଼ ଖାଇ ଯେମିତି ନିଦରୁ ଉଠି ବସି ଆଶ୍ଚର୍ଯ୍ୟ ହୋଇ ଅନାଇ ଦେବାମାତ୍ରେ ନାନା କାଣ୍ଡ କାରଖାନା ଘଟିଗଲା । ସେଇପରି ଉଠି ବସିଲା ସେ ସୁଶୁପ୍ତ ପୁରୁଷଟି । ମାତ୍ର ଭାଗବତର ଗମ୍ଭୀର ଘଟଣା ପରିବର୍ତ୍ତେ ଗୋଟିଏ ହାସ୍ୟକର ଘଟଣା କେବଳ ଘଟିବାର ଦେଖିପାରିଲା ସେ ଲୋକଟି, ନିଜ ଆଖି ମଳି ।

 

ସେଇ ଗେଡ଼ି ମୋଟି ଚିନା କଣ୍ଢେଇ ଭଳି ମାଇପିଟି । ଗାଡ଼ ଭାଲୁ ମାଟି ଖୋଲିଲା ଭଳି ଗୋଟିଏ ତକିଆ ଭିତରୁ ମୁଠା ମୁଠା ତୁଳା ଓଟାରିଆଣି ବିଞ୍ଚି ପକାଉଥିଲା ଓ ତାରି ସାଥିରେ ସୁଁ ସୁଁ ହୋଇ କାନ୍ଦିପକେଇ ଡକା ପକାଉଥିଲା–

 

‘‘ମୋ ହାର ! ମୋ ହାର ! ମୋ ହାର !

 

ପଙ୍ଖା ପବନରେ ଘର ଗୋଟାକଯାକ ତୁଳା ଉଡ଼ିବାରେ ଲାଗିଥାଏ । ମାଇପିଟି ତେଣିକି ନଚାହିଁ କେବଳ ତକିଆଟାକୁ ବିଦାରି ଲାଗିଥାଏ । ତକିଆରୁ ତୁଳାଭିଣା ସରିବା ମାତ୍ରେ ସେ ସଙ୍ଗେ ସଙ୍ଗେ ଧରିପକେଇ ଥାଏ ଆଉ ଗୋଟିଏ ତକିଆ ଓ ତାକୁ ଫଡ଼୍‌ କରି ଚିରି ପକେଇ ପୁଣି ଆରମ୍ଭ କରିଦେଇଥାଏ ତା’ର ସେଇ ଅଦ୍‌ଭୁତ କାନ୍ଦଣା....‘‘ମୋ ହାର ! ମୋ ହାର ।’’ ଲୋକଟାର ନାକରେ ଉଡ଼ନ୍ତା ତୁଳା ଟିକିଏ ପଶିଯିବା ମାତ୍ରେ ତା’ର ଗୋଟିଏ ଛିଙ୍କ ଉଠିଆସୁଥିଲା । କିନ୍ତୁ ଜୋର୍‌ କରି ନାକକୁ ରଗଡ଼ି ଦେଇ ସେ ନିଜ ନାକର ଛିଙ୍କକୁ ନାକରେ ମାରିଦେଇ ଖଟ ଉପରୁ ଡେଇଁପଡ଼ିଲା ।

 

‘‘ବନ୍ଦକର ସେ କାମ ।’’ ଚିନା କଣ୍ଢେଇଟିକୁ ସିମେଣ୍ଟ ଚଟଣା ଉପରୁ ଟେକିନେଇ ସେ ତାକୁ ପ୍ରାୟ କଚି ଦେଲା ଶେଯ ଉପରେ ଆଉ ଅଧା ହସ ଅଧା ବିରକ୍ତି ଭିତରେ ପଚାରିଲା, ବାଡ଼ି କବାଟ ଖୋଲା ଅଛି କି ନାହିଁ–ଦେଖିଚ ? ବୃଥାରେ କାହିଁକି ରାମ୍ପିବିଦାରି ହେଉଚ ?’’

 

ଚିନା କଣ୍ଢେଇ ମାଇପିଟି ସେ ପ୍ରଶ୍ନର ଉତ୍ତର ନଦେଇ ଆଉ ଗୋଟିଏ ତକିଆକୁ ବିଦାରି ପକେଇବାକୁ ଉଦ୍ୟମ କରିଦେଲା । ଆପାତତଃ ସେ ତଥାପି ଆଶଙ୍କା କରୁଥିଲା ଯେ ଗତ ରାତିରେ ଘରେ ଚୋର ପଶି କୌଣସି ଗୋଟିଏ ତକିଆ ଭିତରେ ବହୁଦିନୁ ଗୁପ୍ତରେ ରଖାହୋଇଥିବା ତା’ର ଏକମାତ୍ର ମୂଲ୍ୟବାନ ଗୁପ୍ତସମ୍ପତ୍ତି ସେଇ ସୁନାହାର ଖଣ୍ଡିକୁ କେତେବେଳେ ମାରିନେଇ ପାର୍‌ ହୋଇଛି ଓ ଯିବାବେଳେ ଉଭୟ ଦାଣ୍ଡ ଓ ବାଡ଼ି କବାଟକୁ ବାହାରୁ ବନ୍ଦ କରିଦେଇ ପଳେଇଯାଇଛି-

 

ସ୍ତ୍ରୀ ଲୋକଟି ଚୋର ଭୟରେ ବହୁଦିନ ତଳେ ତା’ ବେକର ସେ ହାରଟିକୁ ଗୋଟିଏ ତକିଆର ତୁଳା ଭିତରେ ଗୁଞ୍ଜି ଦେଇଥିଲା । କିନ୍ତୁ ଭୋରରୁ ଉଠି ଦାଣ୍ଡକବାଟର ହୁକ୍‌ ଖୋଲି ବାହାର ପିଣ୍ଡାକୁ ବାହାରି ବାରିକବାଟରେ ସେଇ ପ୍ରଥମ ଠେଲାଟି ମାଇଲା ପରେ ଯେତେବେଳେ ସେ ଜାଣିପାରିଲା ଯେ କବାଟ ବାହାରୁ ବନ୍ଦ କରିଦିଆଯାଇଅଛି, ସେତିକିବେଳୁ ତା’ ମୁଣ୍ଡ ବିଗିଡ଼ି ଯାଇଥିଲା । ଦଉଡ଼ି ଯାଇ ସେ ବାଡ଼ି କବାଟରେ ମଧ୍ୟ ସେମିତି ଧକ୍‌କା ମାରି ପରଖି ନେଇ ସାରିଥିଲା । ତା’ପରେ ହଠାତ୍‌ ତା’ର ମନେପଡ଼ିଗଲା ହାର କଥା । କିନ୍ତୁ ଦିନ କେତେଟି ତଳେ ସେ ତା’ ହାରଟିକୁ ବେକରୁ କାଢ଼ି ପ୍ରକୃତରେ କୋଉ ତକିଆ ଭିତରେ ଗୁଞ୍ଜି ଦେଇଥିଲା । ଆଉ ମନେପଡ଼ିଲା ନାହିଁ ତା’ର । ତେଣୁ ଗୋଟି ଗୋଟି କରି ପ୍ରତ୍ୟେକଟି ତକିଆରୁ ସେ ରାମ୍ପିବିଦାରି ପକାଉଥିଲା ।

 

କିନ୍ତୁ ତା’ର ସେ କାମରେ ହଠାତ୍‌ ବାଧା ଦେଇ ଲୋକଟି ତାକୁ କହିଲା–‘‘କାଲି । ଘଟଣାକୁ ଏବେ ସହଜ ମନେ କରନା । ଚୋରମାନେ ତମ ହାରକୁ ଆଖେଇନାହାନ୍ତି । ହେଇ ନିଅ ତମ ହାର ।’’ ତା’ପରେ ନିଜ ପିନ୍ଧା ପାଇଜାମା ପକେଟରୁ ଗୋଟିଏ ସୁନା ଚେନ୍‌ ବାହାର କରି ସେ ତା’ ସ୍ତ୍ରୀ ଆଡ଼କୁ ଶେଯ ଉପରେ ଫୋପାଡ଼ି ଦେଇ କହିଲା...
 

‘‘ଆଜି ସକାଳୁ ସକାଳୁ ମୁଁ ତମର ଏ ହାରଟିକୁ ନେଇ ବଜାରକୁ ଚାଲିଯିବାକୁ ସ୍ଥିର କରିଥିଲି–ଗଲା ରାତି ଅଧରୁ । କିନ୍ତୁ ଏଇଲେ କଥା ଅନ୍ୟ ଆକାର ଧରିନେଲା; ଡଲି । ବଞ୍ଚିବା ପାଇଁ ଆମେ ଆମର ବେକର ହାରକୁ ମଧ୍ୟ ନେଇ ବଜାରକୁ ଯାଇପାରିବା ନାଇଁ । ଏଘରୁ ପଦାକୁ ବାହାରିବା ପାଇଁ କବାଟ ବନ୍ଦ ହୋଇଗଲା ଏଇ ସକାଳୁ । ବୁଝ ଏଥର ଘଟଣାକୁ ।’’

 

ସେଇ ଗେଡ଼ି ମୋଟି ଚିନା କଣ୍ଢେଇ ଭଳି ମାଇପିଟି ତା’ର ଯୁଗ ଯୁଗର ପ୍ରବୃତି ପରିଚାଳିତ ହୋଇ ପ୍ରଥମେ ବିଲେଇ ମାଛ ଖଣ୍ଡିଏ ଝାମ୍ଫି ନେଲା ଭଳି ଝାମ୍ପି ନେଲା ସେ ଜିନିଷଟିକୁ ଓ ଶେଯ ଉପରୁ ଡେଇଁପଡ଼ି ଦଉଡ଼ି ଗଲା ଗୋଟିଏ ଖୋଲା ଝରକାପାଖକୁ ।

 

ସକାଳର ସୁନେଲି ସୂର୍ଯ୍ୟର ପହିଲିକିରଣ ଝରକାବାଟେ ଘର ଭିତରେ ପଡ଼ିବା ଆରମ୍ଭ ହୋଇଯାଇଥାଏ । ଘର ସାରା ଛିନ୍ ଛତର ହୋଇପଡ଼ିଥିବା ତୁଳାଗୁଡ଼ାକ ସେ ଆଲୁଅରେ ଦିଶୁଥାଏ, ସତେ ଯେମତି ଗୁଡ଼ାଏ ଚିନା ବାସନ ଏକାବେଳେକେ ଭାଙ୍ଗି ଚୁନା ଚୁନା ହୋଇଯାଇଥାଏ । ମାଇପିଟି ସେ ଆଡ଼କୁ ନିଘା ନକରି ତା’ ହାତ ଆଞ୍ଜୁଳା ଭିତରୁ ଚିକ୍‌ ଚିକ୍‌ କରୁଥିବା ହାରଟିକୁ ଗେହ୍ଲା କଲାଭଳି ନିରେଖୁ ଥାଏ । ସେ ପର୍ଯ୍ୟନ୍ତ; ନିଶ୍ଚିତଭାବେ, ସେ ବିଶ୍ୱାସ କରିପାରୁନଥାଏ ତା’ ଆଖିକୁ । ବର୍ଷ ଗୋଟାଏ ତଳେ ଜଣେ ଖବରକାଗଜବାଲାକୁ ବାହା ହୋଇଆସିବା ଠାରୁ ତା’ର ସମସ୍ତ ଅଳଙ୍କାର ଭିତରୁ ସେହି ଗୋଟିକହିଁ ରହିଯାଇଥିଲା ଅବଶିଷ୍ଟ । ଲୋକଟିର ପେଶା ହଠାତ୍‌ ବନ୍ଦ ହୋଇଯାଇଥିଲା କାହିଁକି କେଜାଣି । ଦିନପରେ ଦିନ ସେ ମୁହଁ ଆମ୍ୱିଳା କରି ଫେରୁଥାଏ ଘରକୁ । କିଛି ପଚାରିଲେ ଫୁଟ୍‌କିଟାଏ ମାରି କହୁଥାଏ–‘‘ସମ୍ୱାଦ ବେଶୀ କିଛି ନାହିଁ ।’’ ତା’ପରେ ଜାମା ପକେଟ୍‌ରୁ ଯାହାକିଛି ଖୁଚୁରା ଟଙ୍କା ରେଜା ପଇସା ଗଣ୍ଡିଏ ଅଣ୍ଡାଳି ବାହାର କରୁ କରୁ ସେ କହୁଥାଏ–

 

‘‘ଏଇ ଶେଷ । ୟା ପରେ ଆଉ ଏ ଧନ୍ଦା କରିବି ନାହିଁ–କରିହବ ନାଇଁ ଆଉ । କେତେ ମିଛ କହନ୍ତି ଆଉ ।’’

 

ଭଗବାନ ଜାଣନ୍ତି କି ମିଛ ସେ କହୁଥାଏ ଦିନଯାକ–ସଞ୍ଜବେଳକୁ ସେତକ ଖୁଚୁରା ପଇସା ରୋଜଗାର କରି ମୁହଁ ଆମ୍ୱିଳା କରି ଘରକୁ ଫେରିଆସିବା ପର୍ଯ୍ୟନ୍ତ । ଦିନେ ହେଲେ ତା’ ସ୍ତ୍ରୀ ସ୍ୱାମୀକୁ ତା’ର ବାଧ୍ୟ କରେ ନାହିଁ ତା’ ମିଛରେ ଭାଗୀଦାର ହେବାପାଇଁ । କଦବା କ୍ୱଚିତ୍‌ ଦିନେ ଦିନେ ମନ ହେଲେ ସ୍ତ୍ରୀକୁ ସେ ଉପରେପଡ଼ି କହେ ଅବଶ୍ୟ ତା’ ମନକଥା ପଦେ ଅଧେ ।

 

‘ସକାଳେ ଆଜି ଗୋଟିଏ ଅଦ୍‍ଭୁତ ଦୃଶ୍ୟ ଦେଖିଲି’’–ମୁହଁ ଖୋଲେ ସେ କିନ୍ତୁ ତାରି ସାଥିରେ ଚୋରଙ୍କ ଭଳି ଚାରିଆଡ଼କୁ ଚାହେଁ ଉଣ୍ଡିଉଣ୍ଡିକା କେଇଥର । ଯେତେବେଳେ ସେ ବୁଝିପାରେ ଯେ କେହି କୁଆଡ଼େ ଲୁଚିଛପି ତା’ କଥାକୁ କାନପାତିନାହାନ୍ତି; ସେତିକିବେଳେ ତା’ ମୁହଁ ଆଉ ଟିକିଏ ଖୋଲିଯାଏ । ଚଟ୍‌ କିନା କହିପକାଏ ସେ’ ‘‘ଗୋଟିଏ ଭିକାରୁଣୀ ତା’ର ପାଞ୍ଚୋଟି ଛୋଟ ଛୁଆଙ୍କୁ ଗୋଟିଏ କୂଅରେ ଗଳେଇ ପକେଇ ଦଉଡ଼ି ପଳାଉଥିଲା । ଲୋକେ ତାକୁ ଧରିନେଇ ନିର୍ଧୁମ ଛେଚିଲେ । ସଭାଶେଷରେ ତାକୁ ସମସ୍ତେ ପଚାରିଲେ ‘ଛୁଆଙ୍କୁ କାହିଁକି ମାଇଲୁ-? ମାଇପିଟି ଘାଇଲା ହୋଇଯାଇଥାଏ । ତା’ ପାଟିରୁ ବଚନ ବାହାରୁନଥାଏ । ସକେଇ ସକେଇ କହିଲା ସେ ବହୁ କଷ୍ଟରେ, ‘ନହେଲେ ଉପାସରେ ତ ମରିଥାନ୍ତେ ସେଗୁଡ଼ାକ ବାବୁ ।, –ଏଇ ଘଟଣାକୁ ସାଙ୍ଗେ ସାଙ୍ଗେ ଲେଖିପକାଇ ଗୋଟାଏ ଖବରକାଗଜ ଅଫିସକୁ ପଶିଗଲି ମୁଁ । କିନ୍ତୁ ଟିକିଏ ପରେ କାଗଜ ଖଣ୍ଡକୁ ଫେରାଇଦେଲେ ସେମାନେ ମତେ । କଅଣ କହିଲେ ଜାଣ ?

 

ଚାରିଆଡ଼କୁ ଆଉଥରେ କନ କନ କରି ଅନେଇ ସାରି ସେ କହିଲା–‘‘ଚଳିବ ନାଇଁ । ଦୁଃଖର ସମ୍ୱାଦ ଢେର ହୋଇଗଲାଣି । ଏଣିକି ସୁଖ ସମ୍ୱାଦ ଖୋଜ ।’’

 

ତା’ପରେ ଦୀର୍ଘନିଶ୍ୱାସଟିଏ ପକେଇ ସମାପ୍ତ କରେ ସେ...‘‘ସୁଖର ସମ୍ବାଦଟିଏ ପାଇବା ଭାରି କଷ୍ଟ । ଦିନଯାକ ବସି ବସି କେତେ ସୁଖ ସମ୍ୱାଦ ମୁଁ ଲେଖିଚି ଆଉ ଦେଉଚି ତାଙ୍କୁ ଅବଶ୍ୟ । କିନ୍ତୁ ଭାରି ଚାଲଖ୍‌ ସେମାନେ । ସେମାନଙ୍କୁ ଠକିବା ଭାରି କଷ୍ଟ କେବଳ ଦୟାକରି କେତୋଟି ଏଭଳି ସମ୍ୱାଦ ନିଅନ୍ତି, ସେମାନେ ମୋଠୁଁ । କିନ୍ତୁ କେତେଦିନ ଓଃ କେତେଦିନ ମୁଁ ଦୟାରେ ଚଳିବି ତାଙ୍କର ।’’

 

ଲୋକଟି ଅସ୍ତବ୍ୟସ୍ତ ହୋଇପଡ଼େ ସେତେବେଳେ ଚିନା କଣ୍ଢେଇ ଭଳି ମାଇପିଟି ସେତିକିବେଳେ ତାକୁ ସାନ୍ତ୍ୱନା ଦିଏ ଆଉ କହେ–

 

‘ବ୍ୟସ୍ତ ହୁଅନା । ଭଲଦିନ ନିଶ୍ଚେ ଆସିବ । ଅଳଙ୍କାର କେଇଖଣ୍ଡି ଅଛି ତଥାପି ମୋ ଦିହରେ ।’

 

ଗୋଟି ଗୋଟି କରି ପ୍ରାୟ ସବୁତକ ଅଳଙ୍କାର ମାଇପିଟି ସ୍ୱେଚ୍ଛାରେ ଦେଇସାରିଥିଲା ସେତେବେଳକୁ–କେବଳ ସେହି ହାର ଖଣ୍ଡିକ ଛାଡ଼ି । କାହିଁକି କେଜାଣି ସେହି ହାର ଖଣ୍ଡକୁ ସେ ଲୁଚେଇ ରଖିଥିଲା ଏ ଯାକେ। ଗୋଟିଏ ତକିଆର ତୁଳା ଭିତରେ ହାରଟିକୁ ଏଭଳି କାଇଦାରେ ରଖି ସେ ତକିଆଟିକୁ ସିଲେଇକରି ଭାବିଥିଲା ଯେମିତିକି କେହି ଜାଣିପାରିନଥାନ୍ତେ ତା’ ଖବର । କିନ୍ତୁ ଯେଉଁ ପ୍ରକାରେ ଘଟଣାଟି ଘଟିଗଲା ସେଦିନ ଭୋର୍‌ ଭୋର୍‌ ରୁ ସ୍ତ୍ରୀଲୋକଟି ତା’ ସ୍ୱାମୀର କୌଣସି କୈଫିୟତ ଶୁଣିବାକୁ ପ୍ରସ୍ତୁତ ନଥିଲା । ହାରଟିକୁ ପାଇଯାଇଥିବା ହେତୁ ଖୁସିରେ କେତେବେଳେ କାନ୍ଦିବାରେ କଟିଗଲା ତା’ର ।

 

ସକାଳ ସୂର୍ଯ୍ୟର ସୁନେଲିକିରଣର ରଙ୍ଗ ଖୁବ୍‌ ଶୀଘ୍ର ବଦଳି ଗଲା । ଗାଧୁଆବେଳ ପାଖେଇ ଆସିଲା । ସ୍ତ୍ରୀଲୋକଟି ଗାଧୋଇବା ପାଇଁ ଗାଧୁଆ ଘର ଭିତରକୁ ପଶିଲା । ହାତରେ ତା’ର ସେଇ ଅତିପ୍ରିୟ ଅଳଂକାରଟିକୁ ସେ ତଥାପି ଜାବୁଡ଼ିଧରିଥାଏ, କୌଣସି ଗୋଟିଏ ନିଗୂଢ଼ ଗୁପ୍ତ ଜାଗାରେ ସେ ସେଇଟିକୁ ତଥାପି ଲୁଚେଇ ରଖିପାରିବ ସେଇ ଚିନ୍ତାରେହିଁ ପଡ଼ିଯାଇଥାଏ ସେ-

 

ଦାଣ୍ଡ କବାଟରୁ ବାଡ଼ି କବାଟ ପର୍ଯ୍ୟନ୍ତ ଆଗୁଆ ପଛୁଆ କେଇଦଫା ମାର୍ଚିଂ କରିବାପରେ ପୁରୁଷଟି ବିମର୍ଷ ହୋଇ ଫେରିଆସିଥାଏ ସେଇ ଖଟ ଖଣ୍ଡିକ ଉପରକୁ । ବାହାର ଦୁନିଆଁ ସମ୍ପର୍କରେ ତା’ର ଅଭିଜ୍ଞତାରୁ ସେ ବେଶ୍‌ ବୁଝିସାରିଥିଲା ଘଟଣାର ତାତ୍ପର୍ଯ୍ୟକୁ । ଘର ଭିତରୁ କବାଟ ବାଡ଼େଇବା ବା ଚିତ୍କାରକରି କାହାକୁ ଡାକିବା କେତେଦୂର ଅନାବଶ୍ୟକ ସେ ଜାଣିସାରିଥିଲା । ଦିନ କେତେ ତଳୁ କାହିଁକି କେଜାଣି ତା’ ମନରେ ସେଇଭଳି ଗୋଟାଏ ସନ୍ଦେହ ଉଙ୍କିମାରୁଥିଲା । କିନ୍ତୁ ସେ କେବେହେଲେ ଭାବିନଥିଲା ଯେ ମଣିଷ ମନର ଆଶଙ୍କାହିଁ ମୂଖ୍ୟତଃ ତା ଭବିଷ୍ୟତ ସମ୍ଭାବନାର ଆଗାମୀ ସଂକେତରୂପେ ଦିନେ ନା ଦିନେ ପ୍ରତିଷ୍ଠିତ ହୁଏ ।

 

‘‘ମନେକର ଦିନେ ସକାଳୁ ଦେଖାଯିବ ଯେ, ସହରର ସବୁ ଘରର ସାମନା କବାଟ କିଏ ବାହାରୁ ବନ୍ଦ କରିଦେଇ ଚାଲିଯାଇଛି–ଏକଥା କେବେ ସମ୍ଭବ ?’’

 

ଦିନେ ସେ ଜଣେ ସାମ୍ୱାଦିକ ବନ୍ଧୁକୁ ତା’ର ଏ ପ୍ରଶ୍ନଟି ପଚାରିଥିଲା କୌଣସି ଗୋଟିଏ ମଜାଦାର ପ୍ରସଙ୍ଗରେ ।

 

‘‘ତେବେ ବାଡ଼ି କବାଟକୁ ସାମନା; କବାଟ ମନେକରି ଲୋକ ନିଶ୍ଚିନ୍ତ କାମ ଚଳେଇ ନେବେ–’’ ବନ୍ଧୁଟି ହସି ହସି ଦେଇଥିଲେ ସେ ଜବାବ । କିନ୍ତୁ ମୁହୂର୍ତ୍ତକ ଉତ୍ତାରେ ହଠାତ୍‌ ତା’ ମୁହଁ ଗମ୍ଭୀର ହୋଇଗଲା ଯେତେବେଳେ ସେ ପୁଣିଥରେ ଦ୍ୱିତୀୟ ପ୍ରଶ୍ନଟି ଶୁଣିବାକୁ ପାଇଲା–

 

ମନେକର ବାଡ଼ିକବାଟକୁ ମଧ୍ୟ ବନ୍ଦ କରିଦିଆଯିବ ବାହାରପଟ ଏହା କଅଣ ସମ୍ଭବ ନୁହେଁ ?’’

 

‘‘ତେବେ ଗେନ୍ଧା ଶୁଘୁଂଥାଅ–‘‘ସେ ବିଷୟରେ ଆଉ ବେଶୀ ଆଲୋଚନା ନକରି ବନ୍ଧୁ ତା’ର ଅନ୍ୟକଥା ଆରମ୍ଭ କରିଦେଇଥିଲା ତା’ପରେ ।

 

କିନ୍ତୁ କିଏ ଜାଣିଥିଲା ସେଇ ଘଟଣାହିଁ ସତ ହୋଇ ଫଳିବାକୁ ଥିଲା ଦିନେ । ଲୋକଟି ବିମର୍ଷ ହୋଇପଡ଼ିଥିଲା ଖୁବ୍‌ । କିନ୍ତୁ ତା’ ମନରେ ତଥାପି ଗୋଟିଏ କୌତୁହଳ ଖଲ ଖଲ ହେଉଥିଲା ସେ ପର୍ଯ୍ୟନ୍ତ। ସାଇପଡ଼ିଶାର ଅନ୍ୟ ଲୋକ କେଉଁ ଅବସ୍ଥାରେ ଅଛନ୍ତି ସେ କଥା ଜାଣିବାପାଇଁ ମୋର ଆଗ୍ରହ କ୍ରମେ ବଢ଼ିଯିବାରୁ ଖଟଉପରୁ ଉଠି ସେ ଝରକା ପାଖକୁ ଗଲା ଓ ରାସ୍ତାରେ ଯଥାରୀତି ଚାଲିବାକୁ ଆରମ୍ଭ କରିଥିବା ଜନଜୀବନକୁ ଲକ୍ଷ କରିବାକୁ ଲାଗିଲା । ସାଇପଡ଼ିଶାର କେତେକ ଚିହ୍ନା ପରିଚିତ ଲୋକ ସମେତ ଅପରିଚିତ ଲୋକଙ୍କ ମୁହଁଗୁଡ଼ିକ ସେ ସ୍ପଷ୍ଟ ଦେଖିପାରିଲା ତା’ର ଭିତରୁ ଜଣେ ଅପରିଚିତ ପଡ଼ୋଶୀ ଭଦ୍ରଲୋକ ଠିକ୍‌ ସେତିକିବେଳେ ଗୋଟିଏ ପୋଷା ଡ୍ୟାସଣ୍ଡ କୁକୁରର ସରୁ ଚେନ୍‌ଟିକୁ ଧରି ପ୍ରାତଭ୍ରମଣରେ ବାହାରିଥାଆନ୍ତି । କୁକୁରଟି ଆଗେ ଆଗେ ଟାଣିହୋଇ ଚାଲିଥାଏ ଭଦ୍ରଲୋକ । ମା’ ସାଙ୍ଗରେ ତାଳ ଦେଇ ଚାଲିବାକୁ ଚେଷ୍ଟା କରୁଥିବା ଛୋଟ ପିଲାଟିଏ ଭଳି ଖଣ୍ଡି ଦଉଡ଼ା ମାରି ମାରିକା କୁକୁରଟିକୁ ଅନୁସରଣ ମାତ୍ର କରୁଥାନ୍ତି । ହଠାତ୍‌ କୁକୁରଟିର ଦଉଡ଼ ବନ୍ଦ ହୋଇଗଲା ଓ ତା’ ସହିତ ଭଦ୍ରଲୋକଙ୍କ ଆଖି ତତ୍‌କ୍ଷଣାତ୍‌ ଘୁରିଗଲା ରାସ୍ତାକଡ଼କୁ । କୁକୁରଟି ସାଙ୍ଗେ ସାଙ୍ଗେ ଭୁକା ଆରମ୍ଭ କରିଦେଲା । କିନ୍ତୁ ଆଉ ଟାଣିହୋଇ ଆଗକୁ ନଯାଇ ସେ ପଛେଇ ପଛେଇ ଲାଗିଆସିଲା ତା’ ମୁନିବର ପାଦ ପାଖକୁ-

 

କୁକୁରଟି କି ଜିନିଷକୁ ଦେଖି ସେଭଳି ଭୟ ପାଇ ଭୁକି ଭୁକି ପଛେଇ ଗଲା କେଜାଣି । କିନ୍ତୁ ଭଦ୍ରଲୋକ ଜଣକ ସେକେଣ୍ଡ କେତୋଟି ମାତ୍ର ସ୍ତମ୍ଭୀଭୁତ ହୋଇ ଠିଆ ହୋଇଗଲେ ରାସ୍ତାଉପରେ ମୋର ଦୃଷ୍ଟି ସ୍ୱଭାବତଃ ଘୁରି ଯାଉଥିଲା ବାହାର ବନ୍ଦ ହୋଇଥିବା ସେଇ ଘରଟିର ଖୋଲା ଝରକାଟି ଆଡ଼େ ଯୋଉଠି ଘର ମାଲିକର ଆବକ୍ଷମାଣ ମୂର୍ତ୍ତିଟି ଝରକା ଭିତରୁ କରୁଣ ଦୃଷ୍ଟିରେ ଅନେଇ ରହିଥିଲା ଭଦ୍ରଲୋକଟିର ମୁହଁକୁ ।

 

ଚାରିଆଡ଼କୁ ମୁହଁ ବୁଲେଇ ଭଦ୍ରଲୋକ ଆଉଥରେ ସେ ଘରଟି ଆଡ଼େ ଚାହିଁଲେ ଓ ତାଙ୍କ ଗୋଡ଼ରେ ଛନ୍ଦୁରେଇ ହୋଇଯାଇଥିବା ସେଇ କୁନି ଡାସଣ୍ଡ କୁକୁରର ଚେନ ହୁଗାଳିବା ଭିତରେ କେଇପାଦ ପଛେଇଯିବା କ୍ଷଣି ଦୃଷ୍ଟି ଆଗୋଚରକୁ ଚାଲିଗଲେ ।

 

ଝରକା ପାଖରୁ ଲୋକଟି ପୁଣି ଫେରିଆସି ବସିପଡ଼ିଲା ଖଟ ଉପରେ ।

 

ସେତେବେଳେକୁ ସେଇ ଗେଡ଼ି ମୋଟି ଚିନାକଣ୍ଢେଇ ଭଳି ସ୍ତ୍ରୀଲୋକଟି ଗାଧୁଆ ପାଧୁଆସାରି ଦେବୀମୂର୍ତ୍ତି ପରି ଖଣ୍ଡିଏ ଶୁଭ୍ରଶାଢ଼ୀ ଓ ସିନ୍ଦୂର ଟୋପା ପିନ୍ଧି ବାହାରିପଡ଼ିଥାଏ । ବହୁଦିନ ଧରି ନଙ୍ଗଳାହେଇ ରହିଥିବା ବେକ ଉପରେ ସୁନାହାରଟିକୁ ପିନ୍ଧିଥିବା ହେତୁ କିଞ୍ଚିତ ନୂଆ ନୂଆ ଓ ସୁନ୍ଦୁରିଆ ଦିଶୁଥାଏ ମଧ୍ୟ ।

 

‘‘କଅଣ ହେଲା । କାମକୁ ଯିବନାଇଁ କାମକୁ ଯିବନାଇଁ ନା କଅଣ ? ତଥାପି ବସିଚ ସେଇଠି ସେମିତି ଏତେବେଳଯାକେ’’ ଆଶ୍ଚର୍ଯ୍ୟ ହୋଇ ପଚାରିଲା ସେ । ବସ୍ତୁତଃ ସେ ପର୍ଯ୍ୟନ୍ତ ମଧ୍ୟ ଘଟଣାର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିପାରିନଥିଲା ବିଚାରି ସ୍ତ୍ରୀଟି ।

 

ଲୋକଟି ନିରୁତ୍ତର ରହିଲା । ତା’ର ସେଇ ନିରୁତ୍ତରତାରୁ କଅଣ ଠଉର କରିପାରିଲା କେଜାଣି ସ୍ତ୍ରୀଲୋକଟିର ରୂପ ମୁହୂର୍ତ୍ତକ ଭିତରେ ଝାଉଁଳି ପଡ଼ିଲା । କିଛି ସମୟ ପାଇଁ ସେ ଗୋଟିଏ ଘାଇଲା ଚୁଚୁନ୍ଦ୍ରା ପରି ଚିଁ ଚିଁ ହୋଇ ଘରଯାକ ଧାଇଁବାକୁ ଲାଗିଲା। ଦାଣ୍ଡ କବାଟରୁ ବାଡ଼ି କବାଟ ଓ ବାଡ଼ି କବାଟରୁ ଦାଣ୍ଡ କବାଟଯାକେ କେଇ ଦଫା ଧାଁଦଉଡ଼ କରି କବାଟକୁ ପିଟି ଲାଗିଲା ଓ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ଚିରଚିରେଇ ହୋଇ ଅନେକ ପ୍ରକାର ଶବ୍ଦ କଲା । ତା’ପରେ କେଇବାର ଢୁ ଢୁ କରି କବାଟରେ ମୁଣ୍ଡ ପିଟିଦେଲା ସେ । ଧୀରେ ଧୀରେ ତା’ କପାଳରୁ ସିନ୍ଦୂରମିଶା ରକ୍ତର ଗୋଟିଏ ଧାର ନାକଦଣ୍ଡା ଉପରେ ଗଡ଼ିଗଡ଼ି ଚାଲିଆସିଲା ।

 

ପୁରୁଷଟି ସ୍ତ୍ରୀର ଦୁର୍ଦ୍ଦଶା ସହ୍ୟ କରିବାକୁ ଆଉ ଉଚିତ ମନେନକରି ଉଠିପଡ଼ିଲା ଓ ସ୍ତ୍ରୀର ହାତଧରି ତାକୁ ସାନ୍ତ୍ୱନାଦେବାକୁ ଲାଗିଲା । ‘‘ଚୋର ସେମାନେ–ନୁହେଁ । ଯେ ଆମକୁ ଏ ଦଶା ଦଉଛନ୍ତି ମିଛରେ ? ’’ ସାମାନ୍ୟ ଆଶ୍ୱସ୍ତ ହେବା ମାତ୍ରେ ସ୍ତ୍ରୀଲୋକଟି ଆରମ୍ଭ କରିଦେଲା ତା’ ବିଳି ବିଳି ।

 

ପୁରୁଷଟି ହସି ଉତ୍ତର ଦେଲା ବେଶ୍‌ ଗମ୍ଭୀର ସ୍ୱରରେ–ନାଁ ସେମାନେ କଦାପି ଚୋର ନୁହନ୍ତି ଡଲି । କହିଚି ମୁଁ ମୂଳରୁ । ସେମାନେ ଆଜି ତମର ଏ ହାରଟିକୁ ବଞ୍ଚେଇ ଦେଲେ ନିଶ୍ଚିତ ଚୋରି ମୁହଁରୁ । ନହେଲେ ଏତେବେଳକୁ ଏ ଜିନିଷ ଯାଇ ପହଞ୍ଚନ୍ତାଣି କୋଉ ବଣିଆ ଦୋକାନରେ କିଏ ଜାଣେ ।’’

 

‘‘ହାର’’

 

ଶବ୍ଦଟି ଶୁଣିବା ମାତ୍ରେ ଚିନା କଣ୍ଢେଇ ଭଳି ମାଇପିଟିର ଧୈର୍ଯ୍ୟ ପୁଣିଥରେ ଚୂନା ହୋଇଗଲା । ଆଉଥରେ ମୁଣ୍ଡ ପିଟି ଦେବାପାଇଁ ହୁଏତ ସେ ପୁଣି ଆଉଥରେ ଉଦ୍ୟତ ହେଉଥିଲା-। କିନ୍ତୁ କାହିଁକି କେଜାଣି ସେ ମଝିରେ ଅଟକି ଗଲା । ତା’ପରେ ଧୀରେ, ଭାରି ଥଣ୍ଡା ମିଜାଜ୍‌ରେ କାମଟି କଲାଭଳି ବେକରୁ ଯତ୍ନରେ କାଢ଼ିପକାଇଲା ସେ ହାରଟିକୁ ।

 

‘ଯାଅ । ଏ ହାରଟିକୁ ନେଇ ଆଉଥରେ ଚେଷ୍ଟାକର ଝରକା ପାଖରେ । ‘କହିଲା ସେ ଗମ୍ଭୀର ସ୍ୱରରେ, ‘ମୋର ଦରକାର ନାଇଁ ଆମର କିଛି ଦରକାର ନାଇଁ, କହୁ କହୁ ଭାଙ୍ଗିପଡ଼ିଲା ତା’ ସ୍ୱର ପୁଣି–ଥରେ କିନ୍ତୁ ସଙ୍ଗେ ସଙ୍ଗେ ନିଜକୁ ସଜାଡ଼ିନେଇ କହିଲା ସେ, ‘‘ଆମର ସ୍ୱାଧୀନତା ଦରକାର–ଯାଅ । ଝରକା ପାଖରେ ଡାକପକାଅ–ଯେ କବାଟ ଖୋଲି ଦେବ ଏ ହାର ତା’ର....ଯାଅ ଯାଅନା କହୁ କହୁ ଲୋକଟି ହାତରେ ହାରଟିକୁ ଗୁଞ୍ଜିଦେଇ ଧକ୍‌କାଟାଏ ମାରିସାରିଥିଲା ସେ ।

 

ବିଶ୍ୱସ୍ତ ବନ୍ଧୁଟିଏ ପରି ସ୍ତ୍ରୀଲୋକଟିର ସ୍ୱାମୀ ସେଦିନ ଗୋଟାକଯାକ ସେଇ ଆବଦ୍ଧ ଘରର ଖୋଲା ଝରକା ପାଖେ ଠିଆ ହୋଇଥିଲା ଓ ବାହାରେ ଚାଲିଥିବା ନିସ୍ତବ୍‍ଧ ଜନଜୀବନକୁ ସେଇ ଆହ୍ୱାନଟି ଦେଇଥିଲା ବାରମ୍ୱାର–‘ଯେ କବାଟ ଖୋଲି ଦେବ, ଶୁଣ । ଏ ହାରଟି ତା’ର ଏ ହାରଟି ତା’ର ।’

 

କିନ୍ତୁ ଆଶ୍ଚର୍ଯ୍ୟ କଥା ଚାଲିଯାଉଥିବା ଲୋକ ଡାକଶୁଣି ଅଟକି ଯାଉଥିଲେ ଓ କଥାଗୁଡ଼ିକୁ ସ୍ପଷ୍ଟ ବୁଝିସାରିବା ପରେ କାହିଁକି କେଜାଣି ଚାରିଆଡ଼କୁ କନକନ ହୋଇ କେତେଥର ଚାହିଁବା ପରେ ଧୀରେ ଧୀରେ ଅନିଚ୍ଛା ସତ୍ତ୍ୱେ ନିଜ ବାଟକୁ ଦେଖୁଥିଲେ । ସେମାନଙ୍କର ସେପରି ଅଦ୍‍ଭୁତ ବ୍ୟବହାରର କାରଣ ଠଉର କରିବା ଲୋକଟି ପକ୍ଷେ ସମ୍ଭବ ନଥିଲା ।

 

ସୂର୍ଯ୍ୟଅସ୍ତ ହୋଇଗଲା । ଲୋକଟି ଥକି ପଡ଼ିଲା । ଦିନସାରା ହାତରେ ଝୁଲେଇ ଝୁଲେଇ ବନିଶୀ ଥୋପ ଭଳି ବ୍ୟବହାର କରାଯାଇଥିବା ସେଇ ଜିନିଷଟିକୁ ବିରକ୍ତିରେ ମାଇପିଟି ଉପରେ ଫୋପାଡ଼ିଦେଇ ସେ ଶେଯ ଉପରେ ଲୋଟି ପଡ଼ିଲା ।

 

ଶୀଘ୍ର ଅନ୍ଧାର ଘୋଟି ଆସିଲା । ରାସ୍ତାରେ ବତୀଖୁଣ୍ଟର ଆଲୁଅ ଜଳିଉଠିବା ମାତ୍ରେ ମାଇପିଟିର ପାଳି ପଡ଼ିଲା । ଝରକା ପାଖରେ ଠିଆ ହୋଇ ରାସ୍ତାକୁ ଚାହିଁ କେତେବେଳେ ସେ ମୁକ ଭଳି ଅପେକ୍ଷା କଲା । ଲୋକେ ସେହିଭଳି ଚାଲିଥାନ୍ତି ରାସ୍ତାରେ । ପ୍ରଥମେ ପ୍ରଥମେ ଲଜ୍ଜାବଶତଃ ସ୍ତ୍ରୀଲୋକଟି ଡାକିପାରିଲା ନାହିଁ ସେମାନଙ୍କୁ କୌଣସି ପ୍ରକାରେ । କିନ୍ତୁ ଯେତେବେଳେ ସେ ଜାଣିଲା ଯେ ସଞ୍ଜବେଳ ଶୀଘ୍ର ହୋଇଯିବ ଓ ତା’ପରେ ଆସିବ ରାତି’ ଲୋକେ ଭାଙ୍ଗିଯିବେ ରାସ୍ତାରୁ ସେତେବେଳେ ଝରକା ପାଖରେ ଠିଆହେବା ଆହୁରି ଲଜ୍ଜାଜନକ ହୋଇଉଠିବ–ତା’ପରେ ଯନ୍ତ୍ରଭଳି ସେ ଡାକିଚାଲିଲା ସେମାନଙ୍କୁ । ହାତର ସୁନାହାରଟିକୁ ଓହଳେଇ ଝରକା ବାହାରକୁ ଦେଖାଇ ଡାକିଚାଲିଲା ସେ ....ସକାଳର ସେ ଡାକଟିକୁ–ଯେ କବାଟ ଖୋଲିଦେବ ଏ ହାର ତା’ର...ଏ ହାର ତା’ର ।’

 

କିଛି ହେଲା ନାହିଁ । ସଞ୍ଜ ଗଲା, ରାତି ଆସିଲା, କେହି ଆସିଲେ ନାହିଁ ପାଖକୁ ତା’ର । ହେ ଭଗବାନ ! ସାରା ଜଗତ କଅଣ କାଳ ହୋଇଗଲା ? ଲଥ କରି ଚଟାଣ ଉପରେ ବସିପଡ଼ିଲା ସ୍ତ୍ରୀଲୋକଟି । ତା’ଠାରେ ଆଉ ଶକ୍ତି ନଥିଲା କାନ୍ଦିବା ପାଇଁ । ଖଟ ଉପରେ ନିଶ୍ଚଳ ହୋଇପଡ଼ିଥିବା ପୁରୁଷଟି ଭଳି ସେ ମଧ୍ୟ ପଡ଼ିଗଲା ।

 

ସେତେବେଳକୁ ରାତି କେତେହେବ କେଜାଣି ଠକ୍‌ ଠକ୍‌ ଠକ୍‌ ଠକ୍‌ ନିର୍ଜନ ରାସ୍ତାରୁ ବାହାରୁଥିବା ସେ ଶବ୍ଦ ଶୁଣାଯାଉଥିଲା ସତେ ଯେମିତି ଭୂଇଁତଳୁ କିଏ ବାରମ୍ୱାର ଆଘାତ କରୁଥିଲା ଛୋଟ ଘରଟିର ସିମେଣ୍ଟ ଚଟାଣଟିକୁ । କେତେବେଳ ଧରି ଘଣ୍ଟାର ପେଣ୍ଡୁଲମ ପରି ସେ ଶବ୍ଦ ଟିକିଏ ଦୂରକୁ ଚାଲିଯାଇ ପୁଣି ଫେରିଆସୁଥିଲା ଓ ପୁନଶ୍ଚ ଦୂରକୁ ଚାଲିଯାଇ ଘର ପାଖକୁ ଆସୁଥିଲା ।

 

‘‘ଡଲି’’ ବାହାଘର ପରେ ପ୍ରଥମ ଦେଖାହେବା ରାତିରେ ପୁରୁଷଟି ଯେଉଁ ସ୍ୱରରେ ତା’ ସ୍ତ୍ରୀ ସହ କଥାବାର୍ତ୍ତା କରିଥିଲା । ଅଜାଣତରେ କେତେବେଳେ ସେଇଭଳି ସ୍ୱରଟିଏ ତା’ କଣ୍ଠରୁ ବାହାରିଆସିଲା । ‘ମନେହେଉଚି–ସମୟ ଆସିଗଲା ।’

 

କହୁ କହୁ ସେ ଖଟରୁ ଡେଇଁପଡ଼ି ଝରକା ପାଖକୁ ଆସିଲା ଓ ବାହାରକୁ ଚାହିଁ ଯେତେଦୂର ମିଠା ଗଳାରେ ସେ ତା’ ଜୀବନସାରା କେବେହେଲେ କାହାକୁ କିଛି କହିଥିଲା ତା’ ଠାରୁ ଆହୁରି ମିଠା ଗଳାରେ କହିଲା ସୁ–ସମ୍ୱାଦ ! ପିତା ଉଗ୍ରସେନ । ତୁମ ଝିଅ ଦେବକୀଙ୍କର ପୁତ୍ର ସନ୍ତାନଟିଏ ଏଇ ମାତ୍ର ଭୂମିଷ୍ଟ ହେଲା–ସମ୍ୱାଦଟି ବାସ୍ତବିକ ଠିକଣା କାନରେ ପଡ଼ିଲା ହୁଏତ, କାରଣ, ପେଣ୍ଡୁଲୁମ୍‌ ଭଳି ଦୋଳାୟମାନ ପାଦଶବ୍ଦ ତତ୍‌କ୍ଷଣାତ୍‌ ବନ୍ଦ ହୋଇଗଲା ।

 

‘‘ପିତା ଉଗ୍ରସେନ ।’’ ଲୋକଟି ଆଉଥରେ ଆହ୍ୱାନ କଲା । ପାଦଶବ୍ଦ ଏଥର ନିଶ୍ଚିତଭାବେ ଝରକା ଆଡ଼କୁ ଆକୃଷ୍ଟ ହେଲା । ଲୋକଟି ଆଗ୍ରହ ସହକାରେ ଝରକା ବାହାରକୁ ଲକ୍ଷ କରୁ କରୁ ସ୍ତ୍ରୀଲୋକଟିକୁ ଭୁଲ ବା ଠିକ୍‌ରେ ଡାକିଲା ।

 

‘‘ଦେବକୀ’’ କିନ୍ତୁ ସେତିକିରେ ଅଟକିଗଲା ତା’ କଥା । ଝରକା ରେଲିଂ ସେପଟେ ସେତେବେଳକୁ ଯେଉଁ ମୁହଁଟି ଆସି ପ୍ରାୟ ତା’ ନିଜ ମୁହଁ ସାଥିରେ ଯୋଖି ହୋଇଯାଇଥିଲା । ତାକୁ ଦେଖିବାମାତ୍ରେ ଲୋକଟି ନିର୍ବାକ୍‌ ହୋଇଗଲା ।

 

‘‘କାହିଁ ସେ, । କାହିଁ ସେ ବାଳକ ।’’

 

ବାହାରୁ ଲମ୍ୱା ନାକଟା ତା’ର ଝରକା ରେଲିଂ ବାଟେ ଭିତରକୁ ପଶିଆସିବା ସତ୍ତ୍ୱେ ଗୋଟିଏ ଖଦଡ଼ ଟୋପିକଡ଼ରୁ ରୂପାରଜରି ପରି ଦିଶୁ ବା ସେଇ ଛୋଟ ଛୋଟ ପାଚିଲା ବାଳର ମୁକୁଟ ପିନ୍ଧା ଗୋରା ତକତକ ମୁହଁଟା ରେଲିଂରେ ଲାଖି ଯିବାରୁ ଆଖି ଯୋଡ଼ିକ ବହୁ ଉଦ୍‌ଗ୍ରୀବତା ବଶତଃ ନିରାଶ ଓ ବିରକ୍ତ ମଧ୍ୟ ଦିଶୁଥିଲା ।

 

ଅନ୍ଧାର ଘର ଭିତରକୁ ତନ୍ନତନ୍ନ କରି ଚାହିଁ ସାରିବାପରେ ସେ ଆଖିର ନୈରାଶ୍ୟ ଆହୁରି ବଢ଼ିଗଲା । ଏତେ ଜୋର୍‌ସେ ଲୋକଟି ବାହାରପଟୁ ଝରକା ରେଲିଂ ଉପରେ ମୁହଁକୁ ସେହିଭଳି ଚାପିରଖି କିଛି ସମୟ ପାଇଁ ଆଖି ବୁଜିଦେଲା । ତା’ପରେ ଧୀରେ ମୁହଁ ଅପସରି ନେଇ ଟିକିଏ ଦୂରଛଡ଼ା ହୋଇ ଠିଆହେଲା । ସେ ଝରକା ପାଖରୁ କାନ୍ଧତଳୁ ଆଣ୍ଠୁତଳଯାକେ ପିନ୍ଧିଥିବା ଗୋଟିଏ ଶେରଓ୍ୱାନି ପକେଟରୁ ରୁମାଲ ଖଣ୍ଡିଏ କାଢ଼ି ଆଗନ୍ତୁକ ଲୋକଟି ମୁହଁରୁ ଝାଳ ପୋଛିବା ବାହାନାରେ ଆଖି ଯୋଡ଼ିକୁ ଭଲକରି ପୋଛି ସାରି ଆଉଥରେ ଅନିଶାକଲା ଘର ଭିତରକୁ । ତା’ପରେ ପୁଣିଥରେ ପଚାରିଲେ ସେ...

 

କାହିଁ ସେ ? ସେ ବାଳକ କାହିଁ ?

 

ଡାକିଲୁ ଯଦି–ଦେଖା ନାଁ ।’’

 

ସେତେବେଳେ ଘର ଭିତରେ, ରେଲିଂ ସେପାଖେ ନିସ୍ତବ୍‍ଧ ସ୍ତ୍ରୀ ପୁରୁଷ ଦୁଇଟି ବରଡ଼ାପତ୍ର ଭଳି ଥରୁଥାନ୍ତି । ସେମାନଙ୍କର ସେଇ ଦହନୀୟ ଅବସ୍ଥାକୁ ବାହାରର ଲୋକଟି ଏଥର ଲକ୍ଷ୍ୟ କଲା ଟିକେ ସମୟ ପାଇଁ । ଶ୍ରମ ଓ ଉତ୍ତେଜନା ଯୋଗୁଁ ତା’ ଦେହରୁ ପ୍ରକୃତରେ ଝାଳ ବୋହିଯାଉଥିଲା ହୁଏତ, ଟୋପି କାଢ଼ି ଚନ୍ଦାମୁଣ୍ଡକୁ ରୁମାଲରେ ପୋଛିବା ଆରମ୍ଭ କରୁ କରୁ ତା’ ଓଠରେ ସ୍ୱତଃ ଟିକିଏ ହସ ଖେଳିଗଲା । ତାରି ସାଥିରେ କଅଣ ପଦେ କହିଲା ସେ କେଜାଣି । ତା’ପରେ ମୁଣ୍ଡ ଉପରେ ଯଥା ସ୍ଥାନରେ ଟୋପିଟିକୁ ରଖି ଘୂରିପଡ଼ିଲା ସେ ପଛକୁ । ଧୀରେ ଧୀରେ ତା’ର ପାଦଶବ୍ଦ ଦୂରେଇ ଗଲା । କିଛି ସମୟ ପର୍ଯ୍ୟନ୍ତ ଘଣ୍ଟାର ଟିକ୍‌ ଟିକ୍‌ ପରି ସେ ଶବ୍ଦ ରାସ୍ତାରେ ଶୁଭିଲା ପରେ ଧୀରେ ଅସ୍ତ ହୋଇଗଲା ।

 

‘‘ଡଲି ।’’ ଝରକା ରେଲିଂକୁ ଜାବୁଡ଼ିଧରି କାଠ ପାଲିଟି ଯାଇଥିବା ସ୍ତ୍ରୀଲୋକଟିକୁ ଧୀରେ ଝରକାରୁ ଛଡ଼େଇ ତଳେ ବସେଇ ଦେବାକୁ ସାହାଯ୍ୟ କଲାବେଳେ ପୁରୁଷଟି ଭୟାର୍ତ୍ତ ହୋଇ ପ୍ରଥମେ କହିଲା ତା’ କାନ ପାଖେ ‘ଆମକୁ ଆହୁରି ଅନେକ ବର୍ଷ ଏହିପରି ରହିବାକୁ ପଡ଼ିବ, ଡଲି । ପୁଣିଥରେ ମିଥ୍ୟାବାଦୀ ପ୍ରମାଣିତ ହେଲି ।

 

କିନ୍ତୁ ତା’ପରେ ହଠାତ୍‌ ଲୋକଟିର ସ୍ୱର ବଦଳିଗଲା । ଉତ୍ତେଜିତ ହୋଇଉଠିଲା ସେ । ନିଃଶ୍ୱାସ ତେଜି ଉଠିଲା ତା’ର ।

 

‘‘କିନ୍ତୁ, ଡଲି ।’’ ସେଇ ଚୀନା କଣ୍ଢେଇ ଭଳି ସ୍ତ୍ରୀଟିର କାନ୍ଧକୁ ଜୋରରେ ହଲେଇଦେଲା ସେ ସେତେବେଳେ ଯେତେବେଳେ ତା’ ପାଟିରୁ ବାହାରିପଡ଼ିଲା–

 

‘‘ଆମେ ମିଥ୍ୟାବାଦୀ ହୋଇପାରୁ । କିନ୍ତୁ ଆଜି ଆମେ ଯାହା ଦେଖିଲୁ ତା, କଦାପି ମିଥ୍ୟା ନୁହେଁ–କଦାପି ମିଥ୍ୟା ନୁହେଁ । କିଏ ବିଶ୍ୱାସ କରିବ ଏ ସମ୍ୱାଦ ? ଉଗ୍ରସେନ ଆଜି ମଧ୍ୟ ଏ ନଗରକୁ ଘୋର ରାତ୍ରୀରେ ରକ୍ଷା କରୁଛନ୍ତି, ବନ୍ଦୀଶାଳାରେ ବାସୁଦେବଙ୍କର ସନ୍ଧାନ କରୁଛନ୍ତି, କିଏ ବିଶ୍ୱାସ କରିବ ଏ ସମ୍ୱାଦ ?

 

ମାନସ, ପୂଜାସଂଖ୍ୟା ୧୯୭୬

Image

 

ସିଂହ ଓ ଠେକୁଆ କଥାର ଆଧୁନିକ ସଂସ୍କରଣ

ଡକ୍ଟର ଚୌଧୁରୀ ହେମକାନ୍ତ ମିଶ୍ର

 

ଗୋଟିଏ ବଣରେ ସିଂହ ରାଜା ହୋଇଥାଏ । ସେତେବେଳକୁ ବଣ ମଧ୍ୟରେ ଗଣତନ୍ତ୍ର ସ୍ଥାପିତ ହୋଇନଥିଲା । ସେ ସିଂହ ମହାତେଳା ନାମ ଶ୍ରୀ ରାଜ ରାଜେ ସିଂହ ଅରିମର୍ଦ୍ଦନ ପ୍ରତାପ ବୀରବର । ପ୍ରତିଦିନ ସେ ବହୁତ ପ୍ରାଣୀ ମାରିବାରୁ ପ୍ରଜାଙ୍କ ଭିତରେ ଭାଳେଣି ପଡ଼ିଲା । ପ୍ରଜାମାନେ ଗୋଟିଏ ପାଞ୍ଚଜଣିଆ ପ୍ରତିନିଧିମଣ୍ଡଳ ତା’ ପାଖୁ ପଠାଇ ବିଚାର ଆଲୋଚନା ଚଳାଇଲେ । ଆଲୋଚନା ମଧ୍ୟରେ ଦୁଇଜଣ ପ୍ରତିନିଧିଙ୍କୁ ସିଂହ ଜଳଖିଆ କରି ନିବେଦନ କଲା, ପ୍ରାଣୀ ନମାରିଲେ ସେ ବଞ୍ଚିବ କିପରି ? ଶେଷକୁ ଠିକ୍‌ ହେଲା ତା’ର ବଞ୍ଚିବା ଲାଗି କେବଳ ଗୋଟିଏ ପ୍ରାଣୀ ପ୍ରତିଦିନ ହେଲେ ଚଳିବ ଅଧିକ ପ୍ରୟୋଜନ ନାହିଁ, ଅତଏବ ପ୍ରତିଦିନ ଗୋଟିଏ ଲେଖାଏଁ ପ୍ରାଣୀ ତା’ ପାଖୁ ପଠାହେବେ । ଏଥିଲାଗି ଏକ ସ୍ୱତନ୍ତ୍ର ସଚିବାଳୟ, ସେକ୍ରେଟେରୀ ଆଦି କ୍ରମରେ ଦାୟିତ୍ୱସମ୍ପନ୍ନ ଅଧିକାରୀ ଆଦି ଲାଗି ରାଜକୋଷରୁ ଅର୍ଥ ମଞ୍ଜୁର କରାଗଲା । ସ୍ଥିରହେଲା, ଏହି ସଚିବାଳୟ ଗୋଟିଏ ସ୍ୱତନ୍ତ୍ର ଖାତା ରଖି ଜନ୍ମମୃତ୍ୟୁ ଆଦିର ହିସାବରଖିବେ ଏବଂ କେବଳ ସିନିଅରଟି ଅନୁଯାୟୀ ପରୁଆନା ପଠାଇ ପ୍ରାଣୀମାନଙ୍କୁ ଡକାଇ ଦିନକୁ ଗୋଟିଏ ଲେଖାଏଁ ପ୍ରାଣୀ ପଠାଇବାର ବ୍ୟବସ୍ଥା କରିବେ । ଏହି ନିଷ୍ପତ୍ତି ଦୈନିକ ବନତନ୍ତ୍ର ଗେଜେଟିୟର୍‌, ବନବାଣୀ ରେଡ଼ିଓ ଆଦି ମାଧ୍ୟରେ ଘୋଷିତ ହେବାପରେ ଚାରିଆଡ଼ୁ ହର୍ଷ ଓ ଆନନ୍ଦର ଲହରୀ ଖେଳିଯାଇଥିଲା ।

 

ଯେଉଁଦିନ ଠେକୁଆ ନାମରେ ପରୁଆନା ଆସିଲା ,ସେ ତାହା ପଢ଼ି ଆଶ୍ଚର୍ଯ୍ୟ ହୋଇଗଲା, ପରୁଆନା ଧରି ଆସିଥିବା ସ୍ୱତନ୍ତ୍ର ଅଧିକାରୀଙ୍କୁ ସେ ଦେଖାଇଦେଲା ଯେ ଗତ ତିନିମାସ ଧରି କେବଳ ଠେକୁଆମାନେହିଁ ପରୁଆନା ପାଉଛନ୍ତି; ଭାଲୁ, ବାଘ, ସମ୍ୱର, ବାରହା, ବଣ ମଇଁଷି ଆଦିଙ୍କ ନାମରେ କୌଣସି ପରୁଆନା ଜାରି ହୋଇନାହିଁ । ସ୍ୱତନ୍ତ୍ର ଅଧିକାରୀ ଅତି ଭଦ୍ରଭାବରେ କହିଲେ ‘‘ତୁମେ ଯାହା କହୁଛ ତାହା ସତ୍ୟ ହୋଇପାରେ । ତୁମର ବ୍ୟକ୍ତିଗତ ସମସ୍ୟା ମଧ୍ୟ ମୁଁ ହୃଦୟଙ୍ଗମ କରୁଅଛି । କିନ୍ତୁ ହୁକୁମ ହେଉଛି ହୁକୁମ । ହୁକୁମ୍‌କୁ ମାନିବାକୁ ହୁଏ । ହୁକୁମ୍‌ ନମାନିଲେ ଶୃଙ୍ଖଳା ରହିବ କିପରି ?

 

‘‘କିନ୍ତୁ ଶୃଙ୍ଖଳା ଛଡ଼ା କଅଣ ଆଉ କିଛି ନାହିଁ ?’’

 

‘‘ଥାଇପାରେ, ଥାଇପାରେ । କିନ୍ତୁ ଶୃଙ୍ଖଳା ହେଉଛି ବର୍ତ୍ତମାନର ସବୁଠାରୁ ଅଧିକ ପ୍ରୟୋଜନ । ଅତ୍‌ଏବ ଆଉ ସମୟ ନଷ୍ଟ ନକରି ଚାଲ ।’’

 

‘‘କିନ୍ତୁ ମୁଁ ପ୍ରତିବାଦ କରିବାକୁ ଚାହେଁ । ଏ ଘୋର ଅନ୍ୟାୟ । ଯେ ଅନ୍ୟାୟକୁ ସହ୍ୟକରେ, ସେ ଅନ୍ୟାୟୀକୁ ପ୍ରଶ୍ରୟ ଦିଏ । ମୁଁ ସମସ୍ତଙ୍କୁ ଜଣାଇଦେବାକୁ ଚାହେଁ ଯେ ଗଲା ତିନିମାସ ଧରି...’’

 

ପ୍ରତିବାଦ ଅବଶ୍ୟ ତୁମେ କରିପାର । ଦୈନିକ-ବଳି ସଚିବାଳୟ ତୁମକୁ ସେ ଅଧିକାର ଦେଇଛି । ସେଦିନ ବେତାର ଭାଷଣ ଦେଇ ନିଜେ ସେକ୍ରେଟାରୀ ମଧ୍ୟ କହିଛନ୍ତି, ‘‘ଜୀବଜନ୍ତୁଙ୍କର ସୁବିଧା ଲାଗିହିଁ ଦୈନିକ ବଳି କାର୍ଯ୍ୟକ୍ରମ ନିଆଯାଇଛି । ସମସ୍ତଙ୍କୁ ସମାନ ଅଧିକାର ଦେବାହିଁ ଆମର କର୍ମ ଓ ଧର୍ମ ।’’ କିନ୍ତୁ ଭାଇ ମୋର, ସମସ୍ତେ ଯେବେ ଖାଲି ପ୍ରତିବାଦ କରି ବସିବେ ତା’ହେଲେ ଶାସନକଳ ବିକଳ ହୋଇଯିବ ନାହିଁକି ? ଚାଲ ଆଉ ଡେରି କରନା ।’’

 

‘‘ଆପଣ ବର୍ତ୍ତମାନ କହିଲେ ଯେ ମୋର ପ୍ରତିବାଦ କରିବାର ଅଧିକାର ରହିଛି ।’’

 

‘‘ମୁଁ କଅଣ ମନା କରୁଛି ? ସେ ଅଧିକାର ତୁମର ନିଶ୍ଚୟ ରହିଛି । କିନ୍ତୁ ମନେରଖିଥିବ ଅଧିକାର ଥିବା ଗୋଟିଏ କଥା, ଆଉ ଅଧିକାରକୁ ପ୍ରୟୋଗ କରିବା ଆଉ ଗୋଟିଏ କଥା ବୁଝିପାରୁନାହଁ ପରା ? ଦେଖ, ସମସ୍ତଙ୍କର ବଞ୍ଚିବାର ଅଧିକାର ରହିଛି । ତା’ ସତ୍ତ୍ୱେ ସମସ୍ତେ ମରୁଛନ୍ତି କିପରି, ହାଃ ହାଃ ହାଃ ? ଆଶାକରେ, ବର୍ତ୍ତମାନ ସବୁ ବୁଝିପାରଛି । ଏଣିକି କିନ୍ତୁ ସତରେ ଆଉ ସମୟ ବିଲ୍‌କୁଲ୍ ନାହିଁ ।’’ ଏହା କହି, ସ୍ୱତନ୍ତ୍ର ଅଧିକାରୀ ସିପାହି ଦୁଇଜଣଙ୍କୁ ଇସାରା କଲେ ।

 

ଠେକୁଆକୁ ନେଇ ସେମାନେ ଗୋଟିଏ ଗାଡ଼ିରେ ବସାଇଲେ । ଠେକୁଆ ଦେଖିଲା, ସେଇ ଗାଡ଼ିରେ ଆହୁରି ଚାରୋଟି ଠେକୁଆ ଆଗରୁ ବନ୍ଧା ହୋଇ ବସିଛନ୍ତି । ସେମାନେ କହିଲେ ଯେ ସେମାନଙ୍କୁ ମଧ୍ୟ ଆଜି ପରୁଆନା ଦେଇ ନିଆଯାଉଛି ଏବଂ ସେମାନେ ଜାଣନ୍ତି ଯେ ଗଲା ତିନିମାସ ଧରି କେବଳ ଠେକୁଆ ନାମରେହିଁ ପରୁଆନା ଆସୁଅଛି । କେବଳ ନିଖିଳବନ ଠେକୁଆ ସଂଘର ସଭାପତି, ସମ୍ପାଦକ ଏବଂ ତାଙ୍କର ସ୍ୱଜନବର୍ଗଙ୍କୁ ବାଦ୍‌ଦେଲେ ପ୍ରାୟ ପ୍ରତ୍ୟେକ ପରିବାରରେ ପରୁଆନା ପହଞ୍ଚିସାରିଛି ।

 

ସେମାନଙ୍କ କଥା ଶୁଣୁଥିଲେ ସ୍ୱତନ୍ତ୍ର ଅଧିକାରୀ । ସେ ସହାନୁଭୂତି ଦେଖାଇ କହିଲେ, ଏସବୁ ସତକଥା । କିନ୍ତୁ ଏଥିରେ ଶାସନକଳର କୌଣସି ପାତରଅନ୍ତର ଅଛି, ଏକଥା ଯେପରି କେହି ମନେନକରନ୍ତି । ନିଖିଳ ବନଜନ୍ତୁ ସଂଘର ପାଞ୍ଚଜଣିଆ ଯାଞ୍ଚ କମିଟି ଫି ମାସରେ ଖାତାକୁ ଯାଞ୍ଚ କରନ୍ତି । ତା’ଛଡ଼ା, ଏସବୁ ଆଧୁନିକ କମ୍ପ୍ୟୁଟର ସାହାଯ୍ୟରେ ସ୍ଥିର ହୁଏ । କମ୍ପ୍ୟୁଟର ତ ଆଉ ପାତରଅନ୍ତର କରିପାରିବ ନାହିଁ । ଠେକୁଆ ସଂଘର ସଭାପତିଙ୍କ ପ୍ରଶ୍ନର ଉତ୍ତର ଦେଇ ବଳି ସଚିବାଳୟର ସେକ୍ରେଟାରୀ କହିଛନ୍ତି, ତିନିମାସ ଧରି କେବଳ ଠେକୁଆଙ୍କ ନାମ ବାହାରିବାର ସମ୍ଭାବନା ପ୍ରତି ଦଶଲକ୍ଷ ବର୍ଷରେ ଥରେ ଆସିଥାଏ ବୋଲି କମ୍ପ୍ୟୁଟର ସାହାଯ୍ୟରେ ହିସାବ କରି ଜଣାଯାଇଛି ।

 

‘‘ପାଞ୍ଚଟି ପ୍ରାଣୀଙ୍କୁ ଏକତ୍ର କାହିଁକି ନିଆଯାଏ, ଏହି ପ୍ରଶ୍ନ ପ୍ରାୟ ପ୍ରତିଦିନ ଆମକୁ ଶୁଣିବାକୁ ହୋଇଥାଏ । ମୋ କଥା ସଚିବାଳୟରେ କେହି ଶୁଣୁନାହାନ୍ତି । ଛୋଟ ଚାକିରି କଲେ କେହି ତୁମ କଥା ଶୁଣନ୍ତି ନାହିଁ । ପାଞ୍ଚଟି ସ୍ୱତନ୍ତ୍ର ଗାଡ଼ି ଦେଇଥିଲେ ଏ ପ୍ରଶ୍ନ ଆଦୌ ପଚରା ହୋଇନଥାନ୍ତା । ଯାହାହେଉ, ଅତି ସରଳ ଭାଷାରେ ମୁଁ ପାଞ୍ଚୋଟି ପ୍ରାଣୀ ନେବାର କାରଣ ବୁଝାଇଦେଉଛି । ଯଦ୍ୟପି ନିଖିଳ ବନଜନ୍ତୁ ସଂଘ ସ୍ଥିର କରିଥିଲେ ଯେ ପ୍ରତିଦିନ ଗୋଟିଏ କରି ପ୍ରାଣୀ ଯିବ, ବାସ୍ତବ କ୍ଷେତ୍ରରେ ଏହାର ଅନେକ ଅସୁବିଧା ଉପୁଜିଲା । ଆପଣମାନଙ୍କର ପ୍ରଶାସନିକ ଅଭିଜ୍ଞତା ଥିଲେ କିଛି କହିବା ଦରକାର ପଡ଼ିନଥାନ୍ତା, ସବୁ ବୁଝିସାରନ୍ତେଣି । ମୁଁ ଗଲା ୧୭ ବର୍ଷ ଧରି ବିଭିନ୍ନ ସଚିବାଳୟରେ ସ୍ୱତନ୍ତ୍ର ଅଧିକାରୀରୂପେ କାର୍ଯ୍ୟ କରିଆସିଛି ଏବଂ ଶୁଣି ଖୁସି ହେବେ, ମୋର ବାର୍ଷିକ ରିପୋର୍ଟ ସାଦାକାଗଜ ପରି ପରିଷ୍କାର । ମୋର ପିତୃଦେବ ମଧ୍ୟ, ଆଶାକରେ ଆପଣମାନେ ତାଙ୍କର ନାମ ଅବଶ୍ୟ ଶୁଣିଥିବେ ।’’

 

‘‘ଆଗ ଅସଲ କଥାଟା କୁହନ୍ତୁ ।’’

 

‘‘ଏଠାକାର ଜଳ ବିଦ୍ୟୁତ ସରବରାହ ବିଭାଗର ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଭାବରେ ରିଟାୟାର କରିଥିଲେ । ତେଣୁ ଅନେକ କିଛି ଦେଖିଛି, ଅନେକ କିଛି ଜାଣିଛି । ସଚିବାଳୟର ବୁଢ଼ା ଭାଲୁ ମୋର ଯୋଗ୍ୟତା ସ୍ୱୀକାର କରୁ ନାହିଁ, ମୋତେ ପ୍ରମୋଶନ୍‌ ନଦେଇ ଦେଇଛି ତାହାରି ଜାତିଭାଇ...

 

‘‘କିନ୍ତୁ ପାଞ୍ଚଟି ପ୍ରାଣୀଙ୍କୁ କାହିଁକି ନିଆଯାଇଛି କହିଲେ ନାହିଁତ ?’’

 

‘‘ଶିଆଳପତନୀକି । ଓଃ ହଁ ପାଞ୍ଚଟି ପ୍ରାଣୀଙ୍କ କଥା....ଡ୍ରାଇଭର, ଦିଆସିଲି ଅଛି କି ? ଟିକେ ଦିଅ ତ, ଧନ୍ୟବାଦ । ଟିକିଏ ରୁହନ୍ତୁ । କାନଟା କୁଣ୍ଡେଇ ନିଏଁ, ଖଣ୍ଡିଏ ସିଗ୍ରେଟ ଅଛି । ଆପଣମାନେ କେହି ଖାଆନ୍ତି ନାହିଁ, ମୁଁ ଜାଣେ । ହଁ, ପାଞ୍ଚଟିପ୍ରାଣୀଙ୍କ କଥା ଏବେ ଶୁଣନ୍ତୁ । ବଳି ସଚିବାଳୟ ପ୍ରଥମେ ଜଣକୁ ଜଣ ପଠାଇବା ଆରମ୍ଭ କରିଥିଲା । ପରେ ଦେଖାଗଲା, ମୃତ୍ୟୁ ଭୟରେ ଅନେକଙ୍କର ହୃଦ୍‌ଯନ୍ତ୍ର କ୍ରିୟା ବନ୍ଦ ହୋଇ ସେଗୁଡ଼ିକ ମହାରାଜାଙ୍କ ମଣୋହି ଲାଗି ଅଯୋଗ୍ୟ ହୋଇଗଲେ । ଶେଷ ମୁହୂର୍ତ୍ତରେ ଆଉ ଏକ ପରୁଆନା ତିଆରି କରି, ପୁଣି କାହାରିକୁ ଧରିବାକୁ ଯିବା ଅପେକ୍ଷା ଶେଷକୁ ସଚିବାଳୟର କେତେକ ନିମ୍ନବେତନଭୋଗୀ କର୍ମଚାରୀଙ୍କୁ ଆଦେଶ ଦେଇ ପଠାଇବାକୁ ପଡ଼ିଲା । ଅଧିକାଂଶ ଅବଶ୍ୟ ସ୍ୱେଚ୍ଛାରେହିଁ ବାହାରିଲେ । ଆପଣମାନେ ଜାଣିଥିବେ ନିମ୍ନବେତନଭୋଗୀଙ୍କ ମଧ୍ୟରେ ଆତ୍ମହତ୍ୟାର ସଂଖ୍ୟା, କାହିଁକି କେଜାଣି, ଟିକିଏ ବେଶୀ ।

 

‘ତା’ ଛଡ଼ା ଦିନେ ଦିନେ ସବୁଦିନ ନୁହେଁ, କିନ୍ତୁ ଦିନେ ଦିନେ ମହାରାଜା ଟେଲିଫୋନ୍‌ କରନ୍ତି; ଆଜି ତାଙ୍କର ଅତିଥି ଅଛନ୍ତି ଗୋଟିଏ ପଠାଇଲେ ଅଣ୍ଟିବ ନାହିଁ, ବର୍ତ୍ତମାନ ଏତେଟା ପଠାଅ, ପରେ ଆଡ଼୍‌ଜଷ୍ଟ କରିନେବ । ଆପଣମାନେ ଜାଣିଥିବେ ଶାସନ ପରିଚାଳନାରେ ଏମିତି ଅନେକ ଆଡ଼୍‍ଜଷ୍ଟମେଣ୍ଟ ଦରକାର ହୁଏ । ତେଣୁ ସଚିବାଳୟର ପରିସଂଖ୍ୟାନ ବିଭାଗ ହିସାବ କରି ସ୍ଥିର କଲେ ଯେ ଦୈନିକ ପାଞ୍ଚଟି ।’’

 

‘‘ଯଦି ପାଞ୍ଚଟି ଦରକାର ନହେବେ ?’’

 

‘‘ଦରକାର ନହେବେ କଥାଟାର କିଛି ମାନେ ନାହିଁ । କିଛି ନା କିଛି କାମରେ ତ ଆସିଯିବ ।’’

 

‘‘ଅର୍ଥାତ୍‌ ସେକ୍ରେଟେରୀଙ୍କ ଘରକୁ ଗୋଟେ, ଜଏଣ୍ଟ୍‌ ସେକ୍ରେଟେରୀଙ୍କ ଘରକୁ ଗୋଟେ–

 

‘‘କି ଆଶ୍ଚର୍ଯ୍ୟ । ଆପଣମାନେ ନିରପରାଧ ବଳି ସଚିବାଳୟର କର୍ମଚରୀମାନଙ୍କ ଉପରେ ଏପରି ଅଯଥା ଆରୋପ କାହିଁକି ଲଗାଉଛନ୍ତି ? ଏହା ଅଭିସନ୍ଧିମୂଳକ ଏବଂ ସର୍ବାଦୌ ମିଥ୍ୟା ।’’

 

‘‘ତେବେ ବଳକା ପ୍ରାଣୀ ସବୁ କୁଆଡ଼େ ଯାଆନ୍ତି ?’’

 

‘‘ଦେଖନ୍ତୁ । ସବୁ କିଛି ପ୍ରଶ୍ନର ଉତ୍ତର ଦେବାକୁ ମୁଁ ବାଧ୍ୟ ନୁହେଁ । ତା’ ଛଡ଼ା ଯେଉଁଠି ସମସ୍ତେ ମୃତ୍ୟୁ ପାଇଁ ପ୍ରସ୍ତୁତ ହୋଇ ବାହାରିଆସିଛନ୍ତି ସେ ମୃତ୍ୟୁ କିପରି ଓ କେଉଁଠି ହେଲା, ସେଥିରୁ କଅଣ ମିଳିବ ?’’

 

‘‘ଆମେ ଶୁଣିବାକୁ ଚାହୁଁ ।’’

 

‘‘ଆପଣମାନେ କିନ୍ତୁ ମୋର ସହାନୁଭୂତିର ଅଯଥା ସୁଯୋଗ ନେଉଛନ୍ତି । ଏସବୁ ଅତ୍ୟନ୍ତ ଗୋପନୀୟ । ମୋର ପିତୃଦେବ କହୁଥିଲେ, ପ୍ରଶାସକ ବେଶି କଥାବାର୍ତ୍ତା କରିବା ଉଚିତ ନୁହେଁ, ଗାମ୍ଭୀର୍ଯ୍ୟ ବଜାୟ ରଖିବା ଉଚିତ ।

 

‘ଜାଣିଲୁ କର୍ମଚାରୀମାନେହିଁ ଏସବୁ ଭୋଗ କରନ୍ତି ।,

 

ପୁଣି ଆପଣମାନେ ସୀମା ଟପି ଯାଉଛନ୍ତି । ସଚିବାଳୟର କର୍ମଚାରୀଙ୍କ ବଦ୍‌ନାମ ମୁଁ ବିଲ୍‍କୁଲ୍ ବରଦାସ୍ତ କରିବି ନାହିଁ । ଚୁପ୍‌ । ଚୋପ୍‌ । ଆଉ ପଦେ କଥାବି କେହି କହିବ ନାହିଁ ।

 

ସେମାନଙ୍କୁ ଗୋଟିଏ ଅପେକ୍ଷା ଗୃହରେ ଘଣ୍ଟାଏ ଅପେକ୍ଷା କରିବାକୁ ରଖାଗଲା । ସେମାନେ ବିଚାର କଲେ, କେଜାଣି ମହାରାଜାଙ୍କ ପାଖକୁ ଯିବାର ସୌଭାଗ୍ୟ କାହାର ପଡ଼ିବ ।

 

ଯେତେବେଳେ ଦୁଆର ଖୋଲିଲା, ସଚିବାଳୟର ଦୁଇଜଣ ସିପାହୀ କାନ୍ଧରେ ବନ୍ଧୁକ ଧରି ସାବଧାନ ଭଙ୍ଗୀରେ ଠିଆ ହୋଇଗଲେ, ଆଉ ଜଣେ ଅଧିକାରୀ ଆସି ଠେକୁଆମାନଙ୍କୁ ଗୋଲକରି ଠିଆ କରିଦେଲେ । ତା’ପରେ ପକେଟରୁ ରୁମାଲ ବାହାରକରି ଚଷମା ପରିଷ୍କାର କଲେ ଓ ଗୋଟି ଗୋଟି କରି ନିରିଖି ଚାହିଁଲେ । ଥରେ ଗଳା ଖଙ୍କରି ନେଇ ସେ କହିଲେ, ‘‘ସବୁଠୁଁ ଓଜନିଆ ହେଉଛି ଏଇଟା ।’’ ତା’ପରେ ଜଣେ ସିପାହୀକୁ ଡାକି ହୁକୁମ ଦେଲେ ‘‘ଟୋକା । ଯା’ ଏଇଟା ମୋ ଝିଅ ଘରେ ଦେଇଆସିବୁ । ଠେକୁଆ ମାଉଁସରେ ତା’ର ଭାରି ଶରଧା । କଞ୍ଚା ଖାଇଯିବ, ହଃ ହଃ ।’’ ଏହାପରେ ସେ ଓଜନ ଅନୁସାରେ ଗୋଟିକୁ ସେକ୍ରେଟେରୀ, ଗୋଟିକୁ ଜଏଣ୍ଟ ସେକ୍ରେଟେରୀ ଏବଂ ଆଉ ଗୋଟିକୁ ଅଫିସ କ୍ଳବର ରୋଷେଇ ଘରକୁ ପଠାଇବା ପରେ, ସବୁଠାରୁ କମ୍‌ ଓଜନଥିବାରୁ ଆମ୍ଭମାନଙ୍କର ପୂର୍ବପରିଚିତ ଠେକୁଆଟିକୁ ସିଂହ ମହାରାଜାଙ୍କ ଘରକୁ ଚାଲାଣ କରିଥିଲେ ।

 

ଗାଡ଼ିରୁ ଓହ୍ଲାଇ ଠେକୁଆଟି ସିଂହର ଗୁମ୍ଫାପାଖରେ ଠିଆ ହେଲା । ଗୋଡ଼ ଟେକି ଭିତରକୁ ଅନାଇଲା । ଦେଖିଲା, ସିଂହ ନିଦରେ ଶୋଇଛି । ଠେକୁଆ ମନେ ମନେ ବିଚାରିଲା, ଏ ସିଂହଟି ନିଶ୍ଚୟ ଓଡ଼ିଆ, କାରଣ ସେହିମାନେ ସୁପ୍ତସିଂହ ବୋଲି କଥିତ ଅଛି, ଏବଂ ପୁନଶ୍ଚ ‘‘ଭୋକେ ଓଡ଼ିଆ ନିଦ ଯାଏ ।’’

 

ସିଂହ ହାଇମାରି ଉଠିଲା ପରେ ପ୍ରଥମେ ନିଜର ନାମ ଶୁଣି ଦେଖିଲା, ଗୋଟିଏ ଦୁର୍ବଳ, କ୍ଷୁଦ୍ର ଠେକୁଆ ଦୁଇ ଆଗଗୋଡ଼ ଯୋଡ଼ି କହୁଛି–‘‘ନବକୋଟି ବନଲାଟ ଶୀର୍ଷ ବର୍ଗେଶ୍ୱର ପ୍ରତାପ ବୀରବର ଶ୍ରୀ ଶ୍ରୀ ରାଜରାଜେସିଂହ ଅରିମର୍ଦ୍ଦନ ରାୟ ମାନସିଂହ ପରାକ୍ରମାଙ୍କର ...ଜୟ ।’’

 

ସିଂହ ଖୁବ୍‌ ମୁଗ୍‌ଧ ହେଲା । ବଳି ସଚିବାଳୟ ପ୍ରକୃତରେ କର୍ମ ତତ୍ପର । ଯଦି ପ୍ରତ୍ୟେକ ବଳିକୁ ଏହିପରି ଆମ୍ଭର ପାରିବାରିକ ସ୍ତୋକବାକ୍ୟ ଶିକ୍ଷାଦେଇ ପଠାନ୍ତି...ବୁଝିବାକୁ ହେବ ମୂଳ ଆଇଡ଼ିଆଟି କାହାର...ତାକୁ ପ୍ରମୋଶନ ଏବଂ ବନବିଭୂଷଣ କିମ୍ୱା ଅଳ୍ପ ବୟସର ହୋଇଥିଲେ ଅନ୍ତତଃ ବନଶ୍ରୀ ପଦକ ଦେବାକୁ ହେବ ।

 

‘‘ଆଶ୍ରିତ ବତ୍ସଳ, ପ୍ରଜାରକ୍ଷକ, ବଇରିଦମନ, ଆହିମଚୂଡ଼–ନଦୀବନାଧିପ.......

 

ସିଂହ ପାଟିକରି କହିଲା, ‘ବଡ଼ ଭୋକ ହେଉଛି ।’’

 

‘‘ମହାବାହୁ, ବୀର ଶିରୋମଣି, ବନପ୍ରିୟ; ବନରତ୍ନ....

 

ଆରେ ୟେତ କୁହାଳିଆଟାଏ–।’’

 

‘‘ମଣିମା । ଅଧମ ବଳିର ପ୍ରଣାମ ଘେନନ୍ତୁ, ଛାମୁ ବର୍ତ୍ତମାନ କହିବା ହେଲେ ଯେ ଛାମୁଙ୍କୁ ବଡ଼ ଭୋକ ହେଉଛି । ଅଥଚ ସଚିବାଳୟର ଉଚିତ ଥିଲା ପାଞ୍ଚୋଟିଯାକ ପ୍ରାଣୀଙ୍କୁ ଏଠାକୁ ପଠାଇବା, ନଚେତ୍‌ ଅନ୍ତତଃ ପକ୍ଷେ; ତାଙ୍କ ଭିତରୁ ସବୁଠାରୁ ଦୁର୍ବଳଟିକୁ ଆପଣଙ୍କ ଗୃହକୁ ନପଠାଇ ସବୁଠାରୁ ଓଜନିଆଟିକୁ ପଠାଇବା ।’’

 

‘‘ପାଞ୍ଚୋଟି ପ୍ରାଣୀ ?’’

 

‘‘ସଚିବାଳୟ ପ୍ରତିଦିନ ପାଞ୍ଚୋଟି ପ୍ରାଣୀଙ୍କୁ ପରୁଆନା ଦିଏ । ଏହା ବିଖ୍ୟାତ ‘ପଞ୍ଚପ୍ରାଣୀ ସୂତ୍ର’ ବୋଲି ସଚିବାଳୟରେ ଶୁଣିଲି ।’’ ଏହା କହି ଠେକୁଆ ସବୁ ବୃତ୍ତାନ୍ତ ଜଣାଇଲା ।

 

ସିଂହ ଖୁବ୍‌ ହସିଲା । ତା’ହସରେ ଗୁମ୍ଫା ପ୍ରକମ୍ପିତ ହେଲା । ‘ଓଃ’ ହସି ହସି ପେଟ ଫାଟିଯିବ ।’’ ସେ କହିଲା, ‘‘ତୁ ତ ବେଶ ମଜା ମଜା କଥା କହୁ ।’

 

‘‘ଛାମୁଙ୍କର ଅଶେଷ କରୁଣା । ଛାମୁଙ୍କ ସଦୟ ପ୍ରଶଂସା ଲାଗି ମୁଁ କୃତଜ୍ଞ ଏବଂ ଯେହେତୁ ମୋର ଆଉ ଅଧିକ ସମୟ ଜୀବନ ନାହିଁ, ମୁଁ ଜୋର୍‌ ଦେଇ କହିପାରେ ଯେ ମୁଁ ଆଜୀବନ କୃତଜ୍ଞ ରହିବି ।’’ ଠେକୁଆ କହିଲା ।

 

ସିଂହ ହସି ହସି ବେଦମ୍‌ ହେଲା । ଶେଷକୁ ପେଟ ଚିପିଧରି କହିଲା, ‘‘ଉଃ’’ । ତା’ ପେଟରୁ ‘‘କଁ’’ କରି ଆବାଜ ବାହାରିଲା । ସେ କହିଲା ଆଉ ଡେରିକରି ଲାଭ ନାହିଁ । ଭାରି ଭୋକ ହେଲାଣି ।’’

 

ତା’ ପୂର୍ବରୁ ଗୋଟାଏ କଥା ମହାରାଜ ।’’

 

‘‘ମୁଁ କୌଣସି କଥା ଶୁଣିବି ନାହିଁ । ଆରେ ବାପ୍‌ରେ ।’’ ସିଂହ କହିଲା, ‘‘ପିଲାଦିନେ ଗୋଟାଏ ଗପ ପଢ଼ିଥିଲି, ଗୋଟାଏ ଠେକୁଆ କଥାରେ ଭୁଲାଇ ସିଂହକୁ କୂଅ ମୂଳକୁ ନେଇଯାଇ, ତା’ର ଛାଇ ଦେଖାଇ ତାକୁ ମାରିଦେଇଥିଲା ।’’

 

‘‘ସେ ଗପ ମୁଁ ବି ପଢ଼ିଛି ମଣିମା ! କିନ୍ତୁ ସେଇଟା ଅନ୍ୟ ଠେକୁଆଙ୍କ କଥା । ମୁଁ କିନ୍ତୁ ମରିବାକୁ ପ୍ରସ୍ତୁତ ହୋଇକରି ଆସିଛି । ଛାମୁଙ୍କର ଶ୍ରୀପେଟରୁ ଏହିକ୍ଷଣି କଁ କରି ଆବାଜ ହେଲା । ଅଧିକ ସମୟ ଛାମୁଙ୍କର ମଣୋହି ବିଳମ୍ୱ ନକରି ମୁଁ କେବଳ ଗୋଟିଏ କଥା କହିବି । ସେ କଥାଟି ହେଉଛି ଏହି ଯେ, ବଳି ସଚିବାଳୟର ସ୍ୱେଚ୍ଛାଚାର ଦେଖି ଛାମୁଙ୍କର ପ୍ରଜାମାନେ ଖୁବ୍‌ ବିରକ୍ତ ହୋଇଯାଇଛନ୍ତି ।’’

 

‘‘ତୁ ବୋଧହୁଏ ଖାଲି ଠେକୁଆଙ୍କ କଥା କହୁଛୁ । ମୁଷ୍ଟିମେୟ କେତେଜଣ ଠେକୁଆ ବିରକ୍ତ ହେଲେ କିଛି କ୍ଷତି ନାହିଁ । ଅନ୍ୟମାନେ ବେଶ ଖୁସୀ ଅଛନ୍ତି ।’’

 

‘‘ଠେକୁଆମାନେ ମଧ୍ୟ ଆପଣଙ୍କର ଆଶ୍ରିତ ।’’

 

‘‘ଅଧିକ ଜନ୍ତୁଙ୍କର ହିତ ଲାଗି’ ଅଳ୍ପ ସଂଖ୍ୟାଙ୍କର ସ୍ୱାର୍ଥକୁ ବଳି ଦେବା ଦରକାର । ଆମର ବନରାଜ୍ୟର ନୀତି ହେଲା ‘ବହୁଜନ୍ତୁ ହିତାୟ’ ଏଥିରେ ସମସ୍ତଙ୍କର ମଙ୍ଗଳ ହେବ । ତା’ ଛଡ଼ା ଠେକୁଆମାନଙ୍କର ସୁବିଧା ଲାଗି ରାଜଦରବାର ସଦାବେଳେ ତତ୍ପର ରହିଛି । ସେମାନଙ୍କ ଉପରୁ ଜନ୍ମନିୟନ୍ତ୍ରଣର ଆଇନ୍‌ କୋହଳ ହୋଇଛି ନା ନାହିଁ, ବିବାହ ଓ ବିଚ୍ଛେଦ ଆଇନ କୋହଳ ହୋଇଛି ନା ନାହିଁ, ପାର୍କ ଆଦି କରାଯାଇଛି ନା ନାହିଁ ? ଅବିବାହିତାଙ୍କର ସନ୍ତାନର ରକ୍ଷଣାବେକ୍ଷଣ ବ୍ୟବସ୍ଥା ସରକାର କରିଛନ୍ତି କି ନାହିଁ ? କହିଲୁ, ଆଉ କାହାରିକି ଏସବୁ ସୁବିଧା ଦିଆଯାଇଛି କି ? ହାଃ ସୁବିଧା ନେଲାବେଳକୁ ଆଗଭର, ଅସଲ କାମବେଳକୁ କିଛି ନାହିଁ ?’’

 

‘‘ମଣିମା, କ୍ରୋଧ ଶାନ୍ତ କରନ୍ତୁ । ଅନ୍ୟ ପ୍ରାଣୀମାନଙ୍କ ନାମ ତା’ହେଲେ ସଚିବାଳୟ ଖାତାରେ ଲେଖିବାବି ଦରକାର ନାହିଁ ।’’ ‘‘ସେସବୁ ଅନେକ ଗଭୀର କଥା, ତୁ ବୁଝିବା କଥା ନୁହେଁ-। ଶାସନ କିଛି ଖେଳଘର କଥା ନୁହେଁ । ଶାସନର କାଗଜପତ୍ରକୁ ଠିକ୍‌ ଠିକ୍‌ ରଖିବାକୁହୁଏ । ଏଇ ଦେଖ୍‌ । କାଗଜପତ୍ରରେ ଆଜି ଭାଲୁର ନାମ ରହିଛି । ଭାଲୁ ଖାଇବି ମୁଁ ? ଭାଲୁ ମୋତେ ଭଲଲାଗେନା । ଭୀଷଣ ଦୁର୍ଗନ୍ଧ । ଖାତାରେ ଦେଖିବୁ ପର ପର କରି ତିନିଦିନ ଗୋଟାଏ ଲେଖା ହାତୀ ଲେଖାହେଇଛି । ଏଇଥିରୁ ବୁଝ–ଦିନକୁ ଗୋଟାଏ ହାତୀ ଖାଇଲେ ମୁଁ ବଞ୍ଚିବି ? ଏଇମିତି ତ ରାଜବୈଦ୍ୟ କହୁଛନ୍ତି, ବୟସ ହେଲାଣି, ଟିକେ ଖାଇବା କମେଇବା ଦରକାର । ହାତୀ ନାଁ କାଗଜପତ୍ରରେ ଥାଉ ।

 

‘‘କିନ୍ତୁ ତୁ ଯାହା କହୁଛୁ ଅନ୍ୟ କୌଣସି ପ୍ରାଣୀ ଏଠିକି ଆସନ୍ତି ନାହିଁ, ସେ କଥାବି ଠିକ୍‌ ନୁହେଁ । ତିନିମାସ ତଳେ ସେମାନେ ଗୋଟିଏ ଖୁରାଣ୍ଟି ପଠାଇଥିଲେ । ତା’ର ମାସକ ଆଗରୁ ଗୋଟିଏ ଝିଙ୍କ ପଠେଇ ଥିଲେ ଯେ ମୋ ତଣ୍ଟିରେ କଣ୍ଟା ଲାଗି ଡାକ୍ତରଖାନାରେ ଦଶଦିନ ପଡ଼ିଲି । ମୋର ଯେତେ ଅସୁବିଧା ହେଉ, ମୁଁ ପଛକେ ଓପାସରେ ରହେ, ପ୍ରଜାଙ୍କର ହିତ ଲାଗି ମୁଁ ସଦାବେଳେ ଚେଷ୍ଟା କରିଯାଉଥିବି । ଠେକୁଆ ସଂଘକୁ ମୁଁ ନିଜ ପାଣ୍ଠିରୁ ଏକାବନ ହଜାର ଟଙ୍କା ମଞ୍ଜୁର କରିଛି । ସଂଘର ସଭାପତି କୋଡ଼ିଏ ହଜାର ଦସ୍ତଖତ ସମ୍ୱଳିତ ଧନ୍ୟବାଦ–ପତ୍ରବି ପଠାଇଛନ୍ତି; ଦେଖିବୁ ?’’

 

‘‘ମଣିମା, ମୁଁ ମଧ୍ୟ ତହିଁରେ ଦସ୍ତଖତ କରିଛି । ସେତେବେଳେ ଜାଣିନଥିଲି ଯେ.....

 

‘‘କେଉଁଠାରେ ହେଲେ ଅସନ୍ତୋଷ ନାହିଁ । ଆଗ ଅପେକ୍ଷା ସବୁକିଛି ଉନ୍ନତି କରିଛି, ସମସ୍ତେ ସୁଖରେ ଅଛନ୍ତି । ବାଘ, ଭାଲୁ, ବାର୍‌ହା ଇତ୍ୟାଦି ଅବହେଳିତ ଜାତିଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷିତ ଚାକିରିର ବ୍ୟବସ୍ଥା ହୋଇଛି–ସେମାନେ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ତୁ ବୋଧେ ଭଲକରି ଖବରକାଗଜ ପଢ଼ୁନାହୁଁ । ଯାହାହେଉ, ତୋ’ ସାଙ୍ଗରେ କଥାବାର୍ତ୍ତା କରି ବେଶ ଭଲଲାଗିଲା । ଆଉ ତୋ ସଙ୍ଗେ ଦେଖାହବ ନାହିଁ ବୋଲି ଦୁଃଖ ଲାଗୁଛି ।’’

 

ଏହାପରେ କୁଁ କାଁ ଓ କଡ଼ କଡ଼ ଶବ୍ଦ ଶୁଣାଗଲା ଗୁମ୍ଫା ମଧ୍ୟରେ କେବଳ ଗୋଟିଏ ଜୀବନ୍ତ ପ୍ରାଣୀ ରହିଲା ।

 

ଶିକ୍ଷା : ଏକଡ଼େ ଶୁଅ ସେକଡ଼େ ଶୁଅ–ଗୋଡ଼ପଟେହିଁ

 

ଗୋଡ଼ ରହିବ, ମୁଣ୍ଡପଟେହିଁ ମୁଣ୍ଡ ରହିବ ।

 

(ଝଙ୍କାର, ପୂଜାସଂଖ୍ୟା, ୧୯୭୬)

Image

 

ବାଘୁଣୀ ହତ୍ୟାକାଣ୍ଡ

ପ୍ରଫୁଲ କୁମାର ତ୍ରିପାଠୀ

 

ଚିଡ଼ିଆଖାନାର ପୋଷା ଜୀବଜନ୍ତୁମାନଙ୍କୁ ସ୍କୁଲ–ପଢ଼ୁଆ ଛାତ୍ରଛାତ୍ରୀମାନେ ଭୀଷଣ ହଇରାଣ କରୁଛନ୍ତି । ଜୀବଜନ୍ତୁମାନଙ୍କ ପ୍ରତି ସେମାନଙ୍କ ମନରେ ଯେମିତି ସାମାନ୍ୟ ଟିକେ ଦରଦ କି ଦୟା ନାହିଁ । ସ୍ନେହପ୍ରେମ ତ କାହିଁ କେଣେ ? ଦିନେଅଧେ ଛୁଟି ମିଳିଗଲେ ସେମାନେ ଛୁଟି ଆସୁଛନ୍ତି ଏଇ ଚିଡ଼ିଆଖାନାକୁ । ପ୍ୟାଣ୍ଟ ମୁଣାରେ ଗୋଡ଼ି ଭର୍ତ୍ତି କରି ଜୀବଜନ୍ତୁଙ୍କ ଦେହ ଉପରକୁ ଫିଙ୍ଗି ମଜା ଦେଖିବା ପାଇଁ। ଆରେ ବାବା ! ଏଠି ଗୋଟେ ମଜା କଅଣ ? ତୁମର ଗୋଡ଼ି ତା’ଦେହରେ ବାଜିବାରୁ ଜନ୍ତୁଟି ଟିକେ ତରକି ଗଲା’ ତୁମ ଆଡ଼କୁ ଟିକେ ଖିଙ୍କାରି ଆସିଲା । ଏଥିରେ ମଜା କେଉଁଠି ? ସ୍କୁଲ–ପଢ଼ୁଆ ଛାତ୍ରଛତ୍ରୀ ତ ନୁହନ୍ତି, ଏ ପଲଟି ଯେମିତି ଦଳେ ଶତ୍ରୁ । ଜୀବଜନ୍ତୁଙ୍କର ପହିଲା ନମ୍ୱର ଦୁଶ୍‌ମନ୍‌ ।

 

ନିୟମ ହେଉ ଏଣିକି ଏମାନେ ଆସିଲେ, ମୁଖ୍ୟ ଫାଟକରେ ଏମାନଙ୍କର ପକେଟ ତଲାସ କରାଯିବ; ଯେମିତି ପରୀକ୍ଷା ହଲ୍‌ ଭିତରକୁ ପଶିବା ପୂର୍ବରୁ କରାଯାଏ । ଆହୁରି କଡ଼ା ନିୟମ ହେଉ ସାଙ୍ଗରେ ଗୋଡ଼ି, ପଥର, ଚଣା ଆଦି ଥିଲେ ପ୍ରବେଶ ନିଷେଧ । ଟିକେଟ କରିସାରିଥିଲେ ମଧ୍ୟ ପ୍ରବେଶ ନିଷେଧ ।

 

ତା’ ବ୍ୟତୀତ ଆସନ୍ତା ଶିକ୍ଷାବର୍ଷଠାରୁ ସ୍କୁଲ ପାଠ୍ୟପୁସ୍ତକମାନଙ୍କରେ ଏଭଳି ବିଷୟ ଓ କାହାଣୀ ସବୁ ରହୁ, ଯାହା ପଢ଼ିଲେ ପିଲାଙ୍କ ମନରୁ ପଶୁମାନଙ୍କ ପ୍ରତି କ୍ରୂର ମନୋଭାବ ଓ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱୀ ହେବାର ବିକୃତ ଇଚ୍ଛା ଲୋପ ପାଇବ । ପ୍ରତ୍ୟେକ ସ୍କୁଲ ପିଲାଙ୍କୁ ବିନାମୂଲ୍ୟରେ କିମ୍ୱା ଅର୍ଥନୈତିକ ଚାପ ଯୋଗୁଁ ,ତାହା ସମ୍ଭବ ନହେଲେ ଅଧା ବା ଅଳ୍ପ ମୂଲ୍ୟରେ ‘ହଟାରୀ’ ‘ହାଥୀ ମେରେ ସାଥୀ’ ‘ଜାନ୍‌’ ଓ୍ୱାର ଔର ଇନ୍‌ସାନ,’ ହମ୍‌ ଜଙ୍ଗଲୀ ହୈ’ ଜାତୀୟ ସିନେମା ଦେଖିବାର ସୁଯୋଗ ଦିଆଯାଉ। କେବଳ ସୁଯୋଗ ଦେଲେ ଚଳିବ ନାହିଁ, ଏସବୁ ଦେଖିବାକୁ ବାଧ୍ୟ କରାଯାଉ ।

 

ମୋର ପୁଡ଼ିଆରୁ ସବୁ ବାଦାମ ଶେଷ ହୋଇଯାଉଥିଲା । ମୁଁ ସେଇ କାଗଜପୁଡ଼ିଆଟିକୁ ଡଷ୍ଟବିନ ଭିତରେ ଫିଙ୍ଗି ଦେବାକୁ ଯାଉଥାଏ, ହଠାତ୍‌ ଆଖିରେ ପଡ଼ିଲା ସୁନ୍ଦର’ର ଫଟୋ । ସୁନ୍ଦର : ସେଇ ବିଚରା ବାଘଟିର ନାମ, ଯାହାକୁ ସୁନ୍ଦରବନରୁ ଧରାଯାଇଥିଲା, ଯାହାକୁ ପ୍ରଥମେ ବାଘୁଣୀ ଭାବି ଲୋକେ ସୁନ୍ଦରୀ ନାଁ ଦେଇଥିଲେ । ଜଣେ ବହିରଗତ ମୂର୍ଖ ଶିକାରୀର ସମ୍ମୋହକ–ଗୁଳି (Tranqailizer bullet ) ବିଦ୍ଧ ହୋଇ ସୁନ୍ଦର ଧରାଦେଇଥିଲା ମଣିଷ ହାତରେ । ମଣିଷ ତାକୁ ନେଇ ଛାଡ଼ିଦେଲା ଅନ୍ୟ ଏକ ଜଙ୍ଗଲରେ । ସେଇ ନୂଆ ଜଙ୍ଗଲରେ ଦୁର୍ବଳ’ ଅବଶ ଓ ନିଶାଗ୍ରସ୍ତ ସୁନ୍ଦର ପଡ଼ିରହିଲା ନିଶ୍ଚଳ ହୋଇ । ସେ ନିଜପାଇଁ ଖାଦ୍ୟ ଯୋଗାଡ଼ କରିପାରିବାରେ ଅସମର୍ଥ ହୋଇ, ଭୋକରେ ଶେଷକୁ ମରିଯାଇଛି । ସୁନ୍ଦରର ଅନାହାର ଜନିତ ମୃତ୍ୟୁ ।

 

ଖବରକାଗଜରେ ସେଇ ମୃତ୍ୟୁ ସୁନ୍ଦରର ଫଟୋ । ମୁଁ କୋନ୍‌ ଆକୃତିର ସେଇ ପୁଡ଼ିଆଟି ଫିଟାଇ କାଗଜଫର୍ଦ୍ଦଟି ମେଲାଇ ଧରିଲି–ସୁନ୍ଦରର ଫଟୋ ଠିକ୍‌ ଅଛି । ମାତ୍ର ତା’ ସହିତ ପ୍ରକାଶିତ ବିବରଣୀଟି ମଝିରୁ ଏଭଳି ଚିରି ଯାଇଛି ଯେ, କେତେଗୋଟି ଶବ୍ଦ ବ୍ୟତୀତ ଆଉ କିଛି ପଢ଼ି ହେଉନାହିଁ । ଯଥା :–

ହିଂସା

ଅଧିକାର

ନିର୍ଦ୍ଦୟତା

ନିରୀହ

ଅଟେ

ବାଘ

ଅତ୍ୟନ୍ତ

ଅନ୍ୟ ଜଙ୍ଗଲ

ଦୁର୍ବଳ

ମୂର୍ଖାମି

 

କିଛି ବୁଝିହେଉ ନାହିଁ । କିନ୍ତୁ ‘ଖରାଦିନ–କୁଆ–ଶୋଷ ମାଠିଆ–ଗୋଡ଼ି–ତୃଷା–ନିବାରଣ’ ଆଦି ଶବ୍ଦକୁ ନେଇ ଯେମିତି ଅକ୍ଳେଶରେ ଗୋଟିଏ ଜଣାଶୁଣା କାହାଣୀ ଗଢ଼ିଦେଇ ହେବ, ଠିକ୍‌ ସେହିପରି ହିଂସା ’ଅଧିକାର, ନିର୍ଦ୍ଦୟତା, ନିରୀହ, ଅଟେ, ବାଘ, ଅତ୍ୟନ୍ତ, ଅନ୍ୟ ଜଙ୍ଗଲ, ଦୁର୍ବଳ, ମୂର୍ଖାମି ’’ ଆଦି ଶବ୍ଦକୁ ନେଇ କେଉଁ କାହାଣୀ ଗଢ଼ିହେବ ?

 

କଳ୍ପନାରୁ ଗଢ଼ି ବସିଲେ କେତେ ନାଁ କେତେ ଗଢ଼ିଦେଇ ହେବ; ମାତ୍ର ଅଙ୍ଗେନିଭା ବାସ୍ତବତାରୁ ଗଢ଼ିବାକୁ ଚାହିଁଲେ କେବଳ ଗୋଟିଏ ମାତ୍ର କାହାଣୀହିଁ ଗଢ଼ିହେବ ଏବଂ ସେଇ କାହାଣୀଟି ହେବ ଏବର ଭାରତବର୍ଷର କାହାଣୀ । ତିନି ତିନିଟି ସାଗର ଯାହାର ପାଦ ଧୋଇବାରେ ଅହରହ ଖଟୁଥାନ୍ତି ସେଇ ମହାନ୍‌ ଦେଶର କାହାଣୀ । ମଣିଷ ଯେମିତି ବାଘ ହୋଇଯାଇଛି । ଶାସନକଳ ହୋଇଯାଇଛି ଶିକାରୀ । ବାଘ ଲୁଚି ଲୁଚି ଜଙ୍ଗଲ ଜଙ୍ଗଲ ବୁଲୁଛି । ଶିକାରୀ ରାଇଫଲ ଧରି ମଞ୍ଚା ଉପରେ ବସିଛି । ଛକାପଞ୍ଜା ଖେଳ ଚାଲିଛି ।

 

ଏଣେ ବେଳ ବୁଡ଼ିଗଲାଣି, ତେଣେ ଖେଳ ଚାଲିଛି

 

ଏଣେ ଘରବୁଡ଼ି ଆଣ୍ଠୁଏ ପାଣି, ତେଣେ...

 

ଏଣେ ବିଷମ ସମସ୍ୟା, ତେଣେ...

 

ଏଣେ ବିପତ୍ତି ମାଡ଼ିବସିଲାଣି, ତେଣେ...

 

ଏଣେ ଶୋଚନୀୟ ପରିସ୍ଥିତି, ତେଣେ ଖେଳ ଚାଲିଛି । କାହାର କି ଗଲା କିଏ ପଚାରେ-? ଯେଉଁମାନେ ନିଜକୁ ଦର୍ଶକ ବୋଲି ଭାବୁଛନ୍ତି ସେମାନେ ଯେ ପ୍ରକୃତରେ କ୍ରୀଡ଼ନକ ଏକଥା କିଏ ବୁଝୁଛି ?

 

ମୁଁ କାଗଜ ଖଣ୍ଡିକ ତଳେ ପକାଇଦେଲି ।

 

ମୁଁ ଆସିଥିଲି ବାସ୍ତବରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟନେଇ । ଉଦ୍ଦେଶ୍ୟଟି ହେଲା; କଲିକତା ଆଲିପୁର ଚିଡ଼ିଆଖାନାରେ ରଖାଯାଇଥିବା ସେଇ ଧଳା ବାଘୁଣୀ ମାଳିନୀ’ର ଜନ୍ତା ସାମ୍ନାରେ ଯାଇ ଠିଆ ହେବି । ତା’ର ଆଖିରେ ଆଖି ମିଳାଇ ଚାହିଁ ରହିବି । ମାଳିନୀ ଅପ୍ରସ୍ତୁତ ହୋଇପଡ଼ିବ । ରାଗିଯିବ ଜନ୍ତା ଭିତରେ ସଦର୍ପ ପଇଁତରା ମାରିବ । ତା’ର ରଥ ଦଉଡ଼ିପରି ଲାଞ୍ଜଟାକୁ ଭୂଇଁରେ ପିଟିବ ।

 

ମୁଁ କହିବି... ହେ ବ୍ୟାଘ୍ରେଶ୍ୱରୀ ମାଳିନୀ । କ୍ରୁଦ୍ଧ ହନା । ମୁଁ ତୋତେ ଚାରିଥର ଆଖିମାରି ଦେଇ ମନେ ମନେ ଶିହରିତ ହେବା ନିମନ୍ତେ ଏଠାକୁ ଆସିନାହିଁ ।

 

ମାଳିନୀ ଶାନ୍ତ ହୋଇଯିବ । ନିଶ୍ଚଳ ଠିଆହୋଇ ରହିବ । ଆଖିରେ ଅନେକ ପ୍ରଶ୍ନ ନେଇ ମୋ ଆଡ଼କୁ ଚାହିଁ ରହିବ ।

 

ମୁଁ ପୁଣି କହିବି–ନା’ ତୁ ଚାଇନିଜ୍ ଡ୍ରାଗନ ପରି ଏକ ମାନବ–କଳ୍ପନାପ୍ରସୂତ ଜନ୍ତୁ ନୋହୁଁ-। ତୁ ରକ୍ତ-ମାଂସ ମଜ୍ଜାର ଶରୀର ଧରି ଠିଆ ହୋଇଛୁ ମୋ ଆଗରେ । ମୁଁ ତୋତେ ଡରେନାହିଁ । ମୁଁ ଯେ ତୋତେ ଭଲପାଏ, ମାଳିନୀ । ଭଲପାଇବାରେ ଭୟ ନାହିଁ, ସନ୍ଦେହ ନାହିଁ । ଅବିଶ୍ୱାସ ନାହିଁ-। ମୁଁ ଯେ ମୋ ଭିତରେ ତୋତେହିଁ ଅନୁଭବ କରେ । ହଇଲୋ, ତୁ ଏଠି ଏମିତି ଭାବରେ ବନ୍ଦିନୀ କାହିଁକି ? ନିରାପଦ ଦୂରତ୍ୱରୁ ତତେ ଥରେ ଦେଖିଯିବା ପାଇଁ ଆଠଅଣା ପଇସା ଦେଇ ଟିକେଟ କାଟି ଏଠାକୁ ଆସିନାହିଁ । ମୁଁ ଆସିଛି ଏକ ସଂକଳ୍ପ ନେଇ ।

 

ତୋତେ ମୁକ୍ତ କରିବି । ଯେଉଁଠି ରହିବା ତୋର ଉଚିତ, ସେଇଠି ନେଇ ଛାଡ଼ିଦେଇ ଆସିବି ।

 

ଏଠିତ କିଛି ବୋଇଲେ କିଛି ନାହିଁ ।

 

ପ୍ରତିବର୍ଷ ୬୦୦,୦୦୦ ମଣିଷଙ୍କର ପାଦ ପଡ଼େ ଯେଉଁଠି, ତାହା ତୋର ଆବାସ ହୋଇପାରେନା, ତୋର ଜୀବନର ପରିଧିକୁ ଯେଉଁମାନେ ସଂକୀର୍ଣ୍ଣ କରିରଖିଛନ୍ତି ସେମାନଙ୍କ ବିରୁଦ୍ଧରେ ମୋର ସୁନିୟୋଜିତ ଚକ୍ରାନ୍ତର ପ୍ରଥମ ପଦକ୍ଷେପ ଏଇ : ମୁଁ ତୋତେ ମୁକ୍ତ କରିବି । ତୁ ସ୍ୱାଧୀନ ହେବୁ ।

 

ମୁଁ ଆଜି ରାତିଅଧିଆ ଆସିବି । ତୋର ଜନ୍ତାର ଲୁହାରଡ଼ସବୁ କାଟିପକାଇବି । ସେଠୁ ମୁକୁଳି ତୁ ସିଧାସଳଖ ଚାଲିଯିବୁ ସୁନ୍ଦରବନ । ରାତି ପାହିଲାବେଳକୁ ତୋର ପିଞ୍ଜରା ହୋଇଯାଇଥିବ ଶୂନ୍ୟ । ରାତିପାହିଲା–ବେଳକୁ କଅଣ ଓ କିପରି କୈଫିୟତ ଦେବ ଭାବି ଶୁଖିଯାଇଥିବ ରକ୍ଷକର ମୁହଁ । ଡ଼ିରେକ୍‌ଟର ସାହେବ ଫୋନ୍‌ କରୁଥିବେ ଘନଘନ । ପୁଲିସ ଗାଡ଼ି ବୁଲିଆସିବ ସାରା ସହର । କିନ୍ତୁ ସେତେବେଳକୁ ତୁ ଯାଇ ସୁନ୍ଦରବନରେ ଥିବୁ ।

 

ତୋତେ ସେଠି ଛାଡ଼ିଦେଇ ମୁଁ ଫେରିଆସିବି । ମୁଁ ବାରମ୍ୱାର ଗୋଟିଏ ଲେଖେ ବାଘ, ବାଘୁଣୀ ନେଇ ସୁନ୍ଦରବନ ଯାଉଥିବି ଓ ଫେରିଆସୁଥିବି । ଚିରିଯାଉ ସବୁ ସର୍କସର ତମ୍ୱୁ । ଭାଙ୍ଗିଯାଉ ସବୁ ଚିଡ଼ିଆଖାନାର ପ୍ରାଚୀର । କ୍ଷତି ନାହିଁ । ଶେଷରେ କହିବି–ମାଳିନୀ’ ଆଜି ରାତିଅଧରେ ତୁ ପ୍ରସ୍ତୁତ ହୋଇଥିବୁ । ମୁଁ ଆସି ତୋତେ ନେଇଯିବି । ମୁଁ ଯେଉଁ ବ୍ୟାଘ୍ରରାଜ୍ୟର ପୁନରୁତ୍‌ଥାନ କରିବାକୁ ସଂକଳ୍ପ ନେଇଛି ତା’ର ପ୍ରଥମ ଫେରାର ବନ୍ଦୀ ହେବୁ ତୁ ।

 

ରାତିରେ ସାଙ୍ଗରେ ପେନ୍‌ସିଲ ଟର୍ଚ୍ଚ, ରିଭଲଭର, ଛୋଟ କରତ, ନାଇଲନ ଦଉଡ଼ି ଇତ୍ୟାଦି ନେଇ ମୁଁ ଯାଇ ସେଠି ପହଞ୍ଚିଲାବେଳକୁ ଚାରିଆଡ଼ ନିଃଶବ୍ଦ । କୌଣସି ଆଡ଼ୁ କିଛି ଶୁଭୁ ନାହିଁ । ଭଲକରି କାନେଇଲେ ଅବଶ୍ୟ ସେଇ ନୀରବତାର ଏକ ଗୁଞ୍ଜରଣହିଁ ଶୁଭୁଛି । ମୁଁ ଯାଇ ମାଳିନୀର ଜନ୍ତା ସାମ୍ନାରେ ପହଞ୍ଚି ଦେଖିଲି ସେ ଚେଇଁ ରହିଛି । ଅନ୍ୟ ବାଘ, ବାଘୁଣୀ ସବୁ ଶୋଇଯାଇ ହୁଏତ ମୁକ୍ତିର ସ୍ୱପ୍ନ ଦେଖୁଛନ୍ତି ।

 

ମାଳିନୀ ପଚାରିଲା ଆସିଲ ?

 

ମୁଁ କହିଲି...ଚୁପ୍‌ ।

 

ତା’ପରେ ତା’ ଜନ୍ତାର ଲୁହାରଡ଼ କାଟିବାରେ ଲାଗିଗଲି । ତିନୋଟି ରଡ଼ କାଟିସାରି ମୁଁ ଉପରକୁ ବଙ୍କେଇନେଲି । ଜନ୍ତା ଭିତରୁ ଲାଞ୍ଜ ହଲେଇ ହଲେଇ ମାଳିନୀ ବାହାରିଆସିଲା ଓ ମୋ ଦେହରେ ଘଷି ହୋଇ କହିଲା–ମୁଁ ବାସ୍ତବିକ କୃତଜ୍ଞ ।

 

ମୁଁ ତା’ ପିଠି ଉପରେ ସବାର ହୋଇ କହିଲି–ଚାଲ ଜଲଦି । ମାଳିନୀ ଦୌଡ଼ିଲା । ମାଳିନୀର ପିଠି ଉପରେ ମୁଁ । ମାଳିନୀ ସହର ବାହାର ଆଡ଼କୁ ନଯାଇ ଭିତର ଆଡ଼କୁ ଦୌଡ଼ିଲା । ମାଳିନୀ ପିଠିରେ ମୁଁ । ବଡ଼ କ୍ଷୀପ୍ର ତା’ର ଦୌଡ଼ । ମୁଁ ତ ଏଇ ପଡ଼ିଯିବି, ଏଇ ପଡ଼ିଯିବି ହେଉଥାଏ-। ମାଳିନୀ ଭିକ୍‌ଟୋରିଆ ମେମୋରିଆଲ ସାମ୍ନାରେ ଦଣ୍ଡେ ଅଟକିଲା । ମୁଁ ତା’ ପିଠିରୁ ଓହ୍ଳାଇ ଯିବାକୁ ବସିଥିଲି, ମାତ୍ର ମାଳିନୀ ପୁଣି ଦୌଡ଼ିଲା । ମୁଁ ତାକୁ ଜାବୁଡ଼ିଧରି ତା’ ପିଠି ଉପରେ ଲାଖି ରହିଲି । ମାଳିନୀ ଦୌଡ଼ୁଥାଏ । ମୋର ଆଖି ଆଗରେ, ମୈଦାନ, ଶହୀଦ ମିନାର’ ଏସ୍‌ପ୍ଳାନେଡ଼ ସବୁ ଟପିଗଲା । ମାଳିନୀ ହଠାତ୍‌ ଠିଆ ହୋଇପଡ଼ିଲା । ସାମ୍ନାରେ ରାଜଭବନ । ରାଜ୍ୟପାଳଙ୍କ ବାସଗୃହ । ସେତେବେଳକୁ ମଧ୍ୟରାତ୍ର ଅତିକ୍ରାନ୍ତ । ଜନମାନବ ଶୂନ୍ୟ ରାସ୍ତା । ମୁଁ ମାଳିନୀର ପିଠି ଉପରୁ ନଓହ୍ଲାଇ ପଚାରିଦେଲି...ରାଜଭବନରେ କଅଣ ହେବ ?

 

ମାଳିନୀ କହିଲା ସିଧା ନୁହେଁ ଡାହାଣ ଆଡ଼କୁ ଚାହଁ । ଡାହାଣ ପାଖରେ ବୁକିଂ ଅଫିସ । ଦକ୍ଷିଣ-ପୂର୍ବ ରେଲବାଇର ଟିକଟ ଘର ।

ମୁଁ ପୁଣି ପଚାରିଲି...ଏଠି କାହିଁକି ଅଟକିଲ ?

ମାଳିନୀ କହିଲା...ଏଠି ଟିକେଟ କଟା ହେବ ।

ମୁଁ ହସିଲି ଓଃ, ତୁମେ ତା’ ହେଲେ ଟ୍ରେନ୍‌ ଚଢ଼ି ସୁନ୍ଦରବନ ଯିବାକୁ ମନସ୍ଥ କରିଛ ।

ମାଳିନୀ ସ୍ୱଗୁଣ ତ୍ୟାଗ କରିପାରି ନଥିଲା । କେବଳ ପିଞ୍ଜରାଟିକୁହିଁ ନିଜ ପଛରେ ଛାଡ଼ିଦେଇ ଆସିଥିଲା । ସାଙ୍ଗରେ ନେଇଆସିଥିଲା ନିଜର ସମସ୍ତ ବାଘୁଣୀତ୍ୱ ବା ବ୍ୟାଘ୍ରମନସ୍କତା । ଏଣୁ ବୋଧହୁଏ ଗର୍ଜିଲା–ନା, ମୁଁ ସୁନ୍ଦରବନ ଯିବି ନାହିଁ । ମୁଁ ତୁମ ସାଙ୍ଗରେ ତୁମ ଗାଁକୁ, ତୁମରି ଘରକୁ ଯିବି ଓ ସେଠି ମୋର ମୃତ୍ୟୁ ଯାଏଁ ତୁମର କୃତଜ୍ଞ ହୋଇରହିବି ।

ତା’ପରେ ଅନୁନୟ କଲା ପ୍ଳିଜ୍‌, ମୋତେ ତୁମେ ସାଙ୍ଗରେ ନେଇ ଚଲନା...

ମୁଁ ପଚାରିଲି ମାତ୍ର ମାଳିନୀ, ତୁମକୁ ପୋଷିବା ପାଇଁ ମୋର ସାଧ୍ୟ କାହିଁ ? ମୁଁ ମାମୁଲି ଜଣେ...

ମୋତେ ଅଧିକ କିଛି କହିବାର ସୁଯୋଗ ନଦେଇ ମାଳିନୀ କହିଲା ଚିଡ଼ିଆଖାନାରୁ ଏଯାଏଁ ମୁଁ ତୁମର ପୋଷା ମାନିଆସିଛି । ତେଣୁ ଅଳ୍ପ ସମୟ ପାଇଁ ହେଲେବି ତୁମେ ମୋତେ ପୋଷି ସାରିଛ ତା’ ନୁହେଁ?

ମୁଁ କହିଲି–କିନ୍ତୁ–ମୂଳରୁ ତ କଥାଥିଲା ଯେ ତୁମେ ମୁକ୍ତ ହେଲାପରେ ସିଧାସଳଖ ସୁନ୍ଦରବନ ଚାଲିଯିବ ।

 

ମାଳିନୀ କହିଲା...ତା’ତ ସତ । ତେବେ ମୁଁ ଜନ୍ତାରୁ ବାହାରିଆସିଲା ପରେ ତୁମେ ମୋତେ ଏତେ ଆଦରରେ ସାଉଁଳି ଦେଲ କାହିଁକି ?

 

ପ୍ରକୃତରେ ମୁଁ ତାକୁ ସାଉଁଳି ନଥିଲି । ସେ ନିଜେହିଁ ଆଗ ଆସି ମୋ ଦେହରେ ଘଷି ହୋଇଥିଲା । ତଥାପି ତା’ ମନ କଷ୍ଟ ନକରିବା ପାଇଁ ମୁଁ କହିଲି ...ମୁଁ ତୁମକୁ ଭଲପାଏ ବୋଲି–

 

ମାଳିନୀ–ସେଇଥିପାଇଁ ମୁକ୍ତ କରିଦେଲ ?

 

ମୁଁ–ହଁ, ସେଇଥିପାଇଁ

 

ମାଳିନୀ–କିନ୍ତୁ ମନେରଖ, ନାରୀ କେବଳ ବନ୍ଧନରେହିଁ ସୁଖ ପାଏ । ମୁଁ ବ୍ୟାଘ୍ର ବଂଶୋଦ୍ଭବ ହେଲେହେଁ ପ୍ରଥମେ ଜଣେ ନାରୀ । ମୁଁ ଜାଣେ ବନ୍ଦିନୀ ହେବାର ସୁଖ । ତେଣୁ ମୋତେ ନେଇଚାଲ, ମୁଁ ତୁମ ନିକଟରେ ସେଠି ବନ୍ଦିନୀ ହୋଇ ପଡ଼ିରହିଥିବି ।

 

ମୁଁ କହିଲି–ଆମେ ଗରିବଗୁରୁବା ଲୋକ । ସେଠି ତୁମେ ଖାଇବାକୁ ନପାଇ ଅସମୟରେ ବୁଢ଼ୀ ହୋଇଯିବ କିମ୍ୱା ମରିଯିବ ।

 

ମାଳିନୀ–ମୁଁ ମୋ ନିଜର ଖାଦ୍ୟ ନିଜେ ଯୋଗାଡ଼ କରିନେବି । ସେଥିପାଇଁ ତୁମେ ଚିନ୍ତିତ ହେବା ଅନାବଶ୍ୟକ ।

 

ମୁଁ ପଚାରିଲି–ତୁମେ ସେଠି କିପରି ଖାଦ୍ୟ ଯୋଗାଡ଼ କରିବ ?

 

ମାଳିନୀ–ପ୍ରତି ରାତିରେ ଗୋଟେ ଲେଖେଁ ମଣିଷ ମାରି ଖାଉଥିବି ଓ ତୁମ ପାଖକୁ ଫେରିଆସୁଥିବି । ମୋତେ ପ୍ରତି ରାତିରେ ମାତ୍ର ଅଧଘଣ୍ଟା ପାଇଁ ଛାଡ଼ିଦେଲେ ମୁଁ ମୋର ଚବିଶ ଘଣ୍ଟାର ଖୋରାକ ଯୋଗାଡ଼ କରି ନେଇ ପାରିବି ।

 

ମାଳିନୀ ଯଦିଓ ଏସବୁ କଥା ଅତି ସହଜରେ କହୁଥିଲା ମୁଁ ହଠାତ୍‌ ଶଙ୍କି ଗଲି ।

 

ମୁଁ ପଚାରିଲି–ତା’ ହେଲେ ତ ଗାଁର ଲୋକସଂଖ୍ୟା ଧୀରେ ଧୀରେ କମିଯିବ ?

 

ମାଳିନୀ କହିଲା–ଠିକ୍‌ ବୁଝିଛ ।

 

ମୁଁ ପଚାରିଲି–ତୁମକୁ ଖୋଜାଯିବ ?

 

ମାଳିନୀ ହସିଲା–ନିଶ୍ଚୟ ଖୋଜାଯିବ, ମାତ୍ର ମୁଁ ମିଳୁଛି କେତେକେ ? ମୁଁ ତ ତୁମରି ଘରେ ଲୁଚି ରହିଥିବି ।

 

ମୁଁ ଦୃଢ଼ କଣ୍ଠରେ କହିଲି–ନା, ଏଭଳି ଏକ ଷଡ଼ଯନ୍ତ୍ରର ଅଙ୍ଗ ମୁଁ ହୋଇପାରିବି ନାହିଁ । ମୋର ଗାଁ ଭାଇମାନଙ୍କର ମୃତ୍ୟୁ କାରଣ ମୁଁ ନିଜେ ହୋଇପାରିବି ନାହିଁ ।

 

ମାଳିନୀ ବିଦ୍ରୂପ କଲା–କିଏ ବା କାହାର ମୃତ୍ୟୁର କାରଣ ନୁହେଁ କହିଲ ? ଆଚ୍ଛା, ମଣିଷ ମାରିବାଟା ଯଦି ଏକ ପାପ ତା’ହେଲେ ତୁମର ଚିନ୍ତିତ ହେବାର କିଛି ନାହିଁ । ସେ ପାପ ମୁଁ କରିବି । ସେଥିପାଇଁ ଧରାପଡ଼ିଲେ ଯାହା ଦଣ୍ଡ ହେବ ମୁଁ ଭୋଗିବି । ତୁମ ମୁଣ୍ଡରେ କିଛି ଲାଗିବ ନାହିଁ ।

 

ମୁଁ କହିଲି–ତଥାପି । ଯେ ପାପ କରେ ତାକୁ ମୁଁ ମୋ ଘରେ ଆଶ୍ରୟ ଦେଇପାରିବି ନାହିଁ-

 

ମାଳିନୀ ପଚାରିଲା ତୁମେ ମୋତେ ଭଲପାଅନା ?

 

ମୁଁ କହିଲି–ଭଲ ପାଇବାଟା ପାପ ନୁହେଁ ।

 

ତା’ ହେଲେ ପିଠିରେ ଚଢ଼ିବାଟା କଅଣ ?

 

–ବାଘ ପିଠିରେ ଚଢ଼ିବା ମଧ୍ୟ ପାପ ନୁହେଁ । ସେଇଟା ତ ସାହସର କଥା ।

 

–ମୁଁ ବାଘ ନୁହେଁ

 

ତା’ ହେଲେ ?

 

ମାଳିନୀ ହେଣ୍ଟାଳିଲା–ମୁଁ ବାଘୁଣୀ

 

ମୁଁ କହିଲି–ଆଃ, ଏତେ ବେଶୀ ରଡ଼ି ଛାଡ଼ ନାହିଁ, ନହେଲେ ଧରାପଡ଼ିଯିବ, ବୁଝିଲ ?

 

ମାଳିନୀ ଫିସ୍‌ ଫିସ୍‌ କରି କହିଲା–ମୁଁ ବାଘ ନୁହେଁ ,ବାଘୁଣୀ ବାଘୁଣୀ । ବୁଝିଲ ?

 

ମୁଁ କହିଲି–ବାଘୁଣୀ ପିଠିରେ ଚଢ଼ିବା ମଧ୍ୟ ଏକ ପାପ ନୁହେଁ ।

 

ମାଳିନୀ କଅଣ କହିବ କିଛି ସ୍ଥିର କରିନପାରି ଦଣ୍ଡେ ନୀରବ ରହିଲା । ତା’ପରେ ଭିକମାଗିଲା ଭଳି କହିଲା କିନ୍ତୁ ସମସ୍ତେ ଜାଣିଲେଣି ଯେ ମୁଁ ତୁମର ପୋଷା ମାନିଗଲିଣି । ଏଣିକି ମୋତେ ଆଉ କେହି ଆଶ୍ରୟ ଦେବେ ନାହିଁ । ପ୍ଳିଜ୍‌, ମୋତେ ତୁମ ସାଙ୍ଗରେ ନେଇ ଚାଲନା ।

 

ମୁଁ ଚାରିଆଡ଼କୁ ଅନାଇଁ ଦେଖିଲି । ମଣିଷ ତ ଦୂରର କଥା, ବୁଲା ଷଣ୍ଢ କି କୁକୁରଟିଏ ମଧ୍ୟ ନାହିଁ ।

 

ତେଣୁ ପଚାରିଦେଲି–ଏଠି ତ କେହି ନାହାନ୍ତି, ତା’ ହେଲେ କେଉଁମାନେ ଜଣିଗଲେ ବୋଲି କହୁଛ ?

 

ମାଳିନୀ କହିଲା–ଆକାଶ ଜାଣିଲା, ପୃଥିବୀ ଜାଣିଲା, ମେଘ ଜାଣିଲା, ପବନ ଜାଣିଲା, ଚନ୍ଦ୍ରତାରା, ଗ୍ରହନକ୍ଷତ୍ର ସମସ୍ତେ ଜାଣିଲେ । ତୁମେ ଜାଣିଲ, ମୁଁ ବି ଜାଣିଲି । ଆଉ କିଏ ଜାଣନ୍ତା ?

 

ମୋର ମନେହେଲା ସେ ଚେଷ୍ଟାକଲେ ଭଲ କବିତା ଲେଖିପାରିବ । କିନ୍ତୁ ସେ ବିଷୟରେ କୌଣସି ମନ୍ତବ୍ୟ ନଦେଇ ମୁଁ ତାକୁ ବୁଝାଇବାକୁ ଚେଷ୍ଟାକଲି ..ମୁଁ ତୁମକୁ ଖୁବ୍ ଭଲପାଏ; ମାତ୍ର ତୁମକୁ ସାଙ୍ଗରେ ନେଇ ନିଜ ଘରେ ରଖିପାରିବି ନାହିଁ । ମୁଁ ତୁମକୁ ଏକ ଭିନ୍ନ ଉଦ୍ଦେଶ୍ୟରେ ମୁକ୍ତ କରିଥିଲି । ସେ ଯାହାହେଉ, ତୁମେ ଯଦି ପ୍ରତି ରାତିରେ ଗୋଟିଏ ଲେଖେଁ ମଣିଷ ମାରିବାର ସର୍ତ୍ତଟିକୁ ଉଠାଇ ନେଇ...

 

ମାଳିନୀ ପଚାରିଲା...ତା’ହେଲେ ମୁଁ ଖାଇବି କଅଣ ?

 

ମୁଁ କହିଲି...ଏମିତି ହେଲେ ତ ତୁମେ ସାରା ଗାଁଟା ଖାଇଯିବ । ତା’ପରେ ଥାନା, ସବ୍‌ଡ଼ିଭିଜନ୍‌, ଜିଲ୍ଲା ପ୍ରଦେଶ ଏବଂ ଶେଷରେ ସାରା ଦେଶଟିକୁ......

 

ମାଳିନୀ କହିଲା...ନିଶ୍ଚୟ

 

ମୁଁ କହିଲି...ଅସମ୍ଭବ । ମୋ ଦେଶବାସୀଙ୍କର ଏ ପ୍ରକାର ମୃତ୍ୟୁର କାରଣ ମୁଁ ହୋଇପାରିବି ନାହିଁ ।

 

ଏତିକି କହି ମୁଁ ମାଳିନୀ ପିଠିରୁ ରାସ୍ତା ଉପରକୁ ଡେଇଁପଡ଼ିଲି ଓ ପଳାଇ ଯିବାକୁ ଧାଇଁଲି ସିଧା ରାଜଭବନ ଆଡ଼କୁ, ମାତ୍ର ମାଳିନୀ ମୋତେ ପଛ ପାଖରୁ ଟାଣିଧରି କହିଲା–ତା’ହେଲେ ମୁଁ ପ୍ରଥମେ ତୁମକୁ ଖାଇସାରେ ?

 

ମୁଁ ଡରିଗଲି ।

 

ତଥାପି ପଚାରିଲି–ମୋତେ ଖାଇଲେ ତୁମର ଲାଭ ବା କଅଣ ?

 

ମାଳିନୀ–ମୋର ଭୋକ ତ ମେଣ୍ଟିବ । ଭୋକ ମେଣ୍ଟିବାହିଁ ମୋର ସବୁଠୁ ବଡ଼ ଲାଭ ।

 

ମୁଁ–ତୁମେ ବରଂ ସୁନ୍ଦରବନକୁ ଫେରିଯାଅ ।

 

ମାଳିନୀ–ସେଠି ତ ଗୋଟାଏ ଶିକାର ପାଇଁ ରାତି ରାତି ଧରି ଜଗିବାକୁ ପଡ଼ିବ । ବହୁତ ପରିଶ୍ରମ କରିବାକୁ ପଡ଼ିବ ।

 

ମୁଁ–ତା’ହେଲେ ତୁମେ କଅଣ ଭାବୁଛ ଯେ ତୁମେ କିଛି କାମ ନକରି ପରିଶ୍ରମ ନକରି ଆରାମରେ ଖାଇପିଇ ଚଳିଯାଆନ୍ତ ?

 

ମାଳିନୀ ସେଇଆ ତ ତୁମ ସମୟ ଓ ସମାଜର ଆଦର୍ଶ ।

 

ମୁଁ...ମାନେ ?

 

ମାଳିନୀ ମାନେ ଅତି ସହଜ । ତୁମ ସମୟ ଓ ସମାଜର ଅଧିକାଂଶ ଲୋକ ବିନା କାମ ବିନା ପରିଶ୍ରମରେ ବେଶ୍‌ ଆରାମରେ ଅଛନ୍ତି । ଖଟିଖିଆ ପରିଶ୍ରମୀ ଲୋକ ସବୁଦିନ ଭଳି ଆଜି ମଧ୍ୟ ଗରିବ ।

 

ମୁଁ–ତା’ ତ ସତ ।

 

ମାଳିନୀ–ମୁଁ ବି ଟିକେ ଆରାମ ଚାହେଁ ।

 

ମୁଁ ମାଳିନୀ ଆଡ଼କୁ ଚାହିଁଲି । ମାଳିନୀ ମୋର ଦୁଇ ଡୋଳାରେ ତା’ର ଦୃଷ୍ଟି କେନ୍ଦ୍ରିତ କରିଥାଏ, ଏଇ ସୁଯୋଗରେ ମୁଁ ପକେଟରୁ ରିଭଲଭର କାଢ଼ିଲି ଓ ହାତରେ ଧରିଲି । ମାଳିନୀ ମୋ ଆଡ଼କୁ ‘ଝାମ୍ପ ଦେଲାବେଳକୁ ମୁଁ ଟ୍ରିଗର ଦାବିଲି । ମାଳିନୀ ସେଇଠି ଟଳିପଡ଼ିଲା । ତା’ର ରକ୍ତର ସ୍ରୋତରେ ସେଇ କଳା ସଡ଼କଟା ଲାଲ ଦେଖାଯାଉଥାଏ ।

 

ମାଳିନୀର ମୁକ୍ତି ଓ ମୃତ୍ୟୁ ମୋରି ହାତରେ । ତା’ର ଶରୀରକୁ ମୁଁ ମୁକ୍ତ କରିଥିଲି ଲୁହାର ଏକ ପିଞ୍ଜରାରୁ, ତା’ର ପ୍ରାଣକୁ ଏବେ ମୁକ୍ତି ଦେଲି ଶରୀରର ପିଞ୍ଜରାରୁ । ମୋ ଆଖିରୁ ଧାର ଧାର ଲୁହ ବୋହିପଡ଼ିଲା ।

 

ରାସ୍ତା ଉପରେ ତା’ର ରକ୍ତ ଓ ମୋର ଲୁହ । ଗୋଟିଏ ଗୁଳିର ଆଘାତରେ ତା’ର ଦେହରୁ ଯେତେ ରକ୍ତ ବୋହିଥିଲା, ମୋ ଆଖିରୁ ସେତିକି ଲୁହ ବୋହିଲା ନାହିଁ ସତ, ମାତ୍ର ମୁଁ ତାକୁ ହତ୍ୟା କରିବାକୁ ଚାହୁଁ ନଥିଲି ।

 

ମୋଟେ ଚାହୁଁ ନଥିଲି, ବିଶ୍ୱାସ କରନ୍ତୁ ଭାଇମାନେ ।

 

ପରଦିନ ଖବରକାଗଜରେ : ଆଲିପୁର ଚିଡ଼ିଆଖାନାର ଧଳା ବଘୁଣୀ ମାଳିନୀକୁ କେହିଜଣେ ଦୁର୍ବୃତ୍ତ ଜନ୍ତାର ଲୁହାଛଡ଼ କାଟି ଚୋରି କରିନେଇଛି ଓ ଏସ୍‌ପ୍ଲାନେଡ଼୍‍ ନିକଟରେ ଅତି ନିର୍ମମ ଭାବରେ ଗୁଳି କରି ହତ୍ୟା କରିଅଛି । ଦୋଷୀର ସନ୍ଧାନ କରି ତାକୁ ଉଚିତ ଦଣ୍ଡ ଦିଆଯିବା ଉଚିତ ବୋଲି ବନ୍ୟଜନ୍ତୁ ସଂରକ୍ଷଣ ସଂସ୍ଥା ଚିଡ଼ିଆଖାନାର ଡ଼ିରେକ୍‌ଟର ଓ ବହୁ ଜନ୍ତୁପ୍ରେମୀ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାଙ୍କ ଦାବୀ ।

 

ଚାରିଆଡ଼େ ଏକ ତୁମୁଳ ହୈ ଚୈ ।

 

ମାଳିନୀ ଅମର ରହେ । ମାଳିନୀ ଅମର ରହେ ।

 

କେହି ପଚାରିଲେ ନାହିଁ, ସୁନ୍ଦରବନର ସୁନ୍ଦରକୁ ଯେଉଁମାନେ ହତ୍ୟାକଲେ ସେମାନେ କି ଧରଣର ଶାସ୍ତି ପାଇଛନ୍ତି ବା ପାଇବେ ?

 

କେହି ଜାଣିବାକୁ ଚେଷ୍ଟା ସୁଦ୍ଧା କଲେ ନାହିଁ, ହତ୍ୟାକାରୀ ହୁଏତ ମାଳିନୀକୁ ଅନ୍ତରର ସହିତ ଭଲପାଉଥିଲେହେଁ ଏକ ବିଚିତ୍ର ପରିସ୍ଥିତିରେ ନିଜର ପ୍ରାଣରକ୍ଷା କରିବା ସକାଶେହିଁ ତାକୁ ହତ୍ୟା କରିବାକୁ ବାଧ୍ୟ ହେଲା ।

 

ମୁଁ ଯେଉଁ କାଗଜ ଖଣ୍ଡିକ ତଳେପକାଇ ଦେଇଥିଲି, ଯେଉଁ କାଗଜରେ ସୁନ୍ଦରର ଫଟୋ ଛପା ହୋଇଥିଲା, ଯେଉଁ କାଗଜ ଖଣ୍ଡିକ ଏକ ପୁଡ଼ିଆ ଆକାରରେ ମୋ ହାତକୁ ଆସିଥିଲା କିଛି ସମୟ ପାଇଁ ଯେଉଁ ପୁଡ଼ିଆ ଭିତରେ ମୁଁ ଅନ୍ତତଃ ପଚାଶ ଗ୍ରାମ ଚିନାବାଦାମ ଖାଇସାରିଛି’ ଯେଉଁ କାଗଜ ଖଣ୍ଡିକ ପୂର୍ଣ୍ଣାବୟବ ହୋଇଥିଲେ ହୋଇଥାନ୍ତା ଏ ଦେଶର ଏକ ବିଶିଷ୍ଟ, ବହୁ ପ୍ରଚାରିତ, ବହୁ ବିଜ୍ଞାପନପୁଷ୍ଟ ଖବରକାଗଜ, ସେଇ କାଗଜ ଖଣ୍ଡିକ ଦମକାଏ ହାଓ୍ୱାରେ ଉଡ଼ିଗଲା, ଉଡ଼ି ଉଡ଼ି ହଜିଗଲା, ଆଉ ଦିଶିଲା ନାହିଁ । ଆକାଶ ସାମ୍ନାରେ ଆକାଶ ସାମ୍ନାରେ ଆକାଶ ।

 

(ଝଙ୍କାର, ପୂଜାସଂଖ୍ୟା ୧୯୭୫)

Image

 

ବାଘମାତିଛି

ଗୁରୁ ମହାନ୍ତି

 

ଆଜି ରାସ୍ତା ଉପରୁ ଜଙ୍ଗଲ ଦାଢ଼କୁ ଗୋଡ଼ ପକାଇବାକୁ ଜୁ ନାହିଁ । ଗାଁ ଛାଡ଼ି ଯିବାକୁ ଭୟ । ଭୟ ଆଜି ହୃଦୟ ମନ ଓ ବିବେକକୁ କାବୁକରି ରଖିଛି । ଆଖି ପିଛୁଳାକରେ କେତେ କଅଣ ଅଦଳ ବଦଳ ହୋଇଯାଉଛି । ବାଘ ମାତିଛି, ଅରଣ୍ୟର ଶାନ୍ତ ଉପତ୍ୟକାରେ ।’ ବାଘ ମାତିଛି ପାହାଡ଼ର ସବୁଜ ପିଠିରେ ଓ ଗାଁ ଭିତରେ ।

 

ବାଘ ଆମ ଜୀବନ ସୀମାରେଖାରେ ଏଇ ପ୍ରଥମଥର ଘାଇଲା ହୋଇ ଆମକୁ କାବୁ–କରିଛି । ଅରଣ୍ୟର ବାଘ । ପଟା ପଟା ଦାଗ ତା’ ପିଠିରେ । ଖୁବ୍‌ ବଡ଼ ବଡ଼ ଦାନ୍ତ ଓ ନିଶ । ଜଳନ୍ତା ଆଖି । ବାଘର ଦୈର୍ଘ୍ୟ ସତର ଫୁଟ ହେବ ।

 

ଖରାଦିନ ଶେଷ ହେବା ଉପରେ । ଆମ ପରିଚିତ ପାହାଡ଼ ମଥାନ । ଉପରେ ବର୍ଷା ନଇଁ ଆସିବାକୁ ଆରମ୍ଭ କଲାଣି । ଗତିଶୀଳ ଘନବଉଦର ଭେଳା । ପାହାଡ଼ତଳି ଘଞ୍ଚ ଜଙ୍ଗଲରେ ପ୍ରଥମ ସକାଳ ଓ ନିଃସଙ୍ଗ ରାତିର ଅନ୍ଧାର ମଝିରେ ଶୁଭୁଛି ପ୍ରଣୟ ଅଧୀର କେକାର କଣ୍ଠ ସ୍ୱର । ବହୁ ପକ୍ଷୀଙ୍କ କଣ୍ଠସ୍ୱର ମଝିରେ ତା’ ସ୍ୱର ସ୍ପଷ୍ଟ ବାରିହୋଇପଡ଼ୁଛି । କି ବେଦନା । କି; ଅନ୍ତରଫଟା କାକୃତି ଅଶୂଳ ପ୍ରଣୟ ଆବେଦନ ! ! ନିଜକୁ ବିସ୍ତାରିତ କରି ଅନ୍ୟର ସ୍ୱପ୍ନ ହେବାର ଏହାହିଁ ତ ସମୟ । କଦମ୍ୱର ଡାଳେ ଡାଳେ ଫୁଲ । ରାତି ଅଧରେ ନିଦ ମଳ ମଳ ଆଖିରେ ଶୁଭିବ କୃଷ୍ଣର ବଂଶୀ । ପାହାଡ଼ ସେପାରି ଝରଣା କଡ଼ ପଥର ଚଟାଣରେ ହାତ ଉପରେ ଗାଲ ରଖି ରାଧିକା ଅପେକ୍ଷା କରି ବସି ରହିପାରିଥାଏ ।

 

ଏଇଟା ମୋଟେ ବାଘ ମାତିବାର ସମୟ ନୁହେଁ । ବାଘୁଣୀ ପେଟରେ ଛୁଆ । କିନ୍ତୁ କି ଯେ ଅଘଟଣ ।

 

କାଠୁରିଆର ନିରିମାଖୀ ଜୀବନ ଆମର । ଜଙ୍ଗଲ ଆମ ପୁରୁଷ ପୁରୁଷର ବିଶ୍ୱାସ ହରାଇଲେବି ବହୁ ଆଶ୍ୱାସନା ଭିତରେ ମୁଣ୍ଡଟେକି କଥା କହିବାର ସାହସ ଆମକୁ ଦେଇଛି । ପରିଚୟହୀନ ମଣିଷ ଦେହରେ ଦେଇଛି ଅମାପ ବଳ । ମନରେ ହିଂସ୍ର ସାହସ । କାଳିଆ–ବଳୁଆ ବପୁରେ ଜୀବନର ଫଗୁଣ ।

 

ଏଇ ତ କାଲି ଖରାବେଳଟାକୁ ବାଘ ମାତିବାର ଟୁପୁରୁ ଟାପର । ଗାଁ ମଝି ଧାଉଡ଼ି ଘରସାମ୍ନା । ବଉଳ ଛାଇରେ ଗାଁଯାକର ପିଲାଙ୍କର ଖେଳର ଧୁମ୍‌ ଧାମ୍‌ ଶେଷ ହେବା ଆଗରୁ ସଞ୍ଜର ଦୁଇଘଡ଼ି ପୂର୍ବରୁ ସେମାନେ ଦୌଡ଼ିଆସି ଏ ବାର୍ତ୍ତା ପ୍ରଚାର କରିଦେଇଗଲେ । ନିଶୁଆ ମଦନା ନାହାକ ତା’ ବେକରେ ଡେଙ୍ଗୁରା ପକାଇ ମଝି ଦାଣ୍ଡରେ ଡେଙ୍ଗୁରା ପିଟା ସୁର୍‌କରି ଦେବାର ଓ ଗାଁର ମଣିଷ କେତେ ଜାକିଜୁକି ଏକାଠି ଠିଆ ହୋଇଯିବ ମୁହୂର୍ତ୍ତରେ ସେ ତା’ର ଡେଙ୍ଗୁରା ବନ୍ଦକରି ପାଟି ଖୋଲିଲା ଏବଂ ତା’ କଡ଼କୁ ଲାଗି ଖାକି ପୋଷାକପିନ୍ଧା ବାବୁ ଦୁଇଜଣ ଆମକୁ ସତର୍କ କରିଦେଲେ : ବାଘ ମାତିଛି । ଜଙ୍ଗଲ ଯିବା ମନା । କାଠ କାଟିବା ନିଷିଦ୍ଧ ଓ ପତରତୋଳା ଅନିର୍ଦ୍ଦିଷ୍ଟ ସମୟ ପାଇଁ ବାତିଲ୍‌ କରିଦିଆଯାଇଛି । ବାଘ କୁଆଡ଼େ ପାହାଡ଼ ସେପାଖ ଗାଁରୁ ଏକାଦିନକରେ ଦୁଇପଟବଳଦ, ପଟେ ପୋଢ଼ଙ୍କୁ ଗାଁ ମଝିରୁ ଓଟାରି ନେଇଛି । ସକାଳୁ ସକାଳୁ ପତର ସାଉଁଟାଳି ଜବାନ୍‌ ଝିଅଟାକୁ ଜଙ୍ଗଲରେ ପଶିବା ମୁହୂର୍ତ୍ତରୁ ମାଡ଼ିବସି ତା’ ଗଳା କଣାକରି ଲାସ୍‌ଟାକୁ ପାହାଡ଼ ତଳି ଦାଢ଼ରେ ଅକାନିଆ ଚିତ୍‌କରି ପକାଇ ଦେଇଛି ଓ ଦି’ଜଣ କାଠୁରିଆଙ୍କୁ ଘାଇଲା କରି ଲୁଚିଯାଇଛି ।

 

ମଦନ ନାହାକ ଆଗେଇଯାଇଛି ବାବୁ ଦି’ଜଣଙ୍କ ପଛେ ପଛେ ଆଗର ଗାଁ ଦାଣ୍ଡକୁ । ସେଠାକାର ଲୋକଙ୍କୁ ସାବଧାନ କରିବାକୁ, ଚେତେଇଦେବାକୁ ବାଘର କରାମତି । ସଞ୍ଜ ଆଗରୁ ଖବର ପହଞ୍ଚାଇ ନଦେଲେ ନଗଦାନଗଦି ପୁଣି କଅଣ ଅଘଟଣ ଘଟିଯାଇପାରେ । ସଞ୍ଜ ବା ରାତି ଅନ୍ଧାର ଭିତରେ ବାଘ ଗାଁ ପର୍ଯ୍ୟନ୍ତ ମାଡ଼ିଆସି ଆଉ କାହାକୁ ଘାଇଲା କରିପାରେ ବା ତଣ୍ଟି କଣାକରି ପିଠିରେ ପକାଇ ଜଙ୍ଗଲକୁ ନେଇଯାଇପାରେ । ସାଧାରଣ ଜୀବନର ସୁରକ୍ଷା ପାଇଁ ଆଜି ଏ ଡେଙ୍ଗୁରା ପିଟାର ପର୍ବ ।

 

ବାବୁମାନେ ଚାଲିଗଲା ପରଠାରୁ ଆଉ ଡେଙ୍ଗୁରାପିଟା ଶୁଭିନାହିଁ । ଦିନଭରି ଆଉ ମଦନା ନାହାକର ସାକ୍ଷାତ ହୋଇନି । ପ୍ରତ୍ୟେକେ ସାବଧାନ ରହିଛନ୍ତି । ଜଙ୍ଗଲ ଯିବା ତ କେବଳ ବନ୍ଦ ରହିନି, ଖେଳ ବେଳର ଧୁମ୍‌ଧାମ୍ ବା ଉଚ୍ଚପାଟି ମଧ୍ୟ ବନ୍ଦ ରହିଛି । ମଣିଷର ଶବ୍ଦ ଶୁଭିଲେ ବାଘ ଝପଟି ଆସିପାରେ । ଏ ବାଘଟାର କୁଆଡ଼େ ମଣିଷ ପରି ବୁଦ୍ଧି । ବୁଦ୍ଧିଆ ବାଘଟାକୁ ମାରିବାକୁ ତାଠାରୁ ଅଧିକ ବୁଦ୍ଧିଆ ଶିକାରୀ ଆଜି ମିଳୁନାହାନ୍ତି । ଶୋଇବା ଅବସ୍ଥାରେ ଗୁଳିମାରିଲେ ସେ କୁଆଡ଼େ ଘାସରେ ଦୁଇଗଡ଼ା ମାରିପାର । ଠିଆବେଳେ ତାକୁ ଲକ୍ଷ୍ୟକରି ଗୁଳି ଫୁଟାଇଲେ, ତଳେ ନେପଟେଇ ପଡ଼ିଯାଇ ପାହାଡ଼ ପିଠିରେ ହାଜର । ଖାଲି ଗୋଟାଏ ହେଣ୍ଟାଳ । ଜଙ୍ଗଲ ଦୁଲୁକି ଯାଉଛି । ବଡ଼ ବଡ଼ ଶାଳ ଡାଳସବୁ ଗଛର ଗଣ୍ଡିରୁ ଦୁହିଁ ହୋଇପଡ଼ୁଛନ୍ତି ।

 

ବାଘ ମାତିବା ଖବର ପ୍ରଚାରର ପୂର୍ବରୁ ବାଘ ମାତିବା ଅଜଣା ଥିଲା । ଆରପଟ ଗାଁର ବହୁ ମଣିଷ ଆମ ଗାଁ ବାଟଦେଇ ବେଶ୍‌ ଧୀରେ ସୁସ୍ଥେ ପ୍ରତିଦିନ ପରି ସହରକୁ ମୁହାଁଇଥିଲେ । ଗାଁ ମଝି ଦାଣ୍ଡରେ ଖେଳୁଥିବା ପିଲାମାନଙ୍କର ମା’ମାନେ ଜାଙ୍ଗୁଲୁ ଜାଙ୍ଗୁଲୁ ରାତିରୁ ଉଠି ପତର ତୋଳି ମୁଣ୍ଡରେ ମୁଣ୍ଡାଇ ଦୂର ସହରକୁ ଚାଲିଯାଇଥିଲେ ଏବଂ କାଠୁରିଆମାନେ ଜଙ୍ଗଲରୁ ସେ ପର୍ଯ୍ୟନ୍ତ ଫେରିନଥିଲେ ।

 

ସେମାନେ ସେଦିନ ଜଙ୍ଗଲରୁ ଫେରି ଏ ଖବର ଗାଁ ମଝିରୁ ଶୁଣି ଆକାଶକୁ ଅନାଇ ଖାଲି ନିଃଶ୍ୱାସ ଛାଡ଼ିଲେ । ତା’ପରେ କାଠ ଭାରଟିମାନ କାନ୍ଧରେ ଥୋଇ ଚୁପ୍‌ ଚାପ୍‌ ମଝି ରାସ୍ତାରେ ଆଗେଇ ଯାଇଥିଲେ । ଏଇ କଥା ପଦକ ତାଙ୍କ କାନ୍ଧର ବୋଝଟିକୁ ଆହୁରି ଓଜନିଆ କରିଦେଇଥିଲା । ମୁହଁ ତାଙ୍କର କିପରି କରୁଣ ଦେଖାଯାଉଥିଲା ଏବଂ ଦେହରୁ ପର୍ଯ୍ୟାପ୍ତ ଝାଳ ନିଗିଡ଼ି ପଡ଼ୁଥିଲା ।

 

ଉଚ୍ଚ ପିଣ୍ଡାର ସେଇ ଉଚ୍ଚା ମଣିଷଟା ସେଦିନରୁ ଆଉ ଦାଣ୍ଡ ମଝିକୁ ଆସିନି । ବାଘ ମାତିବାର ମୁହୂର୍ତ୍ତଟା ମନେପଡ଼ିଗଲେ, ଗୋରା ତକ୍‌ ତକ୍‌ ମୁହଁରେ ତାଙ୍କର ଲମ୍ୱା ସିନ୍ଦୂର କଲି ଓ ମୁଛ ହଲକବି ସାମ୍ନାରେ ଛିଡ଼ା ହୋଇଯାଉଛି । ପିଲା ଦିନରୁ ତାଙ୍କୁ କେନ୍ଦ୍ର କରି ବହୁ ଶ୍ରୁତି । ତାଙ୍କ ଉପରେ ଆମେ ଭରସା ରଖି ଅଟକି ଯାଇଛୁ । ସେ ତ ଆଉ ଜହ୍ନ ରାତିରେ ତାଙ୍କ ଆଖଡ଼ାଘରେ ନିଜର ଯୁବ କରାମତିର ସ୍ମୃତିଚାରଣ କରୁନାହାନ୍ତି । ଏଇ କେତେଦିନ ହେବ ତାଙ୍କ ସଦରଦର୍ଜା ଆଉ ଖୋଲା ଯାଇନି । କଟାଳକରି ଭିତରେ ପଶିଲେ, ସେ କେବଳ ତାଙ୍କ ଆରାମ ଚୌକିରେ ଗୋଡ଼ହାତ ଲମ୍ୱାଇ ପଡ଼ିରହିଥିବାର ଦୃଶ୍ୟ । ବନ୍ଧୁକ ହାତରେ ଧରିଲେ ତାଙ୍କ ହାତ କୁଆଡ଼େ ଥରୁଛି-। ମାଛି ଆଉ ଦୃଶ୍ୟ ହେଉନାହିଁ ।

 

ସେ କିନ୍ତୁ ମୋର ମନେଅଛି ବାଘ ମାତିବାର ଠିକ୍‌ ମାସକ ପୂର୍ବରୁ ବନ୍ଧୁକ ପଟକ ତାଙ୍କ ବାଁ ହାତ ମୁଠାରେ ଧରି ସାଙ୍ଗରେ ଲୋକ ନେଇ ପାହାଡ଼ ସେପଟ ନଈ ପାରିହୋଇ ଗହନ ଶାଳ ଜଙ୍ଗଲରେ ଗୋଟାଏ ଦିନ କଟାଇ ଗୋଟାଏ ସମ୍ୱର ମାରି ଦିନ ରତରତ ବେଳକୁ ଗାଁକୁ ଫେରିଆସିଥିଲେ ଓ ସେହି ରାତିରେ ଗୋଟାଏ ମଉଛବ ଗାଁରେ ଲାଗିଯାଇଥିଲେ ।

 

ଏଇ ବାବୁରବାଳିଆ ସାଢ଼େ ଛ, ଫୁଟ ଉଚ୍ଚର ମଣିଷଟା ଗାଁରେ ରହିବା ଦିନରୁ ଆମର ଗୋଟାଏ ଭରସା ଆସିଯାଇଛି । ଗାଁ ମୁଣ୍ଡରେ କୂଅ ଖୋଳାଇବାଠାରୁ ଠାକୁରଘର ବସାଇବା ପର୍ଯ୍ୟନ୍ତ ସମସ୍ତଙ୍କ ଅଗ୍ରଭାଗରେ ଠିଆ । ଆମପରି ଗୁଡ଼ାଏ ମୂର୍ଖଙ୍କ ହାତରେ ଖଡ଼ି ଗୋଟାଳି ଧରାଇ ରାତିରାତି କେତେ ଅସରନ୍ତି କାହାଣୀ ମାଧ୍ୟମରେ ନିଜ ଦୁଃଖ ପ୍ରକାଶ କରି ସରକାରଙ୍କୁ ଦରଖାସ୍ତ ଖଣ୍ଡେ ଲେଖିବାଠାରୁ ଭଗବତ ଦୁଇପୃଷ୍ଠା ସଞ୍ଜରେ ଗାଇବା ପର୍ଯ୍ୟନ୍ତ ଶିଖାଇଛନ୍ତି । ଆଖଡ଼ା ଘରେ କେତେ ରସରସିଆ ଗୀତର ସୁର ଧରିଛନ୍ତି । ତବଲା ସଙ୍ଗିତ କରିଛନ୍ତି । କିନ୍ତୁ ସହର ବଜାରରେ ଜାନିଜାତରା ଦିନମାନଙ୍କରେ ବାହାରେ କେବେ ଓସ୍ତାଦି କରିବାକୁ କହିଲେ ସେ ଦାନ୍ତ ଦୁଇଧାଡ଼ି ଦେଖାଇ, ଗୋଟାଏ ଠୋ ଠୋ ହସରେ ପ୍ରସ୍ତାବଟିକୁ ବହୁବାର ନାକଚ କରିଦେବାର ସ୍ମୃତି ମନରୁ ଲିଭିବାର ନୁହଁ । ନାଟ ଦଳର ଓସ୍ତାଦ; ଜୀବନର ବହୁ ସମୟ ଓସ୍ତାଦୀ କରି ଯେତେବେଳେ ବେଶପୋଷାକ କାନ୍ଧେଇବା ମଣିଷକୁ ଓସ୍ତାଦ ହୋଇ ତାଙ୍କ ସହ ତାଳ ଦେବାକୁ ଆଗେଇ ଆସିବା ଦେଖିଛନ୍ତି, ସେତେବେଳେ ଓସ୍ତାଦୀ ଛାଡ଼ି ଏଇ ଗାଁରେ ବିଶ୍ରାମ ନେଇଛନ୍ତି । ତା’ପରେ କେବଳ ଶିକାର ଓ ଗାଉଁଲି ମଣିଷକୁ ନିଜର କରି ତା’ କାନ୍ଧରେ କାନ୍ଧ ମିଳାଇ ସାମ୍ନା ପାହାଡ଼ ଶିଖରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଜଣେ ଦକ୍ଷ ଶିକାରୀ ଭାବରେ ବହୁ ପରିଚିତ ବ୍ୟକ୍ତିଟି କିନ୍ତୁ ଆଜି କାହିଁକି ବାଘର ନାଁ ଶୁଣିଲେ ମନ ଶୁଖାଇ ବସିରହୁଛି । ତା’ ଗୋଡ଼ହାତ ଚଳୁନାହିଁ । ତା’ କଲିଜା ଥରିଯାଉଛି । ରକ୍ତ ପାଣି ହୋଇଯାଉଛି ।

 

ବାଘ ମାତିଛି । ଆଜି ମାଜଣା ବନ୍ଦ । ଆଜି ଦିଅଁ ଦେଖା ଓ ଫୁଲ ତୋଳାବି ବନ୍ଦ । କବାଟ ବନ୍ଦ । ଆଜି କେବଳ ଦକ୍ଷ ଶିକାରୀର ଅନୁସନ୍ଧାନ ।

 

ଆର ସାହିର ଚେମା ଆଜି ମନ ଦୁଃଖରେ ଠାକୁର ସାହିର ପାଲଟା ସିଂହ କଥା କହୁଥିଲା । ମୁଁ ଛ ଦି’ ପଟ ରଖିଦେଲେ ବା ଗୋଟାଏ ଦମ୍‌ରେ ଭରିଏ ଗଞ୍ଜା ଚିଲମରେ ଭରି ଟାଣିଦେଲେ କିଏ କଅଣ ଶିକାରୀ ହୋଇଯିବ । ଲୋକଟାର କେବଳ ମିଛ ବାହାସ୍ଫୋଟ । ସବୁଆଡ଼େ ଆଜି ଫୁସୁରୁ ଫାସର । ପାଲଟା ସିଂହ କୁଆଡ଼େ ରାତି ନଅଟାରେ ଜଙ୍ଗଲରେ ପଶି ବାଉଁଶ ଚୋରୀ କଲାବେଳେ ବାଘ ହାବୁଡ଼େ ପଡ଼ି ନିଜକୁ ବଞ୍ଚାଇବାକୁ ଗୋଟାଏ ଛରରା ମାରି ବାଘଟାକୁ ଘାଇଲା କରିଦେଇଛି । ଆଜି ତା’ ଯୋଗୁଁ କେବଳ ମୁଲକଯାକ ମଣିଷଙ୍କର ଏଇ ଦଶା । ମୁଲକ ଗୋଟାକର ମଣିଷ ପେଟରେ ଓଦାକନା ଦେଇ ଉପରକୁ ଆଁ କରି ରୁଅ ଗଣୁଛନ୍ତି । ପାଲଟା ସିଂ ଦ୍ୱାଚୋର । କଳାପୋତିଆ । ନିଜକୁ ଶିକାରୀ କହି ଏତେଦିନ ଆମକୁ ଭୂଆଁ ବୁଲାଇ ଆସିଛି ।

 

ଚେମା କହୁଥିଲା ଏଗୁଡ଼ାକ କୁଆଡ଼େ ମନଗଢ଼ା କଥା । ନିପଟ ମିଛ । ତା’ର ବା ଅଭାବ କେଉଁଥିରେ ଯେ ସେ ଏ ବୟସରେ ଜଙ୍ଗଲରୁ ବାଉଁଶ ଚୋରି କରିବ; ପୁଣି ରାତି ଅଧରେ । ଆରେ ଯା ମ’ ସମାଜରେ ଯେତେ ମଣିଷ ଚୋରୀ ଦ୍ୱାଚୋରୀ କରୁଛନ୍ତି, କିଳାପୋତେଇ କରି ନିଜ ସମୃଦ୍ଧିର ସବୁଜ ଆଲୋକ ଜଳାଇ ଚାଲିଛନ୍ତି, କେଉଁଥିରେ ନିଅଣ୍ଟ ରହିଛି ତାଙ୍କର ? କଅଣ ପେଟ ପୋଡ଼ି ଯାଉଛି ? ପେଟକୁ ଗଣ୍ଡେ ଦାନା ଓ ଅଣ୍ଟାକୁ ଖଣ୍ଡେ କନାପାଇଁ ଏତେ ଝିନ୍‌ଝଟ ସେମାନଙ୍କ ମୁଣ୍ଡ ଭିତରେ । ସେ କଥା ନୁହଁ । ଦୁଇ ହଜାରିଆ ପାଞ୍ଚ ହଜାରିଆ ହେବାକୁ ଆଶା, ଯେମିତି କୋଟିପତିରୁ ପାଞ୍ଚକୋଟି ଦଶକୋଟିର ଚାହିଦା । ଚାହିଦା କୁଆଡ଼େ ସଭ୍ୟତାର ମାପକାଠି । ଆରେ ଧନ ଦୌଲତ ପଛରେ ଗୋଡ଼ାଇ ଗୋଡ଼ାଇ ରାତି ପାହିଯିବରେ । ତା’ପରେ ମୁଣ୍ଡ ଗୋଳମାଳ ତା’ ପରକୁ ପାଗଳ ଗାରଦ ।

 

ପାଲଟା ସିଂ ମଣିଷଟା ଏତେ ସଚ୍ଚୋଟ ତ କାହିଁ ଜବାବ ଦଉନାହିଁ । ଫୁସୁର୍‌ ଫାସର୍ ହେଉଥିବା ତା’ପରି ମଣିଷଗୁଡ଼ାଙ୍କ ମୁକାବିଲା କରୁନାହିଁ ? ସେଥିପାଇଁ ସାହସ ନାହିଁ । ଖାଲି ମୁହଁ ବାଲିଙ୍ଗି ବାଇଶି କାହାଣ ଆଠପଣ । କେବେ ଜବାନବେଳେ ଶିକାର କରି ନାଁ କମେଇଥିଲା ନା । ଆଜି ସବୁ ମିଛ ଆଳ ।

 

ହେଲେ ହୋଇଥାନ୍ତା ସେଇ ରମଜାନ ମିଆଁଟା । ଖାସା ବାଣୁଆଟାଏ । ଚଢ଼େଇ ଉଡ଼ାଇଦେଇ ଗୁଳିମାରି ଖସାଇଦେବା ମଣିଷ । ତାକୁ ସିନା କହିବ ଶିକାରୀ । ବଣରେ ପଶିଗଲେ ବାଘବି ଡରିଯାନ୍ତା । ସେ ବି ଏଇ ବେଳଟାରେ ରୋଗରେ ଶୋଇଲା । ଉଡ଼ାଜାହାଜ, ବୁଡ଼ାଜାହାଜରେ ପୃଥିବୀ ବୁଲିଲା । ଜର୍ମାନ ଜାପାନ ସହ ଯୁଦ୍ଧକରି ନା ନେଲା । କେତେ ବକ୍ତୃତା, ନଦୀ ପୋଲ, ସଡ଼କ; ପାର୍କର ଶୁଭଦେଲା । ହେଲେ ଠିକ୍‌ ବେଳଟାରେ...କୁତା ଛୁ, । ବାଘ ମାତିବାର ମାସକ ଆଗରୁ ପକ୍ଷାଘାତ ଗ୍ରସ୍ତ ।

 

ହେତୁ ପାଇବାର ବହୁପୂର୍ବରୁ ପତର ସାଉଁଟାଳି ଓ କାଠ କଟାଳିର ପିଲା ଆମେ ସବୁ ଜଙ୍ଗଲ ଦେଖିଛୁ । ପ୍ରଥମ ସୂର୍ଯ୍ୟକିରଣ ଆମ କୁଡ଼ିଆ ମଥାନ ଛୁଇଁବା ପୂର୍ବରୁ ଆମେ ଆମ ମା’ ମାନଙ୍କ ଅଣ୍ଟାରେ ଗୁଡ଼ିଆହୋଇ କୁଡ଼ିଆ ବାହାରକୁ ବାହାରିଯାଇଛୁ । ଆଠହାତିଆ କସ୍ତା ଖଣ୍ଡକର କାନିରେ ଆମ ଦୁହିଁଙ୍କ ଅଣ୍ଟା ଯୋଡ଼ିଦେଇ ମା, ଆମକୁ ଜଙ୍ଗଲି କରିଛି, ବାଘୁଣୀ ତା’ ଛୁଆକୁ ଶିକାର ଶିଖାଇବା ପରି । ଆମେ ସେଇ ଅବସ୍ଥାରୁ ନଇଁପଡ଼ି ମା’ ସ୍ତନରୁ ନିର୍ଦ୍ଧୁମ କ୍ଷୀର ଓଟାରି ଖାଇ ଶିଖୁଛୁ-। ଫୁଙ୍ଗୁଳା ଛାତିର କ୍ଷୀରଭରାସ୍ତନ, ଆମ ଭୋକଶୋଷ ଭୁଲାଇ ଦେଇଛି । ଆମେ ତ ଆକାଶ କଅଣ ଜାଣିନଥିଲୁ । ଆକାଶର ନୀଳ ରଙ୍ଗଠାରୁ ଗଭୀର ନୀଳ ଜଙ୍ଗଲ ଥିଲା ଆମର ପ୍ରଥମ ପରିଚିତ । ମା’ର ଅପ୍ରଶସ୍ତ ଛାତି ଆମପାଇଁ ଆକାଶଠାରୁ ହଜାର କି ଲକ୍ଷ ଗୁଣର ଆଶ୍ୱସ୍ତି । ସେଠାରେ ତ ସମ୍ଭାବନା ନଥିଲା । ଥିଲା ନିଶ୍ଚିତତା ଛାତିର ଉଦାରତା ଭିତରେ ଆଖି ବୁଜି ଦେଉଥିଲୁ ନିମିଷକରେ । ଆକାଶରୁ ଜୀବନଧାରା ଅଜାଡ଼ି ହୋଇପଡ଼ୁନଥିଲା । ସେ ଥିଲା ଅବାରିତଧାରା । ଆମ ଟିକି ଜୀବନର ଏକମାତ୍ର ରାହା ।

 

ଝୁଣ୍ଟି ପଡ଼ିବା, ଆଣ୍ଠୁ ଛିଡ଼ାଇ ରକ୍ତାକ୍ତ ହେବା ଓ କାନକୋଳି କଣ୍ଟାଲାଗି ଶହେବାର ଆଞ୍ଚୁଡ଼ା ଖାଇବା ଭିତରେ ସ୍ୱାଧୀନ ମଣିଷ ହୋଇ ଠିଆ ହେବାର ସମସ୍ତ ଅଭିଜ୍ଞତା । ଗୁରୁବିହୀନ ଏକଲବ୍ୟର ଧନୁର୍ବିଦ୍ୟା ଶିକ୍ଷା । ପେଣ୍ଡାରେ କିଛି ଶକ୍ତି ଓ ମନରେ ସାମାନ୍ୟ ଦମ୍ଭରଖି ଆମେ ଜୀବନର ପ୍ରଥମ ପର୍ଯ୍ୟାୟରୁ ଜଙ୍ଗଲ ସହ କେବଳ ବୋହୂଚୋରୀ ଖେଳ ଆରମ୍ଭ କରି ବହୁ ଜିତାପଟ ମାରିନେଇଛୁ ସିନା, ବାଘ ମାରିବାକୁ କେବେ ମୁକାବିଲା କରିନୁ । ଯେଉଁମାନେ ମୁକାବିଲା କରିଥିଲେ ସେମାନେ ଆମ କରାମତି ଦେଖି ଆଖିମିଟିକା ମାରି ହସୁଛନ୍ତି ।

 

ଆମ ପାଇଁ ଜଙ୍ଗଲ ସକାଳର ପ୍ରଥମ ଦୃଶ୍ୟ; ପାଦ ପକାଇବାର ପ୍ରଥମ ଛନ୍ଦ ଓ କଥା କହିବାର ଦରୋଟି । କାଖରୁ ଓହ୍ଲାଇ ରଖିବାର ଠିକ୍‌ ପରମୁହୂର୍ତ୍ତରେ ଜଙ୍ଗଲର ସକାଳ କାକର ଆମ ପାଦ ପ୍ରଥମେ ସ୍ପର୍ଶ କରିଛି । ଦିନର ଚଢ଼େଇ ଆମେ ଜଙ୍ଗଲର । କିଚିରି ମିଚିରି ଆରମ୍ଭ କରୁ ସୂର୍ଯ୍ୟ ନଇଁ ଯିବାଯାଏ । କୁଡ଼ିଆ ଭିତରେ ରାତିଟି କେବଳ କଟେ । ବର୍ଷା ଭିତରେ ବଣର ଲମ୍ୱାଚୌଡ଼ା ସବୁଜ ଗଛପରି ଆମର ଚେର ସିନା ବହୁତ ଗହିଡ଼ାକୁ ଲମ୍ୱିଯାଇଛି, ଆମେ ସିନା ବହୁପକ୍ଷୀ ଓ ପଶୁର ସ୍ୱର ଛଡ଼େଇଆଣିଛୁ ଆମ କଣ୍ଠ ଭିତରକୁ ସେଇ ପୂର୍ବପୁରୁଷଙ୍କର ଇଲମ କିନ୍ତୁ ପାଇନୁ । ଉଲଗ୍ନ ବନଦେବୀଙ୍କୁ ନଦେଖି କଳ୍ପନାର ଦେବୀ ସୃଷ୍ଟି କରିଛୁ ପଥରଖଣ୍ଡେ ଗଛକୁ ଆଉଜାଇ ଦେଇ ତା’ଦେହରେ ସିନ୍ଦୂର ବୋଳି । ତା’ପରେ ପୂଜା ମାର୍ଜଣା ଓ ଓଳଗି ଭିତରେ କାଠ ଭାରେଇ ସହରକୁ ଦୌଡ଼ିଛୁ ଓ କେବଳ ଗୁଜୁରାଣ ମେଣ୍ଟାଇଛୁ ।

 

ଆଜି ଆକାଶର ପରିଚୟ ପାଇବି ସେ ଯେତେବେଳେ ଆମ ମୁଣ୍ଡ ଉପରେ ଲଦି ହୋଇପଡ଼ିଛି, ଆମେ ଗାଁର ଫର୍ଚ୍ଚା ଦାଣ୍ଡରେବି ବାଟ ପାଉନୁ ।

 

ଆଜି କିନ୍ତୁ ଜଙ୍ଗଲ ଜଗୁଆଳକୁ କୈଫିୟତ୍‌ ତଲବ କରାଯାଉ ନାହିଁ । ତା’ ମନରେ ସରାଗ । ରାତି ପାହିଲେ ବା ଖରା ନଇଁଲେ ଆମେ ଧାଡ଼ିବାନ୍ଧି ତା’ ସହିତ ଟାଳ କରୁନାହୁଁ । ବାଘ ମାତିବା ଦିନରୁ ତା’ମୁହଁ ଉଜ୍ଜ୍ୱଳ । ବାଘ ମାତିବା ଦିନରୁ ଆମ ତାଟି ସିନା ସକାଳୁ ଖୋଲୁନି ଭାର ଭାର କାଠ ଓ ଗୋଛା ଗୋଛା ପତ୍ର ସିନା ଜଙ୍ଗଲ ପେଟରୁ ପଦାକୁ ବାହାରି ଆସୁଚି, ଭୋକିଲା ପେଟରେ, ନିଦ ନଥିଲା ଆଖିରେ ଦୁଇଟା ଉଜ୍ଜ୍ୱଳ ଆଲୋକ ଜଳାଇ ଭୟଙ୍କର ଶବ୍ଦ ଭିତରେ ଗୋଟାକ ପରେ ଗୋଟାଏ ଟ୍ରକ୍‌ ପାହାଡ଼ ସେ ମୁଣ୍ଡରୁ ଓହ୍ଲେଇ ଆସୁଛନ୍ତି ଓ ଆମ ଗାଁ ମଝି ଦେଇ ରାତିରାତି କୁଆଡ଼େ ଆଖିପିଛୁଳାରେ ଉଭେଇ ଯାଉଛନ୍ତି । ରାତି ଅଧରେ ଶୁଭୁଛି ଗଛ ଗଣ୍ଡିରେ ଭାରି ଟାଙ୍ଗିଆର ପାହାର ଓ ଗଛ ଭାଙ୍ଗିପଡ଼ିବାର ଶବ୍ଦ ଭିତରେ ଛାଇନିଦ ଭାଙ୍ଗିଯାଉଛି ।

 

ଉତ୍କଳ ଆଲୋକ ଓ ଯାନ୍ତ୍ରିକ ଶବ୍ଦକୁ ବାଘର କିନ୍ତୁ ଭୟଙ୍କର ଭୟ ।

 

ବାଘକୁ ମାରି ଗଡ଼ାଇ ଦେବାକୁ ଦକ୍ଷଶିକାରୀର ସନ୍ଧାନ ଏ ପର୍ଯ୍ୟନ୍ତ ମିଳିନି ସରକାରୀ ଉଦ୍ୟୋଗ ସତ୍ତ୍ୱେ ।

 

ଏବେ କିନ୍ତୁ ସଞ୍ଜପହରୁ ବାରିପଟର ତାଟି କବାଟ ଖୋଲିଯାଉଛି ଏବଂ ରାତିତମାମ କଅଁଳା ପିଲାଙ୍କ କାନ୍ଦଣା ଶୁଭୁଛି । ଫସର ଫାଟିବା ପୂର୍ବରୁ ଗାଁର କଞ୍ଚ ବୟସର ମାଆ ଓ ଅଭିଆଡ଼ୀ ଝିଅମାନେ ଗାଁମୁଣ୍ଡରୁ ଜଙ୍ଗଲକୁ ଲମ୍ୱି ଯାଇଥିବା ରାସ୍ତାରୁ ଫେରିଆସୁଛନ୍ତି ତଳକୁ ମୁଣ୍ଡ ନୁଆଇଁ ।

 

(ଝଂକାର, ଡିସେମ୍ୱର, ୧୯୭୬)

Image

 

Unknown

ସର୍କସ ଚାଲିଛି

ପଦ୍ମଜ ପାଳ

 

ଧୂଆଁପତ୍ରର ପିକାଟିରେ ନିଆଁ ଲଗାଇ ବୁଢ଼ୀ ଓଠରେ ଯାକିଲା । କାନିରେ ବାନ୍ଧିଲା ପଇସା ଆଠଣା ଓ ଚୂନ ମିଶା ଟିକିଏ ଦୋକତା । ମଇଳା ଲୁଗାଟିକୁ ଦେହରେ ଟାଣିଓଟାରି ଚିରା ପ୍ରତି ସାବଧାନ ରହି ଗୁଡ଼େଇ ଦେଇ ହାତରେ ଓହଳେଇଲା, କିରୋସିନି ବୋତଲ । ଘରୁ ପାଦ କାଢ଼ି ବାହାରକୁ ବାହାରି ଆସିଲାବେଳେ କୁଟା କାଠିର ଧୂଆଁ ଭିତରେ ଚୁଲୀ ଫୁଙ୍କୁଥିବା ବୋହୂ ପାଟିକରି କହିଲା–ଯା’ ଶୀଘ୍ର ଆସିବୁ । ଡିବିରେ ତେଲ ଟିକିଏ ନାହିଁ । ପିଲାଟା ଯଦି ଉଠିବ ଅନ୍ଧାରରେ କେଁ କେଁ ହେବ । ସେ ତ କୁଆଡ଼େ ଯାଇଛି ଯେ କେତେବେଳେ ଆଉଚି କେଜାଣି । ମୁଁ ରୋଷେଇ କରିବି କେମିତି ପିଲା ଧରିବି କେମିତି ? ଖାଇଲାବେଳକୁ ସମସ୍ତେ ଆସି ପହଞ୍ଚିଯିବେ । ଚୁଲୀ ଭିତରେ ମେଞ୍ଚା ମେଞ୍ଚା ଧୂଆଁ ପଶିଯାଉଛି ଆଖିରେ, କାନରେ, ତଥାପି ଚୁଲୀ ଜଳୁନି । ଆଖିରୁ ଲୁହ ବୋହି ପଡ଼ୁଛି । ବିରକ୍ତିରେ ବୋହୂ ପୁଣି କହିଲା, ମରିଯାଆନ୍ତି ଭଲା, ସବୁ ଜଞ୍ଜାଳ ତୁଟି ଯାଆନ୍ତା ।

 

ବୁଢ଼ୀ ବାହାରେ ପାଦ ପକାଇଲା କ୍ଷଣି ନଶୁଣିଲା ଭଳି ଆଗକୁ ବଢ଼ିଲା । ବଜାର ଅଧକୋଶେ ବାଟ । ଶୀତ ପଡ଼ିଲାଣି । ପହିଲା ମାର୍ଗଶିରରେ ଦେହ ଥରିଉଠୁଛି । ଆଗକୁ ମାଘ । ବାଘ ଭଳି ଆସିବ ଶୀତ । ଚଦର ଖଣ୍ଡେ ବା ଲୁଗା ଖଣ୍ଡେ ନାହିଁ । କେତେ ସେ ଅଖା ଘୋରି ହୋଇ ପଡ଼ିରହିବ । ଭାବୁ ଭାବୁ ବୁଢ଼ୀ ପିକାରୁ ଧୂଆଁ ଟାଣିଲା । ରାଗହେଲା ତା’ର ପୁଅ ଉପରେ । ଧାନ କାଟି ଯାଇଛି ଯେ ଫେରି ନାହିଁ । କାହା ସାଙ୍ଗରେ ବସି ହେଁ ହେଁ ଫେଁ ଫେଁ ହେଉଥିବ । ଏଡ଼ୁଟିଏ ହେଲାଣି ହେଜ ପଶୁ ନାହିଁ । ମଲାମାଇଲା କାଳ । ଯୁଆଡ଼େ ଯିବ ସାଡ଼େ ନାଗିବ । ଘରକୁ ଆସିଥିଲେ, କିରୋସିନି ପାଇଁ ଯାଇଥାଆନ୍ତା । ସେ ବସି ଥାଆନ୍ତା ଚୁଲୀ ମୁଣ୍ଡରେ । କୁଟା ଜାଳୁ ଜାଳୁ ଦେହକୁ ସେକୁ ଥାଆନ୍ତା । ନିଆଁ ଧାସରେ ତାତି ଯାଉଥିଲେ ଗୋଡ଼ ଉପରେ ହାତ ବୁଲାଉ ଥାଆନ୍ତା । ଦେହରେ କଅଣ ଆଉ ରକତ ବା ଜୁ’ ଅଛି ଯେ ଶୀତ କାକର ସହିବ । ବ’ସ ଗଡ଼ିଗଲାଣି । ତାରି ବ’ସର ବାବୁ ବାବୁଆଣୀମାନେ କେତେ କଅଣ ଘୋରି ହୋଇ କବାଟକିଳି ଗୋଟିଏ ଠା’ରେ ବସୁଛନ୍ତି ଚା’ ପିଉଛନ୍ତି । ସେ କେତେ ଅନିଭୋଗ କରୁଛି ଯାହାର ଯାହା ଭାଗ୍ୟ । ଗତଜନମରେ ଯିଏ ଯେଉଁକାମ କରିଛି ଫଳ ପାଇବନାଇଁ ତ ଆଉ କଅଣ କରିବ । ବୁଢ଼ୀର ମନ ଭିତରେ ଝଲସିଗଲା ଆଗାମୀ ଜନ୍ମର କଥା–କଅଣ ସେ ହୋଇ ଜନମ ହେବ ? ଏ ଦୁଃଖରୁ କଅଣ ତାକୁ ରିହାତି ମିଳିବ ନାହିଁ ।

 

ଅନ୍ଧାର ହୋଇଆସୁଛି । ବଜାରରୁ ଲୋକମାନେ ଫେରିଆସିଲେଣି ଘରକୁ । ଶୀତରାତିରେ କିଏ କାହିଁକି ବା ଡେରିକରି ରହିବ ବଜାରରେ ବୁଢ଼ୀ ଭାବିଲା–ଏ ଶୀତରେ ସେ ଏତେବାଟ ଯାଇଆସିପାରିବ ନାହିଁ । ଚନ୍ଦରା ଦୋକାନରୁ କିରାସିନୀ ନେଇଯିବ ।

 

ଚନ୍ଦରା ଠକଟା ତେଲ କମ ଦେବ, ପଇସା ବେଶି ନେବ । ବଜାରରେ ତେଲ ଶ’ ପନ୍ଦର ନୂଆ ଚନ୍ଦରା ପାଖରେ କୋଡ଼ିଏ । ଏତେବାଟ ଆଇଲିଣି, ଆଉ କେତେ ବା ବାଟ ? ଦି’ ଖୋଜର । ବଜାରରୁ ନେଇଆସିବା ଭଲ ।

 

ବୁଢ଼ୀ ତରତର ହୋଇ ଚାଲିଲା । ପିକାରୁ ତଥାପି ଧୂଆଁ ବାହାରୁଛି । ଆଜିକାଲି ଏ ଧୂଆଁ ପତର ଆଗକାର ପତର ଭଳି କଡ଼ା ହେଉନାହିଁ । ପାଟିରେ ପକେଇଲେ ପିତା ନାଗୁଛି । ଅଶରଣକୁ ଖାଇବା କଥା–ନହେଲେ ପାଟିରେ ଛାପ ରହିବ ନାହିଁ ।

 

ଆଜିକାଲି ତ ସବୁ ଦର ବଢ଼ୁଛି । ମହଙ୍ଗା ହେଉଛି । ଟିକିଏ ଯାହା ଏଇ କେଇଦିନ ହେବ ଥୟ ଅଛି । ଈନ୍ଦିରା ଗାନ୍ଧି କିଏ, କଅଣ ଗୋଟିଏ କହୁଛନ୍ତି, ଇମରଜେଣ୍ଟି କରିଛି । ଦର ବଢ଼ିବ ନାହିଁ । ହେଲେ, ଚନ୍ଦରା କେମିତି କିରାସିନିରେ ପାଞ୍ଚ ପଇସା ନଉଛି ।

 

ବୁଢ଼ୀର ମନେପଡ଼ିଲା ରତନା କହୁଥିଲା...କୁଆଡ଼େ ହରିଜନମାନଙ୍କୁ ସରକାର ଜମି ଦେବେ । ପାଦଟିଏ ପକାଇବାକୁ ତ ତାଙ୍କର ଜାଗା ନାହିଁ । ଦିଅନ୍ତେ; କି ସରକାର । ଶାଗ ମୁଗ ଗଣ୍ଡାଏ କରନ୍ତେ ସେଥିରେ । ଏ ଗାଁର ବାବୁମାନଙ୍କର ତ ପୁଣି ଜମି ପଡ଼ିଆ ପଡ଼ୁଛି...ଚାଷ କରିପାରୁନାହାନ୍ତି । ଯିଏ ଚାଷ କରିପାରିବ ନାହିଁ ସେ କାହିଁକି ଜମି ରଖିବ ? ତାଙ୍କୁ ଦେଲେ ଅବଶ୍ୟ ସେ ଚାଷ କରନ୍ତେ । ମାସଟାଏ ହେଲେ ପେଟପୂରା କରି ଖାଆନ୍ତେ ।

 

ସରକାର କଅଣ ମାଗଣା ଜମି ଦେବେ ? ସରକାରଙ୍କର କଅଣ ଏତେ ଜମି ଅଛି ? ରତନା କହୁଥିଲା–ଯାହାର ବେଶି ଜମି ଅଛି ତାଙ୍କ ଠାରୁ ନେଇଆସିବେ ।

 

ଇଏ କୁଆଡ଼ିକାର କଥା । ଯାହାର ବେଶି ଜମି ଅଛି ବୋଲି ତାଠାରୁ ନେଇଯିବେ । ସେ ଛାଡ଼ିଦେବ । କମେଇଛନ୍ତି ସେ ଜମି ନହେଲେ ପୂର୍ବପୁରୁଷରୁ ଅଛି ତାକୁ ନବା କଅଣ ସହଜ ।

 

ସବୁ ବାଜେ କଥା । ଏତିକି କଥା ପୁଣି ଶୁଣିବାକୁ ମିଳୁଛି । ଯେଉଁ ମହାଜନ ପାଖରୁ ଟଙ୍କା କରଜ ଆଣିଛ ତାକୁ ଆଉ ଫେରାଇ ଦିଆହେବ ନାହିଁ । ମହାଜନ ପୁଅ ସେ ସାକ୍ଷାତ୍‌ ବାଘ, ସେ ରଖିବ । କାମୁଡ଼ି ଖାଇଯିବ ନାଇଁ । କେସ୍‌କରିବ ନାହିଁ ? ସେ ତ ପୁଣି ଏଡ଼େ ଚାଲାକ ଯେ ଆଗରୁ ବାଟ ସଫା କରିଛି । ଦଶ ଟଙ୍କାର ଜିନିଷଟିଏ ଦେଲେ, ବିକଳ ହେଲେ ଦି’ଟଙ୍କା ଦେବ । ନହେଲେ ମୁହେଁ ମୁହେଁ ନାହିଁ କରିଦେବ ।

 

ବୁଢ଼ୀ ଭାବିଲା, ସରକାର ଯାହା କରୁଛନ୍ତି, ଲୋକଙ୍କ ଭଲ ପାଇଁ ...ହେଲେ, ଏଇ ଲୋକଗୁଡ଼ାକ ବଦ୍‌ମାସ । ସବୁ ଭଣ୍ଡୁର କରିଦେଉଛନ୍ତି ।

 

ବୁଢ଼ୀ ଆଗକୁ ଚାଲୁଥିଲା । ଦେହରେ ବାଜୁଥିଲା କାଲୁଆ ପବନର ଧୀର ପ୍ରବାହ । ସେ ଅନୁଭବ କଲା ପିକାରୁ ନିଆଁ ନିଭିଗଲାଣି । ପାଟିରୁ କାଢ଼ି ଦେଖିଲା ହଁ ନିଭି ଗଲାଣି । ଯାଉ ବଜାରରେ ଥରେ ନଗେଇବ । ବୁଢ଼ୀ ଆଗକୁ ଚାହିଁଲା....କିଏ ? ସତିଆ ହେବପରା ।

 

ହଁ, ସତିଆ । ବଜାରରୁ ଫେରୁଛ । ଆଉ ଦୁଇଜଣ ବାବୁଙ୍କ ସାଙ୍ଗରେ କଅଣ ଗପସପ ହୋଇ ।

 

କୁଆଡ଼େ ଯାଉଛୁ କିଲୋ ବୁଢ଼ୀ ? ସତିଆ ପଚାରିଲା ।

 

ବଜାରକୁ ବା ।

 

କାଇଁକି ଯାଉଛୁ ?

 

ଡିବିତେଲ ପାଇଁ ।

 

ଦୋକାନ ସବୁ ବନ୍ଦହେଲାଣି । ଆ’ ଫେରିଆ । ଆଗକୁ ବଢ଼ୁ ବଢ଼ୁ ସତିଆ କହିଦେଇ ବାବୁଙ୍କ ସାଙ୍ଗରେ କଥା ଆରମ୍ଭ କରି ପୁଣି ଚାଲିଲା ।

 

ବୁଢ଼ୀ ଛିଡ଼ାହୋଇ ଭାବିଲା....ବେଳବୁଡ଼ଟାରେ ଦୋକାନବଜାର ବନ୍ଦ ହେବ । ରାତି ଅଧଯାଏ ସବୁଦିନେ ଖୋଲାଥାଏ । ସତିଆ ବୋଧେ ଥଟ୍ଟା କଲା । ସେ କଅଣ କମ ଖଣ୍ଡେକି । ଯେଉଁ ବାହାପିଆ ମିଛୁଆ । ସେଦିନ ଅନଉ ଅନଉ କଜିଆ ଲଗେଇ ଦେଇଥାନ୍ତା ।

 

ମୁହଁ ଟେକି ବୁଢ଼ୀ ଆଗକୁ ଚାହିଁଲା । ବଜାରରେ ପାଟି ଶୁଭୁଛି । ଦେଖାଯାଉଛି ଆଲୁଅ । ଲୋକ ଯା’ଆସ କରୁଛନ୍ତି । ଦୋକାନ କାଇଁକି ବନ୍ଦ ହେବ ? ବାହାପିଆ ସତିଆ ମିଛ କଥା କହିଛି-। ବୁଢ଼ୀ ଭାବିଲା–ଶୀଘ୍ର ଯାଇ ତା’ର ଦୋକାନରେ ପହଞ୍ଚିବା ଉଚିତ । ନହେଲେ ଦୋକାନୀଙ୍କୁ ମାଗୁଥା’ । ସବୁ ଶୁଣିବେ–ନଶୁଣିଲା ଭଳି ମୁହଁକୁ ଅନେଇ ରହିବେ । ଲୋକ ଦେଖି କାରବାର ତାଙ୍କର । ବାବୁମାନେ ଆସୁଥିବେ ଜିନିଷ ମାଗି ଦେଉଥିବେ, ନେଇ ଚାଲି ଯାଉଥିବେ ୟାଙ୍କ କଥା ଶୁଣୁଛି କିଏ ? ଦେବେ ଦେବେ ବୋଲି ଘଡ଼ିଏ ଚାଲିଯିବ । ସତରେ ଯେପରି ବାବୁମାନେ ଖାଲି ପଇସା ଦେବେ–ଏମାନେ ଦେବେ ଗୋଡ଼ି ବା ମାଗଣାରେ ନେବେ । ବାବୁମାନେ ଧମକେଇବେ । ଦି’ଚାରି ପଇସା କାଟିଦେଇ ପକେଇ ଦେଇ ଆସିବେ, ଦୋକାନୀ ନବ । ଇଏ ଯେତେ କହିଲେ ଛଦାମେ ଛାଡ଼ିବ ନାହିଁ । ବୁଢ଼ୀ ବୁଝିପାରେ ନାହିଁ ଏସବୁ କଥା । ତାକୁ ଖାଲି ସବୁ ଓଲଟା ଜଣାଯାଏ-

 

ଯିଏ ଧମକଉଛି, ପଇସା କମ୍‌ ଦେଉଛି, ଡେରି ଟିକିଏ ହେଲେ ପାଟି କରୁଛି, ଏ ଦୋକାନୀ ତାଙ୍କ କଥା ଶୁଣୁଛନ୍ତି । ହେଲେ ଯିଏ ପଇସା ବେଶୀଦିଏ ଜିନିଷ କମ୍‌ ପାଏ । ଘଡ଼ିଏ ମାଗି ମାଗି ଅପେକ୍ଷା କରେ । ବିକଳ ହୋଇ କୁହେ ବାବୁ ଡେରି ହୋଇଯାଉଛି ରୋଷେଇ ହବ, ଚୁଲୀ ନିଭିଜିବ ତାଙ୍କ କଥା ଶୁଣି ଦୋକାନୀ ଖିଙ୍କାରି ହୁଏ, କହେ–ଆବେ ଡେରି ହୋଇଯାଉଛି ତ ଆଉ କେଉଁଠୁ ଯା’ ଆଣିବୁ । ମୁଁ କଅଣ ଆଉ ଫାଡ଼ି ହେବି ।

 

ବଜାର ଭିତରେ ପଶିଯାଇ ବୁଢ଼ୀ ଦେଖିଲା ଲୋକଗୁଡ଼ାକ ମଳା ମଳା ହେଉଛନ୍ତି । ପ୍ରଥମେ ସେ କିଛି ଅନୁମାନ କରିପାରିଲା ନାହିଁ । ଆଗକୁ ଚାହିଁ ଦେଖିଲା–ଲୋକଙ୍କ ଭିତରେ ପୁଲିସ । ମୁଣ୍ଡରେ ଟୋପି । ହାତରେ କାହାର ବନ୍ଧୁକ କାହାର ଠେଙ୍ଗା ଧରି ଛିଡ଼ା ହୋଇଛନ୍ତି ଚୁପ୍‌ଚାପ । ତାଙ୍କୁ ଘେରିଥିବା ପିଲାଙ୍କ ଆଖିର କୌତୁହଳ । ବୟସ୍କ ଆଖିରେ ଘଟଣାକୁ ଠିକ୍‌ ବୁଝିଥିବାର ସ୍ଥିର, ଚିନ୍ତାର ଭାବ । କେଇଜଣ ବାବୁ ପୁଣି ହସି ହସି କଅଣ କଅଣ ଗପି ଯାଉଛନ୍ତି । ରାସ୍ତା କଡ଼ରେ ଗୋଟାଏ ମଟର । ତା’ ଉପର ଯତନରେ ଟଣା ଯାଇଛି ପାଲ । ତା’ ଭିତରେ ବସିଛନ୍ତି ଜଣେ ବାବୁ । ଚଷମା ପିନ୍ଧିଛନ୍ତି । ବେକରେ କଅଣ ଗୋଟାଏ ଛିଟ କନାଟାଏ ବାନ୍ଧିଛନ୍ତି । ସେ ଲମ୍ୱି ପଡ଼ିଛି ପେଟ ଯାଏ । ଗମ୍ଭୀର ହୋଇ ବିସିଛନ୍ତି ସେ । ତାଙ୍କଠାରୁ ଦୂରରେ ଛିଡ଼ା ହୋଇଛନ୍ତି ପୋଲିସ ।

 

ପୋଲିସ କାହିଁକି ଛିଡ଼ା ହୋଇଛନ୍ତି ବୁଢ଼ୀ ବୁଝିପାରିଲା ନାହିଁ ତାକୁ ଲାଗିଲା ଏଠି ଗୋଟାଏ ଜନାକାରୀ କେସ କି ମର୍ଡ଼ର କେସ ହୋଇଛି ବା କିଛି ଗଣ୍ଡଗୋଳ ହୋଇଛି । ହେଲେ ସେ କାହାକୁ ପଚାରିବ–ଘଟଣା କଅଣ ?

 

ଫୁଲୁ ପେଣ୍ଟ ପିନ୍ଧା ଜଣେ ହସକୁଡ଼ା ଟୋକା ସେଠି ଠିଆ ହୋଇ ସିଗାରେଟ ଟାଣୁଥିଲା-। ବୁଢ଼ୀ ମନରେ ସାହସ ଧରି ବସିଲା ତାକୁ ପଚାରିବ ।

 

–ପୁଅ କଅଣ ହୋଇଛି କି ?

 

–କେଉଁଠି ? ଟୋକାଟି ସିଗାରେଟ ଧୂଆଁ ଛାଡ଼ି ପଚାରିଲା ।

 

–ଏଇଠି । ପୋଲିସବାଲା କାଇଁ ଏତେ ଜମା ହୋଇଛନ୍ତି ।

 

–ସର୍କସ ଚାଲିଛି । ଉତ୍ତର ଦେଇ ସେ ସାଡ଼ୁକୁ ଅନେଇଲା ।

 

–ସର୍କସ ଚାଲିଛି ।

 

ବୁଢ଼ୀ ଭାବିଲା–କି ସରକସ । ଗତସନ ସରକସ ଆସିଥିଲା ଯେ ଚାରିଆଡ଼େ ରେଡ଼ିଓ ବୁଲି କହୁଥିଲା । ବାଘ, ଭାଲୁ, ଗଣ୍ଡା, ହାତୀ, ମାଇକିନିଆ, ମଲ୍ଲ ସମସ୍ତେ ଆଇଛନ୍ତି ଖେଳ ଦେଖାଇବେ । ଏସନ ତ ପ୍ରଚାର ହୋଇନାହିଁ । ସେ ସରକସବାଲା କୁଆଡ଼େ ଏଠୁଗୁଡ଼ାଏ ଟଙ୍କା ନେଇଗଲେ ବୋଲି ଲୋକ କୁହାକୁହି ହେଲେ । ଏଥର ପୁଣି କେତେ ଟଙ୍କା ନବ । ସରକସବାଲାର ମନ ଲାଗିଛି । ହେଲେ ଏ ସନ ତ ବଢ଼ିରେ ଲୋକଙ୍କର ଆଉ କିଛି ନାହିଁ–ପଇସା କେଉଁଠୁ ପାଇବେ ଯେ ଥରକୁ ଦୁଇଥର ଦେଖିବେ ।

 

ବୁଢ଼ୀ ଭାବିଲା ତା’ର ଡେରି ହୋଇଯାଉଛି । ଡେରିରେ ପହଞ୍ଚିଲେ ବୋହୂ ଶୋଧିବ । ଅଖାଡ଼ୁଆ କରି ଗାଳିଦେବ । ବଜାର ଭିତରକୁ ପଶିଯାଇ ବୁଢ଼ୀ କାବା ହେଲା ସବୁ ଦୋକାନ ପଟା ବନ୍ଦ । ସତିଆ ଯାହା କହୁଥିଲା–ସତ କହୁଥିଲା । ବୁଢ଼ୀ ଆଗକୁ ଚାଲିଲା, କାଳେ ଆଗରେ ଦୋକାନ ଖୋଲାଥିବ । ହେଲେ ସବୁ ବନ୍ଦ । ଗୋଟାଏ ବଡ଼ ଦୋକାନ ଖୋଲା ଥିଲା ତା’ ଆଗରେ ଦି’ଜଣ ପୋଲିସ ବନ୍ଧୁକ ଧରି ଛିଡ଼ା ହୋଇଛନ୍ତି । ଦୋକାନୀ ବାହାରେ ଛିଡ଼ା ହୋଇ ସେ ଗହଳି ଆଡ଼କୁ ଅନେଇଛନ୍ତି । ବୁଢ଼ୀକୁ ଡର ଲାଗିଲା । ଗୋଟାଏ ଗରାକ ସେଠି ନାହାନ୍ତି । ସେ ବି ସେଠିକୁ ଯାଇପାରିଲା ନାହିଁ । ଭାବିଲା, ଚନ୍ଦରା ଦୋକାନରୁ ବେଶି ପଇସା ପଡ଼ୁପଛେ ସେଇଠୁ ତେଲ ନେବ ।

 

କି ସରକସ ଆସିଛି ଯେ ଦୋକାନପଟା ସବୁ ବନ୍ଦ । ତାକୁ ଲାଗିଲା–ନା, ଏ ସରକସ ନୁହେଁ ଆଉ କଅଣ । ସେ ବାବୁ ତାକୁ ମିଛ କହିଲେ । ସରକସ ଦିନେ ତ ଦୋକାନ ଡେରିଯାଏ ଖୋଲାଥାଏ, ପୋଲିସ ନଥାଏ । ହଉ, ଯାହା ହେଉଛି ହେଉ । ତା’ର କଅଣ ଅଛି ? ସେ ଫେରିଯିବ । ଘର ସାଡ଼େ ଅନ୍ଧାର ହେବଣି । ପୁଣି ପିଲାଟା ଯଦି ଉଠିଯିବ କେଁ କେଁ ହେଉଥିବ । ତା’ ବଉ କଅଣ ସଜର ଲୋକ ଯେ ପିଲାଟାକୁ ବୁଝେଇଦେବ ବା ଦୁଧ ଖୁଆଇ ଶୁଆଇ ଦେବ ।

 

ଦୁଧଖିଆ କଥା ମନେପଡ଼ିବାରୁ ବୁଢ଼ୀକୁ ହସମାଡ଼ିଲା । ସେଦିନ ପଞ୍ଝାଏ ଟୋକା କଥା ହେଉଥିଲେ ମା’ମାନେ କୁଆଡ଼େ ଛୁଆକୁ ଆଉ ଦୁଧ ଦେଉନାହାନ୍ତି–ଥନ ଭାଙ୍ଗିଯିବ ବୋଲି । ଇଏ ପୁଣି କି କଥା । ପିଲାଟି ବଞ୍ଚିବ କେମିତି ? ମା’ ଥନରୁ ଦୁଧ ନଖାଇଲେ ଜୁ’ ଆସିବ କୁଆଡ଼ୁ । ଭଗବାନ ତ ଅନ ଦେଇଛନ୍ତି ସେଇଥିପାଇଁ । ପିଲାଟିଏ ମାଟିରେ ପଡ଼ି କୁଆଁ କୁଆଁ ହେଲେ, ପାଟିରେ ଥନ ପୂରାଇ ତାକୁ ତୁନି କରାଇ ଦେବେ, ଭୋକ ମାରିବେ ।

 

ବୁଢ଼ୀର ମନ ଭିତରେ ଏକ ବିଜାତୀୟ ବିଷାକ୍ତଭାବ ମଥା ପିଟୁଥିଲା । ବୁଢ଼ୀ ଅନୁଭବ କରୁଥିଲା ଏ ନଷ୍ଟ ସୃଷ୍ଟିର ଉପାଖ୍ୟାନ । ମାତ୍ର ତା’ର ଭାଷା ନଥିଲା ପାଟିରେ । ତା’ ଅନୁଭୂତିକୁ ଭାଷା ଯଦି ରୂପ ଦିଅନ୍ତା ତେବେ ସେ କହନ୍ତା–

 

ଆଜିକାଲି ମାତୃତ୍ୱର ଗୌରବ ଅପେକ୍ଷା, ଏକ ମାନସିକ ବେଶ୍ୟାଗିରି ନାରୀମାନଙ୍କୁ କରିଛି ଅଧିକ ସଚେତନ । ଆକର୍ଷଣ ।

 

ବୁଢ଼ୀ ଯିବାକୁ ବାହାରି ଚାରିଆଡ଼କୁ ଚାହିଁଲା ସାଙ୍ଗଟିଏ ଖୋଜି । ଆଗରେ ତା’ର ଚାଲିଛି ରତନା; ତା’ ସଙ୍ଗରେ ଚାଲିଛନ୍ତି ଆଉ ଦି’ଜଣ ସେଇ ଗାଁର କଲେଜପଢ଼ା ବାବୁ । ଶରତ ବାବୁ, ଘନ ବାବୁ । ବୁଢ଼ୀ ଡାକିଲା–ରତନା । ରତନା–ଘରକୁ ଯାଉଛୁ । ରହ, ରହ ଯିବା ଅନ୍ଧାର ହେଲାଣି ଦେଖାଯାଉଛି କଅଣ ଆଉ ମତେ । ଆଖିରୁ ତ ଜୋର ଗଲା ।

 

ରତନା ପଛକୁ ଅନେଇଲା । ବାବୁମାନେ ଫେରି ଚାହିଁଲେ ବୁଢ଼ୀ ତାଙ୍କୁ ଧରିବାଲାଗି ଆଗକୁ ପାଦ ପକେଇଲା ଜୋରରେ । ପାଖରେ ପହଞ୍ଚି ଦେଖିଲା ରତନା ସଁ ସଁ ହୋଇ କାନ୍ଦୁଛି । ବୁଢ଼ୀ ବୁଝିପାରିଲା ନାହିଁ କିଛି । ତା’ ଭିତରେ ବଳେ ବଳେ ଏକ ମାତୃତ୍ୱସୁଲଭ ଭାବ ଚେଇଁ ଉଠିଲା-। ସେ ପଚାରିଲା ।

 

କଅଣ ହେଲା କିରେ ରତନା ?

 

ରତନା ନୀରବ ରହିଲା ।

 

ଘନବାବୁ କହିଲେ, ତା’ ସାଇକେଲ ମୋବାଇଲି କୋର୍ଟ ଜବତ୍‌ କରିଛି ।

 

ମୋବାଇଲି କୋର୍ଟ କଅଣ ବାବୁ ? ବୁଢ଼ୀ ପଚାରିଲା ।

 

ଆରେ ଯିଏ ଅସାଧୁ, ଦୁର୍ନୀତିଗ୍ରସ୍ତ ବା ନିୟମଭଙ୍ଗ କରିବ, ସେମାନେ ତାଙ୍କୁ ଧରି ଦଣ୍ଡ ଦେବେ । ହସି ହସି ଶରତବାବୁ କହିଲେ ।

 

–ରତନା କଅଣ କଲା କି ?

 

ରତନା କହିଲା–ତୁ ତ ଜାଣିଛୁ ତିନିଦିନ ହେଲା ବୋଉକୁ ଜ୍ୱର । ପାଟିରେ ଟିକେ ପାଣି ଦଉ ନାହିଁ । ଡାକତର କହିଲା, ତାକୁ ସାଗୁ ଖାଇବାକୁ ଦେବାକୁ । କାମ–ସାରି ମୁଁ ଶୀଘ୍ର ଆସି ନେଇଯିବି ବୋଲି ହରିବାବୁଠାରୁ ତାଙ୍କ ସାଇକେଲ ଟିକିଏ ମାଗିଆଣିଥିଲି । ରାସ୍ତା କଡ଼ରେ ଦୋକାନ ଆଗରେ ସାଇକେଲ ରଖି ସାଗୁ କିଣୁଛି । ଦୁଇଟା ପୋଲିସ, ଗୋଟାଏ ବାବୁ ଆସି ସାଇକେଲକୁ ଧରିପକାଇ ପଚାରିଲେ ।

 

ଇଏ କାହା ସାଇକେଲ ?

 

ମୋର । ମୁଁ କହିଲି–ରତନା କହିଲା ।

 

ଏ ରାସ୍ତା ଉପରେ କାଇଁକି ରଖିଛୁ । ଯାନବାହାନ ଯିବାରେ ଅସୁବିଧା ହେଉଛି । ପାଞ୍ଚଟଙ୍କା ଫାଇନ୍‌ କରାଗଲା ।

 

ମୁଁ କାବା ପାଲଟିଗଲି । କହିଲି, ବାବୁ ସେ ସାଇକେଲ ମୋର ନୁହେଁ ହରିବାବୁଙ୍କର । ମାଗିକରି ଆଣିଛି ସାଗୁ କିଣିବି ବୋଲି । ପାଞ୍ଚଟଙ୍କା ମୁଁ କେଉଁଠୁ ଦେବି ।

 

ଯୁକ୍ତି କରୁଛୁ । ଦଶଟଙ୍କା ଫାଇନ୍‌ କରାଗଲା ।

 

ମୁଁ କିଛି ବୁଝିପାରିଲି ନାହିଁ । ଗାମୁଛାରେ ସାଗୁ ବାନ୍ଧୁବାନ୍ଧୁ ହାତରୁ ଖସିପଡ଼ି ବୁଣିଗଲା । ବାବୁ ଦୁଇଜଣ ହସି ଉଠିଲେ । ମୁଁ ରାଗି ଉଠିଲି, ହେଲେ କିଛି ନକହି ସାଇକେଲ ଧରି ନେଇଯିବାକୁ ବାହାରିଲି । ପୋଲିସ ଦୁଇଜଣ ମୋ ହାତକୁ ଧରି ପକେଇଲେ । ବାବୁ ଜଣକ କହିଲେ–ସାଇକେଲ ଛଡ଼ାଉଛୁ–ପନ୍ଦରଟଙ୍କା ଫାଇନ୍‌ । ଆଚ୍ଛା ଲାଇସେନ୍‌ସ ଅଛି, ଦେଖା । ମୋ ପାଟିରୁ କଥା ବାହାରିଲା ନାହିଁ–କଷ୍ଟରେ କହିଲେ–ସାଇକେଲ ହରିବାବୁଙ୍କର ତାଙ୍କରିଠାରୁ ମୁଁ ମାଗିଆଣିଥିଲି । ତାଙ୍କର ପାଖରେ ଲାଇସେନ୍‌ସ ଥିବ ।

 

ପୋଲିସ ବାବୁଟି ସାଇକେଲଟି ଧରିଥାନ୍ତି । ଆଉ ଜଣେ ପଚାରିଲେ–

 

ଏ, ତୋ ନାଁ କଅଣ ?

 

–ରତନା ମଳିକ ।

 

ବାପା ନାଁ ?

 

–ଗନ୍ଧର୍ବ ମଳିକ ।

 

ଘର କେଉଁଠି ?

 

–ମାଟିଆ ।

 

ଥାନା ତ’ ଏଇ ପଟ୍ଟାମୁଣ୍ଡାଇ ?

 

–ଆଜ୍ଞା ହଁ । ମୁଁ ଡରି ଡରି ଉତ୍ତର ଦେଲି ସେସବୁ ଟିପି ରଖିଲେ । ସାଇକେଲ ଧରି ପୋଲିସବାଲା ଡାକବଙ୍ଗଳା ପାଖକୁ ଆଣିଲେ । ମୁଁ ବିକଳ ହୋଇ ତାଙ୍କୁ କହିଲି–ବାବୁ ମୋର ଭୁଲ ହୋଇଛି । ମୁଁ ଗରିବ ଲୋକ । ବୋଉକୁ ତିନିଦିନ ହେବ ଜ୍ୱର, ସାଗୁ ନେବାକୁ ସାଇକେଲ ମାଗିଆଣିଥିଲି । ଏତେକଥା ମୁଁ ଜାଣିନଥିଲି । ମୂଲିଆ ଲୋକମାନେ ଏତେ ଟଙ୍କା କେଉଁଠୁ ପାଇବୁ-। ଏଇଥରକ ଛାଡ଼ିଦିଅନ୍ତୁ । ମୋ କଥା ନଶୁଣିଲା ଭଳି ବାବୁମାନେ ଚାଲୁଥାଆନ୍ତି–ଜଣେ ଚିଡ଼ିଉଠି କହିଲେ–କାଇଁକି ପାଟି କରୁଛୁ । ଟଙ୍କା ଆଣ । ଲାଇସେନ୍‌ସ ଦେଖା ଗାଡ଼ି ନେଇଯିବୁ ।

 

ଏତିକିବେଳେ ଘନବାବୁ ପଛରୁ ଡାକି ମତେ କହିଲେ–ତାଙ୍କ ସାଙ୍ଗରେ ଯୁକ୍ତି କରନା । ଆ’ ହରିଦାଦାଙ୍କୁ କହିବା । ରତନା କହୁ କହୁ ପୁଣି କାନ୍ଦି ଉଠିଲା ।

 

ବୁଢ଼ୀ ପଚାରିଲା ......ହଇଓ ବାବୁ ଇଏ କି କଥା ?

 

ମୋବାଇଲ କୋର୍ଟର ତ ସେଇଆ ନିୟମ । ଶରତ ବାବୁ ଉତ୍ତର ଦେଲେ ।

 

ଇଏ କି ନିୟମ ବା ? ରତନା ଉପରକୁ ପୁଣି ବୁଢ଼ୀ ବିରକ୍ତ ହୋଇ ଉଠିଲା, କହିଲା–ଏ ଟୋକା ଖଣ୍ଡିକ କଅଣ କମ ରସିକ କି । ସାଇକେଲରେ ଆସିବ, ବାବୁଙ୍କ ଗୋଡ଼ ମାଟିରେ ନାଗିବ ନାଇଁ । ଯା’ ବାବୁ ପାଲଟୁଥିଲୁ, ଦେ ଅବିକା ପନ୍ଦର ଟଙ୍କା ସାଇକେଲ ଚଢ଼ା ଗୁଣ ପା’ ।

 

ରତନା କାନ୍ଦୁଥିଲା । ବୁଢ଼ୀ ସିନା ରାଗରେ ଏତେକ କହିପକେଇଲା, ପରେ ସେ ବୁଝିଲା ରତନାର ଅବସ୍ଥା–ପନ୍ଦର ଟଙ୍କା କିଏ, ସେ କିଏ ? ମୂଲ ଆଣିଲେ ହାଣ୍ଡି ଚୁଲୀକୁ ଯିବ । ଟଙ୍କା କଥା ଶୁଣିଲେ ତା’ ବୋପା ତାକୁ ରଖିବ । ବୋଉ ତ ସହଜେ ବେମାର–ହୋସ ଉଡ଼ିଯିବ । କିଛି ସମୟ ନୀରବରେ ଚାଲି ବୁଢ଼ୀ ପୁଣି ପଚାରିଲା–ହଇଓ ବାବୁ ଦୋକାନବଜାର କାଇଁକି ବନ୍ଦ ? କିରୋସିନି ପାଇଁ ଯାଇଥିଲି ଯେ ଟୋପିଏ ପାଇଲି ନାଇଁ ।

 

ଏ ଯେଉଁ ବ୍ୟବସାୟୀମାନେ ସମସ୍ତେ ଅସାଧୁ, ହସି ହସି ଶରତବାବୁ କହିଲେ–କେଉଁଠି ମନଇଚ୍ଛା ଦର ବଢ଼ାଉଛନ୍ତି ତ କେଉଁଠି ଅଟାରେ ଅଖାଦ୍ୟ ମିଶାଉଛନ୍ତି–ସେମାନେ ବନ୍ଦ କରିବେହିଁ କରିବେ । ନହେଲେ ଜେଲ ଯିବେ ଯେ ।

 

–ଜେଲ ଯିବେ ?

 

–ହଁ । ଯାଇପାରନ୍ତି ।

 

–କିଏ ତାଙ୍କୁ ନେବ ?

 

–ସରକାର । ପୋଲିସବାଲା । ଘନବାବୁ ଉତ୍ତର ଦେଲେ ।

 

ସେମାନଙ୍କୁ ନଉନାହାନ୍ତି କାହିଁକି ବାପା ? ଦର ବଢ଼େଇ ବଢ଼େଇ ଆମକୁ ମାରିସାରିଲେଣି । ଜିନିଷ ପାଇଁ ଗଲାବେଳକୁ ଦୋକାନ ପୁଣି ବନ୍ଦ ହଉଛି। ବାବୁ, ପୁଣି ଖୋଲିବ କେବେ ?

 

–ମୋବାଇଲ କୋର୍ଟ ଗଲେ ।

 

–ବନ୍ଦ ରଖିଲେ ମୋବାଇଲ କୋର୍ଟ କିଛି କଅଣ ତାଙ୍କର କରିପାରିବ ନାହିଁ ?

 

–କରିପାରିବ ।

 

–ତା’ହେଲେ ସେ ବନ୍ଦକଲେ କାହିଁକି ?

 

–ସମସ୍ତଙ୍କୁ ଭୁତେଇବାକୁ । ଉତ୍ତର ଦେଲେ ଘନବାବୁ ।

 

–ଆଚ୍ଛା ବାବୁ ଚନ୍ଦରା ଦୋକାନ କଅଣ ବନ୍ଦଥିବ ? ବୁଢ଼ୀ ପଚାରିଲା ।

 

–ନା ।

 

–ଆଉ ?

 

–ସେମାନେ ଗାଡ଼ିନେ ଏତେଇ ଭିତରକୁ ଯାଇପାରିବେ ନାହିଁ ।

 

–ବଜାରଠାରୁ ତ ଚନ୍ଦରା ବେଶି ଦର ନେଉଛି । ଯାହାହେଉ ସେଇଠୁ ତେଲ ଟିକିଏ ନେଇଯିବି । ନହେଲେ ରାତିଟାଯାକ ଅନ୍ଧାର ହେବ ।

 

ହଠାତ୍‌ ଘନବାବୁ ଶରତ ବାବୁଙ୍କୁ ପଚାରିଲେ–ଏ ଖେଳ ଆଉ କେତେଦିନ ଚାଲିବ ?

 

ବୁଢ଼ୀ କିଛି ନବୁଝିପାରି ପୁଣି ପଚାରିଲା–କେଉଁ ଖେଳ ?

 

–ଏଇ ଲୁଚକାଳି ଖେଳ ।

 

ରତନା ତଥାପି କାନ୍ଦୁଥିଲା । ବୁଢ଼ୀ କହିଲା–କାନ୍ଦ ନା, ଯା’ ହରିବାବୁଙ୍କୁ ସବୁ କଥା କହିବୁ । ସେ ରକ୍ଷା କରିବେ । ବୁଢ଼ୀର ହଠାତ୍‌ ମନେପଡ଼ିଲା–ସରକସ କଥା । ସେ ଘନବାବୁଙ୍କୁ ପଚାରିଲା–

 

ବାବୁ ସରକସ କୁଆଡ଼େ ଆସିଛି ?

 

କେଉଁଠିକୁ ? ଘନବାବୁ ପଚାରିଲେ ।

 

–ଏଇଠିକି । ଜଣେ ବାବୁଙ୍କୁ ପଚାରିଲି, ଲୋକେ ପଞ୍ଝା ପଞ୍ଝା ହଉଥିବାର ଦେଖି ଯେ, ସେ କହିଲେ ସରକସ ଚାଲିଛି ।

 

ହସିଉଠି ଶରତବାବୁ କହିଲେ–ହଁ ସରକସ ତ ଚାଲିଛି–ସେ ପୁଣି କେଉଁଠୁ ?

 

–ଏଇଠି ପରା ।

 

–ମୁଁ ବୁଝିପାରୁ ନାହିଁ । ବୁଢ଼ୀ କହିଲା ।–ତମେ କଅଣ କହୁଚ ବାବୁ ? ସରକସରେ ସିଂହ ମହାବଳ ବାଘକୁ ଛାର ଗୋଟାଏ ମଣିଷ ଖଣ୍ଡେ ଲୁହା ଚାବୁକ ଧରି ଖେଳାଏ । ବାଘ ଡରି ଡରି ତା’ କଥା ମାନେ । ଖେଳ ଦେଖାଏ । ଦିନେ ଯଦି କେବେ ବାଘ ମୁଣ୍ଡ ବିଗିଡ଼ି ଯିବ ନା...।

 

ଦୁଇ ବନ୍ଧୁ ହୋ ହୋ ହୋଇ ହସିଉଠିଲେ । ବୁଢ଼ୀ କହିଲା–ହଉ ବାବୁ; ମୁଁ ଯାଉଛି ଏଇ ଗୋହିରିରେ ଚନ୍ଦରା ଦୋକାନରୁ ତେଲ ନେବି । ସାଡ଼େ ଘର ଅନ୍ଧାର ହବଣି ।

 

(ଫେବୃୟାରୀ, ୧୯୭୬, ନବରବି)

Image

 

ନିଖୋଜ ଆସାମୀ

ରାଧାବିନୋଦ ନାୟକ

 

ନିର୍ମଳଚନ୍ଦ୍ରମଣ୍ଡଳ ବିରାଜିତ । କୁମର ବିନୟପତ୍ର ଲେଖିବାର ବଳ । ଅପ୍ରାପ୍ତ ବୟସ୍କା କନ୍ୟାକୁ ବିବାହ । କେବେ ପୁଣି କଢ଼ ଫୁଲଟିଏ ହବ । ଦିନରାତି ଗଣୁ ଗଣୁ ପୁଷ୍ପବତୀର ବାସ୍ନାରେ ଉଲ୍ଲସିତ ହେଲାବେଳକୁ ଅବିବେକୀ ପିତାଙ୍କର କଠୋର ଆଦେଶ–ପୁଅରେ । ବିଦେଶ କର ।

 

କରୁଛି ତ ପୁଅ ବିଦେଶ ।

 

ଛ’ଋତୁ ବର୍ଷମୁଣ୍ଡରେ ଗଡ଼ିଯିବ । ଛ’ଥର ମନ ଜକେଇବ–ଛ’ଥର ବିନୟପତ୍ରରେ ପ୍ରୀତିକୁଶଳାକୁ ଦୁଃଖ ଜଣା କରୁ କରୁ ମୁଣ୍ଡରେ ବାଳ ନିଖୋଜ, ଯାହା ବା କେରେ ଥିବ ଦର୍ପଣରେ ମନହେବ ଟାଣ ଖରାରେ ଫୁଟି ପଡ଼ିଥିବା ଶମିଳି ତୁଳା ପବନରେ ଉଡ଼ି ଉଡ଼ି କେଉଁ ପତ୍ର ଗହଳି ଗଛରେ ଲାଗିଯାଇଛି ପରା ।

 

ରାଜସୂତାର ପ୍ରେମସର ବାନ୍ଧି ଯାଇଥିବା ଟାଣ ନିଆଁରେ ପାଏ ଦୁଧ ମରି ମରି ପତଳା ତଳିରେ ଶୁଖିଗଲାପରି । ପଚାରିଲେ କହିବ–ଦୋଷ ମୋର କେଉଁଠି । ଭଲ–ମନ୍ଦ ବିଚାରକରିବା ମୋ ଆୟତ୍ତର ବାହାରେ । ବାପ ତୁମର ଗାର କାଟି ଦେଇଛି । ତାକୁ ଧରି ଚାଲିବା ତୁମର କାମ । ସେଇ ଗାରକୁ ଧରି ତୁମେ ବିଦେଶ କଲ । ଏବେ ଯଦି ଫେରିଆସିଛ ଖୋଜ ଏ ଶରୀରକୁ । ଖୋଜିଲାବେଳକୁ ଥିବ କଅଣ ? ସେକେଣ୍ଡ ସୋ’ସିନେମା ପରେ ଚାଳିଶ ଓ୍ୟାଟ୍‌ ବଲ୍‌ବର କରୁଣ–ଆଲୋକର ମିଟ୍‌ ସେଲ୍‌ଫରୁ ଦୁଇଖଣ୍ଡ ଶୁଖିଲା ରୋଟି ଓ ମେଞ୍ଚାଏ ଥଣ୍ଡା ତରକାରୀ ପରି ସ୍ତନ ତା’ର ହାଇମରା ହୋଇ ମୁଣ୍ଡ ଗଡ଼ାଉ ଥିବ ପଞ୍ଜରାକାଠି ଉପରେ ।

 

କୁମରର ଅନୁଶୋଚନା । ବର୍ଷ ମୁଣ୍ଡରେ ଛ’ଋତୁ ବିଷାଦରେ ପରିଣତ ହେବ ପିତାଙ୍କର ଅଲଙ୍ଘନୀୟ ଆଦେଶରେ । ପିତାଙ୍କର ଆଦେଶ ଝୁଲୁଛି ପଟେ ଶାଣିତ ତରବାରୀ ପରି । କୁମରର ଶରୀରରେ ଯୌବନର ଟକ୍‌ମକ୍‌ । ପ୍ରୀତିକୁଶଳାର ହାତରେ ଚଉଷଠି ବନ୍ଧର ନକ୍‌ସା । ଆକାଶରେ ନିର୍ମଳ ଚନ୍ଦ୍ରମଣ୍ଡଳ ।

 

କୁମର ହାତଚକିରେ ମୁହଁ ଥୋଇ ଚାହିଁଥିଲା । ବାହାରକୁ...ରାସ୍ତାଘାଟ ଆକାଶ ପବନ । ସବୁଠି ଜୀବନ ଝୁଲୁଛି ଇଲେକ୍‌ଟ୍ରିକ ତାରରେ ଅଟକିଥିବା ଖେଳପିଲାର ଗୁଡ଼ି ପରି । ଅଥଚ ସେ ମୁକ୍ତ ଆକାଶରେ ସ୍ପଷ୍ଟ ଉଡ଼ିପାରିଥାନ୍ତା । ଯେତେଦିନ ତା’ର ଇଚ୍ଛା.....ଡେଣା ହୁଗୁଳା ଥିଲେ କେଉଁ ବୃକ୍ଷଶାଖା କିମ୍ୱା ଖୋଲା ପଡ଼ିଆରେ ପିଠି ଉପରେ ବେକଭାଙ୍ଗି ନିଃଶ୍ୱାସ ମାରିଥାଆନ୍ତା କେତୋଟି, ପୁଣି ଇଚ୍ଛା ହୋଇଥିଲେ ସେଇ ବାଧା–ବନ୍ଧନହୀନ ଆକାଶରେ ସନ୍ତରଣ ।

 

କିନ୍ତୁ ପିତା ଯେ । ପିତା ଜଣେ ବ୍ୟକ୍ତି, ତାଙ୍କର କୁମର ପରି ହାତ, ଗୋଡ଼, ଆଖି, ନାକ, କାନ ଓ ସମୁଦାୟ ଶରୀର । ସେ କୁମରଠାରୁ କେତେବର୍ଷ ଆଗରୁ ଜନ୍ମ ବା କୁମର ଅପେକ୍ଷା ଅଧିକ କେତୋଟି ଅନୁଭୂତି ସଂଗ୍ରହ କରିଛନ୍ତି । ତାରି ବଳରେ ସେ କୁମର ସାମ୍ନାରେ ଠିଆ ହୋଇଛନ୍ତି ଗୋଟାଏ ଦୃଢ଼ ପ୍ରାଚୀର ପରି ଯାହାକୁ ଅତିକ୍ରମ କରିବା, ଭାଙ୍ଗିଦେବା କୁମରର ଶକ୍ତିର ବାହାରେ ।

 

କୁମର ହାତଚକିରେ ମୁହଁ ଥୋଇ ଚାହିଁଛି ବାହାରକୁ....ରାସ୍ତାରେ, ବଜାରରେ, ପାନଦୋକାନରେ, ରେସ୍ତୋରାଁରେ ଜୀବନ ଯନ୍ତା ଭିତରେ ସର୍କସବାଘ ପରି, ଏକ ଉପାୟହୀନ ପୋଷାମନା ପିତାଙ୍କର କଠୋର ଆଦେଶରେ ।

 

କୁମର ଲିଭିଯାଉଛି କ୍ରମେ । ସେ ହଜିଯାଉଛି । ଆଦେଶର ରୂପ କଅଣ । ସମୟ ସମୟରେ କୁମର ସନ୍ଦିହାନ୍‌ ହୋଇପଡ଼େ, ସେ ତ ପିତାଙ୍କ ଆଦେଶକୁ ଅବମାନନା କରିପାରନ୍ତା । ତା’ର ଜୀବନକୁ ନେଇ ରାସ୍ତାବଜାର ଆକାଶ ପବନରେ ଘୁରିବୁଲନ୍ତା....ଦେଖନ୍ତା ମେଜିକ୍‍ବାଲା ପରି ବିଭିନ୍ନ ହାତ ସଫେଇ । କିନ୍ତୁ ବେଳେବେଳେ ଚତୁର ଦର୍ଶକର ତୀକ୍ଷ୍‍ଣ ଦୃଷ୍ଟି ମେଜିକ୍‌ବାଲାର ଅକଲ–ଗୁଡ଼ୁମ୍‌ କରିଦେଉଛି । କୁମର ରୂପରେଖହୀନ ଆଦେଶରେ ଅଟକି ଯାଉଛି ମେଜିକ୍‌ବାଲା ଏକ ଅସାମର୍ଥ୍ୟ ହସ ଭିତରେ ନିଜର ପେଡ଼ିପୁଟୁଳା ବାନ୍ଧିଲା ପରି ।

 

କୁମର ହାତ ଚକିରେ ମୁହଁ ଥୋଇ ଫେରେ ଅତୀତକୁ.....ପାଖେ ପାଖେ ଚାଲୁଥାଏ ଶାସନ ବେତ, କାନମୋଡ଼ାରେ......ଅନଭ୍ୟସ୍ତ ଖେଳାଳିକୁ ଖେଳ ଶିଖାଗଲା ପରି । ଓସ୍ତାଦ୍‌ପଣିଆ ସେଠି ଏକ ଆବଶ୍ୟକତା, ଅନ୍ୟଥା ଭବିଷ୍ୟତ ଖେଳରେ ଜିତାପଟର ଆଶଙ୍କା । ପୁଣି ଘର ଧରି ନଚାଲିଲେ ଜୀବନ ବେଘର ହେଇଯିବ ଓ ଶେଷରେ ଅସୌଜନ୍ୟ ହୀନବୀର୍ଯ୍ୟ ଅବତାରଟିଏ ମାରିବ ଟହଲ ରାସ୍ତାଘାଟରେ । ଆତଙ୍କିତ ପିତା କଠୋର ହୁଅନ୍ତି ତାଙ୍କ ଅନୁଶାସନରେ ।

 

ମଜା କଥାଟାଏ.....ଶାସନର ଲୋହିତ ଚକ୍ଷୁକୁ ଏଡ଼ିଦେଇ କେଉଁଠି କେମିତି ଡୁଙ୍ଗି ଦେବା ଦେହଟାକୁ ଟିକେ ଉଷୁମ କରିନେବା ଏବଂ ଅହେତୁକ କୌତୂହଳ ମଧ୍ୟରେ ଧାଁ ଦଉଡ଼ କରିବାର ମଜା....ହେଉ ବରଂ ଖାଦ୍ୟପଦାର୍ଥରେ ମୁହଁ ମାରିଥିବା କୁକୁରପିଠିରେ ପ୍ରଚଣ୍ଡ ପ୍ରହାର ପରି । ସେ ଜୀବନରେ ଗୋଟାଏ ଜମକ୍‌ ଥିଲା । କିନ୍ତୁ ତା’ ବୋଲି ଯୌବନରେବି ।

 

କୁମର ଲକ୍ଷ୍ୟ କରିଛି ସେଇ ଅନୁଶାସନ ମଧ୍ୟରେ ତାକୁ ଯେମିତି ଦୂରେଇ ଦିଆହୋଇଛି-। ତା’ ଦେହରୁ ସ୍ନେହମମତା ଖୋଳପା କାଢ଼ିନିଆଯାଇଛି ଏବଂ ଏକ ଆସାମୀ ପରି ଏମିତି ଏକ ସ୍ଥାନରେ ତାକୁ ଠିଆକରାଇ ଦିଆଯାଇଛି ଯେଉଁଠି ସେ ନିଜକୁ ନିର୍ବାସିତ ପରି ବୋଧକରୁଛି ଓ ପିତା ଲଗାଏତ୍‌ ତାଙ୍କ ଗୋଷ୍ଠୀର ଅନ୍ୟମାନେ ତାକୁ ଦୂରରୁ ନିରୀକ୍ଷଣ କରୁଛନ୍ତି ଶତ୍ରୁ ପକ୍ଷର ଗତିବିଧି ଲକ୍ଷ୍ୟ କରାଗଲା ପରି ।

 

କୁମର ନିଜ ଭିତରକୁ ଚାହେଁ–ତା’ ପ୍ରତି ଏମିତି ଏକ ବ୍ୟବହାରର ହେତୁ କଅଣ । ସେ କଅଣ ଏମିତି କିଛି ତ୍ରୁଟି ପ୍ରକାଶ କରିଛି ନିଜର ସ୍ୱାଭାବିକ ବ୍ୟବହାରରେ । କରିଥିବ ହୁଏତ । କୁମର ମନେପକାଏ–ପିତାଙ୍କର ପ୍ରଚକ୍ଷୁ ପଛପଟରୁ ଚୁଟି ଓ ତିଳକ ଚିତାକୁ ମିଶାଇଦେଇ ସେ ହସେ-। କାରଣ ସେତେବେଳେ ପିତା ତାକୁ ଲାଗନ୍ତି କୌଣସି ବହିର ବ୍ୟଙ୍ଗଚିତ୍ର ପରି । କୁମର ତା’ର ବ୍ୟବହାର ଓ ଭାବଭଙ୍ଗୀରେ ପରୋକ୍ଷ ସୂଚନା ଦିଏ ପିତାଙ୍କର ସେ ବ୍ୟଙ୍ଗଚିତ୍ରର ସଂସ୍କାର ଆବଶ୍ୟକ । ପୁଣି ସେ ଅନୁଭବ କରେ ସେଇ ଚିତ୍ରଟା ଯେମିତି ପିତାଙ୍କର ସ୍ୱଭାବ ଅନ୍ୟକୁ ବୁଝିବାରେ ସାହାଯ୍ୟ କରେ । ଯେମିତି ଗୋଟାଏ ଗମ୍ଭିରୀ ଅଣନିଃଶ୍ୱାସୀ ଇଲାକାକୁ ସେ ଜୋରକରି ଶାସନ କରୁଛନ୍ତି ଓ ତା’ଭିତରେ ଆଲୋକର କୌଣସି ପ୍ରକାର ଅନୁପ୍ରବେଶକୁ ଅସହ୍ୟ ମନେକରନ୍ତି-। ତେଣୁ ରାଜକନ୍ୟାର ଶରୀର ଉପରେ ତା’ର ହକ୍‌ ଅଧିକାର ଥିଲେ ବି ଏବଂ ତା’ ସହିତ ଅନେକ ରାତି ରତିକ୍ରୀଡ଼ା କରିବା ତା’ର ଏକ ଅବଦମତ ଆଗ୍ରହ ଓ ସତ୍ୟ ହେଲେ ବି ଅସହିଷ୍ଣୁ ପିତା ତା’ ପଥରେ ଅନ୍ତରାୟ ହୋଇ ଆଦେଶ କରନ୍ତି; ପୁଅ ବିଦେଶ କର । କାହିଁକି । ପୁତ୍ରର ଅଧିକାର–ଜନିତ ଔଦ୍ଧତ୍ୟର ଭୟ, ନା ଅପ୍ରାପ୍ତିର ଅଭାବବୋଧରେ ଏ ଅସହିଷ୍ଣୁ ଭାବ ।

 

ପୁତ୍ରପାଇଁ ଏ ଆଦେଶ ଅଲଂଘନୀୟ । ସେ ଦୁର୍ବଳ ଶୀର୍ଣ୍ଣକାୟ ବ୍ୟକ୍ତିଟି ପିତା ହୋଇପାରନ୍ତି, ତାଙ୍କ ଆଦେଶ କିନ୍ତୁ ଦିନର ଆଲୋକ ଓ ରାତିର ଅନ୍ଧକାର ପରି ସର୍ବବ୍ୟାପୀ । ସେ ଆଦେଶର ବ୍ୟାପ୍ତି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର କଣ୍ଠରୁ ନୁହେଁ, ପୁରୁଷାନୁକ୍ରମେ ଅନେକ ବ୍ୟକ୍ତିଙ୍କ କଣ୍ଠସ୍ୱରର ବ୍ୟାପ୍ତି । ତାକୁ ଅବଜ୍ଞା କରିବା ଯଥେଷ୍ଟ ଶାରୀରିକ ଶକ୍ତିସମ୍ପନ୍ନ ପୁତ୍ର ପକ୍ଷରେ ଅସମ୍ଭବ ।

 

କୁମର ବେଳେବେଳେ ଚିନ୍ତାକରେ ଆଦେଶର ଏ ବ୍ୟାପ୍ତିକୁ । ଯଦି ନଷ୍ଟ କରିଦିଆଯାଇ ପାରନ୍ତା । କିଏ କରିବ–କୁମର ମନେରେ ସଂଶୟ ଜମାଟ ବାନ୍ଧେ । ପିତା ଗୋଟାଏ ଚରିତ୍ରନୁହନ୍ତି; ସେ ଏକ ବିଶ୍ୱାସ, ଏକ ଗତାନୁଗତିକତା ଯେଉଁ ଧାରାରେ ଗଡ଼ି ଗଡ଼ି ରକ୍ତାକ୍ତ ପୁତ୍ରମାନେ, ପାରିଲାପଣର ଦୃଢ଼ତାରେ ଠିଆହେଲାବେଳେ ସମର୍ଥ ଦୋଦୁଲ୍ୟମାନ ।

 

ସେ ଭାବପ୍ରବଣ ହେଲେ ଲାଗେ ତାକୁ ଅନ୍ଧାରରେ ସ୍ଥିତି ହରାଇଲା ପରି, ଦୃଢ଼ହେଲେ ଲାଗେ ତାକୁ କେଉଁ ଅତଳ ଗହ୍ୱରକୁ ଖସିଯାଉଛି ସେ ଯେଉଁଠି ପାଟିକରି ଡାକିଲେ ପ୍ରତିଧ୍ୱନିବି କାନକୁ ଆସେନା ।

 

ପିତାଙ୍କର କ୍ଷୀଣକାୟ ଶରୀର ଅନ୍ତର୍ହିତ ହୋଇଯାଏ ତା’ ଚେତନାରୁ ଓ ସେ ରୂପାନ୍ତରିତ ହୁଅନ୍ତି ଗୋଟିଏ ପରମ୍ପରା । ସେ ପରମ୍ପରା ନିକଟରେ ସତ୍ୟ ନିଷ୍ପ୍ରଭ ହୋଇଯାଏ, ସ୍ପଷ୍ଟ ପ୍ରକାଶ ଅହେତୁକ ମନେହୁଏ । କେବଳ ଯାହା ପ୍ରକାଶିତ ହୁଏ ଉଜ୍ଜ୍ୱଳ ଏକ ସୌଖୀନ୍‌ ଆବରଣରେ ।

 

ପିତାଙ୍କର ଆଦେଶରୁ ମୁକ୍ତ କୁମର ବିଦେଶ କରୁଥିଲାବେଳେ ମଧ୍ୟ ମୁକ୍ତିର ସ୍ୱାଦ ନାହିଁ ତା’ ନିକଟରେ । ପିତାଙ୍କର ଆଦେଶ ଓ ଅଧିକାର ଛାଇପରି ତା’ ପଛେ ପଛେ ।

 

କୁମର ବିବ୍ରତ ହୁଏ–କେଉଁ ଅପରାଧର ଫଳ ସେ ଭୋଗକରୁଛି । ଜନ୍ମଜାତକରେ ଲିପିବଦ୍ଧ ହୋଇଥିଲା...କୁମରରେ, ଆଲୋକ ଦେଖି ଭାବିନେଲୁ ସିନା ତୁ ଆଲୋକିତ । କିନ୍ତୁ କୁମରମଣି ସେ ଆଲୋକ ଅନ୍ଧକାରର ଅନ୍ୟ ଏକ ରୂପ କେବଳ କଳ୍ପନା....ସେ ହାତକୁ ଆସେ କେବଳ ଛଟପଟ କରିବା ପାଇଁ ରାଧାନାଥଙ୍କ ଆକାଶ କୁସୁମ ପରି ।

 

ଯେଉଁମାନେ ଖାଲି ଆଲୋକ ବୋଲି ଚିତ୍କାର କରନ୍ତି, ସେମାନେ ଆଲୋକର ପ୍ରକୃତ ରୂପ ଦେଖିନାହାନ୍ତିରେ ପୁତା, ପୂର୍ଣ୍ଣ ଅନ୍ଧକାର ଭିତରେ କେବଳ ଆଲୋକକୁ କଳ୍ପନା କରିଛନ୍ତି–ତା’ର ପ୍ରାପ୍ତି ଆଶାରେ ସନ୍ତୁଳି ହୁଅନ୍ତି ତୋ ପରି ।

 

ଆହୁରି ଶଣ୍‌ । ସଂସାରରେ କେହି ଆଲୋକକୁ ଶ୍ରଦ୍ଧା କରନ୍ତିନି ।....... ସେଥିରେ ସ୍ପଷ୍ଟରୂପେ ଚିହ୍ନାପଡ଼େ, କୁତ୍ସିତ ଇଚ୍ଛାସବୁ ପ୍ରକାଶିତ ହୁଏ.......ଅନ୍ଧାର ତେଣୁ ଢେର ଭଲ......କେଉଁଠି ହାତ ବୁଲାଇଲୁ, କାହା ମୁଣା ଶୂନ୍ୟ କରିଦେଲୁ, କେହି ଜାଣିବେନି । ସଂସାର ଅନ୍ଧକାରକୁ ନିଜର କରିନେଇଛି......ଅତି ଆପଣାର ।

 

ଦେଖ୍‌ ତୋ କଥା–ପିତା ତୋତେ ବିଦେଶ କରିବାକୁ ପଠେଇଦେଲା । ଘର ଛାଡ଼ିଲୁ, ପିଲା ମାଇପର ସଂସାର ଛାଡ଼ି ଅନ୍ୟ ରାଜ୍ୟର ରଜାକୁ ପିତା ବୋଲି ଆଦରିନେଲୁ.....ପ୍ରଥମେ ଭାବିଲୁ ଦୀର୍ଘ ଅନ୍ଧକାର ପରେ ଆଲୋକ ଟିକେ ପାଇଗଲୁ ପରା.....କି ହେଲାରେ ।

 

କୁମର ପ୍ରକୃତିସ୍ଥ ହୁଏ । ମୁହଁ ତଳୁ ହାତପାପୁଲି ବାହାର କରିନେଇ ସଳଖି ବସେ । ଯେଉଁଆଡ଼େ ଚାହିଁଲେ ପିତାଙ୍କର ନାଲିଆଖି ଉଙ୍କିମାରେ....ଏଇଟା ଯେମିତି ତା’ ପାଇଁ ବିଧି-ନିର୍ଦ୍ଦେଶ ।

 

ବୟସର ଏକ ଚତୁର୍ଥାଂଶ କଟିଗଲା ଜୀବନକୁ ଚିହ୍ନ ଚିହ୍ନ । ଶେଷ ଚତୁର୍ଥାଂଶ ସଂରକ୍ଷିତ ହୋଇରହିଛି । କୁମରର ଘରବାହୁଡ଼ା ପର୍ବପାଇଁ । ସେତେବେଳେ କୁମରର ପିତାଙ୍କର କା’ ନେବ ଓ ତାଙ୍କ ପୁରୁଣା ବସ୍ତାନୀରୁ ଗୋପାଳ ଅଷ୍ଟୋତ୍ତର ନାମ ଖୋଲି ପୁରାତନ ପୃଷ୍ଠାମାନଙ୍କରୁ ଚନ୍ଦନଛିଟା ଛଡ଼ାଉ ଛଡ଼ାଉ ନାକ ଉପରେ ପ୍ରଚକ୍ଷୁ ଥୋଇ କାନରେ ସୂତା ଗୁଡ଼େଇବ ଓ ଠିକ୍‌ ସେତିକିବେଳେ ପ୍ରୀତିକୁଶଳା ରାଜକନ୍ୟା ଠାକୁରଖଞ୍ଜାରେ ବସି ଧଳା ମୁଣି ଭିତରେ ତୁଳସୀ କଣ୍ଠିକୁ ଶହେ ଆଠଥର ସୁମାରି କରି ଶେଷ କଣ୍ଠିଟିକୁ ମଣ୍ଡରେ ମାରୁଥିବ ।

 

ବୟସର ପ୍ରଥମ ଚତୁର୍ଥାଂଶ ଜୀବନକୁ ଚିହ୍ନୁ ଚିହ୍ନୁ ଗଲା । ଶେଷ ଚତୁର୍ଥାଂଶରେ ଜୀବନକୁ ଚିହ୍ନିଲାବେଳେ ଦେହରେ ସାମର୍ଥ୍ୟ ନାହିଁ । ଅଥଚ ଜୀବନରେ ଯେତେବେଳେ ଶକ୍ତି ଥିଲା ଜୀବନକୁ ଚିହ୍ନିଥିଲେବି ଚିହ୍ନେଇ ପାରିଲାନାହିଁ । ପିତାଙ୍କର ଅନୁଶାସନ ପରଂପରାରେ ପରିଣତ ହେଲାପରେ ତା’ ଆଡ଼େ ଆଙ୍ଗୁଳି ନିର୍ଦ୍ଦେଶ କରି ସତର୍କ କରିଦେଲା–ନିଜକୁ ଚିହ୍ନେଇବାକୁ ଚେଷ୍ଟାକଲେ ପୁତା ବିପଦରେ ପଡ଼ିବୁ । ପିତାଙ୍କର ଆଦେଶରେ ଯେଉଁ ନିର୍ବାସନଦଣ୍ଡ ଭୋଗ କରୁଛି ସେ ନିର୍ବାସନ ଏକ ଚିରନ୍ତନ ନର୍ବାସନରେ ପରିଣତ ହେବ ।

 

ବୟସର ମଧ୍ୟାହ୍ନରେ କୁମର ଆଜି ସଙ୍କୁଚିତ । ପ୍ରୀତି–କୁଶଳାର ପ୍ରୀତିଠାକୁ ଦୂରରେ ସେ-। ପୁଣି ଜୀବନକୁ ଚିହ୍ନେଇପାରୁନି ବିପଦ ଆଶଙ୍କାରେ । ଚତୁଃପାର୍ଶ୍ୱରେ ପିତା ଏବଂ ତାଙ୍କ ଅନୁଶାସନ । ଏଇ ଅନୁଶାସନ ମଧ୍ୟରେ ବ୍ୟକ୍ତିତ୍ୱ କୁମରର ଅବଲୁପ୍ତ । ସେ ଛଳନାର ‘କା’ ନେଇ ଜୀବନ ବଞ୍ଚୁଛି । କୁମର ଆଜି କୁମର ନୁହେଁ, ସେ ନିଜଠାରୁ ନିର୍ବାସିତ ଏକ ବିଚ୍ଛିନ୍ନ ବ୍ୟକ୍ତିତ୍ୱ ।

 

କୁମର ପୁନଶ୍ଚ ହାତଚକିରେ ମୁହଁ ଥୋଇଛି । ଆକାଶରେ ଚନ୍ଦ୍ରମଣ୍ଡଳ ବିରାଜିତ । ରାସ୍ତାଘାଟ ଆକାଶ ପବନରେ ଜୀବନ......ଅଥଚ ସେ କେଉଁ ତାର ଖୁଣ୍ଟିରେ ଖେଳପିଲାର ଗୁଡ଼ିପରି ଲଟକି ଯାଇଛି । ବିନୟ ପତ୍ରରେ ଜୀବନକୁ ଚିହ୍ନେଇବାର ଝୁଙ୍କ ଏକ ପ୍ରବଞ୍ଚନା ବୋଲି କୁମର ଏବେ ସ୍ପଷ୍ଟ ବୁଝିଲାଣି ।

 

ତା’ ପାଇଁ ଏକମାତ୍ର ସତ୍ୟ ପିତାଙ୍କର ପରଂପରାଗତ କଠୋର ଅନୁଶାସନ ।

 

(ସମାବେଶ ପୂଜାସଂଖ୍ୟା, ୧୯୭୬)

Image

 

ସାପୁଆ କେଳା

ନାରାୟଣ ଚୌଧୁରୀ

 

ପରିଆ କେଳାକୁ କିଏ ନଜାଣେ ?

 

କିମ୍ୱଦନ୍ତୀ ପରି ପରିଆର ବ୍ୟକ୍ତିତ୍ୱ । ଦୀର୍ଘ ଚାଳିଶ ବର୍ଷ ଧରି ତା’ ନାଁ ଡାକ । ଶହେଟି ଗାଁ ଭିତରେ ପରିଆ ସବୁଠାରୁ ସମ୍ମାନୀୟ ବ୍ୟକ୍ତି । ବିଭିନ୍ନ ଅନୁଷ୍ଠାନକୁ ସେ ନିମନ୍ତ୍ରିତ । ଛୋଟି ପିଲାଠାରୁ ବୁଢ଼ାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ତାକୁ ଭଲଭାବରେ ଚିହ୍ନନ୍ତି । ସେଇ ସେ ପରିଆ କେଳା ।

 

କଳା ମଚ ମଚ ହେଇ ସାତଫୁଟର ମିଣିପିଟା । ମୁଣ୍ଡରେ ଗୋଛାଏ ବାଳ । ବେକରେ ମାଳି । ମୁହଁଯାକ ଗହୀଡ଼ା ଗହୀଡ଼ା ବସନ୍ତ ଦାଗ । ନାକତଳକୁ ମୋଟା ମୋଟା ନିଶ ଦି’ପଟ । ଲାଲ୍‌ ଆଖି । କପାଳରେ ସିନ୍ଦୂରଗାର, ହାତରେ କଡ଼ା । ଦାନ୍ତରେ ସୁନା । ହାତକଟା କଳାକୋଟ ପିନ୍ଧେ । କାଖରେ ପାଞ୍ଚକିଲୋ ଓଜନର ମସ୍ତବଡ଼ ବଟୁଆ ।

 

ବୟସ ଷାଠିଏ ପାଖାପାଖି ହବ । ଅଳ୍ପ କେତୋଟି ବାଳ ଧଳା ହୋଇଯାଇଚି । ଦାନ୍ତ ଜମା ପଡ଼ିନାହିଁ । ଚୌରସ ପାନ ଖାଏ । ଖାଲି ତ ପାନ ନୁହେଁ, ହରେକ ମସଲାର ମସ୍ତବଡ଼ ଖିଲଟାଏ । ବାବୁଭାୟାଙ୍କୁ ଦେଖିଲେ ଦୂରରୁ ଜୁହାର ହୁଏ । ଅତି ଶରଧାରେ ପାନ ଖଣ୍ଡେ ଖଣ୍ଡେ ଯାଚିଦିଏ–ଜାତି ଯିବ ନାହିଁ ମ ବାବୁ ନିଅ । ଛୋଟ ପିଲାଙ୍କୁ ଦେଖିଲେ କେତେ କିସମର ମସଲା କାଢ଼ି ପିଲାଙ୍କ ପାଟିରେ ଗଳେଇ ପକାଏ ।

 

ଗାଁ ଗାଁ ବୁଲି ସେ ସାପ ଧରେ । ସାପ ଧରେ । ସାପ କାମୁଡ଼ିଲେ ଝଡ଼ାଫୁଙ୍କା କରେ । ଡାହାଣୀ ଛଡ଼ାଏ । ପିହୁଳା ଭଲକରେ । କୋଉ ଭୁଆସୁଣୀର କଅଁଳା ପିଲା ରାତିରେ କାନ୍ଦି ନଶୋଇଲେ, ପରିଆକେଳା ଖବର ପାଇବାମାତ୍ରେ ମୁଣ୍ଡରେ ଠେକାଟା ବାନ୍ଧିପକେଇ ଠେଙ୍ଗାଟାଏ ଠକ ଠକ କରି ହାଜର ହୋଇଯାଏ । ଏ ସମସ୍ତ ଗାଁର ସେ ଏକମାତ୍ର କର୍ତ୍ତବ୍ୟରତ ରାତ୍ରି ଉଜାଗର ପ୍ରହରୀ । କାହାଠାରୁ ପଇସାଟିଏ କି ପାନଖଣ୍ଡେ ନିଏ ନାହିଁ ।

 

ସମସ୍ତେ ଜାଣନ୍ତି ପରିଆ କେଳାର ମାଇପ ନାହିଁ କି ପିଲାଛୁଆ ନାହାନ୍ତି । କିନ୍ତୁ ସେ କେତେଥର କହିଛି ଯେ ତା’ ମାଇପ ଯେତେବେଳେ ବିଷଖାଇ ମରିଗଲା, ସେତେବେଳକୁ ତାକୁ ଜମା କୋଡ଼ିଏ ବର୍ଷ । ଆଉ ସେ ବାହାହେଲା ନାହିଁ । ସେଇଦିନଠାରୁ ରାତିଅଧିଆ ରେଳଗାଡ଼ି ପରି ଦଉଡ଼ୁଛି କେବଳ । ଖରା, ବର୍ଷା, ଶୀତ ସେ କିଛି ମାନେ ନାହିଁ ।

 

ପରିଆର ଘର କୁଆଡ଼େ କେହି ଜାଣନ୍ତି ନାହିଁ । ମାତ୍ର ଶହେଖଣ୍ଡ ଗାଁର ଲୋକ ତାକୁ ନିଜ ଗାଁର ଲୋକ ବୋଲି ଧରି ନେଇଥାଆନ୍ତି । ସେ କେବେ ଘରେ ରାନ୍ଧି ଖାଇ ନାହିଁ । କେହି କେହି ସବୁଦିନ ନିମନ୍ତ୍ରଣ କରିଯାଏ । ଲୋକମାନଙ୍କ ସ୍ନେହଶ୍ରଦ୍ଧାରେ ସେ ଏତେଦୂର ଋଣୀ ଯେ, ନାହିଁ କରିପାରେ ନାହିଁ । ନାହିଁକଲେ ମଧ୍ୟ ତାକୁ ନିସ୍ତାର ନାହିଁ । ବାଡ଼ିଦୂଆର ପାଖରେ ବା ପିଣ୍ଡା ତଳକୁ ମଞ୍ଜପତର ପକେଇ ବସିପଡ଼ି ବଡ଼ ପାଟିରେ ଡାକେ–ଦି’ଟା ଖାଇବାକୁ ମିଳିଯାଉ ମା’ । ସମସ୍ତେ ହସନ୍ତି । ଘରକୁ ଡାକନ୍ତି କିନ୍ତୁ ସେ ନାହିଁ କରେ । କହେ–ଆମେ ଯେତିକିର ଲୋକ ସେତିକିରେ ଚଳିବା ।

 

ଗ୍ରାସେ ଠୁଙ୍କି ଦେଇ ଗୁହାଳ ପିଣ୍ଡା ବା ଗଛ ଛାଇରେ ଶୋଇଯାଇ ଘୁଙ୍ଗୁଡ଼ିମାରେ । ସେ ଘୁଙ୍ଗୁଡ଼ି ଶବ୍ଦ ଶୁଣି ଖଣ୍ଡେ ଦୂରରୁ ଲୋକେ କହିନ୍ତି ପରିଆ ଶୋଇଛି ।

 

ପରିଆର ନିଜ ଘର ପାଇଁ ମାୟା ନାହିଁ । ଅନ୍ୟ ପାଇଁ ସେ ସବୁବେଳେ ବ୍ୟସ୍ତ, ଉଦାସ ବସନ୍ତର କୋଇଲି ଗୀତ ପରି ତା’ର ବ୍ୟକ୍ତିତ୍ୱ, ଅନ୍ୟ ପ୍ରାଣରେ ଅଶେଷ ଆଘାତର ରକ୍ତ ଦାଗ ଲେପିଦିଏ । ସେ କିନ୍ତୁ ବେଶ୍‌ ଖୁସି ।

 

ପରିଆ ସବୁ ପରିବାରରେ ସଭ୍ୟ ତାଲିକାଭୁକ୍ତ ହେଲାବେଳକୁ ବହୁପ୍ରକାର ସମ୍ୱୋଧନରେ ଭୂଷିତ ହୋଇସାରିଥିଲା । ଭାଇ, ଦାଦା, ମାମୁଁ, ଅଜା, ଭାଇନା, ବଡ଼ଭାଇ, ସମୁଦୀ, ଶଳା, ଭିଣୋଇ ପର୍ଯ୍ୟନ୍ତ ।

 

କେହି ବେମାର ପଡ଼ିଲେ; କେହି ଉପାସ ରହିଲେ ପରିଆ କାନ୍ଦି ପକାଏ । ସତେ କି ଏତେବଡ଼ ସଂସାରଟା ତା’ ନିଜର । ଯାହାର ଯାହା ଦର୍କାର ସାଙ୍ଗେ ସାଙ୍ଗେ ପୂରଣ କରିଦିଏ । ବୁଢ଼ା ବୁଢ଼ା ଲୋକମାନେ କହନ୍ତି, ପରିଆର ମାଇପ କୁଆଡ଼େ ଭାରି କଉତୁକିଆ ଥିଲା । କଅଁଳ ଛନ ଛନ ତା’ ଆଖି । ମୁହଁରେ ହସ । ଗେଡ଼ୀ ହେଲେ କଅଣ ହବ, ମାଉଁସିଆ ଦିହ । ଜବର ଯୁଆନ ମାଇପିଟା । ସେ ମରିଯିବାପରଠୁ ପରିଆ ଗାଁ ଛାଡ଼ି କୁଆଡ଼େ ପଳେଇଲା । ଲୋକେ ବା କାହିଁକି ତାକୁ ମନେରଖିବେ । ନ’ବର୍ଷ ପରେ ସେ ଯୋଉଦିନ ଫେରିଲା ସେଦିନ ଦେଖିବ ଲୋକ । ମନ୍ତ୍ରୀଙ୍କ ସଭାରେ ମଧ୍ୟ ଏତେ ଲୋକ ହଉ ହଉ ନଥିବେ ।

 

ଦିହଯାକ ନାଗସାପ ଗୁଡ଼େଇହେଇ ଶିବ ବେଶ ଧରି ଗାଁରେ ପହଞ୍ଚିଲା । ସାପଗୁଡ଼ାକ ଫଣାଟେକି ଜିଭ ଲହ ଲହ କରୁଥାଆନ୍ତି । ଭୟରେ କେହି ଯାଉନଥାନ୍ତି । ସାପଗୁଡ଼ାଙ୍କୁ ସେ କିଙ୍କର କରି ରଖିଥାଏ । ହଠାତ୍‌ କହିଲା–ସବୁଯାକ ଓହ୍ଲେଇ ପଡ଼ । ଧଡ଼୍‌ କରି ସବୁ ସାପ ତଳକୁ ଓହ୍ଲାଇ ଆସି ଫଣାଟେକି ଚୁପ୍ ହେଇ ଛଡ଼ା ହୋଇ ରହିଲେ । ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ ।

 

ପରେ ଲୋକମାନେ କୁହାକୁହି ହେଲେ–ନ’ବର୍ଷକାଳ ପରିଆ କାଉଁରୀ କାମାକ୍ଷା ଦେଶରେହିଁ ଥିଲା । ସେଇଠୁ ଏ ପଶ୍ଚିମାପଦ ଶିଖିଛି । ଖାଲି ସାପଙ୍କୁ ନୁହେଁ ମଣିଷଠାରୁ ଆରମ୍ଭ କରି ଭୂତ, ପ୍ରେତ, ପଶୁ ପ୍ରଭୃତିଙ୍କୁ ସେ ଅକ୍ତିଆର କରିନେଇପାରିଛି ।

 

କେହି କହିଲା–କାଳୀ ସାଧନା ସେ । ଦେବୀ ପ୍ରସନ୍ନ ହୋଇଛନ୍ତି ।

 

ଆଉ କିଏ ବା କହିଲା–ତା’ ଅଜା କୁଆଡ଼େ ମସ୍ତ ଗୁଣିଆ ଥିଲା । ସେଇ ପୋଥି ସେ ପାଇଯାଇଛି । ଅକ୍ତିଆର କରିପକେଇଛି ।

 

କେହି କେହି କହିଲେ–କାଉଁରୀ ଦେଶର ରାଜଜେମାଙ୍କ ପାଖରେ ଏ ପୋଥି ଥିଲା । ସେ ଜେମା ମନ କିଣିସାରିବା ପରେ ଏସବୁ ଶିଖିଲା ।

 

ମାତ୍ର ଚାରିଆଡ଼େ ବିଜୁଳି ପରି ଖେଳିଗଲା ଯେ–ପରିଆ କେଳା ବହୁ ମନ୍ତ୍ରଯନ୍ତ୍ର ଶିଖିକରି ଆସିଛି, ଯାହା ଚାହୁଁଛି ତା’ କରିପାରୁଛି ।

 

ସେଦିନ ପରିଆକୁ ଦେଖିବାକୁ ବିଭିନ୍ନ ଗାଁରୁ ଶହ ଶହ ଲୋକ ରୁଣ୍ଡ ହେଲେ । ପରିଆ ସମସ୍ତଙ୍କୁ ଦଣ୍ଡବତ ହେଉଥାଏ । କପାଳରେ ସିନ୍ଦୂରକଲିଟା ସେଦିନ ଜଳୁଥାଏ । ଲୋକମାନେ କୁହାକୁହି ହେଲେ, ପରିଆ ମୁହଁରେ ଦୈବୀଭାବ ଦେଖାଦେଇଛି । ମା’ କାଳିଙ୍କର ସେ ଆଶୀର୍ବାଦ ପାଇଚି ମୁହଁରୁ ଜ୍ୟୋତି ବାହାରୁଚି । ଇତ୍ୟାଦି ଇତ୍ୟାଦି ।

 

ପରିଆର ସେଇ ପରିଚିତ ହସ । ନମ୍ରତା ତା’ ବ୍ୟକ୍ତିତ୍ୱକୁ ବଢ଼ାଇ ଦଉଥାଏ । ପରିଆ ତା’ର ଚାରିଟି ପେଡ଼ି ଦେଖାଇ କହୁଥାଏ, ଏଥିରେ ଗଡ଼ଜାତୀ ଅହିରାଜ ଅଛି । ସମସ୍ତେ ବସିପଡ଼ି, ଖେଳ ଦେଖିବ । କହୁ କହୁ ପେଡ଼ିକୁ ଝାଡ଼ି ଫୁଙ୍କି ଅହିରାଜ ସାପକୁ କାଢ଼ିଲା । ଏକା ସମୟରେ ଚାରିଟା ପେଡ଼ିରୁ ଚାରିଟା ମସ୍ତ ମସ୍ତ ସାପ ବାହାରିପଡ଼ିଲେ । ଫଣାଟେକି ପରିଆର ବୋଲ ଶୁଣି ଖେଳିଲେ । ଘଣ୍ଟାଏ ଖେଳିସାରିବା ପରେ ପରିଆ ସେମାନଙ୍କୁ ପେଡ଼ିରେ ଭର୍ତ୍ତି କଲା । ଭାର କାନ୍ଧେଇ ଚାଲିଗଲା ।

 

ସେଇଦିନଠାରୁ ପରିଆ ସେ ଅଞ୍ଚଳରେ ହେଲା ଅତି ପରିଚିତ । ଗାଁ ଗାଁ ବୁଲି ସାପ ଖେଳାଏ । ପଇସା ନିଏ ନାହିଁ । କାହାଘରେ ବକ୍ତେ ଖାଇଦିଏ ଝୁଲାମୁଣି ଝାଡ଼ି କେବେ ଓଷଦ ଦିଏ-। ଲୋକ ଭଲ କରେ । ପିଲା ଭଲ କରେ । ସମସ୍ତଙ୍କ ପାଖରୁ ତା’ ପାଇଁ ପ୍ରଶଂସା ବିଛାଡ଼ି ହୋଇପଡ଼େ ।

 

କିନ୍ତୁ ସମସ୍ତଙ୍କ ମନରେ ପରିଆ ପ୍ରତି ଭୀଷଣ ଭୟଥାଏ । କାରଣ ପରିଆ ମନ୍ତ୍ର ଜାଣେ-। ମଣିଷକୁ ପଶୁ କରିଦେବ ଘରେ ପଥର ପକେଇଦବ । ଭାତହାଣ୍ଡିରୁ ଗୁହ ବାହାର କରିଦେବ । ଅବଶ୍ୟ କେବେ କେଉଁଠି ପରିଆ ଏପରି କରି ନାହିଁ । ମାତ୍ର କାହିଁକି କେଜାଣି ତା’ ପ୍ରତି ଏଇ ଅଜଣା ଭୟଟା ଲୋକଙ୍କର ରହିଆସିଛି ।

 

ପରିଆ ଭଲ ବଇଁଶୀ ବଜେଇ ଜାଣେ । ଲୋକେ କହନ୍ତି ସେ ବଇଁଶୀ ବଜେଇଲେ ଗଛରେ ଫୁଲ ଫୁଟେ’ ପତ୍ର ଝଡ଼େ । ଯୁବତୀମାନେ ବିବସ୍ତ୍ର ହୋଇ ତା’ ପାଖକୁ ଦଉଡ଼ନ୍ତି । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଏମିତି ବଇଁଶୀ ବଜେଇ ଗୋପୀମାନଙ୍କୁ ଆକର୍ଷଣ କରୁଥିଲେ । ଏ ଯୁଗରେ ପରିଆ ସେ ମନ୍ତ୍ର ପାଇଚି । ପରିଆ ଯଦି କେଉଁଠି ବଇଁଶୀ ବଜେଇଲା ତେବେ ଘରର ମୁରବୀମାନେ ବଢ଼ିଲାଝିଅଙ୍କୁ ପାଖକୁ ଡାକି ଭାଗବତ ପଢ଼ାନ୍ତି । ଭଗବାନଙ୍କ ଲୀଳା ଶୁଣିଲେ କାମଭାବ ଦୂରୀଭୁତ ହୁଏ । ପରିଆ କୁଆଡ଼େ ଉଚ୍ଚାଟନ ମନ୍ତ୍ର ଜାଣେ । ଯଦି ମନ୍ତ୍ର ପଢ଼ିଦବ ତେବେ ସ୍ତ୍ରୀମାନେ ସେମାନଙ୍କ ସ୍ୱାମୀଙ୍କୁ ଛାଡ଼ି ପରିଆ ପଛରେ ଦଉଡ଼ିବେ । ସେଥିପାଇଁ ପରିଆକୁ କେହି ରଗେଇବାକୁ ଚାହାନ୍ତି ନାହିଁ । ପରିଆ ଅବଶ୍ୟ କେବେ ଏ ମନ୍ତ୍ର ପଢ଼ି ନାହିଁ ।

 

ନିର୍ଧୁମ ଗଞ୍ଜେଇ ଟାଣି ସାପମାନଙ୍କ ସହିତ ବନ୍ଧୁତା କରି କୋଉ ଦଣ୍ଡାର ବରଗଛମୂଳେ ସେ ପଡ଼ିଥାଏ । ଗାଁ ଗାଁର ଲୋକମାନେ ତାକୁ ଡାକି ଖାଇବାକୁ ଦିଅନ୍ତି । ଯେତେ ରାତି ହେଲେବି ଏକା ଏକା ଫେରିଯାଏ ସେ ମଶାଣିକୁ ଏବଂ ସାପ ପେଡ଼ିରେ ମୁଣ୍ଡ ଦେଇ ଶୋଇଯାଏ । ଶୋଇ ଶୋଇ ଛାନ୍ଦ ଚଉତିଶା ଗାଇଉଠେ । ଶ୍ମଶାନର ଭୟଙ୍କର ଅନ୍ଧାର ଭିତରେ ପ୍ରେତାତ୍ମାର ନର୍ତ୍ତନ ପରି ପବନରେ ଖେଳି ଖେଳି ଦୂରରେ ହଜିଯାଏ ତା’ର ସ୍ୱର । ରାତି ଗଭୀର ହୁଏ । ସେ ଶୋଇପଡ଼େ ।

 

ଗାଁରେ ସଭା ବସିଲେ ପରିଆ ନିମନ୍ତ୍ରିତ ଅତିଥି । କଥା ନଛିଣ୍ଡିଲେ ପରିଆ ଉପରକୁ ଛାଡ଼ିଦିଆଯାଏ । ସେ ଯାହା କହିବ ସମସ୍ତେ ତାକୁ ମାନିନେବେ । ତାହାହିଁ ହୁଏ । ପରିଆ କଥା ରହେ । ଭୋଟବେଳ ହେଇଗଲେ ପ୍ରାର୍ଥୀମାନେ ପରିଆ ପାଖରେ ପହଞ୍ଚନ୍ତି । ପରିଆ ଯାହା ପାଇଁ କହିବ ସେ ଜିତିବ । ଅନ୍ୟ ପକ୍ଷରେ ଯେତେ ପଇସା ଖର୍ଚ୍ଚ ହେଲେବି ହାରିବ । ପରିଆ ଘର ଘର ବୁଲି ପ୍ରଚାରକରେ ନାହିଁ । ଗାଁ ଲୋକମାନଙ୍କୁ ଡାକି–କହିଦିଏ କେବଳ । ବାସ, ସେତିକିରେ ସେ ଜିତିଯାଏ । ତେଣୁ ବିଭିନ୍ନ ଗାଁରୁ ତା’ ପାଖକୁ ଭେଟିଆସେ । ନଡ଼ିଆ, ଚାଉଳ, ଲୁଗା ଇତ୍ୟାଦି ଗଦାହୁଏ । ସେ ତେଣୁ ପ୍ରତିବର୍ଷ କାର୍ତ୍ତିକ ମାସରେ ଚବିଶ ପ୍ରହରୀ କରେ । ବିଭିନ୍ନ ଲୋକଙ୍କୁ ନିମନ୍ତ୍ରଣ କରେ । ବାବୁମାନଙ୍କଠାରୁ ମୂଲିଆଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ଆସନ୍ତି, କୀର୍ତ୍ତନ ହୁଏ । ପରିଆ ଠାକୁରଙ୍କୁ ଛୁଏଁ ନାହିଁ । ଦୂରରେ ବସି ଖଞ୍ଜଣୀ ପିଟେ । ଚିଲମ ଚିଲମ ଗଞ୍ଜେଇ ଟାଣେ । ବ୍ରାହ୍ମଣ ରୋଷେଇ କରେ, ସମସ୍ତେ ଖାଆନ୍ତି । ଶେଷଦିନ ମୃଦଙ୍ଗ ବଜାରେ, ଗୀତ ବୋଲିବାରେ, ଖଞ୍ଜଣୀ ବଜାରେ ପ୍ରତିଯୋଗିତା ହୁଏ ଓ ପୁରସ୍କାର ବିତରଣ କରାଯାଏ । ଲୋକମାନେ ଖୁସିରେ ଫେରନ୍ତି ।

 

ପରିଆ ବର୍ଷା, ଶୀତରେ, କାଦୁଅ, ପାଣିରେ, ଖରାକାକରରେ ଦରକାର ପଡ଼ିଲେ ଠିଆ ହୁଏ । ଗାଁରେ ଏକତା ଆଣିବା ପାଇଁ ଚେଷ୍ଟାକରେ । ଅସାଧ୍ୟ ରୋଗୀର ଚିକିତ୍ସା ପାଇଁ ଟଙ୍କା ଖରଚ କରେ । କେହି ମରିଗଲେ ଶ୍ମଶାନରେ ଛିଡ଼ା ହୁଏ ।

 

ପରିଆ ସେ ଅଞ୍ଚଳର ସୁଖଦୁଃଖର ସାଥୀ, ସାହାଭରସା । ସମସ୍ତଙ୍କ ମୁଖରେ ତା’ର ପ୍ରଶଂସା । ପରିଆକୁ କେହି ନିନ୍ଦାକରେ ନାହିଁ । ଏହି ପ୍ରଶଂସା ପଛରେ ଶ୍ରଦ୍ଧା ଅପେକ୍ଷା ଭୟଥାଏ ବେଶି ।

 

ସେଦିନ ଗାଁରେ ଚହଳ ପଡ଼ିଗଲା–ଗୋବିନ୍ଦା କେଉଟର ମାଇପ କୁଆଡ଼େ ଚାଲିଯାଇଛି-। ମୁସକୁନ୍ଦିଆ ମାଇପିଟାଏ । କଳା ମଚ ମଚ ହୋଇ ମସ୍ତବଡ଼ ଚେହେରା । ଆଖିଗୁଡ଼ାକ ବଡ଼ ବଡ଼-। ଗୋବିନ୍ଦାକୁ ଛ’ବର୍ଷ ହବ ବାହାହେଲାଣି ପିଲାପିଲି ଜମା ନାହିଁ । ଗୋବିନ୍ଦା ମାଛ ଧରେ, ବିକେ । ରୁଗ୍‌ଣ ସ୍ୱାସ୍ଥ୍ୟ, ତିନିଦିନ ଯାଏ ନଫେରିବାରୁ ବହୁ ଲୋକ ମନ ଭିତରେ ପରିଆକୁ ସନ୍ଦେହ କଲେ । କାରଣ ପରିଆ ବେଶି ସମୟ ଗୋବିନ୍ଦା ଘରେ ଖାଏ । ତା’ର ପିଣ୍ଡାରେ ଶୁଏ; କିନ୍ତୁ କେହି ମୁହଁ ଖୋଲି କହିପାରିଲେ ନାହିଁ । କିଛି ନଜାଣିଲା ପରି ପରିଆର ଛୋଟ କୁଡ଼ିଆ ଆଡ଼େ ବୁଲି ବାହାରିଲେ । ଦେଖିଲେ କେହି ନାହିଁ, ମାତ୍ର ଗଛ ଉପରେ ଗୋଟାଏ ମାଈ ମାଙ୍କଡ଼ ବସିଛି, କୁଆଡ଼େ ଯାଉ ନାହିଁ । ସେମାନେ ମନେ ମନେ ଠିକ୍‌ କଲେ ପରିଆ ମନ୍ତ୍ରବଳରେ ଗୋବିନ୍ଦା ମାଇପକୁ ମାଙ୍କଡ଼ କରି ଦେଇଛି ଓ ଗଛ ଉପରେ ବସେଇଛି । ରାତିରେ ତାକୁ ମଣିଷ କରିବ ।

 

ପରିଆର ମୁହଁରେ ଥିବା ଗହୀଡ଼ା ବସନ୍ତ ଦାଗଗୁଡ଼ା ଚିକ୍‌କଣ ଦେଖାଯାଉଛି । ସିନ୍ଦୂରକଲିଟା କପାଳରେ ଝଟକୁଛି ଠିକ୍‌ ହତାଶର ଅନ୍ଧାର ଭିତରେ ଆଶାର ବିଜୁଳି ଝଟକିଗଲା ପରି । ବୋଧହୁଏ ପରିଆ ମନ୍ତ୍ର କରି ଗୋବିନ୍ଦା ମାଇପକୁ ଉଡ଼େଇ ନେଇଛି । ଗୋବିନ୍ଦାଟା ମାଇଚିଆଟା ।। ସେଇଥିପାଇଁ ତା’ ସ୍ତ୍ରୀ ତା’ ପାଖରେ ରହିବାକୁ ରାଜିହେଲା ନାହିଁ । ରାତିର ଅନ୍ଧାର ଭିତରେ ପରିଆ କୁଡ଼ିଆ ଭିତରୁ ସ୍ତ୍ରୀଲୋକର କଣ୍ଠସ୍ୱର ଶୁଭୁଛି ବୋଲି ଅନେକ ଆସି କହିଲେ । ଗାଁ ସାରା ଗୋଟାଏ ଅଜଣା ଭୟରେ ଶିହରି ଉଠିଲେ । ପରିଆ ତେବେ ଏଇ କାର୍ଯ୍ୟରେ ସବୁବେଳେ ବ୍ୟସ୍ତ ରହୁଛି ।

 

ଗୋବିନ୍ଦା କିନ୍ତୁ ତା’ ସ୍ତ୍ରୀପାଇଁ ବ୍ୟସ୍ତହୁଏ ନାହିଁ । ସେ କହେ–ଶାଳି । ଯାଇଚି ମଙ୍ଗଳ । ରକତ ଶୋଷି ପିଉଥିଲା । ଡାଆଣୀଟା, ରାତିରେ ମାଛ ମାରିବାକୁ ସବୁଦିନେ ମନାକରେ । କହେ, ସବୁବେଳେ ତା’ରି ପାଖରେ ରହ, କିଏ ତାକୁ ଜଗି ବସିବ ?

 

ଅନ୍ୟ ଘରର ସବୁ ସ୍ୱାମୀମାନେ ଏଣିକି ନିଜ ନିଜ ସ୍ତ୍ରୀମାନଙ୍କୁ ଆକଟ କରିବାକୁ ଲାଗିଲେ । ଏକା ଏକା କେହି ନଈକୁ ଯିବ ନାହିଁ । ପରିଆ କେଳାକୁ ମୁହଁ ଦେଖାଇବ ନାହିଁ । ଗୋଡ଼ରୁ ଧୂଳି ନେଇଯିବ । ସ୍ୱାମୀମାନଙ୍କର ଏପରି ତାଗିଦାରେ ସ୍ତ୍ରୀମାନେ ହସନ୍ତି । ସ୍ୱାମୀମାନେ ଡରିଲେ ସ୍ତ୍ରୀମାନେ ବେଶି ଡରେଇବାକୁ ଭଲପାଆନ୍ତି । ସ୍ତ୍ରୀମାନେ କହନ୍ତି ପରିଆ ଆମର ଏତେ ଉପକାରୀ ସେ କଅଣ ଏମିତି କରିବ ? ସ୍ୱାମୀମାନେ ରାଗିଯାଆନ୍ତି । କଜିଆର ପର୍ବ ଆରମ୍ଭ ହୁଏ । ସ୍ୱାମୀମାନଙ୍କୁ ନିଜ ପଣତକାନିରେ ବାନ୍ଧିରଖିବା ସବୁ ସ୍ତ୍ରୀଙ୍କର ସହଜାତ ପ୍ରବୃତ୍ତି । ତେଣୁ ସେମାନେ କହନ୍ତି–ଆମେ ଚାଲିଲୁ ପରିଆ ପାଖକୁ । ଆମକୁ କିଏ ଅଟକେଇବ ଦେଖିବା । ସବୁକଥା ଖୋଲି ଆମେ ପରିଆକୁ କହିବୁ ।

 

ହଠାତ୍‌ କିନ୍ତୁ ସ୍ୱାମୀମାନେ ନିଜ ଅପୌରୁଷର ସୂଚନା ପାଇ ଚୁପ୍‌ ହୋଇ ନିଜ ନିଜ ସ୍ତ୍ରୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତି । ପରିଆଟା କେଳା, ସେଇଟାର ଦିହଯାକ ଯାଦୁ । ଗନ୍ଧ ଛାଡ଼େ, ସମାଜରେ ସ୍ଥାନ ନାହିଁ । ତା’ ସାଙ୍ଗରେ ମିଳାମିଶା କଲେ ନିଜର ସମ୍ମାନ ଯିବ । ସାପପେଡ଼ି ଧରି ପରିଆ ମଧ୍ୟ ଗାଁକୁ ଆସେ । ଯେଉଁ ସ୍ୱାମୀମାନେ ନିଜ ସ୍ତ୍ରୀମାନଙ୍କୁ ପରିଆ ସାମ୍ନାକୁ ଯିବାକୁ ମନାକରନ୍ତି ପରିଆ ଗାଁକୁ ଆସିଲେ ସେଇମାନେ ପରିଆର ଚର୍ଚ୍ଚା ପାଇଁ ବ୍ୟସ୍ତ ହୋଇପଡ଼ନ୍ତି । ସ୍ତ୍ରୀମାନେ ଝରକା ଭିତର ଦେଇ ଚାହିଁରୁହନ୍ତି । ପରିଆ ସାପ ଖେଳାଏ । ଏବେ ଏକାସାଙ୍ଗରେ ଆଠଟା ଅହିରାଜ ଖେଳାଉଛି । ଭୟରେ ଲୋକମାନେ ଦୂରକୁ ଘୁଞ୍ଚିଯାଆନ୍ତି । ଗାଁ ମଝିରେ ସାପଖେଳ ହେଲେ ଝିଅବୋହୂ କେହି ଘର ଭିତରେ ରହିପାରନ୍ତି ନାହିଁ । ପରିଆ ଛିଡ଼ା ହୋଇ ସାପ ଖେଳାଏ । ମୁଣ୍ଡରେ ପଗଡ଼ି, ହାତରେ ଡମ୍ୱରୁ, ମୁହଁରେ ପଦ୍ମତୋଳା । ଲାଞ୍ଜରେ ଛିଡ଼ା ହୋଇ ଆଠଟାଯାକ ଅହିରାଜ ସୁ ସୁ ଗର୍ଜନ କରି ଦୋହଲୁଥାଆନ୍ତି ।

 

ଖେଳ ସରେ । ପରିଆ ତା’ର ମସ୍ତବଡ଼ ଚିଲମ କାଢ଼ି ଭରିଏ ଗଞ୍ଜେଇ ଦଳି ତା’ ଭିତରେ ଭର୍ତ୍ତିକରି ଯେତେବେଳେ ପ୍ରଥମ ସୋଟାମାରେ ସେତେବେଳେ ଗଞ୍ଜେଇ ଓ କତା ହୁ ହୁ ହୋଇ ଜଳିଉଠେ । ସେ ଧୂଆଁକୁ ଶୋଷିଦିଏ ଯେ ଆଉ ଧୂଆଁ ଛାଡ଼େ ନାହିଁ ସେତିକିବେଳେ ସେ ଖୁସି ମିଜାଜ୍‌ରେ କୁହେ–ଯେତେବେଳେ ଏକାସାଙ୍ଗରେ କୋଡ଼ିଏଟା ଅହିରାଜ ଖେଳେଇ ପାରିବ, ସେତିକିବେଳେ ସେ ଜାଣିବ ଯେ ଗୋଟାଏ ବିଦ୍ୟା ଅର୍ଜନ କଲା । ଗ୍ରାମବାସୀମାନେ ଏକାନ୍ତ ସମର୍ଥକ ଭାବରେ କେବଳ ନିଜସ୍ୱ କାଇଦାରେ ହସଗୁଡ଼ିଏ ଫୁଟେଇଦିଅନ୍ତି । ପରିଆ କୁଡ଼ିଆ ଉପରେ ଝାମ୍ଫୁରା ଡାଳ ଝୁଲେଇ ଯୋଉ ବରଗଛ ଛିଡ଼ା ହୋଇଛି ସେ ମାଈ ମାଙ୍କଡ଼ଟି ସେଇ ଡାଳରେ ବସି ସବୁଲୋକଙ୍କୁ ଜୁଳୁ ଜୁଳୁ କରି ଚାହୁଁଥାଏ ।

 

ହଠାତ୍‌ ଦିନେ ଗାଁରେ ହୁରି ପଡ଼ିଲା–ଶଙ୍କର ପରିଡ଼ାର ବଡ଼ ଝିଅ ସେବତୀ ଆଉ ଫେରୁ ନାହିଁ । ସଞ୍ଜବୁଡ଼େ ମୁଣ୍ଡ ଧୋଇ ଗାଧୋଇବାକୁ ଯାଇଥିଲା ନଈକୁ । ଆଉ ଫେରୁ ନାହିଁ । କୋଡ଼ିଏ ବର୍ଷର ଯୁଆନ ଟୋକୀଟା ଗଲା କୁଆଡ଼େ ? ବହୁ ଖୋଜାଖୋଜି ଚାଲିଲା । ଆଉ ମିଳିଲା ନାହିଁ । ପରିଆ ମଧ୍ୟ ଘରେ ନାହିଁ । ସାପ ଧରିବାକୁ ପାହାଡ଼କୁ ଯାଇଛି ଯେ ଆଜିଯାଏ ଫେରିନି । ତା’ କୁଡ଼ିଆ ପାଖକୁ ଗଲେ ସେ ମାଈ ମାଙ୍କଡ଼ଟା ଖିଙ୍କାରି ହଉଛି । କାହାକୁ ପୂରେଇ ଦଉନି । ସେବତୀର ବଳିଲା ବଳିଲା ଗୋରା ଚମ ଉପରେ ଗାଁ ଟୋକାଙ୍କାର ଲୋଭ ଥିଲା । କିନ୍ତୁ ସେବତୀ କାହାକୁ ପସନ୍ଦ କରୁନଥିଲା । ଶଙ୍କର ପରିଡ଼ା ମୁଣ୍ଡ ବାଡ଼େଇ କେତେ କାନ୍ଦିଲା । ମାତ୍ର ସେବତୀ ଫେରିଲା ନାହିଁ । ସଞ୍ଜ ବୁଡ଼ିଲେ ଗାଁରେ ତାଟି ପଡ଼ିଗଲା । ଝିଅମାନେ ଗାଧେଇଗଲେ ଗାଁର ବୁଢ଼ାବୁଢ଼ୀମାନେ ସାଙ୍ଗରେ ଗଲେ । ଏକା କେହି ବାହାରିଲେ ନାହିଁ । ସମସ୍ତଙ୍କର ସନ୍ଦେହ ପରିଆ ଉପରେ । ପରିଆ ମଧ୍ୟ ଫେରିଲା ନାହିଁ । ସମସ୍ତେ ବିଶ୍ୱାସ କଲେ ପରିଆ ଉଡ଼ାଣମନ୍ତ୍ର କରି ସେବତୀକୁ ଉଡ଼େଇ ନେଇଛି ।

 

କିଛିଦିନ ପରେ ପରିଆ ଏଥର ଜଙ୍ଗଲରୁ ଫେରିଲା ବାରଟା ଅହିରାଜ ଧରି । ଆଗରୁ ଥିଲେ ଆଠଟା ଏବେ ହେଲେ କୋଡ଼ିଏଟା । ପରିଆ ଏଣିକି ଖୁବ୍‌ ଗର୍ବରେ ହସେ । ଆହୁରି ବଡ଼ ବଡ଼ ଖିଲିପାନ ଖାଏ । ସିନ୍ଦୂରକଲିଟା ଆହୁରି ଚମତ୍କାର ଦିଶେ । ମାତ୍ର ଗାଁରେ ସମସ୍ତ ବିପର୍ଯ୍ୟୟ ପାଇଁ ପରିଆକୁ ଦାୟୀ କରାଯାଉଥିଲେ ମଧ୍ୟ ସେ ଗାଁରେ ପହଞ୍ଚିଲେ ସମସ୍ତଙ୍କ ଘରେ ଆଦର ପାଏ-। ଯୋଉ ସେବତୀ ପାନଭାଙ୍ଗି ପରିଆକୁ ଦଉଥିଲା । ସେ ଆଉ ନାହିଁ । ସେବତୀ ଓ ଗୋବିନ୍ଦା କେଉଟ ମାଇପ କୁଆଡ଼େ ଗଲେ–ଶୁଣିଲେ ପରିଆ ଶଙ୍କି ପଡ଼େ ଏବଂ କହେ ଦିନେ ସବୁ ଧରାପଡ଼ିବ । ଦୁନିଆରେ କିଏ କେତେ ଛଇଛଟକ ଦେଖାଉଛନ୍ତି, ହେଲେ ଦିନେ ନା ଦିନେ ସେ ସବୁ ବଦଳିଯିବ । ସବୁ ଛିନ୍ନମସ୍ତା କାଳୀର ଲୀଳା । କେହି ବ୍ୟସ୍ତ ହୁଅନା । ସବୁଆଡ଼େ ଚହଳ ପଡ଼ିଗଲା ପରିଆ କୋଡ଼ିଏଟା ବିଷଧର ସାପଙ୍କୁ ଗଦ ଶୁଙ୍ଘେଇ ପଦ୍ମତୋଳା ଶୁଣେଇ ବଶ କରିଦେଇଛି । ଏକାସାଙ୍ଗରେ ସମସ୍ତଙ୍କୁ ଖେଳେଇବ । ପଞ୍ଚିମା ମନ୍ତ୍ର ସେ ଜାଣିଛି । ଆଉ କେହି ତାକୁ ପାଇନାହାନ୍ତି । ଲୋକମାନେ ଯେତେବେଳେ ପରିଆକୁ ଦେଖନ୍ତି ପଚାରନ୍ତି, କେବେ ଏକାସାଙ୍ଗରେ କୋଡ଼ିଏ ମାପ ଖେଳ ହଉଛି ? ପରିଆ ତା’ର ନାଲିପାଟିରେ ଠୋ ଠୋ ହୋଇ ହସିଉଠି କହେ–ଖେଳିବା, ଖେଳିବା ।

 

ପରିଆର ନାଁ ଚାରିଆଡ଼େ ବ୍ୟାପିଗଲା । ଦୂରଦୂରାନ୍ତରୁ ଲୋକମାନେ ଛୁଟିଲେ । କିଏ ରୋଗରେ, କିଏ ରାଗରେ, କିଏ ଦୁଃଖରେ, କିଏ ସୁଖରେ, କିଏ ଓଷଦ ଆଶାରେ କିଏ ମନ୍ତ୍ର ଆଶାରେ ଛୁଟିଲେ । ପରିଆ ଯେ କି ପ୍ରଥମେ କେବଳ ସେବା କରିବ କହି ଲୋକଙ୍କର କାମ କରୁଥିଲା । ବର୍ତ୍ତମାନ ସେ ଲୋକଙ୍କଠାରୁ ପଇସାପତ୍ର ନବାକୁ ଆରମ୍ଭକଲା । ଦୈନିକ ଶହ ଶହ ଲୋକ ଆସି ଶହ ଶହ ଟଙ୍କାଦବାରେ ଲାଗିଲେ ।

 

ପରିଆ କେଳାଟାଏ, କେବେ ଜୀବନରେ ପଇସା ଦେଖିନଥିଲା । ଏତେଗୁଡ଼ାଏ ପଇସା, ଏତେଗୁଡ଼ାଏ ସମ୍ମାନ ପାଇ ଗର୍ବରେ ଫାଟିପଡ଼ିଲା । ପ୍ରଥମେ ଯେ ଥିଲା ସେବକ ପରିଆ, ସେ ପୁଣି ଏତେ ଶୀଘ୍ର ବଦଳି ଗଲା । ପରିଆର କୋଠା ହେଲା । ଗାଡ଼ି କିଣା ହେଲା । ଚାକରଚାକରାଣୀରେ ଘର ଉଛୁଳି ପଡ଼ିଲା । କେହି ଭକ୍ତ ସାମ୍ନା ଦର୍ଜାରେ ମାର୍ବଲ ପଥରରେ ଲେଖାଇଆଣି ମାରିଦେଲେ–‘‘ସ୍ୱାମୀ ପରମାନନ୍ଦଜୀ ।’’

 

ଯେଉଁ ପରିଆ ଦିନରାତି, ଖରାବର୍ଷା, କାଦୁଅ ପଙ୍କରେ ଠେକାଟା ବାନ୍ଧିଦେଇ ଗାଁ ଗାଁ ବୁଲୁଥିଲା ଓ କୌଣସି ଲୋକର ଦାଣ୍ଡରେ କଦଳୀ ମଞ୍ଜପକାଇ ରଡ଼ିଛାଡ଼ୁଥିଲା–‘‘ମା’ଦିଟା ଖାଇବାକୁ ମିଳୁ’’, ସେ ଆଉ ଗାଁକୁ ଆସିଲା ନାହିଁ, ତା’ପାଖକୁ ଲୋକମାନେ ଗଲେ କିଏ ବା ପାଇଲା କିଏ ବା ଫେରିଲା । କିଏ ବାରମ୍ୱାର ନପାଇ ଆଉ ଯିବାକୁ ଇଚ୍ଛା କଲା ନାହିଁ । ଯେଉଁ ପରିଆ ଦଶଖଣ୍ଡି ଗାଁର ପ୍ରତ୍ୟେକ ପରିବାରରେ ସଭ୍ୟ ତାଲିକାଭୁକ୍ତ ହୋଇଯାଇଥିଲା ତାହା କ୍ରମେ ସମସ୍ତଙ୍କ ଚିନ୍ତାରୁ ଅନ୍ତର୍ହିତ ହେବାରେ ଲାଗିଲା ।

 

ସମସ୍ତେ ଧାରଣା କରିନେଲେ ଯେ, ପରିଆ ପ୍ରକୃତରେ ପରୋପକାରୀ ନୁହେଁ । ସବୁ ପ୍ରତାରଣା, ନିଜର ଦୁଃଖବେଳେ ବଡ଼ ବଡ଼ କଥା କହି ଅନ୍ୟଠାରୁ ଫାଇଦା ଉଠାଇବାର ଏ ଚିରାଚରୀତ ପ୍ରଥା । ଏଇ ତେବେ ଗୋବିନ୍ଦା ମାଇପକୁ ନେଇଛି । ଦିନରେ ମାଙ୍କଡ଼ କରେ ଓ ରାତିରେ ପ୍ରେମସଙ୍ଗିନୀ କରେ । ସେବତୀକୁ ମଧ୍ୟ ସେଇ ଉଚ୍ଚାଟନମନ୍ତ୍ର କରିନେଇଛି । ସେବତୀ ହାତରୁ ପାନଖାଇବାକୁ ତା’ର ଭାରି ଲୋଭ । କହିବ–ମୋ’ ଝିଅ ସେବ ପାନ ଭାଙ୍ଗିଲେ ଆଚ୍ଛା ଲାଗେ, ମୋ’ ଝିଅକୁ ମୁଁ ବାହା କରେଇବି । ଆଃ–କି ସୁନ୍ଦର ଓଠ, କି ସୁନ୍ଦର ଆଖି.... । ବୁଝିଲୁ ଶଙ୍କର ରାଜକନ୍ୟା ଏ, ଏକଥା କହୁ କହୁ ପରିଆ ବହୁବାର ସେବତୀର ସର୍ବାଙ୍ଗରେ ହାତ ବୁଲେଇ ଆଣିଛି ।

 

ନିରୋଳା ଅନ୍ଧାର ରାତିରେ ପରିଆ ଏକସାଙ୍ଗରେ କୋଡ଼ିଏଟା ସାପଙ୍କର ସୁ ସୁ ଗର୍ଜନ ଶୁଣେ । ସୁ ସୁ ଗର୍ଜନ ଭିତରେ ସେମାନେ ଯେମିତି କହୁଛନ୍ତି–‘‘ରେ ନିଆଁଗିଳା ପରିଆ । ଆମକୁ ଖୋଲିଦେ ।’’ ପରିଆ ଅନୁଭବ କରେ–ତା’ ସ୍ତ୍ରୀ ଦିନେ ଏମିତିବି କହୁଥିଲା । ସେବତୀ ମଧ୍ୟ କହୁଥିବ ବା କହୁଥିବ ଗୋବିନ୍ଦା କେଉଟ ମାଇପ । ଯନ୍ତ୍ରଣାରେ ଛଟପଟ ହେଇ କେତେ ମାଇପେ ଏମିତି କହୁନଥିବେ । ତେବେ କେହି କଅଣ ଛାଡ଼ିଦିଏ । ତାଙ୍କ ବିଷ ନମରିବା ଯାଏ ବଳ ନହଟିବା ଯାଏ କେହି ଛାଡ଼େ । କୋଡ଼ିଏଟା ଅହିରାଜଙ୍କୁ ସେ କରଗତ କରିଛି ଏ କଅଣ କମ୍‌ କଥା ।

 

ପରିଆ ମାଇପ ଠିକ୍‌ ଏଇଭଳି ଥିଲା । ପରିଆକୁ କୁଆଡ଼େ ଛାଡ଼ୁ ନଥିଲା । ତା’ ଓଜନିଆ ବାହୁ ଓ ଜଙ୍ଘ ଦୁଇଟାରେ ପରିଆକୁ ଭିଡ଼ି ଧରୁଥିଲା । ପରିଆ ଜୀବନ ବିକଳରେ ଛାଟିପିଟି ହଉଥିଲା । ଜାଣି ଜାଣି ତା’ ମାଇପଠାରୁ ଦୂରେଇ ରହୁଥିଲା । ଶେଷରେ ତା’ ମାଇପ ବିଷଖାଇ ମଲା । ସେଇଦିନଠାରୁ ପରିଆ ଶପଥ ନେଇଛି ବିଷଧରଙ୍କୁ ଅକ୍ତିଆର କରି ନିରୀହ ମେଷଶାବକ ପରି ଛାଡ଼ିଦବ । ସେଇଦିନଠାରୁ ସେ ମନ୍ତ୍ର ଶିଖିଲା ଓ ଅହିରାଜ ଧରିଲା । ଦୁନିଆରେ ସେ ଦେଖାଇଦବାକୁ ଚାହେଁ–ସେ ଶିବ । ସେ ସର୍ବଶକ୍ତିମାନ । ଏ ସମଗ୍ର ବିଶ୍ୱରେ ପରିଚିତ ହେବାକୁ ଚାହେଁ ।

 

ରାତି ପାହିଯାଏ ସ୍ୱପ୍ନ ଭାଙ୍ଗିଯାଏ । ପୌରୁଷର ଚିତ୍କାର ହଜିଯାଏ । ମାତ୍ର ସାପଙ୍କର ଗର୍ଜନ କମେ ନାହିଁ । ଦିନେ ଠିକ୍‌ କଲା ଏକାସାଙ୍ଗରେ କୋଡ଼ିଏ ସାପଙ୍କୁ ଖୋଲିବ ଓ ତା’ର ପରାକ୍ରମ ଏ ଦଶଖଣ୍ଡି ଗାଁକୁ ଦେଖାଇଦେବ । ଆଠଦିନ ଲାଗି ମନ୍ତ୍ରଖାତା ଖୋଲି ସବୁ ବାରମ୍ୱାର ମୁଖସ୍ଥ କଲା । ସଞ୍ଜୀବନୀ ମନ୍ତ୍ର ଘୋଷିଲା । ଅସଲ ଅସଲ ଗଦସବୁ ବଟୁଆରେ ଭର୍ତ୍ତିକଲା ।

 

ଚାରିଆଡ଼େ ପ୍ରଚାରିତ ହେଇଗଲା–ଦୋଳପୂର୍ଣ୍ଣିମା ଦିନ ପରିଆ ଏକାସାଙ୍ଗରେ କୋଡ଼ିଏଟା ଅହିରାଜଙ୍କୁ ଖେଳେଇବ । ଖେଳେଇବ ମହୁଝରା ନଈକୂଳରେ ଥିବା ପାହାଡ଼ ପାଖରେ-। ସେ ପାହାଡ଼ ସାପଙ୍କ ପାଇଁ ବିଖ୍ୟାତ । ସନ୍ଧ୍ୟା ହେଲେ ସେ ପାହାଡ଼ ଆଡ଼େ କେହି ଯାଆନ୍ତି ନାହିଁ । ସେଇଟା ସାପଙ୍କ ରାଜ୍ୟ ବୋଲି କେଉଁ କାଳରୁ ଲୋକମୁଖରେ କଥିତ ।

 

ଦିନ ତିନିଟାବେଳକୁ ଖେଳ ହେବ । ଏକଥା ବିଜୁଳି ପରି ଚାରିଆଡ଼େ ଖେଳିଯାଇଛି । ବିଭିନ୍ନ ଗାଁରୁ ଲୋକ ଛୁଟିଛନ୍ତି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ । ବୋହୂଭୂଆସୁଣୀ ମଧ୍ୟ ଆସିଛନ୍ତି । ଦୂରରୁ ଗୋଟାଏ ମେଳା ହେଲାପରି ଦିଶୁଛି । ସାମାନ୍ୟ ଅଧିକ ବୁଦ୍ଧିମାନ ଲୋକମାନେ ବିଭିନ୍ନ ଦୋକାନ ଖୋଲି ଦେଇଛନ୍ତି । ସେ ଦୋକାନମାନଙ୍କ ଭିତରେ ଚା, ପାନ, ବିଡ଼ି ଓ ବୁଟଭଜା ପ୍ରଧାନ । ଏତେ ସମୟ ଅପେକ୍ଷା କରିବାକୁ ପଡ଼ିବ ସେଥିପାଇଁ ପାଟିଟା ଖଲ୍‌ ଖଲ୍‌ ହଉଛି । ଦୋକାନ ନଥିଲେ କିଛି ନଥିଲା । ମାତ୍ର ଚା, ପାନ ବିଡ଼ିର ମନୋହାରିଣୀ ଲୋଭ ବାରମ୍ୱାର ଆକର୍ଷଣ କରୁଛି ।

 

ପରିଆକେଳା ଏ ପର୍ଯ୍ୟନ୍ତ ପହଞ୍ଚି ନାହିଁ । ତା’ ମୁଣ୍ଡର ପଗଡ଼ି ତ ଦୂରରୁ ଦେଖିଥିବ । ସମସ୍ତଙ୍କ ନଜର ସେଇଠି । ମୁଣ୍ଡଫଟା ଖରା ମଧ୍ୟ ବାଧୁ ନାହିଁ ଲୋକଙ୍କୁ । ମଝିରେ ଗୋଲାକୃତିର ଏକ ସ୍ଥାନ ଛାଡ଼ିଦେଇ ଲୋକମାନେ ବସିଗଲେଣି । ପରିଆ କେଳା ଆସିଲା । ଦଶଟା ଭାରୁଆ କୋଡ଼ିଏଟା ବଡ଼ ବଡ଼ ପେଡ଼ି ଥୋଇଦେଇ ଢକ ଢକ କରି ନଈପାଣି ପିଇଗଲେ । ପରିଆ ସମସ୍ତଙ୍କୁ ଦଣ୍ଡବତ କଲା ଓ କହିଲା–ଭାଇମାନେ, ଏକାସାଙ୍ଗରେ କୋଡ଼ିଏଟି ଅହିରାଜ ଖେଳେଇବା ସାରା ଦୁନିଆରେ ଏ ପ୍ରଥମ । ଅହିରାଜ ସବୁସାପଙ୍କ ଭିତରେ ରାଜା ବୋଲି ତା’ ନାଁ ହେଲା ଅହିରାଜ । ଏମାନଙ୍କର ଓଜନ ଭାରୁଆ କହିବେ । ମାତ୍ର ହଶହାତ ଲମ୍ୱ ହବ । ଏମାନେ ଛିଡ଼ା ହୋଇଗଲେ ପୁରୁଷକରୁ ଉଚ୍ଚା । ଗୋଟାଏ ଗୋଟାଏ ଛେଳି ମେଣ୍ଢା ଏମାନେ ଗିଳିପାରିବେ । ହେଲେ ମୁଁ ତାଙ୍କୁ ଅକ୍ତିଆର କରିଛି । ପୋଷା ମନେଇଛି । ବସ କହିଲେ ବସିବେ, ଉଠ୍‌ କହିଲେ ଉଠିବେ । ଏତକ କହି ପେଡ଼ିକି ଟିକେ ଝାଡ଼ି ଦେଲା । ପେଡ଼ିଭିତରୁ ଯୋଉ ଗର୍ଜନ ଶୁଭିଲା ସେଥିରେ ବୋପାଲୋ ବୋଲି କହି ଲୋକ ନିରାପଦ ଦୂରତ୍ୱକୁ ଛିଟିକିପଡ଼ିଲେ । ତା’ପରେ ପରିଆ କହିଲା ଭାଇମାନେ, ବର୍ତ୍ତମାନ ମୁଁ ଖେଳ ଆରମ୍ଭ କରିବି । କେହି ଛାନିଆ ହବ ନାହିଁ କି ଦଉଡ଼ାଦଉଡ଼ି କରିବ ନାହିଁ । ଆଚ୍ଛା, ତୁମମାନଙ୍କ ଭିତରେ ସବୁଠାରୁ ସାହାସୀ ଲୋକ କିଏ ଅଛି ? ଏଠିକି ଆସ । ଜଣେ ଲୋକ ଗଲା । ତା’ ହାତରେ ଖଣ୍ଡେ ଗଦ ଦେଲା ପରିଆ । ଆଉ କହିଲା, ଦେଖ, ଯଦି ମତେ ସାପ ମାରେ ଓ ମୁଁ ଅଚେତ ହୁଏ, ତେବେ ମୋ ପାଟିରେ ଏଥିରୁ ଟିକେ ପକେଇଦବ । ସେ ଲୋକଟି ସମର୍ଥନ ଜଣାଇ ନୀରବରେ ଦୂରରେ ଛିଡ଼ାହେଲା ।

 

ପରିଆ ନାଉତୁମ୍ୱା ବଜେଇ ପଦ୍ମତୋଳା ବୋଲିଲା–ଆ’.....ଗୋବିନ୍ଦ....

 

ପଦ୍ମାବତୀ ରାଣୀ.....କଂସର ଘରଣୀ

 

ତୋ’ ପୟରେ ନଲାଗଇ ଧୂଳି....ଭାଲା–ଭାଲା–ଭାଲା।

 

ପେଡ଼ି ପରେ ପେଡ଼ି ଖୋଲି କୋଡ଼ିଏଟା ପେଡ଼ି ଖୋଲିସାରିଲା । ଏତେ ବଡ଼ ବଡ଼ କୋଡ଼ିଏଟା ସାପ ଏକାସାଙ୍ଗରେ ଦେଖି ଲୋକମାନେ ଭୟଭୀତ ହୋଇ ଛିଡ଼ା ହୋଇଛନ୍ତି । କୋଡ଼ିଏଟାଯାକ ପେଡ଼ି ଉପରେ ଛିଡ଼ା ହୋଇଛି ପରିଆ । ଚାରିପଟଯାକ ସାପ ମସ୍ତ ମସ୍ତ ଆଁକରି ଫଣାଟେକି ପଦ୍ମତୋଳା ଶୁଣୁଛନ୍ତି । ପଦ୍ମତୋଳା ବନ୍ଦ ହୋଇଗଲେ ଚୋଟେଲେଖା ମାରୁଛନ୍ତି ପରିଆକୁ, କିନ୍ତୁ ପରିଆ ଅଟକେଇଦେଉଛି ।

 

ପରିଆ ପଦ୍ମତୋଳା ବୋଲି ସାରି ନୟାନ୍ତ ହୋଇଗଲାଣି । ପେଡ଼ି ପରେ ପେଡ଼ି ଖୋଲୁଛି ମାତ୍ର କୌଣସି ସାପ ପେଡ଼ିକି ଯିବାକୁ ଇଚ୍ଛା କରୁନାହାନ୍ତି । ସେମିତି ଲାଞ୍ଜରେ ଛିଡ଼ାହୋଇ ପବନରେ ଝୁଲୁଛନ୍ତି ଓ ସୁ ସୁ ଗର୍ଜନ ଛାଡ଼ୁଛନ୍ତି । ପରିଆ ମଝିରେ କାକୁସ୍ଥ ହୋଇ ଛିଡ଼ା ହୋଇଛି । ଯେତେ ନିବେଦନ କଲେ ମଧ୍ୟ ସେମାନେ ପେଡ଼ିରେ ପଶିବାକୁ ନାରାଜ । ହଠାତ୍‌ ଗୋଟିଏ ଅହିରାଜ ପରିଆ ଛାତିରେ ଚୋଟମାରି ତା’ ଦେହଯାକ ଗୁଡ଼େଇ ହେଇଗଲା ଓ ପୂର୍ବରୁ ଶିକ୍ଷା କରିଥିବା ପରି ଅନ୍ୟ ସାପମାନେ ସଙ୍ଗେ ସଙ୍ଗେ ଏକ ଏକ ଚୋଟ ପକେଇ ପରିଆ ଦେହଯାକ ଗୁଡ଼େଇ ହେଇଗଲେ । ପରିଆର ଦେହ ଆଉ ଦିଶୁନଥାଏ, କେବଳ ପଗଡ଼ିରୁ କିଛି ଅଂଶ ଦିଶୁଥାଏ । ସମସ୍ତେ ଭାବୁଥାଆନ୍ତି ପରିଆର ଏ ଏକ ନୂଆ ଖେଳ । କ୍ରମେ ସାପମାନେ ପରିଆ କେଳାକୁ ଟେକି ଟେକି ପାହାଡ଼ ଖୋଲକୁ ନେଇଗଲେ । ନେଇଗଲାବେଳେ ପରିଆ କ୍ଷୀଣ ସ୍ୱରରେ କଅଣ କହୁଥିଲା, ମାତ୍ର ସାପଙ୍କ ଗର୍ଜନ ଭିତରେ କିଛି ଶୁଭୁନଥିଲା ।

 

ପ୍ରଚଣ୍ଡ ସୂର୍ଯ୍ୟର ତେଜ କମିଆସୁଥିଲା । ଅପରାହ୍ନର ଛାଇଆଲୁଅ ସାଙ୍ଗକୁ ଶୀତଳ ପବନ ମନକୁ ବେଶ୍‌ ହାଲୁକା କରୁଥିଲା । ପରିଆର ପରାକ୍ରମ ନୀଳ ଆକାଶରେ ପତଳା ମେଘଖଣ୍ଡ ପରି ଉଡ଼ିବୁଲୁଥିଲା ।

 

(ଝଂକାର–ଏପ୍ରିଲ–୧୯୭୬)

Image

 

କ୍ରୋଧୀ ରାଜା ଓ ଧୂର୍ତ୍ତ ନାପିତ ଉପାଖ୍ୟାନ

ରତ୍ନାକର ଚଇନି

 

ରାଜ୍ୟସାରା ସେଦିନ ଏଇକଥାହିଁ ଥିଲା ପ୍ରଧାନ ଚର୍ଚ୍ଚାର ବସ୍ତୁ, ଠିକ୍‌ ଗୋଟାଏ ଅଜଣା ଅଦେଖା ସଇତାନ ସମସ୍ତଙ୍କ ମନରେ ପଶି ଦେହ–ମୁହଁକୁ କାବୁ କରିଦେଲା ଭଳି ଏ କଥାଟି ସମସ୍ତଙ୍କୁ ସେମିତି କରିଦେଇଥିଲା । ସେଦିନ କେହି କାହାକୁ ଦେଖି ମନଖୋଲି ହସି ପଦେ କଥା ହେବାକୁ ଉଚିତ ମନେ କରୁନଥିଲେ । ସତେ କି ସମସ୍ତେ ଗୋଟିଏ ଗୋଟିଏ ଯନ୍ତ୍ରଚାଳିତ ଖେଳନା-। କେହି କାହାକୁ ଚାହିଁ ହସିଲେବି ମାପିଚୁପି ହସୁଥିଲା; ତା’ପରେ ଆଗକୁ ପଛକୁ ଚାହିଁ ଦେଉଥିଲା ଦୁଇଥର । କାଳେ କିଏ ଦେଖି ମନରେ କଅଣ ଭାବିଦେଇ ଥିବାର ସନ୍ଦେହ ହେଉଥିଲା-। କାହାର କଅଣ ହୋଇଚି, କେହି ସ୍ପଷ୍ଟ ଭାବରେ କାହା ସହିତ ଆଲୋଚନା କରୁନଥିଲେ ।

 

ପୂର୍ବଦିନ ରାତିରୁ ରାଜ୍ୟସାରା ଜରୁରୀ ପରିସ୍ଥିତି ଜନିତ ଫତୁଆ ଜାରି ହୋଇଯାଇଥିଲା-। ଅତ୍ୟଧିକ ପୁତ୍ର ସ୍ନେହଶୀଳା ରାଜମାତା ନିଜେ ଏ ଆଦେଶକୁ ପ୍ରଚାର ପାଇଁ ଦେଇଥିଲେ । ନିର୍ଦ୍ଦେଶନାମାରେ ଆହୁରି ମଧ୍ୟ ପ୍ରକାଶ ପାଇଥିଲା, ‘କେହି ଏହାକୁ ଅବଜ୍ଞା କଲେ କିମ୍ୱା ଉପହାସ କଲେ କାନ୍ଧରୁ ମୁଣ୍ଡଖସିବ କିମ୍ୱା କାରାରୁଦ୍ଧ ହୋଇରହିବ, ଅବଶ୍ୟ’’...। ତେଣୁ ସେଦିନ କେହି ଫରକାତିଆ କରି ହସୁ ନଥିଲେ କିମ୍ୱା ଉଚ୍ଛୃଙ୍ଖଳତା ପ୍ରକାଶ କରୁନଥିଲେ । ଯଦି ଅବା କାହା ପାଟିରୁ ହସ ମୁଠାଏ ଅକସ୍ମାତ ଖସିପଡ଼ୁଥିଲା, ସେ ସନ୍ଦେହକରି ନିକଟରେ ଥିବା ଲୋକମାନଙ୍କୁ ଚାହୁଁଥିଲା-। କାରଣ କାଳେ ଯଦି କିଏ ରାଜାଙ୍କ କାନରେ ଫୋଡ଼ିଦେଲା, ତେବେ ଦଫାରଫା ହେଲା ଜାଣ । ରାଜମାତାଙ୍କର ପୁନଶ୍ଚ ଆଦେଶ ଥିଲା, ଏ ବାବଦରେ ସମସ୍ତଙ୍କ ଗଠନମୂଳକ ମତାମତ ରାଜଦରବାରରେ ସପ୍ତଦିବସ ମଧ୍ୟରେ ପହଞ୍ଚିବା ଦରକାର । ସେଥିପାଇଁ ରାଜ୍ୟ ଲୋକେ ଯନ୍ତ୍ରବତ୍‌ ଗମନାଗମନ କରୁଥିଲେ । ସମ୍ଭବତଃ ଗଠନମୂଳକ ମତାମତ ଦେବା ପାଇଁ ଚିନ୍ତା କରୁଥିଲେ ।

 

କଥାଟା ସେମିତି କିଛି ବଡ଼ ଧରଣର ନଥିଲା । ରାଜ୍ୟର ତରୁଣ ରାଜାଙ୍କର ମୁଣ୍ଡବାଳ ଅତ୍ୟଧିକ ପରିମାଣରେ ପତନ ହେବାକୁ ଲାଗିଲା । ସାମନା ପଟଟା ଏକବାରେ ଫରଚା ଦେଖାଗଲା । ରାଜାଙ୍କ ପାଇଁ ଏଗାର ବର୍ଷ ରାଜ୍ୟଶାସନ କରିଥିବା ରାଜମାତାଙ୍କୁ ଏହା ଭଲଲାଗିଲା ନାହିଁ । ସେ ଏହାକୁ ଏକ ଅଶୁଭ ସଙ୍କେତ ବୋଲି ଭାବିଲେ । ଉତ୍ତରାଧିକାରୀ ସୂତ୍ରରେ ସେ ତାଙ୍କୁ ରାଜ୍ୟ ଦେଲେ; ଅଥଚ ରାଜଶୋଭା ନଦେଲେ ଗୁରୁତ୍ୱ ମୋଟେ ରହିବ ନାହିଁ । ତା’ ଛଡ଼ା ତରୁଣ ରାଜା ଥିଲେ ବଡ଼ କ୍ରୋଧୀ ଏବଂ ଏକଜିଦିଆ । କେତେବେଳେ ସେ ଯଦି କଅଣ ଗୋଟାଏ ଜିଦ୍‌ଧରି ବସିବେ, ତେବେ ତ ସବୁ ସଇଲା । ତେଣୁକରି ରାଜମାତା ପୁତ୍ରର ଭବିଷ୍ୟତ ମଙ୍ଗଳାର୍ଥେ ଜରୁରୀ ହୁକୁମନାମା ଜାରି କରିଥିଲେ । ରାଜା କେଶହୀନ ହେଉଥିବା ସମସ୍ୟାର ଆଶୁ ସମାଧାନ ପାଇଁ ସେ ବିହିତ ପଦକ୍ଷେପମାନ ନେଇଥିଲେ ।

 

ସପ୍ତଦିବସାନନ୍ତରେ ଦେଖାଗଲା ଲୋକେ ଏ ନୂତନ ପରିସ୍ଥିତିରେ ଅଭ୍ୟସ୍ତ ହୋଇଗଲେ-। ଅନେକ ଭାବିଲେ ଏଭଳି ଆଦେଶନାମା ସବୁଦିନେ ମୁଣ୍ଡଉପରେ ଝୁଲିଲେ କିଛି କ୍ଷତି ନାଇଁ । ଏକପ୍ରକାର ଚଳିଯାଉଚି, କିଛି ଅସୁବିଧା ହେଉନି । ଆହୁରି କେତେକ ଏ ଅବସ୍ଥାର ସ୍ତୁତିପାଠ କରିବାକୁ ଲାଗିଲେ । ଇତିମଧ୍ୟରେ ଗଠନମୂଳକ ମତାମତ ନାମରେ ରାଜଦରବାରରେ ଯେଉଁ କାଗଜ ଖଣ୍ଡମାନ ଆସି ଗଦାହେଲା, ତାହା ଠୁଙ୍ଗା ଶିଳ୍ପ ଉପଯୋଗୀ ବୋଲି ରାଜ୍ୟର ମନ୍ତ୍ରୀପରିଷଦ ସୁପାରିଶ କଲା । ପରିଶେଷରେ ରାଜା ସେଥିରୁ ନିବୃତ୍ତ ହେବା ପାଇଁ ଦୋହରା ସଂଶୋଧନୀ ଫତୁଆ ଜାରି କରିବାକୁ ବାଧ୍ୟ ହେଲେ । କାରଣ ଏହାଦ୍ୱାରା ସମସ୍ୟା ସମାଧାନ ହେବା ପରିବର୍ତ୍ତେ ସମସ୍ୟା ବଢ଼ିଲା । ଲୋକେ ବ୍ୟକ୍ତିଗତ ଅଭାବ ଅସୁବିଧା ଲେଖିଲେ ଏବଂ କେହି କେହି ତାଙ୍କର ତଦ୍ରୂପ କେଶ ପତନ ହେଉଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ ।

 

ଏହି କାଳରେ ଯେ କେତେକ ନିହାତି ଦାନ୍ତ ନିକୁଟିଆ ବାହାରିନଥିଲେ ତା’ ନୁହେଁ । କେତେକ ଜାଣିଶୁଣି ସମସ୍ତଙ୍କ ଆଗରେ ଏ ଜାତୀୟ ସମସ୍ୟାକୁ ଦାନ୍ତ ଦେଖାଇ ଉପହାସ କରିବାକୁ ସେମାନେ କାରାରୁଦ୍ଧ ହେଲେ । ଆଉ କେତେକ ଲୁଚିଛପି ଦାନ୍ତ ନିକୁଟୁଥିବା କଥା ଖୁଞ୍ଚାଣିଆ ଓ କାନହୁକାମାନେ ସୂଚନା ଦେବାରୁ ତାଙ୍କୁ ସବୁ ବାନ୍ଧି ନିଆଗଲା । ଦିନ କେଇଟା ଭିତରେ ଜେଲଖାନା ଭରିଗଲା । ରାଜା ଦେଖିଲେ ତଥାପି ତାଙ୍କର ବାଳ ଉପୁଡ଼ିବା ବନ୍ଦ ହେବାର ପନ୍ଥା ବାହାରିଲା ନାହିଁ । ହଠାତ୍‌ ଦିନେ ତାଙ୍କ ମୁଣ୍ଡକୁ ଗୋଟିଏ ନୂଆ ବୁଦ୍ଧି ଜୁଟିଲା । ସେ ତତ୍‌କ୍ଷଣାତ ଗୋଟିଏ ତଟକା ଫତୁଆ ଜାରି କରିଦେଲେ–‘‘ରାଜ୍ୟର ଯେତେ ଡାକ୍ତର, କବିରାଜ, ବୈଦ୍ୟ ଓ ଟୁଣୁଟୁଣୁକିଆ ଅଛ–ସମସ୍ତେ ଜାଣିରଖ । ଆଗାମି କୋଡ଼ିଏ ଦିନ ଭିତରେ ଯଦି ବାଳ ଉପୁଡ଼ା ବନ୍ଦ ହେବାର ମହୌଷଧି ଆବିଷ୍କାର ନକର ତେବେ ତୁମ୍ଭମାନଙ୍କୁ ହତ୍ୟା କରାଯିବ ଏବଂ ତୁମ ପିଲାଛୁଆ ଓ ସ୍ତ୍ରୀଙ୍କୁ ନିର୍ବୀର୍ଯ୍ୟକରଣ କିମ୍ୱା ବନ୍ଧ୍ୟାକରଣ କରାଯିବ ।’’

 

ପୁରୁଣା ଆଦେଶ ଯୋଗୁଁ ତ ଲୋକେ ଚିନ୍ତାଶୀଳ ଓ ମୌନଭାବ ଅବଲମ୍ୱନ କରିସାରିଥିଲେ । ମାତ୍ର ପୁନର୍ବାର ଏହି ଆଦେଶ ଗୋଟାଏ ନିର୍ଦ୍ଦିଷ୍ଟ ସଂପ୍ରଦାୟ ଲୋକଙ୍କ ମନରେ ବିରାଟ ଝଡ଼ ସୃଷ୍ଟି କରିଦେଲା । କ୍ରମଶଃ ଗୋଟାଏ ପରେ ଗୋଟାଏ ଦିନ ଅତିକ୍ରାନ୍ତ ହେବାରୁ ଏମାନେ ଆସନ୍ନ ମୃତ୍ୟୁଦିବସକୁ ହିସାବ କରିବାକୁ ଲାଗିଲେ । କାରଣ ପୃଥିବୀର କୌଣସି ଦେଶରେ ମୁଣ୍ଡବାଳ ଉପୁଡ଼ା ବନ୍ଦ ହେବାର ଔଷଧ ବାହାରି ନାହିଁ ବୋଲି ସେମାନେ ଇତିମଧ୍ୟରେ ବୁଝିସାରିଥିଲେ । ‘‘ଏହି ଔଷଧ ଯିଏ ଆବିଷ୍କାର, କରିବ ସେ ପୃଥିବୀର ସବୁଠାରୁ ଧନୀ ଲୋକ ନିଶ୍ଚୟ ହେବ, ଏହା ନିଃସନ୍ଦେହରେ କୁହାଯାଇପାରେ । ତଥାପି ରଜା ଗୋଜା; ଯାହା ବୁଝିଥିବେ ସେଇୟା । ତାଙ୍କୁ ଅବା ଏକଥା ବୁଝାଇବାର ଜୁ କାହାରଅଛି ।’’ ଏଭଳି ମତ ପ୍ରକାଶ ବ୍ୟତୀତ ଏମାନେ ନାନା ସ୍ଥାନରେ ଏକତ୍ର ହୋଇ ଗୁପ୍ତରେ କଅଣ କରିବେ ଚିନ୍ତା କରିବାକୁ ଲାଗିଲେ । କିଛି ବୁଦ୍ଧିବାଟ କାହାରି ମୁଣ୍ଡକୁ ଜୁଟିଲା ନାହିଁ । ସେମାନଙ୍କ ମଧ୍ୟରୁ କେତେକ ମୃତ୍ୟୁ ସନ୍ନିକଟ ହେତୁ ନିଜର ଶେଷ ଇଚ୍ଛା ପୂରଣ ପାଇଁ ଉଦ୍ୟମ କରିବାକୁ ଲାଗିଲେ ।

 

ମୃତ୍ୟୁର ଅନ୍ତିମ ଘଣ୍ଟା ପାଖେଇ ଆସୁଥିଲା । ଅଠର ଦିନ ଅତିକ୍ରାନ୍ତ କରିଯିବାକୁ ବସିଲାଣି । ସେଦିନ ମୁଲକଯାକର ମୁତ୍ୟୁ ପ୍ରତ୍ୟାଶୀ ଆରୋଗ୍ୟକାରୀଗଣ ଏକତ୍ର ହୋଇ ଆସନ୍ନ ସମସ୍ୟାର ନିଦାନ ଅଧ୍ୟୟନ କରୁଥିଲେ । ସେଠାରେ ଉପସ୍ଥିତ ଆରୋଗ୍ୟକାରୀଙ୍କ ମଧ୍ୟରୁ କେତେକ ବାତୁଳ ପ୍ରାୟ, କେତେକ ମୂକ ଓ ଶୁଷ୍କ ଏବଂ କେହି କେହି ଅସଂଯତ କେଶବାସ ହୋଇଆସିଥିଲେ । ଗୋଟାଏ ବ୍ୟାଧିତ କୁତୂହଳ ନେଇ ସେମାନେ ସେଠି ଆସି ପହଞ୍ଚିଥିଲେ । କେହି ସେଠି ଉପସ୍ଥିତ ହେଉ ନହେଉଣୁ ଦୀର୍ଘଶ୍ୱାସ ଛାଡ଼ି କହିଥିଲା ମରଣ କାଳେ ନିଦ୍ରାଗଲେ, ଯମ କି ଛାଡ଼ିଦେବ ଭଲେ’ । ଆଉ କେହି କେହି ବୟସ୍କ ପ୍ରତିନିଧି କହୁଥିଲେ, ‘ଭଜ ଗୋବିନ୍ଦମ୍‌, ସ୍ମର ଗୋବିନ୍ଦମ୍‌ ।’ ମୋଟ ଉପରେ କାହାରି ପାଖରେ ଆନନ୍ଦ ନଥିଲା କି ପ୍ରାଣସ୍ଫୂର୍ତ୍ତି ନଥିଲା । ମାତ୍ର ସେମାନଙ୍କ ଭିତରୁ ଜଣେ ଲୋକ ଟିକିଏ ସତେଜ ଏବଂ ଉଲ୍ଲସିତ ଥିବାର ଲକ୍ଷ୍ୟ କରିହେଉଥିଲା ।

 

ସେ ଲୋକଟାର ଗତିବିଧି କ୍ରମଶଃ ଜଣକରୁ ବହୁ ଜଣଙ୍କର ଦୃଷ୍ଟି ଆକର୍ଷଣ କଲା । କେହି କେହି ତାକୁ ଖୁଞ୍ଚାଣିଆ ରାଜପ୍ରତିନିଧି ବୋଲି ସନ୍ଦେହ କଲେ । ହେଲେ ତା’ର ପୋଷାକପତ୍ର ଓ ଚାହାଣୀର ଭାବଭଙ୍ଗୀ କହିଦେଉଥିଲା, ସତେ ଯେପରି ଜଣେ ଦୀର୍ଘ ହତାଶିଆ ଲୋକ–କୋଉଠୁ ଥୋଡ଼ୀଏ ଖଣ୍ଡେ କିଛି ପାଇଯାଇଛି । ସେ ଲୁଚାଇବାକୁ ଚେଷ୍ଟା କଲେବି ତା’ ମୁହଁ ତାକୁ ଧରା ପକାଇଦେଉଛି । ଘଟଣାଟା ଗୁମ୍‌ସୁମ୍‌ ଭିତରେ ବେଶି ସମୟ ରହିପାରିଲା ନାହିଁ । ଜଣେ ବୟସ୍କ ଟୁଣୁଟୁଣିକିଆ ପ୍ରଶ୍ନ କରି ଉଠିଲେ–ଆମ୍ଭମାନଙ୍କ ଶୋକାପ୍ଳୁତ ପରିବେଶରେ ଭଗବାନ୍‌ କି ନିମନ୍ତେ ଉଲ୍ଲସିତ ଅଛନ୍ତି କହିବା ହେବେ କି ? ଜଣେ ଯୁବ ଡାକ୍ତର ପ୍ରତିନିଧି ମଧ୍ୟ ଅନୁରୂପଭାବେ ପଚାରିଦେଲେ–ଆପଣଙ୍କର ପରିଚୟ ?

 

ଯୁବକର ପ୍ରଶ୍ନ ଶୁଣିବା ପରେ ଉଲ୍ଲସିତ ବ୍ୟକ୍ତିଟି ଠିଆହୋଇପଡ଼ି ସଭାସଦ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ଯୋଡ଼ହସ୍ତରେ ପ୍ରଣାମ ଜଣାଇଲା । ସମସ୍ତେ ତା’ ଆଚରଣରେ ମୁଗ୍‌ଧ ହୋଇ ସେ ରାଜକର୍ମୀ କିମ୍ୱା ଖୁଞ୍ଚାଣିଆ ନୁହେଁ ବୋଲି ମତପରିବର୍ତ୍ତନ କରିବାକୁ ଲାଗିଲେ । ଏଥର ସେ କହିଲା–ଭ୍ରାତୃବୃନ୍ଦ । ମୁଁ ଆପଣମାନଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ଦେଇପାରିବି । ଏ କଥା ପଦକ ଶେଷ ନହେଉଣୁ ସଭାରେ ଚାଞ୍ଚଲ୍ୟ ଖେଳିଗଲା । ବାତୁଳ ଉଦ୍‌ଗ୍ରୀବ ହୋଇ ତା’ ମୁହଁକୁ ଚାହିଁରହିଲା । ଶୁଷ୍କ ସତେଜ ହୋଇ ମୁହଁରେ ହସ ଉକୁଟାଇଲା । ମୂକ ମୁହଁରେ ଭାଷାର ଖଇବାଣ ଫୁଟିଲା । ଅସଂଯତ କେଶବାସ ହୋଇ ବସିଥିବା ଲୋକମାନେ ନିଜ ଲୁଗାପଟାକୁ ସଜାଡ଼ି ନେଇ ତା’ ମୁହଁକୁ ଟାକି ରହିଲେ.....‘‘ସତେ; ଏହା କଅଣ ସମ୍ଭବ ? ଏଇ କଅଣ ସତ କହୁଚି ?’’

 

ଉଲ୍ଲସିତ ଥିବା ଲୋକଟି ଏଥର ପୁଣି କହିଲା ‘ମୁଁ ଜଣେ ବୈଦକର୍ମା । କୌଳିକ ବୃତ୍ତିରେ ମୁଁ ନାପିତ.....ଏତକ ଶୁଣି ପଛରେ ବସିଥିବା ଜଣେ ମଧ୍ୟମ ବୟସ୍କ ପ୍ରତିନିଧି କହି ଉଠୁଥିଲେ , ‘ନରାଣାଂ ନାପିତ’....। ତାଙ୍କ କଥା ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ସୁଯୋଗ ଦିଆଗଲା ନାହିଁ । ଜନୈକ ବୃଦ୍ଧ ପ୍ରତିନିଧି ହଠାତ୍‌ ତାଙ୍କ ପାଟିକୁ ଚାପିଧଇଲେ । ଚୁପ୍‌ ଚୁପ୍‌ କରି ତା’ କାନ ପାଖରେ କହିଲେ–‘‘ମରଣକୁ କଅଣ ଭୟ ନାହିଁକି ? ସେ କଅଣ କହୁଛନ୍ତି ଶୁଣ’’ । ନାପିତ ବୈଦ୍ୟ କହି ଚାଲିଲେ–‘‘ମୁଁ ରାଜାଙ୍କୁ ମୁଣ୍ଡବାଳ ନଉପୁଡ଼ିବାର ଔଷଧ ଆଣିଦେବା ସଙ୍ଗେ ସଙ୍ଗେ ଆପଣମାନଙ୍କୁ ଆସନ୍ନ ମୃତ୍ୟୁମୁଖରୁ ରକ୍ଷା କରିପାରିବି । ମାତ୍ର ସେଥିପାଇଁ ବହୁ ଆୟସ ଓ ଅର୍ଥ ଆବଶ୍ୟକ । ଆମ ହାତରେ ଆଉ ମୋଟେ ଦୁଇଦିନ ସମୟ । ଆପଣମାନେ ଯଦି ପ୍ରତ୍ୟେକେ ଏକ ଶତ ଲେଖାଁ ମୁଦ୍ରା ମତେ ଆଜି ଆଣିଦେବେ ତେବେ ଏ କାର୍ଯ୍ୟ ସମ୍ଭବ ହେବ.... ।’’

 

ନାପିତ ବୈଦ୍ୟକଥା ଶେଷ ନହେଉଣୁ ଉପସ୍ଥିତ ଆରୋଗ୍ୟକାରୀଗଣ ଖପ୍‌ଖାପ୍‌ ଡେଇ ପଡ଼ିଉଠି ଯେ ଯାହାର ଘରକୁ ଧାଇଁଲେ । କାହାର କଛା ଖୋଲିଗଲାଣି ତ ସେ ଆଡ଼କୁ ନଜର ନାହିଁ-। କାହାର ଗୋଡ଼ହାତ ଖଣ୍ଡିଆ ହୋଇ ରକ୍ତ ଝରିଲାଣି ତ, ସେଥିପ୍ରତି ଭ୍ରୁକ୍ଷେପ ନାହିଁ । ଖୁବ୍‌ କମ ସମୟ ଭିତରେ ନାପିତ ବୈଦ୍ୟ ଦଶ ସହସ୍ରାଧିକ ଟଙ୍କାଧରି ସମସ୍ତଙ୍କୁ ଆଶ୍ୱାସନା ଦେଇ ଘର ମୁହାଁ ହେଲା । ଘରେ ପହଞ୍ଚି ସେ ସମସ୍ତ ଅର୍ଥ ପୁତ୍ର ହସ୍ତରେ ଅର୍ପଣ କରିଦେଲା । ତା’ର ପିତୃପିତା ଅମଳର କୌଳିକ ବୃତ୍ତି ସରଞ୍ଜାମତକ ଖୋଜିଆଣି ପୁତ୍ରହସ୍ତରେ ଦେଲା ତା’ପରେ କହିଲା–‘‘ଦେଖ୍‌ ପୁଅ, ତୁ ଏଥର କୌଳିକ ବୃତ୍ତିରେ ଲାଗିଯା’ । ମୁଁ ନିଜ ବୃତ୍ତି ଛାଡ଼ି ଇଆଡ଼େ ପଶିଲାରୁ ମୋର ଆଜି ଏ ଦଶା । ତୁ ଆଉ କୌଣସି ଆଡ଼େ ଆଖିପକାନା । ଟଙ୍କାତକ ତୋର କାମରେ ଲାଗିବ । ଯିଏ ପଚାରିଲେ ତୁ ନାପିତ ପୁତ୍ର ବୋଲି କହିବୁ–ବୈଦ୍ୟ ପୁତ୍ର ନୁହେଁ । ମୋ ଆଶା ଛାଡ଼ି ଥା, ମତେ ମରଣ ସହିତ ଲଢ଼େଇ କରିବାକୁ ପଡ଼ିବ ।’’

 

ପୁତ୍ରକୁ ଆଶ୍ୱସ୍ତ କରାଇ ପରଦିନ ପ୍ରଭାତରୁ ସେ ଗୋଟିଏ ଛୋଟିଆ ବାକ୍‌ସରେ ଜିନିଷପତ୍ର ଧରି ରାଜସଭାରେ ଯାଇ ଉପସ୍ଥିତ ହେଲା । ରାଜାଙ୍କ ପାଇଁ ଔଷଧ ଆଣିଥିବା କଥା କହିବାରୁ ପାରିଷଦ ଲୋକେ ରାଜସଭାରେ ଅପେକ୍ଷା କରିବାକୁ ସୁଯୋଗ ଦେଲେ । ଦିନ ଅର୍ଦ୍ଧଧିକ ଅତିବାହିତ ହେବାପରେ ରାଜା ନିତ୍ୟକର୍ମ ସମାପନ କରି ରାଜସଭାକୁ ଆସିଲେ । ଔଷଧ ମିଳିଥିବା କଥା ସେଦିନରୁ ଅଗ୍ରଗଣ୍ୟ ସମ୍ୱାଦ ହୋଇଥିବାରୁ ତାହା ପ୍ରଥମେ ତାଙ୍କ ପାଖରେ ପରିବେଷଣ କରାଗଲା । ନାପିତ ବୈଦ୍ୟ ରାଜାଙ୍କ ଡାକରା ପାଇ ତାଙ୍କ ନିକଟକୁ ଯାଇ ଗୋଟାଏ ସାଷ୍ଟାଙ୍ଗ ପ୍ରଣିପାତ କଲା । ତତ୍ପରେ କହିଲା, ‘‘ମଣିମା, ଅନୁମତି ଦେଲେ ଅଧମ ରୋଗର ନିଦାନ ଅନୁଧ୍ୟାନ କରି ଔଷଧ ଦେବାକୁ ସମର୍ଥ ହେବ । ଏ ମୁଣ୍ଡକୁ ଶ୍ରୀପାଦରେ ସମର୍ପଣ କରି ସେ ମୁଣ୍ଡର ଦାୟିତ୍ୱ ନେବାକୁ ଅଧମ ସାହସ କରିବ’’ ।

 

ରାଜା ସଙ୍ଗେ ସଙ୍ଗେ ଅନୁମତି ପ୍ରଦାନ କଲେ । ନାପିତ ବୈଦ୍ୟ ରାଜାଙ୍କ ନିକଟକୁ ଯାଇ ତାଙ୍କ ମୁଣ୍ଡକୁ ବିଭିନ୍ନ ଭଙ୍ଗୀରେ ରଖି ଆଖିକୁ ବିଭିନ୍ନ ଆକୃତି କରି ଦେଖିବାକୁ ଲାଗିଲା । ଗୋଟିଏ ଫିତା ସାହାଯ୍ୟରେ ତାଙ୍କ ଚନ୍ଦାତ୍ୱକୁ ମଧ୍ୟ ମାପିବାକୁ ଲାଗିଲା । ମଝିରେ ମଝିରେ ଚନ୍ଦା ଜାଗାରେ ଟିପାମାରି ସେ ଶବ୍ଦ ସବୁକୁ କାନପାରି ଶୁଣିଲା । ରାଜାଙ୍କୁ ଏହା ବଡ଼ କଷ୍ଟକର ତଥା ଲଜ୍ଜାସ୍ପଦ ମନେହେଉଥିଲେହେଁ ଚନ୍ଦା ଦୂରୀକରଣ ପାଇଁ ସେ ନୀରବ ରହିଲେ । କିୟତ୍‌ ସମୟ ପରେ ନାପିତ ବୈଦ୍ୟ ସାଙ୍ଗରେ ନେଇଥିବା ବାକ୍‌ସଟି ଖୋଲିଦେବାକୁ ରାଜସଭା ମହକିତ ହୋଇଉଠିଲା । ସମସ୍ତେ ବୈଦ୍ୟର ଔଷଧ ନିଶ୍ଚୟ ଉନ୍ନତ ହୋଇଥିବ ବୋଲି ଅନୁମାନ କରିନେଲେ । ଇତ୍ୟବସରରେ ରାଜା ନିଜକୁ ଅଧିକ ଲଜ୍ଜାରୁ ବଞ୍ଚାଇବା ପାଇଁ ସଭାଭଙ୍ଗର ଆଦେଶ ଦେଲେ । ଜଣାଇଦିଆଗଲା ଯେ, ‘‘ରାଜା ଆଜି ଔଷଧ ଗ୍ରହଣ କରୁଥିବାରୁ ଅଦ୍ୟ କୌଣସି ଆପତ୍ତି ଅଭିଯୋଗ ଶୁଣିବେ ନାହିଁ ।’’

 

ନାପିତ ତା’ ନିଜ ବାକ୍‌ସରୁ ବିଭିନ୍ନ ରଙ୍ଗର ଶିଶି ସବୁ କାଢ଼ି ଚିନ୍ତାଶୀଳ ଦୃଷ୍ଟିରେ ସେସବୁକୁ ଚାହିଁ ବାକ୍‌ସରେ ଥୋଇଦେଉଥିଲା, ପୁଣି କଢ଼ୁଥିଲା ଏବଂ ପୁନଶ୍ଚ ରଖିଦେଉଥିଲା । ଶେଷରେ ଗୋଟିଏ ପୀତଲୋହିତ ବର୍ଣ୍ଣର ଶିଶିକାଢ଼ି ରାଜାଙ୍କ ହାତକୁ ବଢ଼ାଇଦେଲା । ଏଥର ପୁଣି ଯୋଡ଼ହସ୍ତରେ ସେ କହିଲା–‘‘ମଣିମା, ଯଦି ଏ ମୁଣ୍ଡ ରଖିବେ ତେବେ ଔଷଧ ବ୍ୟବହାର ସମ୍ପର୍କରେ କିଛି କହିବି’’ । ରାଜା ବିନା ବିଳମ୍ୱରେ ସବୁକଥା ପ୍ରକାଶ କରିବାକୁ ଆଦେଶ ଦେଲେ । ନାପିତ କହିଲା–‘‘ମଣିମାଙ୍କୁ ଠିକ୍‌ ସୂର୍ଯ୍ୟୋଦୟବେଳକୁ ଉଠିବାକୁ ପଡ଼ିବ ଏବଂ ପଦ୍ମାସନରେ ବସି, ପୂର୍ବ ଦିଗକୁ ଚାହିଁ, ଡାହାଣ ହସ୍ତରେ ଏ ମଲମ ଢାଳି ନିଜ ମଥାରେ ଏକ ଘଣ୍ଟାକାଳ ସାତଦିନ ଘସିବାକୁ ପଡ଼ିବ । ଅବଶ୍ୟ ଅତି ସାବଧାନତାର ସହିତ ଏସବୁ ନିୟମ ମାନିବାକୁ ହେବ’’ ।

 

ଏକଥା ଶୁଣିବା ମାତ୍ରେ ରାଜାଙ୍କମଥାରେ ଅସଂଖ୍ୟ କୁଞ୍ଚନ ଦେଖାଦେଲା । ଏବଂ ସେ କିଛି ସମୟ ଚିନ୍ତାଶୀଳ ହୋଇପଡ଼ିଲେ । ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା ଆଜିଯାଏ ତ ତାଙ୍କ ଜୀବନରେ ସମ୍ଭବ ହୋଇପାରି ନାହିଁ । ତା’ ଛଡ଼ା ପଦ୍ମାସନରେ ବସିବା ଆହୁରି କାଠିକର ପାଠ । ହଉ, ଦେଖାଯାଉ । ମୁଣ୍ଡବାଳ ପାଇଁ ଏତକ କଷ୍ଟ କରିବାକୁ ହେବ । ରାଜା ଏଥର ଖୁସିମନ ହୋଇ ଔଷଧ ମୂଲ୍ୟ ସମ୍ୱନ୍ଧରେ ପ୍ରଶ୍ନ କଲେ । ନାପିତ କହିଲା–‘‘ଅଧମ ମଣିମାଙ୍କ ଲୁଣ ଖାଇ ଜୀବନଧାରଣ କରିଛି । କାର୍ଯ୍ୟ ସଫଳ ହେଲେ ସେ ବଳେ ଆସି ପ୍ରାପ୍ୟ ମାଗିନେବାରେ ହେଳା କରିବ ନାହିଁ ।, ରାଜା ତା’ର ବିନୟଭାବରେ ମୁଗ୍‌ଧ ହୋଇଯାଇଥିଲେ । ସେ ତୁରନ୍ତ ଏକସହସ ମୁଦ୍ରା ଅଗ୍ରୀମ ଦେବାକୁ ଆଦେଶ ଦେଲେ । ନାପିତ କୁଣ୍ଠାପ୍ରକାଶ ପୂର୍ବକ ଅର୍ଥଗ୍ରହଣ କରି ରାଜାଙ୍କଠାରୁ ବିଦାୟ ନେଲା । ନାପିତ ସେଦିନ ରାଜସଭାର ସମ୍ମାନସ୍ପଦବ୍ୟକ୍ତି ପାଲଟିଯାଇଥିଲା । କାରଣ ସେ ରାଜାଙ୍କ ମୁଣ୍ଡକୁ ମନେଇଛି, ମୋଡ଼ି ସେଥିରେ ପୁଣି ଟଣ୍‌କି ମାରିପାରିଥିଲା । ଏପରି କରିବା ସାଧାରଣ ଲୋକ ପକ୍ଷରେ ମୋଟେ ସମ୍ଭବ ନୁହେଁ । ସାଧାରଣତଃ ରାଜାଙ୍କ ସ୍ପର୍ଶ ପାଇବାକୁ ସମସ୍ତେ କୋଟିଜନ୍ମର ତପସ୍ୟା ବୋଲି ମନେକରନ୍ତି ।

 

ନାପିତ ସଗର୍ବରେ ଅଣ୍ଡିରା ମାର୍ଜାର ଭଳି ପାଦପକାଇ ଦରବାର ହଲ ଅତିକ୍ରମ କରି ସଦରଦରଜା ପାଖରେ ଯାଇ ପହଞ୍ଚିଲା । ହଠାତ୍‌ କଅଣ ଭାବିଲାଭଳି ହୋଇ ସେ ପୁଣି ରାଜସଭାକୁ ଫେରିଆସିଲା । ପୁନଶ୍ଚ ସେ ରାଜାଙ୍କୁ ସସମ୍ମାନ ପ୍ରଣତି ଜଣାଇ କହିଲା–‘‘ମଣିମା ଏ ଅଧମର ଅପରାଧ କ୍ଷମା କରିବେ । ଆଉ ଯୋଡ଼ିଏ କଥା କହିବାକୁ ସେ ଭୁଲିଯାଇଥିଲା । ଯଦି ଅଜ୍ଞାହେବ’’... । ରାଜା ଔଷଧ ପ୍ରାପ୍ତି ଯୋଗୁଁ ଅତିଶୟ ଖୁସି ଥିଲେ । ତେଣୁ ସେ ନାପିତର ସମସ୍ତ କଥା ଶୁଣିବାକୁ ପ୍ରସ୍ତୁତ ବୋଲି କହିଲେ । ଏଥର ନାପିତ କହିଲା–‘‘ଔଷଧ ହସ୍ତରେ ଧାରଣ କଲାବେଳଠାରୁ ମଥାରେ ମାଲିସ କଲା ପର୍ଯ୍ୟନ୍ତ ମଣିମା ପଚାଅଣ୍ଡା କଥା ଭାବିରେ ନାହିଁ କିମ୍ୱା ଛିଣ୍ଡା ଯୋତା କଥା ମନେପକାଇବେ ନାହିଁ ।’’ ଏଥର ହୋ ହୋ ହୋଇ ଖୁବ୍‌ ଯୋରରେ ହସି ଉଠିଲେ ରାଜା । ତାହା ଦେଖି ବିଲୁଆପଲ ରଡ଼ିଛାଡ଼ିଲା ଭଳି ପାର୍ଶ୍ୱଚର ବୃନ୍ଦ ହସିପକାଇଲେ । ରାଜାଙ୍କୁ ପୁଣି କୋଉ ଜିନିଷ ଅପୂର୍ବ ଯେ, ସେ ଛିଣ୍ଡା ଜୋତା ଓ ପଚାଅଣ୍ଡା କଥା ଭାବିବେ ? ନାପିତ ଉପକାରୀ ହୋଇଥିବାରୁ ରକ୍ଷାପାଇଗଲା, ନଚେତ ଅନ୍ୟ କିଏ ହୋଇଥିଲେ ବର୍ତ୍ତି ନଥାନ୍ତା ଅବଶ୍ୟ ।

 

ନାପିତ ଯିବାପୂର୍ବରୁ ପୁନର୍ବାର ସତର୍କ କରିଦେଇଗଲା....‘‘ମଣିମାଙ୍କୁ କୌଣସି ଚିଜ ଅପୂର୍ବ ନୁହେଁ, ମୁଁ ଜାଣେ । ତଥାପି ଏସବୁ ପ୍ରତି ସତର୍କତା ଦରକାର ବୋଲି ଅଧମ ଫେରିଆସି କହିଲା । ଶାସ୍ତ୍ରରେ ଲେଖାଅଛି ଏହା ନମାନିଲେ ଫଳ ବିପରୀତ । ଏଥିପ୍ରତି ନିଶ୍ଚୟ ଦୃଷ୍ଟି ଦେବେ ଏବଂ ଏ ଜନିତ ଦୋଷ ଘେନା କରିବେ ନାହିଁ । ଏତକ କହିସାରି ନାପିତ ବିଦାୟନେଲା । ରାଜମାତା ଏକଥା ଶୁଣିସାରିବା ପରେ ଘଟଣାଟି ଉପରେ ଗୁରୁତ୍ୱ ଦେଲେ । ସେ ରାଜାଙ୍କୁ ଏହା ନିତାନ୍ତପାଳନୀୟ ବୋଲି ଉପଦେଶ ଦେଲେ । ତତ୍‌ପରେ ରାଜା ରାଜ୍ୟରେ ଏକ ସଦ୍ୟତମ ଫତୁଆ ଜାରି କରିଦେଲେ । ରାସ୍ତାଘାଟରେ କେହି ଛିଣ୍ଡା ଜୋତା କି ପଚାଅଣ୍ଡା ଖୋଳପା ପକାଇପାରିବେ ନାହିଁ । ଯିଏ ପକାଇଥିବାର ପ୍ରମାଣ ମିଳିବ ତାକୁ ଗୃହାନ୍ତର ନତୁବା ଭଗ୍ନ ଗୃହାଧିବାସୀ କରିଦିଆଯିବ କିମ୍ୱା ବଡ଼ ବଡ଼ ଯନ୍ତ୍ରମାନ ସାହାଯ୍ୟରେ ତାଙ୍କ ଗୃହକୁ ଧୂଳିସାତ୍‌ କରିଦିଆଯିବ ।’’ ତରୁଣ ରାଜାଙ୍କର ଏହି ନୂତନ ଅଧ୍ୟାଦେଶ ଯୁବସମାଜର ପ୍ରାଣକୁ ବେଶ୍‌ ସ୍ପର୍ଶ କଲା । ସେମାନେ ଗୋଟାଏ ଗୋଟାଏ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଢ଼ି ରାସ୍ତାଘାଟ ପରିଷ୍କାର କରିବାକୁ ଲାଗିଲେ । ଯେତେ ଯେଉଁଠି ଛିଣ୍ଡା ଜୋତା ଥିଲା ତାକୁ ଆଣି ପର୍ବତ ପ୍ରମାଣେ ଠାଏ ଗଦାକଲେ । କେହି ଯଦି ସାମାନ୍ୟ ଚିରାଫଟା କିମ୍ୱା ତାଳିପକା ଜୋତା ପିନ୍ଧି ଯାଉଥିବାର ଏହି ଯୁବକ ଦଳ ଦେଖୁଥିଲେ ସଙ୍ଗେ ସଙ୍ଗେ ତାକୁ ନଗ୍ନପାଦ କରି ଛାଡ଼ି ଦେଉଥିଲେ ଏବଂ ସେ ଜୋତାକୁ ସେଇ ଜାଗାରେ ନେଇ ଠୁଳ କରିଦେଉଥିଲେ ।

 

ଦିନେ ଯୁବକମାନେ ତାଙ୍କର କୀର୍ତ୍ତିପ୍ରଦର୍ଶନ ପାଇଁ ରାଜାଙ୍କୁ ସାଦରେ ନିମନ୍ତ୍ରଣ କରି ଆଣିଲେ ଏବଂ ବିପୁଳକାୟ ପାଦୁକାପର୍ବତ ଦର୍ଶନ କରାଇ ମୁଗ୍‌ଧ ଚକିତ କରାଇଦେଲେ । ଏହାର ସୁଫଳ ପ୍ରମାଣିତ ହେବାରୁ ରାଜବଳ ପାଇ ସେମାନେ ଅଣ୍ଡା ଦୋକାନମାନଙ୍କୁ ଚଢ଼ାଉ କଲେ । ପଚାଅଣ୍ଡା ତନଖି କରିବା ନାଁରେ ସମସ୍ତ ଅଣ୍ଡା ସାଫ୍‌ କରିଦେଲ । ରାଜ୍ୟରେ ଭରସି କରି ଆଉ କେହି ଅଣ୍ଡା ବ୍ୟବସାୟ କରିବାକୁ ଆଗ୍ରହ ପ୍ରକାଶ କଲେ ନାହିଁ । ପଚାଅଣ୍ଡାର ପ୍ରଦର୍ଶନୀ କରାଇ ସେମାନେ ପୁଣିଥରେ ରାଜାଙ୍କୁ ଡକାଇ ତାଙ୍କର ଗଠନମୂଳକ କାର୍ଯ୍ୟର ନମୁନା ପ୍ରଦର୍ଶନ କରାଇଦେଲେ । ରାଜା ଅତ୍ୟନ୍ତ ଖୁସିହୋଇ ଆଦେଶ ଦେଲେ–‘‘ଏହି ଯୁବକମାନେ ପ୍ରକୃତରେ ଦେଶପ୍ରେମୀ । ଏମାନଙ୍କୁ ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବା ଦରକାର ।’’ ରାଜନ ଆଦେଶ ପାଳନ କରିବା ପାଇଁ ମନ୍ତ୍ରୀ ପରିସଦକୁ ବିଶେଷ ସମୟ ଲାଗିନଥିଲା । କାରଣ ସେଇ ଯୁବକମାନଙ୍କ ଭିତରୁ ଅଧିକାଂଶ ଥିଲେ ତାଙ୍କରି ଭାଇ ବନ୍ଧୁ କୁଟୁମ୍ୱର ।

 

ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇସାରିଲା ପରେ ରାଜା ଔଷଧ ମାଲିସ କରିବାକୁ ସାବ୍ୟସ୍ତ କଲେ । ପ୍ରଥମେ କେତେଦିନ ଠିକ୍‌ ସୂର୍ଯ୍ୟୋଦୟ ସମୟରେ ଉଠି ନପାରିବାରୁ ଔଷଧର ଉପଯୋଗ ହୋଇପାରିଲା ନାହିଁ । ପୁଣି ଆଉ କେତେଦିନ ପଦ୍ମାସନରେ ବସିବା ଅଭ୍ୟାସ କଲେ । ଏମିତି ଦିନ ପରେ ଦିନ ବିତିବାକୁ ଲାଗିଲା । କାରଣ ସବୁକଥା ବିଧିପୂର୍ବକ ନହେଲେ ଶାସ୍ତ୍ରରେ କୁଆଡ଼େ ଅତି ବିପରୀତ ଫଳହେବ । ଯାହାତ ଉପୁଡ଼ିଯାଇଛି–ଯାଇଛି । ଅବଶିଷ୍ଟତକ ଯଦି ବିପରୀତ ଫଳ ଯୋଗୁଁ ଯାଏ ତେବେ ସବୁ ସରିଯିବ । ଫଳରେ ଦିନ ପରେ ଦିନ ଔଷଧ ମାଲିସର ପ୍ରସ୍ତୁତିରେ ବିତିବାକୁ ଲାଗିଲା । କେଉଁଦିନ ସେ ସୂର୍ଯ୍ୟୋଦୟ ପରେ ଉଠିଲେ ତା, କେଉଁଦିନ ପଦ୍ମାସନ ପଡ଼ିପାରିଲା ନାହିଁ ।

 

ଦିନେ ସେ ଠିକ୍‌ ସମୟରେ ଉଠିପଡ଼ିଲେ । ଆଜି ସେଇ ଔଷଧ ମାଲିସ କରିବାରେ ଆଉ କୌଣସି ବାଧା ନାହିଁ ବୋଲି ସେ ସ୍ତିର କରିନେଲେ । ପଦ୍ମାସନରେ ପୂର୍ବମୁଖା ହୋଇ ସେ ବସିପଡ଼ିବା ମାତ୍ରେ ତାଙ୍କର ପ୍ରଥମେ ଆଖି ପଡ଼ିଗଲା ନିଜର ଚର୍ମ ପାଦୁକା ଉପରେ । କେଜାଣି କାହିଁକି ତାଙ୍କୁ ଏଇ ସମୟରେ ତାହା ଛିଣ୍ଡା ଧୋତରା ଦିଶିଲା । ଆଖି ଆଗରେ ନାଚିଗଲା ସେହି ପାଦୁକା–ପର୍ବତର ଦୃଶ୍ୟ... ଅନେକ ଛୋଟବଡ଼ ବିଚିତ୍ରବର୍ଣ୍ଣା ଛିଣ୍ଡାଫଟା ପାଦୁକାଙ୍କର ମେଳନ ଘଟଣା । ରାଜା ଧଡ଼କିନା ଉଠିପଡ଼ିଲେ । ନା, ଆଜି ଆଉ ହେବନାହିଁ । ମନଟା ତାଙ୍କର ବିଷିକି ଉଠିଲା । ବାରମ୍ୱାର ଯୁବକମାନଙ୍କ ଦ୍ୱାରା ପ୍ରସ୍ତୁତ ପାଦୁକାପର୍ବତ ଦୃଶ୍ୟ ମନେପଡ଼ି ଭିତରଟା ଗୋଳେଇଘାଣ୍ଟି ହେଲା । ନିଜର ଭୁଲ, କାହାକୁ ଅବା କହିବେ ଆଖିରେତ ଦେଖିଆସିଛନ୍ତି, ତାକୁ ମନରୁ ନିଭେଇବେ ଅବା କେମିତି ?

 

ମାତ୍ର ତାଙ୍କ ଚେଷ୍ଟା ଅବ୍ୟାହତ ରହିଥିଲା । ପରଦିନ ସେ ପୁଣି ପୂର୍ବ ପ୍ରଚେଷ୍ଟା ଚଳାଇଲେ । ଠିକ୍‌ ସମୟରେ ଉଠି, ପୂର୍ବମୁଖା ହୋଇ ପଦ୍ମାସନ ପକାଇ ଡାହାଣ ହାତରେ ଔଷଧ ଢାଳିଲେ । ଔଷଧର ମନମତାଣିଆ ମହକ ରାଜାଙ୍କର ଯୁବ–ପ୍ରାଣକୁ ଆହ୍ଲାଦିତ କରିଦେଲା । ସେ ଅତି ସନ୍ତର୍ପଣରେ ଡାହାଣ ହାତଚକିରେ ଢଳା ହୋଇଥିବା ଔଷଧ ଆଡ଼କୁ ଚାହିଁଲେ । ପ୍ରୀତ–ଲୋହିତ–ବର୍ଣ୍ଣର ଔଷଧଟି ତାଙ୍କ ହାତରେ ଥାଇ ଢଳ ଢଳ ହେଉଥିଲା ଠିକ୍ ଖୋଳପାହୀନ ଅଣ୍ଡାର ସାରାଂଶ ଭଳି । ରାଜାଙ୍କୁ ଗୋଟାଏ ମୁହୂର୍ତ୍ତରେ ତାଙ୍କ ହସ୍ତରେ ଥିବା ଔଷଧ ଅଣ୍ଡାର ତରଳ କେଶର ଭଳି ପ୍ରତେ ହେଲା । ସେ ତତ୍‌କ୍ଷଣାତ୍‌ ତାହାକୁ ଭୂମିକୁ ନିକ୍ଷେପ କରି ଉଠିପଡ଼ିଲେ । ଏଣିକି କଅଣ କରିବ ସେ ସ୍ଥିର କରିପାରିଲେ ନାହିଁ । ଅନେକ ଥର ପହାନ୍ତିଆରୁ ଉଠି ସେ ବସି ଚିନ୍ତା କରିବାକୁ ଲାଗିଲେ । ଔଷଧ ଶିଶିଟାକୁ ଦେଖିଲେ ତାଙ୍କୁ ଏଣିକି ଡରଲାଗିଲା । ବାରମ୍ୱାର ମନେପଡ଼ିଲା....ବିଧିପୂର୍ବକ ପାଳନ ନକଲେ ବିପରୀତ ଫଳ ।’

 

ଏହା ଭିତରେ ନାପିତ ବୈଦ୍ୟ କେତେଥର ରାଜାଙ୍କୁ ଦେଖାକରିବାକୁ ଆସିଲାଣି । ମାତ୍ର ରାଜା ତା’ ସହିତ ସାକ୍ଷାତ ନକରି ପ୍ରତିଥର କିଛି କିଛି ଅର୍ଥ ଦେଇ ତାକୁ ବିଦା କରାଇଦେଉଥିଲେ । ସୁଫଳ ମିଳୁଛି ବୋଲି କ୍ରମେ ଲୋକମୁଖରେ ପ୍ରଚାରିତ ହୋଇଗଲା ନାପିତ ବୈଦ୍ୟଙ୍କର ଅବ୍ୟର୍ଥ ମହୋଷଧି ବ୍ୟବହାରଦ୍ୱାରା ରାଜାଙ୍କର କେଶରାଶି ଉଦ୍‌ଗମ ହେବାକୁ ଲାଗିଲାଣି । ଅଳ୍ପ କିଛିଦିନ ପରେ ରାଜାଙ୍କର ଘଞ୍ଚକେଶ ଶୋଭା ଜନତା ଦେଖିପାରିବ । ରାଜା ବାଧ୍ୟ ହୋଇ ଏଥିରେ ସହମତ ହେଲେ । କିନ୍ତୁ ପ୍ରକୃତ କଥା ପ୍ରକାଶ କରିବାକୁ ତାଙ୍କ ମୁହଁ ନଥିଲା । ଫଳତଃ ରାଜା କ୍ରମଶଃ ରାଜଦରବାରକୁ ଆସିବା ପାଇଁ କୁଣ୍ଠାପ୍ରକାଶ କଲେ । କିଛିଦିନ ପରେ ସେ ଉଆସ ଭିତରେ ଲୁଚିରହିବାକୁ ବାଧ୍ୟ ହେଲେ ।

 

ରାଜାଙ୍କର କ୍ରମାଗତ ଅନୁପସ୍ଥିତି ହଠାତ୍‌ ଦିନେ ରାଷ୍ଟ୍ରବିପ୍ଳବରେ ରୂପାନ୍ତରିତ ହୋଇଗଲା । ରାଜ୍ୟରୁ ରାଜତନ୍ତ୍ର ବିଲୋପ ହୋଇ ମୁଣ୍ଡଟେକିଲା ଏକ ନୂତନ ଜନତନ୍ତ୍ର । ସାରାଦେଶରେ ଆନନ୍ଦର ହୋ–ହଲ୍ଲା ଉଠିଲା । ଜେଲଖାନା ଖୋଲିଗଲା । ଯେଉଁମାନେ ସେଠି ସ୍ତୁତି ବନ୍ଦନା କରୁଥିଲେ ଏଠି ମଧ୍ୟ ଆସି ସେମାନେ ମୁହଁ ଦେଖାଇଲେ । ସେଇ ଧୂର୍ତ୍ତ ନାପିତକୁ ମଧ୍ୟ କେହି କେହି ଶାସନକଳରେ ଦେଖିଥିବାର କଥା ହେଉଥିଲେ ।

 

(ଶିଳ୍ପୀ ବନ୍ଧୁ ଅସିତ୍‌ ମୁଖାର୍ଜୀଙ୍କୁ....)

(ଅଗଷ୍ଟ, ଝଂକାର, ୧୯୭୭)

Image

 

ପାଗଳ ହାତୀର ମୃତ୍ୟୁ

ନନ୍ଦ କିଶୋର ମିଶ୍ର

 

ଚହଳ ପଡ଼ିଗଲା–ପାଗଳ ହାତୀ ମାତିଚି । ସେ ଚହଳ କିନ୍ତୁ ଏକ ନୀରବ ଚହଳ । ଆତଙ୍କିତ ଚହଳ । କାହାରି ମୁହଁରେ ଭାଷା ନାହିଁ । ଭାବ ନାହିଁ । ତଥାପି ମୁହଁ ଦେଖିଲେ ବାରି ହୋଇଯିବ । ଭାବହୀନ ମୁହଁରେ ଅନେକ ଭାବର ପରିପ୍ରକାଶ । ଲୁଚାଇଦେବାର ସମସ୍ତ ପ୍ରଚେଷ୍ଟା ଯେପରି ଭାବକୁ ଆହୁରି ପରିଷ୍କାର ଭାବରେ ପରିସ୍ଫୁଟ କରିପକାଇଛି ।

ହାତୀ ମାତିଛି । କେତେବେଳେ କେଉଁଆଡ଼ୁ ମାଡ଼ିଆସିବ । ଆଉ କାହା ଉପରେ ସେ ମତ୍ତହସ୍ତୀର ଦୃଷ୍ଟିପଡ଼ିବ ଜଣାନାହିଁ । ସେଠାରେ ଅନୁନୟ, ବିନୟର ସ୍ଥାନ ନାହିଁ । ନ୍ୟାୟ, ଅନ୍ୟାୟର ତର୍କ ନାହିଁ । ଦୋଷୀ, ନିର୍ଦ୍ଦୋଷୀର ପ୍ରଶ୍ନ ଉଠୁନି । ସେ ହାତୀ–ପୁଣି ଉନ୍ମତ୍ତ । ତା’ର ବୁଦ୍ଧି ନାହିଁ କି ବିବେକ ନାହିଁ, ଯଦିଓ ସ୍ମରଣଶକ୍ତି ଖୁବ୍‌ ତୀକ୍ଷ୍‍ଣ ବୋଲି କୁହାଯାଏ । ସେ ଆସିବ । ଯାହାକୁ ପାରେ ତାକୁ ଦଳିଦେଇ ଯିବ କି ଶୁଣ୍ଢରେ ଧରି ବୁଲାଇ ବୁଲାଇ ପିଟିଦେବ ।

ମୁହଁରେ ସବୁରି ଜବରଦସ୍ତ ହସ–ଭାଷା–ହାତୀ ମାତିଛି; ଭଲ ହୋଇଛି । ରାସ୍ତାଘାଟରେ କୋଳାହଳ ନାହିଁ–ବିଶୃଙ୍ଖଳା ନାହିଁ । ପର ଚର୍ଚ୍ଚା ନାହିଁ । ଶାନ୍ତି ବିରାଜିଛି–ଶ୍ମଶାନର ।

ସବୁ ଶାନ୍ତ । ପାଗଳ ହାତୀ ଜିନ୍ଦାବାଦ୍‌ ।

ଆଉ ସେ ଗର୍ଜନ ଭିତରୁ ଗୁମୁରୀ ଉଠୁଛି ଏକ ଅବ୍ୟକ୍ତ ବେଦନା । ପାଗଳ ହାତୀର ମୃତ୍ୟୁ ଲୋଡ଼ା–ପାଗଳ ହାତୀର ମୃତ୍ୟୁ ଲୋଡ଼ା ଆମେ ଚାହୁଁ ପାଗଳ ହାତୀର ମୃତ୍ୟୁ... ।

କିନ୍ତୁ ଶ୍ମଶାନର ସେ ନୀରବତାର ମହାସମୁଦ୍ର ଭିତରେ ସତ୍ତା ହରାଇ ବସୁଛି ସେହି ଅବ୍ୟକ୍ତ ବେଦନା ।

ପାଗଳ ହାତୀ ଆହୁରି ଉନ୍ମତ୍ତ ହୋଇପଡ଼ିଚି......

ହଠାତ୍‌ ନୀରବ ଜନତା ହୋଇଉଠିଛି ମୁଖର । ଶ୍ମଶାନର ଶାନ୍ତ ଭଙ୍ଗ । ବିଜୟ ଉଲ୍ଲାସରେ ନୀରବ ଜନତାର ବୁକୁ ଫୁଲିଉଠିଛି । ମୁହଁରେ ତା’ର ଉଚ୍ଛୁଳୁଛି ଭାଷା । ପାଗଳ ହାତୀର ମୃତ୍ୟୁ ହୋଇଛି ।

ବିରାଟ ଜନସମାବେଶ, ଶିକାରୀକୁ ଅଭିନନ୍ଦନ ଜଣାଇବାକୁ ଶିକାରୀ ବେକରେ ଗଦା ଗଦା ଫୁଲମାଳ । ଶିକାରୀର ଜୟ ଜୟ ନାଦରେ ଗଗନ, ପବନ ଥରିଉଠୁଛି । ଗଦା ଗଦା ଫୁଲମାଳ ଭିତରେ ସେ ହୋଇଉଠୁଛି ଅଣନିଃଶ୍ୱାସୀ ।

ଶାନ୍ତି ଶାନ୍ତି ଶାନ୍ତି

ସଭା ଆରମ୍ଭ । ଅଭିନନ୍ଦନ ପତ୍ର ପାଠ ।

ଆମେ ସମସ୍ତେ ସୂଚାଇଥିଲୁ ପାଗଳ ହାତୀର ମୃତ୍ୟୁ ହେବା ଉଚିତ ବୋଲି । ମାତ୍ର ଆମ କଥା କିଏ ଶୁଣିଲା ? କେହି ଶୁଣିଲେନି । ଶେଷରେ ଆଜି ଶିକାରୀ ମହାଶୟ ଅତି ସାହସର ସହିତ ହତ୍ୟା କରିପାରିଲେ ପାଗଳ ହାତୀକୁ । ଆଜି ଆମେ ସମସ୍ତେ ପାଗଳ ହାତୀର ଆତଙ୍କରୁ ରକ୍ଷା ପାଇପାରିଛୁ । ଶାନ୍ତିର ନିଃଶ୍ୱାସ ମାରିପାରିଛୁ–ସ୍ୱାଧୀନତାର ମୁକ୍ତବାୟୁ ସେବନ କରିବାର ସୁଯୋଗ ପାଇପାରିଛୁ ।

ଘନ ଘନ କରତାଳି । ହୁଏତ ସଭାମଞ୍ଚ ଭାଙ୍ଗିପଡ଼ିବ ।

ଶିକାରୀ ମହାଶୟ ଉଠିଲେ ମାଇକ୍‌ ପାଖକୁ ।

ପୁଣି ଘନ ଘନ କରତାଳି ।

ତା’ପରେ ନୀରବତା ।

ଆପଣମାନେ ହୁଏତ କହିବେ, ମୁଁ ଅସୀମ ସାହସର ସହିତ ଆଜି ପାଗଳ ହାତୀକୁ ମାରି ଆପଣମାନଙ୍କୁ ମୁକ୍ତ କରିଛି । ସେଥିପାଇଁ ଆଜି ଆପଣମାନେ ମୋତେ ଅଭିନନ୍ଦନ ଜଣାଉଛନ୍ତି । ମାତ୍ର ମୁଁ ଅତି ବିନୟର ସହକାରେ ଆପଣମାନଙ୍କଠାରୁ କ୍ଷମାମାଗିବାକୁ ଚାହେଁ । କାରଣ, ମୁଁ ଆପଣମାନଙ୍କର ଏ ସମ୍ମାନର ଉପଯୁକ୍ତ ଅଧିକାରୀ ନୁହେଁ ।

ସଭାରେ ଗୁଞ୍ଜରଣ.... ।

କିଛିକ୍ଷଣର ନୀରବତା । ତା’ପରେ.... ।

ଆପଣମାନେହିଁ ଏ ସମ୍ମାନର ଅଧିକାରୀ । ଆପଣମାନେହିଁ ଏ ହାତୀକୁ ମାରିଛନ୍ତି । କାରଣ; ଆପଣମାନଙ୍କର ସ୍ନେହ, ସଦିଚ୍ଛା ନଥିଲେ ହୁଏତ ମୁଁ ଆଜି ଏ ହାତୀକୁ ମାରିବାରେ ସଫଳ ହୋଇପାରିନଥାନ୍ତି ।

ଘନ ଘନ କରତାଳିରେ ଜନତା ଶିକାରୀଙ୍କଠାରୁ ସେ ସମ୍ମାନକୁ ଫେରାଇଆଣିଲା ନିଜ ଉପରକୁ । ତା’ପରେ ଧନ୍ୟବାଦ ପ୍ରସ୍ତାବ.......

ଶିକାରୀ ଆଜି ଜନତାର ଆଖି ଖୋଲି ଦେଇଛନ୍ତି । ସେଥିପାଇଁ ଜନତା ପକ୍ଷରୁ ତାହାର ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆୟୋଜକ ମହାଶୟ ଶେଷ କାର୍ଯ୍ୟକ୍ରମଟି ଘୋଷଣା କଲେ......

ଏହି ସଭା ତରଫରୁ ଆଜି ପଚାଶ ଟ୍ରକ ଢେଲା ଆସି ସଭାସ୍ଥଳୀ ଚାରିପାଖରେ ମହଜୁଦ୍‌ ରହିଛି । ଯେଉଁମାନେ ଅତୀତରେ ପାଗଳ ହାତୀର ଶିକାର ହୋଇଛନ୍ତି, କିମ୍ୱା ପାଗଳ ହାତୀ ପ୍ରତି ସେମାନଙ୍କର ଘୃଣାଭାବ ଏ ପର୍ଯ୍ୟନ୍ତ ରହିଯାଇଛି; ସେହିମାନଙ୍କର ମାନସିକ ଉତ୍ତେଜନାର ଉପଶମ ପାଇଁ ସେମାନେ ଏହି ଢେଲାଗୁଡ଼ିକର ବିନିଯୋଗ କରିପାରନ୍ତି ।

ଘନ ଘନ କରତାଳି ସଙ୍ଗକୁ ହଠାତ୍‌ ମୃତ ହାତୀ ଉପରକୁ ବୃଷ୍ଟି ଚାଲିଲା ଅସଂଖ୍ୟ ଢେଲା । ଯେପରି ପାଗଳ ହାତୀର ଆତ୍ମା ଗ୍ରାସ କରିଛି ଜନତାକୁ ।

ସେ ଉତ୍ତେଜନା କିନ୍ତୁ ଥିଲା ଗ୍ରୀଷ୍ମର ପ୍ରଥମ ବାରିପାତ ଭଳି । ଚାହୁଁ ଚାହୁଁ କୁଆଡ଼େ ଉଭେଇଗଲା । କ୍ଷଣିକ ମଧ୍ୟରେ ଜନାକୀର୍ଣ୍ଣ ସଭାସ୍ଥଳଟି ଶ୍ମଶାନର ନିର୍ଜନତାରେ ପରିଣତ ହୋଇଗଲା ।

ଶିକାରୀ ମହାଶୟ ଥିଲେ ସେଠାରେ ଏକାକୀ । ସେ ବିଭୋର ହୋଇଯାଇଥିଲେ ଏକ ସ୍ୱପ୍ନରେ । ଅନ୍ଧକାର ଉଇଁ ଆସି ଗ୍ରାସ କରିଥିଲା ସଭାସ୍ଥଳୀଟିକୁ । ତା’ ସଙ୍ଗେ ସଙ୍ଗେ ହାତୀର ଶବଟିକୁ ମଧ୍ୟ ।

ହଠାତ୍‌ ହାତୀଦାନ୍ତର ଶୁଭ୍ରତାର ଝଲକରେ ଶିକାରୀ ମହାଶୟଙ୍କର ସ୍ୱପ୍ନ ଭାଙ୍ଗିଗଲା । ସେ ଧୀରେ ଧୀରେ ସଭାମଞ୍ଚରୁ ଓହ୍ଲାଇ ଆଗେଇ ଗଲେ ହାତୀର ଶବ ନିକଟକୁ । ନିଜ ଗଳାରୁ ଫୁଲମାଳଟି କାଢ଼ି ପକାଇଦେଲେ ଶବ ଉପରେ ।

ତୁ’ହିଁ ନିଜେ ଏ ସମ୍ମାନର ଅଧିକାରୀ । ମୁଁ ନୁହେଁ କି ଏ ଜନତା ନୁହେଁ । ତୁ ନିଜେ ନିଜର ହତ୍ୟା କରିନଥିଲେ ହୁଏତ ଆଜି ଏ ସଭା ହୋଇପାରିନଥାଆନ୍ତା । ଆମେ ସମସ୍ତେ ମାରିଚୁ କେବଳ ତୋର ଶବକୁ, ମୋର ଗୁଳି ବିଦ୍ଧ କରିଛି ତୋର ମୃତ ଦେହକୁ, ଠିକ୍‌ ଯେପରି ଏ ଜନତାର ଢେଲା ।

ଅନ୍ଧାର ଆହୁରି ଗଭୀର ହୋଇଯାଉଥିଲା । ସେଥିରେ ଶିକାରୀ ହାତୀ ଓ ହାତୀ ଦାନ୍ତ, ସବୁ ମିଳାଇ ଯାଉଥିଲେ ।

(ସମାବେଶ, ଏପ୍ରିଲ, ମେ, ଜୁନ୍‌, ୧୯୭୭)

Image